Unknown

 

 

 

 

 

 

 

 

୧୦୮ତମ ସଂଖ୍ୟା କୋଣାର୍କ ୧୯୯୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଭାପତି

ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ

 

ଉପସଭାପତି

ଶ୍ରୀ ରବି ସିଂ

 

ସଚିବ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ପ୍ରକାଶକ:

ଓଡ଼ିଶା ସାହିତ୍ୟ ଏକାଡେମୀ

ମୁଦ୍ରାକର :

ପେଜ୍‍ମେକର, ବାପୁଜୀନଗର, ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ବିଷୟ-ସୂଚୀ

୧.

‘ପ୍ରଣୟିନୀ’ କାବ୍ୟରେ ନୀଳକଣ୍ଠଙ୍କ

ଅନୁବାଦ-କଳା-କୁଶଳତା

ଡକ୍ଟର କୁମୁଦିନୀ ମିଶ୍ର

୨.

ଔପନ୍ୟାସିକ କାହ୍ନୁ ଚରଣ ଓ

ତାଙ୍କ ସମାଜଦର୍ଶନ

ନିର୍ମଳା କୁମାରୀ ରାଉତ

୩.

ଗାଁଗହଳିର ଗୀତିକାବ୍ୟ ଚଉତିଶା

ଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ଶୁରଦେଓ

୪.

ଓଡ଼ିଆ ସାହିତ୍ୟକୁ ଆଠମଲ୍ଲିକର ଅବଦାନ

ଡକ୍ଟର ରଘୁନାଥ ମେହେର

୫.

ଦାସକାଠିଆର ସୃଷ୍ଟି, ପୁଷ୍ଟି ଓ

ସ୍ୱରୂପ ଏକ ଅନୁଧ୍ୟାନ

ଶ୍ରୀ ଅଶୋକ କୁମାର ତ୍ରିପାଠୀ

୬.

ଓଡ଼ିଆର ପଞ୍ଚମବେଦ

ଡକ୍ଟର ନଟବର ଶତପଥୀ

୭.

ଗଛ ତଳେ ଓ ଗୁଂଫା ଭିତରେ :

ଶ୍ରୀଜଗନ୍ନାଥ ଓ ସୋନପୁର

ଡକ୍ଟର ପବିତ୍ରମୋହନ ନାୟକ

୮.

ଓଡ଼ିଆ ଭାଗବତ-ପ୍ରଣେତା

ଶ୍ରୀ ଜଗନ୍ନାଥଦାସଙ୍କ ଜୀବନୀ ଓ ସାହିତ୍ୟକୃତି

ଶ୍ରୀ ପରଶୁରାମ ଖଣ୍ଡୁଆଳ

୯.

ଏକାଡେମୀ ସମାଚାର

 

୧୦.

ଆଭିମୁଖ୍ୟର ରୂପାୟନ

 

 

‘ପ୍ରଣୟନୀ’ କାବ୍ୟରେ

ନୀଳକଣ୍ଠଙ୍କ ଅନୁବାଦକଳା - କୁଶଳତା

ଡକ୍ଟର କୁମୁଦିନୀ ମିଶ୍ର

 

ସାରସ୍ଵତ ସୃଷ୍ଟିକୁ ଗୋଟିଏ ମାଧ୍ୟମରୁ ଆଉ ଗୋଟିଏ ମାଧ୍ୟମକୁ ସ୍ଥାନାନ୍ତରିତ କରିବା ବା ସାଧାରଣ ଏ ଅର୍ଥରେ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ରୂପାନ୍ତରିତ କରିବାକୁ ଅନୁବାଦ କୁହାଯାଏ । ‘ଅନୁବାଦ’ ଶବ୍ଦର ଇଂରାଜୀ ପରିଭାଷା ହେଉଛି ‘Translation’ । ଲାଟିନ୍‌ ‘Trans’ (Across) ଏବଂ ‘Latus’ (to carry) ଶବ୍ଦଦ୍ୱୟରୁ ଇଂରାଜୀ Translation ଶବ୍ଦର ଉତ୍ପତ୍ତି । Translation ର ଅର୍ଥ ନିରୂପଣ କରି Encyclopaedia Britanica - ‘‘A carrying over or transference from one to another. But the commonest sense of the word in connection with rendering of one language to another.’’

 

ଅନୁବାଦର ଆବଶ୍ୟକତା

ଅନୁବାଦ ଦ୍ୱାରା ବିଶ୍ଵ ସାହିତ୍ୟର ଧାରଣା ପରିପୁଷ୍ଟ ହୁଏ । ପୃଥିବୀର ବିଭିନ୍ନ ଦେଶ ଓ ଜାତି ମଧ୍ୟରେ ଭାବର ଆଦାନ ପ୍ରଦାନ ଘଟେ । ଦର୍ପଣରେ ମୁଖ ଦିଶିବା ପରି ଅନୁବାଦରେ ଅନ୍ୟ ଭାଷାର ସାହିତ୍ୟକୃତି ନିଜ ଭାଷାରେ ପ୍ରତିଫଳିତ ହୁଏ । ପୃଥିବୀର ବିଭିନ୍ନ ଭାଷାରେ ଥିବା ଉଚ୍ଚାଙ୍ଗ ସାହିତ୍ୟକୃତିକୁ ଅନୁବାଦକ ସ୍ୱଦେଶର ପାଠକମାନଙ୍କ ନିକଟରେ ପହଞ୍ଚାଇ ଦିଅନ୍ତି । ବିଦେଶୀ ସାହିତ୍ୟରୁ ରୂପ, ରସ, ଛନ୍ଦାଦି ଆଣି ମାତୃ-ସାହିତ୍ୟ-ଉଦ୍ୟାନର ଶୋଭା ବର୍ଦ୍ଧନ କରନ୍ତି । ତେଣୁ ମୌଳିକ ସାହିତ୍ୟସ୍ରଷ୍ଟାଙ୍କଠାରୁ ଅନୁବାଦକଙ୍କ ଦାୟିତ୍ଵ ଅଧିକ ଗୁରୁତ୍ୱପୂର୍ଣ୍ଣ । ସବୁ ଦେଶର ଶ୍ରେଷ୍ଠ ସାହିତ୍ୟକୃତିସବୁ ଇଂରାଜୀ ଭାଷାରେ ଅନୁଦିତ ହୋଇଥିବାରୁ ଆଜି ଇଂରାଜୀ ସାହିତ୍ୟ ପୃଥିବୀରେ ସର୍ବାପେକ୍ଷା ଅଧିକ ଐଶ୍ଵର୍ଯ୍ୟଶାଳୀ । ଓଡ଼ିଆ ଭାଷାରେ ଅନୁବାଦକର ବିକାଶ ସପକ୍ଷରେ ଯୁକ୍ତି ଦର୍ଶାଇ ପଣ୍ଡିତ ନୀଳକଣ୍ଠ କହନ୍ତି - ‘‘ଅନୁବାଦ କରିବାକୁ ହେବ, ସମାଜ ଓ ସାହିତ୍ୟର ବିଶ୍ଵ ବିକାଶ ଧାରାରେ ଓଡ଼ିଆ ଖେତରେ ବୁଡ଼ାପାଣି ମଡ଼ାର ରଖିବାକୁ ହେବ । ସମସ୍ତ ବିଭାଗ ଓ ବିଭାବରେ କ୍ରିୟା ପରଂପରା ଫିଟାଇ ଦେବାକୁ ହେବ ଓ ତାହା ମନକୁ ଫିଟିଯିବାର ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।’’ (୧)

 

(୧)

ନିଖିଳ ଉତ୍କଳ ସାହିତ୍ୟ ସମ୍ମିଳନୀରେ ପଣ୍ଡିତ ନୀଳକଣ୍ଠଙ୍କ ଭାଷଣ - ପୃ : ୫୭ ।

 

ଅନୁବାଦ ଏକ କଠିନ କଳା

ମୌଳିକ ସୃଷ୍ଟି ଅପେକ୍ଷା ଅନୁବାଦସାହିତ୍ୟକର୍ମ ଅଧିକ ଆୟାସସାଧ୍ୟ ଓ ପ୍ରଜ୍ଞାସାପେକ୍ଷ । ଏହା ଏକ କଠିନ କଳା, ମାତ୍ର ଏଥିରେ ସହଜରେ ଯଶ ମିଳେ ନାହିଁ । ତଥାପି ବିଶ୍ୱବିଖ୍ୟାତ ଲେଖକମାନେ ସ୍ଵଦେଶବାସୀଙ୍କୁ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳର ଚିନ୍ତାଧାରା ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି କଠିନ କଳାର ଉପାସନା କରନ୍ତି । ମୂଳଭାଷା ଓ ଅନୁବାଦର ଭାଷା ଉଭୟରେ ଅନୁବାଦକଙ୍କ ଗଭୀର ଜ୍ଞାନ ନଥିଲେ ଅନୁବାଦ ସଫଳ ହୁଏ ନାହିଁ । ପାଶ୍ଚାତ୍ୟ କବି ଡାଇଡେନ୍‌ଙ୍କ ଯୁକ୍ତିରେ ଆକ୍ଷରିକ ଅନୁବାଦ ଅପେକ୍ଷା ଭାବାନୁବାଦ ଅଧିକ ଉଚ୍ଚମାନର ହୋଇଥାଏ । ମୂଳ ଲେଖକଙ୍କ ଭାବକୁ ଅକ୍ଷୁଣ୍ଣ ରଖି ସାହିତ୍ୟିକ କଳାର ସୌନ୍ଦର୍ଯ୍ୟ ରକ୍ଷାପୂର୍ବକ ମୂଳ ରଚନାକୁ ସ୍ଵକୀୟ ପ୍ରତିଭାବଳରେ ପ୍ରାଣସ୍ପର୍ଶୀ ଭାବେ ରୂପାନ୍ତରିତ କରିବାରେ ହିଁ ଅନୁବାଦକର ସାଫଲ୍ୟ ନିହିତ ।

 

ଅନୁବାଦ ପ୍ରବିଧି

ଏଡିନ୍‌ବର୍ଗ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ବିଶିଷ୍ଟ ସମୀକ୍ଷକ ଉଡ୍‌ହାଉସ୍‌ ଲି (ଖୀ ୧୭୪୭ - ୧୮୮୪) Essay on the Principles of Translation ଗ୍ରନ୍ଥରେ ଅନୁବାଦର ବିଧି ନିର୍ଦ୍ଦେଶ କରି କହନ୍ତି-

 

(କ)

ଅନୁବାଦ ମୂଳ ରଚନାର ସଂପୂର୍ଣ୍ଣ ଭାବଧାରାକୁ ଯଥାଯଥ ଭାବେ ରୂପାୟନ କରିବ ।

(ଖ)

ଅନୁବାଦର ଶୈଳୀ ତଥା ଲିଖନଭଂଗୀ ମୂଳରଚନାର ଅନୁରୂପ ବା ଅନୁସାରୀ ହେବ ।

(ଗ)

ଅନୁବାଦ ମୂଳ ରଚନା ପରି ସାବଲୀଳ ହେବ ।

 

ଅନୁବାଦକ ବହୁଶାସ୍ତ୍ରଦର୍ଶୀ, ବିଦ୍ୱାନ୍‌ ଏବଂ ଭାଷାବିଦ୍‌ ହେବା ଆବଶ୍ୟକ । ସେ ଯେଉଁ ଭାଷାରୁ ଅନୁବାଦ କରନ୍ତି ସେହି ଭାଷାଭାଷୀ ଅଞ୍ଚଳର ସଂସ୍କୃତି, ସାମାଜିକ ଚଳଣି, ଦାର୍ଶନିକ ଚିନ୍ତାଧାରା, ଧାର୍ମିକ ଅନୁଚିନ୍ତା ସହ ସେ ଉତ୍ତମ ରୂପେ ପରିଚିତ ହେବା ଉଚିତ । ଅନୁବାଦ କରିବା ପୂର୍ବରୂ ପ୍ରତ୍ୟେକ ଅନୁବାଦକଙ୍କ ମନରେ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ଉତ୍‌ଥାପିତ ହେବା ବିଧେୟ ।

 

ଲେଖକ କଅଣ କହୁଛନ୍ତି ? ସେ ନିଜେ ସେଥିରୁ କଅଣ ବୁଝୁଛନ୍ତି ? ଏବଂ ସେ କିପରି ଏହାକୁ ପ୍ରକାଶ କରିବେ ?

 

ଅନୁବାଦକ ଯେତେ ଦକ୍ଷ ହେଲେ ମଧ୍ୟ ସେ କଦାପି ଲେଖକଙ୍କ ସମକକ୍ଷ ନୁହଁନ୍ତି । ଲେଖକଙ୍କ ପରି ତାଙ୍କର ଯେ ନିଜସ୍ଵ ସ୍ଵାତନ୍ତ୍ର୍ୟ ନାହିଁ ଏ ବିଷୟରେ ସେ ସଚେତନ ରହିବା ଉଚିତ ।

 

ଅନୁବାଦ ମୁଖ୍ୟତଃ ଦୁଇ ପ୍ରକାରର ।

 

ଆକ୍ଷରିକ ଅନୁବାଦ ବା Translation, ଅନୁକୃତି ବା Transcreation.

 

ଅନୁକୃତି ପୁଣି ଚାରି ପ୍ରକାରର ହୋଇଥାଏ - ଭାବାନୁବାଦ, ମର୍ମାନୁବାଦ, ଛାୟାନୁବାଦ ଓ ଅନୁସରଣ । ଭାବାନୁବାଦରେ ମୂଳ ଲେଖାର ଭାବଧାରା ପ୍ରାୟତଃ ବିଦ୍ୟାମାନ ଥାଏ । ମର୍ମାନୁବାଦରେ ମୂଳ ରଚନାର ସଂକ୍ଷିପ୍ତ ରୂପ ବା ମର୍ମକୁ ଉପସ୍ଥାପନ କରାଯାଏ । ଛାୟାନୁବାଦରେ ମୂଳ ଲେଖାର ସ୍ଵରୂପ ଅବଧାରଣା ସହଜେ ସମ୍ଭବ ହୁଏ ନାହିଁ । ଅନୁସରଣ ବା ଅବଲମ୍ବନରେ ମୁଖ୍ୟ ଘଟଣା ଓ ଚରିତ୍ରର ରୂପାୟନ ଅବ୍ୟାହତ ରହି ଅଦରକାରୀ । ବର୍ଣ୍ଣନା ବାଦ୍‌ ଦିଆଯାଏ ଓ ନୂତନ ଘଟଣା କିଛି ସଂଯୋଜିତ ହୋଇଥାଏ ।

 

ଅନୁବାଦକ ଭାବେ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିଭା

ଓଡ଼ିଆ ସାହିତ୍ୟର ଇତିହାସରେ ନୀଳକଣ୍ଠ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ କବି, ଗବେଷକ, ପ୍ରାବନ୍ଧିକ, ଭାଷାବିଦ୍‌, ସମାଲୋଚକ ହୋଇଥିଲେ ହେଁ ସେ ଯେ କାହିଁକି ଅନୁବାଦ ପ୍ରତି ମନ ବଳାଇଥିଲେ ତାହାର କେତୋଟି କାରଣ ନିହିତ ଅଛି । ସେ ସମୟରେ ଓଡ଼ିଆ କାବ୍ୟକବିତାରେ ଭାବର ବୈଚିତ୍ର୍ୟ ନଥିଲା । ଇଂରାଜୀ ସାହିତ୍ୟର ନୂତନ ଭାବରାଜି ଆହରଣ କରି କବିବର ରାଧାନାଥ ଯେଉଁ କାବ୍ୟମାନ ଲେଖିଲେ ସେଥିରେ ଓଡ଼ିଆମାନଙ୍କ ଭାବଗତ ଆଦର୍ଶ କ୍ଷୁଣ୍ଣ ହୋଇଥିଲା । ଓଡ଼ିଆ କାବ୍ୟରେ ନୂତନ ଭାବାଦର୍ଶର ଅଭାବ ପୂରଣ ଲାଗି ନୀଳକଣ୍ଠଙ୍କ ଦୃଷ୍ଟି ପଡ଼ିଥିଲା ଭିକ୍ଟୋରିଆ ଯୁଗର ଇଂରାଜୀ ସାହିତ୍ୟ ଉପରେ । ଇଂରାଜୀ ସାହିତ୍ୟରେ ଭିକ୍ଟୋରିଆ ଯୁଗ ଓ ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗର ଆଦର୍ଶ ମଧ୍ୟରେ ବହୁ ସାମ୍ୟ ଲକ୍ଷ୍ୟ କରାଯାଏ । ଭିକ୍ଟୋରିଆ ଯୁଗକୁ ଇଂରାଜୀ ସାହିତ୍ୟରେ The Age of Renaissance’ କୁହାଯିବା ପରି ସତ୍ୟବାଦୀ ଯୁଗକୁ ଓଡ଼ିଆ ସାହିତ୍ୟରେ ‘ନବଜାଗରଣର ଯୁଗ’ କୁହାଯାଏ । ତେଣୁ ଭିକ୍ଟୋରିଆ ଯୁଗର ଆଦର୍ଶ ସହ ଉତ୍କଳବାସୀଙ୍କୁ ପରିଚିତ କରାଇବା ପାଇଁ ସେ ଯୁଗର ବିଖ୍ୟାତ ଲେଖକ ଟେନିସନ୍‌ଙ୍କ କାବ୍ୟକବିତାକୁ ଅନୁବାଦ କରିବା ଦିଗରେ ପଣ୍ଡିତ ନୀଳକଣ୍ଠ ମନ ବଳାଇଥିଲେ ।

 

ନୀଳକଣ୍ଠଙ୍କ ଅନୁବାଦ ସାହିତ୍ୟର ପ୍ରଧାନ ବୈଶିଷ୍ଟ୍ୟ ହେଉଛି -- ଏହା ମୂଳ ରଚନାର ଆକ୍ଷରିକ ଅନୁବାଦ ନୁହେଁ, ଭାବାନୁବାଦ । ଆକ୍ଷରିକ ଅନୁବାଦଠାରୁ ଭାବାନୁବାଦ ଅଧିକ ସର୍ଜନାଧର୍ମୀ । ଏଭଳି ଅନୁବାଦରେ ଅନୁବାଦକ ସ୍ଥଳ ବିଶେଷରେ ସ୍ଵଦେଶର ଚିତ୍ର ଓ ସ୍ଵଦେଶୀୟ ଚିନ୍ତାଧାରା ଉପସ୍ଥାପନା କରି ଅନୁବାଦ ସାହିତ୍ୟକୁ ଅଧିକ ରସସିକ୍ତ କରିବାରେ ସମର୍ଥ ହୁଅନ୍ତି । ମୂଳ ରଚନାର ଭାବକୁ ଅବଲମ୍ବନ କରି ଅନୁବାଦକ ସ୍ଵାଧୀନ ଭାବରେ ବିଷୟବସ୍ତୁ ପରିବେଷଣ କରନ୍ତି ସତ କିନ୍ତୁ ମୂଳ ରଚନାର ନିର୍ଯ୍ୟାସ ପ୍ରତି ସେ ବିଶ୍ଵସ୍ତ ରହନ୍ତି ।

 

ନୀଳକଣ୍ଠ ଅନୁବାଦରେ ସ୍ଵକୀୟତା ରକ୍ଷା କରିବା ଦିଗରେ ସର୍ବଦା ସଚେତନ ଥିଲେ । ତେଣୁ ବିଦେଶୀ ସାହିତ୍ୟର ଅନୁବାଦ ସମୟରେ ସେ ସ୍ଵଦେଶୀୟ ପରଂପରା ଓ ଚଳଣିକୁ ଆଦୌ ଭୁଲି ନାହାନ୍ତି । ମୂଳ ରଚୟିତାଙ୍କ ଭାବକୁ ଅକ୍ଷୁଣ୍ଣ ରଖି ସେ ଓଡ଼ିଆ ପାଠକଙ୍କ ହୃଦୟସ୍ପର୍ଶୀ ଭାଷାରେ ବିଷୟବସ୍ତୁକୁ ଓଡ଼ିଆ ଚଳଣି ସହ ଏକାତ୍ମ କରିଦେଇଥିବାରୁ ତାଙ୍କ ଅନୁବାଦ ମୂଳ ରଚନା ପରି ସରସ ଓ ପ୍ରାଣବନ୍ତ ହୋଇପାରିଛି । ମୂଳ ରଚନାର ଚରିତ୍ର ଓ ସ୍ଥାନମାନଙ୍କର ନାମ, ଏପରିକି ରଚନାର ଶୀର୍ଷକକୁ ମଧ୍ୟ ପରିବର୍ତ୍ତନ କରି ସେଇ ରଚନାଗୁଡ଼ିକୁ ସେ ଏକାନ୍ତ ଭାବେ ଓଡ଼ିଆ କରି ଦେଇଛନ୍ତି । କିନ୍ତୁ ତାଙ୍କ ଅନୁବାଦ କୁଶଳତା ଯୋଗୁ ମୂଳରଚୟିତାଙ୍କ ସ୍ଵକୀୟତା ସେଥିରେ ନଷ୍ଟ ହୋଇନାହିଁ ।

 

ଆହରଣରେ ନିର୍ବାଚନ ପ୍ରୟୋଗ ନୀଳକଣ୍ଠଙ୍କ ଅନୁବାଦର ଅନ୍ୟତମ ବୈଶିଷ୍ଟ୍ୟ । ଅନୁବାଦ ପାଇଁ ସେ ଏପରି ରଚନା ନିର୍ବାଚନ କରିଛନ୍ତି ଯାହା ଆମ ଜାତୀୟ ଚରିତ୍ରର ବିକାଶରେ ସହାୟକ । ବୈଦିକ ମନ୍ତ୍ରଠାରୁ ଆରମ୍ଭ କରି ଟେନିସନ୍‌, ସୋଲି, ଗୋଲଡସ୍ମିଥ ପ୍ରମୁଖଙ୍କ ଆଦର୍ଶ ସାହିତ୍ୟ-କୃତିଗୁଡ଼ିକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରି ସେ ଓଡ଼ିଆ ପାଠକଙ୍କ ରୁଚିର ବିକାଶରେ ସହାୟକ ହୋଇଛନ୍ତି ।

 

ଜୀବନ ତଥା ସାହିତ୍ୟରେ ଆହରଣର ବିଧେୟତା ସଂପର୍କରେ ମତଦେଇ ପଣ୍ଡିତ ନୀଳକଣ୍ଠ କହନ୍ତି - ‘‘ଆହରଣ ଜୀବନର ଲକ୍ଷଣ । କାଠରେ ଲେପ ଓ ବନକ ଦେଲେ ତା’ ମୋଟା, ସୁନ୍ଦର, ଚକ୍‌ଚକ୍‌ ହୁଏ । ମାତ୍ର ସେଥିରେ କାଠ ବଢ଼େ ନାହିଁ । ସେ ବୁଦ୍ଧି କାଠର ନୁହେଁ । ତାକୁ କାଠର ବିକାଶ ବା ପରିଣାମ ବୋଲି କୁହାଯାଏ ନାହିଁ । ଦେହରେ ଖାଦ୍ୟ ବୋଳିହେଲେ ଦେହ ବଢ଼େନାଇ । ଖାଦ୍ୟର ଆହରଣରେ ଦେହକୁ ବଢ଼ାଇବାକୁ ହୁଏ । ଆହରଣରେ ପୁଣି ଯା’ ଇଚ୍ଛା ତାହା ଖାଆନ୍ତି ନାହିଁ । ଯାହା ହଜମ ହୋଇ ଦେହରେ ଲାଗେ, ତାକୁଇ ଖାଆନ୍ତି । ଏଇଠାରେ ଆହରଣରେ ନିର୍ବାଚନ । ଏଇ ଆହରଣ ଓ ଏଇ ନିର୍ବାଚନଇ ଜୀବନ ଓ ବ୍ୟସ୍ତିତ୍ୱର ଲକ୍ଷଣ । ଏଥିରେଇ ଶ୍ରୀବୃଦ୍ଧି ହୁଏ । × × × × ସଭ୍ୟତା ଓ ସାହିତ୍ୟର ପ୍ରଭାବ ଠିକ୍‌ ଏଇ ପରି ।’’ (୨)

 

(୨)

ଓଡ଼ିଆ ସାହିତ୍ୟ କ୍ରମ ପରିଣାମ - ନୀଳକଣ୍ଠ ଗନ୍ଥାବଳୀ - ୩ୟ ଖଣ୍ଡ, ପ : ୬୮ ।

 

ଏଇ ଦୃଷ୍ଟିରୁ ଦେଖିଲେ ପଣ୍ଡିତ ନୀଳକଣ୍ଠ ଅନୁବାଦ କରିବା ପାଇଁ ଯେଉଁ ରଚନାଗୁଡ଼ିକ ନିର୍ବାଚନ କରିଛନ୍ତି ତାହାର ଭାବାଦର୍ଶ ଓ ପ୍ରକାଶ ଶୈଳୀରେ ଆମର ପାଠକଗଣ ମୁଗ୍ଧ ହୋଇଛନ୍ତି । ସେଗୁଡ଼ିକର ଅନୁବାଦ ଦ୍ୱାରା ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ଘଟିଛି । ପ୍ରକାଶ କାଳ କ୍ରମ ଅନୁସାରେ ନୀଳକଣ୍ଠଙ୍କ ଅନୁଦିତ ରଚନାକୁ ନିମ୍ନୋକ୍ତ ଭାବେ ସଜାଇ ଦିଆଯାଇପାରେ ।

 

କାବ୍ୟ

ରଚନାକାଳ

ମୂଳରଚନା ।

ପ୍ରଣୟିନୀ

ଫେବୃୟାରୀ, ୧୯୧୯

The Princess by Lord Tennyson

ଦାସ ନାଏକ

ମାର୍ଚ୍ଚ ୧୯୨୩

Enoch Arden by Lord Tennyson

କବିତା

ବିଧୁ ଓ ବାସନ୍ତୀ

୧୯୧୧

(ମୁକୁର ୬/୭)

Edwin and Angelina by Oliver Gold Smith

ବର୍ଷର ଶେଷ ଗୋଲାପ

୧୯୧୧

(ଉତ୍କଳ ସାହିତ୍ୟ-୧୫/୭)

The Last Rose of Summer by Thomas Moore

ଉପାସନା

୧୯୧୧

(ଉତ୍କଳ ସାହିତ୍ୟ - ୧୫/୮)

ବୈଦିକ ଗ୍ରନ୍ଥଗୁଡ଼ିକର ଶ୍ଲୋକ

ଅଶ୍ରୁ

୧୯୧୬

(ମୁକୁର - ୧୦/୧୦)

Tears Idle Tears (Tennyson & The Princes କାବ୍ୟର ୪ର୍ଥ ସର୍ଗରେ ସଂଯୋଜିତ ୨ୟ ସଂଗୀତ)

ପ୍ରାଣର ଧ୍ଵନି

୧୯୧୭

(ସତ୍ୟବାଦୀ - ୩/୩-୪)

The Princes କାବ୍ୟର ୪ର୍ଥ ସର୍ଗରେ ସଂଯୋଜିତ ପ୍ରଥମ ସଂଗୀତ ।

ପ୍ରେମିକର ଉଚ୍ଛ୍ୱାସ

୧୯୧୭

(ସତ୍ୟବାଦୀ - ୩/୫-୬୨)

The Princes କାବ୍ୟ ର ୪ର୍ଥ ସର୍ଗରେ ସ୍ଥାନ ପାଇଥିବା ୨ୟ ସଂଗୀତ ।

କବି ଓ କିତାବ

୧୯୧୭

(ସତ୍ୟବାଦୀ - ୩/୭-୮)

Poets and Critics by Afred Lord Tennyson

ଚଷା ପୁଅ ପ୍ରତି

୧୯୧୯

(ସତ୍ୟବାଦୀ - ୫/୩-୪)

Song to the men of England by P.B. Shelley. କ

ପ୍ରବନ୍ଧ

କର୍ମ ବିବେକ

ଓ ବ୍ୟବହାର

୧୯୧୯

(ସତ୍ୟବାଦୀ - ୫/୮-୯)

ବିଚକ୍ଷଣତା

On Practical Wisdom by Sir Aurther Hain

 

ନୀଳକଣ୍ଠଙ୍କ ଅନୁବାଦ- ସାହିତ୍ୟର ମୁଖ୍ୟ ଉତ୍ସ

ନୀଳକଣ୍ଠଙ୍କ ଅନୂଦିତ ରଚନାବଳୀର ପୂର୍ବୋକ୍ତ ତାଲିକାରୁ ଜଣାଯାଏ ଯେ ତାହାର ମୁଖ୍ୟ ଉତ୍ସ ହେଉଛି ଇଂରାଜୀ ସାହିତ୍ୟର ଭିକ୍ଟୋରିଆ ଯୁଗର ଆଦର୍ଶବାଦୀ କବି ଆଲଫ୍ରେଡ ଲଡ଼ ଟେନିସନ୍‌ଙ୍କ କାବ୍ୟକବିତା । ପଣ୍ଡିତ ନୀଳକଣ୍ଠ ବହୁ ଇଂରାଜୀ ଗ୍ରନ୍ଥ ଅଧ୍ୟୟନ କରିଥିଲେ ହେଁ ଟେନିସନ୍‌ଙ୍କ କାବ୍ୟକୃତିକୁ ଆଦର୍ଶ ରୂପେ ଗ୍ରହଣ କରିଥିଲେ । ବିଶେଷ କରି ଟେନିସନ୍‌ଙ୍କ The Princess କାବ୍ୟର ଭାବାଦର୍ଶ ଦାରା ସେ ଏପରି ମୁଗ୍ଧ ହୋଇଥିଲେ ଯେ ସେ କାବ୍ୟର ଚତୁର୍ଥ ସର୍ଗରେ ଥିବା ସଂଗୀତଗୁଡ଼ିକର ଅନୁବାଦ କରି ପ୍ରଥମେ ବିଭିନ୍ନ ପତ୍ରିକାରେ ପ୍ରକାଶ କରିବା ପରେ ସଂପୂର୍ଣ୍ଣ କାବ୍ୟଟିକୁ ଅନୁବାଦ କରି ଓଡ଼ିଆ ପାଠକଙ୍କ ରୁଚିକୁ ମାର୍ଜିତ କରିବା ପାଇଁ ଉଦ୍ୟମ କରିଥିଲେ ।

 

ନୀଳକଣ୍ଠ ଓ ଟେନିସନ୍‌ଙ୍କ ଜୀବନଦର୍ଶନ ଓ ଚିନ୍ତାଧାରା ମଧ୍ୟରେ ସାମ୍ୟ

ପଣ୍ଡିତ ନୀଳକଣ୍ଠ ଇଂରାଜୀ କବି ଟେନିସନ୍‌ଙ୍କ କାବ୍ୟାଦର୍ଶକୁ ଗ୍ରହଣ କରିବାର ମୁଖ୍ୟ କାରଣ ହେଉଛି, ତାଙ୍କ ଜୀବନଦର୍ଶନ ଓ ଚିନ୍ତାଧାରା ସହ ଟେନିସନ୍‌ଙ୍କ ଜୀବନଦର୍ଶନ ଓ ଚିନ୍ତାଧାରାର ଅନେକ ମେଳ ଥିଲା । କବି ଟେନିସନ୍‌ଙ୍କ ଜନ୍ମ (ଖ୍ରୀ ୧୮୦୯ ଅଗଷ୍ଟ ୬)ର ଠିକ୍‌ ପଞ୍ଚସ୍ତରୀ ବର୍ଷ ପରେ କବି ନୀଳକଣ୍ଠଙ୍କ ଜନ୍ମ (ଖ୍ରୀ ୧୮୮୪, ଅଗଷ୍ଟ ୫) । କବି ଟେନିସନ୍‌ ତାଙ୍କ ଦେଶ ତଥା ଜାତିର ଉନ୍ନତି ପାଇଁ ଯାହାସବୁ ପରିକଳ୍ପନା କରିଥିଲେ, ପଞ୍ଚସ୍ତରୀ ବର୍ଷ ପରେ ଓଡ଼ିଶା ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ଅନୁରୂପ ପରିକଳ୍ପନା ନୀଳକଣ୍ଠଙ୍କ ସାହିତ୍ୟରେ ପରିଲକ୍ଷିତ ହେଲା । ଭିକ୍ଟୋରିଆ ଯୁଗର ଚିନ୍ତା ଓ ଚେତନାକୁ ସ୍ଵକୀୟ ରଚନାରେ ପ୍ରତିଫଳିତ କରି ଟେନିସନ୍ ସେ ଯୁଗର ଶ୍ରେଷ୍ଠ ପ୍ରବକ୍ତା ରୂପେ ବିବେଚିତ ହୋଇଥିଲେ । ନୀଳକଣ୍ଠ ମଧ୍ୟ ସ୍ଵରଚନା ଓ ବକ୍ତୃତା ମାଧ୍ୟମରେ ସତ୍ୟବାଦୀ ଯୁଗର ସମସ୍ତ ଚିନ୍ତାଧାରାକୁ ବ୍ୟସ୍ତକରି ସେ ଯୁଗର ସର୍ବଶ୍ରେଷ୍ଠ ପ୍ରତିନିଧି ରୂପେ ସ୍ଵୀକୃତି ଲାଭ କଲେ ।

 

ଇଂରାଜୀ ସାହିତ୍ୟର ଭିକ୍ଟୋରିଆ ଯୁଗ ଓ ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗର ଆଦର୍ଶ ଏକ ଥିଲା । ଉଭୟ ଯୁଗ-ସାହିତ୍ୟର ଆଭିମୁଖ୍ୟ ଥିଲା ସମାଜର କୁସଂସାର ଦୂର କରି ନୂତନ ଚିନ୍ତା ଓ ଚେତନା ଦ୍ୱାରା ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନ । ଟେନିସନ୍‌ଙ୍କ ପରି ନୀଳକଣ୍ଠ ମଧ୍ୟ ପବିତ୍ରତା ଓ ଚରିତ୍ରବତ୍ତା ଉପରେ ଗୁରୁତ୍ୱ ଦେଉଥିଲେ । ଦୁଇଜଣଙ୍କ ଧର୍ମ ଚେତନା ଆତ୍ମଭାବ ଉପରେ ପ୍ରତିଷ୍ଠିତ ଥିଲା । Tennysonଙ୍କ

 

‘‘Self reverence, Self knowledge

Self control;

These three alone lead life to

Sovereign Power’’

 

ଏ ଉକ୍ତି ନୀଳକଣ୍ଠଙ୍କ ପ୍ରାଣରେ ଝଂକୃତ ହେଉଥିଲା । ନାରୀଶିକ୍ଷା ଓ ନାରୀ ଜାତିର ବିକାଶ ପାଇଁ ଉଭୟ କବି ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ଥିଲେ । ଉଭୟ ପୁଣି ସମାନ ଭାବେ ମାନବର ସ୍ଵାଧୀନ ବିକାଶରେ ବିଶ୍ଵାସୀ ଓ ସମାନ ଭାବେ ଉଗ୍ର ଜାତୀୟତାବାଦୀ । ଦୁଇ କବିଙ୍କ ଜୀବନଦର୍ଶନ ଓ ଚିନ୍ତାଧାରା ମଧ୍ୟରେ ଏହି ସୌସାଦୃଶ୍ୟ ଯୋଗୁହିଁ ନୀଳକଣ୍ଠ ଟେନିସନ୍‌ଙ୍କ କାବ୍ୟର ଅନୁବାଦ ପାଇଁ ଅନୁପ୍ରାଣିତ ହୋଇଥିଲେ ।

 

‘ପ୍ରଣୟିନୀ’ - ଏକ ଭାବାନୁବାଦ

କଟକ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ସମୟରେ ପାଠ୍ୟକ୍ରମ-ଅନ୍ତର୍ଭୁକ୍ତ ବିଶ୍ୱବିଖ୍ୟାତ କବି ଟେନିସନ୍‌ଙ୍କ ‘The Princess’ କାବ୍ୟ ପ୍ରତି ନୀଳକଣ୍ଠ ଆକୃଷ୍ଟ ହୋଇଥିଲେ-। ଏ କାବ୍ୟରେ ସେ ନାରୀ ଜାଗରଣର ଯେଉଁ ସୂଚନା ପାଇଥିଲେ, କଲିକତାରେ ଏମ୍‌.ଏ. ପଢ଼ିବା ସମୟରେ ସେଠାରେ ନାରୀ ଜାଗରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ, ସେ ବିଷୟରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ଜାତ ହୋଇଥିଲା । ତେଣୁ ଓଡ଼ିଶାରେ ଅନୁରୂପ ଆନ୍ଦୋଳନର କ୍ଷେତ୍ର ପ୍ରସ୍ତୁତି ଲାଗି ଦୂରଦୃଷ୍ଟିସଂପନ୍ନ ନୀଳକଣ୍ଠ ଉକ୍ତ କାବ୍ୟର ଅନୁବାଦ ଆରମ୍ଭ କଲେ । ଏହା ପୂର୍ବରୁ ସେ ନାରୀ ଜାତିର ଜାଗରଣ ଉଦ୍ଦେଶ୍ୟରେ ‘ସ୍ତ୍ରୀ ଶିକ୍ଷା’ ପ୍ରବନ୍ଧ (ମୁକୁର - ୧/୧୦-୧୧ ସଂଖ୍ୟାରେ ପ୍ରକାଶିତ) ଲେଖି ସାରିଥିଲେ । ଏମ୍‌.ଏ, ପଢ଼ିବା ସମୟରେ ଆରମ୍ଭ କରିଥିବା ‘ପ୍ରଣୟିନୀ’କୁ କବି୧୯୧୯ରେ ପୂର୍ଣ୍ଣାଙ୍ଗ କରି ପ୍ରକାଶ କଲେ ।

 

‘ପ୍ରଣୟିନୀ’ ‘The Princess’ କାବ୍ୟର ଆକ୍ଷରିକ ଅନୁବାଦ ନୁହେଁ । ମୂଳକାବ୍ୟର ଭାବାଦର୍ଶକୁ ଅକ୍ଷୁର୍ଣ୍ଣ ରଖି ଅନୁବାଦକ ନୀଳକଣ୍ଠ ତାହାକୁ ଓଡ଼ିଶାର ପରିବେଶ ଓ ପରିସ୍ଥିତି ସହ ଖାପ କୁଆଇ ତାହାର ଏକ ଯଥାର୍ଥ ଓଡ଼ିଶୀ ସଂସ୍କରଣ ସୃଷ୍ଟି କରିଛନ୍ତି ।

 

ଖ୍ରୀ: ୧୮୪୭ରେ ପ୍ରକାଶିତ The Princess କାବ୍ୟକୁ କବି ଟେନିସନ୍‌ ଏକ ‘Medley’ ଭାବେ ଅଭିହିତ କରିଛନ୍ତି । ‘Medley’ର ଅର୍ଥ ହେଉଛି -‘‘The title of a literary miscellany’’ କବି ନୀଳକଣ୍ଠ ‘Mediey’କୁ ‘‘କୌତୁକ କାବ୍ୟ’ ଅର୍ଥରେ ଗ୍ରହଣ କରିଛନ୍ତି । ଏହା ହେଉଛି କାବ୍ୟ ଓ ନାଟକର ଏକ ମଧୁର ସମନ୍ୱୟ । କାବ୍ୟବର୍ଣ୍ଣିତ ବିଷୟ ଏଥିରେ ଅଭିନୟ ମାଧ୍ୟମରେ ପ୍ରକାଶ କରାଯାଇଛି ଏବଂ ମଧ୍ୟେ ମଧ୍ୟେ ସଂଗୀତ ପରିବେଷିତ ହୋଇଛି । କବିଙ୍କ ଭାଷାରେ କାବ୍ୟର ଉପକ୍ରମଣିକାଟି ଏହିପରି -

 

‘‘ପରବ ଉତ୍ସବେ ଏଥି ଅଭିନୟ ରସେ

କଟାଇବା ଦିନ ଆଜି ବାଗ୍‌ଦେବୀ ସେବନେ;

ଫିଟାଇବା ଅଭିନୟେ ରମଣୀ ନାଳନ୍ଦା,

ପ୍ରବେଶେ ପୁରୁଷ ହେବେ, ପ୍ରାଣଦଣ୍ତ ଭାଗୀ,

ରସିବେ ରମଣୀ ତହିଁ ବିଜ୍ଞାନ ଗରବେ

ନର ଦାସତ୍ୱର ପାଶ ଏଡ଼ିବେ କୁମାରୀ ।

X      X      X      X

କଉତୁକ ଅଭିନୟେ, ହେଲା ଏହିପରି ।

ଅଦ୍‌ଭୁତ ଏ କବିତା କାବ୍ୟ ରଙ୍ଗଛନ୍ଦେ

ବିଚିତ୍ର ଏ କଉତୁକେ, ସେ ସୁଖ ମିଳନେ ।’’

(ପ୍ରାରମ୍ଭ ଭାଷଣ - ପ୍ରଣୟିନୀ)

 

କାବ୍ୟବର୍ଣ୍ଣିତ ବିଷୟ

ବନ୍ଧୁ ପିତା Walter Viviane ନିମନ୍ତ୍ରଣ କ୍ରମେ କବି ଟେନିସନ୍‌ ଗ୍ରୀଷ୍ମଋତୁର ଏକ ପାର୍ବଣ ଉତ୍ସବରେ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କ ବନ୍ଧୁ, ବନ୍ଧୁ-ଭଗ୍ନୀ ଲିଲିଆ ଓ ନିମନ୍ତ୍ରିତ ଅନ୍ୟ ପାଞ୍ଚଜଣ ବନ୍ଧୁଙ୍କ ସହ ମିଳିତ ହୋଇ ପାର୍ବଣ ଉତ୍ସବକୁ ମୁଖରିତ କରିବା ପାଇଁ ଯେଉଁ ଅଭିନୟ କରିଥିଲେ ତାହାହଁ ‘The Princess’ କାବ୍ୟର ବିଷୟବସ୍ତୁ ।

 

ଅଭିନୟଟି ନାରୀ ସ୍ଵାଧୀନତା ଉପରେ ପର୍ଯ୍ୟବସିତ । ପୁରାକାଳରେ ନାରୀଗଣ ଅଖଣ୍ଡ ସ୍ଵାଧୀନତା ଭୋଗ କରି ବୀରାଙ୍ଗନା ରୂପେ ପରିଚିତ ଥିଲେ ହେଁ, ସମୟକ୍ରମେ ସାମାଜିକ କୁସଂସ୍କାରର ବଶୀଭୂତ ହୋଇ ନାରୀ ଜାତି ପୂର୍ବ ସ୍ଵାଧୀନତା ହରାଇ ଥିବାରୁ କବି ଟେନିସନ୍‌ କ୍ଷୋଭ ପ୍ରକାଶ କରି ଲିଲିଆ ମୁଖରେ କୁହାଇଛନ୍ତି -

 

‘‘There are thousands now

such women, but convention beats

them down.’’

(Prologue -‘The Princess’)

 

ନୀଳକଣ୍ଠଙ୍କ ଅନୁବାଦରେ ନାରୀ ଜାତିର ଅଧୋଗତିର କାରଣ କୁମୁଦିନୀ ମୁଖରେ ପ୍ରକାଶ ପାଇଛି : –

 

‘‘ଅହଂକାରୀ ମାନବ ଜଗତେ,

ଅଜ୍ଞାନ ତିମିରେ ରଖି ରମଣୀ ସତତ

ଯାହାଇଚ୍ଛା ଅପଳାପ କରେ ସେ ବିଦ୍ରୂପେ

କାହାର ଏ ଦୋଷ ?’’

(ପ୍ରାରମ୍ଭ ଭାଷଣ ‘ପ୍ରଣୟିନୀ’)

 

ଇଂରାଜୀ ସାହିତ୍ୟରେ ଭିକ୍‌ଟୋରିଆ ଯୁଗ ନବଜାଗରଣର ଯୁଗ ହୋଇଥିବାରୁ ଏ ଯୁଗର ଶ୍ରେଷ୍ଠ ବିନ୍ଧାଣୀ ଟେନିସନ ଚାହିଁଛନ୍ତି ସ୍ଵରଚିତ କାବ୍ୟ ମାଧ୍ୟମରେ ନାରୀ ଜାତିର ଅଭ୍ୟୁଦୟ ଘଟାଇ ସମାଜରେ ନବଚେତନାର ପ୍ରବର୍ତ୍ତନ କରିବାକୁ । କବିଙ୍କର ଏହି ଇଚ୍ଛା ଲିଲିଆର ଉକ୍ତି ମାଧ୍ୟମରେ ପ୍ରକାଶ ପାଇଛି -

 

‘‘O’ l wish,

that । were some great Princess

would build

Far off from men, a college

like a man’s,

And । would teach them all that

men are taught.’’

(Prologue - ‘The Princess’)

 

ଏହି ଉକ୍ତିର ଭାଷାନ୍ତର କରି ସ୍ଵକୀୟ ଶୈଳୀରେ ପଣ୍ଡିତ ନୀଳକଣ୍ଠ ଲେଖିଛନ୍ତି –

 

‘‘ସତେ ହୋଇଥାନ୍ତି ଯେବେ ନୃପତି ନନ୍ଦିନୀ

ଥାଆନ୍ତା ଶକତି ମମ, ଥାଆନ୍ତା ବିଭବ,

କରନ୍ତି ପରାଣ ପଣ, ନାରୀ ଶିକ୍ଷା ଲାଗି

ବସାନ୍ତି ନାଳନ୍ଦା ସମ ମହାବିଦ୍ୟାଳୟ,

ପୁରୁଷର ଛାୟା ତହିଁ ନପଡ଼ନ୍ତା ଲବେ,

ପ୍ରାଣଦଣ୍ଡ ଭୟେ ତହୁଁ ଏଡ଼ନ୍ତି ପୁରୁଷେ ।’’

 

କବିଙ୍କର ଏ ପରିକଳ୍ପନା କୁମୁଦିନୀ ମୁଖରେ ପ୍ରକାଶ ପାଇଛି । ଏହି ସାଧୁକଳ୍ପନା ଯେ ଦିନେ ବାସ୍ତବରେ ପରିଣତ ହେବ ଏଥିରେ କବି ଆଶାୟୀ ହୋଇ କହନ୍ତି –

 

‘‘ଚିନ୍ତା ନାହିଁ କୁମୁଦିନୀ ସାଧୁ ଏ କଳ୍ପନା

ହେବ ନାରୀ ରାଜ୍ୟ ବିଶ୍ୱେ, ଆସିବ ସେଦିନ ।’’

 

ଏହା ପରେ ଆରମ୍ଭ ହୋଇଛି ଆଲୋଚ୍ୟ କାବ୍ୟର ଅଭିନୟ । କବି ନିଜେ ଉତ୍ତରାଞ୍ଚଳର ରାଜକୁମାର ଭୂମିକାରେ ଏବଂ ବନ୍ଧୁ-ଭଗ୍ନୀ କୁମୁଦିନୀ (Lilia) ଏକ ପଡ଼ୋଶୀ ରାଜ୍ୟର ରାଜକୁମାରୀ (Princess-Ida) ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେହି ରାଜକୁମାରଙ୍କ ବାଲ୍ୟାବସ୍ଥାରେ ରାଜକୁମାରୀ (Idea)ଙ୍କ ସହ ବିବାହ ନିର୍ବନ୍ଧ (Proxy - Marriage) ସମାପନ ହୋଇଛି । କବିଙ୍କ ଭାଷାରେ -

 

‘‘ଆଠ ବରଷର ଶିଶୁ ରାଜଜେମା କେହି

ହେଲେ ସେ ବିବାହେ ମୋର ଭବିଷ୍ୟ ଦୟିତା ।’’

(ପ୍ରଣୟିନୀ - ୧ମ ସର୍ଗ/୪୬-୪୭ ପଂକ୍ତି)

 

ରାଜଜେମାଙ୍କର ବିବାହଯୋଗ୍ୟ ବୟସ ହେବାରୁ ଉତ୍ତରାଞ୍ଚଳର ରାଜା ବୋହୂକୁ ଘରକୁ ଆଣିବା ପାଇଁ ଗୋମରାଜାଙ୍କ ପାଖକୁ ନାନାଦି ଉପହାର ସହ ଦୂତ ପଠାଇଲେ । ମାତ୍ର ରାଜକନ୍ୟା ବିବାହ ନକରିବାକୁ ସଂକଳ୍ପବଦ୍ଧ । ନାରୀସୁଲଭ ପ୍ରେମକୁ ସେ ଯୌବନର ଅବାଧ୍ୟ ଭାଷଣ ରୂପେ ପରିତ୍ୟାଗ କରିଛନ୍ତି । ତେଣୁ ବାଲ୍ୟକାଳର ବିବାହ-ବାକ୍ୟ- ଦାନକୁ ସେ ଅସ୍ୱୀକାର କରିଛନ୍ତି । ରାଜଜେମାଙ୍କର ଏହି ମନୋଭାବ କବି ନୀଳକଣ୍ଠଙ୍କ ଅନୁବାଦରେ ସୁନ୍ଦର ରୂପ ଲାଭ କରିଛି-

 

‘‘କି ପ୍ରେମ ସେ ? ଯୌବନର ଅବାଧ୍ୟ ଭାଷଣ

ଶୈଶବର ବାକ୍ୟ-ଦାନ ସଂବଳଟି ତହିଁ

କିଅବା ସେ ବାକ୍ୟ- ଦାନ ? ଜାଣିବି କିପରି

କି ଅଛି ତହିଁରେ ? ମୁହିଁ କରିଛି କି ତାହା ?’’

(ପ୍ରଣୟିନୀ- ୫ମ ସର୍ଗ/୬୩୨-୩୫ ପଂକ୍ତି)

 

ରାଜଜେମା (Idea) ମତି (Lady Psyche) ଓ ମହାଶ୍ଵେତା (Lady Blanche)ଙ୍କ ସହାୟତାରେ ନାରୀଜାତିକୁ ପୁରୁଷଙ୍କ ସମକକ୍ଷ କରିବା ଉଦ୍ଦେଶ୍ୟ ନେଇ ଏକ ନାରୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏହି ବିଶ୍ଵବିଦ୍ୟାଳୟର ପ୍ରବେଶ ଦ୍ୱାରରେ ଉଲ୍ଲେଖ ଅଛି –

 

‘‘Let no man enter in on pain of death’’

 

ସେଠାରେ ପୁରୁଷଙ୍କ ପ୍ରବେଶ ନିଷେଧ ଦେଖି ରାଜକୁମାର ନିଜର ଅନ୍ତରଙ୍ଗ ବନ୍ଧୁ ପାରିଜାତ (Florion) ଏବଂ ଋତୁଧ୍ୱଂଜ (Cyril)ଙ୍କ ସହ ଛଦ୍ମନାରୀବେଶରେ ଯାଇଛନ୍ତି ରାଜକୁମାରୀଙ୍କ ଗତିବିଧି ଲକ୍ଷ୍ୟକରିବା ପାଇଁ । ‘‘ଉତ୍ତର ପ୍ରଦେଶବାସୀ ତିନୋଟି ମହିଳା’’ (Three Ladies of the Northern Empire) ଭାବେ ସେମାନେ ନିଜର ପରିଚୟ ଦେଇଛନ୍ତି ଏବଂ ନାରୀ ବିଶ୍ଵବିଦ୍ୟାଳୟରେ ରହିବା ପାଇଁ ସେମାନଙ୍କୁ ନିମ୍ନୋକ୍ତ ଚୁକ୍ତିରେ ଆବଦ୍ଧ ହେବାକୁ ପଡ଼ିଛି ।

 

‘‘ନ ଦେବାକୁ ତିନିବର୍ଷ ଚିଠି ପତ୍ର ଘରେ

ତିନିବର୍ଷ ନ ଯିବାକୁ ସେ ଭୂମି ବରଜି

ପୁରୁଷେ ନ କହିବାକୁ ତିନିବର୍ଷ କଥା ।’’

(ପ୍ରଣୟିନୀ- ୨ୟ ସର୍ଗ/ ୮୧-୮୨ ପଂକ୍ତି)

 

ରାଜକୁମାର ଏବଂ ତାଙ୍କ ବନ୍ଧୁଦ୍ଵୟଙ୍କ ଛଦ୍ମ ବେଶ କିନ୍ତୁ ବେଶିଦିନ ଅପ୍ରକାଶ୍ୟ ରହିପାରିନାହିଁ । ଗୋମରାଜାଙ୍କ ନିକଟରୁ ରାଜଜେମାଙ୍କ ପାଖକୁ ଆସିଥିବା ପତ୍ରରୁ ସେହି ଛଦ୍ମ ପରିଚୟ ପ୍ରକାଶ ପାଇଛି । ରାଜକୁମାରଙ୍କ ଛଦ୍ମବେଶ କଥା ଅବଗତ ହେବା ପରେ ରାଜକୁମାରୀ ପ୍ରଚଣ୍ତ ରାଗରେ ତାଙ୍କୁ ଭର୍ତ୍ସନା କରିଛନ୍ତି । କବି ଟେନିସନ୍‌ଙ୍କ ଭାଷାରେ-

 

"Yours falsehood and yourself

are hateful to us !

। trample on your offers and on you !

Begone ! we will not look upon you more.

Here, push them out at gates.”

(The Princess - Canto - IV)

 

ଏହାର ଭାଷାନ୍ତର କରି ନୀଳକଣ୍ଠ ଲେଖିଛନ୍ତି –

 

‘‘ନିଜେ ତୁମ୍ଭେ ମହାଭାଗ ! ପ୍ରବଞ୍ଚନା ତବ

ଜାଳଇ ଜୁଗୁପ୍‌ସା ମମ; ଦଳି ପଦତଳେ

ପୀରତି - ସୋହାଗ ତବ, ସଂତୋଷ ଏ ପ୍ରାଣେ

ଯାଆ ଏଥୁଁ, ତବ ମୁଖ ନ ଚାହିଁବୁ ଆଉ ।

ଏହିତ; ଏହାଙ୍କୁ ଧରି, ଦେଇ ଅର୍ଦ୍ଧଚନ୍ଦ୍ର

ତଡ଼ିଦିଅ ବହିର୍ଦ୍ୱାରେ ।’’

(ପ୍ରଣୟିନୀ - ୪ର୍ଥ ସର୍ଗ - ୯୦୫ରୁ ୯୧୦ ପଂକ୍ତି)

 

ଏଠାରେ ଅନୁବାଦକ ସୋହାଗ, ପ୍ରବଂଚନା, ଅର୍ଦ୍ଧଚନ୍ଦ୍ର ଆଦି ଲୋକକଥିତ ଓଡ଼ିଆ ଶବ୍ଦ ପ୍ରୟୋଗପୂର୍ବକ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ରକ୍ଷା କରିଛନ୍ତି ।

 

ରାଜକୁମାର ତାଙ୍କ ପିତାଙ୍କୁ ଯୁଦ୍ଧର ନିବୃତ୍ତ ହେବା ପାଇଁ ଅନୁରୋଧ କରିଥିଲେ ହେଁ ରାଜକୁମାରୀ ତାଙ୍କ ସଂକଳ୍ପରେ ଅଟଳ ରହିବାରୁ ନିଷ୍ପତ୍ତି ଦ୍ୱନ୍ଦ୍ୱ ହୋଇଛି । ରାଜକୁମାରୀ ତାଙ୍କ ଭାଇ ଅରୁଣ (Arac)ଙ୍କୁ ନିୟମ କରାଇଛନ୍ତି ତାଙ୍କ ସପକ୍ଷରେ ଯୁଦ୍ଧ କରିବା ପାଇଁ । ଅରୁଣଙ୍କ ତାତ୍ସଲ୍ୟପୂର୍ଣ୍ଣ ଉକ୍ତି -

 

‘‘ଯୋଗ୍ୟେନ ଯୁଜ୍ୟତେ ଯୋଗ୍ୟଂ ;

ନାରୀ-ବେଶ ତଳେ ନାରୀ-ହୃଦରହେସିନା’’ -

(ପ୍ରଣୟିନୀ - ୫ମ ସର୍ଗ, ୪୯୪-୯୫ ପଂକ୍ତି)

 

ଏହି ତାତ୍ସଲ୍ୟ ରାଜକୁମାରଙ୍କୁ ପ୍ରବୃତ୍ତ କରିଛି ଯୁଦ୍ଧ କରିବା ଲାଗି । ତାଙ୍କ ବୃଦ୍ଧ ପିତା ମଧ୍ୟ ତାଙ୍କୁ ସମର୍ଥନ ଜଣାଇ ଯୁଦ୍ଧରେ ଯୋଗଦେଇଛନ୍ତି । ଦୁଇ ପକ୍ଷର ପଚାଶ ଜଣ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ରାଜକୁମାରୀ ବିଜୟିନୀ ହୋଇଛନ୍ତି । ମାତ୍ର ଭାଇ ଅରୁଣ ଓ ରାଜକୁମାରଙ୍କୁ କ୍ଷତ ବିକ୍ଷତ ହେବାର ଦେଖି ତାଙ୍କର ଲୁହାପରି କଠିନ ହୃଦୟ ନାରୀସୁଲଭ କୋମଳତାରେ ପୂର୍ଣ୍ଣ ହୋଇଛି । ଟେନିସନ୍‌ ଏହି ପରିବର୍ତ୍ତନକୁ ରୂପଦେଇ ଲେଖିଛନ୍ତି -

 

‘‘Her iron will was broken

in her mind

Her noble heart was molten

in breast.’’

(The Princess - Canto VI)

ଭାଷାନ୍ତରରେ ନୀଳକଣ୍ଠ ଲେଖିଲେ –

 

‘‘ଆୟାସ-ମାନସ ତା'ର ଭାଙ୍ଗି ମଡ଼ ମଡ଼

ପଡ଼ିଲା ହୃତପିଣ୍ଡ ପରେ, ଦୃଢ଼ ଆବରଣ

ହୃଦୟର ଗଲାତୁଟି, ତରଳ- କୋମଳ-

ଭାବ ବିକାଶିଲା ମୁଖେ, ଅନ୍ତରେ ବାହାରେ ।’’

(ପ୍ରଣୟିନୀ - ୬ଷ୍ଠ ସର୍ଗ-୧୪୯-୧୫୨ ପଂକ୍ତି)

 

ରାଜକୁମାରୀଙ୍କ ସିଂହ-ବିକ୍ରମ ଭାଂଗି ପଡ଼ିବା ଦେଖି କବି Tennyson Cyrilଙ୍କ ମୁଖରେ ପ୍ରକୃତି ଓ ପ୍ରେମ ଯେ ସିଂହଠାରୁ ଆହୁରି ପରାକ୍ରମୀ ତାହା ସୂଚାଇଛନ୍ତି –

 

‘‘But Love and Nature, these are

two more terrible and stronger.’’

(The Princess - Canto VI)

 

ନୀଳକଣ୍ଠଙ୍କ ଭାଷାରେ –

 

‘‘କିନ୍ତୁ ଏ ଜଗତେ

ହର୍ଯ୍ୟକ୍ଷ - ବିକ୍ରମ ବଳି ଭୀମ ଦୃଢ଼ତର

ପ୍ରକୃତି ପ୍ରେମର ବଳ, ଅରୋଧ୍ୟ, ଅଲଂଘ୍ୟ’’ ।

(ପ୍ରଣୟିନୀ - ୬ଷ୍ଠ ସର୍ଗ - ୨୨୪ - ୨୨୫ ପଂକ୍ତି)

 

ଜ୍ଞାନ ଗର୍ବରେ ରାଜକୁମାରୀ ଯେଉଁ ଭୁଲ କରିଥିଲେ ତାହା ବୁଝିପାରି ଅନୁତାପ କରିଛନ୍ତି । ତାଙ୍କ ମୁଖରେ କବି Tennyson କୁହାଇଛନ୍ତି –

 

‘‘Ah ! fool and made myself a Queen of farce ।

When comes another such ?

Never, । think.”

(The Princess - Canto- VII)

 

ନୀଳକଣ୍ଠଙ୍କ ଭାଷାରେ ଏହାଥିଲା ଯଥାର୍ଥରେ ଏକ ନାରୀ- ତାଣ୍ଡବ ।

 

‘‘ନିର୍ବୋଧ ବାଳିକା ! ସତେ କି ନିର୍ବୋଧ ମୁହିଁ !

ପ୍ରହସନେ ରାଣୀ ସାଜିଥିଲି ଏତେ କାଳ ।

ଦେଖିବିକି ଭବେ ଆଉ ଦ୍ୱିତୀୟ ମୋହରି ?

ହେବାଯାଏ ଦିବାକର ତୁହିନ- ଶୀତଳ

ନଦେଖିବ କେହି ଏହା; ଏ ନାରୀ- ତାଣ୍ଡବ ।’’

 

ସଂସାରରେ ନାରୀ-ପୁରୁଷଙ୍କ ସଂପର୍କ ଅବିଚ୍ଛେଦ୍ୟ । ଜଣକର ଅବନତି ବା ଉନ୍ନତିରେ ଅପର ଭାଗୀଦାର ହେବାକୁ ବାଧ୍ୟ । ଏହି ସାଂସାରିକ ନିୟମ କବି ଟେନିସନ୍‌ ରାଜକୁମାରଙ୍କ ମୁଖରେ ଘୋଷଣା କରିଛନ୍ତି :

 

The woman’s cause is man’s ,

They rise or sink

Together, dwarfed or God like, bond or free.’’

(The Princess - Canto- VII)

 

କବି ନୀଳକଣ୍ଠଙ୍କ ଲେଖନୀରେ ଏ ଉକ୍ତି ଅଧିକ ପ୍ରାଞ୍ଜଳ ହୋଇଛି –

 

‘‘ରମଣୀର ଲକ୍ଷ୍ୟ

ସାଧିବେ ପୁରୁଷେ, ଯାହା ନାରୀ ପ୍ରୟୋଜନ,

ନୁହେଁ କି ସେ ପୁରୁଷର ? ଏକ ସଂଗେ ମିଶି

ରମଣୀ ପୁରୁଷେ ଭବେ ପଡ଼ିବେ ଉଠିବେ

ଏକା ତୁଳାଦଣ୍ଡେ । ଯେବେ ଲଇଁବେ ରମଣୀ

ଅବନତ ହେବ ନରେ । ରମଣୀ ମହିମା

କରିବେ ପୁରୁଷେ ବଡ଼ ।’’

(ପ୍ରଣୟିନୀ- ୭ମ ସର୍ଗ-୩୭୫-୩୮୧ ପଂକ୍ତି)

 

କବି ଟେନିସନ୍‌ଙ୍କ ଯୁକ୍ତିରେ ନାରୀ ପୁରୁଷ ସମାନ ନୁହନ୍ତି, କିନ୍ତୁ ଜଣେ ଅପରର ପରିପୂରକ । ନାରୀ ପୁରୁଷଙ୍କର ଏହି ସ୍ଵାତନ୍ତ୍ର୍ୟ ତଥା ବୈଷମ୍ୟରେ ହଁ ଜଗତର ସାମ୍ୟ ପ୍ରତିଷ୍ଠିତ । ସେ ତେଣୁ କହନ୍ତି –

 

‘‘Could we make her as the man,

Sweet Love were slain,

His dearest bond is this,

Not like to like, but like in difference.’’

(The Princess, Canto - VII)

 

ନାରୀ-ପୁରୁଷଙ୍କ ସଂପର୍କ ସମ୍ବନ୍ଧରେ କବି ଟେନିସନ୍‌ଙ୍କର ଏହି ଉପଯୁକ୍ତ ଧାରଣା ନୀଳକଣ୍ଠଙ୍କୁ ପ୍ରଣୋଦିତ କରିଥିଲା କାବ୍ୟଟିର ଭାଷାନ୍ତର କରିବା ପାଇଁ । ନୀଳକଣ୍ଠଙ୍କ ମତରେ ସମାଜରେ ନରନାରୀ ସମାନ ହେବା ଏକ ବିଡ଼ମ୍ବନା । କିନ୍ତୁ ଏକର ଅଭାବରେ ଅପରର ବିକାଶ ଅପୂର୍ଣ୍ଣ । ତାଙ୍କ ମନୋଜ୍ଞ ଭାଷାରେ -

 

‘‘ନାରୀ ନୁହେଁ ଭବେ ଅର୍ଧ-ବିକଶିତ-ନର

ବିପରୀତ ବିଭାବେ ସେ ଦୁହେଁ ଦୁହିଙ୍କର

×            x            x

ପ୍ରେମର ବନ୍ଧନ ନୁହେଁ ସମାନେ ସମାନେ

ବିଷମ - ମିଳନେ ପ୍ରେମେ ଉପୁଜଇ ସମ ।’’

(ପ୍ରଣୟିନୀ-୭ମ ସର୍ଗ)

 

ନାରୀ ଓ ପୁରୁଷଙ୍କ ସହଯୋଗରେ ହିଁ ଦୁହଁଙ୍କର ଜୀବନ ପରିପୂର୍ଣ୍ଣ ହୋଇପାରିବ । ଏହି ଜୀବନ-ଦର୍ଶନକୁ ରୂପଦେଇ କବି ନୀଳକଣ୍ଠ ଓଡ଼ିଶାରେ ନାରୀ ଜାଗରଣର ପଥ ଉନ୍ମୋଚନ କରିଛନ୍ତି ।

 

ଅନୁବାଦରେ ନୀଳକଣ୍ଠଙ୍କ ସ୍ଵକୀୟତା

ଇଂରାଜୀ କବି ଟେନିସନ ଇଂଲଣ୍ଡର ଚଳଣି, ପରଂପରା, ଓ ଭୌଗୋଳିକ ପରିବେଶକୁ ନେଇ କାବ୍ୟ ରଚନା କରିଛନ୍ତି । ଓଡ଼ିଆ ପାଠକମାନେ ସେ ସବୁ ସହ ପରିଚିତ ନୁହନ୍ତି । ଏ କଥା ହୃଦୟଙ୍ଗମ କରି ପଣ୍ଡିତ ନୀଳକଣ୍ଠ The Princess କାବ୍ୟର ଅନୁବାଦ ସମୟରେ ଆମ ଦେଶର ଚଳଣି, ପରଂପରା ଓ ଭୌଗୋଳିକ ପରିବେଶ ପ୍ରତି ଯଥାସମ୍ଭବ ଦୃଷ୍ଟି ଦେଇଛନ୍ତି । ଫଳରେ ତାଙ୍କ ଅନୂଦିତ କାବ୍ୟ ସ୍ଵକୀୟ ସୃଷ୍ଟି ପରି ପାଠକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି ।

 

ପରିବେଶରେ ସ୍ଵାତନ୍ତ୍ର୍ୟ

ଇଂଲଣ୍ଡ ଶୀତ ପ୍ରଧାନଦେଶ ହୋଇଥିବାରୁ ସେଠାରେ ଗ୍ରୀଷ୍ମଋତୁ ବର୍ଷର ଶ୍ରେଷ୍ଠ ସମୟ । ଏହି ସମୟରେ ସେଠାରେ ଶୀତ କମିଯାଇଥାଏ, ବରଫ ତରଳି ନାନା ପ୍ରକାରର ଫୁଲ ଫୁଟି ପ୍ରକୃତି ବୈଚିତ୍ର୍ୟମୟ ଦେଖାଯାଏ । ଏହି ପ୍ରକୃତିକୁ ଉପଭୋଗ କରିବା ପାଇଁ ସେ ଦେଶର ଅଧିବାସୀ ଗ୍ରୀଷ୍ମଋତୁରେ ଉତ୍ସବ ପାଳନ କରିଥା’ନ୍ତି । ଆମ ଦେଶରେ କିନ୍ତୁ ଶରତ ଋତୁ ହିଁ ପର୍ବପର୍ବାଣୀର, ଆନନ୍ଦ ଉଲ୍ଲାସର ସମୟ । ଏହି ଋତୁରେ ବର୍ଷା ଛାଡ଼ିଯାଇ ଆକାଶ ନିର୍ମଳ ଥାଏ । ବିମଳ ଚନ୍ଦ୍ର ଜ୍ୟୋତ୍ସ୍ନାରେ ଧରଣୀ ରାଣୀ ପରିପ୍ଳାବିତ ହୁଏ । ଖେତଭରା ଶସ୍ୟ ଦେଖି ଲୋକମାନେ ଆଗାମୀ ସୁଖର ପରିକଳ୍ପନା କରନ୍ତି ଓ ଖୁସି ମନରେ ବହୁ ପର୍ବପର୍ବାଣୀର ଆୟୋଜନ କରନ୍ତି । ତେଣୁ ଟେନିସନ୍‌ଙ୍କ ‘In a Summer's day’କୁ କବି ନୀଳକଣ୍ଠ ଯୁକ୍ତିସଂଗତ ଭାବେ ‘‘ଶାରଦ ପ୍ରଭାତେ ଦିନେ ପାର୍ବଣ ଉତ୍ସବେ’’ରେ ଭାଷାନ୍ତରିତ କରିଛନ୍ତି ।

 

ଇଂଲଣ୍ଡରେ ନୀଳ ଆଖି ଏବଂ ମେ’ ମାସର ପ୍ରାରମ୍ଭ ସୌନ୍ଦର୍ଯ୍ୟର ପ୍ରତୀକ । ତେଣୁ ରାଜକୁମାରଙ୍କ ରୂପ ବର୍ଣ୍ଣନା ପ୍ରସଙ୍ଗରେ ଟେନିସନ୍‌ ଲେଖିଛନ୍ତି –

 

‘‘A Prince । was, blue eyed, and fair in face

Of temper amorous, as the first of May’’

(The Princess - 1st Canto)

 

ଆମ ଦେଶରେ କିନ୍ତୁ ଶରତ ଋତୁର ଜହ୍ନ, ବସନ୍ତ ଋତୁ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ । ତେଣୁ ନୀଳକଣ୍ଠ

ରାଜକୁମାରଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ସମୟରେ ଉପମା ଦେଇଛନ୍ତି –

 

‘‘ବିମଳ ଲୋଚନ

ଶରଦିଂଦୁ- ରୁଚିତନୁ, ସ୍ୱଭାବେ କିପରି

ଥିଲା ମୋ ପରାଣ ସଦା ପ୍ରେମ-ପିପାସିତ;

ମଧୁ ସମାଗମେ ସାରା ଚରାଚର ଯଥା ।’’

(ପ୍ରଣୟିନୀ- ପ୍ରଥମ ସର୍ଗ - ୩ ରୁ ୫ ପଂକ୍ତି)

 

କାବ୍ୟର ନାମକରଣରେ ସ୍ୱାତନ୍ତ୍ର୍ୟ

କବି ନୀଳକଣ୍ଠ The Princess କାବ୍ୟ ଶେଷରେ ରାଜଜେମା Idaଙ୍କ ଚରିତ୍ରର କଠୋର ଆବରଣ ତଳେ ଏକ ପ୍ରଣୟିନୀର ସ୍ନିଗ୍ଧ, କୋମଳ, ସହାନୁଭୂତିଶୀଳ ହୃଦୟର ଅବତାରଣା କରାଯାଇଥିବା ଲକ୍ଷ୍ୟ କରି ସ୍ଵ ଅନୂଦିତ କାବ୍ୟର ନାମ ‘ପ୍ରଣୟିନୀ’ ରଖିଛନ୍ତି ।

 

The Princess କାବ୍ୟରେ ରାଜକୁମାରୀ Idaଙ୍କ ନାରୀସୁଲଭ ଉଦାର ହୃଦୟର ପରିଚୟ ପାଇବା ପରେ ରାଜକୁମାର ତାଙ୍କୁ ପତ୍ନୀରୂପେ ସମ୍ବୋଧନ କରି ଦୁହେଁ ଏକତ୍ର ଲକ୍ଷ୍ୟପଥରେ ଅଗ୍ରସର ହେବା ପାଇଁ ବିନୀତ ଆହ୍ୱାନ କରିଛନ୍ତି ।

 

‘‘My bride, my wife, my life

O we will walk this world

Yoked in all exercise of noble end.”

(Canto - VII)

ନୀଳକଣ୍ଠଙ୍କ ଭାଷାରେ :

 

‘‘ପ୍ରଣୟିନୀ, ପ୍ରେୟସିରେ, ପ୍ରାଣର ଦୟିତା

ଜୀବନୁ ଜୀବନ ମମ, ଭ୍ରମିବା ସଂସାରେ

ଏକ-ମହାଲକ୍ଷ୍ୟେ ଦୁହେଁ, ଯୁଗଳ-କରମୀ’’

(ପ୍ରଣୟିନୀ - ୭ମ ସର୍ଗ - ୫୪୧-୪୩)

 

ପୁରୁଷ ମୁଖ ନ ଦେଖିବା ପାଇଁ ସଂକଳ୍ପବଦ୍ଧା ରାଜଜେମା ରାଜପୁତ୍ରର ପ୍ରେୟସୀ ଓ ପ୍ରଣୟିନୀ ରୂପେ ସ୍ଵୀକୃତ ହୋଇଥିବାରୁ କାବ୍ୟର ନାମ ‘ପ୍ରଣୟିନୀ’ ରଖିବାକୁ ନୀଳକଣ୍ଠ ଅଧିକ ଯୁକ୍ତିସଂଗତ ମନେ କରିଛନ୍ତି ।

 

କେବଳ କାବ୍ୟର ନାମକରଣ ନୁହେଁ, The Princess କାବ୍ୟ-ବର୍ଣ୍ଣିତ ଚରିତ୍ରମାନଙ୍କ ନାମକୁ ମଧ୍ୟ ପରିବର୍ତ୍ତିତ କରି କବି ନୀଳକଣ୍ଠ ‘ପ୍ରଣୟିନୀ’ କାବ୍ୟକୁ ଓଡ଼ିଆ ପାଠକଙ୍କ ନିଜସ୍ଵ କରିବାକୁ ଚାହିଁଛନ୍ତି । କବି Tennyson ସ୍ୱକୀୟ କାବ୍ୟରେ ରାଜକୁମାରଙ୍କ କୌଣସି ନାମ ନଦେଇ ରାଜକୁମାରୀଙ୍କ ନାମ Ida ରଖିଛନ୍ତି । ମାତ୍ର ନୀଳକଣ୍ଠ ଏ ଦୁଇ ଚରିତ୍ର ମଧ୍ୟରେ ନାମଗତ ସଂଗତି ରକ୍ଷା ଲାଗି ରାଜକୁମାରୀଙ୍କର ମଧ୍ୟ କୌଣସି ନାମ ରଖି ନାହାନ୍ତି । ଏହା ବ୍ୟତୀତ ଅନ୍ୟ ଚରିତ୍ରମାନଙ୍କ ନାମ ମଧ୍ୟ ନିମ୍ନୋକ୍ତ ଭାବେ ବଦଳାଇ ଦେଇ ସେମାନଙ୍କୁ ଓଡ଼ିଆ ପାଠକଙ୍କ ନିକଟବର୍ତ୍ତୀ କରି ଦେଇଛନ୍ତି । ଯେପରି -

 

Cyril ହୋଇଛି ଋତୁଧ୍ୱଜ, Florian- ପାରିଜାତ, Gama - ଗୋମରାଜା, Lady Psyche - ମତି, Lady Blanche - ମହାଶ୍ୱେତା, Melissa - ମଧୁମତି, Arac- ଅରୁଣ । ସେ ପୁଣି University for maidens କୁ ‘ରମଣୀ ନାଳନ୍ଦା' କହି ଭାରତରେ ପ୍ରସିଦ୍ଧି ଲାଭ କରିଥିବା ନାଳନ୍ଦା ବିଶ୍ଵବିଦ୍ୟାଳୟ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କବି ଯେପରି ଭାବେ ଇଂରାଜୀ ନାମ ସହ ସାମ୍ୟ ରଖି ଓଡ଼ିଆ ନାମଗୁଡ଼ିକ ବାଛିଛନ୍ତି ତାହା ତାଙ୍କ ଭାଷାଜ୍ଞାନର ପରିଚୟ ଦିଏ ।

 

ପଣ୍ଡିତ ନୀଳକଣ୍ଠ ରାଜକୁମାରୀଙ୍କ ମୁଖରେ ଭାରତ ଇତିହାସରେ ଖ୍ୟାତି ଅର୍ଜନ କରିଥିବା ନାରୀମାନଙ୍କୁ ଟେନିସନ୍‌-ବର୍ଣ୍ଣିତ ପୃଥିବୀ ପ୍ରସିଦ୍ଧ ନାରୀମାନଙ୍କ ସମକକ୍ଷ କରାଇ ସ୍ଵଜାତୀୟ ଚେତନାର ପରିଚୟ ଦେବା ସହ ଆମଦେଶରେ ନାରୀ ଜାଗରଣ ଲାଗି ପରୋକ୍ଷରେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।

 

‘‘ଗାର୍ଗୀସମା ଏ ରମଣୀ, ଶିଖାଇଲେ ଯେହୁ

ସାବିନି-ନୃପତି ବରେ ଶୁଦ୍ଧ ରାଜନୀତି;

ଅବା ସାଧୁ ସାମିରମା, ବସାଇ ଯେ ଥିଲେ

ସେ ନବର ଆଦିଯୁଗେ, ବାବିଲନ୍‌ ନାମେ;

ଇରାଣୀ ଅରାତି ମିଶା, ରଣେ ଚଣ୍ଡୀ ରୂପା

ପୀରାମିଡ୍‌ କର୍ତ୍ତ୍ରୀଦେବୀ ପ୍ରାଚୀନ ମିଶରେ;

ଖନାସମ ଗୁଣବତୀ ଏହି କର୍ଣ୍ଣେଲିଆ,

ସମ୍ରାଟ ରେଜିଆ ସରି ଏହି ସେ କ୍ଲେଲିଆ’’ ।

(ପ୍ରଣୟିନୀ - ୨ୟ ସର୍ଗ - ୯୬ - ୧୦୭ ପଂକ୍ତି)

 

କବି ଟେନିସନ୍‌ ରାଜକୁମାରୀ lda ଙ୍କ ପ୍ରତିଷ୍ଠିତ ନାରୀ ବିଶ୍ଵବିଦ୍ୟାଳୟରେ ଛ’ଶହ ନାରୀ ଥିବାର ଉଲ୍ଲେଖ କରିଛନ୍ତି ।

 

‘‘Six hundred maidens clad in

purest white’’

(Canto - II)

 

କିନ୍ତୁ ଆମ ଚଳଣିରେ ଛ’ ସଂଖ୍ୟାଟି ଅଶୁଭସୂଚକ ଥିବାରୁ ନୀଳକଣ୍ଠ ଭାଷାନ୍ତରରେ ଲେଖିଲେ –

 

‘‘ସପ୍ତଶତ ରମଣୀ ସେ ଶୁଭ୍ରଚ୍ଛଦେ ତୋରା”

(୨ୟ ସର୍ଗ - ୭୧୩ ପଂକ୍ତି)

 

‘The Princess’ କାବ୍ୟରେ ରାଜକୁମାର ଛଦ୍ମନାରୀ ଭାବେ ରାଜକୁମାରୀଙ୍କ ନିକଟକୁ ପତ୍ର ଲେଖିବା ବେଳେ ତାଙ୍କ ଅକ୍ଷରର ଉପମା ଦେଇ ଟେନିସନ୍‌ ଲେଖଛନ୍ତି –

 

‘‘In such a hand as when a field of corn

Bows all its ears before the roaring East.”

(Canto - ।)

 

କିନ୍ତୁ ଏ ଉପମା ସୁବର୍ତ୍ତୁଳ ଓଡ଼ିଆ ଅକ୍ଷର ପ୍ରତି ପ୍ରଯୁଜ୍ୟ ନ ହେବାରୁ ନୀଳକଣ୍ଠ ସଂସ୍କୃତ ଅକ୍ଷର ନିୟମକୁ ଅନୁସରଣ କରି ଲେଖିଛନ୍ତି –

 

‘‘ଲେଖିଲି ରମଣୀ ପରି ରୁଚିର ଅକ୍ଷରେ

ସମ-ସମଶୀର୍ଷ -ଘନ-ବିରଳ- ଲେଖନେ ।’’

(ପ୍ରଣୟିନୀ - ୧ମ ସର୍ଗ - ୩୩୧- ୩୨ ପଂକ୍ତି)

 

ପାଦଟୀକାରେ କବି ଏହି ଅକ୍ଷର ନିୟମ ଦର୍ଶାଇଛନ୍ତି - ‘‘ସମାନି ସମଶୀର୍ଷାଣି ଘନାନି ବିରଳାନିଚ’’ - ଅର୍ଥାତ୍‌ ଅକ୍ଷର ମାନେ ସମାନ ହେବେ । ଏମାନଙ୍କ ଉପର ଏକ ରେଖ ହୋଇଥିବ । ଅକ୍ଷର ପାଖେ ଅକ୍ଷର ଲାଗିଥିବ । ଅଥଚ ପ୍ରତିପଦ ଯଥାବିଧି ବିରଳ ବା ପୃଥକ ହୋଇଥିବ ।

 

ନୀଳକଣ୍ଠଙ୍କ ଅନୁବାଦରେ ଜାତୀୟତାବୋଧ

ନୀଳକଣ୍ଠ ଜାତିପ୍ରାଣ କବି । ତାଙ୍କର ସମସ୍ତ ରଚନା ଜାତୀୟ ବିଭବର ବର୍ଣ୍ଣନାରେ ଗରୀୟାନ । ଇଂରାଜୀ କାବ୍ୟାନୁବାଦ ସମୟରେ ମଧ୍ୟ ସେ ଉପଯୁକ୍ତ ସ୍ଥଳରେ ଭାରତ ତଥା ଉତ୍କଳର ଅତୀତ ବିଭବର ସୂଚନା ଦେଇ ସ୍ଵଦେଶପ୍ରୀତିର ପରିଚୟ ଦେଇଛନ୍ତି । ଟେନିସନ୍‌ଙ୍କ ‘‘Let the past be past’’ ଉକ୍ତିର ଅନୁବାଦ ସମୟରେ କବି ନୀଳକଣ୍ଠ ଆମ ଦେଶର ଅତୀତ ଗୌରବ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । -

 

‘‘ଅତୀତ ଅତୀତ ସଦା କି ଫଳ ତହିଁରେ ?

ଭାଳି ଭାଳି କି ହେବ ହେ ସେ ମଥୁରା ଶିରୀ,

ସ୍ଵର୍ଣ୍ଣମୟ ଲଙ୍କାପୁର, ରଘୁଗରବିଣୀ

ସେ ଅଯୋଧ୍ୟା, ସରଯୂର ବିମଳ ମୁକୁରେ

ପ୍ରତିବିଂବେ ନାଚୁଥିଲା ଗରବେ ଯେ ପୁରୀ ।’’

(ପ୍ରଣୟିନୀ - ୪ର୍ଥ ସର୍ଗ - ୧୨୭-୧୩୧ ପଂକ୍ତି)

 

ବିଭିନ୍ନ ପ୍ରସଙ୍ଗରେ ଉପମା ଦେବା ବେଳେ ମଧ୍ୟ ନୀଳକଣ୍ଠ ଆମ ପୁରାଣ ଓ ପରଂପରାରୁ ଆଖ୍ୟାୟିକାମାନ ଉଦ୍ଧାର କରିଛନ୍ତି, ଯେପରି –

 

‘‘ବାମାକୁଳ ଉତ୍ପକ୍ଷ୍ନ-ନୟନେ

ନିମେଷ-ବିହୀନ- ନେତ୍ରେ ମର୍ମର - ଦର୍ଶନେ

ଅନାଇଲେ ପରସ୍ପରେ । ସମୁଦ୍ର ମନ୍ଥନେ

ପୀୟୂଷ ବିଭାଗ ବେଳେ ଅନାଇଲେ ଯଥା

ଦିତି-ସୁତେ ମୋହବଶେ ମୋହିନୀ- ସ୍ୱରୂପେ ।’’

(ପ୍ରଣୟିନୀ - ୪ର୍ଥସର୍ଗ ୧୯୮ ରୁ ୨୦୨ ପଂକ୍ତି)

 

କିମ୍ବା -

‘‘ଶକୁନି-ଦର୍ଶନ-ମମ, ନୀତି- ନିର୍ନିମିଷ,

ଜଗତ- ମଂଗଳ ଲାଗି ଜାଗ୍ରତ ସତତ ।’’

(୪ର୍ଥ ସର୍ଗ - ୫୫୪-୫୫୫ ପଂକ୍ତି)

 

ସାମାଜିକ ସମସ୍ୟାର ଚିତ୍ର

‘ପ୍ରଣୟିନୀ’ କାବ୍ୟର ‘ପ୍ରାନ୍ତ ଭାଷଣ’ରେ ସମାଜସଚେତନ କବି ନୀଳକଣ୍ଠ ଆମ ସମାଜର ବିଭିନ୍ନ ସମସ୍ୟା ବନ୍ଧୁ-ଆଳାପ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ।

 

‘‘ଗଳପିଲୁ ନାନାରଙ୍ଗେ ସମାଜର ଦଶା

ସଂସ୍କାରର ସୀମା, ପୁଣି ଦେଶ-ଦରିଦ୍ରତା

ପଲ୍ଲୀର ସୁଷମା ଚାରୁ- ସରସ ସୋହାଗ

କୃତ୍ରିମ- ନଗର- ଶୋଭା -ବିକଟ - ବିଭବ,

ଧନ - ସଂପଦର ଭୋଗ, ସରଜ- ଜୀବନ ।

ପ୍ରକୃତିର ସମୀକ୍ଷଣ ପୁସ୍ତକର ପଢ଼ା

ଜ୍ଞାନର ଉନ୍ନତି ତହିଁ ଧର୍ମର ପତନ

ସମାଜର ଶିଥିଳତା ବ୍ୟକ୍ତିତ୍ୱ - ବିକାଶେ

ବିଳାସ - ସଂଯମ ଜନେ, ଯୁବକ ପରାଣେ,

ଲୋଳ ଭାବ, ପ୍ରେମ ସାର ପ୍ରବୀଣ - ବୟସେ ।

 

ସଂଗୀତର ପରିବେଷଣ

ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଟକର ମଧ୍ୟେ ମଧ୍ୟେ ସଂଗୀତ ପରିବେଷିତ ହୋଇଥାଏ-। ‘The Princess’ କାବ୍ୟଟି ଅଭିନୟ ଛଟାରେ ଲେଖାଯାଇଥିବାରୁ ଏଥିରେ ମଧ୍ୟ ସଂଗୀତର ସଂଯୋଜନା କରିବାକୁ କାବ୍ୟକାର ଭୁଲି ନାହାନ୍ତି । ତେଣୁ ଏ କାବ୍ୟର ୨ୟ, ୩ୟ ସର୍ଗରେ ଗୋଟିଏ ଲେଖାଏଁ, ୪ର୍ଥ ସର୍ଗରେ ଚାରିଗୋଟି, ୬ଷ୍ଠ ସର୍ଗରେ ଦୁଇଟି ଓ ୭ମ ସର୍ଗରେ ତିନିଗୋଟି ସଂଗୀତ ସ୍ଥାନ ପାଇଛି । ସେହିପରି ନୀଳକଣ୍ଠଙ୍କ ‘ପ୍ରଣୟିନୀ’ କାବ୍ୟରେ ୧ମ, ୨ୟ ଓ ୩ୟ ସର୍ଗ ଶେଷରେ ଗୋଟିଏ ଲେଖାଏଁ, ୪ର୍ଥ ସର୍ଗରେ ତିନି ଗୋଟି, ୫ମ ସର୍ଗରେ ଗୋଟିଏ, ୬ଷ୍ଠ ସର୍ଗରେ ଦୁଇଟି ଓ ୭ମ ସର୍ଗରେ ଗୋଟିଏ ଗୀତ ସ୍ଥାନ ପାଇଛି । ଟେନିସନ୍‌ଙ୍କ କାବ୍ୟରେ ଏଗାରଗୋଟି ସଂଗୀତ ସ୍ଥାନରେ ନୀଳକଣ୍ଠଙ୍କ କାବ୍ୟରେ ଦଶଗୋଟି ସଂଗୀତ ସ୍ଥାନ ପାଇଛି । ୭ମ ସର୍ଗର ଦ୍ୱିତୀୟ ସଂଗୀତଟି ନୀଳକଣ୍ଠ ଗୀତ ମାଧ୍ୟମରେ ଅନୁବାଦ ନକରି ରାଜକୁମାରଙ୍କ ଉକ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସେ ଅନ୍ୟ ସବୁ ସଂଗୀତର ଯଥାଯଥ ଅନୁବାଦ କରିଛନ୍ତି, କେବଳ ବିଭିନ୍ନ ସର୍ଗରେ କେତେକ ସଂଗୀତର ସ୍ଥାନ ପରିବର୍ତ୍ତନ ଘଟିଛି ।

 

ଅମିତ୍ରାକ୍ଷର ଛନ୍ଦ

ଇଂରାଜୀ କବି Tennysonଙ୍କ ‘The Princess’ କାବ୍ୟ Blank Verseରେ ଲେଖା ଯାଇଥିବାରୁ ଏହାର ଭାଷାନ୍ତର ସମୟରେ ନୀଳକଣ୍ଠ ମଧ୍ୟ ସେହି Blank Verse ବା ଅମିତ୍ରାକ୍ଷର ଛନ୍ଦର ପ୍ରୟୋଗ କରିଛନ୍ତି ।

 

ମିତ୍ରାକ୍ଷର ଛନ୍ଦ ପରି ଅମିତ୍ରାକ୍ଷର ଛନ୍ଦରେ କବିଙ୍କୁ ରାଗବୃତ୍ତର ଅଧୀନ ହୋଇ ଭାବ ପ୍ରକାଶ କରିବାକୁ ପଡ଼ିନଥାଏ । ମିତ୍ରାକ୍ଷର ଛନ୍ଦରେ ଏକ ପଦର ସମାପ୍ତିରେ କବିଙ୍କୁ ଗୋଟିଏ ଭାବ ସଂପୂର୍ଣ୍ଣ କରିବାକୁ ହୁଏ । କାରଣ ପଦ ମଧ୍ୟରେ ପୂର୍ଣ୍ଣଚ୍ଛେଦ ବା ଦ୍ୱିତୀୟ ଛେଦ ପଡ଼ିଲେ ଯତି ଭଙ୍ଗ ଦୋଷ-ଯୁକ୍ତ ହୁଏ । ପୁଣି ଅନ୍ତ୍ୟ ବର୍ଣ୍ଣ ମିଳନ ମିତ୍ରାକ୍ଷରର ଅନ୍ୟ ଏକ ନିୟମ । ଏ ସବୁ ନିୟମ ପ୍ରତି ଦୃଷ୍ଟି ଦେଉ ଦେଉ କବିଙ୍କ ଭାବୋଚ୍ଛ୍ୱାସ ହ୍ରାସ ହେବାର ସମ୍ଭାବନା ଥାଏ । କିନ୍ତୁ ଅମିତ୍ରାକ୍ଷର ଛନ୍ଦରେ ଏଭଳି କୌଣସି ବିଧିବଦ୍ଧ ନିୟମ ନ ଥିବାରୁ ଏହା ଯେକୌଣସି ଭାବ ପ୍ରକାଶର ସହାୟକ ହୁଏ । ଯେପରି -

 

‘‘ପରିଶେଷେ କ୍ଷେତ୍ରସୀମା ଲଂଘି- ଅଶ୍ଵଯଥା

ପକ୍ୱଶାଳୀ- ପୂର୍ଣ୍ଣ - କ୍ଷେତେ ପଶି ଅଲକ୍ଷିତେ

ପୂରାଇ ଉଦର, ରାତ୍ରିସାରା ମନ ସୁଖେ

ବାହାରନ୍ତି, ସେହିପରି ଅଯାଚିତ ଜ୍ଞାନେ

ଆକଂଠ ଉଦର ଭରି ବାହାରିଲୁ ସର୍ବେ”

(ପ୍ରଣୟିନୀ - ୨ୟ ସର୍ଗ - ୫୭୬ - ୮୦ ପଂକ୍ତି)

 

ଇଂରାଜୀ Blank Verseର ଅନୁସରଣରେ ଭାରତୀୟ ସାହିତ୍ୟରେ ପ୍ରଥମେ ବଂଗ ଦେଶର ମହାକବି ମାଇକେଲ୍‌ ମଧୁସୂଦନ ଦତ୍ତ ଚତୁର୍ଦ୍ଦଶାକ୍ଷରୀ ଅମିତ୍ରାକ୍ଷର ଛନ୍ଦର ପ୍ରବର୍ତ୍ତନ କରିଥିଲେ । କବିବର ରାଧାନାଥ ତାଙ୍କୁ ଅନୁସରଣ କରି ‘ମହାଯାତ୍ରା’ କାବ୍ୟଲେଖି ଓଡ଼ିଶାରେ ଚତୁର୍ଦ୍ଦଶାକ୍ଷରୀ ଅମିତ୍ରାକ୍ଷର ଛନ୍ଦ ପ୍ରଚଳନ କଲେ । କବି ନୀଳକଣ୍ଠଙ୍କ ‘ପ୍ରଣୟିନୀ’ ସେହି ଚଉଦ- ଅକ୍ଷରୀ ଅମିତ୍ରାକ୍ଷର ଛନ୍ଦରେ ରଚିତ । ଏ ଛନ୍ଦରେ ଯତିପାତର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଭାବ ଅନୁଯାୟୀ କେଉଁ ପଂକ୍ତିରେ ୬ଷ୍ଠ ଓ ୧୪ଶ ଅକ୍ଷରରେ –

 

‘‘ସେ ମହତ ନାରୀ, ପଦ ଅବହେଳି ଯେହୁ’’, (୨ୟ ସର୍ଗ / ୨୨ ପଂକ୍ତି)

 

କେଉଁଥିରେ ୮ମ ଓ ୧୪ଶ ଅକ୍ଷରରେ –

 

‘‘ନୁହେଁ ଜ୍ଞାନ ଆଉ ଭବେ, ହେ ବାଳିକାକୁଳ,

 

ସେତୁ ବନ୍ଧ ନିର୍ଝରିଣୀ, ଅପ୍ରାପ୍ୟ ନାରୀର,’’ (୨ୟ ସର୍ଗ ୧୧୭- ୧୮ ପଂକ୍ତି)

 

କେଉଁଠାରେ ବା ୩ୟ, ୮ମ ଓ ୧୪ଶ ଅକ୍ଷରରେ ଯତିପାତ ହୁଏ । ଯେପରି –

 

‘‘ପଶିବେ, ଦୁର୍ବଳ କେହି, ମହା ଅନୁଷାନେ’’ (୩/୩୭୦)

 

ଛୁଇଁଲେ, ବାରେକ ମୋତେ, ବଢ଼ାଇଲେ ହାତ ।’’ (୪/୩୪)

 

‘ପ୍ରଣୟିନୀ’ କାବ୍ୟର ଜଟିଳ ତଥା ନୂତନ ଭାବକୁ ସୂଚାରୁ ରୂପେ ପରିପ୍ରକାଶ କରିବା ପାଇଁ କବି ନୀଳକଣ୍ଠ ଅମିତ୍ରାକ୍ଷର ଛନ୍ଦର ସହାୟତା ନେଇଥିଲେ ହେଁ ଆମ କାବ୍ୟ - ସାହିତ୍ୟର ଯତିପାତ ପରଂପରାକୁ ପାସୋରି ନାହାନ୍ତି । ଏହିପରି ଅନୁବାଦରେ ସ୍ଵକୀୟତା ରକ୍ଷା କରି ପଣ୍ଡିତ କବି ନୀଳକଣ୍ଠ ‘ପ୍ରଣୟିନୀ’କୁ ଏକ ସର୍ଜନାତ୍ମକ ଅନୁବାଦର ପ୍ରତିଷ୍ଠା ଦେଇ ପାରିଛନ୍ତି ।

 

 

ପ୍ରାଧ୍ୟାପିକା, ଓଡ଼ିଆ ବିଭାଗ,

ରମାଦେବୀ ମହିଳା ମହାବିଦ୍ୟାଳୟ,

ଭୁବନେଶ୍ଵର

 

***

 

ଔପନ୍ୟାସିକ କାହ୍ନୁଚରଣ ଓ ତାଙ୍କ ସମାଜଦର୍ଶନ

ନିର୍ମଳା କୁମାରୀ ରାଉତ

 

ସମାଜ, ସାହିତ୍ୟ ଓ ସ୍ରଷ୍ଟା ଏସବୁ ଅଲଗା ଅଲଗା ଶବ୍ଦ ହୋଇବି କେହି ଯେମିତି କାହାଠାରୁ ଅଲଗା ନୁହଁନ୍ତି ବୋଲି, ମନେହୋଇଥାଏ । କାରଣ ସ୍ରଷ୍ଟାର ଜନ୍ମ ଏଇ ସମାଜରେ, ଏଇ ସମାଜରେ ହିଁ ତାର ସାହିତ୍ୟ - ସୃଷ୍ଟି ସମ୍ବବି ଥାଏ । ତେବେ ଏସବୁକୁ ବାଦ୍‌ ଦେଲେ, ସ୍ରଷ୍ଟା ଜଣେ ମଣିଷ, ଖାଲି ମଣିଷ ନୁହେଁ - ସାମାଜିକ ମଣିଷ । ସମାଜରେ ସମସ୍ତେ ବାସ କରନ୍ତି । ସମାଜକୁ ସମସ୍ତେ ଅନୁଭବ କରନ୍ତି ହେଲେ ସମସ୍ତେ ସ୍ରଷ୍ଟା ହୋଇପାରନ୍ତିନି । ସ୍ରଷ୍ଟା ସମାଜକୁ ଦେଖେ ଏକଲା ନିଜ ଭିତରେ । ଭାବ ଜଗତରେ ସେ ଦେଖିଯାଏ ସୃଷ୍ଟିର ଅଜସ୍ର ସମ୍ଭାବନା । ତା'ର ଏଇ ସ୍ଵତନ୍ତ୍ର ଧ୍ୟାନଦୃଷ୍ଟି ବଳରେ ସେ ଯାହା ଦେଖେ, ଶୁଣେ ଓ ଅନୁଭବ କରେ, ତାକୁ ଉପଯୁକ୍ତମତେ ତଉଲିପାରେ । ନିଜର ତୃତୀୟ ନୟନରେ, ସମାଜର ରୂପକୁ ସେ ବିଶ୍ଲେଷଣ କରେ । ସାମାଜିକ ଜୀବନରେ, ଅବକ୍ଷୟକୁ ସେ ସୂଚିତ କରେ । ପାପକୁ ସେ ଦେଖାଇଦିଏ । ଶୁଭ୍ରତାର ଆବାହନ କରେ । କାରଣ ସେ ଅବତରଣ ଚାହେଁ । ଏଇଠି ଏଇ ଅନ୍ଧାର ଭିତରେ ଆଲୁଅର ଅବତରଣ ଚାହେଁ । ଅସତ୍‌ ଭିତରେ ସତ୍‌ର ଅବତରଣ ଚାହେଁ, ଦେବତ୍ୱର, ସୌନ୍ଦର୍ଯ୍ୟର ଅବତରଣ ଚାହେଁ । କୁସଂସ୍କାର ଭିତରୁ ସଂସ୍କାରର, ବନ୍ଧନ ଭିତରୁ ବିପ୍ଳବର ଅବତରଣ ସେ ଚାହେଁ । ସେଥିପାଇଁ ସେ ରଚନା କରେ । ସେଥିପାଇଁ ସେ ସର୍ଜନା କରେ । ସ୍ରଷ୍ଟା ସମାଜକୁ ଦେଖେ ‘ନିଜର’ ଦୃଷ୍ଟିରେ । ସାଧାରଣ ଆଖିରେ ଯେ କୁତ୍ସିତ, ଅପାଂକ୍ତେୟ, ସାହିତ୍ୟିକର ଦୃଷ୍ଟିରେ ସେ କମନୀୟ, ଶୋଭନୀୟ, ଲୋଭନୀୟ - ସତ୍ୟ - ଶିବ - ସୁନ୍ଦର । ଦୃଷ୍ଟିର ଏ ତାରତମ୍ୟ ହିଁ ଜଣକୁ ଦିଏ ସାଧାରଣ ମଣିଷର ପରିଚୟ ଓ ଅନ୍ୟ ଜଣକୁ ଦିଏ ସ୍ରଷ୍ଟାର ଗୌରବ ।

 

ଔପନ୍ୟାସିକ କାହ୍ନୁ ଚରଣ ଥିଲେ ଏହିପରି ଏକ ସ୍ରଷ୍ଟା ଯାହାଙ୍କ ଅନୁଭବୀ ପ୍ରାଣର ସ୍ଵାକ୍ଷର ବହନ କରି ଆଣିଥିଲା ଅନେକ ସଫଳ ଉପନ୍ୟାସ । ଯେଉଁଥିରେ ଫୁଟି ଉଠିଥିଲା ସ୍ରଷ୍ଟାର ଜୀବନବୋଧର ତୀବ୍ରତା ଓ ସମାଜ ଜୀବନ ପ୍ରତି ଅଭିନବ ଅନ୍ତରଂଗତା । ମଣିଷର ମଣିଷପଣିଆକୁ କେନ୍ଦ୍ରକରି ତାଙ୍କର ସମଗ୍ର ସୃଷ୍ଟି ପ୍ଲାବିତ । ବିଗତ ଷାଠିଏ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ପରିବେଶ, ଘଟଣାବଳୀ ଓ ପରିବର୍ତ୍ତନ ତାକୁ ଖାପଖୁଆଇ ମଣିଷ ବାଦର ମାର୍ମିକବାଣୀ ତାଙ୍କର ପାଠକଙ୍କୁ ଚେତାଇ ଦେଇଛି ବାରବାର । ‘କାହ୍ନୁଚରଣଙ୍କ ପ୍ରତ୍ୟେକ ସୃଷ୍ଟି ତେଣୁ ଦେହକୁ ଉତ୍ତାପ ଦିଏ - ମନକୁ ଶୀତଳ କରେ - ଭଲମନ୍ଦ ବିଚାର କରି ପାଠକକୁ ସାନ୍ତ୍ୱନା ଦିଏ । ଦିଗହରା ମଣିଷକୁ ଦିଗ ଦେଖାଏ ।’’ (୧)

 

(୧)

କାହ୍ନୁ ଚରଣ ପରିକ୍ରମା - କମଳଲୋଚନ ମହାନ୍ତି ।

 

୧୮୬୬ ମସିହାରେ କ୍ରମାଗତ ଅନାବୃଷ୍ଟି ଥିଲା ଓଡ଼ିଶାବାସୀଙ୍କ ପ୍ରତି ପ୍ରକୃତିର ଚରମ ଉପହାସ । ଏଭଳି ଭୟାଭୟ ଦୁର୍ଭିକ୍ଷର ପଟାନ୍ତର ଆମ ଜାତିର ଇତିହାସରେ ନାହିଁ । ଧନଧାନ୍ୟ ଭରା ଓଡ଼ିଶାକୁ ଏହି ଦୁର୍ଭିକ୍ଷ ମହାଶ୍ମଶାନରେ ପରିଣତ କରିଥିଲା । କିନ୍ତୁ ଓଡ଼ିଆ ଜାତି, ମଥାରେ ସେଇ ଶ୍ମଶାନ ଚିତାଭସ୍ମର ତିଳକ ପିନ୍ଧି ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାର ଯେଉଁ ଆଗ୍ନେୟ ଶପଥ ନେଇଥିଲା ତାହାହିଁ ମୁମୂର୍ଷୁ ଜଡ଼ତା ଗ୍ରସ୍ତ ଓଡ଼ିଆ ପ୍ରାଣରେ ନୂତନ ସ୍ପନ୍ଦନ ସୃଷ୍ଟିକଲା । ତା’ ସାଙ୍ଗକୁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଭାଷା ଆନ୍ଦୋଳନ (ବିଲୋପ ଓ ସୁରକ୍ଷା) ଦେଇ ମଧ୍ୟ ଏକ ଜାତୀୟ ଜାଗରଣ ଓଡ଼ିଆ ଜାତିକୁ ନବଜନ୍ମ ଦେଇଥିଲା । ଯେଉଁ ଭୟାବହ ଦୁର୍ଭିକ୍ଷର ଇତିବୃତ୍ତ ସରକାରୀ ନଥିପତ୍ର ଏବଂ ବିଡ଼ାବନ୍ଧା ରିପୋର୍ଟ ଭିତରେ ଦୀର୍ଘଦିନଧରି ମୁହଁମାଡ଼ି ପଡ଼ିରହିଥିଲା, ଜଣେ ସମ୍ବେଦନଶୀଳ କଥାଶିଳ୍ପୀଙ୍କ କଲମମୂନରେ ତାହା ନୂତନ ଜୀବନ୍ୟାସ ଲାଭକରି ଏକ ଧ୍ରୁପଦୀ ସାହିତ୍ୟ ଶିଳ୍ପରେ, ରୂପାନ୍ତରିତ ହେଲା । ‘‘ନଅଙ୍କ ଦୁର୍ଭିକ୍ଷର ଶାଣିତ ଦନ୍ତାଘାତରେ ଯେଉଁ ଲକ୍ଷ ଲକ୍ଷ ଅସହାୟ ନିରୀହ ମଣିଷ ପ୍ରାଣ ହରାଇଥିଲେ ସେଇମାନଙ୍କ ଉତ୍ତରପୁରୁଷଙ୍କ ପ୍ରାଣରେ ‘ହା-ଅନ୍ନ’ ଅତୀତର ସେଇ ମର୍ମନ୍ତୁଦ ସ୍ମୃତିକୁ ଜାଗ୍ରତ କରି ହାହାକାର ସୃଷ୍ଟିକଲା । (୨)

 

(୨)

ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ୱିକ ରୂପରେଖ - ବିଭୂତି ପଟ୍ଟନାୟକ - ପୃ - ୧୩୮ ।

 

କାହ୍ନୁ ଚରଣଙ୍କ ଲେଖନୀ ଅଜସ୍ର ସ୍ରାବୀ । ‘ଦୁନିଆର ଦାଉ’ (୧୯୩୪) ନିଷ୍ପତ୍ତି (୧୯୩୨) ‘ହା-ଅନ୍ନ’ (୧୯୩୫) ‘ପରକୀୟା’ (୧୯୩୮) ‘ଅଦେଖା ହାତ' (୧୯୩୪) 'ତୁଣ୍ଡବାଇଦ' (୧୯୪୪) ‘ଭଲପାଇବାର ଶେଷକଥା (୧୯୪୪) 'ଶାସ୍ତି' (୧୯୪୬) 'ଝଞ୍ଜା' (୧୯୫୦) 'ମିଳନରଛନ୍ଦ' (୧୯୫୧) ‘ପରୀ’ (୧୯୫୪) ‘କା' (୧୯୫୬), 'ବଜ୍ରବାହୁ' (୧୯୫୯), ତମସାତୀରେ (୧୯୬୭), ମାୟାବର୍ତ୍ତ (୧୯୭୮), ଲଲାଟଲିଖନ, ଇତିହ ପ୍ରଭୃତି ଉପନ୍ୟାସ ବିଶେଷ ସ୍ମରଣୀୟ ।

 

ଏ ଶତାବ୍ଦୀର ୩ୟ ଓ ୪ର୍ଥ ଦଶକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ସ୍ୱାଧୀନତା ଆନ୍ଦୋଳନ, ନାରୀଜାଗରଣ, ହରିଜନ ସଂଗଠନ ଓ ଦ୍ୱିତୀୟ ମହାଯୁଦ୍ଧ ଯେପରି ଆମର ସାମାଜିକ, ରାଜନୀତିକ ଓ ଅର୍ଥନୀତିକ ଜୀବନକୁ ବିଶେଷ ଭାବରେ ଆଲୋଡ଼ିତ କରିଥିଲା ପଞ୍ଚମ ଦଶକ ପରବର୍ତ୍ତୀକାଳ ସେହିପରି ସାମାଜିକ ଓ ଅର୍ଥନୀତିକ ପୁନର୍ଗଠନ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲା । କାହ୍ନୁ ଚରଣଙ୍କ ଅଧିକାଂଶ ଉପନ୍ୟାସରେ ସେଇ ପରିବର୍ତ୍ତିତ କାଳ ଓ ସମାଜର ଚିତ୍ର ପ୍ରଦତ୍ତ ହୋଇଅଛି ।

 

କାର୍ଲମାର୍କସ୍‌ଙ୍କ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦୀ ଦୃଷ୍ଟିଭଙ୍ଗୀରେ ସମାଜ ବିବର୍ତ୍ତନର ସ୍ଵରୂପ ବିଶ୍ଲେଷଣ ଓ ଫ୍ରୟେଡ୍‌ଙ୍କ ଯୌନମନସ୍ତତ୍ତ୍ୱ ଧାରା ଅନୁସରଣ କରି ବ୍ୟକ୍ତିର ଅନ୍ତର୍ଲୋକର ରୂପ ଉଦ୍‌ଘାଟନ କରିବା ପାଇଁ ଲୋଡ଼ା ହେଲା ସାହିତ୍ୟରେ ନୂତନ ଶୈଳୀ, ନୂତନ ରୀତି । ଊନବିଂଶ ଶତାବ୍ଦୀର କଥା ସାହିତ୍ୟରେ ବାସ୍ତବତାବାଦ ଏକ ଯୁଗାନ୍ତର ଆଣିଥିଲା । କିନ୍ତୁ ବିଂଶ ଶତାବ୍ଦୀର କଥାସାହିତ୍ୟରେ ସମାଜବାଦୀ ବାସ୍ତବବାଦ ହିଁ ଯୁଗ ପରିବର୍ତ୍ତନର ସୂତ୍ରଧର ବୋଲି ମତ ପ୍ରକାଶ ପାଇଲା । ପୁଣି ଫ୍ରଏଡୀୟ ମନୋବିଶ୍ଲେଷଣର ଧାରା ଅନୁସରଣ କରି ଓ ଔପନ୍ୟାସିକ ତାର ଅନ୍ତର୍ଦୃଷ୍ଟି ଦ୍ଵାରା କେବଳ ବ୍ୟକ୍ତିର ଚେତନସ୍ତର ନୁହେଁ, ଅବଚେତନ ଓ ଅଚେତନସ୍ତରର ସ୍ଵରୂପକୁ ମଧ୍ୟ ବିଶ୍ଲେଷଣ କଲା, ଫଳରେ ଘଟଣା ପ୍ରଧାନ ଉପନ୍ୟାସ ବଦଳରେ ମନସ୍ତତ୍ତ୍ୱମୂଳକ ଚରିତ୍ରଧର୍ମୀ ଉପନ୍ୟାସର ଜନ୍ମହେଲା । ସେଇ ମନସ୍ତତ୍ତ୍ଵକୁ ନେଇ କାହ୍ନୁ ଚରଣ ସୃଷ୍ଟି କରିଗଲେ ଅନେକ ଚମତ୍କାର ଉପନ୍ୟାସ । ତେବେ ସାମାଜିକ ବାସ୍ତବତା ଦୃଷ୍ଟିରୁ ଦେଖିବାକୁ ଗଲେ 'ହା- ଅନ୍ନ' ଓ ‘ଶାସ୍ତି’ ଉପନ୍ୟାସରେ ହିଁ ଉନ୍ମୋଚିତ ହୋଇଥିଲା କାହ୍ନୁ ଚରଣଙ୍କ ସମାଜ ସଚେତନ ଶିଳ୍ପୀ ମାନସର ନୂତନ ଦିଗନ୍ତ । ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକରେ ମଧ୍ୟ ସମାଜର ଚାଲିଚଳଣି ଊଣା ଅଧିକେ ରୂପ ପାଇଥିଲା ।

 

କାହ୍ନୁଚରଣଙ୍କ ଉପନ୍ୟାସମାନଙ୍କରେ ଥିବା ସାମାଜିକ ଉପାଦାନକୁ ଆଖି ଆଗରେ ରଖି ଉପନ୍ୟାସର ସମାଜତାତ୍ତ୍ଵିକ ସୁବିଧା ଦୃଷ୍ଟିରୁ ତାଙ୍କ ଉପନ୍ୟାସଗୁଡ଼ିକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । (୧) ଅନୁଭୂତିଲବ୍‌ଧ କଥାକାର (୨) ବିଧବା ବିବାହ ଓ ସମାଜସଂସ୍କାର ପାଇଁ ଆହ୍ୱାନ, (୩) ତତ୍କାଳୀନ ଜାତିଭେଦର ପ୍ରଭାବ ଓ ପ୍ରତିକ୍ରିୟା (୪) ନାରୀ ଓ ଫ୍ରଏଡ଼ୀୟ ମନୋବିଶ୍ଳେଷଣ (୫) ପ୍ରେମ ପ୍ରଭୃତି ବିଭାଗରେ ବିଭକ୍ତ କରାଯାଇପାରେ ।

 

କାହ୍ନୁ ଚରଣଙ୍କ ଉପନ୍ୟାସର କାହାଣୀ ତାଙ୍କର ଅନ୍ତରଙ୍ଗତା ଭିତରେ ହିଁ ଗଢ଼ିଉଠିଛି । ସେ ଜଣେ ଆତ୍ମମଗ୍ନ କଥାଶିଳ୍ପୀ । ଉପନ୍ୟାସର ପ୍ରକୃତି ଓ ପ୍ରବୃତ୍ତି ସଂପର୍କରେ କାହ୍ନୁ ଚରଣଙ୍କ ବକ୍ତବ୍ୟ ତାଙ୍କ ନିଜ ଭାଷାରେ ହିଁ ପ୍ରକାଶ ପାଇବା ଉଚିତ୍‌ । ‘‘ମୋର ଧାରଣା ଉପନ୍ୟାସର ଜୀବନ ହେଲା କାହାଣୀ । କଥାଟିଏ କହୁଁ କଥାଟିଏ ? କିସ କଥା ? ସେଇ ’କିସ କଥା’ ର ନିର୍ବାଚନ କରେ ଆଈବୁଢ଼ୀ । - - - - - ଅତୀତରେ ଯାହା ଥିଲା ଆଜି ବି ଠିକ୍‌ ସେଇଆ ଅଛି - ଆଗ କାହାଣୀର କଳ୍ପନା, ତା’ପରେ କାହାଣୀକୁ ପ୍ରବାହିତ କରିବାର ଚରିତ୍ରଗୁଡ଼ିକ ନାୟକ ଓ ନୟିକାମାନେ ।’’ (୩) ‘‘ହା-ଅନ୍ନ’’ ଉପନ୍ୟାସରେ ସେହି ଆତ୍ମମଗ୍ନ ଶିଳ୍ପୀର ଅନ୍ତରଙ୍ଗ ଅଭିବ୍ୟକ୍ତି ବେଶ୍‌ ସଫଳ ଭାବରେ ଆତ୍ମ‌ପ୍ରକାଶ କରିଛି । ୧୯୧୫-୧୬ ମସିହାରେ ଅନାବୃଷ୍ଟି ଯୋଗୁ ସୋନପୁର ଓ ତା’ର ଆଖପାଖ ଗଡ଼ଜାତମାନଙ୍କରେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା କାହ୍ନୁ ଚରଣ ଥିଲେ ତା’ର ପ୍ରତ୍ୟକ୍ଷଦର୍ଶୀ । ସୋନପୁର ମହାରାଜା ଶ୍ରୀ ବୀରମିତ୍ର ସିଂହଦେଓ ତେଲନଦୀ କୂଳରେ ସୁବର୍ଣ୍ଣମେରୁ ମହାଦେବଙ୍କ ପାଖରେ ଅନେକଗୁଡ଼ିଏ ଅନ୍ନଛତ୍ର ଖୋଲିଥିଲେ । କାହ୍ନୁ ଚରଣ ବାପାଙ୍କ ସହିତ ସେହି ଅନ୍ନଛତ୍ର ଦେଖିବାକୁ ଯିବା ବାଟରେ ଭେଟିଥିଲେ ମୁହଁଚିହ୍ନା ଅଜଣା କାଙ୍ଗାଳମାନଙ୍କ ମଲା ଦେହ ଏବଂ ଅନ୍ନଛତ୍ରରେ ହାଡ଼ମାଳ ଦରଲଙ୍ଗଳା ଦେହ, କୋରଡ଼ଆଖି ଫୁରୁଫୁରୁବାଳ, ଟଳମଳ ଚାଲି ଆଉ ମୁଠିଏ ଦିଅ ବୋଲି ଚିତ୍କାର କରୁଥିବା ନିରନ୍ନ ଉପବାସୀ ହତଭାଗ୍ୟ ଲୋକଙ୍କୁ ଏଇ ମୃତ କାଙ୍ଗାଳ ଆଉ ମୁର୍ମୂଷୁ ଛତରଖିଆମାନଙ୍କ ମୁହଁ ତାଙ୍କର ଶିଳ୍ପୀ ଦୃଷ୍ଟିରେ ୧୮୬୬ର ନ’ଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ମୃତ ଅର୍ଦ୍ଧମୃତ ଓଡ଼ିଆ ଲୋକଙ୍କ ସହ ମିଶି ଏକାକାର ହୋଇଯାଇଥିଲା । ସେଇ ଅଶ୍ରୁଳ ଅନୁଭୂତିର ଗଦ୍ୟମହାକାବ୍ୟ ‘‘ହା- ଅନ୍ନ’’ । ‘‘ହା- ଅନ୍ନ’’ ମଧ୍ୟରେ ଗୁଞ୍ଜିତ ହୋଇଛି କ୍ଷୁଧାପୁର୍ତ୍ତିଜନିତ ଆକୁଳତା । ଏହାର କଥାବସ୍ତୁରେ ଦୁର୍ଭିକ୍ଷ ଚିତ୍ରଣ ଗୋଟିଏ ପରିବାରରୁ ସମଗ୍ର ସମାଜକୁ ବ୍ୟାପିଯାଇଛି । ଜଠରାଗ୍ନି ଜାଳିଦେଇଛି ପାପପୁଣ୍ୟବୋଧ, ନୀତି- ଅନୀତିର ପ୍ରଶ୍ନ । ’’ହା -ଅନ୍ନ’’ ର ଉମା ମଠର ଭାବୀ ମହନ୍ତକୁ ଅନେକ ପରିମାଣରେ ସ୍ଵୀକାର କରିନେଇଥିଲା ଏଇ କ୍ଷୁଧାର ପୂର୍ତ୍ତି ନିମନ୍ତେ । (୪) ଇଂରେଜ ସରକାରଙ୍କ ଦୂରଦୃଷ୍ଟିହୀନତା ଓ ଅଣଓଡ଼ିଆ ବଙ୍ଗାଳୀ ସରକାରୀ କର୍ମଚାରୀମାନଙ୍କ ଓଡ଼ିଆ ଲୋକଙ୍କ ପ୍ରତି ଉଦାସୀନତା, ଓଡ଼ିଆ ମହନ୍ତ ମହାଜନଙ୍କ ଦୁର୍ଭିକ୍ଷ ସମୟରେ ନିଜର ସମ୍ଭୋଗ କାମନା ଓ ସଂକୀର୍ଣ୍ଣସ୍ଵାର୍ଥପରତା ଯୋଗୁଁ ଦୁର୍ଭିକ୍ଷ ପୀଡ଼ିତ ଅବଳା ନାରୀ ଓ ଅସହାୟ ସାଧାରଣ ଲୋକମାନଙ୍କର କିପରି ଇଜ୍ଜତ ଓ ପ୍ରାଣହାନିର କାରଣ ହୋଇଥିଲେ ସେମାନେ ମଧ୍ୟ ଲେଖକଙ୍କର କୋପଦୃଷ୍ଟିରୁ ବାଦ ପଡ଼ିନାହାନ୍ତି । ଏହି ଅବିବେକୀ ଓଡ଼ିଆ ଜମିଦାର, ମହାଜନ ଓ ମହନ୍ତମାନଙ୍କ ଜାତିସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପକୁ ନେଇ “ହା-ଅନ୍ନ’’ର ସାମାଜିକ କଥାବସ୍ତୁ ଗଢ଼ିଉଠିଛି ।

 

(୩)

ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ (ଅଭ୍ୟୁଦୟ ସାହିତ୍ୟ ସମାଜ) - ୧୨ - ୧୫ ।

(୪)

ଉପନ୍ୟାସର ସମାଜତତ୍ତ୍ୱ - କଇଳାଶ ପଟ୍ଟନାୟକ - ୧୧୮ ।

 

‘ହା-ଅନ୍ନ’ ଉପନ୍ୟାସ ପ୍ରକାଶିତ ହେବାର ପ୍ରାୟ ଦଶବର୍ଷପରେ କାହ୍ନୁ ଚରଣ ‘ଶାସ୍ତି’ ଉପନ୍ୟାସ ରଚନା କରିଛନ୍ତି । ‘ହା- ଅନ୍ନ’ରେ ଥିଲା ନଅଙ୍କ ଦୁର୍ଭିକ୍ଷର ଚିତ୍ର; ‘ଶାସ୍ତି’ ଉପନ୍ୟାସରେ ସେଇ ଦୁର୍ଭିକ୍ଷ ପରବର୍ତ୍ତୀ ସାମାଜିକ ପ୍ରତିକ୍ରିୟାର ବିଶ୍ଲେଷଣ କରାଯାଇଛି । ନଅଙ୍କ ଦୁର୍ଭିକ୍ଷର ପ୍ରଚଣ୍ଡ ଆଘାତରେ ଶାଖାଚ୍ୟୁତ ଶୁଷ୍କ ପତ୍ର ପରି ଉମା ଓ ଜଗବନ୍ଧୁ ଗାଁ ଓ ଘରଠାରୁ ବିଛିନ୍ନ ହୋଇ କେଉଁଆଡ଼େ ରହିଗଲେ ତା’ର ଖୋଜ ଖବର ମିଳିଲା ନାହିଁ । ଶେଷରେ ପୁରୀ ସହରରେ ଉଭୟଙ୍କ ଆକସ୍ମିକ ମିଳନ ମଧ୍ୟରେ ଉପନ୍ୟାସର ପରିସମାପ୍ତି ହୋଇଥିଲା । ‘ଶାସ୍ତି’ ଉପନ୍ୟାସରେ ଦେଖାଗଲା ଅନ୍ନଛତ୍ରର ଅନ୍ନଖାଇ କୌଣସି ମତେ ସନିଆଁ ନିଜ ଗାଁକୁ ଆସିଲା କିନ୍ତୁ ସମାଜ ତାକୁ ମଣିଷ ପରି ବଞ୍ଚିବାକୁ ଅଧିକାର କି ସୁଯୋଗ ଦେଲାନାହିଁ । ସେ ଛତରଖିଆ, ପତିତ ହୋଇଗଲା । ଯେଉଁଠି ଜଗୁ-ଉମାର କାହାଣୀ ଶେଷହୋଇଥିଲା ସେଇଠାରୁ ଆରମ୍ଭ ହେଲା ‘ସନିଆଁ- ଧୋବୀ’ର ନୂତନ କାହାଣୀ । ନ’ଅଙ୍କ ଦୁର୍ଭିକ୍ଷର ଆଘାତରେ ଉନବିଂଶ ଶତାବ୍ଦୀର ଦରମଲା ସମାଜ ନୈତିକତା ଓ ମାନବିକତା ହରାଇ ଅନ୍ତଃସାର ଶୂନ୍ୟ ହୋଇପଡ଼ିଥିଲା । ଅନାହାରରେ ଲକ୍ଷ ଲକ୍ଷ ଲୋକ, ଗ୍ରାମ ଘର ଛାଡ଼ି ଝଡ଼ିପୋକ ପରି ଅପନ୍ତରାଭୂଇଁରେ ଟଳି ପଡ଼ୁଥିବା ବେଳେ ଚିନ୍ତେଇଁ ସୋଇଁ, ହରି ମହାନ୍ତି, ରାମ ପ୍ରହରାଜଙ୍କ ପରି ଅର୍ଥଲୋଭୀ ସ୍ୱାର୍ଥପର ତଥାକଥିତ ‘ସମାଜପତି’ମାନେ ସେଇ ସାଧାରଣ ଲୋକମାନଙ୍କର ଧନ ସଂପତ୍ତିକୁ ଆତ୍ମସାତ୍‌ କରିନେଇଥିଲେ ତା’ର ଚିତ୍ର ବେଶ୍‌ ଶାଣିତ ଭାବରେ ଫୁଟିଉଠିଛି । ଚିନ୍ତେଇଁ ସୋଇଁଙ୍କ ପ୍ରତିହିଂସାପରାୟଣତା, ସ୍ଵାର୍ଥପରତା ଓ ଧନଲୋଭ, ହରି ମହାନ୍ତିଙ୍କ ଧନଲୋଭ, ହରି ମହାନ୍ତିଙ୍କ ଜମିଜମା ଆଇନ୍‌ ଓ ମାଲିମକଦ୍ଦମା ପରିଚାଳନାରେ ଅପୂର୍ବ କୂଟବୁଦ୍ଧି, ରାମ ପ୍ରହରାଜଙ୍କ ଶାସ୍ତ୍ର ନାମରେ ଶୋଷଣ, ନୀତି ନାମରେ ସମସ୍ତ ପ୍ରକାର ଅନୀତି ନ’ଅଙ୍କ -ଉତ୍ତର ଓଡ଼ିଶାର ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଥିଲା । ତା’ର ସମସ୍ତ ଚିତ୍ର ‘‘ହା -ଅନ୍ନ’ ଓ ‘ଶାସ୍ତି’ ଉପନ୍ୟାସ ବହନ କରିଆଣିଥିଲା । ସେହିପରି ଦଣ୍ଡକାରଣ୍ୟ ଶରଣାର୍ଥୀ ସମସ୍ୟା ଉପରେ ଆଧାରିତ ‘ତମସାତୀରେ’ ଉପନ୍ୟାସ ଲେଖିବାବେଳ ସେ ଭାରତ ସରକାରଙ୍କ ଦଣ୍ଡକାରଣ୍ୟ ପ୍ରୋଜେକ୍ଟର Land Organisation ରେ କାମ କରୁଥିଲେ । ସେଇ ଆଖି ଦେଖା ଅନୁଭୂତିରୁ ‘ତମସା ତୀରେ’ ର ପରିକଳ୍ପନା ।

 

କାହ୍ନୁ ଚରଣ ଥିଲେ ଗ୍ରାମୀଣ ସମାଜର ରୂପକାର । ବିଶେଷତଃ ସ୍ଵାଧୀନତା ପୂର୍ବବର୍ତ୍ତୀ ଅଧିକାଂଶ ଉପନ୍ୟାସ ତାଙ୍କର ଗ୍ରାମଭିତ୍ତିକ ଉପନ୍ୟାସ । ୧୮୫୬ ମସିହାରେ ବିଧବା-ବିବାହ ଆଇନ୍‌ ଗୃହୀତ ହୋଇଥିଲେ ମଧ୍ୟ ହିନ୍ଦୁ ସମାଜର ରକ୍ଷଣଶୀଳତା ଯୋଗୁଁ ସମାଜରେ ବିଧବା ବିବାହ ସମ୍ଭବ ନଥିଲା । ଅକାଳ-ବୈଧବ୍ୟ ଯନ୍ତ୍ରଣା ଭୋଗ କରୁଥିବା ଅବଳା ନାରୀମାନଙ୍କ ଅଶ୍ରୁଳ ହାହାକାରରେ ଆମର ସମାଜ ଜୀବନ ଅଭିଶପ୍ତ ହୋଇପଡ଼ିଥିଲା । ଏହି ଅମାନୁଷିକ, ମାନବିକତା ବିହୀନ ସମାଜ ବ୍ୟବସ୍ଥା ବିରୁଦ୍ଧରେ କାହ୍ନୁ ଚରଣ ତାଙ୍କ ଉପନ୍ୟାସରେ ପ୍ରଥମରୁ ହିଁ ବିଦ୍ରୋହ ଘୋଷଣା କରିଥିଲେ । - ‘‘ସମସ୍ତେ କହିବେ ବିଧବା । ବିଧବା, ତା’ର ଆନନ୍ଦରେ ଅଧିକାର ନାହିଁ । କାହା ସାଂଗରେ କଥାଭାଷା ହେଲେ ଲୋକେ ଟେରେଇ ଟେରେଇ ଚାହିଁବେ । ହସିକରି ପଦେ କଥା କହିବାର ଅଧିକାର ନାହିଁ । କାହା ଆଡ଼କୁ କଣେଇ ଚାହିଁଲେ ମହାପାପ । ଏଇତ ବିଧବାର ଜୀବନ । ....... ଏ ବଡ଼ିମା କାହା ଯୋଗୁ ? ସମାଜର ଅର୍ଦ୍ଧାଧିକ ନାରୀ ସେମାନେ ପୁରୁଷର ଅତ୍ୟାଚାର ସହି ପୁରୁଷକୁ ଦେବତା ପରି ମାନି ନେଇଛନ୍ତି । ମନେ କରିଛନ୍ତି ପୁରୁଷ ପ୍ରଭୁ । ଏଥି‌ପାଇଁ ତ ପୁରୁଷର ଗର୍ବ ?’’

 

ନାରୀର ଦେହ ଓ ମନ କୋମଳ । କୋମଳତା ଯଦି ଦୁର୍ବଳତା ହୁଏ, ନାରୀ ଦୁର୍ବଳ । ଜାଣି ଜାଣି ସେ ଏ ଦୁର୍ବଳତା ବରଣ କରିଛି । ଜୀବନଦେଇ, ରକ୍ତ ଦେଇ ସେ କ’ଣ ପୁରୁଷକୁ ସବଳ କରେ ତାହାରି ଉପରେ ଅତ୍ୟାଚାର କରିବାକୁ ? ତାହାର ବିପକ୍ଷରେ କଠୋର ନିୟମ ବାନ୍ଧି ନୀତିର ଦ୍ୱାହିଦେଇ ନିୟମର କାଳସର୍ପ ଗଳାରେ ଲମ୍ବାଇବାକୁ ? ନାରୀ କ’ଣ ବିଦ୍ରୋହ କରି ଜାଣିବ ନାହିଁ ? ପୁରୁଷର ଅତ୍ୟାଚାରର ପ୍ରତିଶୋଧ ନେଇ ପାରିବ ନାହିଁ ?’’ (୫) ‘ନିଷ୍ପତ୍ତି’ ବ୍ୟତୀତ ‘ଶାସ୍ତି’ ‘ତୁଣ୍ଡବାଇଦ’ ଓ ‘ଅଭିନେତ୍ରୀ’ ଉପନ୍ୟାସରେ ମଧ୍ୟ ଏହି ବିଧବା ସମସ୍ୟାକୁ କାହ୍ନୁ ଚରଣ ଭାବବସ୍ତୁ (Theme) ଭାବରେ ଗ୍ରହଣ କରିଛନ୍ତି । ‘ତୁଣ୍ଡବାଇଦ’ରେ ତୁଳସୀ ଜନମତର ଭୟରେ, ସମାଜରେ ଘୃଣିତ ହେବାର ଭଯରେ ପୁନର୍ବିବାହ ପାଇଁ ସାହସ ସଂଗ୍ରହ କରିପାରୁ ନଥିଲା । କିନ୍ତୁ ‘ଶାସ୍ତି’ର ନାୟିକା ଧୋବୀକୁ କେବଳ ଧର୍ମ ବିରୁଦ୍ଧରେ ନୁହେଁ ନିଜ ପିତାଙ୍କ ପ୍ରତିହିଂସା ପରାୟଣତା ଓ ସଂପତ୍ତି ଲୋଭ ବିରୁଦ୍ଧରେ ଲଢ଼େଇ କରିବାକୁ ପଡ଼ିଥିଲା । ସେଥିପାଇଁ ସେ ସନିଆଁକୁ ଭତ୍ତର ଦେଇଥିଲା - ‘‘ମୁଁ ବିଧବା । ସମାଜ, ଧର୍ମ, ଜାତିଆଣ, ଦୁନିଆ ଲୋକଙ୍କର ଭଲମନ୍ଦ ଚର୍ଚ୍ଚା, ଡର, ମୋ ଚାରିପାଖରେ କେତେ ପରସ୍ତର ଜାଲ ବେଢ଼ାଇ ରଖିଛି । ତା’ରି ଭିତରେ ବନ୍ଦୀ ହୋଇ, ଗୁଡ଼େଇ ତୁଡ଼େଇ ହୋଇ ମୁଁ ଛଟପଟ ହେଉଥିବି ସନେଇ ଭାଇ, ମୋତେ କେହି ଉଦ୍ଧାରି ପାରିବେ ନାହିଁ ।’’ (୬) କିନ୍ତୁ ଏଠି ପ୍ରଶ୍ନ ଉଠେ ଯେଉଁ କାହ୍ନୁ ଚରଣ ‘ନିଷ୍ପତ୍ତି’ର ନାୟିକା ହାରାମଣିକୁ ବଜ୍ରକିଶୋର ସହିତ, ‘ଅଭିନେତ୍ରୀ’ର ବିଧବା ମାୟାକୁ ଗଗନବାବୁଙ୍କ ସହିତ ଦ୍ୱିତୀୟ ବିବାହ ଦେଇ ନିଜ ପ୍ରଗତିଶୀଳ ଦୃଷ୍ଟି ଭଙ୍ଗୀର ପରିଚୟ ଦେଇଛନ୍ତି, ‘ଶାସ୍ତି’ ଉପନ୍ୟାସରେ ସେ ସନିଆଁ ସହିତ ଧୋବୀର ବିବାହ ଦେବାକୁ ପଶ୍ଚାତ୍‌ପଦ ହୋଇଛନ୍ତି କାହିଁକି ? କାହ୍ନୁଁ ଚରଣ ତାହାର ଉତ୍ତରରେ କହିଛନ୍ତି - ‘‘ମୁଁ ବିଧବା ବିବାହ ବିପକ୍ଷରେ ନୁହେଁ, କିନ୍ତୁ ଯେଉଁ ସମୟର ଚିତ୍ର ଦିଆଯାଇଛି, ସେତେବେଳେ ସମାଜ ବିଧବା ବିବାହକୁ ପୂର୍ଣ୍ଣପ୍ରାଣରେ ସ୍ଵୀକୃତି ଦେଇନଥିଲା । ଦ୍ଵିତୀୟତଃ, ମୋର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । ଏଠି ଧୋବୀ ଓ ସନିଆର ବିବାହ ସଂଘଟିତ କରିଥିଲେ, ପାଠକ ମନରେ, ବିଧବା ବିବାହ ସପକ୍ଷରେ ଯେତିକି ଚେତନା ସୃଷ୍ଟି ହୋଇଥାନ୍ତା, ଏ ବିବାହ ସଂଘଟିତ ନକରିବା ଦ୍ୱାରା ତା’ଠାରୁ ଅଧିକ ଆଲୋଡ଼ନ ସୃଷ୍ଟି ହେବ । ଏଇ ଧାରଣାର ବଶବର୍ତ୍ତୀ ହୋଇ ମୁଁ ତା କରିନାହିଁ ।

 

(୫)

‘‘ନିଷ୍ପତ୍ତି’’ - ୫ମ ସଂସ୍କରଣ - ୧୩- ୧୪ ।

(୬)

‘‘ଶାସ୍ତି’’ - ୫ମ ସଂସ୍କରଣ - ୧୪୪

 

(୭) ଯେଉଁଠି କ୍ଷୁଧାର ଏପରି ଦିଗ୍‌ବିଜୟ, ମୃତ୍ୟର ଏପରି ଦୁର୍ଲଘଂବିସ୍ତାର, ଜୀବନ ସେଠି କେତେ ତୁଚ୍ଛ କେତେ ତୁଚ୍ଛାତିତୁଚ୍ଛ ପୁଣି ସେ ଜୀବନକୁ ମାର୍ଜିତ ଶୃଙ୍ଖଳିତ କରିବାକୁ ମଣିଷ ଗଢ଼ିଥିବା ଧର୍ମ ଶୃଙ୍ଖଳା, ନୀତି ପରମ୍ପରା ! ମୁଠାଏ ଭାତ କି ଖଣ୍ଡେ ରୁଟିପାଇଁ ଏ ସବୁକୁ ତୁଚ୍ଛ କରିଦେବା ସେତେବେଳେ ଥିଲା ସାଧାରଣ କଥା । ଅଥଚ କୌଣସି ଉପାୟରେ ମୁଠାଏ ଖାଇ ବା ଢୋକେ ପିଇ ମୁମୂର୍ଷୁ ଭାବେ ବଞ୍ଚିଥିବା ଗୃହତ୍ୟାଗୀ ଲୋକେ ଯେତେବେଳେ ଘରକୁ ଫେରିଲେ, ମରିହଜି ଯାଇଥିବା ଲୋକେ ଯେତେବେଳେ ଆପଣାର ଘର ପରିବାରକୁ ପୁଣି ଏକାଠି କରିବାକୁ ଲାଗିଲେ, ସେତେବେଳେ ଦେଖା ଦେଇଥିଲା ଏକ ବିଚିତ୍ର ସଂକଟ । ଧର୍ମ ନାମରେ, ଜାତି ନାମରେ, ନିୟମଶୃଙ୍ଖଳା ନାମରେ, ଗୋଟିଏ ଶ୍ରେଣୀର ଲୋକେ ଏଇ ଅର୍ଦ୍ଧମୃତ ଲୋକଙ୍କୁ ଶୋଷଣ କରିବାର ଉପାୟ ବାହାର କଲେ । ‘ଶାସ୍ତି’ ଉକ୍ତ ସାମାଜିକ ସଂକଟର ରୂପକାର । ସନେଇଁ ଗାଁକୁ ଫେରିଛି । ଚାହିଁଛି ତା’ର ଅଧିକାର ଚିନ୍ତେଇଁ ସୋଇଁଙ୍କ ପରି ସମାଜପତିଙ୍କଠାରୁ, ପ୍ରହରାଜଙ୍କ ପରି ଧର୍ମାଧିପତିଙ୍କଠାରୁ । ତା’ର ଜାତିରେ ମିଶିବା ପାଇଁ ପ୍ରହରାଜେ ବ୍ୟବସ୍ଥା କଲେ । ହୋମ ହେବ, ପଞ୍ଚଗବ୍ୟ ହେବ ! ଶୁଦ୍ଧି, ପ୍ରାୟଶ୍ଚିତ୍ତ, ବ୍ରାହ୍ମଣରଭୋଜନ, ଜ୍ଞାତି ଭୋଜନ, ଇଷ୍ଟଦେବ ଗୋପୀନାଥଙ୍କ ମାଜଣା ଓ ଅଷ୍ଟପ୍ରହରୀ । ଗ୍ରାମଦେବତୀ ଓ ମହାଦେବ ପୂଜା । ନଚେତ୍‌ ମଣିଷ ହେଲେ ମଧ୍ୟ ତାକୁ ପ୍ରେତ ବୋଲି ଗଣିବାକୁ ହେବ । ଜୀବନ୍ତ ମଣିଷଙ୍କୁ ଏ ପ୍ରକାର ଶାସ୍ତି ଦେଇ ପ୍ରେତକରି ଦେବାର ପ୍ରହରାଜଙ୍କ କ୍ଷମତା ମୂଳରେ ଥିଲା ଜାତି ଧର୍ମ ଭୀରୁ ମନୋଭାବର ଭିତ୍ତି । ସନେଇ ପରି ଆଦର୍ଶବାନ୍‌ ଯୁବକ କେତେଦିନ ଏଇ ଲୋକଦେଖାଣିଆ ପ୍ରାୟଶ୍ଚିତ୍ତ କରି ନିଶ୍ଚିତ ହୋଇ ରହିପାରିଥାନ୍ତା ? ‘‘ମାନବବାଦୀ ହୃଦୟତା’ର ସେଇଥିପାଇଁ ଧର୍ମର ଏ ବାହ୍ୟାଚାରକୁ ପୁନର୍ବାର ଉପେକ୍ଷା କଲା । ସାମାଜିକ ଶୃଙ୍ଖଳାର ଅନୁଦାର ରୂପକୁ ଲଘଂନ କଲା । ଜାତି, ଧର୍ମର ପରିଧିରୁ ମୁକୁଳିବାକୁ ଚେଷ୍ଟାକଲା ଏକ ଆଦର୍ଶ ମାନବ ସାମଜର ଭିତ୍ତି ସ୍ଥାପିବାକୁ (୮) କାହ୍ନୁ ଚରଣ ତେଣୁ ଜାତିଆଣ ମନୋଭାବକୁ ଅସ୍ଵୀକାର କରିଛନ୍ତି - ‘‘ଦୁଇଟା ତ ଜାତି, ସ୍ତ୍ରୀ ଆଉ ପୁରୁଷ । ଗୋଟିକ ବିନା ଆରଟି ଅପୂର୍ଣ୍ଣ, ଅଜାତି । ସୃଷ୍ଟି ଖୋଜେ ସ୍ତ୍ରୀ ଆଉ ପୁରୁଷ । ମଣିଷ ଗଢ଼ା ଜାତି ଧର୍ମ ଦେଶ ଭେଦରେ ସୃଷ୍ଟି ଅଟକି ରହେନାହିଁ ।

 

(୭)

ପ୍ରଜାତନ୍ତ୍ର ସାପ୍ତାହିକୀ - ୧୮ - ୨୪ ଅକ୍ଟୋବର ୧୯୮୭ ।

(୮).

ଉପନ୍ୟାସର ସମାଜତତ୍ତ୍ୱ - କଇଳାଶ ପଟ୍ଟନାୟକ - ପୃ - ୨୨୦ ।

(୯).

‘‘ଶାସ୍ତି’’ ୮ମ ସଂସ୍କରଣ - ପୃ - ୮ ।

 

(୯) ତଥାପି ‘ଶାସ୍ତି’ର ନାୟକନାୟିକା ପରସ୍ପର ପ୍ରତି ନିବିଡ଼ - ଉତ୍ସର୍ଗୀକୃତ ପ୍ରେମ ସତ୍ତ୍ୱେ ମିଳିତ ହୋଇପାରି ନାହାନ୍ତି ଉନବିଂଶ ଶତାବ୍ଦୀର ଅର୍ଦ୍ଧମୃତ ସମାଜର ରକ୍ଷଣଶୀଳତାର ଭୟରେ । ‘ହା-ଅନ୍ନ’ ଉପନ୍ୟାସରେ ମଧ୍ୟ ଜଗୁ ଆଉ ଉମାର ମିଳନର ପ୍ରଧାନ ଅନ୍ତରାୟ ଥିଲା ସେମାନଙ୍କର ଜାତି । କେବଳ ଉନବିଂଶ ଶତାବ୍ଦୀରେ ନୁହେଁ ବିଂଶ ଶତାବ୍ଦୀରେ ମଧ୍ୟ ଏହି ଜାତି ଭେଦର ପ୍ରଭାବ କମ୍‌ ନଥିଲା । ‘ଦୁନିଆର ଦାଉ’ ଉପନ୍ୟାସରେ ଶିରିଆ ପାଣର ଚରିତ୍ର ମାଧ୍ୟମରେ କାହ୍ନୁ ଚରଣ ତାହା ଦର୍ଶାଇଛନ୍ତି । ‘ଭଲପାଇବାର ଶେଷକଥା’ରେ ଅସବର୍ଣ୍ଣ ଝିଅ ‘ଫୁଲ’, ବ୍ରାହ୍ମଣ ଗୁଣ ସାଆନ୍ତଙ୍କ ଭିତରେ ଗଢ଼ିଉଠିଥିବା ନିଷିଦ୍ଧ ପ୍ରେମକାହାଣୀରେ ସେ ଦେଖାଇଛନ୍ତି ଯେ ଆତ୍ମ ସଂଯମ-ତ୍ୟାଗ- ସହିଷ୍ଣୁତା ଦୃଷ୍ଟିରୁ ବାଉରୀଝିଅ ହେଲେ ମଧ୍ୟ ଲମ୍ପଟ ବ୍ରାହ୍ମଣ ସନ୍ତାନଠାରୁ ସେ ଖୁବ୍‌ ଉଚ୍ଚରେ । ସେମାନଙ୍କୁ ଛୁଇଁଲେ ବ୍ରାହ୍ମଣ ପଇତା ମାରା ହୁଏ । କିନ୍ତୁ ସେମାନଙ୍କ, ମନ ଛୋଟ ନୁହେଁ । ପ୍ରାଚୀନ ହିନ୍ଦୁ ସମାଜରେ ଉନ୍ନତ ବୃତ୍ତି ଓ ହୀନ ବୃତ୍ତିର ମାପକାଠିରେ ମଣିଷକୁ ସମ୍ମାନ ବା ଘୃଣା କରାଯାଉଥିଲା । କିନ୍ତୁ ବିଂଶ ଶତାବ୍ଦୀରେ ନିମ୍ନ ଜାତିର ଲୋକ ଉନ୍ନତ ବୃତ୍ତି ଅବଲମ୍ବନ କଲେ ମଧ୍ୟ ତାକୁ ତାର ନ୍ୟାର୍ଯ୍ୟ ପ୍ରାପ୍ୟ ଓ ସମ୍ମାନ ମିଳୁ ନଥିଲା । ଭଲପାଇବାର ଶେଷକଥା’ ତା’ରି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି । ‘ଶାସ୍ତି’ର ନାୟକ ସନେଇ ଏଇ ଜାତିପାଇଁ ଧର୍ମ ପାଇଁ ହୋଇଛି ଯାଯାବର ! ସେ କହିଦେଇଯାଇଛି ମୁଁ ମାନେ ନାହିଁ - ଧର୍ମ, ସମାଜ, ଜାତି, ମାନେ ଜୀବନ - ନାରୀ ପୁରୁଷର ମିଳନ ସଂପର୍କ ଓ ମିଳିତ ଜୀବନର ସ୍ୱାର୍ଥ ।”

 

ଫ୍ରଏଡ୍‌ଙ୍କ ଅବଚେତନ ମନର ତତ୍ତ୍ୱ ଭାରତୀୟ ଉପନ୍ୟାସ ତ ଦୂରର କଥା ପ୍ରଥମ ମହାଯୁଦ୍ଧ ପୂର୍ବରୁ ୟୁରୋପୀୟ ଉପନ୍ୟାସରେ ମଧ୍ୟ ବିଶେଷ ପ୍ରଭାବ ବିସ୍ତାର କରିପାରିନଥିଲା । କିନ୍ତୁ ପ୍ରଥମ ମହାଯୁଦ୍ଧ ପରେ ୟୁରୋପୀୟ ଉପନ୍ୟାସରେ ଏହି ମନୋବିଶ୍ଲେଷଣ ଧାରାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ପରିଲକ୍ଷିତ ହେଲା । ୧୯୩୦ ମସିହା ପରେ, ଫ୍ରଏଡୀୟ ମନସ୍ତତ୍ତ୍ୱ ଦ୍ୱାରା ଭାରତୀୟ ଭପନ୍ୟାସ ମଧ୍ୟ ପ୍ରଭାବିତ ହେବାକୁ ଲାଗିଲା । ଫ୍ରଏଡ଼୍‌ଙ୍କ ତତ୍ତ୍ୱ ଦ୍ୱାରା ହେଉ ଅଥବା ତାଙ୍କ ଉପନ୍ୟାସ ପାଠ କରିହେଉ କାହ୍ନୁ ଚରଣ ଓଡ଼ିଆ ଉପନ୍ୟାସରେ, ବିଶେଷତଃ ନାରୀ ଚରିତ୍ରରେ ଫ୍ରଏଡ଼ୀୟ ମନସ୍ତାତ୍ତ୍ୱିକ ବିଶ୍ଳେଷଣକୁ ନିଜସ୍ଵ ଭଙ୍ଗୀରେ ବ୍ୟବହାର କରି ପାଠକ ମନ ଜୟ କରିବାକୁ ସକ୍ଷମ ହୋଇଥିଲେ । 'Womens is barometer of social consciousness' କାହ୍ନୁ ଚରଣଙ୍କ ଅଧିକାଂଶ ଉପନ୍ୟାସ ମୁଖ୍ୟତଃ ସମାଜର ବିଭିନ୍ନ ଶ୍ରେଣୀର ନାରୀ ଓ ସେମାନଙ୍କର ସମସ୍ୟା ଉପରେ ଆଧାରିତ ।

 

କାହ୍ନୁ ଚରଣଙ୍କ ଆଦି ପର୍ଯ୍ୟାୟର ଉପନ୍ୟାସରେ ନାରୀ ତ୍ୟାଗ, ସହିଷ୍ଣୁତା ବଳରେ ଅନ୍ୟମାନଙ୍କ ହୃଦୟ ଜୟ କରିବାକୁ ଚେଷ୍ଟାକରିଛି । କିନ୍ତୁ ସ୍ଵାଧୀନତା ପରବର୍ତ୍ତୀ କାଳରେ ନିଜର ବ୍ୟକ୍ତିତ୍ୱ ବଳରେ ସେ ନିଜ ଅଧିକାର ସାବ୍ୟସ୍ତ କରିବାପାଇଁ ପଶ୍ଚାତ୍‌ପଦ ହୋଇନାହିଁ । କାହ୍ନୁ ଚରଣଙ୍କ ନାରୀ ଜାତି, ଧର୍ମଶ୍ରେଣୀ ନିର୍ବିଶେଷରେ ସର୍ବଦା କଲ୍ୟାଣମୟୀ । ‘‘ସେ ନାରୀ, ସୃଷ୍ଟିପାଇଁ ତା’ର ଜନ୍ମ, ଧ୍ଵଂସ ପାଇଁ ନୁହେଁ । ସେ କରେ ସୃଜନ, ସେ ବଞ୍ଚାଇରଖେ ଦୁନିଆକୁ । ସେ ଜନନୀ, ସେ ମାତା ! ଜନନୀ ହେବାକୁ ସେ ଖୋଜେ ପୁରୁଷ । ମାତା ହେବାକୁ ସେ ଖୋଜେ ଶକ୍ତି । ଶକ୍ତି ତା’ର କୋମଳତା’’ । ‘ଲଲାଟ ଳିଖନ’ ଓ ‘ବଜ୍ରବାହୁ’ ଉପନ୍ୟାସରେ ‘ବେଲି’ ଓ ‘ଫୁଲଦାନୀ’ ନିଜ ନିଜର ସ୍ଵତନ୍ତ୍ର ବ୍ୟକ୍ତି ତବ ଧରି ରୂପ ପାଇଛନ୍ତି । ‘ତୁଣ୍ଡବାଇଦ’ର ତୁଳସୀ ଲୋକ ଅପବାଦକୁ ଭୟ କରି ନିଜ ଦିଅର ସୂରକୁ ବିବାହ ନକରି ହାଟରେ ପରିବା ବିକି ନିଜମାଆ ଓ ପୁଅକୁ ବଞ୍ଚାଇ ରଖିବାପାଇଁ ଜୀବନର କୁଚ୍ଛସାଧନାରେ ଲିପ୍ତ ହୋଇଛି । ‘ଝଞ୍ଜା’ର ନାୟିକା କ୍ଷଣପ୍ରଭା ଜୀବନର ସୀମାବଦ୍ଧତାକୁ ଅତିକ୍ରମ କରି ସାମାଜିକ ଜୀବନର ବୃହତ୍ତର କ୍ଷେତ୍ରରେ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ ହୋଇଛନ୍ତି । ‘କା’ ଉପନ୍ୟାସରେ ‘ସୁନନ୍ଦା’ର ଦ୍ୱନ୍ଦ୍ୱ ସଂଘର୍ଷମୟ ପାରିବାରିକ ଜୀବନର ସମସ୍ୟା ବାସ୍ତବରେ ହିଁ ସମାଜର ସମସ୍ୟା ।

 

ପ୍ରେମ ମଣିଷ ଜୀବନର ଏକ ମହତ୍‌ ଓ ଦୁର୍ଲଭ ଉପଲବ୍‌ଧି । ନାରୀ ଓ ପୁରୁଷ ମଧ୍ୟରେ ହୃଦୟ ବିନିମୟ ଓ ପରସ୍ପର ପ୍ରତି ଶାରୀରିକ ଆକର୍ଷଣକୁ କେନ୍ଦ୍ରକରି ଏହା ଗଢ଼ିଉଠେ । ମଣିଷ ଜୀବନରେ ପ୍ରେମ ଯେହେତୁ ପ୍ରଧାନ ଇଚ୍ଛାଶକ୍ତି ଭାବରେ କାମ କରେ କାହ୍ନୁ ଚରଣ ଜୀବନର ବାସ୍ତବ ରୂପକୁ ଫୁଟାଇବା ପାଇଁ ପ୍ରେମର ବର୍ଣ୍ଣିଳ ଆଲେଖ୍ୟ ତାଙ୍କ ଉପନ୍ୟାସରେ ଦେଇଛନ୍ତି । କାହ୍ନୁ ଚରଣଙ୍କ ପୂର୍ବରୂ ଓଡ଼ିଆ ସାହିତ୍ୟରେ ପ୍ରେମପ୍ରଧାନ ଉପନ୍ୟାସ ଯେ ରଚିତ ହୋଇନଥିଲା ତା ନୁହେଁ, କିନ୍ତୁ ସେ ସମାଜ ସଂସ୍କାର ଓ ସମାଜ ବିପ୍ଲବ ପାଇଁ ନିଜ ଉପନ୍ୟାସରେ ନରନାରୀମାନଙ୍କ ପ୍ରେମକୁ ଏକ ଅର୍ନ୍ତନିହିତ ଶକ୍ତି ଭାବରେ ଯେପରି ବ୍ୟବହାର କରିଛନ୍ତି ସେଭଳି ଉଦ୍ୟମ ପୂର୍ବରୁ ହୋଇନଥିଲା । ‘ଭଲପାଇବାର ଶେଷକଥା’ ଉପନ୍ୟାସରେ ଅଛବ କନ୍ୟା ଫୁଲ, ବ୍ରାହ୍ମଣ ପୁଅ ଗୁଣ, ‘ହା- ଅନ୍ନ’ ରେ ଖଣ୍ଡାୟତ ପୁଅ ଜଗୁ ଓ ଗୁଡ଼ିଆ ଘରର ଝିଅ ଉମା ‘ଶାସ୍ତି’ ଉପନ୍ୟାସରେ ଛତରଖିଆ ସନିଆ ଓ ବିଧବା ଧୋବୀର ପ୍ରେମ ସାମାଜିକ ପ୍ରତିବନ୍ଧକ ଯୋଗୁ ବ୍ୟର୍ଥ ଓ ଅଶ୍ରୁସିକ୍ତ ହୋଇଉଠିଛି । ଫୁଲ ବୁଝି ପାରିଛି ଗୁଣ ସାଆନ୍ତେ ତାକୁ ପ୍ରାଣଭରି ଉଲପାଇଲେ ବି ତାଙ୍କର ଜାତରି ଡ଼ର, ନିନ୍ଦାର ଭୟ । ସେଥିପାଇଁ ନିଜକୁ ନିଜେ ସେ ବୁଝାଇଦେଇଛି - ‘‘ଭଲପାଇବାଟା ସୀମାବଦ୍ଧ ଜିନିଷ ନୁହେଁ ଯେ ଥରେ ଜଣକୁ ଦେଇଦେଲେ ସରିଯିବ । ଭଲପାଇବାଟା ଅନନ୍ତ, ଅସୀମ । ମନର ଆକର୍ଷଣ ନେଇ ସମଗ୍ର ସଂସାରକୁ ମଣିଷ ଭଲପାଇପାରେ । (୧୦) ସେଇପରି ଧୋବୀ ଓ ସନିଆ ପରସ୍ପରକୁ ଭଲପାଇ ମଧ୍ୟ ମିଳିତ ହୋଇପାରି ନାହାଁନ୍ତି । ‘ଓଲଟ ପାଲଟ’ ଓ ‘ପରକୀୟା’ ଦୁଇଟି ବିବାହିତା ନାରୀଙ୍କର ଅବିବାହିତ ସଂପର୍କୀୟ ଦିଅରମାନଙ୍କ ସହ ପ୍ରେମ ଓ ତା’ର ପରିଣତିର କାହାଣୀକୁ ନେଇ ରଚିତ । ସ୍ଵାମୀ ଦ୍ୱାରା ଅବହେଳିତା ନାରୀର ସ୍ଵାଭାବିକ ଶାରୀରିକ କ୍ଷୁଧା ଓ ସନ୍ତାନ କାମନାର ମାନବିକ ସମସ୍ୟା ହିଁ ଏହି ଉପନ୍ୟାସରେ ରହିଛି । ‘ଝଞ୍ଜା’ରେ କ୍ଷଣପ୍ରଭା ଦୁଷ୍ମନ୍ତ, ତୁଷାରକାନ୍ତି ଏବଂ ‘ବଜ୍ରବାହୁ’ ରେ ଆହୂତି - ସୁବ୍ରତଙ୍କ ପ୍ରେମ ସନିଆ - ଧୋବୀ କିମ୍ବା ସରସୀ - ଘନଙ୍କ ପରି ଭଲପାଇବା ନୁହେଁ । କ୍ଷଣପ୍ରଭା ପାଇଁ ପ୍ରେମର ଅନ୍ୟନାମ ହେଉଛି ତ୍ୟାଗ । ଦୁଷ୍ମନ୍ତଙ୍କ ପାଇଁ ପ୍ରେମ ହେଉଛି ପ୍ରତୀକ୍ଷା । ପ୍ରେମ ଜୀବନର ଏକ ଦିବ୍ୟ ଅନୁଭୂତି । ଏହା ପ୍ରବୃତ୍ତିଗତ, ନୁହେଁ ସମାଜଲବ୍‌ଧ । ସମାଜରେ ପରିବ୍ୟାପ୍ତ ଆର୍ଥିକ ବୈଷମ୍ୟ, ଜାତି ଓ ଧର୍ମଗତ ଭେଦଭାବକୁ ପ୍ରେମ- ଶକ୍ତିହଁ ଅନାୟାସରେ ଭାଙ୍ଗିଦେଇପାରେ । କାହ୍ନୁ ଚରଣ ପୁରୁଷ-ନାରୀ ମଧ୍ୟରେ ଗଢ଼ିଉଠିଥିବା ପ୍ରେମାନୁଭୂତିକୁ ସମାଜ ସଂସ୍କାର ଓ ସମାଜ ବିପ୍ଲବର ଏକ ବଳିଷ୍ଠ ମାଧ୍ୟମ ଭାବରେ ଗ୍ରହଣ କରି ନେଇଛନ୍ତି ।

 

(୧୦)

‘‘ଭଲପାଇବାର ଶେଷକଥା” - ୧୦ମ ସଂସ୍କରଣ - ପୃ - ୨୫ ।

 

କାହ୍ନୁ ଚରଣଙ୍କ ଉପନ୍ୟାସରେ ସମାଜ ସଚେତନତା କେବଳ ନାୟକନାୟିକାମାନଙ୍କ ସାମାଜିକ ସମସ୍ୟା, ସଂକଟର ଚିତ୍ରପ୍ରଧାନରେ ସୀମାବଦ୍ଧ ରହିନାହିଁ । ସମସ୍ୟା ସଙ୍କଟର ସମାଧାନରେ ତାଙ୍କର ଏହି ସମାଜଦର୍ଶନର ତିନୋଟି ସ୍ତର ଲକ୍ଷ୍ୟ କରାଯାଇଥାଏ । ପ୍ରାଥମିକ ସ୍ତରରେ, ଓଡ଼ିଆ ଜାତିର ଅଧଃପତନ ଓ ଅବନତି ପାଇଁ ତାଙ୍କର ଅନୁଶୋଚନା ଏବଂ ସେଥିପାଇଁ ଓଡ଼ିଶାର ଅତୀତ ଗୌରବର ସ୍ମୃତିକୁ ପାଠକ ମନରେ ଜାଗ୍ରତ କରିବାର ପ୍ରଚେଷ୍ଟା, ଦ୍ଵିତୀୟ ସ୍ତରରେ, ସମକାଳୀନ ସମାଜ ଜୀବନରେ ଓଡ଼ିଆ ଜାତିର ଏକତା ଓ ଓଡ଼ିଆ ଲୋକଙ୍କ ଜୀବନକୁ ବିପନ୍ନ କରିଥିବା ଅନ୍ଧବିଶ୍ଵାସ ଓ କୁସଂସ୍କାର ବିରୁଦ୍ଧରେ ତାଙ୍କର ସଂଗ୍ରାମ, ତୃତୀୟ ସ୍ତରରେ, ବ୍ୟାପି ରହିଥିବା ଅର୍ଥନୈତିକ ବୈଷମ୍ୟ ଓ ସାମାଜିକ ଅସମାନତା ଦୂରୀକରଣ ପାଇଁ ସମାଜ ବିପ୍ଳବର ସ୍ଵପ୍ନ । ବ୍ୟକ୍ତି ଚରିତ୍ର ବଦଳିଲେ ସମାଜର ଶ୍ରେଣୀ ଚରିତ୍ର ମଧ୍ୟ ବଦଳି ଯାଇ ପାରିବ, ଏହା ହିଁ ତାଙ୍କ ଉପନ୍ୟାସର ମୂଳକଥା ।

 

ବଡ଼ପଡ଼ା, କେନ୍ଦ୍ରାପଡ଼ା - ୪୫

 

***

 

ଗାଁଗହଳିର ଗୀତିକାବ୍ୟ ଚଉତିଶା

ଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ଶୂରଦେଓ

 

ଗାଁଗହଳିର ଗୀତି କାବ୍ୟ ଚଉତିଶାର ସୃଷ୍ଟି ଉତ୍କଳୀୟ କବିମାନଙ୍କର ଏକ ସୌଖୀନ ବିଳାସ । ଓଡ଼ିଶାର ପ୍ରାଚୀନ କଳାପ୍ରାଣ ଦକ୍ଷ କବିବୃନ୍ଦ ବର୍ଣ୍ଣମାଳାର ଚଉତ୍ରିଶ ଅକ୍ଷରକୁ ଆଦ୍ୟରେ ରଖି କବିତା ରଚନା କରିବାରେ ନିଜର ବୈଶିଷ୍ଟ୍ୟ ଓ ଚାତୁରୀ ପ୍ରଦର୍ଶନ କରି ଯାଇଅଛନ୍ତି । ବର୍ଣ୍ଣମାଳା ଚଉତ୍ରିଶଟି ବ୍ୟଂଜନ ବର୍ଣ୍ଣ କ୍ରମରେ ଏହି କବିତାଗୁଡ଼ିକ ରଚନା ହୋଇଥିବାରୁ ଏହା ଚଉତିଶା ବୋଲି କଥିତ । ଦୁଇ ତିନୋଟି ଉଦାହରଣ ବ୍ୟତୀତ ସାଧାରଣତଃ ଓଡ଼ିଆ ଚଉତିଶାରେ ସ ଓ ଶ ବ୍ୟତୀତ ଷ ର ବ୍ୟବହାର ଦୃଷ୍ଟି ଗୋଚର ହୁଏ ନାହିଁ । ଜ ଓ ଯ ମଧ୍ୟରେ କୌଣସି ପାର୍ଥକ୍ୟ ମଧ୍ୟ ଦେଖାଯାଏ ନାହିଁ । ତାଛଡ଼ା ଙ, ଞ୍ଜ, ଣ ଓ କ୍ଷ ପ୍ରଭୃତି ବଦଳରେ ଯଥା କ୍ରମେ ନ-ନ-ଅ ଓ ଛ ପ୍ରଭୃତି ଏବଂ ଥ ସ୍ଥାନରେ ସମୟେ ସମୟେ ସ୍ତ ଓ ସ୍ଥ ପରିଲିକ୍ଷିତ ହୋଇଥାଏ ।

 

ଅତ୍ୟନ୍ତ ଆଶା ଓ ଆନନ୍ଦର ବିଷୟ ଏହି ଯେ, ପ୍ରାଚୀ ସାହିତ୍ୟ ସମିତି ପ୍ରାଚୀନ ଚଉତିଶାମାନଙ୍କର ଆବିଷ୍କାର କରି ସେଗୁଡ଼ିକୁ ଚଉତିଶା ମଧୁଚକ୍ର ପୁସ୍ତକରେ ପ୍ରକାଶ କରିଅଛନ୍ତି । ତାହା ପୁସ୍ତକର ମୁଖବନ୍ଧରୁ ଜଣାଯାଏ । ସେମାନେ ଆଜି ପର୍ଯ୍ୟନ୍ତ ଦୁଇଶତ ଚଉତିଶା ଆବିଷ୍କାର କରିବାକୁ ସମର୍ଥ ହୋଇଛନ୍ତି । ତଥାପି ଅନେକ ଚଉତିଶା ବର୍ତ୍ତମାନ ମଧ୍ୟ ବିସ୍ମୃତିର ଅତଳ ଗର୍ଭରେ ରହି ଅଛି, ଏହା ସ୍ଵୀକାର କରିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଚଉତିଶାମାନଙ୍କ ମଧ୍ୟରୁ କଳସା ଚଉତିଶା ସବୁଠାରୁ ପ୍ରାଚୀନ ଏବଂ ଏହା ଓଡ଼ିଆ ଭାଷାର ପ୍ରଥମ କବିତା ବୋଲି ଅନେକେ ମତ ପ୍ରକାଶ କରିଥା’ନ୍ତି । ସାରଳା ଦାସଙ୍କର ଏକ ପଂକ୍ତି ଉଦ୍ଧାର କଲେ ଜଣାଯାଏ, ସାରଳା ଦାସଙ୍କ ମହାଭାରତ ପୂର୍ବରୁ ଉତ୍କଳର ପୁରପଲ୍ଲୀରେ କଳସା ଚଉତିଶା ଗୀତ ସମାଦୃତ ହେଉଥିଲା ।

 

‘‘ବେଦ ମନ୍ତ୍ର ଯୁଗତେ ସେ ଯେ ପଢ଼ନ୍ତି କଳସା

ବିଶିଷ୍ଠ ମାରକଣ୍ଡ ଆବର ଦୁର୍ବାସା ।’’

 

(ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ କେତେକ ସମାଲୋଚକଙ୍କ ମତରେ) ତାଛଡ଼ା ଅପ୍ରକାଶିତ ପାଣ୍ଡୁଲିପି (ସାରଳା ମହାଭାରତ)ର ୩୧୫ ପୃଷ୍ଠାରୁ ମଧ୍ୟ ଏକ ପଂକ୍ତି ଉଦ୍ଧାର କରାଯାଇ ପାରେ :

 

‘‘ବିଧି ପୂର୍ବମତେ ବଦନ୍ତି କଳସା

ବଶିଷ୍ଠ ମାରକଣ୍ଡ ଆବର ଦୁର୍ବାସା ।’’

 

କଳସା ଚଉତିଶାର ପରିମାର୍ଜିତ ଭାଷା ଓ ଅଭିନବ ପ୍ରକାଶଭଙ୍ଗୀ ଦେଖିଲେ ମନେ ହୁଏ, ଏହା ଆଗରୁ ମଧ୍ୟ ଓଡ଼ିଶାରେ ଚଉତିଶା କବିତା ଥିବାର ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଏ ପର୍ଯ୍ୟନ୍ତ ଏଥିରେ କୌଣସି ପ୍ରମାଣ ମିଳି ନଥିବାରୁ ଆମକୁ କଳସାକୁ ହିଁ ପ୍ରଥମ ଚଉତିଶା ବୋଲି ଧରିନେବାକୁ ହେବ । କଳସା ଚଉତିଶା ଆଜକୁ ପ୍ରାୟ ପାଞ୍ଚଶହ ବର୍ଷପୂର୍ବେ ରଚିତ ହୋଇଥିଲା । ସେହି ପ୍ରାଚୀନ କାଳରୁ ଓଡ଼ିଆରେ ଅନେକ ଚଉତିଶା ରଚିତ ହୋଇଅଛି ଏବଂ ସେ ସବୁ ଅତି ପ୍ରାଚୀନ । ନିମ୍ନଲିଖିତ କବିମାନେ ନିମ୍ନଲିଖିତ ଚଉତିଶା ମାନରଚନା କରିଛନ୍ତି ।

 

ଦୀନକୃଷ୍ଣ :

ରାଧାଦର୍ଶନ ଚଉତିଶା, ଅମୃତନିଧି ଚଉତିଶା, ଅନୁରାଗ ରତ୍ନାକର ଚଉତିଶା, ଗୋପୀ ସନ୍ଦେଶ ଚଉତିଶା, ଦୁଷ୍ମନ୍ତ ଚଉତିଶା, ବଉଳ ଚଉତିଶା, ବାନ୍ଧବୀ ଚଉତିଶା, ନବଘନ ଚଉତିଶା, ଆର୍ତ୍ତତ୍ରାଣ ଚଉତିଶା, ଘନଶ୍ୟାମ ଚଉତିଶା, ଗୁଣ୍ଡିଚା ଭାବନା ଚଉତିଶା, ସ୍ନାନ ସ୍ମରଣ ଚଉତିଶା, ସାଧୁ ଚରଣ ଚଉତିଶା । ଜଗବନ୍ଧୁ ଜଣାଣ ଚଉତିଶା, ପ୍ରେମ ଚିନ୍ତାମଣି ଚଉତିଶା, ସୀତାନୁଚିନ୍ତା ଚଉତିଶା ।

 

ମଙ୍ଗରାଜ

: ରାମଚନ୍ଦ୍ର ଜଣାଣ ଚଉତିଶା ।

ଭୋବନି

: ବଉଳ ଚଉତିଶା ।

ବଂଶୀଧର ଦାସ

: ସପ୍ତରାଗ ଚଉତିଶା ।

କ୍ଷତ୍ରିବର ଦେଓ ଭଞ୍ଜ

: ବୋଲି ଚଉତିଶା ।

ନିଧିଦାସ

: ମଥୁରା ବିଜେ ଚଉତିଶା ।

ଗୋପିନାଥ

: ଦୀନ ବନ୍ଧୁ ଚଉତିଶା, ଉଦ୍ଧବ ଚଉତିଶା ।

କୃଷ୍ଣଦାସ

: ଗୋପୀ ଜୀବନ ଚଉତିଶା, ଶ୍ରୀକର କୃଷ୍ଣ ବିଛେଦ ଚଉତିଶା ।

ପରମାନନ୍ଦ

: କୃଷ୍ଣ ବିରହ ଚଉତିଶା, କମଳ ଦଳ ଚଉତିଶା ।

ଗୋକୁଳ ନରେନ୍ଦ୍ର

: ଚନ୍ଦ୍ରାବଳୀ ଚଉତିଶା ।

ଭ୍ରମର ବର ରାଏ

: ଉଦ୍ଧବ ଚଉତିଶା ।

ଭୂପତି ପଣ୍ଡିତ

: ବିଷ୍ଣୁଦାସଙ୍କ ଚଉତିଶା, ମନ୍ଦାକିନୀ ଚଉତିଶା, ବର୍ଷା ଭାବନା ଚଉତିଶା ।

ବିଷ୍ଣୁଦାସ

: କେଳି କଳ୍ପଦ୍ରୁମ ଚଉତିଶା ।

ଧନଞ୍ଜୟ ଭଂଜ

: ଅଭିନ୍ନା ଚଉତିଶା ।

ଦାଶରଥି ଦାସ

: ବା ଚଉତିଶା, ରସ କଦମ୍ୱ ଚଉତିଶା ।

ଲୋକନାଥ ଧୀବର

: ବା ଚଉତିଶା ।

ବିପ୍ର କପିଳ

: କଳସା ଚଉତିଶା ।

ବଚ୍ଛା ଦାସ

: ରସକୁଲ୍ୟା ଚଉତିଶା ।

ଦାମୋଦର

: ସାନ କନଡ଼ା ଚଉତିଶା ।

ଦନାଇ ଦାସ

: କଲିଗମନ ଚଉତିଶା ।

ନୃସିଂହ ରାୟ

: ଚିଟାଉ ଚଉତିଶା

ଉପେନ୍ଦ୍ର ଭଂଜ

: କିଶୋରୀ ଚଉତିଶା, ପୀତାମ୍ୱର ଚଉତିଶା, ସଙ୍ଗିନୀ ଚଉତିଶା-

ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା

: ରାଧାମାଧବ ଚଉତିଶା !

ମଦନ

: ରାଧାମୋହନ ଚଉତିଶା ।

ନିତ୍ୟାନନ୍ଦ

: ସାରଙ୍ଗ ଦୂତ ଚଉତିଶା, ଉଦ୍ଧବ ଚଉତିଶା ।

କୃପାସିନ୍ଧୁ ସୁମନ୍ତ

: ରାଧା ବିରହ ଚଉତିଶା ।

କେଶବ

: ଫୁଲ ବଉଳ ବେଣୀ ଚଉତିଶା, ପ୍ରୀତି ଚିନ୍ତାମଣି ଚଉତିଶା ।

ବୈଷ୍ଣବ ଚରଣ

: ରାଧାକୃଷ୍ଣ ମିଳନ ଚଉତିଶା ।

ସୁଦର୍ଶନ ପଟ୍ଟନାୟକ

: କୋଳାହଳ ଚଉତିଶା ।

 

ଭକ୍ତ କବି ଭୀମ ଭୋଇ

କରଣ ପୁରୁଷ ବୋଲି, କରପତ୍ର ଯୋଡ଼ି, କଳିଯୁଗ ହେଉଅଛି ଶେଷ, କ୍ଷିତି ମଣ୍ଡଳରେ ଦେହ ବହି, କଷଣ ଦେଖ କଳେ ବଳ, କର କାମନା କର୍ମ ବିଚିତ୍ର, କୃପା ସାଗର କାମନା ଶୂନ୍ୟ ବାନା, କିଶ ଜଣାଇବି ପ୍ରଭୁ ଛାମୁରେ, ଖତମ ହେଉଛି ଏକୋଇଶ ପୁର, କଳିଯୁଗ ଶେଷ ହେଉ ଅଛି ଆସି, କର୍ତ୍ତାଙ୍କ ଛାମୁରେ କରଯୋଡ଼ି, କଳିଯୁଗ କରିଣ ବିଜେ, ଏ ରବି ତଳେ ଖୋଲଖୋଇ ନୁହନ୍ତି ନିଜ ମୂର୍ତ୍ତି, କର୍ମ ଆଦରି ଥାଅ ସର୍ବେ, ଖରାପ ହୋଇଗଲେ ପିଣ୍ଡ, କର୍ମ ଦେବଯା’କୁ କହି, ଖେଳ ଦେଖି ଖିନ କାଳେ, କ୍ଷୀର ସିନ୍ଧୁବାସୀ ଯେହୁ, କଦଳୀ ବୃକ୍ଷ ଲକ୍ଷେ ତୟାର ହୋଇବ, ଖର୍ବ ଖର୍ବ ହୋଇ ଭକ୍ତ, କର୍ମକୁ ନକଲେ କାମନା ସିଦ୍ଧ ହୁଅଇ ନାହିଁ, କ୍ଷିତି ମଧ୍ୟେ ପାପଭରା ହୋଇଲାଣିଯେତେ, କଳିଯୁଗେ କରଣ ବିଜୟେ ରବିତଳେ ॥

 

ଭକ୍ତ ଚରଣ ଦାସ

କଳା କଳେବର ଚଉତିଶା, ମନବୋଧ ଚଉତିଶା, ‘ଏତଦ୍‌ ବ୍ୟତୀତ ଆଉ କେତେଗୁଡ଼ିଏ ଚଉତିଶାର ନାମ ମଧ୍ୟ ଶୁଣିବାକୁ ମିଳେ । ସେଗୁଡ଼ିକ ହେଲା ।

 

ରୁକ୍ମିଣୀ ଚଉତିଶା, ମଧୁପ ଚଉତିଶା, ବିପ୍ର ସିଂହ ଚଉତିଶା, ଯଦୁ ସିଂହ ଚଉତିଶା, ହଂସଦୂତ ଚଉତିଶା, ଚଳଇ ରଥ ଚଉତିଶା, କୁସୁମ ସଉରବ ଚଉତିଶା, କୋଟାଇ ଗୁଣ୍ଡିଚା ଚଉତିଶା, ନନ୍ଦାବାସ ଚଉତିଶା, ବାରମାସୀ ଚଉତିଶା ।

 

ଏହି ଚଉତିଶାଗୁଡ଼ିକ ଏବେ ମଧ୍ୟ ଓଡ଼ିଶାର ପ୍ରତି ଘରେ ଘରେ ସୁପରିଚିତ ! ମାତ୍ର କୌଣସି ଆଧୁନିକ କବିତା ଏତାଦୃଶ ଜନପ୍ରିୟତାର ସୌଭାଗ୍ୟ ଲାଭ କରି ପାରିନାହିଁ । ଚଉତିଶାଗୁଡ଼ିକ ଏପରି ଜନପ୍ରିୟ ହେବାର କାରଣ ଏହିଯେ, ଏହା ସଙ୍ଗୀତମୟ ଥିବାରୁ କଳାପ୍ରାଣ ଉତ୍କଳୀୟମାନଙ୍କର ପ୍ରାଣକୁ ସ୍ପର୍ଶ କରି ପାରିଥିଲା । ବସ୍ତୁବାଦୀ ସଭ୍ୟତାର ପ୍ରସାର ସଙ୍ଗେ ସଙ୍ଗେ ଜାତୀୟ ସାହିତ୍ୟରୁ ସଙ୍ଗୀତର ହ୍ରାସ ଘଟୁଛି ! ସେଥିପାଇଁ ଏ ସାହିତ୍ୟ ଆମ୍ଭର ପ୍ରାଣକୁ ସ୍ପର୍ଶ କରୁନାହିଁ, ହୃଦୟକୁ ଆଲୋଡ଼ିତ କରୁନାହିଁ ଓ ଜନପ୍ରିୟତା ମଧ୍ୟ ହାସଲ କରିପାରୁ ନାହିଁ । ଦ୍ଵିତୀୟତଃ ଚଉତିଶାଗୁଡ଼ିକ ସରଳ, ସହଜ ଓ ସାବଲୀଳ ଭାଷାରେ ଲିଖିତ ଏବଂ ଭାବର କ୍ଳିଷ୍ଟତା ମଧ୍ୟ ନାହିଁ । ଏଭଳି ଏକ ଉନ୍ନତ ସାହିତ୍ୟ ଆଜି ଆମ ଦ୍ୱାରା ଅବହେଳିତ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ ଛଡ଼ା ଆଉ କ’ଣ ହୋଇପାରେ ।

 

ଆମ ସାହିତ୍ୟରେ ଅନେକଗୁଡ଼ିଏ କୋଇଲି କବିତା ଅଛି । ସେଗୁଡ଼ିକ କୋଇଲି ସାହିତ୍ୟ ନାମରେ ଅଭିହିତ କରାଯାଇଅଛି ।

 

ଏହି କୋଇଲି କବିତାମାନଙ୍କ ମଧ୍ୟରେ ଅନେକଗୁଡ଼ିଏ ଚଉତିଶା ମଧ୍ୟ ଅଛି । କୋଇଲି ନିକଟରେ ନିଜ ହୃଦୟର କରୁଣ ପ୍ରକାଶ ଏବଂ କୋଇଲିକୁ ଦୂତ କରି ତା ହାତରେ ସନ୍ଦେଶ ପ୍ରେରଣ ଇତ୍ୟାଦି ଏହାର ସୁପରିଚିତ ଧାରା । ସଂସ୍କୃତ ସାହିତ୍ୟରେ ଦୂତହାତରେ ସନ୍ଦେଶ ପ୍ରେରଣ ଇତ୍ୟାଦି ଅତି ପ୍ରାଚୀନ । ସର୍ବ ପ୍ରଥମେ ମହାକବି କାଳିଦାସଙ୍କ ରଚିତ ମେଘଦୂତ କାବ୍ୟରେ ଅଭିଶପ୍ତ ବିରହୀ ଯକ୍ଷ ରାମଗିରି ବନରୁ ଅଳକା ପୁରୀକୁ ସ୍ଵ ପ୍ରଣୟିନୀ ଯକ୍ଷ କନ୍ୟା ନିକଟକୁ ନିଜର ବିରହାତୁର ହୃଦୟର ଅଶ୍ରୁସଜଳ ବାର୍ତ୍ତା ପ୍ରେରଣ କରିଥିଲେ । ତା’ପରେ ପରେ ସଂସ୍କୃତିରେ ହଂସଦୂତ ଆଜି ଦୂତ କାବ୍ୟର ସୃଷ୍ଟି ହୋଇଥିଲା । ଉତ୍କଳୀୟ କବିକୁଳ ପ୍ରପାତ ବିଧ୍ଵନିତ ରାମଗିରିର କଟିଦେଶରୁ ମେଘାଙ୍କ ନିମିତ୍ତ ବିରହ ବେପଥୁ ଭରା ଶୀର୍ଣ୍ଣ ଅଂଜନରୁ ସୁରଭିତ କୁଟଜ କୁସୁମରାଶି ଦେଇ ବଜ୍ରକୁ ବିଦ୍ୟୁତସଙ୍କୁଳ ଆଷାଢ଼ର ଘନ କୃଷ୍ଣ ମେଘକୁ ଦୂତ ରୂପେ ପ୍ରେରଣ କରିବାକୁ ସାହସ କରି ନାହାନ୍ତି । ମାତ୍ର ଉଦ୍‌ଗତ ଅଶ୍ରୁରାଶି ଯେତେବେଳେ କୌଣସି ବାଧାବନ୍ଧନ ନମାନି ଆପଣାଛାଏଁ ଛାଏଁ ପ୍ରକାଶ ପାଇଛି, ସେତେବେଳେ ଉତ୍କଳର କବିମାନେ ନିଜ ହୃଦୟର ବିଧୁର ବାର୍ତ୍ତା ପ୍ରକାଶ୍ୟ କରିଅଛନ୍ତି ଗୋଟିଏ ପକ୍ଷୀ ନିକଟରେ । ସେ ହେଲା, କୋଇଲି ଯେକି ବସନ୍ତର ପ୍ରଥମ ପରଶରେ ମନୋହାରୀ କୂଜନ କୋମଳ ହୃଦୟା କୁମାରୀ ପ୍ରାଣକୁ ଚଞ୍ଚଳ ଭାବପ୍ରବଣ କରି ପକାଏ ।

 

ଓଡ଼ିଆ ସାହିତ୍ୟରେ ଯେତେ ଗୁଡ଼ିଏ ଚଉତିଶା ଦୃଷ୍ଟି ଗୋଚର ହୁଏ, ସେଥି ମଧ୍ୟରୁ ପ୍ରାୟ ଅନେକ ଚଉତିଶା ଦ୍ୱାପର ଯୁଗର ସେହି ବଂଶୀଧାରୀ ଗୋପୀ ମନୋହାରୀ ଶ୍ରୀକୃଷ୍ଣ ଓ ତାଙ୍କର ପ୍ରାଣପ୍ରିୟା ଶ୍ରୀରାଧାଙ୍କର ମିଳନ ଓ ବିରହକୁ ବିଷୟବସ୍ତୁ କରି ରଚିତ ହୋଇଅଛି । ଏଥିମଧ୍ୟରୁ କବି ଦୀନ କୃଷ୍ଣ, ଭୂପତି ପଣ୍ଡିତ, ନିଧିଦାସ, ପିତାମ୍ବର ଭଂଜ, କେଶବ ପଟ୍ଟନାୟକ, କୃପାସିନ୍ଧୁ, ଲୋକନାଥ ଧୀବର, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ସୁଦର୍ଶନ ପଟ୍ଟନାୟକ ପ୍ରଭୃତିଙ୍କ ଚଉତିଶା ଉଲ୍ଲେଖଯୋଗ୍ୟ । ଯେଉଁ ଦିନରୁ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଦର୍ଶନ ପାଇଲେ, ସେହିଦିନଠାରୁ ତାଙ୍କର ହୃଦୟ ମନ ସମସ୍ତ ତାଙ୍କ ପଦକମଳରେ ହିଁ ଲାଗି ରହିଲା । ଏହି ଘଟଣା ପୀତାମ୍ବର ଭଞ୍ଜ ଓ ଲୋକନାଥ ଧୀବରଙ୍କ ଚଉତିଶାରେ ଅତି ସରଳ ଓ ସୁନ୍ଦର ଭାବରେ ବର୍ଣ୍ଣିତ । ଶ୍ୟାମ ପ୍ରେମଲାଗି କଳଙ୍କବରଣ ତତ୍‌ପରା କିଶୋରା ରାଧା ସଖୀ ନିକଟରେ ଅତି ବ୍ୟାକୁଳ ଭାବରେ କହୁଛନ୍ତି:

 

କି ଯୋଗେ କମଳ ନେତ୍ରକୁ କାଳିନ୍ଦୀ

      ପୁଲିନେ ଦେଖିଲି ଦିନେ,

କି କରିବି ସେହି ଦିନୁ ସେହି ରୂପ ।

      ଦିଶେ ଶୟନେ ସ୍ଵପନେ ।

(କିଶୋରୀ ଚଉତିଶା - ପୀତାମ୍ୱର ଭଞ୍ଜ)

 

କିମ୍ବା –

ଗମନ କରି ମୁଁ ଆସି ନ ପାରଇ

      ନଟଳଇ ବେନି ପାଦ

ଗୋଡ଼କୁ ଅନାଇ ପ୍ରହରେ ରହିଲି

      ଶୁଣିଣ ମୂରଲୀ ନାଦ ॥

(ରସ କଦମ୍ୱ, ଚଉତିଶା - ଲୋକନାଥ ଧୀବର)

 

ରାଧାକୃଷ୍ଣଙ୍କର ମିଳନ ବିଷୟରେ ଯେତେଗୁଡ଼ିଏ ଚଉତିଶା ରଚିତ ହୋଇଛି, ତନ୍ମଧ୍ୟରୁ ସୁଦର୍ଶନ ପଟ୍ଟନାୟକଙ୍କ ରାଧାକୃଷ୍ଣ ମିଳନ ଚଉତିଶା ଓ କେଶବ ପଟ୍ଟନାୟକଙ୍କ ଚଉତିଶା ପ୍ରଧାନ ।

 

ରାଜିବ ଲୋଚନ ହୋଇ ସୁବେଶ

ରସବତୀ ପୁରେ ହେଲେ ପ୍ରବେଶ

ରସ ରାସ ରସ କରି ଶ୍ରୀପତି

ରାଇଲେ ସକଳ ବ୍ରଜ ଯୁବତୀ ସେ

 

କେଶବ ପଟ୍ଟନାୟକଙ୍କର ଏହା ରାଧାକୃଷ୍ଣ ମିଳନ ବର୍ଣ୍ଣନାର ଏକ ଅନବଦ ଚିତ୍ର । ରାଧାକୃଷ୍ଣଙ୍କର ବିରହ ବର୍ଣ୍ଣନାରେ ଦୀନକୃଷ୍ଣ, ପରମାନନ୍ଦ, ଭ୍ରମରବର ରାଏ, ଗୋକୁଳ ନରେନ୍ଦ୍ର, ଗୋପୀଜୀବନ ପ୍ରଭୃତି କବିବୃନ୍ଦ ସ୍ଵକଳା କୁଶଳତାର ପ୍ରମାଣ ପ୍ରଦର୍ଶନ କରି ଅଛନ୍ତି । ମଥୁରା ପ୍ରବାସୀ ଶ୍ରୀକୃଷ୍ଣଙ୍କର ରାଧା ବିରହ ଜନିତ ଆକୁଳତା ଅତି ଆବେଗମୟ ଭାବରେ ପ୍ରକାଶ କରି ଦୀନକୃଷ୍ଣ ଲେଖିଛନ୍ତି :

 

ନବୀନ ବୟସା ପ୍ରାଣ ବାନ୍ଧବୀ ମୋ

      ପାଇଲା ବେଦନା,

ନିର୍ଲଜ ଜୀବନ ନଯାଇ କିଲାଗି

      କରୁଛୁ ଭାବନା ।

ଘନ ଘନ ହୋଇ ଘେନି ଉଠୁଥିବ

      ବିରହ ଅନଳ,

ଘେନିବାରୁ ମୋର ଅତିଶୟ ଘନ

      ସେନେହ ପ୍ରବଳ ।

(ଶ୍ରୀରାଧିକା ସ୍ମରଣ ଚଉତିଶା)

 

ପୁଣି ସେହି ବିରହ ବର୍ଣ୍ଣନା କରି, ଗୋକୁଳ ନରେନ୍ଦ୍ର ଲେଖିଛନ୍ତି :

ନିରଜ ନୟନା ବିନୁ ନରୁଚଇ ଆନ ।

ନସହଇ ଅଙ୍ଗେ ମୋର ପବନ ଚନ୍ଦନ ॥

ତରୁଣୀ ରତନ ରାଧା ନଦେଖିବି ଯେବେ ।

ତ୍ରିଭୂବନ ପତିପଣ ନଯୋଗଇ ତେବେ ॥

(କୃଷ୍ଣ ବିରହ ଚଉତିଶା)

 

ଏଣେ କୃଷ୍ଣଙ୍କର ଗୁଣ ସ୍ମରଣ କରି ରାଧିକା ଓ ଦୂତୀମାନେ ଯେଉଁ ବେଦନା ଅନୁଭବ କରୁଛନ୍ତି, ତାହାର ସାବଲୀଳ ବର୍ଣ୍ଣନା ଦେଖିବାକୁ ମିଳେ ଅନ୍ୟାନ୍ୟ କବିମାନଙ୍କ ରଚନାରେ -

 

ଘଟତୀ ଶ୍ରୀମୁଖ ନ ଦେଖିଲେ

ଘଡ଼ିଏ ମୁରୁଛି ନୋହେ ଭଲେ

ଘନ ଶ୍ୟାମଳିଆ ସଙ୍ଗେ ଯେତେ ପ୍ରୀତି

ମୁରୁଛ କେ ପିଣ୍ଡେ ପ୍ରାଣ ଥିଲେ ॥

(ଚନ୍ଦ୍ରାବତୀ ଚଉତିଶା - ଭ୍ରମରବର ରାଏ)

 

‘କ’ ଅକ୍ଷରେ ହୋଇଛି ନିୟମ

କଥା ନୋହେ ଦିବ୍ୟ ଅବିଦ୍ୟସମ

କେତେ କଉତୁକ ଅଛନ୍ତି ଏଥି

କେବଳ କ୍ଷୀରସିନ୍ଧୁ ପ୍ରାୟେ ମନ୍ଥି ।

ଦୀନକୃଷ ଦାସ

 

ଶ୍ରୀକୃଷ୍ଣ ଯେତେବେଳେ ଉଦ୍ଧବକୁ ଦୂତ କରି ଗୋପୀମାନଙ୍କ ନିକଟକୁ ପଠାଇ ଥିଲେ ଗୋପୀମାନେ ନିଜର ବିରହ ବ୍ୟାକୁଳ ବେଦନା ଉଦ୍ଧବ ହସ୍ତରେ ଶ୍ରୀକୃଷ୍ଣଙ୍କ ନିକଟକୁ ପ୍ରେରଣ କରିଛନ୍ତି, ଠିକ୍‌ ଏହି ଉଦ୍ଧବ ଚଉତିଶା କୃଷ୍ଣଦାସ, ଭୂପତି ପଣ୍ଡିତ, ଦୀନକୃଷ୍ଣ ପ୍ରଭୃତି କବିମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ଚଉତିଶା କରି ଅଛନ୍ତି । - ଏତଦ୍‌ ବ୍ୟତୀତ ଦୀନକୃଷ୍ଣଙ୍କର ଗୋପୀ ସନ୍ଦେଶ ଚଉତିଶା ମଧ୍ୟ ଏହି ବିଷୟବସ୍ତୁ ଉପରେ ଲିଖିତ । ଦୀନକୃଷ୍ଣଙ୍କର ଉଦ୍ଧବ ଚଉତିଶାରେ ଗୋପୀମାନଙ୍କର ଖେଦୋକ୍ତି, କୃଷ୍ଣ ଦାସଙ୍କର ଉଦ୍ଧବ ଚଉତିଶାରେ ଗୋପୀଙ୍କ ହୃଦୟାଭିମାନ ଓ ଭୂପତି ପଣ୍ଡିତଙ୍କର ଉଦ୍ଧବ ଚଉତିଶାରେ ଗୋପୀଙ୍କ ପ୍ରେମ ସୁନ୍ଦର ଭାବରେ ବର୍ଣ୍ଣିତ । ଦୀନକୃଷ୍ଣଙ୍କର ଚଉତିଶାକୁ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଦିଆଯାଇ ପାରେ । ଶ୍ରୀକୃଷ୍ଣଙ୍କର ରୂପ ବର୍ଣ୍ଣନାରେ ଭକ୍ତଚରଣଙ୍କର କଳା କଳେବର ଚଉତିଶା ଏକ ଅନବଦ୍ୟ ସୃଷ୍ଟି । ଦୀନକୃଷ୍ଣଙ୍କର ଚଉତିଶାରେ ଗୋପୀମାନେ ପୁନଶ୍ଚ କିପରି ଉଦ୍ଧବ ସହିତ ଆଳାପ ପ୍ରସଙ୍ଗରେ ନିଜର ଦୀନ ହୀନ ବେଶ ଦେଖାଇ କହିଛନ୍ତି :

 

କହେ କେଉଁ ଗୋପୀ

ବିରହରେ ତାପି ହୋଇ

ଉଦ୍ଧବକୁ ଚାହିଁ ।

କେବଳ ଆମ୍ଭର ପରାୟେ ତୁମ୍ଭର

ଅନୁଭବ ଯହୁଁ ନାହିଁ ସେ

 

କୋଇଲି ଚଉତିଶାଗୁଡ଼ିକରେ ପ୍ରଧାନତଃ କରୁଣ ବାତ୍ସଲ୍ୟ ରସର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ପତି ବିରହିଣୀ ସୀତାଙ୍କର କରୁଣ କ୍ରନ୍ଦନରେ ‘କାନ୍ତ କୋଇଲି’ ଚଉତିଶାରେ ଯେପରି ରସାପ୍ଳୁତ ଯଶୋଦାଙ୍କର ମାତୃ ହୃଦୟର ସନ୍ତାନ ବାତ୍ସଲ୍ୟ ଓ ମମତା ବର୍ଣ୍ଣନାରେ କେଶବ କୋଇଲି କବିତା ମଧ୍ୟ ସେହିପରି ମନୋମୁଗ୍‌ଧକର :

 

କୋଇଲି କାନ୍ତ ମୋର ଗଲେ ମୃଗମାରି

କପଟେ ରାବଣ ମୋତେ ନେଉଅଛି ଧରି -

ଲୋ କୋଇଲି -

ଫୁଟି ତାକୁ ଥିବେ ବେନି ଭାଇ

 

ଫୁଟିଛି ତୃଷାରେ ଜଳଦିଅ ବହିଦେହୀ - ଲୋ କୋଇଲି ପ୍ରଭୃତି ପଂକ୍ତି ପାଠ କଲେ ସୀତାଙ୍କର ରାମ ବିଛେ୍‌ଛଦ ଜନିତ - ବ୍ୟାକୁଳ ତାର କରୁଣ ସ୍ପର୍ଶରେ ହୃଦୟ ଅଭିଭୂତ ହୋଇଯାଏ, ଚକ୍ଷୁ ଅଶ୍ରୁ ସଜଳ ହୋଇ ଆସେ -

 

ସେହିପରି ଶ୍ରୀକୃଷ୍ଣ, ଯଶୋଦାଙ୍କର ବୃଦ୍ଧାବସ୍ଥାରେ ଏକଇର ବଳା ବିଶିକେଶନକୁ ମଥୁରା ପଠାଇ ଦେଇ ପୁତ୍ରର ଅଦର୍ଶନରେ ବ୍ୟାକୁଳା ମାତା ଯଶୋଦା ନିଜର ଆବେଗ ପ୍ରକାଶ କରିଛନ୍ତି କୋଇଲିଠାରେ । ମାତୃ ହୃଦୟର ଏହି ମର୍ମାନ୍ତିକ ଯନ୍ତ୍ରଣାର ଚିତ୍ର ଆଙ୍କିବାରେ ଏକା ମାର୍କଣ୍ଡ ଦାସହଁ ସକ୍ଷମ :

 

ନିଶା କାଳେ ହରି ମାଗେ ଚାନ୍ଦ

 

ଛାଟକେ ମୁଁ ମାଇଲି ପୁରୁବେ ପ୍ରଭୃତି ଭାବ ପ୍ରକାଶ ଯଶୋଦାଙ୍କର ମାତୃ ହୃଦୟର ଏକ ଅନାବିଳ ଓ ନୈସର୍ଗିକ ବର୍ଣ୍ଣନା ।

 

ତା’ଛଡ଼ା ‘କୋଇଲି ମଥୁରାକୁ ଯିବି କି ମୁଁ ଧାଇଁ, ମାଧବୀ ମଧୁସୂଦନ ଆଣିବି ବଢ଼ାଇ’, ପ୍ରଭୃତି ବର୍ଣ୍ଣନାରୁ ଯଶୋଦାଙ୍କର ହୃଦୟର ବ୍ୟାକୁଳ ଆବେଗ ସ୍ପଷ୍ଟ ପ୍ରତିଭାତ ହୁଏ । ପ୍ରେମ ରସ ବ୍ୟତୀତ ସାହିତ୍ୟ ସାର୍ଥକ ଏବଂ ପୂର୍ଣ୍ଣତାପ୍ରାପ୍ତ ହୋଇ ନପାରେ । ଚଉତିଶା ସାହିତ୍ୟ ସେଥିରୁ ବାଦ ପଡ଼ିଥାନ୍ତା କିପରି ? ଚଉତିଶା ସାହିତ୍ୟରେ ମଧ୍ୟ ସୁନ୍ଦର ପ୍ରେମ କବିତା ଦୃଷ୍ଟି ଗୋଚର ହୁଏ । ସେଥି ମଧ୍ୟରେ ଧନଂ ଜୟ ଭଂଜଙ୍କର କେଳି କଳ୍ପଦ୍ରୁମ ଚଉତିଶା, ସଦାନନ୍ଦ କବି ସୂର୍ଯ୍ୟଙ୍କର ସଙ୍ଗିନୀ ଚଉତିଶା, ଦାଶରଥି ଦାସଙ୍କର ଅଭିନ୍ନା ଚଉତିଶା, ଗୋକୁଳନରେନ୍ଦ୍ରଙ୍କର କମଳ ବନ ଚଉଡିଶା ପ୍ରଭୃତି ଉଲ୍ଲେଖଯୋଗ୍ୟ । ଉକ୍ତ କବିତାଗୁଡ଼ିକ ଠିକ୍‍ ଆଧୁନିକ ପ୍ରେମ କବିତା ପରି ନହୋଇ ନିର୍ମଳ ପ୍ରେମ ବର୍ଣ୍ଣିତ ହୋଇଥିବାରୁ ଅନେକ ସମୟରେ ଅଶ୍ଳୀଳ ମନେ ହୁଏ । ମାତ୍ର ଯେତେବେଳେ ଏହି କବିତାଗୁଡ଼ିକ ରଚିତ ହୋଇଥିଲା, ସେତେବେଳେ ଏହି କବିତାଗୁଡ଼ିକୁ କେହି ଅଶ୍ଲୀଳ ବୋଲି ମନେ କରୁ ନଥିଲେ । କିମ୍ବା ଲେଖକମାନେ ସେଭଳି କୌଣସି ମନୋଭାବ ନେଇ ଲେଖି ନଥିଲେ । କାରଣ ତାହା ହୋଇଥିଲେ ଗୋପୀଭାଷା ଯାହାକି ଆଜିକାଲି ଅଶ୍ଲୀଳ ବୋଲି ମନେ ହୁଏ, ସାନ କନଡ଼ା ଓ ବଡ କନଡ଼ା ଚଉତିଶା ଭଳି ବୈରାଗ୍ୟଭାବପୂର୍ଣ୍ଣ କବିତାର ସ୍ଫୁରଣ ଅସମ୍ଭବ ହୋଇଥାନ୍ତା-

 

କଳସା ଚଉତିଶା ଆଜକୁ ପାଞ୍ଚଶହ ବର୍ଷ ପୂର୍ବେ ଲିଖିତ ହୋଇଥିଲେ ମଧ୍ୟ, ରଚନାଭଙ୍ଗୀ, ମାର୍ଜିତ ଭାଷା ଓ ବିଷୟବସ୍ତୁରେ ସଂପୂର୍ଣ୍ଣ ଅଭିନବ । ବଚ୍ଛା ଦାସ ଶିବପରିଣୟର ବର୍ଣ୍ଣନା ସଙ୍ଗେ ସଙ୍ଗେ ଯେଉଁ ନିର୍ମଳ ହାସ୍ୟ ରସର ଜୁଆର ଏକ କବିତାରେ ବିଛାଡ଼ି ଦେଇଛନ୍ତି, ଓଡ଼ିଆ ସାହିତ୍ୟରେ ତା’ର ପଟାନ୍ତର ନାହିଁ । କଳସା ରଚନା ବେଳଠୁଁ ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ କବିତା ଜରିଆରେ ଏଭଳି ନିର୍ମଳ ହାସ୍ୟ ରସ ପରିବେଷଣ ଦେଖିବାକୁ ମିଳେ ନାହିଁ । ବୃଦ୍ଧବେଶୀ ମହାଦେବ ବରବେଶରେ ବେଦୀ ଉପରେ ଉପବେଶନ କରିଥିବାର ଦେଖି, ପାର୍ବତୀଙ୍କ ସଖିବୃନ୍ଦ ପରିହାସ କରି ତାଙ୍କ ନିକଟରେ ଯେଉଁ ବର୍ଣ୍ଣନା କରି ଅଛନ୍ତି ସେଥିରେ ହାସ୍ୟ ରସ ଯଥାର୍ଥରେ ଉପଭୋଗ୍ୟ ।

 

ଖୁଁ ଖୁଁ କାଶ ସାହାସେତା ପେଲୁଅଛି ଧଇଁ

ଖରନିଶ୍ଵାସ ବୁଢ଼ାର ମଥାଲାଗେ ଭୂଇଁ

ନଚିହ୍ନଇ ମନୁଷ୍ୟ ସେ, ନଦେଖେ ନୟନ

ନିକଟେ ଡାକିଲେ ନଶୁଣେ ତା ବେନି କର୍ଣ୍ଣ

ଟଳ ଟଳ ହୋଇ ଟେକି ବସି ନପାରଇ

ଟାକୁଆ ଗାଲ ପାକୁଆ ଦାନ୍ତ ଆଦି ନାହିଁ ॥

 

ବିପ୍ର କପିଳଙ୍କର ‘ବା’ ଚଉତିଶା ଆଗାମୀ ଯୁଗର ସମାଜ ସମ୍ପର୍କରେ ଏକ ଭବିଷ୍ୟତ ବାଣୀ ସଦୃଶ ।

 

ଜାତି ଅଜାତି ଏକାକାର ହୋଇବ

ଘରେ ଘରେ ହେବ ଭାଟି,

ଜଉତିଶମାନେ ଲଗ୍ନ ନଜାଣିବେ

ଜଳ ଅକାଳେ କରିବେ ବୃଷ୍ଟି,

ନିସତ ହୋଇବେ, ନିୟମ କରିବେ

କେହି ନକହିବେ ସତ,

ନବଯୁବା ସ୍ତିରୀ ଘରେ ଘରେ ଥାଉ ଥାଉ

ବିଟପୀ ସ୍ତିରୀଙ୍କ ଚିତ୍ତ ॥

ଡରିବେ ନାହିଁ ବୋହୂମାନେ,

ଶାଶୁଙ୍କୁ ଅନାଚାରେ ଦେବେ ଗାଳି,

ଡାକୁଣୀ ଡାହାଣୀ ବିଜେ ଲାଗିଆଉ,

ଘରେ କରୁ ଥାଇ କଳି ॥

 

ବହୁଦିନ ତଳର ଉତ୍କଳର ଏହି ଖ୍ୟାତନାମା କବିଙ୍କର ଭବିଷ୍ୟତବାଣୀ ଆଜି ଆମର ଦୈନହିନ ଜୀବନରେ କେତେଦୂର ସତ୍ୟ ହୋଇଛି, ତାହା ଭାବିବାର କଥା ! ତା’ଛଡ଼ା ଏହି ଚଉତିଶାରୁ ଉତ୍କଳର ରାଜନୈତିକ ଘଟଣାବଳୀର ମଧ୍ୟ କେତେକ ଆଭାସ ମିଳିଥାଏ ।

 

ମୁଗୁଲ ଖାଇବେ ଓଡ଼ିଶା ରାଇଜ

ଯୁଯେଷ୍ଟି ଅଛନ୍ତି ଦେଇ,

ମଲେଟି ପରଜା ହନ୍ତସନ୍ତ ହୋଇ

ରଥଙ୍କର ଶାପ୍ୟ ପାଇ,

ଅନ୍ୟ ପଦ୍ୟଟି ହେଉଛି

ସଜ କରି ଆଣ ଅଶ୍ଵକୁ

ଶାଢ଼ିଦେଲେ ଦିଲ୍ଲୀ ପାଇଛାକୁ ।

 

ବିପଦଆପଦ ସୁଖଦୁଃଖ ଭିତରେ ଓଡ଼ିଶାବାସୀ ଯେତେବେଳେ ପଥଭ୍ରଷ୍ଟ ଏବଂ ଜର୍ଜରିତ ହୋଇଥାନ୍ତି, ସେତେବେଳେ ପତିତପାବନ ନୀଳାଚଳନାଥ ଜଗନ୍ନାଥଙ୍କ ପଦରେ ପ୍ରାର୍ଥନା କରିବା ଛଡ଼ା ତାଙ୍କର ଅନ୍ୟ କିଛି ଉପାୟ ନଥାଏ । ଚଉତିଶା ସାହିତ୍ୟରେ ମଧ୍ୟ ଈଶ୍ଵରଙ୍କର ନିକଟରେ ଜଣାଣ କରି ଅନେକ ଚଉତିଶା ରଚିତ ହୋଇଅଛି ଦୀନକୃଷ୍ଣଙ୍କର ।

 

ଆର୍ତ୍ତତ୍ରାଣ ଚଉତିଶା, ଗୁଣ୍ଡିଚା ଭାବନା ଚଉତିଶା, ସ୍ନାନ କରଣ ଚଉତିଶା, ସାଧୁଙ୍କର ଜଗବନ୍ଧୁ ଜଣାଣ ଚଉତିଶା ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏଥି ମଧ୍ୟରୁ ଦୀନକୃଷ୍ଣଙ୍କର ଆର୍ତ୍ତତ୍ରାଣ ଚଉତିଶା ସର୍ବାପେକ୍ଷା ଲୋକପ୍ରିୟ । ଚଉତିଶାର ଭାବ, ଭାଷା, ଏବଂ ଅର୍ଥଯୋଜନାରୁ ଭକ୍ତର ବ୍ୟାକୁଳ ହୃଦୟର ସ୍ଵଚ୍ଛନ୍ଦ ପ୍ରକାଶ ଜଣାପଡ଼େ ।

 

କୃପାସିନ୍ଧୁ ବଦନ, କରି ଅବଲୋକନ

କେଉଁ କରମ ହୀନ ଜନ,

କାକୁସ୍ଥଭର ହୋଇ କର ଯୋଡ଼ି ଜଣାଇ

ଗରଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ ।

 

ପ୍ରଭୃତି ପଦମାନ ଏବେ ମଧ୍ୟ ଉତ୍କଳର ପୁରପଲ୍ଲୀରେ ଧ୍ଵନିତ ହୋଇ ପଲ୍ଲୀବାସୀଙ୍କର ନିର୍ମଳ ସରଳ ହୃଦୟକୁ ପବିତ୍ରରୁ ପବିତ୍ରତର କରୁଅଛି । କଥିତ ଅଛି ସାମନ୍ତବାଦୀ ମଧ୍ୟ ଯୁଗରେ ରାଜ ପୃଷ୍ଠପୋଷକତା ଲାଭକରି କବି ଓ ପଣ୍ଡିତଗଣ ସୁଖଶାନ୍ତିରେ ଜୀବନ ଯାପନ କରୁଥିଲେ । ଏହି କାରଣରୁ ବହୁ କବି ରାଜାମାନଙ୍କର ସନ୍ତୋଷ ବିଧାନ ଉଦ୍ଦେଶ୍ୟରେ କବିତା ରଚନା କରୁଥିଲେ-। ମାତ୍ର ଦୀନକୃଷ୍ଣ ଥିଲେ ଏହାର ଏକ ବ୍ୟତିକ୍ରମ । ତହିଁର ପ୍ରମାଣ-

 

କୃଷ୍ଣ ଆଶ୍ରେକରି, ସୁବିଦ୍ୟା ଆଚରି

ପାଷଣ୍ଡକୁ ଯାହା ସ୍ତୁତି,

କୃଷ୍ଣ ଦାସ କହେ ଏଥୁ ଭଲ ନୁହେଁ

କେବଳ ଛାତିକି କାତି ।

 

ବୈଷ୍ଣବ ଜନୋଚିତ ବିନୟ ଭାବ ପୋଷଣ କରି କବି ଦୀନକୃଷ୍ଣ କହିଛନ୍ତି –

 

କହୁଅଛି ସୁଜନମାନଙ୍କୁ ଏତେ

କୃପା କରିବ ମୋତେ ପ୍ରସନ୍ନ ଚିତ୍ତେ ।

‘କ’ ଅକ୍ଷରେ କଲି ଯେତେ ଗୀତ

ଯେବେହେଁ ଏଥି ନଦେବ ଘାତ

କବି ହେଲେତ ଜାଣିବ ଏଥି ଶ୍ରମ କେମନ୍ତି ଯେ

 

କବି ଦୀନକୃଷ୍ଣ ରାଜାଜ୍ଞାରେ ପୁରୀର ନିର୍ବାସିତ ହୋଇଥିଲେ । କାରଣ ସେହି ସମୟରେ ଜଗନ୍ନାଥ ମହାପ୍ରଭୁଙ୍କ ଆଦର୍ଶରେ ବ୍ୟାକୁଳ ହୋଇ ଗୁଣ୍ଡିଚା ଭାବନା ଚଉତିଶା ଓ ସ୍ନାନ ସ୍ମରଣ ଚଉତିଶା ନାମକ ଦୁଇଟି ଚଉତିଶା ରଚନା କରିଥିଲେ । ସେଥିରେ ଉକ୍ତ ହୃଦୟର ବ୍ୟାକୁଳ ବେଦନାର ସୁନ୍ଦର ପ୍ରକାଶ ଦୃଷ୍ଟି ଗୋଚର ହୁଏ ।

 

କହ କହ ଆହେ ସଙ୍ଗାତ

କେବେ ହେଁ ଜୀବନରେ ଆମ୍ଭେ ଥିବା

କୋଟି ବ୍ରହ୍ମାଣ୍ଡ ନାଥର ଶ୍ରୀଗୁଣ୍ଡିଚା ଯାତ୍ରା

ଦେଖିବା ସେ

କହେ ଦୀନକୃଷ୍ଣ ଶୁଣରେ ସଙ୍ଗାତ

ଧିକ ହେଉ ମୋ ଜୀବନ,

କୋଟି ବ୍ରହ୍ମାଣ୍ଡନାଥ ସ୍ନାନ ଉତ୍ସବ କଲିନାହିଁ ଦରଶନ ସେ ।

 

ନିରାଡ଼ମ୍ବର ଆତ୍ମ ନିବେଦନ ରୂପେ ସାଧୁଙ୍କର ଜଗବନ୍ଧୁ ଜଣାଣ ଚଉତିଶାର ସ୍ଥାନ ମଧ୍ୟ ଅତି ଉଚ୍ଚରେ । ତାଛଡ଼ା ଏହି ଚଉତିଶାର ଅନ୍ୟ ଏକ ବିଶେଷତ୍ୱ ଏହି ଯେ, ଏହା ସତର ପଦରେ ଶେଷ ହୋଇଅଛି ଏବଂ ଗୋଟିଏ ପଦରେ ଦୁଇଟି ଅକ୍ଷର ରହିଛି ।

 

କରମ ବାମ ମୋର, ଆହେ କରୁଣାକର

କହୁଛି ଅନେକ ପ୍ରକାର

କ୍ଷୀରାର୍ଣ୍ଣବରେ ଘର

କ୍ଷିତିଭାର ଉଦର

ଖଗେଶ୍ୱର ନାମ ତୁମ୍ଭର ! ଆହେ ଜଗବନ୍ଧୁ !

 

ଭୋବନିଙ୍କର ରାମଚନ୍ଦ୍ର ଜଣାଣ ଚଉତିଶା ଦୀନକୃଷ୍ଣଙ୍କର ଆର୍ତ୍ତତ୍ରାଣ ଚଉତିଶାର ଅନୁକରଣରେ କାମୋଦୀ ରାଗରେ ଲିଖିତ । ଦୀନକୃଷ୍ଣଙ୍କ ଚଉତିଶାର ଲୋକପ୍ରିୟତା ଦୃଷ୍ଟିରୁ ଏପରି ଅନୁକରଣ ହୋଇଥିବାର ଅନୁମିତ ହୁଏ । ରାମଚନ୍ଦ୍ରଙ୍କ ପଦରେ ନିଜର ସମସ୍ତ ଦୁଃଖସୁଖ ହାରି ଗୁହାରି ଜଣାଇ ଭକ୍ତ ଯେତେବେଳେ ନିରାଶ ହୋଇଛି ସେତେବେଳେ ସେ ଅଭିମାନ କରିଛି :

 

ଜଗତେ ଯେତେ ଯଶ, କରିଅଛ ପ୍ରକାଶ

ସେ ଯେବେ ସତ୍ୟ ହୋଇଥାନ୍ତା

ଯେତେକ ଡାକିଲିଣି ମୁଁ ନିରାଶ୍ରୟ ପ୍ରାଣୀ

ମୋହର ଏ କ୍ଲେଶ କି ଥାଆନ୍ତା ରାମଚନ୍ଦ୍ର ।

 

ମଦନଙ୍କର ରାଧାମାଧବ ଚଉତିଶା ଓ ନିତ୍ୟାନନ୍ଦଙ୍କର ରାଧାମୋହନ ଚଉତିଶା ମଧ୍ୟରେ ବହୁ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଗୋଟିଏ ଅନ୍ୟଟିର ଅନୁକରଣ ବୋଲି ଜଣାଯାଏ । ଗୋଟିଏ ଦୃଷ୍ଟାନ୍ତରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇ ଯାଉଛି :

 

ଖଗେନ୍ଦ୍ର ପଛରେ ରହି

ଖେଦ ଆରତରେ କହୁଛି ମୁହିଁ ସେ

ଖେଦରୁ କରିବ ତ୍ରାହି ହେ ରାଧାମୋହନ ।

 

ଅନ୍ୟଟି ହେଉଛି -

ଖଗେନ୍ଦ୍ର ପଛରେ ରହି

ଖେଦ ଆରତେ ସଧୀରେ ଜଣାଇ ହେ

ରାଧାମୋହନ

ଖେଦ ରଖି ହେଉ ନାହିଁ ହେ ।

 

ସଂସାର ମାୟା ଓ ପ୍ରଲୋଭନ ପଛରେ ଧାଇଁ ଧାଇଁ ମଣିଷ ଯେତେବେଳେ ଦେଖେ ଯେ ସେ କେବଳ ଆନନ୍ଦ ପରିବର୍ତ୍ତେ ଅଶ୍ରୁ, ସୁଖ ପରିବର୍ତ୍ତେ ଦୁଃଖ ହଁ ଅର୍ଜନ କରିଅଛି, ସେତେବେଳେ ସେ ଅନୁତାପ କରେ । ସଂସାର ପ୍ରତି ବିରାମ ଭାବ ଆସେ । ବୈରାଗ୍ୟ ଭାବକୁ ସୁନ୍ଦର ଭାବେ ପ୍ରକାଶ କରି ଅଛନ୍ତି କବି ଭକ୍ତି ଚରଣ ଓ ଦନେଇ ଦାସ । ଭକ୍ତଚରଣଙ୍କର ମନବୋଧ ଚଉତିଶା ଓଡ଼ିଶାର ପୁରପଲ୍ଲୀରେ ଅକ୍ଷର ଜ୍ଞାନ ନଥିବା ଲୋକ ସୁଖରୁ ମଧ୍ୟ ଶୁଣାଯାଏ ।

 

କହଇ ମନ ଆରେ ମୋ ବୋଲ କର ।

କଳାଶ୍ରୀ ମୁଖ ବାରେ ଦେଖିବା ଚାଲରେ ।

+ + + + + + + + +

ଟାଣ କରିଛି ମନ, ସବୁ ମୋହରି

 

ଟଳି ପଡ଼ିଲେ କେହି ନୋହେ କାହାରି । ପ୍ରଭୃତି ପଦମାନ ପାଠ କଲେ, ଯେକୌଣସି ଗୃହସ୍ଥ ମନରେ ସଂସାର ପ୍ରତି ବୈରାଗ୍ୟ ଆସିବ, ଏଥିରେ ସନ୍ଦେହ ନାହିଁ ।

 

ସେହିପରି ଦନେଇ ଦାସ ମଧ୍ୟ ସଂସାରର ଦୁଃଖ କଷ୍ଟରେ ମୂହ୍ୟମାନ ହୋଇ ଅନୁତାପ କରିଛନ୍ତି ।

 

କାହିଁକି ଜନମ ହୋଇଲି ଗୋସାଇଁ

କିଛିହିଁ କାର୍ଯ୍ୟତ ନୋହିଲା

କଷ୍ଟ ନିରନ୍ତରେ ଏକା ହୋଇଲା

କେତେଦିନ ଥିବି କୃଷ୍ଣ ନଭଜିଲି

ପ୍ରଲୋଭନରେ ପଡ଼ି ପଥଭ୍ରଷ୍ଟ ହେଲି ।

ରାତ୍ର ଦିବସରେ ରମଣୀ ରସରେ

ରସିତ ବିଅର୍ଥ ହୋଇଲି

ରାମକୃଷ୍ଣ ତୁଣ୍ଡେ ନ ବୋଲିଲି

ରଙ୍କ ପଣ ସୁଖ ମଣି ମନରେ............ ।

 

ଏହାହିଁ ଚଉତିଶା ସାହିତ୍ୟର ସଂକ୍ଷିପ୍ତ ପରିଚୟ । କାଳର ଗତିରେ ଏବଂ ସଂସାରର ନାନା ଘୃର୍ଣ୍ଣାବର୍ତ୍ତ ମଧ୍ୟରେ ପଡ଼ି ଚଉତିଶା ସାହିତ୍ୟ ନିଜର ସହଜ ସରଳ ପଥ ଛାଡ଼ି ବକ୍ର ଏବଂ କ୍ଲିଷ୍ଟତାକୁ ଆଶ୍ରୟ କଲା । ଫଳରେ ଯେଉଁ ଚଉତିଶା ସାହିତ୍ୟ ଉତ୍କଳର ପୁରପଲ୍ଲୀରେ ପରିଚିତ ଗୀତ ହୋଇ ଶରତ ଶତ ଜନସାଧାରଣଙ୍କୁ ଆନନ୍ଦ ପ୍ରଦାନ କରୁଥଲା, ତାହା କ୍ରମେ କ୍ରମେ ନିଜର ଜନପ୍ରିୟତା ହରାଇଲା । ପରବର୍ତ୍ତୀ ସମୟରେ ଯମକ ଅନୁପ୍ରାସ ମଧ୍ୟରେ ଚଉତିଶାର ସାବଲୀଳତାକୁ କିପରି ନିର୍ମମ ଭାବରେ ହତ୍ୟା କରାଯାଇଛି, ତାହା ନିମ୍ନୋକ୍ତ ଉଦାହରଣରୁ ସଷ୍ଟ ହୋଇ ଉଠିବ :

 

କୁଞ୍ଜବନେ କଳାନିଧି, କଳାନିଧି, କଳାନିଧି

କଳାଶ୍ରୀହରି,

କହନ୍ତି ସକାଳ କଳକଣ୍ଠି ପାଶେ

କଳ୍ପକଂଠୀ ପ୍ରୀତି ସୁମରୀ ।

କୋକିଳକି କରୁଥିବେ ରାମାମଣି

କୁସୁମ ସାୟକ, ସାୟକ, ସାୟକ, ସାୟକ

ବିନ୍ଧୁଥିବ ଟାଣି,

ଖଞ୍ଜନୟନୀ କଟକ, କଟକ, କଟକ, କଟକ

ଶୋଭିନୀ କୋକିଳ କ୍ଷିତି ମଣ୍ଡନା ଖଞ୍ଜାନନୀ

ଖଞ୍ଜିଥିଲି ପ୍ରୀତି କଟକ, କଟକ, କଟକ,

ସୁସ୍ତନାଗମନୀ

(ଯମକ ରାଜ ଚଉତିଶା - ଉପେନ୍ଦ୍ର ଭଞ୍ଜ)

 

କହିବା ସାରଙ୍ଗ ସାରଙ୍ଗ ସାରଙ୍ଗ

ନୟନା ଛାମୁରେ

କୁସୁମ କାଣ୍ଡ କାଣ୍ଡ କାଣ୍ଡ

ଦାଣ୍ଡରେ ଗୋପୀକି

ଦେଲେକି ଦୋଷରେ

(ସାରଙ୍ଗ ଦୂତ ଚଉତିଶା - କୃପାସିନ୍ଧୁ ସାମନ୍ତ)

 

ଆଜି ପ୍ରଗତିଶୀଳ ଯୁଗ ମଧ୍ୟରେ ଚଉତିଶା ସାହିତ୍ୟ ପୂର୍ବ ଗୌରବ, ପୂର୍ବ ବୈଭବ ଓ ଅତୀତର ଜନପ୍ରିୟତା ଲୁପ୍ତପ୍ରାୟ । ମାତ୍ର ଓଡ଼ିଆ ସାହିତ୍ୟର ଏକ ଲଳିତ ସୁମଧୁର ସାବଲୀଳ ସାହିତ୍ୟ ରୂପେ ଏବଂ ଓଡ଼ିଆ ସାହିତ୍ୟର ଏକ ସ୍ଵାତନ୍ତ୍ର୍ୟ ରୂପେ ଓ ବୈଶିଷ୍ଟ୍ୟ ରୂପେ ଏହି ସାହିତ୍ୟକୁ ଯଦି ସ୍ଵୀକୃତି ଦିଆନଯାଏ, ତେବେ ଜାଣିବାକୁ ହେବ ସମସ୍ତ ଲେଖକ ଭୁଲ ମାର୍ଗରେ ନିଶ୍ଚୟ ଅଗ୍ରସର ହେଉଛନ୍ତି ।

 

 

ଶୂର ଶିଳ୍ପ ଭବନ,

ଓଲ୍‌ଡ ଟାଉନ୍‌, ନୟାଗଡ - ୨

 

***

 

Unknown

ଓଡ଼ିଆ ସାହିତ୍ୟକୁ ଆଠମଲ୍ଲିକର ଅବଦାନ

ଡକ୍ଟର ରଘୁନାଥ ମେହେର

 

ଉତ୍କଳ-ବୃନ୍ଦାବନ ଆଠମଲ୍ଲିକ କୁଳପ୍ଲାବିନୀ ମହାନଦୀ କୂଳରେ ଅବସ୍ଥିତ । ଆଧୁନିକ ଢେଙ୍କାନାଳ ଜିଲ୍ଲାର ସବ୍‌ଡିଭିଜନ, ପୂର୍ବେ ଏହା ଏକ ଗଡ଼ଜାତ ରାଜ୍ୟ ଥିଲା । ପଶ୍ଚିମ ପଟେ ସମ୍ବଲପୁର ଜିଲ୍ଲା, ଦକ୍ଷିଣରେ ବଉଦ କନ୍ଧମାଳ ଅଂଚଳ ଏବଂ ପୂର୍ବ ଦିଗରେ ଅନୁଗୁଳ ଅଂଚଳର ଭାଷାର ପ୍ରଚଳନ ଥିବାରୂ ଭୌଗୋଳିକ, ଐତିହାସିକ ଓ ସାହିତ୍ୟିକ ଦୃଷ୍ଟି କୋଣରୁ ଏ ଅଞ୍ଚଳର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ପ୍ରାକ୍‌କାଳରେ ଏ ଅଂଚଳ ବଉଦ ରାଜ୍ୟର ଶାସନାଧୀନ ଥିଲା କିନ୍ତୁ ପରବର୍ତ୍ତୀ କାଳରେ କଦମ୍ବ ବଂଶୀୟ ନରପତିମାନେ ଆଠମଲ୍ଲିକକୁ ସ୍ଵାଧୀନ ରାଜ୍ୟ ରୂପେ ଘୋଷଣା କରି ରାଜତ୍ୱ କରି ଆସୁଥିଲେ । ଇତିହାସ ପ୍ରସିଦ୍ଧ ସୁନ୍ଦର ଆଠମଲ୍ଲିକରେ ଏଯାବତ୍‌ ବହୁ ସାହିତ୍ୟିକଙ୍କ ସୃଜନ ଶକ୍ତିର ପରାକାଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଫଳନ ପରିଲକ୍ଷିତ ହୋଇଥିଲେ ହେଁ ସେମାନେ ଓଡ଼ିଆ ସାହିତ୍ୟ ଓ ପାଠକଙ୍କ ଅପହଞ୍ଚ ଇଲାକାରେ ରହିଯାଇଛନ୍ତି । ଏହି ଅନାଲୋଚିତ ସ୍ରଷ୍ଟା ପୁରୁଷମାନଙ୍କୁ ଅନ୍ତତଃ ଆମ ସାହିତ୍ୟର ଚିହ୍ନରା-ଗ୍ରାହକଙ୍କ ନିକଟରେ ପରିଚିତ କରାଇଦେବା ଏ ପ୍ରବଂଧର ଲକ୍ଷ୍ୟ ।

 

ମାହେଶ୍ଵରୀ ପୀଠ ‘ଆଠମଲ୍ଲିକ’ର ବରେଣ୍ୟ ସନ୍ତାନମାନଙ୍କ ମଧ୍ୟରୁ ମହାରାଜା ମହେନ୍ଦ୍ର ଦେଓ, ରାଜା କିଶୋର ଚନ୍ଦ୍ର ଦେଓ, ଗଦାଧର ସିଂହ ସାମନ୍ତ, କଥାକାର ଯମେଶ୍ଵର ମିଶ୍ର, ବାବା ଦୁଃଖୀଶ୍ୟାମ ଦାସ, ଗୌରଚନ୍ଦ୍ର । ଯୋଷୀ, ଗୌତମ ରାଉତ, ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ, ଜୟ ନାରାୟଣ ଦାସ, ତ୍ରିପୁରାରି ଶ୍ରୀଚନ୍ଦନ ସିଂହ, ଅନନ୍ତ ନାୟକ, ନାରୀ କବି ମୀନାକ୍ଷୀ ଶ୍ରୀଚନ୍ଦନ ସିଂହ, ଶ୍ରୀ ଶୁକଦେବ ବଡ଼ମାଳି ଓ ଚିତ୍ରଶିଳ୍ପୀ ତଥା କଥାକାର ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ପ୍ରମୁଖ ଅନ୍ୟତମ । ଏମାନଙ୍କ ମଧ୍ୟରୁ ଅନେକ ଧରଣୀ ବକ୍ଷରେ ଶେଷ ବିଶ୍ରାମ ନେଲେଣି । ଏହି ସ୍ରଷ୍ଟାମାନଙ୍କ ସୃଷ୍ଟି ଓ ଜୀବନୀ ସମ୍ବନ୍ଧରେ କିଞ୍ଚିତ ଆଲୋଚନା ଏ ପ୍ରବଂଧରେ କରାଯାଇଛି ।

 

ମହାରାଜା ମହେନ୍ଦ୍ର ଦେଓ (ରାଜତ୍ୱ କାଳ ଖ୍ରୀ: ୧୮୭୬ - ୧୯୦୧): ଗଡ଼ଜାତ ଅରଣ୍ୟବେଷ୍ଟିତ ଆଠମଲ୍ଲିକ ସାହିତ୍ୟ-ଚର୍ଚ୍ଚାର ପୀଠସ୍ଥଳୀ ଥିଲା । ଏହା ମହାରାଜା ମହେନ୍ଦ୍ର ଦେଓଙ୍କ ରାଜତ୍ୱ କାଳରୁ ଜଣାପଡ଼େ । ତାଙ୍କ ରାଜତ୍ୱ କାଳରେ ଆଧୁନିକ ସାହିତ୍ୟର ନିର୍ମାତା କବିବର ରାଧାନାଥ ରାୟ ଏବଂ ଭକ୍ତକବି ମଧୁସୂଦନ ରାଓ ପୁଣ୍ୟଭୂମି ଆଠମଲ୍ଲିକରେ ପଦାର୍ପଣ କରି ରାଜାଙ୍କ ସାହଚର୍ଯ୍ୟ ଲାଭ କରିଥିଲେ । କବିବର ରାଧାନାଥ ରାଜାଙ୍କର ବ୍ୟବହାର ଓ ଅନୁଦାନ ଲାଭରେ ପ୍ରୀତ ହେବା ସଂଗେ ସଂଗେ ତାଙ୍କଠାରେ ସାହିତ୍ୟର ଉର୍ଜ୍ଜସ୍ଵଳତା ଲକ୍ଷ୍ୟ କରି ସ୍ଵକୀୟ ‘ଦରବାର’ କାବ୍ୟରେ ଉଲ୍ଲେଖ କରିଛନ୍ତି ।

 

ନରେଶ ମହେନ୍ଦ୍ର, ସ୍ୱଦେଶ - ଗୌରବ

ଗୁଣିଜନ, ଅନିବନ୍ଧନ ବାନ୍ଧବ ।’’

(ଦରବାର)

 

‘ତୁଳସୀ ସ୍ତବକକୁ’ ମହାରାଜା ମହେନ୍ଦ୍ର ଦେଓଙ୍କ କରକମଳରେ ସମର୍ପଣ କରିବା ଅବକାଶରେ କବି ରାଧାନାଥ କହିଛନ୍ତି - ‘‘ମହାଯାତ୍ରା ରଚନା ସମ୍ବନ୍ଧରେ ଯେଉଁ ଦିନ ମୁଁ ଶ୍ରୀଛାମୁଙ୍କଠାରୁ ଉତ୍ସାହପ୍ରଦ ଓ ସହାନୁଭୂତିବ୍ୟଞ୍ଜକ ଅନୁଗ୍ରହ ଲିପି ପାଇଥିଲି, ସେଦିନ ମୋହର ଜୀବନର ଗୋଟିଏ ସ୍ମରଣୀୟ ଦିନ । ପୂର୍ବେ ମୋହର ଧାରଣା ଥିଲା ଯେ, ଭାଷାନୁରାଗ, ସାହିତ୍ୟ ରସିକତା ଏବଂ ଗ୍ରାହକତା ଓଡ଼ିଶା ପରିତ୍ୟାଗ କରି ଗଙ୍ଗ ବଂଶାବତଂସ ଶ୍ରୀ ସୁଢ଼ଳ ଦେବ ପାଳିତ ସୁଦୂର ବାମଣ୍ଡା ରାଜ୍ୟରେ ଆଶ୍ରୟ କରିଅଛନ୍ତି । ମାତ୍ର ଉଲ୍ଲିଖିତ ଦିନଠାରୁ ମୋହର ସେହି ଧାରଣା ପରିବର୍ତ୍ତି ହେଲା’ (ତୁଳସୀ ସ୍ତବକର ଉତ୍ସର୍ଗ - ରାଧାନାଥ ଗ୍ରନ୍ଥାବଳୀ) ମହାରାଜ ମହେନ୍ଦ୍ର ଦେଓଙ୍କ ପୃଷ୍ଠପୋଷକତାରେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ‘ସିଦ୍ଧାନ୍ତ -ଦର୍ପଣ’ ଗ୍ରନ୍ଥ ମଧ୍ୟ ପ୍ରକାଶିତ ହୋଇଥିଲା । ଗ୍ରନ୍ଥର ଉପାଦେୟତା ହୃଦୟଙ୍ଗମ କରି ରାଜା ପୁସ୍ତକ ପ୍ରକାଶନର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

 

ରାଜା ମହେନ୍ଦ୍ର ଦେଓ କେବଳ ତତ୍କାଳୀନ କବିମାନଙ୍କର ପୁସ୍ତକ ପ୍ରକାଶନ କରି ସାହିତ୍ୟ-ପ୍ରାଣତାର ପରିଚୟ ଦେଇଥିଲେ ତାହା ନୁହେଁ - ସେ ଜଣେ ବିଦ୍ୟାନୁରାଗୀ, ବହୁ ଭାଷାବିତ୍‌ ସୁପଣ୍ଡିତ ଥିଲେ । ଆଠମଲ୍କିକ ଦରବାରସ୍ଥ ପଣ୍ଡିତମାନଙ୍କ ସହାୟତା ଓ ପରାମର୍ଶ କ୍ରମେ ରାଜା ମହେନ୍ଦ୍ର ଦେଓ ନିଜେ ‘‘ପଣ୍ଡିତ ସର୍ବସ୍ଵ’’ ନାମକ ବୈଦିକ କର୍ମକାଣ୍ଡ ଆଧାରିତ ପୁସ୍ତକ ପ୍ରଣୟନ ଓ ପ୍ରକାଶିତ କରିଥିଲେ । ଏ ଗ୍ରନ୍ଥଟି ବିଶିଷ୍ଟ ଜ୍ୟୋତିଷରତ୍ନମାନଙ୍କ ଦ୍ୱାରା ପରବର୍ତ୍ତୀ କାଳରେ ଆଦୃତ ହୋଇଥିବାର ଜଣାପଡ଼େ ।

 

ରାଜା କିଶୋର ଚନ୍ଦ୍ର ଦେଓ (ରାଜତ୍ୱକାଳ ଖ୍ରୀ ୧୯୯୫ - ୧୯୪୭): ରାଜା କିଶୋର ଚନ୍ଦ୍ର ଭାବୁକ, କଳ୍ପନାକୁଶଳ, ଆଡ଼ମ୍ବରଶୂନ୍ୟ ଗ୍ରାହକ ବ୍ୟକ୍ତି ଏବଂ ସର୍ବଦା ସାହିତ୍ୟ ସେବା ଏବଂ ସାହିତ୍ୟ ପ୍ରୀତିରେ ନିମଜ୍ଜିତ’’ (ଆଠମଲ୍କିକ ଅନୁଭୂତି- ପୃଷ୍ଠା - ୩୭) । ଏ ଥିଲା ସାହିତ୍ୟ ସାଧକ- ଶଶିଭୂଷଣ ରାୟଙ୍କ ଉକ୍ତି । ୧୯୩୫ ମସିହାରେ ଆଠମଲ୍ଲିକ ପରିଭ୍ରମଣରେ ଆସି ରାଜା କିଶୋର ଚନ୍ଦ୍ର ଦେଓଙ୍କ ବିଜ୍ଞତାର ପରିଚୟ ଲାଭ କରି ରାଧାନାଥଙ୍କ ସୁଯୋଗ୍ୟ ସନ୍ତାନ ଶଶିଭୂଷଣ ରାୟ ୧୯୩୭ ମସିହାରେ ‘ଆଠମଲ୍ଲିକ ଅନୁଭୂତି’ ନାମକ ପୁସ୍ତକ ପ୍ରଣୟନ କରିଥିଲେ । ରାଜାଙ୍କର ଦରବାରରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ, ଲବ୍ଧପ୍ରତିଷ୍ଠ କବି ସମ୍ମାନିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ବିଶ୍ଵନାଥ କର, ଚିନ୍ତାମଣି ମହାନ୍ତି, ଗୋପାଳ ଚନ୍ଦ୍ର ପ୍ରହରାଜ, ଚିନ୍ତାମଣି ଆଚାର୍ଯ୍ୟ, ମାୟାଧର ମାନସିଂହ, ଶଶିଭୂଷଣ ରାୟ, ପ୍ରାଣକୃଷ୍ଣ ପରିଜା, ଦାମୋଦର ମିଶ୍ର, କାମପାଳ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ରାଧା ମୋହନ ଗଡ଼ନାୟକ ଓ ଅଚ୍ୟୁତାନନ୍ଦ ମିଶ୍ର ଆଦି ଅନ୍ୟତମ । ୧୯୪୦ ମସିହାରେ କବିଶେଖର ଚିନ୍ତାମଣି ମହାନ୍ତି ‘ପଞ୍ଚଧାର’ କାବ୍ୟକୁ ରାଜା କିଶୋର ଚନ୍ଦ୍ର ଦେଓଙ୍କ କରକମଳରେ ଅର୍ପଣ କରିଥିଲେ । ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ରଚିତ ‘ଦଣ୍ଡନାଚ’ ପୁସ୍ତକ ୧୯୪୬ ମସିହାରେ ରାଜା କିଶୋର ଚନ୍ଦ୍ରଙ୍କର ଆର୍ଥିକ ସହାୟତାରେ ଆତ୍ମପ୍ରକାଶ କରିଥିଲା । ଏତଦ୍‌ ଭିନ୍ନ ରାଧାନାଥ-ଜୀବନୀ ପ୍ରକାଶନ ପାଇଁ ସେ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଏହି ସାହିତ୍ୟ-ପ୍ରାଣଙ୍କ ସାହିତ୍ୟ ସେବାରେ ନିଷ୍ଠା ତଥା ଉତ୍କଳ ଭାରତୀଙ୍କ ସାରସ୍ଵତ ଭଣ୍ଡାରକୁ ସମୃଦ୍ଧ କରିବାର ପ୍ରଚେଷ୍ଟା ଦେଖି ତା ୨୮/୪/୧୯୪୬ ମସିହାରେ ‘ଉତ୍କଳ-ସାହିତ୍ୟ- ସମାଜ’ ପକ୍ଷରୁ ରାଜା କିଶୋର ଚନ୍ଦ୍ର ଦେଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ଏକ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ମାନପତ୍ରରେ ରାଜାଙ୍କୁ ସାହିତ୍ୟ ରସଗ୍ରାହୀ ଓ ସୁଲେଖକ ବୋଲି ଅଭିନନ୍ଦିତ କରାଯାଇଛି ।

 

ସାହିତ୍ୟାନୁରାଗୀ କିଶୋର ଚନ୍ଦ୍ରଙ୍କ ଉଦ୍ୟମରେ ଆଠମଲ୍ଲିକ ଭଳି ଶ୍ଵାପଦସଂକୁଳ ଅରଣ୍ୟ ଅଂଚଳରେ ୧୯୩୭ ମସିହାରେ ‘କଦମ୍ବ ପ୍ରେସ୍‌’ ସ୍ଥାପିତ ହୋଇଥିଲା ଏବଂ ସାହିତ୍ୟ ପତ୍ରିକା ‘‘ପଞ୍ଚଧାର’’ ପ୍ରକାଶିତ ହେଲା । ରାଜା କିଶୋର ଚନ୍ଦ୍ର ବହୁ ଛୋଟ ବଡ଼ କବିତାର କବି । କବିତାଗୁଡ଼ିକ କ୍ଷୁଦ୍ର ହେଲେ ମଧ୍ୟ ଉଚ୍ଚକୋଟୀର ।
 

ଗଦାଧର ସିଂହ ସାମନ୍ତ (ଖୀ: ୧୮୯୦ - ୧୯୩୮) : ଆଠମଲ୍ଲିକ ମହାରାଜ ମହେନ୍ଦ୍ର ଦେଓଙ୍କ ଫୁଲବାଈ ସ୍ତ୍ରୀ ଚଂପାବତୀଙ୍କ ଗର୍ଭରୁ ୧୮୯୦ ମସିହା ନଭେମ୍ବର ୧୭ ତାରିଖରେ ଗଦାଧର ସିଂହ ସାମନ୍ତ ଜନ୍ମ ଗ୍ରହଣ କରିଥିଲେ । କବି କର୍ମର ବହୁଳତା ତଥା ବର୍ଣ୍ଣନା ବୈଚିତ୍ର୍ୟ ମଧ୍ୟରେ ଜନ୍ମମାଟିର ଅମର କାହାଣୀକୁ ରୂପ ଦେବାରେ ତାଙ୍କ ଲେଖନୀ ଥିଲା ଶତ ମୁଖର । କବିଙ୍କ ‘‘ଆନନ୍ଦ ଧାରା’’ (୧୯୩୧) ଏକ ଅମଳିନ କାବ୍ୟ । ଅଷ୍ଟମଲ୍ଲିକାଧୀଶ୍ୱର ରାଜା ବିବୁଧେନ୍ଦ୍ର ପ୍ରତାପଙ୍କ କନ୍ୟା ‘ଘନକୁନ୍ତଳା’ଙ୍କ ପରିଣୟୋତ୍ସବରେ ଉତ୍କଳର ଅନେକ ରାଜନ୍ୟମଣ୍ଡଳୀଙ୍କ ଆଠମଲ୍ଲିକରେ ସୁସମାବେଶ । ପାରିକୁଦଗଡ଼ ରାଜା ‘କୃଷ୍ଣଚନ୍ଦ୍ର ଦେବ’ଙ୍କ ସହିତ ବୈଦିକ ରୀତିରେ ବିବାହ ଓ ଜେମାମଣି ‘ଘନ କୁନ୍ତଳା’ଙ୍କ ଚିଲିକା ବକ୍ଷରେ ଶ୍ୱଶୁରାଳୟକୁ ଗମନ, ଏ ଗ୍ରନ୍ଥର ବିଷୟବସ୍ତୁ । ବିଷୟ ବିନ୍ୟାସ ତଥା କାବ୍ୟିକ ଆବେଦନ ଏ ଗ୍ରନ୍ଥରେ ଦୁର୍ବଳ ହେଲେ ମଧ୍ୟ ସଂକ୍ଷିପ୍ତ କଳେବର ମଧ୍ୟରେ ଆଠମଲ୍ଲିକ ଗଡ଼ର ଦକ୍ଷିଣରେ କଳକଳ ଗୀତ ଗାଇ ବହିଯାଉଥିବା ଚିତ୍ରୋତ୍ପଳାର କୋମଳତା, ଶୈବ ଗଙ୍ଗ କୀର୍ତ୍ତିର ମନ୍ମୟ ଆଲେଖ୍ୟ ‘ଦେଉଳଝରି’ର ପବିତ୍ରତା, ଉତ୍ତୁଙ୍ଗ ଶୈଳ ଶ୍ରେଣୀ ମଧ୍ୟରେ ଧ୍ୟାନରତ ଯୋଗୀ ପରି ମଥା ଉତ୍ତୋଳନ କରିଥିବା ଗିରିବର ପଞ୍ଚଧାରର ବିଶାଳତା ତଥା ରାଜ୍ୟର ଅଧିଷ୍ଠାତ୍ରୀ ଠାକୁରାଣୀ ମାଆ ମାହେଶ୍ଵରୀଙ୍କ ମହାନତାକୁ ପାଠକ ବିସ୍ମରି ଯିବେ ନାହିଁ । ରାଜନନ୍ଦିନୀ ଘନକୁନ୍ତଳାଙ୍କ ବିବାହ ତଥା ଦାମ୍ପତ୍ତ୍ୟ ଜୀବନର ମଧୁମୟ ସୁଖ ଲାଭ ପାଇଁ କବି ଗଦାଧର ଧାଇଁ ଯାଇଛନ୍ତି ନୈଷଧକାର ଶ୍ରୀହର୍ଷଙ୍କ ପାଖକୁ । ନଳଦମୟନ୍ତୀଙ୍କ ମଧୁର ସଂପର୍କ ସ୍ଥାପନରେ ହଂସର ଭୂମିକା ଥିବା ଚିତ୍ର ଗଦାଧର ବାବୁ ‘ଆନନ୍ଦ ଧାରା’ରେ ଗ୍ରହଣ କରି ନାୟକନାୟିକାଙ୍କ ମଧୁର ସଂପର୍କକୁ ଦୃଢ଼ୀଭୂତ କରିଛନ୍ତି ।

 

ବିବାହପରେ କନ୍ୟା ବିଦାୟକାଳୀନ ଦୃଶ୍ୟ କାରୁଣ୍ୟଭରା ହେଲେ ମଧ୍ୟ ପିତାମାତାଙ୍କ ନୟନାଶ୍ରୁ ନିର୍ଗତ । ଆଶୀର୍ବାଦ ଓ ଉପଦେଶ କନ୍ୟାର ପରବର୍ତ୍ତୀ ଜୀବନର ପାଥେୟ ହୁଏ । ଏହା ସାମାଜିକ ବିଧି ତଥା ପରଂପରା । କବିଙ୍କ ମାନସକନ୍ୟା ଘନକୁନ୍ତଳାଙ୍କ ବିଦାୟକାଳୀନ ଦୃଶ୍ୟ ବେଶ୍‌ ହୃଦ୍ୟ ହୋଇଛି ।

 

ପତିହିଁ ପ୍ରତ୍ୟକ୍ଷ            ଦେବତା ନାରୀର ।

ପତି ପାଦ-ପଦ୍ମ ପ୍ରତ୍ୟକ୍ଷ ସ୍ଵର୍ଗ,

ସତୀ ସୀତା ଶୈବ୍ୟା            ସେ ପାଦ ସେବାରେ

ଲଭିଛନ୍ତି ଭବେ ମୋକ୍ଷାପ ବର୍ଗ ।

ପତି ପାଦ ପଦ୍ମେ            ନିବେଶିଣ ମତି

ସାଧନା ସାଧମା ନାରୀ ଧରମ,

ପାରିକୁଦ ରାଜ-            ଲକ୍ଷ୍ମୀ ତୁମେ ମାଗୋ

ନଭୁଲିବ ଗୃହଲକ୍ଷ୍ମୀ କରମ ।

ମାତୃକୋଳୁ ମାଗୋ            ଯାଉଛ ଭାବିଣ

ଲେଶେ ନ ରଖିବ ହୃଦୟେ ଦୁଃଖ,

ସ୍ନେହଶୀଳା ଶାଶୂ            ସମୀପୁ ଲଭିବ

ଗର୍ଭଧାରିଣୀର ବାତ୍ସଲ୍ୟ ସୁଖ । (୬୪ ପଦ)

 

କବିଙ୍କ ପ୍ରକୃତି ବର୍ଣ୍ଣନା ରାଧାନାଥୀ ଓ ଗଙ୍ଗାଧରୀ ପ୍ରଭାବକୁ ଏଡ଼ାଇ ପାରିନାହିଁ । ନିଜ କୋଳରେ ବଢ଼ିଥିବା କନ୍ୟାର ପରିଣୟୋତ୍ସବରେ ପ୍ରକୃତି ରାଣୀ ଶୁଭ ମନାସିଛି । ଅଯାଚିତ ସ୍ନେହ ଢାଳିଛି ଏବଂ ଶେଷରେ ସାଶ୍ରୁ ନୟନରେ ବିଦାୟ ଦେଇଛି । ନୃପତିମାନଙ୍କ ଗହଣରେ ଭାଟ ଭୂମିକାରେ ଅବତୀର୍ଣ୍ଣ ହୋଇ ‘ପଞ୍ଚଧାର’ ଓ ‘ମହାନଦୀ’ ଶାରୀ ଓ ପିକ କଣ୍ଠରେ ଜୟ ଗୀତି ଗାଇଛନ୍ତି ।

 

ଆମୂଳଚୁଳ କାବ୍ୟଟି ପାଠକଲେ ଭାଷା ଓ ଭାବର ମଧୁରତାରେ ପାଠକ ଆନନ୍ଦ ପାଇବ ନିଶ୍ଚୟ ।

 

ଯମେଶ୍ୱର ମିଶ୍ର (୧୯୨୬ -): କଥାକାର ଯମେଶ୍ଵର ମିଶ୍ର ଆଠମଲ୍ଲିକ ନିକଟସ୍ଥ ମାଧପୁର ଅଞ୍ଚଳରେ ଶ୍ରୀ ସୁଦର୍ଶନ ମିଶ୍ରଙ୍କ ଜ୍ୟେଷ୍ଠ ସଂତାନ ରୂପେ ୧୯୨୬ ମସିହା ମଇ ମାସ ୧୩ ତାରିଖରେ ଜନ୍ମଲାଭ କରିଥିଲେ-। ୧୯୪୪ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସେ ମାଟ୍ରିକ ପାସ୍‌ କରି ରାଜା କିଶୋର ଚନ୍ଦ୍ର ଦେଓଙ୍କ ସହାୟତାରେ ୧୯୪୬ ମସିହାରେ କଳା ‘ଅଧ୍ୟୟନ’ ପାଇଁ କଲିକତା ଯାଇଥିଲେ କିନ୍ତୁ ସେଥିରେ ସଫଳତା ଲାଭ ନକରି ୧୯୪୭ ମସିହାରେ ଆଠମଲ୍ଲିକ ଫେରି ଆସି ସ୍ଥାନୀୟ ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ୧୯୫୫ ମସିହାରେ ସେ ପୁଣିଥରେ କଲିକତା ଯାଇ ୧୯୫୯ ମସିହାରେ କଲିକତାରୁ ‘‘କଳା ଅଧ୍ୟୟନ’’ ସାର୍ଟିଫିକେଟ୍‌ ଲାଭ କରି ଜନ୍ମଭୂମିକୁ ଫେରି ଆସି ଶିକ୍ଷକତା ଓ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ । ୧୯୮୪ ମସିହାରୁ ଶିକ୍ଷକତା ଜୀବନରୁ ଅବସର ନେବାପରେ ସାହିତ୍ୟ ସାଧନାରେ ସେ ରତ ଅଛନ୍ତି ।

 

ଓଡ଼ିଆ ସାହିତ୍ୟର ଅନାଲୋଚିତ କଥାକାର ଯମେଶ୍ଵର ମିଶ୍ର ଅନ୍ୟୂନ ୩୪ ଖସ୍ତ ପୁସ୍ତକର ରଚୟିତା । ସ୍ରଷ୍ଟାଙ୍କର ସୃଷ୍ଟିକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । (୧) ପ୍ରତିଭାର ଆଦ୍ୟ ଉନ୍ମେଷ, (୨) ପ୍ରତିଭାର ବିକାଶ ପଥେ, (୩) ପ୍ରତିଭାର ଶୀର୍ଷରେ । ୧୯୪୫ ମସିହାରୁ ୧୯୫୪ ମଧ୍ୟରେ ସ୍ରଷ୍ଟା ୧୬ ଖଣ୍ଡ ଡିଟେକ୍‌ଟିଭ୍‌ ଏବଂ ‘ପଥହରା’ ଓ ‘ଧୂମକେତୁ’ ନାଟକ ରଚନା କରିଛନ୍ତି । ପୁଣି ୧୯୫୪ ମସିହାରୁ ୧୯୫୯ ମସିହା ମଧ୍ୟରେ ସର୍ବଜନାଦୃତ ‘ଛାୟା ସିରିଜ୍‌’ ୧୨ ଖଣ୍ଡ ପୁସ୍ତକର ଆତ୍ମପ୍ରକାଶ ଘଟିଛି । କିନ୍ତୁ ୧୯୫୯ ପରବର୍ତ୍ତୀ ସମୟରେ ଯମେଶ୍ଵର ବାବୁ ଆଉ ଏଭଳି ଛୋଟ ଛୋଟ ଡିକେଟ୍‌ଟିଭ୍‌ ଲେଖିବାରେ ସମୟ ବିନିଯୋଗ ନ କରି ଡକଟର କୁଂଜବିହାରୀ ଦାଶଙ୍କ ପ୍ରୋତ୍ସାହନରେ ଆଂଚଳିକ ଉପନ୍ୟାସ ଲେଖିବାର ପ୍ରେରଣା ଲାଭ କରିଥିଲେ । ଯାହାର ସଫଳ ସୃଷ୍ଟି ‘ଖମାରି’ (୧୯୬୩) ଓ ‘ଗଡ଼ତିଆ’ (୧୯୬୯) । ଶ୍ରୀ ଯମେଶ୍ୱର ମିଶ୍ରଙ୍କ ରଚିତ ‘ଖମାରି’ ଓ ‘ଗଡ଼ତିଆ’ ଦୁଇଟି ସାମାଜିକ ତଥା ଆଂଚଳିକ ଉପନ୍ୟାସ । ଉତ୍ତର ଷାଠିଏ ଓଡ଼ିଆ ଉପନ୍ୟାସର ଗତି ଓ ପ୍ରକୃତି ଦିଗ ପ୍ରତି ଦୃଷ୍ଟି ଦେଲେ ଏ ଉପନ୍ୟାସଦ୍ୱୟର ଆତ୍ମିକ ବିଭବ ନିଶ୍ଚିତ ଭାବରେ କ୍ଷୀଣ - ତଥାପି ଗୋପୀବାବୁଙ୍କ ପରେ ଏଭଳି ଆଂଚଳିକ ଜନଜୀବନ ସଂବାଦ, ବିଶେଷତଃ ନିମ୍ନଶ୍ରେଣୀର ଲୋକଙ୍କର କଥାକାର ଯମେଶ୍ଵର ମିଶ୍ରଙ୍କ ଲେଖନୀରୁ ଓଡ଼ିଆ ସାହିତ୍ୟ ଲାଭ କରିଛି ।

 

‘ଖୁମାରି’ ଓ ‘ଗଡ଼ତିଆ’ ଦୁଇଟି ଆଂଚଳିକ ଶବ୍ଦ । ସମ୍ବଲପୁର, ବଲାଙ୍ଗିର, ବଉଦ, ସୋନପୁର, ଆଠମଲ୍ଲିକ, ସୁନ୍ଦରଗଡ଼ ପ୍ରଭୃତି ଅଂଚଳରେ ଏ ଶବ୍ଦର ବ୍ୟବହାର ଦେଖବାକୁ ମିଳେ । ‘ଖମାରି’ (ଖମାର ରକ୍ଷକ ଓ ହଳିଆ ବା ଗୋତିମାନଙ୍କ ମୁଖ୍ୟ), ‘ଗଡ଼ତିଆ’ (ଗ୍ରାମର ମୁଖ୍ୟ, ଗଡ଼ରକ୍ଷକ) ଅନେକ ପ୍ରଜାଙ୍କର ସେ ତତ୍ତ୍ଵାବଧାରକ, ଦେଶର ରାଜାଙ୍କଠାରୁ ନିଯୁକ୍ତିପ୍ରାପ୍ତ ବ୍ୟକ୍ତି ।

 

‘ଖମାରି’ ଉପନ୍ୟାସର କଥାବସ୍ତୁ ଗୌଣ । ଔପନ୍ୟାସିକଙ୍କ ଘର, ଚାଷ କାମ କରୁଥିବା ଜନୈକ ଖମାରି ଜୀବନକାହାଣୀର କିୟଦଂଶ ଏ ଉପନ୍ୟାସର କଥାବସ୍ତୁ । (କଥାକାର ଶ୍ରୀଯୁକ୍ତ ମିଶ୍ରଙ୍କ ସାକ୍ଷାତକାରରେ ଏକଥା ସେ ପ୍ରକାଶ କରିଥିଲେ ।) ବିଶେଷତଃ ସ୍ରଷ୍ଟା ନିଜେ କୃଷକ ପରିବାରର ହୋଇଥିବାରୁ ହଳିଆ, ମୂଲିଆଙ୍କ ପାରିବାରିକ ଜୀବନର ସାର୍ଥକ ଚିତ୍ର ଅଙ୍କନରେ ସଫଳତା ଲାଭ କରିଛନ୍ତି । ପଶ୍ଚିମ ଓଡ଼ିଶାର ଗଡ଼ଜାତ ମୁଲକରେ ଗଡ଼ତିଆ, ଠିକାଦାର, ମହାଜନ ଓ ସାମନ୍ତମାନଙ୍କ ଅତ୍ୟାଚାର, ଶୋଷଣ ତଳିଆ ଗୋତି, ମୂଲିଆ, ଖଟିଖିଆ ଶ୍ରେଣୀ ଲୋକଙ୍କର ଆର୍ଥିକ ବଳକୁ ଭାଙ୍ଗି ଦେଇଥିଲେ ମଧ୍ୟ ଶତ ନିର୍ଯ୍ୟାତନା ଭିତରେ ଏମାନେ ବଞ୍ଚିବାର ସ୍ଵପ୍ନ ଦେଖନ୍ତି, ଝାଟିମାଟିର କୁଡ଼ିଆ ଏମାନଙ୍କର ଶାନ୍ତିର ସ୍ଵର୍ଗ ହୋଇଥାଏ । ଆଶାବାଦୀ ଜୀବନରେ ଏମାନେ ପାହୁଣ୍ତ ପାହୁଣ୍ଡ ହୋଇ ଉଠିବାର ଚେଷ୍ଟା କରନ୍ତି - ଆୟୂଧ ସେମାନଙ୍କର ଅକ୍ଲାନ୍ତ ଶ୍ରମ । ଏ ଉଠାପକା ଖେଳ ଭିତରେ ଏମାନଙ୍କ ଦାମ୍ପତ୍ୟ ଜୀବନରେ ଗୃହକଳି, ଝିଅ ପୁଅର ବାହାଘର, ଗହଣା ଗଢ଼ାଇବା ପାଇଁ କଳହ, ପୁଣି ପର୍ବପର୍ବାଣୀ ଭିତରେ ଜୀବନ ସହିତ ସଂଗ୍ରାମ କରିବାରେ ଏମାନେ ଅଭ୍ୟସ୍ତ । ପିଠିରେ ମହାଜନ, ଗଡ଼ତିଆର । ଚାବୁକ ପଡ଼ିଲେ ବି ସହି ଯିବାକୁ ବାଧ୍ୟ ହୁଅନ୍ତି ପେଟର ଜ୍ଵାଳାକୁ ପ୍ରଶମିତ କରିବା ପାଇଁ । ତଥାପି ସଭ୍ୟ ଜନପଦର ବହୁଦୂରରେ ଗଡ଼ଜାତର ଜଙ୍ଗଲ ଭିତରେ ନିପଟ ମଫସଲ ଗାଁରେ ଏମାନଙ୍କ ଜୀବନ ଯାପନ କେତେ ସୁଖକର, ଆମୋଦ ଦାୟକ - ତାର ନିଖୁଣ ଚିତ୍ର ‘ଖମାରି’ରେ ଅଙ୍କିତ ହୋଇଛି ।

 

ସ୍ରଷ୍ଟାଙ୍କର ‘ଖମାରି’ (୧୯୬୩), ‘ଗଡ଼ତିଆ’ (୧୯୬୯) ଏବଂ ବୀଣାପାଣି କ୍ଳବ ଗଡ଼ତିଆ ରଂଗମଞ୍ଚ ଏ (ଯନ୍ତ୍ରସ୍ଥ) ତିନୋଟି ଉଚ୍ଚକୋଟୀର ସୃଷ୍ଟି, ଏହା ନିଃସନ୍ଦେହ ।

 

ଭକ୍ତକବି ଦୁଃଖୀଶ୍ୟାମ ଦାସ (୧୮୫୮ - ୧୯୧୯): ଆଠମଲ୍ଲିକ ସହରର ପୂର୍ବ ଦିଗକୁ ପଞ୍ଚଧାର ଗିରିବନ ଓ ପୂର୍ବକୁ ପ୍ରବାହିତ ମହାନଦୀ ଉପତ୍ୟକାସ୍ଥ ‘କୁଟୁଗାଁ’ ଗ୍ରାମରେ ୧୮୫୮ ମସିହା ଆଶ୍ଵିନ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ମାତା ଋକୁଣୀଦେବୀଙ୍କ ଗର୍ଭରୁ ଦୁଃଖୀଶ୍ୟାମ ଦାସ ଜନ୍ମ ଗ୍ରହଣ କରିଥିଲେ । ପିତା ବାସୁଦେବ ମଲ୍ଲିକ ଗଙ୍ଗବଂଶୀ କ୍ଷତ୍ରିୟ ଥିବାରୁ ତତ୍କାଳୀନ ଆଠମଲ୍ଲିକ ରାଜା ଯୋଗୀନ୍ଦ୍ର ଦେଓଙ୍କ ମନ୍ତ୍ରୀରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ପିଲାଦିନେ ଦୁଃଖୀଶ୍ୟାମ ଦାସଙ୍କ ନାମଥିଲା ଶ୍ୟାମଘନ ମଲ୍ଲିକ । ଜୀବନର ପ୍ରଥମ ୧୭ ବର୍ଷ ମଧ୍ୟରେ ଶ୍ୟାମଘନ ଚାହାଳୀ ପାଠପଢ଼ାରୁ ଆରମ୍ଭ କରି ସଂସ୍କୃତ ଶିକ୍ଷା ଲାଭକଲା ପରେ ଶ୍ରେଣୀଗତ ପାଠପଢ଼ାରୁ ନିବୃତ୍ତ ରହିଥିଲେ । ଯୁବକ ଅବସ୍ଥାରେ ତାଙ୍କର ଆଧ୍ୟାତ୍ମିକ ଚିନ୍ତନ ଉପରେ ଗଭୀର ମନୋନିବେଶ ଦେଖି ପିତା ଚିନ୍ତିତ ହୋଇ ପଡ଼ିଥିଲେ । ପିତାଙ୍କ ଇଚ୍ଛା ସାଂସାରିକ ବନ୍ଧନରେ ବାନ୍ଧି ରଖିଦେଲେ ପୁଅ ସଂସାର ବିରାଗୀ ହେବ ନାହିଁ - ତେଣୁ ସେ ଚଂପାବତୀ ନାମକ କନ୍ୟା ସହିତ ଘନଶ୍ୟାମଙ୍କ ବିବାହ କରିଥିଲେ । ପରବର୍ତ୍ତୀ କାଳରେ ଘନଶ୍ୟାମ ଦ୍ୱିତୀୟ ବାର ଗ୍ରହଣ କରି ଚାରିପୁଅ ଓ ଦୁଇ କନ୍ୟାର ଜନକ ହୋଇଥିଲା ମଧ୍ୟ ଏ ମାୟାବନ୍ଧନ ତାଙ୍କୁ ବାନ୍ଧି ରଖି ପାରିଲା ନାହିଁ । ସେ ଗୃହତ୍ୟାଗ କରି ଭଗବତ୍‌ ଚିନ୍ତନରେ କାଳ ଅତିବାହିତ କଲେ । ପଞ୍ଚଧାର ଛବିଳ ପ୍ରକୃତି କୋଳରେ ପ୍ରକୃତିର ସନ୍ତାନରୂପେ ସତ୍ୟ-ଶିବ-ସୁନ୍ଦରଙ୍କ ରୂପଚିତ୍ର ମାନସ ପଟରେ ଅଙ୍କନ କରି ସେ ଚିନ୍ତାରେ ଦିନ କାଟିଲେ । କବିଙ୍କ ରଚିତ ‘‘ନାମ ରସାମୃତ’’ର ପ୍ରଥମ ବୋଲିରେ ଉପରୋକ୍ତ ବିଷୟ ଚିତ୍ରର ଅବତାରଣା କରାଯାଇଛି । ଏକଦା ପଞ୍ଚଧାର ପର୍ବତର ଶିଖରରୁ ଗୌରବର୍ଣ୍ଣ କାନ୍ତିରେ ଜାଜ୍ଵଲ୍ୟମାନ ବଂଶୀଧାରୀ ବାଳକଟିଏ ପ୍ରଫୁଲ୍ଲ ଚିତ୍ତରେ ଗୀତ ଗାଇ ଗାଇ ଭକ୍ତ ଘନଶ୍ୟାମଙ୍କ ସମୀପକୁ ଆସିଛନ୍ତି । ଶ୍ରୀମନ ନାରାୟଣଙ୍କ ଦିବ୍ୟରୂପ ଦର୍ଶନରେ ଭକ୍ତପ୍ରାଣ ଉତ୍‌ଫୁଲ୍ଲିତ ହୋଇ ଉଠିଛି । ଶରୀରତତ୍ତ୍ୱ ବା ଆତ୍ମଦର୍ଶନ ଜ୍ଞାନ ମନ୍ତ୍ର ଲାଭ କରି ଭକ୍ତ ଘନଶ୍ୟାମ ଅମିତ ତେଜସ୍ଵୀରୂପେ ପ୍ରତିଭାତ ହୋଇ ଦୁଃଖୀଶ୍ୟାମ ଦାସ ରୂପେ ପରିଚିତ ହୋଇଛନ୍ତି । କବିଙ୍କ ଭାଷାରେ -

 

ଭୃତ୍ୟର ଆରତ ନସହି ଅଚ୍ୟୁତ ଗୁରୁରୂପେ କଲେ ବିଜେ

ପଞ୍ଚଧାରା ଗିରି ଶିଖେ ବିଜେହେଲେ ଜାଜ୍ଜ୍ୱଲ୍ୟଜ୍ୟୋତି ବିରାଜେ । (୭୫)

 

ଶ୍ରୀହସ୍ତରେ ଖଣ୍ଡେ ବଂଶୀ ଧରିଛନ୍ତି କଟିରେ ଡୋର କୌପିନୀ

ନାମାବଳି ଖଣ୍ଡେ ଆଚ୍ଛାଦିତା ପିଣ୍ଡେ ବନେ କରନ୍ତି ଭ୍ରମଣି । (୭୭)

 

ତୁମ୍ଭର ଆତଙ୍କ ସହି ନ ପାରିଲୁ ଆସି ଦେଲୁ ଦରଶନ

କି କହିବୁ କହ କାହିଁରେ ତୋ ସ୍ନେହ କି ପାଇଁ ହରାଉ ପ୍ରାଣ । (୮୪)

 

ଏତେକ କହିଣ ସୁଦୟା କରିଣ ଦେଲେ ଡୋର କଉପୁନି

ଦୁଃଖୀଶ୍ୟାମ ଦାସ ନାମ ଦେଇ କରି ଅନ୍ତର୍ଦ୍ଧାନ ହେଲେ ମୁନି । (୧୦୧)

 

ପରବର୍ତ୍ତୀ କାଳରେ ଭକ୍ତକବି ଦୁଃଖୀଶ୍ୟାମ ‘କୁଟୁଗାଁ’ର ପାର୍ବତ୍ୟ ପ୍ରଦେଶରେ ଆଶ୍ରମ ନିର୍ମାଣ କରି ଭଗବାନଙ୍କ ଲୀଳାମୟ କାହାଣୀ, ସ୍ତବ, ଜଣାଣ ଲେଖନୀ ମାଧ୍ୟମରେ ପ୍ରକାଶ କରି ଅନ୍ତିମ ଜୀବନ ଅତିବାହିତ କରିଥିଲେ ।

 

‘ନାମରସାମୃତ’ କବିଙ୍କ ଏକ ସଫଳ ସୃଷ୍ଟି । ଏଥିରେ ଆତ୍ମା-ଜ୍ଞାନ ଓ ଶରୀରତତ୍ତ୍ୱକୁ ପ୍ରାଞ୍ଜଳ ଭାବରେ କବି ବର୍ଣ୍ଣନା କରିଅଛନ୍ତି । ପରଂବ୍ରହ୍ମ, ଓଁକାର ବିନ୍ଦୁ, ତ୍ରିଗୁଣ, ବ୍ରହ୍ମ ଗାୟତ୍ରୀ ନିର୍ଣ୍ଣୟ, ଷଡ଼ଚକ୍ର ନିର୍ଣ୍ଣୟ ଆଦି ଶରୀର ତତ୍ତ୍ୱ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ।

 

ଜୟନାରାୟଣ ଦାସ : ଆଠମଲ୍ଲିକ ସହର (ରୁଗୁଡ଼ି ସାହି)ରେ ଏକ କରଣ ପରିବାରରେ କବି ଜୟନାରାଯଣ ଦାସ ଜନ୍ମ ଗ୍ରହଣ କରିଥିଲେ । ପିତା ନଟବର ଦାସ ଅଭିଜ୍ଞ କୃଷକ ଭାବରେ ବେଶ୍‌ ଜଣାଶୁଣା ଥିଲେ । ଶ୍ରୀ ଜୟନାରାୟଣ ଦାସ ଅନୁଗୁଳ ଶିକ୍ଷା ଜିଲ୍ଲାନ୍ତର୍ଗତ ଚଂପତିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ଓ ଲୋକ ସାହିତ୍ୟ ସଂପର୍କରେ ଗବେଷଣାରତ ।

 

କବିଙ୍କର କବିତା ଗ୍ରନ୍ଥ ‘‘କବି’’ ୧୯୬୩ ମସିହାରେ ପ୍ରକାଶିତ । ଗ୍ରନ୍ଥଟି ‘ଷଡ଼୍‌ଜ’, ‘ପଞ୍ଚମ’ ଓ ‘ଭୈରବ’ ନାମରେ ତିନିଭାଗରେ ବିଭକ୍ତ ହୋଇ ସର୍ବମୋଟ ଊନପଟାଶଟି କବିତାର କଳେବର ନେଇ ଆତ୍ମପ୍ରକାଶ କରିଛି ।

 

କବି ରୂପାନ୍ୱେଷୀ । ମାନସ ଚକ୍ଷୁରେ ସେ ସତ୍ୟର ଅନ୍ନେଷଣ କରିଛନ୍ତି । ଅଦ୍ୱିତୀୟ ସୌନ୍ଦର୍ଯ୍ୟତତ୍ତ୍ୱର ନିଦାନ ଖୋଜିଛନ୍ତି ଏ ମର୍ତ୍ତ୍ୟ-ବୈକୁଣ୍ଠରେ । ଅନେକରେ ଏକ ଓ ଏକରେ ଅନେକର ସନ୍ଧାନକାମୀ ମନ ବିଶ୍ଵର ରୂପ ପସରା ଉଦ୍‌ଘାଟନ କରୁ କରୁ ସତ୍ତ୍ୱଗୁଣର ସଂସ୍ପର୍ଶରେ ହୁଏ ବିମୋହିତ । ଅଖଣ୍ଡ ଆନନ୍ଦମୟ ଓ ଜ୍ଞାନମୟ ଏକ ଓ ସଂପୂର୍ଣ୍ଣ ଚିଦାନନ୍ଦ ରସରେ ଅନ୍ତର ଭରିଯାଏ । କବିର ପ୍ରାଣ ପରିପୂର୍ଣ୍ଣ ହୁଏ, ଦୃଷ୍ଟି ଅମୃତମୟ ହୁଏ ଆଉ ମନ ଦୃଷ୍ଟ ବସ୍ତୁର ତୌର୍ଯ୍ୟତ୍ରିକ ସଂଗୀତରେ ସଂଗୀତାୟିତ ହୋଇଉଠେ । ସେଇ ସଙ୍ଗୀତ ଅକ୍ଷର ବ୍ରହ୍ମର ସାହାଯ୍ୟ ନେଇ କେତେବେଳେ ‘ଷଡ଼୍‌ଜ’ରେ କେତେବେଳେ ‘ପଞ୍ଚମ’ରେ ଆଉ କେତେବେଳେ ‘ଭୈରବ’ରେ ଝଂକୃତ ହୋଇଛି-ସେଇ ଝଙ୍କାର ସୃଷ୍ଟି କରି କବି ହୁଏ ସ୍ରଷ୍ଟା - ଯଥା :

 

କବି !

ତୁମେ ଏକ ଅପୌରୁଷେୟ ପୁରୁଷ

ତୁମେ ଦ୍ରଷ୍ଟା;

ପ୍ରଷ୍ଟା,

ସ୍ରଷ୍ଟା (କବି)

 

ସ୍ରଷ୍ଟାଙ୍କ ଏହି ‘ଷଡ଼୍‌ଜ’ ପ୍ରକୃତିର ଏକ ଉଦାତ୍ତ ସ୍ଵର । ଯାହାରି ଫଳରେ ହିଂସାଦ୍ଵେଷଜର୍ଜରିତ ମାନବକୁ ଉଦାତ୍ତ ଧ୍ଵନିରେ ଆହ୍ୱାନ ଦେଇ ସେ କହିଛନ୍ତି ଏ ସୃଷ୍ଟିର ସୌନ୍ଦର୍ଯ୍ୟକୁ ହତ୍ୟା କରନା । ସେଇ ସୌନ୍ଦର୍ଯ୍ୟ ସୁଧାନିଧିରେ ନିଜକୁ ମଜ୍ଜାଇ ଦିଅ । ହେ ମାନବ କର୍ତ୍ତବ୍ୟର ଦାସ ହୁଅ । ଏହାହିଁ କବିଙ୍କ ଆକାଂକ୍ଷା - ଯଥା :

 

ଦୁନିଆଁର ସମସ୍ତଙ୍କ ସାଥେ

ମୁଁ ଚାହୁଁଛି ରହିବାକୁ ମିଶି

ଚାଖିବାକୁ କର୍ମ ଆଉ ସ୍ଵେଦର ପ୍ରସାଦ

(ଆକାଂକ୍ଷା)

 

‘ଷଡ଼ଜ’ର ଉଦାତ୍ତ ସ୍ଵରରେ ଏକ ବୈପ୍ଳବିକ ପରିବର୍ତ୍ତନର ସ୍ଵର ଝଂକୃତ ହୋଇଛି । ସଂକୀର୍ଣ୍ଣର ଗଣ୍ଡିଭିତରୁ ମଣିଷକୁ ଓଟାରି ନେଇ ବୃହତ୍ତର କରିବାକୁ ତା’ ଆଖି ଆଗରେ ଦେଖାଦେଇଛି ଜାଜ୍ଜ୍ୱଲ୍ୟମାନ ଆଲୋକ - ଯାହା ସ୍ଥିର, ଅବିନାଶୀ ଓ ସର୍ବବ୍ୟାପ୍ତ । ତାହାରି ସନ୍ଦର୍ଶନରେ ମୁକ୍ତ ପୁରୁଷ ତୋଳିବ ‘ପଞ୍ଚମ’ ରାଗିଣୀ । ଏକଦା ସରସ୍ଵତୀ ନଦୀତଟରେ ଆର୍ଯ୍ୟଋଷି ମୁଗ୍ଧପ୍ରାଣେ ତୋଳିଥିଲେ ଏ ରାଗିଣୀ । ମଧୁସୂଦନ ରାଓଙ୍କ ଭାଷାରେ -

 

ବାଜୁଛି ଏ ବଂଶୀଧ୍ଵନୀ ପ୍ରାଣର ଶ୍ରୀହରି

ମୋହରି ମୋହରି ତୁହିଁ ମୋହରି ମୋହରି ।

(ହିଁ : ଉଦୟ ଉତ୍ସବ)

 

ଅହଂକାରଶୂନ୍ୟ ନିଷ୍କାମ କର୍ମରେ ନିଜକୁ ହଜାଇ ଦେଇ କବି କହିଛନ୍ତି - ‘‘ମୁଁ ତୁମରି ଅଧରର ମୂରଲୀ ହୁଏ । ତୁମେ ବଜାଅ । ତା’ର ରାଗିଣୀରେ ବିଶ୍ଵ ହସୁ । ହେ ବିଶ୍ଵବନ୍ଦ୍ୟ । ତୁମେ ମୋତେ ଅମୃତର ନିର୍ଝର କର ।’’

 

ଯଥା –

ଜୀବନ ପତ୍ରେ କି ଲେଖିବି ସଖା ।

ହାତଧରି ତୁମେ ଲେଖି ଦିଅ

+ + + + + + + +

ବଜାଅ ଗୋ ମୋତେ ତୁମ ସୁରେ

ତୁମ ରାଗରେ । (ପଞ୍ଚମ - ୧)

 

କିନ୍ତୁ ଏ ଅମୃତର ସଂଗୀତ ଶୁଣି ଯଦି ମାନବ ଅବୁଝା ହୁଏ, ତେବେ କାଳର ‘ଭୈରବ’ ରବରେ ଜୀବନରେ ଝଡ଼ ସୃଷ୍ଟି ହେବା ବାଞ୍ଚନୀୟ । ଭୈରବ ଏକ ଗମ୍ଭୀର ସ୍ଵର । ପଥଭ୍ରାନ୍ତ ମଣିଷକୁ କବି ଚେତାବନୀ ଦେଇ ବଜ୍ରକଣ୍ଠରେ ଉଦ୍‌ଘୋଷଣା କରିଛନ୍ତି ନିପୀଡ଼ିତ କ୍ଷୁଧିତ ମଣିଷ ସମାଜ ପାଇଁ -

 

ଝଂଜା ଆଣଇ ନିଃଶ୍ଵାସ ଆମ

ଆମେ ଜାଣୁ ଭୋକ ଶୋଷ ଲାଜ, କାମ

ବୁଝୁନାହୁଁ ରାଜନୀତିରେ (କ୍ଷୁଧା)

 

ଉପରୋକ୍ତ ତ୍ରିମୁଖୀ ଭାବଧାରାରେ କବିତା ଗ୍ରନ୍ଥ ‘କବି’ ମନୋଜ୍ଞ ହୋଇଛି ।

 

ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ (୧୯୩୩ -): ଆଠମଲ୍ଲିକ ସବ୍‌ଡିଭିଜନ ହଣ୍ଡପା ନିକଟବର୍ତ୍ତୀ ‘ପାପସରା’ ଗ୍ରାମରେ ଶ୍ରୀ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୋଳ ରାଜପୁତ୍ର ଶ୍ରୀ ପିଣ୍ଡିକ ଶ୍ରୀ ଚନ୍ଦନ ସିଂହଙ୍କ ପରବର୍ତ୍ତୀ ବଂଶଧର । ରାଜନୈତିକ କାରଣରୁ ପିଣ୍ଡିକ ଶ୍ରୀଚନ୍ଦନ ସିଂହ ହିନ୍ଦୋଳ ରାଜଉଆସରୁ ନିର୍ବାସିତ ହୋଇ ଘଞ୍ଚ ଅରଣ୍ୟ ମଧ୍ୟରେ କାଳାତିପାତ କରୁଥିଲେ । ଶୁଭେନ୍ଦ୍ର ଓ ଅନୁଜ କବି ତ୍ରିପୁରାରୀଙ୍କ ପିତା ଜୟକୃଷ୍ଣ ଉକ୍ତ ପିଣ୍ଡିକ ଶ୍ରୀଚନ୍ଦନ ସିଂହଙ୍କ ବଂଶଧର । ଶୁଭେନ୍ଦ୍ରଙ୍କୁ ଯେତେବେଳେ ନଅବର୍ଷ ସେତେବେଳେ ପିତା ଜୟକୃଷ୍ଣ ଶ୍ରୀଚନ୍ଦନ ସିଂହ ମୃତ୍ୟବରଣ କରିଥିଲେ । ବିଧବା ମାଆ ମନୋରମା ଦେବୀଙ୍କ ସ୍ନେହପାଳିତ ପୁତ୍ରଦ୍ୱୟଙ୍କ ଜୀବନ ବଡ଼ ଦୁର୍ବିସହ ଥିଲା । ରାଜବଂଶୀୟ ହୋଇଥିଲେ ମଧ୍ୟ ଏମାନଙ୍କ ଜୀବନ ଦାରିଦ୍ର୍ୟ ଓ ଯନ୍ତ୍ରଣା ଜର୍ଜରିତ ଥିଲା ।

 

ଶୁଭେନ୍ଦ୍ର ବାବୁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ଉପାଧ୍ୟୁତ୍ତର ଡିଗ୍ରୀ ଲାଭ କରି ବର୍ତ୍ତମାନ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଶିକ୍ଷା ବିକାଶ ବିଶେଷଜ୍ଞ ଓ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ଶୁଭେନ୍ଦ୍ର ମୋହନ ୧୯୪୫ ମସିହାରୁ ରଚନା ଆରମ୍ଭ କରି ଓଡ଼ିଶାର ପତ୍ରପତ୍ରିକା-ଡଗର, ସତ୍ୟବାଦୀ, ମୀନାବଜାର, ନବପତ୍ର, ନବରବି, ଶଙ୍ଖ, ବାଣୀ, ତରଙ୍ଗ, ସପ୍ତର୍ଷି ଓ ଗୋକର୍ଣ୍ଣିକା ଆଦିରେ ଲେଖାମାନ ପ୍ରକାଶ କରିବାର ସୁଯୋଗ ଲାଭ କରିଛନ୍ତି । ଜଣେ ସଫଳ କଥାକାର, ନାଟ୍ୟକାର, ଅନୁବାଦକ ଓ କବିରୂପେ ସେ ବହୁ ପୁସ୍ତକର ରଚୟିତା । ତାଙ୍କର କବିତା ଗ୍ରନ୍ଥ - ସ୍ଵପ୍ନଗନ୍ଧା, ଆତ୍ମଲିପି ଏକ ଛିଣ୍ଡା ମେଘର, ବେଙ୍ଗ ରଜା ବେଗେ ବାରଦ ବଜା, ଜନ୍ମଭୂଇଁ, ଓଡ଼ିଆ ପୁଅ ଧରମା, ଏଇ ପାହାଡ଼ ତଳେ, ଆମେ ସବୁଜ, ଆଦି ଖ୍ୟାତି ଲାଭ କରିଥିବାବେଳେ ସମାଲୋଚନା ଗ୍ରନ୍ଥ ‘ସନ୍ଥ କବି ଭୀମ ଭୋଇ ସମୀକ୍ଷା’ ଉପନ୍ୟାସ ‘ଗାୟତ୍ରୀ ନିଳୟେ ଅଶୁଭ ରାତି’ ଏକାଙ୍କିକା - ‘ମନହୀରା’ ଓ ଅନୁବାଦ ଗ୍ରନ୍ଥ - ‘ନରଖାଦକର ଆହ୍ୱାନ’ ‘ନଅଟା ନରଖାଦକ’ ଓ ‘ଗୋଟିଏ ପାଗଳ ହାତୀ’ ଆଦି ପୁସ୍ତକ ଜନାଦୃତ ହୋଇଛି । ଏତଦ୍‌ଭିନ୍ନ ସେ ଦେଶବିଦେଶର କାହାଣୀ, ଗଳ୍ପ ଓ କାହାଣୀ, ଲୋକକଥା, ଆଦି ସର୍ବମୋଟ ଅଠଚାଳିଶ ଖଣ୍ଡ ପୁସ୍ତକ ସୃଷ୍ଟି କରି ଅଛନ୍ତି ।

 

ଶୁଭେନ୍ଦ୍ରବାବୁଙ୍କ ବଡ଼ କବିତା ଗ୍ରନ୍ଥ ‘ସ୍ଵପ୍ନଗନ୍ଧା’ ୧୯୬୮ରେ ପ୍ରକାଶିତ ହୁଏ । ସେ ସଂପୂର୍ଣ୍ଣ ଭାବରେ ଏକକ । କୌଣସି ଗୋଷ୍ଠୀବାଦ ବା ଶ୍ରେଣୀର ଆଶ୍ରିତ ନୁହଁନ୍ତି । ଉଦାର ମାନବ ପ୍ରେମ, ଜାତୀୟ ଚେତନା, ନିଷ୍ପେଷିତ ମଣିଷ ପ୍ରତି ଦରଦ, ତଥା ସୁସ୍ଥ ସମାଜ ଗଠନରେ କବିଙ୍କ ଲେଖନୀ ଚଳଚଞ୍ଚଳ ହୋଇଛି । ପରବର୍ତ୍ତୀ କବିତା ସଂକଳନ ‘ଆତ୍ମଲିପି ଏକ ଛିଣ୍ଡା ମେଘର’ ୧୯୮୪ ମସିହାରେ ଆତ୍ମ ପ୍ରକାଶ କରିଛି । ଏଥିରେ ଏକତ୍ରିଂଶ ଗୋଟି କବିତା ସ୍ଥାନ ପାଇଛି । କବିଙ୍କ ‘ଅର୍କେଷ୍ଟ୍ରା’, ‘କାଳ ପୁରୁଷ’, ‘ଭ୍ରମ ଓ ଭଉଁରୀ’ରେ ମଣିଷ ଜୀବନ ଚିତ୍ର ସ୍ପଷ୍ଟ ଭାବରେ ଅଙ୍କିତ ହୋଇଛି -

 

‘‘ଜୀବନଟା ନୁହେଁ ସୁଦ୍ଦୁ ଗଦ୍ୟରେ:ମିତଣୀ

ଯୋଡ଼ା ଅଛି ଏଥି କିଛି ନାଟକ

-ଖାଲି ଗଦ୍ୟ ନୁହେଁ ଏହା ସାଥୀରେ ଅଛି କି ତା’ର

କବିତା ଛଇ ଆଉ ଛଟକ ।।’’

(ଅର୍କେଷ୍ଟ୍ରା)

 

କବିଙ୍କ ‘ପୁତନା ଉବାଚ’, ‘କେଶବ କୋଇଲି , ‘କର୍ଣ୍ଣର କାମନା’, ଆଦି କବିତାରେ ମିଥ୍‌ର ପ୍ରୟୋଗ ପରିଲକ୍ଷିତ ହୁଏ । ସାମଗ୍ରିକ ଭାବରେ ପଥଚାରୀ ମଣିଷ ଜୀବନର ମିଶାଣ-ଫେଡ଼ାଣ ଓ ଯନ୍ତ୍ରଣାର ସ୍ଵର ଏ କବିତାଗ୍ରନ୍ଥରେ ଶୁଣାଯାଏ ।

 

ତ୍ରିପୁରାରୀ ଶ୍ରୀଚନ୍ଦନ ସିଂହ (୧୯୩୯ -): କବି ଶୁଭେନ୍ଦ୍ର ମୋହନଙ୍କ କନିଷ୍ଠ ଭ୍ରାତା ତ୍ରିପୁରାରୀ ଶ୍ରୀଚନ୍ଦନ ସିଂହ ଜଣେ କ୍ରାନ୍ତିକାରୀ ସ୍ରଷ୍ଟା । ହିନ୍ଦୋଳ ରାଜବଂଶରେ ଜନ୍ମଲାଭ କରି ଶୂଦ୍ରକୁଳରେ ପାଳିତ ହୋଇ ଜୀବନ ଲାଭ କରିଥିବାରୁ କ୍ରମଶଃ ସ୍ରଷ୍ଟାଙ୍କ ସୃଷ୍ଟିସମୂହ ସମାଜ- ଦରବାରରେ ଜ୍ୱଳନ୍ତ ଅଗ୍ନି ଶିଖାତୁଲ୍ୟ ଜାଜ୍ଜ୍ୱଲ୍ୟମାନ ହୋଇଛି ।

 

ତ୍ରିପୁରାରୀବାବୁ ବହୂ ପୁସ୍ତକର ସ୍ରଷ୍ଟା । ତାଙ୍କର ‘ନରଜାନୁଆର’ (୧୯୬୪), ‘ବନ୍ଦୀ’ (୧୯୬୧), ‘ତାରା ଓ ଜହ୍ନ’, ‘ଚନ୍ଦ୍ରମା’, ଶାଶୁବୋହୂ’ ଆଦି ଉପନ୍ୟାସ, ‘ଦିଲ୍ଲୀ ସିଂହାସନ’, ‘ଦୁଇଭାଇ’, ‘ସନ୍ନ୍ୟାସୀ’, ‘ଆଦାଲତ’, ‘ମାଟିପୁଅ’ ଆଦି ନାଟକ, ‘ପଳାସ’ ‘କାଳଚେତାବନୀ’, ଏବଂ ‘ପଥ ଉନ୍ମୋଚନ’ ଆଦି କବିତା - ଗ୍ରନ୍ଥ ପ୍ରକାଶିତ ହୋଇଛି ।

 

ପାପଗ୍ରସ୍ତ ମଣିଷ ସମାଜ କିପରି ନୂତନ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଉପଲବ୍ଧି କରି ପାରିବ - ଆଲୋକର ପୁତ୍ର ହୋଇ ତଥାକଥିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏକ ଶୋଷଣମୁକ୍ତ ସମାଜ ଗଠନରେ ଅଗ୍ରସର ହେବ ତାହାହିଁ କବିଙ୍କ ଅନ୍ତର୍ବାଣୀ ।

 

ଶ୍ରୀମତୀ ମୀନାକ୍ଷୀ ଶ୍ରୀଚନ୍ଦନ ସିଂହ: କବି ମୀନାକ୍ଷୀ ଶ୍ରୀଚନ୍ଦନ ସିଂହ ସ୍ଵାମୀଙ୍କ ଲେଖନୀକୁ ଚଳଚଞ୍ଚଳ କରିବାକୁ ଯାଇ ଶେଷରେ ନିଜେ ହିଁ ଲେଖନୀ ଚାଳନା କରିଛନ୍ତି । ସେ ତ୍ରିପୁରାରୀ ଶ୍ରୀଚନ୍ଦନ ସିଂହଙ୍କ ପତ୍ନୀ ।

 

ନାରୀ କବି ମୀନାକ୍ଷୀ ‘ମଉଳା ଫୁଲ’ ଉପନ୍ୟାସ ଓ ‘ଖରା ବଇଶାଖୀ’ ସାମାଜିକ ନାଟକ ରଚନା କରିଥିଲେ ହେଁ ମୁଖ୍ୟତଃ ସେ ଜଣେ କବି । ତାଙ୍କର କବିତା ଗ୍ରନ୍ଥ ‘ଅଶ୍ରୁତର୍ପଣ’ର ସମାବିଷ୍ଟ ପ୍ରତ୍ୟେକ କବିତା । ଭାବଧର୍ମୀ ପୁଣି ବିଭୁ-ମା ଚରଣ ତଳେ ପ୍ରତ୍ୟର୍ପିତ ଜୀବନ-ଶତଦଳର ଏକ ଏକ ଶୁଭ୍ର, ସ୍ନିଗ୍ଧ ପାଖୁଡ଼ା ଉପସ୍ଥାପନାର ଚମତ୍କାରିତାରେ ଓ ଭାବୈଶ୍ଵର୍ଯ୍ୟରେ ହୃଦୟର ଆବେଗ କ୍ଷରିତ ଉଚ୍ଛ୍ୱାସର ଢଳଢଳ ଅଶ୍ରୁ ମୁକ୍ତା ବିନ୍ଦୁ । ସଂସାରର ଅନତିକ୍ରମଣୀୟ ବନ୍ଧନର ଜ୍ୱାଳା ଭିତରେ ଆବଦ୍ଧ ମଣିଷ ବେଦନା ବୋଧକୁ ଉପଶମ କରିବା ପାଇଁ ବ୍ୟାକୁଳ କଣ୍ଠରେ ବିଭୁ ଶରଣାପନ୍ନ ହୁଏ-। ଅଶ୍ରୁତର୍ପଣର କବିତାଗୁଡ଼ିକ ଏଇ ଧରଣର ।

 

ଗୌତମ ରାଉତ (୧୯୧୬ -): ୧୯୧୬ ମସିହା ଜାନୁୟାରୀ ୪ ତାରିଖ ପୌଷମାସ ବକୁଳ ଅମାବାସ୍ୟା ତିଥିରେ ଶ୍ରୀ ଗୌତମ ରାଉତ । ପ୍ରିୟଲତା ଦେବୀଙ୍କ ଗର୍ଭରୁ ଆଠମଲ୍ଲିକ ସହରରେ ଜନ୍ମ ଗ୍ରହଣ କରିଥିଲା । ଶ୍ରୀ ରାଉତ ଭୂମିଷ୍ଠ ହେବାର ତିନିମାସ ପୂର୍ବରୁ ତାଙ୍କ ପିତା ଶ୍ରୀ କାହ୍ନୁ ଚରଣ ରାଉତ ଇହଧାମ ତ୍ୟାଗ କରିଥିଲେ । ଯୁବକ ଗୌତମ ୧୯୪୯ ମସିହା ଗଡ଼ଜାତ ମିଶ୍ରଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି କାରାବରଣ କରିଥିଲେ । ୧୯୭୧ ମସିହାରୁ ସେ ସାହିତ୍ୟ ସାଧନାରେ ବ୍ରତୀ ହେଲେ । ଓଡ଼ିଶାର ପତ୍ର-ପତ୍ରିକା-ଝଙ୍କାର, ଉତ୍କଳ ପ୍ରସଙ୍ଗ, କାଳିଆ, ବୀଣାପାଣି, କାଳିଆ ସୁନା, ଦୈନିକ ପ୍ରଜାତନ୍ତ୍ର ଆଦିରେ ଶ୍ରୀ ରାଉତଙ୍କ ଲେଖା ପ୍ରକାଶିତ ହୋଇ ପାଠକ ମହଲରେ ଆଦୃତ ହୋଇଛି । ତାଙ୍କର ‘‘ଆଠମଲ୍ଲିକ ଇତିହାସ’’ ଏକ ବୃହତ୍‌ ଗ୍ରନ୍ଥ । ଏହା ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବିଭାଗ ଏବଂ ପି.କେ. ଇଣ୍ଡର୍‌ନେସନାଲ ସ୍କଲାର୍‌ସିପ୍‌, ସୁଇଡେନଙ୍କ ମିଳିତ ଅନୁଦାନରେ ପ୍ରକାଶିତ ହେଉଅଛି । ୧୯୮୧ ମସିହାରେ ସାହିତ୍ୟିକର ଗୌରବ ବୃଦ୍ଧି ନିମନ୍ତେ ଢେଙ୍କାନାଳ ଜିଲ୍ଲା ଲେଖକ ସମ୍ମିଳନୀ ତରଫରୁ ଶ୍ରୀରାଉତଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ବୟସର ଅପରାହ୍ନରେ ସ୍ରଷ୍ଟା ବ୍ୟକ୍ତିଗତ ଜୀବନର ଦୁଃଖ-ଯନ୍ତ୍ରଣା ପ୍ରତି ଖାତିର ନରଖି ଯୁବ ସୁଲଭ ଭାବାଳୁତାରେ ଲେଖନୀକୁ ଚଳଚଞ୍ଚଳ କରୁଥିବାର ଦେଖି ଆନନ୍ଦ ଓ ବିସ୍ମିତ ହେବାକୁ ପଡ଼େ ।

 

ତାଙ୍କର ‘ଭାବଲହରୀ’, ‘ସଂଗୀତ ସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ଦେଉଳଝରି’, ‘ବିନିକେଇ’ , ‘ପଞ୍ଚଧାର’ , ‘ଦୃଢ଼େ ତରିକି ମୂଢ଼େ ତରି’, ‘ଅହମିକାର ପରିଣତି’, ଆଦି ପ୍ରବନ୍ଧ ଓ ‘ଭାଇଭଉଣୀର ସ୍ନେହ’, ‘ସମୟ ନେଇ ଚାନ୍ଦ ହସେ’ ଆଦି କ୍ଷୁଦ୍ରଗଳ୍ପ ବେଶ୍‌ ଜନାଦୃତ ହୋଇଛି । ଗୌତମ ବାବୁ ବହୁ ସୃଷ୍ଟିର ରଚୟିତା ହୋଇଥିଲେ ମଧ୍ୟ ଏ ଯାବତ୍‌ ଅନେକ ପ୍ରକାଶିତ ହୋଇ ପାରିନାହିଁ ।

 

ଅନନ୍ତ ନାୟକ: ତରୁଣ କବି ଅନନ୍ତ ନାୟକଙ୍କ ଆଠମଲ୍ଲିକ ସହର ନିକଟସ୍ଥ ‘ପୋଡ଼ାପଦର’ ଗ୍ରାମରେ ଜନ୍ମ-। ଜଣେ ସ୍କୁଲ ଶିକ୍ଷକ ରୂପେ ଜୀବନ ରଥ ବାହିନେଲେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ହୋଇ ବାଗ୍‌ଦେବୀଙ୍କ ବରପୁତ୍ର ହେବାର ଗୌରବ ଲାଭ କରିଅଛନ୍ତି ।

 

କବିଙ୍କ ‘ପଞ୍ଚଧାର’ କାବ୍ୟ (୧୯୮୪) କବି ପ୍ରତିଭାର ନିଦର୍ଶନ । ଆଧୁନିକ ଯୁଗର କବି ରାଧାନାଥଙ୍କ ଶୈଳୀରେ ଏ କାବ୍ୟ ଆତ୍ମ-ପ୍ରକାଶ କରିଛି । କବିଶେଖର ଚିନ୍ତାମଣି ମହାନ୍ତିଙ୍କ ‘ପଞ୍ଚଧାର’ କାବ୍ୟ (୧୯୪୦)ର ପ୍ରଭାବ ଏ କାବ୍ୟରେ ପ୍ରତିଫଳିତ । ଉଭୟ କାବ୍ୟର ମଙ୍ଗଳାଚରଣ ବସ୍ତୁ ନିର୍ଦ୍ଦେଶାତ୍ମକ ରୀତିରେ ସଂଘଟିତ ହୋଇ ‘ପଞ୍ଚଧାର’ ପର୍ବତର ଗୌରବ ଗାନ କରାଯାଇଛି ।

 

ଯଥା-

ଘନ କେଳି ମଞ୍ଚ ଗିରି ପଞ୍ଚଧାର

ପ୍ରକୃତି ଦେବୀଙ୍କ ରତ୍ନ-ଗନ୍ତାଘର ।

(ଚିନ୍ତାମଣି ମହାନ୍ତି)

ଅଷ୍ଟ ମଲ୍ଲିକର ରତ୍ନ-ଗନ୍ତାଘର

ଶିଳା-ଶୈଳ ପୂର୍ଣ୍ଣ ଶ୍ୟାମ ପଞ୍ଚଧାର ।

(ଅନନ୍ତ ନାୟକ)

 

ପଞ୍ଚଧାର ପର୍ବତର ମହିମା ପ୍ରଖ୍ୟାପନ ଉଭୟ କବିଙ୍କ ଭାବଧାରା ହୋଇଥିଲା ମଧ୍ୟ ଶ୍ରୀ ମହାନ୍ତିଙ୍କ ପ୍ରଭାବରୁ ଶ୍ରୀ ନାୟକ ମୁକ୍ତ ନୁହଁନ୍ତି । ପୁଣି ମନେହୁଏ ରାଧାନାଥଙ୍କ ‘‘ଉତ୍କଳ-କମଳା-ବିଳାସ-ଦୀର୍ଘିକା’’ । କିମ୍ୱା ଗଙ୍ଗାଧରଙ୍କ ‘‘ଜୟଗୋ ! ଉତ୍କଳ ଲକ୍ଷ୍ମୀ ଏକମାତ୍ର ସୁନ୍ଦରୀ ତୁ ବସୁଧାରେ’’ ଛାଞ୍ଚରେ କାବ୍ୟର ମଙ୍ଗଳାଚରଣ କରାଯାଇଛି । ‘ପଞ୍ଚଧାର’ ଇନ୍ଦ୍ରନୀଳ କାନ୍ତିରେ ସୁଶୋଭିତ । ଉତ୍କଳ ଲକ୍ଷ୍ମୀଙ୍କ ଉପହାର ଛଳରେ ଆଠମଲ୍ଲିକ ଅଧିଷ୍ଠାତ୍ରୀ ଠାକୁରାଣୀ । ମାହେଶ୍ଵରୀଙ୍କ କରେ ସମର୍ପିତ । ଉତ୍କଳ-ଜାହ୍ନବୀ-ମହାନଦୀ ପଞ୍ଚଧାରର ବକ୍ଷ ଛିନ୍ନ କରି ସଂକୁଚିତ ଶରୀରରେ ନିମ୍ନଗାମୀ ହେବା, ମା ବିନିକେଇ ଠାକୁରଣୀଙ୍କ ମହିମା, ଉଷ୍ଣ ପ୍ରସ୍ରବଣ ତଥା ବାବା ସିଦ୍ଧେଶ୍ଵରଙ୍କ ପୀଠସ୍ଥଳି - ଦେଉଳ ଝରିର ମହିମା କବିଙ୍କ ଲେଖନୀରେ ଜୀବନ୍ତ ହୋଇଛି ।

 

ଯଥା-

ଦେଉଳ ଝରିର ସୁରମ୍ୟ କାନନ

ପ୍ରତେ ହୁଏ ସେକି ହର ଉପବନ

କୁସୁମେ ପୂରିତ କି କ୍ଷୀର ସାଗର

ଏ ହର ମହିର କି ଅବା ମନ୍ଦର

ଉଷ୍ଣ ପ୍ରସ୍ରବଣ କଳୁଷ ନାଶିନୀ

ହର ମନୋଲୋଭା ମର୍ତ୍ତ୍ୟ ମନ୍ଦାକିନୀ ।

(ପଞ୍ଚଧାର - ପୃ : ୧୦)

କାବ୍ୟରେ ବହୁ କିମ୍ବଦନ୍ତୀ ଓ ବିଭିନ୍ନ ସ୍ଥାନର ନାମକରଣର ଗୁରୁତ୍ଵ ସ୍ରଷ୍ଟାଙ୍କ ଲେଖନୀରେ ମୂର୍ତ୍ତିମନ୍ତ ହୋଇଛି । ଆଧୁନିକ ଯୁଗୀୟ ପ୍ରଭାବରୁ ମୁକ୍ତ ହୋଇ ନଥିବା କବିଙ୍କ ପ୍ରକୃତି ବର୍ଣ୍ଣନା ମାର୍ମିକ ତଥା ହୃଦୟସ୍ପର୍ଶୀ ହୋଇଛି ।

 

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ (୧୯୫୧ -) ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ୧୯୫୧ ମସିହା ଡିସେମ୍ବର ୨୫ ତାରିଖରେ ଆଠମଲ୍ଲିକ ସହରରେ ପିତା ଶ୍ରୀଧର ମହାନନ୍ଦିଆଙ୍କ ତୃତୀୟ ସନ୍ତାନ ରୂପେ ଜନ୍ମଲାଭ କରିଥିଲେ । ଚିତ୍ର ପ୍ରତି ମମତା ତାଙ୍କର ପିଲାଦିନରୁ ଜଣା ପଡ଼ିଥିଲା । ସେଥିପାଇଁ ସେ ସାଧାରଣ ପାଠପଢ଼ାରେ ମନୋନିବେଶ ନକରି ଛବି ଆଙ୍କିବାରେ ସମୟ ଅତିବାହିତ କରୁଥିବାରୁ ଆଇ.ଏସ୍‌.ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ । କିନ୍ତୁ ନିଜ ସଂକଳ୍ପରେ ସେ ଅବିଚଳିତ ଥିବାରୁ୧୯୭୫ ମସିହାରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଫାଇନ୍‌ ଆର୍ଟସ୍‌ରେ ଏମ୍‌.ଏ, ଡିଗ୍ରୀ କୃତିତ୍ୱର ସହ ଲାଭ କରିଥିଲା । ୧୯୭୬ ମସିହାରେ ସେ ଦିଲ୍ଲୀଠାରେ ଏକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରିଥିବା ଅବକାଶରେ ସ୍ଵୀଡ଼େନ୍‌ ଦେଶର ମହିଳା ‘ମିସ୍‌ ଚାର୍‌ଲୋଟ’ଙ୍କ ସଂସ୍ପର୍ଶରେ ଆସି ବୈବାହିକ ବନ୍ଧନରେ ଆବଦ୍ଧ ହେଲେ ଓ ଜନ୍ମଭୂମି ଭାରତର ଗୌରବ ପ୍ରଖ୍ୟାପନ ତଥା ଉତ୍କଳୀୟ କଳାନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ ନିମନ୍ତେ ସ୍ଵୀଡ଼େନ୍‌ ଅଭିମୁଖେ ଗମନ କଲେ । ଓଡ଼ିଶାର କୁଟୀର ଶିଳ୍ପ ସମ୍ବନ୍ଧରେ ସ୍ଵୀଡ଼େନବାସୀଙ୍କ ମନରେ ଆନନ୍ଦ ସୃଷ୍ଟି ସହିତ ଓଡ଼ିଶୀ ଶିଳ୍ପ କଳାର ନୈପୁଣ୍ୟ ପ୍ରଦର୍ଶନ ପାଇଁ ସେ ପିପିଲିର ହସ୍ତଶିଳ୍ପ, ଅଭଙ୍ଗା କଣ୍ଢେଇ, ସମ୍ବଲପୁର ଓ ନୂଆପାଟଣାର ବାନ୍ଧକାମ ଆଦି ସେଠାରେ ପ୍ରଦର୍ଶିତ କରିଛନ୍ତି । ୧୯୮୬ ମସିହା ଡିସେମ୍ବର ମାସରେ କେମ୍ୱ୍ରିଜର International Biographical Centre 41 ମହାନନ୍ଦିଆଙ୍କୁ ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ସମ୍ମାନିତ କରିଛନ୍ତି ।

 

ଚିତ୍ରଶିଳ୍ପୀ କେବଳ ଯେ ଚିତ୍ରକଳାରେ ଖ୍ୟାତିଲାଭ କରିଛନ୍ତି ତା ନୁହେଁ - ସେ ଜଣେ ସୁସାହିତ୍ୟିକ । ‘‘ମୋ ଓଡ଼ିଆ ଲେଖା’’ ଏବଂ ‘‘Oriya Articies by P. K. Mahanandia’’ ଦୁଇଟି ସଂକଳନ । ପୁସ୍ତକାକାରରେ ପ୍ରକାଶିତ ହୋଇଅଛି । ଓଡ଼ିଶାର ବିଭିନ୍ନ ପ୍ରକ୍ରିୟାରେ ପ୍ରକାଶିତ ସମାଲୋଚନା, ପ୍ରବଂଧ କବିତାସମୂହ ଏ ପୁସ୍ତକଦ୍ୱୟରେ ସ୍ଥାନ ପାଇଅଛି । ପାଶ୍ଚାତ୍ୟ ସଂସ୍କୃତି ସମ୍ବନ୍ଧରେ ଓଡ଼ିଆ ପାଠକଙ୍କୁ ଅବଗତ କରାଇବା ପାଇଁ ତାଙ୍କରି ପ୍ରଚେଷ୍ଟା ଅବ୍ୟାହତ ରହିଛି । ‘‘ସ୍ଵୀଡ଼େନ୍‌ରେ ସଂପୂର୍ଣ୍ଣ ରାମାୟଣ’’ ପ୍ରବନ୍ଧ ଲେଖି ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରାମାୟଣର ଆଦର ସ୍ଵୀଡ଼େନ ଦେଶରେ କିଭଳି ହୋଇଛି ତାହା ବର୍ଣ୍ଣନା କରିଛନ୍ତି । ଏତଦ୍‌ଭିନ୍ନ ‘ଗାଳ୍ପିକ ବିପିନ ବିହାରୀ’, ‘ବିଶ୍ୱର କ୍ଷୁଦ୍ରତ୍ତମ ସ୍ୱାଧୀନ ରାଷ୍ଟ୍ର’, ‘ଚିତାଶିଳ୍ପୀ ଶ୍ଵେତପଦ୍ମା ଏକ ପ୍ରଶଂସନୀୟ । ପ୍ରତିଭା’, ‘ଲକ୍ଷେ ହ୍ରଦର ଦେଶ ଫିନ୍‌ଲାଣ୍ଡ’, ‘ସତୀଦାହର ଅନ୍ୟରୂପ ଯୌତୁକ ?’, ‘ନାକରଖେ ମୁହଁର ଟେକ’, ‘ଓଡ଼ିଆ ଘରର ବୋହୂ’, ‘ସୁଇଡ଼େନ୍‌ର ଝିଅ’, ‘ଆଠମଲ୍ଲିକର ସ୍ୱର୍ଣ୍ଣମୁଦ୍ରା’, ‘ବିଶ୍ୱର ନିଶ ସମ୍ରାଟ’, ଆଦି ବହୁ ପ୍ରବଂଧର ସ୍ରଷ୍ଟା । ସାଧନା ପଥରେ ଶ୍ରୀଯୁକ୍ତ ମହାନନ୍ଦିଆ ବର୍ତ୍ତମାନ ଅଗ୍ରସର- ଚଲାପଥ ତାଙ୍କର କୁସୁମିତ ହେଉ ।

 

ଆଠମଲ୍ଲିକ ବହୁଦିନରୁ ଏକ ସାଂସ୍କୃତିକ ପୀଠ ରୂପେ ବହୁ ପ୍ରତିଭାଧିକାରୀ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି । ବଣମାଳତୀ ବଣରେ ମଉଳି ଯିବା ନ୍ୟାୟରେ ଅରଣ୍ୟବେଷ୍ଟିତ ଆଠମଲ୍ଲିକର କୃତୀ ସଂତାନମାନଙ୍କୁ ଓଡ଼ିଆ ସାହିତ୍ୟ ଚିହ୍ନି ପାରି ନାହିଁ । ଗବେଷଣା ଓ ଅନୁସନ୍ଧିତ୍ସା ମନ ନେଇ ଏ ଦିଗରେ ଅଗ୍ରସର ହେଲେ ବହୁ ନୂତନ ପଦଧ୍ୱନି ଶୁଣିବାକୁ ମିଳିବ ।

 

 

ଓଡ଼ିଆ ବିଭାଗ,

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ୍‌

ପାରଳାଖେମୁଣ୍ଡି

 

***

 

ଦାସକାଠିଆର ସୃଷ୍ଟି, ପୁଷ୍ଟି ଓ ସ୍ୱରୂପ : ଏକ ଅନୁଧ୍ୟାନ

ଅଶୋକ କୁମାର ତ୍ରିପାଠୀ

 

ଦାସକାଠିଆ ଓଡ଼ିଶାର ଏକ ସମୃଦ୍ଧ ତଥା ପ୍ରାଚୀନ ଲୋକନାଟକ । ଏହାର ସୃଷ୍ଟି ଓ ପୁଷ୍ଟି ସଂପର୍କିତ ବହୁ ଆଲୋଚନା ଉପଲବ୍ଧ ହେଲେ ହେଁ ସେ ସମସ୍ତ ବିସମ୍ବାଦବର୍ଜିତ ନୁହେଁ, ଏଣୁ ଏକ ସମୃଦ୍ଧ ଲୋକକଳାର ସ୍ପଷ୍ଟ ଅବଧାରଣା ନିମିତ୍ତ ପ୍ରସ୍ତୁତ ପ୍ରବନ୍ଧର ପରିକଳ୍ପନା କରାଯାଇଛି ।

 

ଲୋକନାଟକର ସୃଷ୍ଟି : ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଚତୁର୍ବେଦ (ରକ୍‌, ଯଜୁଃ, ସାମ ଓ ଅଥର୍ବ) କ୍ରମେ ସାମୂହିକ ଅବବୋଧରୁ ଦୁରେଇଯିବା ହେତୁ ଇନ୍ଦ୍ରାଦି ଦେବଗଣ ଦୃଶ୍ୟ ଓ ଶ୍ରବ୍ୟ ଗୁଣ ମିଶ୍ରିତ କ୍ରୀଡ଼ନୀୟକ ମାଧ୍ୟମରେ ବୈଦିକବିଷୟ ବସ୍ତୁର ସରଳ ଅବତାରଣା ନିମିତ୍ତ ବ୍ରହ୍ମାଙ୍କୁ ଅନୁରୋଧ କଲେ । ଫଳତଃ, ଋଗ୍‌ବେଦରୁ ପାଠ୍ୟ, ସାମବେଦରୁ ଗୀତ, ଯଦୁର୍ବେଦରୁ ଅଭିନୟ ଓ ଅଥର୍ବ ବେଦରୁ ରସ ସଂଗ୍ରହ ପୂର୍ବକ ପିତାମହ ନାଟ୍ୟ ବେଦ ସୃଷ୍ଟି କଲେ ॥ ୧॥ କିନ୍ତୁ ଏହାର ଭାଷା, ବର୍ଣ୍ଣନା ଶୈଳୀ, କଳ୍ପନା ବିଳାସ ପ୍ରଭୃତି ଶ୍ରବ୍ୟଭାଗ ଲୋକ ପକ୍ଷରେ ଦୁର୍ବୋଧ ହେଲା ଏବଂ ଏହାର ଜଟିଳ ମଞ୍ଚ କୌଶଳ ତଥା ପରିବେଷଣ ରୀତି ଲୋକପକ୍ଷେ ଦୁଃସାଧ୍ୟ ମନେହେଲା । ଏଣୁ ସଂସ୍କୃତ ନାଟକଗୁଡ଼ିକ ରାଜ ଦରବାରର ମଞ୍ଚ ଭିତରେ ହିଁ ସୀମାବଦ୍ଧ ରହିଲା । ଏହି ସମୟରେ ସାଧାରଣ ଜନତା ମଧ୍ୟରୁ କେହି କେହି ମନୋରଞ୍ଜନର ସାଧନକୁ ପରିଶୀଳିତ କରିବାର ଉଦ୍ୟମ କଲେ । ତେଣୁ ସଭ୍ୟ ସମାଜର ଉନ୍ନତ ରୁଚିର ନାଟକ ସହିତ ସମାନ୍ତରାଳ ଗତିରେ ଆଗେଇ ଚାଲିଲା ନାନାବିଧ ଲୀଳା, ଯାତ୍ରା, ସୁଆଙ୍ଗ ପ୍ରଭୃତି ଲୋକନାଟକ ॥୨॥

 

ରାମଲୀଳା : ଓଡ଼ିଶା ଭୂମିରେ ସୃଷ୍ଟି ହୋଇଥିବା ଲୋକନାଟକମାନଙ୍କ ମଧ୍ୟରେ ପ୍ରାଚୀନତମ ଲୋକନାଟକ ହେଉଛି ରାମଲୀଳା । ପଣ୍ଡିତ ନୀଳମଣି ମିଶ୍ର ଓଡ଼ିଆ ଲୀଳାର ପ୍ରଥମ ଲିଖିତରୂପ ଭାବରେ ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣକୁ ଗ୍ରହଣ କରିଛନ୍ତି ॥ ୩ ॥ ରାମଲୀଳାର ପ୍ରଥମ ଲିଖିତ ସ୍ଵରୂପ ‘‘ବିଚିତ୍ର ରାମାୟଣ ହୋଇପାରେ; କିନ୍ତୁ ଏହାର ମୌଖିକରୂପ କେଉଁ କାଳରୁ ସମାଜରେ ପ୍ରଚଳିତ ଥିଲା, ତାହା ଠିକ୍‌ଭାବେ ନିର୍ଣ୍ଣୟ କରିବା କଠିନ ଓଡ଼ିଶାର ପ୍ରଥମ ରାମ ଚରିତ ସ୍ରଷ୍ଟା ବଳରାମ ଦାସ (ପଞ୍ଚଦଶ ଶତାବ୍ଦୀ) ସ୍ଵୀକାର କରିଛନ୍ତି ଯେ, ସେ କୌଣସି ସଂସ୍କୃତ ଗ୍ରନ୍ଥ ପାଠକରି ନାହାନ୍ତି ଲୋକମୁଖରେ ପ୍ରଚଳିତ ରାମକଥାକୁ ଭିତ୍ତିକରି ସେ ‘ଜଗମୋହନ ରାମାୟଣ’ ରଚନା କରିଛନ୍ତି ।୪। ଏଥିରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ, ପଞ୍ଚଦଶ ଶତକ ପୂର୍ବରୁ ଓଡ଼ିଶାର ଜନସମାଜ ଭିତରେ ରାମକଥା ମୌଖିକ ରୂପରେ ପ୍ରଚଳିତ ଥିଲା । ମୌଖିକତା ହିଁ ଲୋକନାଟକଗୁଡ଼ିକର ପ୍ରାଥମିକ ସ୍ଵରୂପ ଏବଂ କ୍ରମେ ଏଗୁଡ଼ିକର ଲିଖିତ ସ୍ଵରୂପ ପ୍ରତି ଧ୍ୟାନ ଦିଆଯାଇଥାଏ । ରାମଲୀଳାର ପ୍ରାଚୀନତା ସଂପର୍କରେ ଗିରିଜା ଶଙ୍କର ରାୟ କହନ୍ତି, ‘‘ମୁସଲମାନମାନଙ୍କ ଓଡ଼ିଶା ଅଧିକାର ପୂର୍ବେ ରାମଲୀଳା ଭିନ୍ନ ଅନ୍ୟ କୌଣସି ପ୍ରକାର ଅଭିନୟ ପ୍ରଚଳିତ ଥିଲାକି ନାହିଁ ତାହା ନିର୍ଣ୍ଣୟ କରିବା ସୁକଠିନ; ସମ୍ଭବତଃ ଅନ୍ୟ କୌଣସି ସାଧାରଣ ଅଭିନୟ ପ୍ରଚଳିତ ନଥିଲା ।’’ ।। ୫ ॥ ଏହାର ପ୍ରାଥମିକ ସ୍ଵରୂପ ସଂପର୍କରେ ସେ କହନ୍ତି, ‘‘ରାମଲୀଳାରେ ନଟମାନେ କେବଳ ସଂଗୀତର ଆନୁଷଙ୍ଗିକ କେତେକ ଅଭିନୟ ପ୍ରଦର୍ଶନ କରୁଥିଲେ ମାତ୍ର । ରାମଙ୍କ ସହ କୌଣସି ଯୁଦ୍ଧ । ବର୍ଣ୍ଣନା କରିବା ସମୟରେ ନଟମାନେ ଯୁଦ୍ଧର ଅଭିନୟ ପ୍ରଦର୍ଶନ କରୁଥିଲେ । କିନ୍ତୁ ସଂଗୀତ ଦ୍ୱାରା ଯୁଦ୍ଧ ବର୍ଣ୍ଣନା ଏବଂ ବୀରମାନଙ୍କର ଯୁଦ୍ଧକାଳୀନ ଆସ୍ଫାଳନ ବର୍ଣ୍ଣିତ ହେଉଥିଲା । ........କ୍ରମଶଃ ସଂଗୀତର ଅନ୍ତରାଳରେ । ଗଦ୍ୟ କଥୋପକଥନ ପ୍ରବର୍ତ୍ତିତ ହେଲା, ମାତ୍ର ସେତେବେଳେ ମଧ୍ୟ ଅଭିନେତାମାନେ ମୂକ ଅଭିନୟ କରୁଥିବାରୁ ଜଣେ ଅବଧାନ ବର୍ତ୍ତମାନ ରାମଙ୍କ ନିକଟରେ ରହି ରାମଙ୍କ କଥାବସ୍ତୁ ପ୍ରକାଶ କରି ପରକ୍ଷଣରେ ରାବଣ ନିକଟକୁ ଯାଇ ରାବଣର କଥାବସ୍ତୁ ପ୍ରକାଶ କରୁଥିଲେ ।’’ ॥ ୬ ॥ ନଟମାନେ ସେତେବେଳେ ଭାଷା, ସ୍ୱର, ତାଳ ଓ ଲୟଜ୍ଞାନରେ ଅନଭିଜ୍ଞ ଥିବାରୁ ଅବଧାନ ବା ଗାୟକ ହିଁ ପ୍ରାୟ ସମସ୍ତ ଗୀତ ଗାନ କରି ଅଭିନୟ କରୁଥିଲେ । ରାମଲୀଳାରେ ସଂଗୀତ ଓ ବଚନିକାର ପ୍ରୟୋଗ କ୍ରିୟାକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ଉପଲବ୍ଧ ହୁଏ ଯେ, ପ୍ରଥମେ ଲୋକନାଟକରେ କେବଳ ଅଭିନୟ (ଅନୁକରଣଜନିତ ଗାତ୍ର ବିକ୍ଷେପ ବା ନୃତ୍ୟ) ହଁ ପ୍ରଚଳିତ ଥିଲା । କାଳକ୍ରମେ ଏହା ସହିତ ସଂଗୀତ ଓ ବଚନିକା ସଂଯୋଗ କରାଗଲା ।

 

ରାମଲୀଳାର ସମସ୍ୟା : ରାମଲୀଳା ମଞ୍ଚସ୍ଥ କରିବାରେ କେତେକ ସମସ୍ୟା ସୃଷ୍ଟି ହେଲା । ସେଥିମଧ୍ୟରୁ(୧) ମୃଦଙ୍ଗ ଓ ଝାଂଜର ତାଳେ ତାଳେ ରାମାୟଣ ଭଳି ଏକ ସୁଦୀର୍ଘ ବିଷୟ ଯୁଗପତ୍‌ ଗାନ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରିବାର ଧୈର୍ଯ୍ୟ ଓ ଶକ୍ତି କ୍ୱଚିତ ଗାୟକ ଆୟତ୍ତ କରି ପାରୁଥିଲେ । ତେଣୁ ଗାୟକଙ୍କୁ ଏହି କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ପଡ଼ିଗାୟକ ବା ପାଳିଆର ଆବଶ୍ୟକତା ଅନୁଭୂତ ହେଲା । (୨) ଏହି ଲୀଳା ପରିବେଷଣ ନିମିତ୍ତ ସଂଖ୍ୟାଧିକ ନଟମାନଙ୍କର ଆବଶ୍ୟକତା ଏବଂ ସମସ୍ତଙ୍କ ପାଇଁ ବେଶ, ପୋଷାକ ତଥା ଉପକରଣ ଆଦିର ଆବଶ୍ୟକତା ଦୃଷ୍ଟିରୁ ଏହା ବହୁ ବ୍ୟୟସାପେକ୍ଷ ମନେ ହେଲା (୩) ସଂଖ୍ୟା ବହୁଳ ନଟନଟୀଙ୍କୁ ଅଭିନୟ, ଗୀତ, ନୃତ୍ୟ ପ୍ରଭୃତି ଶିକ୍ଷାଦେବା ମଧ୍ୟ ବହୁ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ହେଲା (୪) ଏହି ଲୀଳା ଅନ୍ତର୍ଗତ ବିଭିନ୍ନ ରାଗରାଗିଣୀ ଆୟତ୍ତ କରିବା ଗାୟକ ଓ ପଡ଼ିଗାୟକଙ୍କ ପକ୍ଷରେ ଦୁଃସାଧ୍ୟ ବୋଧ ହେଲା । (୫) ସ୍ଥାନାନ୍ତର ନିମିତ୍ତ ବହୁ ସଂଖ୍ୟକ ନଟନଟୀ ଏବଂ ଆବଶ୍ୟକ ମଞ୍ଚୋପକରଣ ନେଇଯିବା ମଧ୍ୟ କମ୍‌ କଷ୍ଟକର ବ୍ୟାପାର ହେଲା ନାହିଁ ।

 

ଏସବୁ ସମସ୍ୟାର ଦୂରୀକରଣ ନିମିତ୍ତ ସେତେବେଳେ ଯେଉଁ ପଦକ୍ଷେପ ନିଆଗଲା, ସେଥିରୁ ଏକ ଦିଗରେ ନବୀକୃତ ରାମଲୀଳା ଓ ଅନ୍ୟଦିଗରେ ଦାସକାଠିଆର ସୃଷ୍ଟି ସଂଭବ ହୋଇପାରିଲା ।

 

ରାମଲୀଳାରୁ ଦାସକାଠି : ସୀମିତ ସମୟ ମଧ୍ୟରେ ତଥା ସହଜ ପ୍ରଣାଳୀ ମାଧ୍ୟମରେ କୌଣସି ବିଷୟ ଆୟତ୍ତ କରିବା ମଣିଷର ‘‘ସହଜାତ ପ୍ରବୃତ୍ତି’’ । ରାମଲୀଳା ପରିବେଷଣ କାଳରେ ଆବଶ୍ୟକ ହେଉଥିବା ଦୀର୍ଘ ସମୟ ତଥା ଅନୁଭୂତ ହେଉଥିବା ସମସ୍ୟାମାନ ଦୂରୀଭୂତ କରିବାର ପ୍ରଚେଷ୍ଟା ଫଳରେ ଏଥିରେ ଥିବା ବହୁରାଗରାଗିଣୀ ପରିବର୍ତ୍ତେ ସ୍ଥାନେ ସ୍ଥାନେ ଗଦ୍ୟ ବଚନିକା ପ୍ରୟୋଗ କରାଗଲା । ମୂକାଭିନୟ କରୁଥିବା ବହୁସଂଖ୍ୟକ ଚରିତ୍ରର ଆବଶ୍ୟକତା ଦୂର କରିବା କଳ୍ପନାକୁ ଅଳ୍ପସଂଖ୍ୟକ ନଟ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଲେ; ତଥାପି ଗାୟକ ଓ ପଡ଼ିଗାୟକକୁ ହଁ ସମସ୍ତ ଗୀତ ଓ ନୃତ୍ୟ ପରିବେଷଣ କରିବାକୁ ପଡ଼ିଲା । ଏଣୁ କାଳକ୍ରମେ ଏହି ନଟମାନଙ୍କର ଆବଶ୍ୟକତା ଉପରେ ଆଉ ଗୁରୁତ୍ୱ ପ୍ରଦାନ କରାଗଲା ନାହିଁ । ଲୀଳା ପରିବେଷଣ କାଳରେ ଚରିତ୍ରମାନଙ୍କୁ ମଣ୍ଡଳ ଭିତରେ ବିଶ୍ରାମ ଦେଇ କିମ୍ବା ଚରିତ୍ରମାନଙ୍କର ଅନୁପସ୍ଥିତିରେ ମଧ୍ୟ ଗାୟକ ଓ ପଡ଼ିଗାୟକମାନେ ଲୀଳା ପରିବେଷଣ କଲେ ।

 

କେବଳ ଗାୟକ ଓ ପଡ଼ିଗାୟକଙ୍କ ଦ୍ୱାରା ପରିବେଷିତ ଲୀଳା (ରାମ ଉପାଖ୍ୟାନ) ସଂଦର୍ଶନ କରି ତତ୍‌କାଳୀନ ସମାଜରେ ଦାସକାଠିଆ ନାଟର ସୃଷ୍ଟି କଳ୍ପନା ସଂଭବ ହୋଇଥିବା ଅନୁମେୟ । ରାମଲୀଳାର ଗାୟକ ଓ ପଡ଼ିଗାୟକ ଭଳି ଦାସକାଠିଆରେ ମଧ୍ୟ ଗାୟକ ଓ ପାଳିଆ ରାମକଥା ପ୍ରଚାର କଲେ । ସେମାନଙ୍କ ପରି ମୁଣ୍ଡରେ ପଗଡ଼ି, ପିନ୍ଧିବା ପାଇଁ ପାଟ, ହାତରେ ଖଡ଼ୁ, କାନରେ କୁଣ୍ଡଳ ପ୍ରଭୃତି ବେଶ, ପୋଷାକ ଓ ଅଳଂକାର ପରିଧାନ ପୂର୍ବକ ଦାସକାଠି ନାଟର ଗାୟକ ଓ ପାଳିଆ ରାମଚରିତ ପରିବେଷଣ କଲେ, ବିଷୟ ପରିବେଷଣ ବେଳେ ବିଭିନ୍ନ ରସ ଅନୁଯାୟୀ ଯେଉଁ ଅଭିନୟ ପ୍ରଦର୍ଶିତ ହେବା କଥା ତାହା ମଧ୍ୟ ଦାସକାଠିଆ ଗାୟକ ଓ ପାଳିଆ ରାମଲୀଳାର ଗାୟକ, ପାଳିଆଙ୍କଠାରୁ ଆହରଣ କଲେ । ଫଳରେ ଉଭୟତ୍ର ଏହା ସମାନଭାବରେ ପରିଦୃଷ୍ଟ ହେଲା ।

 

ତେବେ ଦାସକାଠିଆରେ ଯେଉଁ ସବୁ ବ୍ୟତିକ୍ରମ ଦେଖାଯାଏ, ସେସବୁ ଲୋକସମାଜର ସହଜ ଅବବୋଧ ନିମିତ୍ତ କଳାକାରମାନଙ୍କର ଜ୍ଞାତସାର ପ୍ରୟାସ ବୋଲି ଗ୍ରହଣ କରିବାକୁ ହୁଏ । ଦୃଷ୍ଟାନ୍ତ ସ୍ଵରୂପ ଗୀତରଚନାରେ ରାମଲୀଳାସ୍ଥିତ ବହୁରାଗରାଗିଣୀ ପରିବର୍ତ୍ତେ ଦାସକାଠିଆ ନାଟରେ କେବଳ ଚଉଦ ଅକ୍ଷରୀ ବୃତ୍ତର ପ୍ରଚଳନ କରାଯାଇଛି । ପରିବେଷଣ କାଳରେ ଅବଶ୍ୟ ପାଣ୍ଡିତ୍ୟ ପ୍ରଖ୍ୟାପନ ନିମିତ୍ତ ଏବଂ ବିଷୟବସ୍ତୁକୁ ରସାଳ କରିବା ଉଦ୍ଦେଶ୍ୟରେ କଳାକାରମାନେ ବିଷୟବସ୍ତୁର ପରିବେଶ ଓ ପରିସ୍ଥିତି ଅନୁଯାୟୀ ବହୁ ମୂର୍ଦ୍ଧନ୍ୟ କବିଙ୍କର କାବ୍ୟାଂଶ (ବିଭିନ୍ନ ରାଗମୂଳକ)କୁ ଉଦାହରଣ ଛଳରେ ଆବୃତ୍ତି ଓ ବ୍ୟାଖ୍ୟା କରିଥାନ୍ତି ।

 

ବାରଂବାର କେବଳ ରାମକଥା ଆବୁତ୍ତି କରି ଲୋକସମାଜର ଅଭିରୂଚିକୁ ଚରିତାର୍ଥ କରି ନପାରିବାର ଅଭାବବୋଧରୁ ଦାସକାଠିଆ କଳାକାରମାନେ ପରବର୍ତ୍ତୀ କାଳରେ ମହାଭାରତର ବିଭିନ୍ନ ହରଣ, ମାରଣ ଓ ରଣ ବର୍ଣ୍ଣନାପୂର୍ଣ୍ଣ ଉପାଖ୍ୟାନମାନଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି । କିନ୍ତୁ ମନେ ରଖିବାକୁ ହେବ ଯେ, ରାମଲୀଳା ପ୍ରଚାର କାମନାରୁ ହୁଁ ଦାସକାଠିଆର ସୃଷ୍ଟି ॥ ୭ ॥ ସେହିପରି ବୀର ଓ ଶୃଙ୍ଗାର ରସାଶ୍ରିତ ହରଣ, ମାରଣ ବିଷୟ ଶୁଣି ଶୁଣି ଶ୍ରୋତା ମନରେ ସୃଷ୍ଟି ହେଉଥିବା କ୍ଲାନ୍ତି ଓ ବିରକ୍ତି ଭାବକୁ ଦୂର କରିବା ପାଇଁ ପାଳିଆ ମୁହଁରେ କିଛି ହାସ୍ୟ ରସାତ୍ମକ ଢଗଢମାଳି ପ୍ରୟୋଗ କରାଯାଉଛି ।

 

ରାମଲୀଳାର ବିଷୟବସ୍ତୁକୁ କେବଳ ଗାୟନ କରାଯାଇଥାଏ; ଗୀତର ଭାବ ଓ ଅର୍ଥକୁ ସରଳ ଗଦ୍ୟରେ ବୁଝାଇବାର ପ୍ରୟାସ କରାଯାଇ ନଥାଏ । ଦାସକାଠିରେ କିନ୍ତୁ ଏହି ଦୋଷଦୁର୍ବଳତାର ନିରାକରଣ ନିମିତ୍ତ ପ୍ରଚେଷ୍ଟା କରାଯାଇଥାଏ । ଏହି ଅନୁକ୍ରମରେ ରାମଲୀଳାରେ ବ୍ୟବହୃତ ବହୁକଷ୍ଟ ସାଧ୍ୟ ବାଦ୍ୟ ଯନ୍ତ୍ର (ମୃଦଙ୍ଗ, ଗିନି, ଢୋଲକି, ଚାଙ୍ଗୁ ପ୍ରଭୃତି) ପରିବର୍ତ୍ତେ ଦାସକାଠିରେ ଏକ ସହଜସାଧ୍ୟ ବାଦ୍ୟଯନ୍ତ୍ର ଅବଲମ୍ବନ ଅହେତୁକ ନୁହେଁ । ଡକ୍ଟର ନାରାୟଣ ସାହୁ ତେଣୁ ଯଥାର୍ଥରେ କହିଛନ୍ତି, ‘‘ରାମ ଚେତନା ଭିତରୁ ଜନ୍ମ ନେଇଛି ଦାସକାଠି । ଏହା ଉପରେ ମଧ୍ୟ ରାମଲୀଳୀର ପ୍ରଚ୍ଛନ୍ନ ପ୍ରଭାବ ପଡ଼ିଛି ।’’ ॥୮॥

 

ଏଣୁ କୁହାଯାଇପାରେ ଯେ, ରାମଲୀଳାରେ ଥିବା ବିଦଗ୍ଧ ବୃତ୍ତର ସମସ୍ତ ବିଭବକୁ ପରିହାର କରି ତଥା ପରିବେଷଣ ନିମିତ୍ତ ଏକ ସରଳ ଉପାୟ ଅବଲମ୍ବନପୂର୍ବକ ନିରୋଳା ଲୋକବୃତ୍ତର ଏକ ନାଟ୍ୟ ସୃଷ୍ଟି କରିବାର ଅଦମ୍ୟ ଅଭୀପ୍‌ସାରୁ ଦାସକାଠିଆର ଜନ୍ମ ।

 

ଦାସକାଠିଆର ଜନ୍ମସ୍ଥାନ ଓ ସମୟ : ଏହା ରାମଲୀଳା ଓ ରାମକାବ୍ୟ ମାଧ୍ୟମରେ ଓଡ଼ିଶାରେ ରାମ ଉପାସନାର ବଳିଷ୍ଠ ପ୍ରଚାର ଓ ପ୍ରସାର କାଳରେ ହିଁ ସୃଷ୍ଟି ଲାଭ କରିଛି ॥ ୯ ॥ ଓଡ଼ିଶାରେ ରାମ ଉପାସନାର ପରଂପରା ବହୁକାଳରୁ ପ୍ରଚଳିତ । କୃଷ୍ଣ ଉପାସନାର ପ୍ରବର୍ତ୍ତନ ପୂର୍ବରୁ ଏଦେଶର ଜନତା ରାମଚନ୍ଦ୍ରଙ୍କ ଚରଣ କମଳରେ ନିଜର ପ୍ରଣତି-ଅର୍ଘ୍ୟ ଢାଳି ଆସୁଥିଲା । ଏଣୁ ଉପାସ୍ୟ ଦେବତା ରାମଚନ୍ଦ୍ରଙ୍କର ଚରିତ ଗାନ କରିବାରେ ଏ ଦେଶର କବି କଦାପି କୁଣ୍ଠାବୋଧ କରିନାହିଁ । ଏହାର ପ୍ରଭାବରେ ମୁରାରିଙ୍କର ଅନର୍ଘ ରାଘବ ନାଟକ, ବିଶ୍ଵନାଥ କବିରାଜଙ୍କ ରାଘବ ବିଳାସ ମହାକାବ୍ୟ, ମାର୍କଣ୍ଡେୟ ମିଶ୍ରଙ୍କ ଦଶଗ୍ରୀବବଧ କାବ୍ୟ, କପିକେନ୍ଦ୍ର ଦେବଙ୍କ ପର୍ଶୁରାମ ବିଜୟ ନାଟକ ପରି ଅନେକ ସଂସ୍କୃତ କାବ୍ୟ ନାଟକ ଚତୁର୍ଦ୍ଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀର ଉନ୍ମେଷ କାଳ ମଧ୍ୟରେ ରଚିତ ହୋଇଛି ।

 

ଉତ୍କଳୀୟ ସଂସ୍କୃତ ସାହିତ୍ୟର ଏହି ପରଂପରା କ୍ରମେ ଓଡ଼ିଆ ଭାଷାରେ ରାମକଥାମୂଳକ କାବ୍ୟ ନାଟକ ସୃଷ୍ଟି କରିବା ପାଇଁ ପ୍ରେରଣା ଯୋଗାଇଛି । ଫଳରେ ସାରଳା ଦାସଙ୍କ ‘ବିଚିତ୍ର ରାମାୟଣ’, ବଳରାମ ଦାସଙ୍କ ‘ଦାଣ୍ଡୀରାୟଣ’, ‘କାନ୍ତକୋଇଲି’ ପ୍ରଭୃତି ଗ୍ରନ୍ଥ ପଞ୍ଚଦଶ ଶତକ ମଧ୍ୟରେ ଜନ୍ମଲାଭ କରିଛି ॥ ୧୦ ॥ ଖ୍ରୀ ୧୫୧୦ରେ ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ଏ ଦେଶର ରାମ ଉପାସନା କ୍ଷେତ୍ରରେ ଶିଥିଳତା ଆସିଯାଇଛି, କିନ୍ତୁ ଓଡ଼ିଶାର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଚୈତନ୍ୟୋତ୍ତର ଯୁଗରେ ମଧ୍ୟ ରାମ ଉପାସନାର ପରଂପରା ଅବ୍ୟାହତ ରହିଛି । ଡକ୍ଟର ହେମନ୍ତ ଦାସ କହିଛନ୍ତି, ‘‘ଅଷ୍ଟାଦଶ ଶତକ ଓଡ଼ିଆ ରାମଲୀଳା ରଚନାରେ ସାହିତ୍ୟର ସୁବର୍ଣ୍ଣ ଯୁଗ ଥିଲା । .......ଦକ୍ଷିଣ ଓଡ଼ିଶାର କବିମାନେ ରାମଲୀଳା ରଚନାରେ ଅଧିକ ଆଗ୍ରହୀ ଥିବା ଜଣାଯାଏ । କାରଣ ଏହି ସମୟର ଲୀଳାକାରବୃନ୍ଦ । ପ୍ରାୟ ଅଧିକାଂଶ ଦକ୍ଷିଣ ଓଡ଼ିଶାର ଏବଂ ସେମାନେ ରାମଲୀଳା ହଁ ରଚନା କରିଛନ୍ତି ॥ ୧୨ ॥

 

ସପ୍ତଦଶ ଓ ଅଷ୍ଟାଦଶ ଶତକର ଏହ ରାମଲୀଳା ସାହିତ୍ୟ ସୃଷ୍ଟି ପ୍ରବଣତାକୁ ପୂର୍ବବର୍ତ୍ତୀ ମୌଖିକ ରାମାୟଣ ଗାନ ପ୍ରବଣତାର ଏବଂ ଲିଖିତ ରାମକାବ୍ୟ ଓ ଗୀତିକାବ୍ୟର ପ୍ରଭାବ ବୋଲି ଗ୍ରହଣ କରାଯାଇପାରେ । ରାମଲୀଳା ଓ ଦାସକାଠି ପରି ଲୋକକଳା ମାଧ୍ୟମରେ ରାମାୟଣଗାନ ପ୍ରକ୍ରିୟା ସପ୍ତଦଶ ଶତକର ବହୁପୂର୍ବରୁ ଓଡ଼ିଶାରେ ପ୍ରଚଳିତ ଥିଲା । ଗିରିଜା ଶଙ୍କର ରାୟଙ୍କ ମତାନୁସାରେ ଯଦି ଖ୍ରୀ ୧୫୬୮ ପୂର୍ବରୁ ରାମଲୀଳାର ପ୍ରଚାର ଥିଲା, ତେବେ ଖ୍ରୀ ୧୫୬୮ ବେଳକୁ ରାମଲୀଳାର ସରଳ ଓ ସଂକୁଚିତ ରୂପଭାବେ ଦାସକାଠିର ପ୍ରଚଳନ ଥିବା ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଷୋଡ଼ଶ ଶତାବ୍ଦୀରୁ ରାମ ଉପାସନା, ରାମଲୀଳା, ଦାସକାଠିଆ ପ୍ରଭୃତି ଲୋକସମାଜରେ ଏତେ ମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା ଯେ, ଆଲୋଚ୍ୟ ସମୟରେ ଏବଂ ତା’ର ପରବର୍ତ୍ତୀ କାଳରେ ଦକ୍ଷିଣ ଓଡ଼ିଶାର ଗଡ଼ଜାତ-ସାମନ୍ତ ଓ ସାମନ୍ତଲାଳିତ ପଣ୍ଡିତ ମଣ୍ଡଳୀ ରାମକଥାମୂଳକ କାବ୍ୟ, ପୁରାଣ ଓ ଲୀଳା ରଚନା କରିବାରେ ମନପ୍ରାଣ ଢାଳି ଦେବାକୁ ବାଧ୍ୟ ହୋଇଥିଲା ।

 

ଅଷ୍ଟାଦଶ ଶତକରେ ରାମଲୀଳା ଚିକିଟୀରାଜା ବିକ୍ରମ ନରେନ୍ଦ୍ରଙ୍କ ପୃଷ୍ଠପୋଷକତା ପାଇବା ପରେ ଏବଂ ବଂଶାନୁକ୍ରମେ ଚିକିଟୀରାଜାମାନେ ରାମଲୀଳା ଲିଖନ ଓ ପରିବେଷଣ କ୍ରିୟାକୁ ଅବ୍ୟାହତ ରଖିବା ଫଳରେ ରାମଲୀଳାର ଲିଖିତ ସ୍ଵରୂପ ପ୍ରତି ବହୁଦରବାରୀ ପଣ୍ଡିତ ଆକୃଷ୍ଠ ହୋଇଥିଲେ । ଦାସକାଠିଆ କିନ୍ତୁ ପ୍ରଥମରୁ ଲୋକନୃତ୍ୟ ଭାବରେ ଲୋକସମାଜରେ ହିଁ ସୀମାବଦ୍ଧ ଥିବାରୁ ଏହାର ଲିଖିତ ସ୍ଵରୂପ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରିନାହିଁ । ଡକ୍ଟର ନାରାୟଣ ସାହୁ କହନ୍ତି, ‘‘ଦକ୍ଷିଣ ଓଡ଼ିଶା, ମୁଖ୍ୟତଃ ଗଂଜାମ ଜିଲ୍ଲାରୁ ଏହା ଜନ୍ମ ନେଇ ସାରା ଓଡ଼ିଶାକୁ ବ୍ୟାପିଛି । ଇସ୍‌ଲାମ୍‌ ଧର୍ମ ପ୍ରଭାବରୁ ନିଜର ସଂସ୍କୁତିକୁ ବଂଚାଇ ରଖିବା ପାଇଁ ଓଡ଼ିଶା ଯେତେବେଳେ ବୈଷ୍ଣବ ଧର୍ମର ଆଶ୍ରୟ ନେଇଛି, ସେତେବେଳେ ବୈଷ୍ଣବ ଧର୍ମର ଗୋଟିଏ ଶାଖା କୃଷ୍ଣଙ୍କ ଉପରେ ଗୁରୁତ୍ୱ ଆରୋପ କରୁଥିବା ବେଳେ ଅପର ଶାଖାଟି ରାମଙ୍କ ଉପରେ ଗୁରୂତ୍ୱ ଆରୋପ କରିଛି । ଏଇ ରାମ ଚେତନା ଭିତରୁ ଜନ୍ମ ନେଇଛି ଦାସକାଠି । ଏହା ଉପରେ ମଧ୍ୟ ରାମଲୀଳାର ପ୍ରଚ୍ଛନ୍ନ ପ୍ରଭାବ ପଡ଼ିଛି ।’’ ॥ ୧୩ ॥ ଖ୍ରୀ ୧୫୬୮ରେ ଓଡ଼ିଶା ମୁସଲମାନମାନଙ୍କର ଶାସନାଧୀନ ହେଲେ ମଧ୍ୟ ଏହାର ବହୁ ପୂର୍ବରୂ, ଅର୍ଥାତ୍‌ କପିଳେନ୍ଦ୍ର ଦେବଙ୍କ ଦେହାବସାନ ପରେ ପରେ ଓଡ଼ିଶା ଭୂମିରେ ମୁସଲମାନଙ୍କ କୋପଦୃଷ୍ଟି ପଡ଼ି ଆସୁଥିଲା । ତେଣୁ ଇସ୍‌ଲାମ ଧର୍ମ ପ୍ରଭାବରୁ ଉତ୍କଳୀୟ ସଂସ୍କୃତିକୁ ବଞ୍ଚାଇ ରଖିବାଲାଗି ଆଲୋଚ୍ୟ ସମୟରୁ ଜନସମାଜ ଉଭୟ ବିଦଗ୍ଧ ସ୍ତରରେ ଓ ଲୋକ ସ୍ତରରେ ରାମ କଥାକୁ ସମ୍ବଳ ରୂପେ ଗ୍ରହଣ କରି ଆସିଛନ୍ତି । ତେଣୁ ବିଦଗ୍ଧ ସ୍ତରରେ ରାମକଥା ମୂଳକ କାବ୍ୟ କବିତା ସୃଷ୍ଟି ହୋଇଥିବା ବେଳେ ଲୋକସ୍ତରରେ ରାମଲୀଳା ଓ ଦାସକାଠିଆ ପରି ଲୋକକଳା ଜନ୍ମ ନେଇଛି ।

 

ଦାସକାଠିଆ କ୍ରମେ ଅନ୍ୟ ଜିଲ୍ଲାକୁ ବ୍ୟାପିଲେ ମଧ୍ୟ ଗଂଜାମ ଜିଲ୍ଲାରେ ହିଁ ପରିପୁଷ୍ଟ ହୋଇ ଖ୍ରୀ ୧୮୮୨ ବେଳକୁ ଗଂଜାମ ଜିଲ୍ଲାର କାଟୁ ନିକଟବର୍ତ୍ତୀ ଖଣ୍ଡରା ଗ୍ରାମ ନିବାସୀ ଅଗାଧୁ ସାହୁଙ୍କ ତତ୍ତ୍ଵାବଧାନରେ ଏହା ଚୂଡ଼ାନ୍ତ ରୂପ ପରିଗ୍ରହ କରିଛି । ଅଗାଧୁ ସାହୁଙ୍କ ଯୋଗ୍ୟ ପୁତ୍ର ଗାୟକରତ୍ନ କୃଷ୍ଣଚନ୍ଦ୍ର ସାହୁ ଦାସକାଠିଆକୁ ଭାରତୀୟ ଲୋକନୃତ୍ୟ ଦରବାରରେ ପ୍ରତିଷ୍ଠିତ କରାଇଥିବା ବେଳେ ତଦୀୟ ଶିଷ୍ୟ ଗାୟକରତ୍ନ ବୈଦ୍ୟନାଥ ଓ ଶିବ ମୁନିଙ୍କ ପ୍ରଚେଷ୍ଟା ଫଳରେ ସର୍ବଭାରତୀୟ ସ୍ତରରେ ଏହା ଏକ ସ୍ଵତନ୍ତ୍ର ଆସନ ଅଧିକାର କରିପାରିଛି । ସଂପ୍ରତି ଓଡ଼ିଶାରେ ପ୍ରାୟ ଦେଢ଼ଶହରୁ ଦୁଇଶହ ପର୍ଯ୍ୟନ୍ତ ଦାସକାଠିଆ ଦଳ ଅଛନ୍ତି; କହିବା ବାହୁଲ୍ୟ ଯେ, ଏହାର ଅଧିକାଂଶ ଭାଗ କେବଳ ଗଂଜାମ ଜିଲ୍ଲାର ॥ ୧୪ ॥ ଅଗାଧୁ ସାହୁ ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗଞ୍ଜାମର ପ୍ରାୟ ସବୁ ଦାସକାଠିଆ ଦଳ ଗୁରୁରୂପେ ସ୍ଵୀକାର କରି ନିଜ ଗୁରୁ ପରଂପରାରୁ ପ୍ରାପ୍ତ ହସ୍ତଲିଖିତ ପୁସ୍ତକଗୁଡ଼ିକୁ ମଧ୍ୟ ସେହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ରଚିତ ହୋଇଥିବାର ପ୍ରମାଣ ବାଢ଼ନ୍ତି । ଗାୟକରତ୍ନ ବୈଦ୍ୟନାଥ ଶର୍ମା ବେତାର କାର୍ଯ୍ୟକ୍ରମ ତଥା ବ୍ୟାବସାୟିକ ରେକର୍ଡ ଗୀତ ନିମିତ୍ତ ଛୋଟ ଛୋଟ ପୌରାଣିକ ଉପାଖ୍ୟାନକୁ ଭିତ୍ତିକରି ବହୁ ଦାସକାଠିଆ ରଚନା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଦାସକାଠିଆ ଗୀତିଗୁଡ଼ିକର ବିଧିବଦ୍ଧ ସଂଗ୍ରହ ଓ ପ୍ରକାଶନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇ ପାରିନାହିଁ । ତେଣୁ ଦାସକାଠିଆର ପରବର୍ତ୍ତୀ କାଳରେ ଜନ୍ମଲାଭ କରିଥିବା ଅନ୍ୟଏକ ଲୋକକଳା ପାଲାର ଲିଖିତ ସ୍ଵରୂପ ପ୍ରକାଶ ଓ ପ୍ରଚାର ହେବାର ଦେଖି, ପାଲାକୁ; ଦାସକାଠିଆର ଅଗ୍ରଜ ବୋଲି ମନ୍ତବ୍ୟ ଦେବା ପାଇଁ ସମାଲୋଚକମାନେ କୁଣ୍ଠାବୋଧ କରୁନାହାନ୍ତି; ଏପରି, ମନ୍ତବ୍ୟ କିନ୍ତୁ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ ।

 

ପାଲା ବନାମ ଦାସକାଠିଆ : ମୁସଲମାନମାନେ ଏଦେଶକୁ ଅଧିକାର କରିବା ପରେ ପାଲାର ସୃଷ୍ଟି । ମୁସଲମାନମାନେ ଅଧିକାର କରିବା ପରେ ସମ୍ଭ୍ରାନ୍ତ ଲୋକମାନଙ୍କର ଏକତ୍ର ସାମାଜିକ ବୈଠକ ସ୍ଵରୂପ ମଜଲିସ୍‌ର ପ୍ରଚଳନ ଏ ଦେଶରେ ଓ ସଂଭବ ହେଲା ଓ ଏହି ମଜଲିସ୍‌ମାନଙ୍କରେ ଲୋକମାନଙ୍କ ମଧ୍ୟରେ ଆନନ୍ଦ ବିତରଣ କରିବା ନିମନ୍ତେ ନୃତ୍ୟଗୀତର ବ୍ୟବସ୍ଥା ରହିଲା । ମୁସଲମାନମାନଙ୍କର ଏହି ପ୍ରଭାବରୁ ଏକ ଦିଗରେ ପାଲାର ଆରମ୍ଭ, ଅନ୍ୟ ଦିଗରେ ଯାତ୍ରାର ଆରମ୍ଭ ॥ ୧୫ ॥ ମୁସଲମାନମାନଙ୍କର ଆଗମନର ଅନତି ପଶ୍ଚାତ୍‌ ଓଡ଼ିଶାରେ ପାଲା ସୃଷ୍ଟି ହୋଇନାହିଁ । କାରଣ ମୁସଲମାନମାନଙ୍କର ଧର୍ମ ବିଦ୍ୱେଷ ମନୋବୃତ୍ତି ଏ ଦେଶରେ ଯେଉଁ ତାଣ୍ଡବଲୀଳା ସୃଷ୍ଟି କରିଥିଲା, ତାହା ନେଇ ଇତିହାସ ବାଚାଳ । ଏପରିକି ଏ ଦେଶର ଆରାଧ୍ୟ ଦେବତାଙ୍କୁ ନୀଳାଚଳର ନୀଳଗିରି ତ୍ୟାଗକରି ଦକ୍ଷିଣ ଓଡ଼ିଶାର ଗଡ଼ଜାତ ଅଂଚଳର ବନଭୁମିରେ ଆତ୍ମଗୋପନ କରିବାକୁ ପଡ଼ିଥିଲା । ଏପରି ସମୟରେ ଓଡ଼ିଶାରେ ନିଜ ଧନ, ଜୀବନ, ସଂସ୍କୃତି ଓ ଆରାଧ ଦେବତାଙ୍କୁ ସୁରକ୍ଷା କରିବାର ପ୍ରଚେଷ୍ଟା ହିଁ ପ୍ରଚଳିତ ଥିଲା । କାଳକ୍ରମେ ମୁସଲମାନ ସଂସ୍କୃତି ସହ ନିଜ ସଂସ୍କୃତିକୁ ମିଶାଇ ଦେବାର ଉଦାର ମନୋବୃତ୍ତିରୁ ଉତ୍କଳରେ ପାଲାର ସୃଷ୍ଟି ସଂଭବ ହୋଇପାରିଛି । ଦାସକାଠିଆ କିନ୍ତୁ କୌଣସି ସଂସ୍କୃତି ସହ ମିଳନ ଭିତ୍ତିରୁ ଉଦ୍ଭୂତ ନୁହେଁ । ରାମକଥାମୂଳକ ଓଡ଼ିଶା ପରଂପରାକୁ ଉଜ୍ଜୀବିତ ରଖିବାର ତଥା ଇସ୍‌ଲାମ ପ୍ରଭାବରୁ ନିଜ ଦେଶର ସଂସ୍କୃତିକୁ ସୁରକ୍ଷା କରିବାର ପ୍ରଚେଷ୍ଟାରୁ ଏହାର ଜନ୍ମ । ସୃଷ୍ଟିର ଭିତ୍ତିଗତ ପାର୍ଥକ୍ୟ ଓ ଉଦ୍ଦେଶ୍ୟଗତ ପ୍ରଭେଦ ଥିବା ସତ୍ତ୍ୱେ କେତେକ ସମାଲୋଚକ ବିନା ପ୍ରମାଣରେ ଦାସକାଠିଆକୁ ପାଲାର ଏକ ସରଳ, ସଂକୁଚିତ ରୂପ ବୋଲି ମନ୍ତବ୍ୟ ଦେଇଥାନ୍ତି ॥ ୧୬ ॥ ଏହି କ୍ଷେତ୍ରରେ ଅନ୍ୟ କେତେଜଣ ସମାଲୋଚକ କହିଛନ୍ତି, ପାଲା ଓ ଦାସକାଠି ମଧ୍ୟରେ ପ୍ରାଥମିକତାର ପ୍ରଶ୍ନ ଉଠିଲେ ଦାସକାଠିଆକୁ ପାଲାର ଅଗ୍ରଜରୂପେ ଗ୍ରହଣ କରାଯାଇ ପାରେ । କାରଣ ଦାସକାଠିଆ ବୈଷ୍ଣବ ଧର୍ମର ସମୃଦ୍ଧି କାଳରେ ହିଁ ଆତ୍ମପ୍ରକାଶ କରିଥିବା ଅଧିକ ସଂଭବପର; ପାଲାର ସୃଷ୍ଟି ଏ ଦେଶ ମୁସଲମାନଙ୍କ ଦ୍ୱାରା ଅଧିକୃତ ହେବାପରେ ॥ ୧୭ ॥ ଦାସକାଠିଆର ବୈଷ୍ଣବ ଭାବ, ବିଷୟବସ୍ତୁ ଭିତରେ ବୀରରସର ପ୍ରାଧାନ୍ୟ, ହିନ୍ଦୁରାଜୁଡ଼ା ବେଶଭୂଷା, ସାରଳା ଦାସଙ୍କ ରଚନାକୁ ଆଶ୍ରୟ ଏବଂ ପୋଥିର ପ୍ରାଚୀନତା ଦୃଷ୍ଟିରୁ ଆଲୋଚକ ସଚ୍ଚିଦାନନ୍ଦ ମିଶ୍ର ଏହାକୁ ପାଲା ଅପେକ୍ଷା ପ୍ରାଚୀନତର କଳା ବୋଲି ନିରୂପଣ କରିଛନ୍ତି ॥ ୧୮ ॥ ଏହିସବୁ ମନ୍ତବ୍ୟ ଅନୁସାରେ, ଦାସକାଠିଆ ପାଲାର ଅଗ୍ରଜ ହୋଇଥିବା ଯୋଗୁଁ ପାଲାର ସରଳ, ସଂକୁଚିତ ରୂପ ଭାବେ ଏହାକୁ କଦାପି ଗ୍ରହଣ କରିହେବ ନାହିଁ-। ବରଂ ଡକ୍ଟର ହେମନ୍ତ ଦାସଙ୍କ ଅନୁମାନ ମୂଳଗାୟକ ବ୍ୟତୀତ ପ୍ରଥମେ ହୁଏତ ଏଥିରେ (ପାଲାରେ) ଜଣେ ମାତ୍ର ପାଳିଆର ପ୍ରୟୋଜନ ହେଉଥିଲା; କ୍ରମଶଃ ଏହି ପାଳିଆର ସଂଖ୍ୟା ବୃଦ୍ଧିପାଇ ୩/୪ ହୋଇଗଲା ॥ ୧୯ ॥ ଯଦି ସତ୍ୟ ହୁଏ, ତେବେ ଦାସକାଠିଆର ପ୍ରଭାବରୁ ହିଁ ପାଲାର ସୃଷ୍ଟି ସଂଭବ ହୋଇଛି ବୋଲି କହିବାକୁ ହେବ-। ଦାସକାଠି ବାଦ୍ୟଯନ୍ତ୍ର ସୃଷ୍ଟି ମୂଳରେ ଥିବା କିମ୍ବଦନ୍ତୀ ଓ ବାସ୍ତବତାକୁ ବିଚାର କଲେ ଦାସକାଠି ନୃତ୍ୟର ପ୍ରାଚୀନତା ସଂପର୍କରେ ଅଧିକ ତଥ୍ୟ ଉପଲବ୍ଧି କରିହେବ ।

 

ଦାସକାଠି ବାଦ୍ୟଯନ୍ତ୍ର ସୃଷ୍ଟି : ଆଦିମ ମଣିଷ ବୃକ୍ଷଲତା ଓ ଜୀବଜନ୍ତୁଙ୍କର ଗତିକୁ ଅନୁକରଣ କରୁ କରୁ ନୃତ୍ୟକଳାର, ଶବ୍ଦକୁ ଅନୁକରଣ କରୁ କରୁ ସଂଗୀତର ଏବଂ ଭଙ୍ଗୀକୁ ଅନୁକରଣ କରୁ କରୁ ଅଭିନୟ କଳାର ସୃଷ୍ଟି ସଂଭବ ହୋଇ ପାରିଛି । ୨୦ । ଠିକ୍‌ ସେହିପରି ବିଭିନ୍ନ ପ୍ରାକୃତିକ ଶବ୍ଦର ସୃଷ୍ଟି ପ୍ରଣାଳୀକୁ ଅନୁକରଣ କରୁ କରୁ ବିଭିନ୍ନ ବାଦ୍ୟ ଯନ୍ତ୍ର ଉଦ୍ଭାବିତ ହୋଇଛି । ଗୋଟିଏ ପ୍ରକାର ବାଦ୍ୟ ଯନ୍ତ୍ରରେ ମଣିଷର ତାଳ, ତାନ ଓ ଧ୍ଵନି ପିପାସା ଚରିତାର୍ଥ ହୋଇ ପାରି ନଥିବାରୁ ପରିବେଶ ଓ ପରିସ୍ଥିତି ମଧ୍ୟରୁ ବିଭିନ୍ନ ମନୋହର ଧ୍ଵନି ସୃଷ୍ଟି କାରୀ ବାଦ୍ୟ ଯନ୍ତ୍ରର ଉଦ୍ଭାବନରେ ସେ ବ୍ୟସ୍ତ ରହିଛି ।

 

ଦୁଇଖଣ୍ଡ କାଠ ପରସ୍ପର ଆଘାତପ୍ରାପ୍ତ ହୋଇ ଶବ୍ଦ ସଂଜାତ ହେଉଥିବା ପ୍ରକ୍ରିୟାକୁ ଦେଖି ଆଦିମ ମାନବ ଏଇ ଅତ୍ୟନ୍ତ ସରଳ ବାଦ୍ୟଯନ୍ତ୍ରଟି ଆବିଷ୍କାର କରିଥିଲେ । ଢୋଲକି, ମୃଦଙ୍ଗ ପ୍ରଭୃତି ଚମଡ଼ା ଛାଉଣି ଥିବା ବାଦ୍ୟଯନ୍ତ୍ର ଅପେକ୍ଷା ଦୁଇଖଣ୍ଡ କାଠି ବିଶିଷ୍ଟ ବାଦ୍ୟଯନ୍ତ୍ର ଯେ ପ୍ରାଚୀନତର, ଏଥିରେ ମତଦ୍ୱୈଧ ନଥାଇପାରେ, ଏହି ବାଦ୍ୟଯନ୍ତ୍ର ସେହି ଆଦିମ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ ବହୁ ଲୋକନୃତ୍ୟରେ ବ୍ୟବହୃତ ହୋଇ ଆସୁଛି । ତେବେ ସ୍ଥାନଭେଦରେ ଏହାର ନାମ ଓ ଆକାର ମାତ୍ର ଯାହା ଭିନ୍ନ ରହିଛି । ଏହି ବାଦ୍ୟଯନ୍ତ୍ରଟି ବହୁ ପ୍ରାଚୀନ । ହେଲେ ମଧ୍ୟ ଏହା ପୂର୍ବରୁ ଦାସ ଶବ୍ଦଟି କେବେ ଏବଂ କାହିଁକି ସଂଯୁକ୍ତ ହୋଇଛି, ସେ ସଂପର୍କରେ ବହୁ ମତ ବିଦ୍ୟମାନ ।

 

ପ୍ରଥମ ମତ ଅନୁସାରେ, ରାମାୟଣ ଯୁଦ୍ଧକାଳରେ ସୈନ୍ୟମାନଙ୍କର ଅବସର ବିନୋଦନ ନିମିତ୍ତ ସେହି ପରିବେଶ ମଧ୍ୟରୁ ଦୁଇଖଣ୍ଡ କାଠି ସଂଗ୍ରହକରି ଲକ୍ଷ୍ମଣ ସେଥିରେ ତାଳଦେଇ ରାମ ମହିମା ଗାନ କରି ଥିଲା, ଲକ୍ଷ୍ମଣ ନିଜକୁ ରାମଚନ୍ଦ୍ରଙ୍କ ଦାସ ରୂପେ ପରିଚିତ କରାଇଥିବାରୁ ଏହି କାଠି ଦ୍ୱୟର ନାମ ଦାସକାଠି ରଖାଗଲା ॥ ୨୧ ॥ ଦ୍ୱିତୀୟ ମତରେ, ରାମଚନ୍ଦ୍ରଙ୍କ ସହ ଯୁଦ୍ଧ କରିବା ପାଇଁ ରାବଣ ରଣଦୁନ୍ଦୁଭି ବଜାର ମହା ଆଟୋପରେ ଅଗ୍ରସର ହେଲାବେଳେ ରାମଚନ୍ଦ୍ର ନିଜ ପାଖରେ ବାଦ୍ୟ ଓ ଆଟୋପ-ଉପକରଣର ଅଭାବ ଅନୁଭବ କରି ଦୁଃଖ କରିଥିଲେ । ହନୁମାନ ଏହା ଜାଣିପାରି, ଦୁଇଖଣ୍ଡ କାଠିରେ ବାଦ୍ୟ ବଜାଇ ରାମଚନ୍ଦ୍ରଙ୍କ ଦୁଃଖକୁ ଲାଘବ କରିପାରିଥିଲା । ହନୁମାନ ରାମଚନ୍ଦ୍ରଙ୍କ ଦାସ ହୋଇଥିବାରୁ ସେଇ କାଠି ଦୁଇଟିର ନାମ ହେଲା ଦାସକାଠି ବା ରାମମହିମା ପ୍ରଖ୍ୟାପନ ନିମିତ୍ତ ଏହି ବାଦ୍ୟଯନ୍ତ୍ର ବ୍ୟବହୃତ ହେଉଥିବା ଯୋଗୁଁ ଏବଂ ଦୁଇ ପାପୁଲିର ଆଘାତରେ ତାଳି ସୃଷ୍ଟି ହେଲାପରି ଦୁଇଟି କାଠିର ଆଘାତରେ ତାଳ ସୃଷ୍ଟି ହେଉଥିବାରୁ ଏହାର ନାମ ରାମତାଳି ରଖାଗଲା ॥ ୨୨ ॥ ଅନ୍ୟଏକ ମତ ଅନୁସାରେ, ଗଂଜାମ ଜିଲ୍ଲାରେ ଆନ୍ଧ୍ର ଦାସିରୀ ସଂପ୍ରଦାୟ (ଶୁଦ୍ର ଜାତୀୟ ବୈଷ୍ଣବ) ଦୁଇଖଣ୍ଡ କାଠି ବଜାଇ ଭଜନ, ଚଉତିଶା ଓ ଗାଥା କବିତା ଗାନ କରି ଭିକ୍ଷାବୃଭି କରୁଥିଲେ । ଦାସିରୀ ସଂପ୍ରଦାୟର ଏହି କାଠିକୁ କ୍ରମେ ଓଡ଼ିଶାର କଳାକାରମାନେ ବ୍ୟବହାର କଲେ ଏବଂ ଏହାକୁ ତେଣୁ ଦାସକାଠି କୁହାଗଲା ॥ ୨୩ ॥ ଏହି ମନ୍ତବ୍ୟଟି ଅଧିକ ଯୁକ୍ତି ଯୁକ୍ତ ମନେ ହୁଏ, କାରଣ ଓଡ଼ିଶା ରାଜା ଚୋଡ଼ଗଙ୍ଗ ଦେବଙ୍କ କାଳରୁ ଦାକ୍ଷିଣାତ୍ୟ ସହ ଓଡ଼ିଶାର ସଂପର୍କ ପ୍ରତିଷ୍ଠିତ । ନିକଟସ୍ଥ ଗଂଜାମ ଜିଲ୍ଲାକୁ ଆନ୍ଧ୍ର ପ୍ରଦେଶରୁ ବହୁ ସଂପ୍ରଦାୟ ମଧ୍ୟରେ ଦାସିରୀ ସଂପ୍ରଦାୟ ମଧ୍ୟ ଜୀବିକାର୍ଜନ ନିମିତ୍ତ ଚାଲି ଆସିଥିବା ପଛରେ ଐତିହାସିକ ସ୍ଵୀକୃତି ବିଦ୍ୟମାନ । ଐତିହାସିକ ସତ୍ୟନାରାୟଣଂ ରାଜଗୁରୁ କହିଛନ୍ତି, ଚୋଡ଼ଗଙ୍ଗ ଦେବଙ୍କ ପୂର୍ବରୁ ଗଙ୍ଗବଂଶୀୟ ରାଜଧାନୀ ଥିଲା କଳିଙ୍ଗ ନଗର । ଦକ୍ଷିଣ ଓଡ଼ିଶାର ଗଂଜାମ ଓ କୋରାପୁଟ ଜିଲ୍ଲା ମଧ୍ୟରେ ପ୍ରବାହିତ ବଂଶଧାରା ନଦୀକୂଳରେ ଅବସ୍ଥିତ ମୁଖ ଲିଙ୍ଗ ନାମକ ଐତିହାସିକ ଗ୍ରାମରେ ମନ୍ଦିର ପରିବେଷ୍ଟିତ ଏକ ସୁରମ୍ୟ ସ୍ଥାନରେ କଳିଙ୍ଗ ନଗର ଅବସ୍ଥିତ । ଚୋଡ଼ଗଙ୍ଗଦେବଙ୍କ ସାମ୍ରାଜ୍ୟ ଯେତେବେଳେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହେଲା, ସେତେବେଳେ ରାଜଧାନୀ କଳିଙ୍ଗ ନଗରରେ ଜଣେ ପ୍ରତିନିଧିଙ୍କୁ ରଖାଇ ସେ ନିଜେ ବାରାଣସୀ କଟକରେ ଶାସନ କେନ୍ଦ୍ର ସ୍ଥାପନ କଲେ । ଚୋଡ଼ଗଙ୍ଗଙ୍କ ରାଜତ୍ୱ କାଳରେ ଦକ୍ଷିଣ ଭାରତର ଧର୍ମ ସଂକ୍ରାନ୍ତ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ଦେଖାଦେଇଥିଲା । ରାମାନୁଜଙ୍କ ପ୍ରବର୍ତ୍ତିତ ଶ୍ରୀ ସଂପ୍ରଦାୟ ବୈଷ୍ଣବ ଧର୍ମର ଆଶ୍ରୟ ଗ୍ରହଣ କରି ଗୋଟିଏ ନୂତନ ମତ ପ୍ରଚାର କରିବାରେ ଲାଗିଥିଲେ । ସେହି ଧର୍ମରେ ବହୁ ରାଜପରିବାର ଅନୁପ୍ରାଣିତ ହୋଇ ଶ୍ରୀ ସଂପ୍ରଦାୟଭୁକ୍ତ ଆଚାର୍ଯ୍ୟମାନଙ୍କୁ ରାଜଗୁରୁ ରୂପେ ବରଣ କରିଥିଲା । ଗଙ୍ଗବଂଶୀୟ ରାଜାମାନେ ଏଥିରୁ ଛାଡ଼ ଗଲେ ନାହିଁ । ୨୪ । ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଶ୍ରୀ ସଂପ୍ରଦାୟଭୁକ୍ତ ଦାସିରୀମାନେ ଆନ୍ଧ୍ର ପ୍ରଦେଶରୁ ନିକଟସ୍ଥ କଳିଙ୍ଗ ନଗର ତଥା ଗଂଜାମ ଓ କୋରାପୁଟ ଜିଲ୍ଲାର ଅଧିକାଂଶ ଅଂଚଳରେ ବସତି ସ୍ଥାପନ କରିଥିଲା ଏବଂ ବୈଷ୍ଣବ ହେତୁ ଜୀବିକା ନିର୍ବାହ ନିମିତ୍ତ ଏମାନେ କାଠି ବଜାଇ ଗୀତ ଗାଇ ଭିକ୍ଷାବୃତ୍ତି ଅବଲମ୍ବନ କରୁଥିଲା । ରାମଲୀଳାକୁ ସରଳ ଓ ସଂକୁଚିତ କରି ଦାସକାଠି ନୃତ୍ୟର ପରିକଳ୍ପନା କାଳରେ କଳାକାରମାନେ ରାମଲୀଳାର କଷ୍ଟସାଧ୍ୟ ବାଦ୍ୟଯନ୍ତ୍ର ପରିବର୍ତ୍ତେ ଦାସିରୀମାନଙ୍କର ବାଦ୍ୟଯନ୍ତ୍ରଟିକୁ ଗ୍ରହଣ କରିନେଇଥିବାର ଅନୁମାନ ଅମୂଳକ ନୁହେଁ ।

 

ଦାସକାଠି ବାଦ୍ୟଯନ୍ତ୍ର ସ୍ଵରୂପ ଓ ବ୍ୟବହାର : ଦାସକାଠି ବାଦ୍ୟଯନ୍ତ୍ରରକୁ ଦୁଇଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ । ଯଥା ଗାୟକ କାଠି ଓ ପାଳିଆ କାଠି ଗାୟକଙ୍କ ଦୁଇ ହାତରେ ଦୁଇ ହଳ କାଠି ଥାଏ । ପ୍ରତ୍ୟେକ କାଠିର ଗୋଟିଏ ପଟ ସମତଳ ଓ ବିପରୀତ ପଟଟି ଗୋଲାକାର, ପ୍ରତ୍ୟେକକାଠିର ମଝିଭାଗ ଚଉଡ଼ା ଥାଇ ଉଭୟ ପ୍ରାନ୍ତ କ୍ରମଶଃ ସଂକୀର୍ଣ୍ଣ ହୋଇଥାଏ । କାଠିଗୁଡ଼ିକ ପ୍ରାୟ ୧୦-୧୨ ଇଞ୍ଚ ଲମ୍ବ ବିଶିଷ୍ଟ ଓ ନୁପୁର ସଂଯୁକ୍ତ । ଦୁଇହଳକାଠି ଦୁଇହାତରେ ମୁଠାଇ ଧରିଲେ ସମତଳ ଅଂଶଟି ମିଶିରହେ । ଗୋଟିଏ କାଠିକୁ ବୁଢ଼ା ଆଙ୍ଗୁଠି ଦ୍ୱାରା ଏବଂ ଅନ୍ୟଟିକୁ ଅବଶିଷ୍ଟ ଚାରି ଆଙ୍ଗୁଠିଦ୍ୱାରା ଚାଳନ କରି ତାଳ ସୃଷ୍ଟି କରାଯାଏ । ଏ ଦୁଇହଳ କାଠିକୁ ରାମତାଳି ବୋଲି ମଧ୍ୟ କୁହାଯାଏ ।

 

ପାଳିଆ କାଠି ଦୁଇଟି ପ୍ରାୟ ନଅ-ଦଶ ଇଞ୍ଚ ଲମ୍ବ ବିଶିଷ୍ଟ । ପ୍ରତ୍ୟେକ କାଠିର ଉର୍ଦ୍ଧ୍ୱଭାଗ ନିମ୍ନଭାଗ ଅପେକ୍ଷା ସଂକୀର୍ଣ୍ଣ ଥାଏ । ଏହାର ଚାରିପଟ ସମତଳ । ବାଁ ହାତର ବିଶି ଆଙ୍ଗୁଠିର ଉଭୟ ପାର୍ଶ୍ଵରେ ଦୁଇଖଣ୍ଡ କାଠିକୁ ରଖି ଉପର କାଠିକୁ ବୁଢ଼ା ଆଙ୍ଗୁଠିରେ ଓ ତଳକାଠିକୁ ଅବଶିଷ୍ଟ ତିନି ଆଙ୍ଗୁଠିରେ ଚିପି ଧରାଯାଏ । ଫଳରେ କାଠିଦୁଇଟିର ତଳ ଅଂଶ ପରସ୍ପରଠାରୁ ପୃଥକ ରହେ-। ଉପର କାଠିର ତଳ ଅଂଶକୁ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଦ୍ୱାରା ଏବଂ ତଳ କାଠିର ତଳ ଅଂଶକୁ ଡାହାଣ ହାତର ଅବଶିଷ୍ଟ ଚାରି ଆଙ୍ଗୁଠିରେ ପ୍ରହାର କଲେ କାଠି ଦୁଇଟିର ତଳ ଅଂଶ ପରସ୍ପର ଆଘାତପ୍ରାପ୍ତ ହୋଇ ବିଭିନ୍ନ ତାଳ ସୃଷ୍ଟି କରନ୍ତି । ତାଳଭିନ୍ନରେ କେଉଁ କାଠିକୁ କେତେଥର ଏବଂ କେଉଁ ଅଂଶକୁ କେତେଥର ପ୍ରହାର କରାଯିବ ତା’ର ନିର୍ଦ୍ଦିଷ୍ଟ ନିୟମ ରହିଛି । ଏତଦ୍‌ବ୍ୟତୀତ ବିଷୟବସ୍ତୁ ପରିବେଷଣ ବେଳେ କାଠିଗୁଡ଼ିକୁ ଆହାର୍ଯ୍ୟ ଅଭିନୟର ଉପକରଣ ରୂପେ ମଧ୍ୟ ପ୍ରୟୋଗ କରାଯାଇଥାଏ ।

 

ଦାସକାଠିଆ ପରିବେଷଣ ଶୈଳୀ : ଗ୍ରାମର ମଧ୍ୟଭାଗରେ ଥିବା ମଣ୍ଡପ, ବେଦୀ, କିମ୍ବା କୌଣସି ସ୍ଥାନରେ ପଟି ଖଣ୍ଡେ ପକାଇ ଦେଲେ ଏହି ନୃତ୍ୟ ନିମିତ୍ତ ମଞ୍ଚ ପ୍ରସ୍ତୁତ ହୋଇଯାଏ । ଉପରେ ଖଣ୍ଡେ ସେମିଆନା ବାଂଧିଦେଲେ ଚଳିବ, ନହେଲେ ବି ଚଳିବ । ମଞ୍ଚକୁ ମଣ୍ଡଳାକାରରେ ଘେରିବସି ଦର୍ଶକ/ଶ୍ରୋତା ଏହା ଉପଭୋଗ କରୁଥିବା ହେତୁ ମଞ୍ଚସ୍ଥଳୀକୁ ମଣ୍ଡପ ବୋଲି ମଧ୍ୟ କୁହାଯାଏ । ରାତିରେ ଆୟୋଜନ କରାଗଲେ, ମଣ୍ଡଳଟିକୁ ଆଲୋକିତ କରିବାର ଯତ୍‌କିଞ୍ଚିତ୍‌ ବ୍ୟବସ୍ଥା କରାଯାଇଥାଏ । ଗାୟକ, ପାଳିଆଙ୍କ ଉଚ୍ଚକିତ, ସୁମଧୁର କଣ୍ଠସ୍ଵର ହିଁ ଉପସ୍ଥିତ ଜନତାକୁ ବାଂଧି ରଖେ, ତେଣୁ ଏଥିରେ ମାଇକ୍‌ର ବ୍ୟବସ୍ଥା ପ୍ରାୟ ନଥାଏ । ଏହି ନୃତ୍ୟ ଧର୍ମମୂଳକ ନ ହୋଇ ପ୍ରଚାରମୂଳକ ବା ମନୋରଂଜନ ଧର୍ମୀ ହୋଇଥିବାରୁ କୌଣସି ଦେବା ଦେବୀଙ୍କର ପ୍ରତିମା କିମ୍ବା ପୂଜା ସାମଗ୍ରୀର ଆବଶ୍ୟକତା ଏଥିରେ ନଥାଏ ।

 

ମଣ୍ଡଳ ଭିତରକୁ ପ୍ରଥମେ ଆସିବା ପରେ ଗାୟକ ଓ ପାଳିଆ କିଛିକ୍ଷଣ କେବଳ କାଠି ବାଦନ କରନ୍ତି ଓ ଅନୁଚ୍ଚ ସ୍ଵରରେ ଗୁରୁବଂଦନା କରିଥାନ୍ତି । ଏହି କାଠିବାଦନ ଶୁଣି ଲୋକମାନେ ନୃତ୍ୟ ଆରମ୍ଭର ସୂଚନା ପାଇ ମଣ୍ଡଳ ଚତୁଃପାର୍ଶ୍ଵରେ ଘେରି ବସିଯାନ୍ତି । ତା’ ପରେ ସାରଳାଦେବୀ, ଗଣେଶ, ଜଗନ୍ନାଥ ପ୍ରଭୃତି ଦେବା ଦେବୀଙ୍କ ବନ୍ଦନା ଗାନ କରି ଗାୟକ ବିଷୟବସ୍ତୁ ଆଡ଼କୁ ଅଗ୍ରସର ହୁଅନ୍ତି । ବିଷୟବସ୍ତୁ ଗୁଡ଼ିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା (କ) ରାମାୟଣ ବିଷୟମୂଳକ - ଅଶ୍ଵମେଧ ଯଜ୍ଞ, ଲକ୍ଷ୍ମଣ ଶକ୍ତି ଭେଦ, ରାମ ହନୁମାନ ଯୁଦ୍ଧ, ମହୀରାବଣ ବଧ, ସୀତାହରଣ, ଚିତ୍ରସେନ ଶରଣ, ସେତୁବଂଧ ପ୍ରତିଷ୍ଠା, ଅହଲ୍ୟାଶାପ ମୋଚନ ପ୍ରଭୃତି । (ଖ) ମହାଭାରତମୂଳକ - ଚନ୍ଦ୍ରାବତୀ ହରଣ, ଚନ୍ଦ୍ରକଳାହରଣ, ସ୍ୟମନ୍ତକ ମଣିବୃତ୍ତାନ୍ତ, ରୁକ୍ମିଣୀ ବିବାହ ପ୍ରଭୃତି, (ଗ) ଅନ୍ୟାନ୍ୟ ପୁରାଣମୂଳକ - ଯମପୁରାଣ, ଲକ୍ଷ୍ମୀପୁରାଣ, ତ୍ରିନାଥ ମେଳା ପ୍ରଭୃତି । ବିଷୟ ବର୍ଣ୍ଣନା କରିବା ପୂର୍ବରୁ ବିଷୟବସ୍ତୁଗୁଡ଼ିକର ତାଲିକା ପାଠକରି ତନ୍ମଧ୍ୟରୁ କେଉଁ ବିଷୟଟି ଆଲୋଚନା ବା ଗାନ କରାଯିବ, ତାହା ଦର୍ଶକମାନଙ୍କୁ ଗାୟକ ପୁଚ୍ଛା କରିଥାନ୍ତି । ଦର୍ଶକମାନେ ସର୍ବସମ୍ମତିକ୍ରମେ ଯେଉଁ ବିଷୟ ଠିକ୍‌ କରନ୍ତି, ତାହା ପରିବେଷିତ ହୁଏ । ସମସ୍ତ ବିଷୟ ଚଉଦ ଅକ୍ଷରୀ ବୃତ୍ତରେ ରଚିତ ହୋଇଥିଲା ମଧ୍ୟ ଗାନ କଲାବେଳେ ପ୍ରାୟ ୨୫/୩୦ଟି ଭିନ୍ନ ସ୍ୱର ଦେଇ ଏମାନେ ବିଷୟବସ୍ତୁଟିକୁ ଉପସ୍ଥାପନ କରିଥାନ୍ତି । ଗୀତର ପ୍ରତ୍ୟେକ ପାଦର ଶେଷାଂଶଟି ପାଳିଆ ଗାନ କରିଥାଏ ଏବଂ ଏହି ସମୟରେ ଗାୟକ ବିଶ୍ରାମ ନିଅନ୍ତି । ଏହିପରି ବିଷୟବସ୍ତୁର କିଛି ଅଂଶ ଏକ ନିର୍ଦ୍ଦିଷ୍ଟ ସ୍ଵରରେ ଗାନ କରି ସାରିବା ପରେ ଭଣତି କରନ୍ତି । ଭଣତି ବେଳକୁ ଗାୟକଙ୍କ ସ୍ଵତନ୍ତ୍ର ଚିଣ୍ଡାଣସ୍ଵର ବାରିପାରି ପାଳିଆ ଗାଏ, ‘‘ରାମ ଯେ ହରି ରାମ ଯେ, ନବୀନ ଘନସୁନ୍ଦର ରାମ ଯେ’’-। ଭଣତିରେ ରାମ ନାମ ବ୍ୟତୀତ କୌଣସି ରଚୟିତା କିମ୍ବା ପୃଷ୍ଠପୋଷକଙ୍କ ନାମୋଚ୍ଚାରଣ କରାଯାଇ ନଥାଏ । ପାଳିଆର ଏହି ଭଣତି ପରେ ଗାୟକ ‘ବୁଝିଗଲୁ ନା ଭାଇ’ ! ବୋଲି ସମ୍ବୋଧନ କରି ଗୀତ ଅଂଶଟି ସରଳ ଗଦ୍ୟରେ ପୁଣି ବୁଝାଇ ଦିଅନ୍ତି । ଏଥିରୁ ଅନୁମାନ କରାଯାଇପାରେ ଯେ, ଦାସକାଠି ନୃତ୍ୟର ପ୍ରଥମ କଳାକାର ଦୁଇଜଣ ଦୁଇଭାଇ ଥିଲେ । ବର୍ତ୍ତମାନ ମଧ୍ୟ ଗଂଜାମ ଜିଲ୍ଲାରେ ଥିବା ଅଧିକାଂଶ ଦାସକାଠିଆ ଦଳରେ ଦୁଇଭାଇ ଗାୟକ ପାଳିଆରୂପେ ଅଂଶ ଗ୍ରହଣ କରିଥାନ୍ତି । ମାତ୍ର ଦୁଇଜଣ କଳାକାରଙ୍କ ଆବଶ୍ୟକତା ଦୃଷ୍ଟିରୁ ତଥା ଜୀବିକାର୍ଜନର ଏକ ପନ୍ଥା ରୂପେ ଗୃହୀତ ହେଉଥିବାରୁଏଥିରେ ଦୁଇଭାଇ ଅଂଶ ଗ୍ରହଣ କରିବା ପାଇଁ ଉଚିତ ମନେ କରିଥାନ୍ତି । ରାମାୟଣର ପ୍ରଥମ ପ୍ରଚାରକ ଲବକୁଶ ଦୁଇଭାଇ ଥିଲେ । ଏମାନଙ୍କ ଅନୁକରଣରେ ଏହି ନୃତ୍ୟର ପାତ୍ର ସଂଖ୍ୟା ଦୁଇ ମଧ୍ୟରେ ସୀମିତ ରଖି କଳାକାରମାନେ ଦୁଇଭାଇ ବୋଲି ମଧ୍ୟ ପରିଚୟ ଦେଉଥିବାର ସଂଭାବନା କରାଯାଇପାରେ । କାରଣ ଯେଉଁ ଦଳର କଳାକାରଦ୍ୱୟ ସୋଦର ଦୁଇଭାଇ ନୁହଁନ୍ତି, ସେହି ଦଳରେ ମଧ୍ୟ ଗାୟକ ପାଳିଆକୁ ଭାର ବୋଲି ସମ୍ବୋଧନ କରିଥାନ୍ତି ନୃତ୍ୟ ପରିବେଷଣ କାଳରେ ଏବଂ ପାଳିଆ ଗାୟକଙ୍କୁ ଭାଇନା ବୋଲି ସମ୍ବୋଧନ କରିଥାଏ ।

 

ପଦେ ଗାଇ ଦଣ୍ଡେ ବୁଝାଇ ଏମାନେ ବିଷୟବସ୍ତୁ ପରିବେଷଣ କରନ୍ତି । ଅନୁକୂଳ ସ୍ଥଳମାନଙ୍କରେ ବିଭିନ୍ନ କବିଙ୍କ ରଚିତ ସଂଧ୍ୟ୍ୟା, ସକାଳ, ଋତୁ, ବାଲ୍ୟ, ପୌଗଣ୍ଡ, ଯୌବନ ପ୍ରଭୃତି ବର୍ଣ୍ଣନାର ଉଦ୍ଧୃତି ଓ ବ୍ୟାଖ୍ୟା ଦେଇ ବିଷୟବସ୍ତୁକୁ ରସାନ କରିଥାନ୍ତି । ବେଳେବେଳେ ଦର୍ଶକମାନଙ୍କୁ ପୁଲକିତ ଓ ହର୍ଷୋତ୍‌ଫୁଲ୍ଲିତ କରିବା ପାଇଁ ଏବଂ ଗାୟକଙ୍କୁ କିଛି ସମୟ ବିଶ୍ରାମ ଦେବାପାଇଁ ପାଳିଆ ବିଭିନ୍ନ ହାସ୍ୟରସପୂର୍ଣ୍ଣ କଥା ଓ ଢଗଢମାଳି ବ୍ୟବହାର କରିଥାଏ ।

 

ପରିବେଷଣକାଳୀନ ଅଭିନୟ : ବିଷୟବସ୍ତୁ ପରିବେଷଣ ବେଳେ ଗାୟକ, ପାଳିଆ ଉଭୟେ ରସାନୁସାରୀ ଅଭିନୟ ପ୍ରଦର୍ଶନ କରିଥାନ୍ତି । ଅଭିନୟ କଳାର ଚାରୋଟିଯାକ ବିଭବ ଏଥିରେ ବର୍ତ୍ତମାନ ବୋଲି ଡକ୍ଟର ହେମନ୍ତ କୁମାର ଦାସ ଯଥାର୍ଥରେ କହିଛନ୍ତି ॥ ୨୫ ॥ ରସାନୁସାରୀ ସ୍ଵର ତଥା ଅଭିନୟ ପ୍ରଦର୍ଶନର ସାର୍ଥକ ଦୃଷ୍ଟାନ୍ତ ଭାବେ ବୀର ରସକୁ ଗ୍ରହଣ କରାଯାଇପାରେ । ଯୁଦ୍ଧକାଳୀନ ବୀର ରସ ପରିବେଷଣ ବେଳେ ଏମାନେ ଦୁଇ ଗୋଡ଼କୁ ଈଷତ୍‌ ପ୍ରସାରଣ କରି, ଆଗକୁ ଝୁଙ୍କିପଡ଼ି ପୁଣି ସିଧା ହୋଇ ଉଚ୍ଚାରିତ ସ୍ଵର ଓ ତାଳକୁ କ୍ଷୀପ୍ରତର କରାଇ, ବେଳେବେଳେ ଭୁମି ଉପରେ ପାଦକୁ କଚାଡ଼ି ଯେଉଁ ଅଭିନୟ ପ୍ରଦର୍ଶନ କରନ୍ତି, ତାହା ରାମଲୀଳାର ଯୁଦ୍ଧ ବର୍ଣ୍ଣନା ବେଳେ ଗାୟକ ଓ ପଡ଼ିଗାୟକଙ୍କ ଅଭିନୟ ସହ ପୂର୍ଣ୍ଣମାତ୍ରାରେ ସମତା ରକ୍ଷା କରେ । ଏହି ଅଭିନୟ ଦୂର ଯୋଦ୍ଧାଙ୍କ ଯୁଦ୍ଧକାଳୀନ ବଚସା ଓ ବାଣ ସଂଧାନର ବିଲକ୍ଷଣ ପ୍ରତୀତି ସୃଷ୍ଟି କରିଥାଏ । ଏଥିରେ କଳାକାରଦ୍ୱୟଙ୍କ ବାଚିକ, ଆଙ୍ଗିକ ଅଭିନୟ ପରିସ୍ଫୃଟ ହୋଇଥାଏ । କରୁଣ ଓ ବାତ୍ସଲ୍ୟରସ ପରିବେଷଣ ବେଳେ ସାତ୍ତ୍ୱିକ ଅଭିନୟ ପ୍ରକଟିତ ହୋଇଥାଏ ଏବଂ ଅଭିନୟ କଳାର ଆହାର୍ଯ୍ୟ ଅଂଶଟି ଏମାନଙ୍କ ବ୍ୟବହୃତ କାଠି ଓ ବେଶପୋଷାକ ମଧ୍ୟରେ ନିହିତ ଥାଏ ।

 

ବେଶ, ପୋଷାକ : ନୃତ୍ୟପରିବେଷଣ କାଳରେ ଉଭୟ ଗାୟକ ଓ ପାଳିଆ ରାଜକୀୟ ବେଶ, ପୋଷାକ ପରିଧାନ କରିଥାନ୍ତି । ଉଭୟେ ପାଇକଛା ମାରି ପାଟ ପିନ୍ଧନ୍ତି, ମୁଣ୍ତରେ ଝୁଲ ଲଗା ପଗଡ଼ି ବାନ୍ଧନ୍ତି, ପଗଡ଼ିର କିଛି ଅଂଶ ମୁଣ୍ଡ ପଛକୁ ଲାଂଜ ଭଳି ଝୁଲି ଥାଏ । ହାତରେ କଂକଣ, କାନରେ କୁଣ୍ଡଳ ଓ ପାଦରେ ନୂପୁର ଧାରଣ କରନ୍ତି । ଦେହରେ ରାଜକୀୟ ରଙ୍ଗୀନ କୋଟ୍‌ ପରିଧାନ କରନ୍ତି । ଆଗରୁ କୁହାଯାଇଛି ଯେ ଏମାନଙ୍କର ବେଶ, ପୋଷାକ ରାମଲୀଳା ଗାୟକ ଓ ପଡ଼ିଗାୟକଙ୍କ ପୋଷାକ ଓ ବେଶ ସହ ସମତା ରକ୍ଷା କରିଥାଏ । ରାମଲୀଳା ଗାୟକ ପଡ଼ିଗାୟକ କିନ୍ତୁ ରଙ୍ଗୀନ୍‌ କୋଟ୍‌ ପରିଧାନ କରିନଥାନ୍ତି । ଦାସକାଠିଆ ଗାୟକ ଓ ପାଳିଆଙ୍କର କୋଟ୍‌ ଓ ଝୁଲ ଲଗା ପଗଡ଼ି ଦେଖିଲେ ମନେ ହୁଏ, ଏହା ଓଡ଼ିଶୀ ଗଡ଼ଜାତ ରାଜାମାନଙ୍କର ବେଶ ପୋଷାକର ଅନୁକରଣରେ ପରିକଳ୍ପିତ ହୋଇଛି । ଏମାନେ ପରିବେଷଣ କରୁଥିବା ବିଷୟବସ୍ତୁଗୁଡ଼ିକ ପ୍ରାୟଶଃ ରାଜାମହାରାଜାଙ୍କ ଜୀବନ ବୃତ୍ତାନ୍ତ ହୋଇଥିବା ଯୋଗୁଁ ବିଷୟାନୁସାରୀ ପୋଷାକ ରୂପେ ଏମାନେ ରାଜକୀୟ ପୋଷାକ ପରିଧାନ କରିଥାଇପାରନ୍ତି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଦାସକାଠିଆର ଉନ୍ମେଷ କାଳରେ ଏମାନେ ରାମଲୀଳା ଗାୟକ ଓ ପଡ଼ିଗାୟକ ପରି ରାଜକୀୟ କୋଟ ପରିଧାନ ନ କରି ହିଁ ନୃତ୍ୟ ପରିବେଷଣ କରୁଥିଲେ ।

 

ଉପସଂହାର :

ଉପରୋକ୍ତ ଆଲୋଚନାର ନିର୍ଯ୍ୟାସ ସ୍ଵରୂପ ଏହା କୁହାଯାଇପାରେ ଯେ, ଦାସକାଠିଆ ଗଂଜାମ ଜିଲ୍ଲାର ଏକ ନିଜସ୍ଵ ସୃଷ୍ଟି । ଏହା ଷୋଡ଼ଶ ଶତାବ୍ଦୀ ପୂର୍ବରୁ ଜନ୍ମନେଇ ଏହି ଜିଲ୍ଲାରେ ହିଁ ଲାଳିତ, ପାଳିତ ଓ ପରିବର୍ଦ୍ଧିତ ହୋଇ ଆସୁଛି । ରାମଚରିତ ଗାନ ଉଦ୍ଦେଶ୍ୟରେ ରାମଲୀଳାର ସରଳ ସଙ୍କୁଚିତ ରୂପ ଭାବେ ଏହା ଆବିର୍ଭୂତ ହୋଇଥିଲେ ହେଁ ସଂପ୍ରତି ମନୋରଂଜନର ଏବଂ ସାହିତ୍ୟ ପ୍ରଚାରର ବହୁ ଉଦ୍ଦେଶ୍ୟକୁ ଏହା ଚରିତାର୍ଥ କରିପାରୁଛି । ଅନ୍ୟ ଜିଲ୍ଲାର କଳାକାରମାନେ ବର୍ତ୍ତମାନ ଦାସକାଠିଆ ପରିବେଷଣ କରୁଥିଲେ ମଧ୍ୟ ଗଂଜାମୀ କଳାକାରମାନଙ୍କ ପରି ବିଷୟବସ୍ତୁକୁ ରସାଳ ଓ ଶ୍ରୁତିମଧୁର ତଥା ଅଭିନୟକୁ ସୁନ୍ଦର ଓ ଶାଣିତ କରିପାରୁ ନାହାଁନ୍ତି ।

 

ଦାସକାଠିଆ ନୃତ୍ୟ ଏହାର ସୃଷ୍ଟି କାଳରେ ଯେପରି ରାଜପୃଷ୍ଠପୋଷକତାରୁ ବଂଚିତ ହୋଇ ଲୋକ ପୃଷ୍ଠପୋଷକତାରେ ହିଁ ଅତିଷ୍ଠ ଅବସ୍ଥାରେ ତିଷ୍ଠି ରହିଥିଲା ; ବର୍ତ୍ତମାନ ସେପରି ସରକାରୀ ପୃଷ୍ଠପୋଷକତା ଅଭାବରୁ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଛି, ସରକାରୀ ପ୍ରୋତ୍ସାହନ ଓ ଆର୍ଥିକ ଅନୁଦାନର ପୁଷ୍କଳ ବ୍ୟବସ୍ଥା ରହିଲେ ତଥା ଅଧୁନାତନ ଯାନ୍ତ୍ରିକ ମଣିଷର ସାମାନ୍ୟତମ ରୁଚିବୋଧ ରହିଲେ ଓଡ଼ିଶାର ଏହି ସମୃଦ୍ଧ ତଥା ପ୍ରାଚୀନ ଲୋକକଳାର ଅବକ୍ଷୟକୁ ରୋକାଯାଇ ପାରନ୍ତା ।

 

ପୃଷ୍ଠଟୀକା

୧.

ଭରତମୁନି, ନାଟ୍ୟଶାସ୍ତ, ଅନୁ,ବାନାମ୍ୱର ଆଚାର୍ଯ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪, ପୃ : ୩୧ ।

୨.

ଦାସ, ହେମନ୍ତ କୁମାର, ଓଡ଼ିଆନାଟକ : ଉଦ୍ଭବ ଓ ବିକାଶ, ୧୯୮୦, ପୃ ; ୪୦ ।

୩.

ଦାସ, ହେମନ୍ତକୁମାର, ଓଡ଼ିଆ ଲୋକନାଟକ, ୧୯୮୩, ପୃ : ୬୮ରୁ ଉଦ୍ଧୃତ ।

୪.

Sahoo, K.C Literature and social life in medieval Orissa, 1971, p.37

୫.

ରାୟ, ଗିରିଜାଶଙ୍କର, ଓଡ଼ିଆ ନାଟ୍ୟକଳା - ୧୯୬୭, ପୃ : ୨୭ ।

୬.

ତତ୍ରୈବ, ପୃ: ୨୪-୨୫ ।

୭.

ଦାସ, ହେମନ୍ତ କୁମାର, ଓଡ଼ିଆ ଲୋକନାଟକ, ପୃ : ୧୨୫ ।

୮.

ସାହୁ, ନାରାୟଣ ‘‘ଦାସକାଠିଆ ଏକ ବିହଙ୍ଗାବଲୋକନ’’ ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା ସଂକଳନ ଓ ସଂପାଦନା ବୈଷ୍ଣବଚରଣ ସାମଲ ଓ ହୃଷିକେଶ ମଲ୍ଲିକ, ପୃ ; ୪୫୭-୪୬୩ ।

୯.

‘‘Daskathia is evolved and nourished along with the growth of Ram’s cult in Orissa’’.

‘‘Excerpt from the Heritage of Orissa". Orissa Review. Aug. - 88, Vol -XLV, No. 1, P. 69.

୧୦.

ଆଚାର୍ଯ୍ୟ, ସୁଦର୍ଶନ-ସ୍ରଷ୍ଟା ଓ ସୃଷ୍ଟି, ୧ମ ସଂସ୍କ, ୧୯୭୨ ପୃ : ୩୫-୩୭ ।

୧୧.

ତ୍ରିପାଠୀ, ଅଶୋକ କୁମାର ‘‘ଓଡ଼ିଶାର ରାମଚେତନାକୁ ଗଂଜାମ ଜିଲ୍ଲାର ଅବଦାନ’’ ସ୍ମରଣିକା, ସୁନାବେଡ଼ା : ଉତ୍କଳ ସାଂସ୍କୃତିକ ପରିଷଦ, ୧୯୯୩ ପୃ ୨୦-୨୬ ।

୧୨.

ଦାସ, ହେମନ୍ତକୁମାର, ଓଡ଼ିଆ ନାଟକ : ଭଦ୍ଭବ ଓ ବିକାଶ - ପୃ : ୧୨୭ ।

୧୩.

ସାହୁ, ନାରାୟଣ ‘‘ଦାସକାଠିଆ ଏକ ବିହଙ୍ଗାବଲୋକନ’’ ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ପୃ : ୪୫୭-୪୬୩ ।

୧୪.

ଦାସ, ହେମନ୍ତକୁମାର - ଓଡ଼ିଆ ଲୋକନାଟକ ପୃ : ୧୨୮ ।

୧୫.

ରାୟ, ଗିରିଜାଶଙ୍କର - ଓଡ଼ିଆ ନାଟ୍ୟକଳା, ପୃ : ୨୭ ।

୧୬.

ରାଉତ, କୁଳମଣି - ଓଡ଼ିଆ ନାଟ୍ୟ ସାହିତ୍ୟ ଓ ରାମଶଙ୍କର ରାୟ - ୧ମ, ୧୯୮୩ - ପୃ : ୫୪ !

୧୭.

ଦାସ, ହେମନ୍ତ କୁମାର - ଓଡ଼ିଆ ଲୋକନାଟକ, ପୃ : ୧୨୭ ।

୧୮.

କୈବଲ୍ୟ ୩ (୧) ୧୯୮୩ ।

୧୯.

ଦାସ, ହେମନ୍ତ କୁମାର - ଓଡ଼ିଆ ଲୋକନାଟକ, ପୃ : ୧୨୩ ।

୨ ୦.

ତ୍ରିପାଠୀ, ଅଶୋକ କୁମାର ‘‘ଓଡ଼ିଶାର ଏକ ଅନାଲୋଚିତ ଲୋକନୃତ୍ୟ : ପଶୁନୃତ୍ୟ’’ ଓଡ଼ିଶାର ଲୋକନାଟ୍ୟ, ୧ମ ସଂସ୍କରଣ - ସୁନାବେଡ଼ା : ବନଫୁଲ ସାହିତ୍ୟ ପରିଷଦ, ୧୯୯୨, ପ୍‌ : ୩୧ ।

୨୧.

ଦାସ, ହେମନ୍ତକୁମାର - ଓଡ଼ିଆ ଲୋକନାଟକ - ପୃ ୧୨୪ ।!

୨୨.

ସାହୁ, ନାରାୟଣ ‘‘ଦାସକାଠିଆ ଏକ ବିହଙ୍ଗାବଲୋକନ’’ - ଓଡ଼ିଆଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ପୃ ୪୫୭ - ୪୬୩ ।

୨୩.

ପାତ୍ର, ତୀରିଣୀ ଚରଣ, ‘‘ଗଂଜାମର ଲୋକନାଟ୍ୟ ଓ ନାଟକ’’ ଓଡ଼ିଆ ଲୋକନାଟ୍ୟ - ୧ମ ସଂସ୍କରଣ, - ରାଉରକେଲା : କଲଚରାଲ ଏକାଡେମୀ - ୧୯୭୭, ପୃ : ୨୭୬ - ୨୬୮ ।

୨୪.

ରାଜଗୁରୁ, ସତ୍ୟନାରାଯଣ - ଓଡ଼ିଶାର ସାଂସ୍କୃତିକ ଇତିହାସ - ଓଡ଼ିଆ ସାହିତ୍ୟ ଏକାଡେମୀ, ୧୯୮୬, ପୃ: ୧-୬ ।

୨୫.

ଦାସ, ହେମନ୍ତକୁମାର - ଓଡ଼ିଆ ଲୋକନାଟକ, ପୃ : ୧୨୭ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଏରୋନଟିକ୍‌ସ ବାଣିଜ୍ୟ ଓ କମଳା ମହାବିଦ୍ୟାଳୟ,

ସୁନାବେଡ଼ା, କୋରାପୁଟ

 

***

 

Unknown

ଓଡ଼ିଆର ପଞ୍ଚମ ବେଦ

ଡକ୍ଟର ନଟବର ଶତପଥୀ

 

ଭାରତ ବର୍ଷରେ ବେଦ ପରେ ପୁରାଣର ଖ୍ୟାତି ବ୍ୟାପକ । ସାଧାରଣ ଲୋକମାନଙ୍କର ପାଠ୍ୟ-କେହି ପଢ଼ନ୍ତି ବା କାହା ଦ୍ୱାରା ପଢ଼ାଇ ଶୁଣନ୍ତି । ବିଜ୍ଞମାନେ ପଢ଼ନ୍ତି ସାଂସ୍କୃତିକ ଓ ଐତିହାସିକ ତଥ୍ୟ ପାଇଁ (ଶ୍ରୀ ଅରବିନ୍ଦ ସ୍ମରଣ କରାନ୍ତି -‘‘ଭାରତବର୍ଷର ଇତିହାସ ରହିଛି ପୁରାଣରେ’’ ଶ୍ରୀ ଅରବିନ୍ଦ - ୪ର୍ଥ ଖଣ୍ଡ - ପୃ ୫୩) ସାଧାରଣ ଜନତା ପୁରାଣକୁ ମୁକ୍ତି-ଦାନର ଗ୍ରନ୍ଥ ମନେ କରନ୍ତି । ବେଦ ପଢ଼ିବାରୁ ବଞ୍ଚିତ ଏହି ଶ୍ରଦ୍ଧାଳୁ ଗୋଷ୍ଠୀର ଜିଜ୍ଞାସା ତୃପ୍ତକରେ ପୁରାଣ । ବେଦତୂଲ୍ୟ ତା’ର କାହାଣୀ, ଶ୍ରୁତିର ବିଷୟ । ଏଣୁ ଅଥର୍ବ ଓ ଉପନିଷଦ (ଛାନ୍ଦୋଗ୍ୟ ଏବଂ ବୃହଦାରଣ୍ୟକ) ପଞ୍ଚମ ବେଦ ଆଖ୍ୟା ଦେଇଛନ୍ତି । ‘‘ଇତିହାସ ପୁରାଣଂ ପଞ୍ଚମ ବେଦାନଂ ବେଦଂ । (ଛଉ - ୭/ ୧) । ‘‘ସାମବେଦୋଽର୍ଥର୍ବାଙ୍ଗିରସ୍‌ ଇତିହାସଃ ପୁରାଣଂ ବିଦ୍ୟା ଉପନିଷଦଃ ଶ୍ଲୋକାଃ (ବୁ.ଊ.୩ୟ ବ୍ରା - ମନ୍ତ୍ର ୧୦) । ଶତପଥ ବ୍ରାହ୍ମଣ ପୁରାଣକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପିତ ମକରନ୍ଦ ମନେକରି ବେଦର ସମ୍ମାନ ଦେଇଛି । ଛାନ୍ଦୋଗ୍ୟ ମନେକରେ ପୁରାଣ ‘ଆଦିତ୍ୟ’ଙ୍କର ପୁଷ୍ପ (ଏକ ମଧୁକୃତ ଇତିହାସ ପୁରାଣ’’ ପୁଷଂ - ୩/୪/୧) । ଏଥିରେ ପୁନଶ୍ଚ କୁହାଯାଇଛି, ‘ଅଥର୍ବ ଓ ଅଙ୍ଗିରସଙ୍କର ମନ୍ତ୍ରରେ ଉତ୍ତପ୍ତ ହୋଇଥିବା ପୁରାଣ ଇତିହାସରୁ ଯଶ, ତେଜ, ଶକ୍ତି, ଅନ୍ନାଦି ରସ ଏବଂ ଇନ୍ଦ୍ରିୟ ବାହାରିଥିଲା (୩/୪/୨ ଆଚାର୍ଯ୍ୟ ହରିହର ଟୀକା) ଅର୍ଥାତ୍‌ ପୁରାଣ ଏକାଧାରରେ ମାନବୀୟ ସମ୍ବଳର ପୃଷ୍ଠପୋଷକ ।

 

ପୁରାଣ ସଂସ୍କୃତ ସାହିତ୍ୟର ଏକ ଆଙ୍ଗିକ ବିଷୟ । ତା’ର ଐତିହ୍ୟ ଏବଂ ସମୃଦ୍ଧି ବିସ୍ମୟକର । ଏପରିକି ଅନାଦି ବିଦ୍ୟା ଏବଂ ଅଷ୍ଟାଦଶ ବିଦ୍ୟାନ୍ତର୍ଗତ ବୋଲି କୁହାଯାଏ । ଏହାର ସଂଜ୍ଞା ନିରୂପଣ ବେଳେ ପ୍ରାଚୀନତା ବିଷୟରେ କୁହାଯାଇଛି-

 

ପୁରାଣଂ ସର୍ବଶାସ୍ତ୍ରାଣାମ୍‌ ପ୍ରଥମଂ ବ୍ରହ୍ମଣା ସ୍ମୃତମ୍‌ ।

ଅନନ୍ତରଂ ଚ ବକ୍ତ୍ରେଭ୍ୟୋ ବେଦସ୍ତସ୍ୟ ବିନିର୍ଗତା ।

(ବାୟୁ)

 

ବାୟୁର ଏ ମତ ଅତ୍ୟୁକ୍ତି ନିଶ୍ଚୟ କିନ୍ତୁ ତାତ୍ପର୍ଯ୍ୟ ହେଉଛି ଶାସ୍ତ୍ରମାନଙ୍କ ମଧ୍ୟରେ ପ୍ରଥମ ସୃଷ୍ଟି ‘ପୁରାଣ’ । ଶ୍ରୀଅରବିନ୍ଦ ସ୍ମୃତି ମଧ୍ୟରେ ଏହାକୁ ପ୍ରଧାନ ମନେ କରନ୍ତି । ତାଙ୍କ ମତରେ ଶ୍ରୁତି ପରି ପ୍ରତ୍ୟକ୍ଷ ପ୍ରମାଣ ଏବଂ ହିନ୍ଦୁ ଧର୍ମର ଅଭିବ୍ୟକ୍ତି ମିଳେ ପୁରାଣରୁ । ମଣିଷର ସୀମାବଦ୍ଧ ଓ ପରିବର୍ତ୍ତନଶୀଳ ବୃଦ୍ଧିର ସୃଜନ ଲୀଳାର ନିଦର୍ଶନ ଏ ଗ୍ରନ୍ଥ ବହନ କରିଛି । ବସ୍ତୁତଃ ଭାରତୀୟ ଐତିହ୍ୟବୋଧର ସରସ୍ଵତୀ ରୂପେ ତା’ର ସ୍ଥାନ ସ୍ଵତନ୍ତ୍ର । ଏ ଗାରିମା ଲକ୍ଷ୍ୟ କରି ଯାସ୍କ କହିଛନ୍ତି -‘ପୁରାନବଂ ଭବତି । ପାଣିନି କୁହନ୍ତି - ‘ପୁରାଣ ପ୍ରୋକ୍ତେଷୁ ବ୍ରାହ୍ମଣ କଳ୍ପେଷୁ’ । ବହୁବିଧ ସଂଜ୍ଞା ପ୍ରଦାନ ମଧ୍ୟରେ ଏକ ସାଧାରଣ ଅର୍ଥ ହେଉଛି - ପୁରାଣ ପ୍ରାଚୀନ ଏବଂ ପରମ୍ପରାଶ୍ରିତ ଗ୍ରନ୍ଥ । ଏହାର ସମାର୍ଥବୋଧକ ଶବ୍ଦ ‘ପ୍ରଥମ’ ‘ଶାଶ୍ୱତ’, ‘ଇତିହ’, ‘ଇତିବୃତ୍ତ’, ‘ପୁରାବୃତ୍ତ’ । ଶେଷ ତିନୋଟି ପୁରାଣକୁ ଇତିହାସ ତୁଲ୍ୟତାରେ ସ୍ଥାପନ କରେ । ଉଭୟ ଏକାର୍ଥ ବାଚକ । ଇତିହାସ ଓ ପୁରାଣ ପ୍ରାଚୀନ ପରମ୍ପରା କ୍ରମେ ଶ୍ରୁତ ଓ ସ୍ମୃତ ବହୁ ବୀର ପୁରଷଙ୍କର ଗୌରବ ଗାଥା ଅଙ୍ଗୀଭୂତ କରି ସଶ୍ରଦ୍ଧ ସମ୍ମାନ ପାଇଥିଲା । ଏ ପ୍ରସଙ୍ଗରେ ଆଉ କେତୋଟି ଶବ୍ଦ-ଆଖ୍ୟାନ, ଉପାଖ୍ୟାନ, ଗାଥା, କଳ୍ପବାକ୍ୟ (କଳ୍ପଶୁଦ୍ଧି ବା କଳ୍ପଯୋକ୍ତି) ପ୍ରଭୃତି ପୁରାଣର ଅର୍ଥବାଚୀ ହେଲେ ମଧ୍ୟ ସେଗୁଡ଼ିକ ଥିଲା ତା’ର ଉପାଦାନ । ଏଠାରେ ବାୟୁର ଶ୍ଳୋକଟିଏ ବିଚାର ଯୋଗ୍ୟ -

 

ଆଖ୍ୟାନୈଶ୍ଚାପ୍ୟୁଖ୍ୟା ନୈର୍ଗାଥାଭି କଳ୍ପଶୁଦ୍ଧିଭିଃ ।

ପୁରାଣ ସଂହିତାଂଚକ୍ରେ ପୂରାଣାର୍ଥ ବିଶାରଦଃ ।।

 

ଅର୍ଥାତ୍‌, ପୁରାଣ ବିଶାରଦ ବ୍ୟାସଦେବ ଆଖ୍ୟାନ ଉପାଖ୍ୟାନ, ଗାଥା, କଳ୍ପଶୁଦ୍ଧି (କୂଳବର୍ଗ - ମତ୍ସ୍ୟ) ପ୍ରଭୃତିର ବିନିଯୋଗରେ ପୁରାଣ ରଚନା କରିଛନ୍ତି । ଟୀକାକାର ଶ୍ରୀଧର ସ୍ଵାମୀ ଗୋଟିଏ ବ୍ୟାଖ୍ୟାରେ କୁହନ୍ତି -

 

ସ୍ଵୟଂଦୃଷ୍ଟାର୍ଥ କଥନଂ ପ୍ରାହୁରାଖ୍ୟାନଂ ବୁଧା ।

ଶ୍ରୁତସ୍ୟାର୍ଥସ୍ୟ କଥନର୍ମୁପାଖ୍ୟାନଂ ପ୍ରଚକ୍ଷତେ ॥

ଗାଥାସ୍ତୂ ପିତୃପୃଥ୍ଵୀ ପ୍ରଭୃତି ଗୀତୟଃ ।

କଳ୍ପଶୁଦ୍ଧିଃ ଶ୍ରାଦ୍ଧ କଳ୍ପାଦି ନିର୍ଣ୍ଣୟ ॥

 

ଅର୍ଥାତ୍‌, ନିଜେ ଦେଖିବା ବିଷୟର ବର୍ଣ୍ଣନା ଆଖ୍ୟାନ, ଶୁଣିଥିବା କଥାକୁ କୁହାଯିବ ଉପାଖ୍ୟାନ । ପିତୃପୁରୁଷ ଏବଂ ପୃଥ୍ୱୀର ଗୀତର ନାମ ଗାଥା । କାଳ ଓ ଧର୍ମ ସମ୍ବନ୍ଧୀୟ ନିର୍ଣ୍ଣୟ ହେବ କଳ୍ପଶୁଦ୍ଧି । ପୁରାଣକୁ ଇତିବୃତ୍ତ ଅର୍ଥରେ ଗ୍ରହଣବେଳେ ପ୍ରବକ୍ତାମାନେ ବୋଧହୁଏ ଏ ବିଷୟକୁ ଆଖିରେ ରଖିଥିଲା । ଶାସ୍ତ୍ରମତରେ, ପୁରାଣଜ୍ଞମାନେ ପୁରୁଷାନୁକ୍ରମେ କାହାଣୀଗୁଡ଼ିକୁ ଭିନ୍ନ ଭିନ୍ନ ପାଞ୍ଚୋଟି ଦୃଷ୍ଟିରେ ପ୍ରତୀକ୍ଷିତ କରିଛନ୍ତି । ୧-ସ୍ମୃତ - ଯାହା ମନେ ରହିଛି । ୨ - ଅନୁଶୁଶ୍ରୁମ - ଶୁଣି ଆସିଛୁ ବା ପ୍ରଚଳିତ, ୩ - ଇତିନଶ୍ରୁତମ୍‌ - ଏହିପରି ଶୁଣିଛୁ, ୪ - ଯସ୍ୟଶ୍ଲୋକ ଅଦ୍ୟପି ଶ୍ରୁୟତେ - ଅଧୁନା ଯାହାର ଶ୍ଲୋକ ଶୁଣାଯାଏ, ୫ - ଅତ୍ରାନୁବଂଶ ଶ୍ଲୋକ - ବଂଶ ବା ପୁରଷାନୁକ୍ରମେ ଯେଉଁ ଶ୍ଲୋକ ବିଦ୍ୟମାନ । (ଦ୍ରଷ୍ଟବ୍ୟ- F.E. Pargitar-Ancient Indian Historical Tradition - P: 18-20 and Dr. S.D. Gyani - Agni puran A study p-9 - 11).। ଲକ୍ଷ୍ୟ କରାଯିବ ଯେ ଉକ୍ତି ସମୂହରେ ପୂର୍ବପୁରୁଷର ଗୌରବକଥାକୁ ସ୍ମରଣ କରାଯାଇ ତାକୁ ଲିପିବଦ୍ଧ କରିବାର ପ୍ରୟାସ ପୂରାଣ ଗ୍ରନ୍ଥରେ ସମ୍ଭବ ହୋଇଛି । ଏଥିରୁ ପଣ୍ଡିତ ପାର୍ଜିଟାର ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ତାଙ୍କ ମତରେ ଉକ୍ତି ସ୍ମରଣ କରାଏ ବ୍ରାହ୍ମଣ ଓ କ୍ଷତ୍ରିୟ ପରମ୍ପରାର । ପୁରାଣ ସେହି ପରମ୍ପରାର ଉଜ୍ଜ୍ୱଳ ବାହକ ଓ ପ୍ରତିନିଧି ମଧ୍ୟ-। (See - AIHT - Chap - Il).

 

ଦୁଇଟି ଶ୍ରେଣୀରେ ପରମ୍ପରାର ବାହକଙ୍କୁ ପାର୍ଜିଟାର ବିଭକ୍ତ କରିଛନ୍ତି । ୧ମ-Transmitters of Tradition - ପରମ୍ପରାର ବାର୍ତ୍ତାବହ-ସେମାନଙ୍କୁ ପୁରାଣଜ୍ଞ, ପୌରାଣିକ, ପୁରାଣବିଦ୍‌ ପୁରାଣବେତ୍ତୃ ପ୍ରଭୃତି କୁହାଯାଏ । ସେଥିମଧ୍ୟରେ ଅଛନ୍ତି ସୂତ ରୋ (ଲୋ) ମହର୍ଷଣ, ଉଗ୍ରଶ୍ରବା (ବା ସୂତ ପୁତ୍ର), ଶୌନକ, ପରାଶର, ବ୍ୟାସ ଇତ୍ୟାଦି । ୨ୟ - Students of Geneologies ବଂଶାବଳୀ ଛାତ୍ର ବା ବଂଶବିଦ୍‌ । ଏହାର ପ୍ରତିଶବ୍ଦ । ବଂଶାବଳୀ ଜ୍ଞାତା, ବଂଶ (ଗୌରବ, ଚିନ୍ତକ, କୁଶଳ) ରକ୍ଷକ । ପୁରାଣର ବସ୍ତୁ ସଂଗ୍ରହ କ୍ଷେତ୍ରରେ ଏହାଙ୍କ ପଦବୀ ‘ମାଗଧ’ । ତାଙ୍କୁ ପାର୍ଜିଟାର ଦେଖିଛନ୍ତି, ରାଜାଙ୍କର Court historian- (ଦରବାରର ଇତିହାସକାର) ରୂପେ । ରାଜାଙ୍କର ଜଣେ ପାର୍ଷଦ ରୂପେ ସେ ରାଜବଂଶର ବିବରଣୀ ସଂଗ୍ରହ କରନ୍ତି ଏବଂ ସୂତ ବା ପୁରାଣବେତ୍ତୃ ମୁନିଋଷିଙ୍କୁ ଦିଅନ୍ତି । ତାଙ୍କ ପ୍ରଦତ୍ତ ଅବଲମ୍ବନରେ ପୁରାଣ ରଚିତ ହୁଏ । ରଚୟିତାମାନଙ୍କ ମଧ୍ୟରେ ସୂତ ରୋମହର୍ଷଣ, ପୁତ୍ର ଉଗ୍ରଶ୍ରବା ଏବଂ ସୂତଙ୍କ ଶିଷ୍ୟ ଅକୃତବ୍ରଣ, ସାବର୍ଣ୍ଣି, ଶଂଶପାୟନ ପ୍ରମୁଖ ଅଛନ୍ତି ସମ୍ଭବତଃ ପ୍ରଥମ ଶ୍ରେଣୀର ।

 

ପୁରାଣ ରଚନାରେ ବ୍ୟାସଙ୍କ ନାମ ସର୍ବତ୍ର କଥିତ । କୁହାଯାଏ ବେଦ ସଜ୍ଜୀକରଣ ପରେ ଉଦ୍‌ବୃତ୍ତ ତଥ୍ୟ ସମୂହ (ଆଖ୍ୟାନ ଉପାଖ୍ୟାନ ଗାଥା ପ୍ରଭୃତି) ଅବଲମ୍ବନରେ ସେ ଗୋଟିଏ ପୁରାଣ ସଂହିତା ରଚନା କରି ଶିଷ୍ୟ ରୋମହର୍ଷଣଙ୍କୁ ଦେଇଥିଲେ । କୁହାଯାଏ ସେ ଗ୍ରନ୍ଥର ନାମ ଆଦି ସଂହିତା । ରୋମହର୍ଷଣ ଗୁରୁଙ୍କ ପ୍ରଦତ୍ତ ସଂହିତାରୁ ‘ଲୋମହର୍ଷଣିକା’ ନାମରେ ଆଉ ଏକ ଗ୍ରନ୍ଥ ରଚନା କରିଥିଲେ । ‘ବିଷ୍ଣୁପୁରାଣ’ ମତରେ ରୋମହର୍ଷଣ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା କେତେକ ସଂହିତା ଲେଖାଇଥିଲେ । ତେବେ ସେ ସବୁ ଅଲଭ୍ୟ । କୁହାଯାଏ ‘ଲୋମହର୍ଷଣିକା’ ଅବଲମ୍ବନରେ ‘ବିଷ୍ଣୁ ପୁରାଣ’ ରଚିତ । କେତେକ ସ୍ଥାନରେ ପରାଶରଙ୍କୁ ବିଷ୍ଣୁ ପୁରାଣର ପ୍ରବକ୍ତା ବୋଲି ମାନ୍ୟତା ଦିଆଯାଏ । ଏସବୁ ମତ ପରସ୍ପର ବିରୋଧୀ । କିନ୍ତୁ ବ୍ୟାସଙ୍କ ନାମରେ ଭଣିତା ସର୍ବସ୍ଥଳରେ ପରିଲକ୍ଷିତ ହୁଏ । ପଣ୍ଡିତମାନେ ମନେ କରନ୍ତି ଯେ ‘ବ୍ୟାସ’ ଏକ ନାମ ନୁହେଁ - ପଦବୀ, ଏକ ଉପାଧି ବା ଅଧିକାରର ନାମ । ଅଧିକାର ହେଉଛି ପ୍ରଜ୍ଞାର । ଭାରତୀୟ ଋଷିମାନେ ଥିଲେ ପ୍ରାଣ ଶକ୍ତିର ଆବିଷ୍କାରକ ତଥା ଉପାସକ । ସାଂସ୍କୃତିକ ଇତିହାସର ଅଗ୍ରଗାମୀ ଶକ୍ତିସ୍ଵରୂପ । ବଶିଷ୍ଠ, ପରାଶର, ଶୌନକ, ବ୍ୟାସ, ବିଶ୍ୱାମିତ୍ର ପ୍ରଭୃତି ସେହି ଶାନ୍ତିର ଗୋଟିଏ ଗୋଟିଏ ପରିପ୍ରକାଶିତ ରୂପ ବ୍ୟକ୍ତିଗତ ନାମରେ ସେମାନେ ପରିଚିତ ନଥିଲେ । ଗୋଟିଏ ଉପାସ୍ୟ ଶକ୍ତିର ଅଧିକାରରେ କିମ୍ବା ପିତୃପିତାମହ, ପରିବାର ବା ଗୋଷ୍ଠୀର ନାମାନୁସାରେ ନିଜର ପରିଚୟ ଦେଇଥିଲେ । ଉଦାହରଣସ୍ଵରୂପ, ‘ବ୍ୟାସ’ ନାମଟି ନିଆଯାଉ । ତାଙ୍କର ବ୍ୟକ୍ତିଗତ ନାମ କୃଷ୍ଣ । ପରାଶରଙ୍କ ପୁତ୍ର ହେତୁ କୁଷ୍ଣ ପରାଶର, ଦ୍ୱୀପରେ ଜନ୍ମ ହେତୁ ଦ୍ୱୈପାୟନ । ବେଦ ସଜ୍ଜୀକରଣ ପରେ ବେଦ ଶବ୍ଦ ଏକ ଉପସର୍ଗ ଭାବେ ସଂଯୋଜିତ । ପୂରାନାମ ହେଉଛି କୃଷ୍ଣ ଦ୍ୱୈପାୟନ ପରାଶର ବେଦବ୍ୟାସ । ବ୍ୟାସ ଅଧିଗତଜ୍ଞାନର ଉପାଧି । ଏଥିରୁ ମନେହେବ ସେପରି ଜ୍ଞାନ ବା ବିଦ୍ୟାଲାଭ କରିଥିବା ବ୍ୟକ୍ତି ବ୍ୟାସ ନାମରେ ପରିଚିତ ହୋଇ ପୁରାଣରଚନା କରିଥିବେ । ଅର୍ଥାତ୍‌ ଅନେକ ବ୍ୟାସ ଥିଲେ-। ମାତ୍ର ମୂଳ ବ୍ୟାସଙ୍କ ପ୍ରଜ୍ଞା, ଅଲୌକିକ ସାଧନ ଶକ୍ତିର ସ୍ମରଣ ଓ ସମ୍ମାନ କରି ପରବର୍ତ୍ତୀ ପୁରାଣଜ୍ଞମାନେ ବ୍ୟାସ ନାମରେ ନିଜକୁ ପରିଚିତ କରାଇଛନ୍ତି ।

 

ପୁରାଣର ଅନ୍ୟନାମ ପଞ୍ଚଲକ୍ଷଣ ସେ ଲକ୍ଷଣଗୁଡ଼ିକ –

 

ସର୍ଗଶ୍ଚ ପ୍ରତିସର୍ଗଶ୍ଚ ବଂଶୋମନ୍ୱନ୍ତରାଣିଚ

ବଂଶାନୁଚରିତଂ ଚେତି ପୁରାଣଂ ପଞ୍ଚଲକ୍ଷଣମ୍‌ ।

 

ଅର୍ଥାତ୍‌ ସର୍ଗ, ପ୍ରତିସର୍ଗ, ବଂଶ, ବଂଶାନୁଚରିତ ଓ ମନ୍ୱନ୍ତର ଏପରି ପଞ୍ଚଲକ୍ଷଣ । ସର୍ଗ - ବିଶ୍ୱର ସୃଷ୍ଟି ପ୍ରକ୍ରିୟାର ବର୍ଣ୍ଣନା, ପ୍ରତିସର୍ଗ - ସର୍ଗର ବିପରୀତ - ପ୍ରଳୟ ଓ ପୁନର୍ସୃଷ୍ଟିର କଥନ; ବଂଶ - ରାଜାଙ୍କର ବଂଶ ପରିଚୟ, ବଂଶାନୁଚରିତ - ରାଜବଂଶର କାହାଣୀ ସୃଷ୍ଟି ପ୍ରାରମ୍ଭରୁ ଶାସକ ରାଜାମାନଙ୍କର ବଂଶର ଇତିହାସ, ଶାସନ ପ୍ରଣାଳୀ ପ୍ରଭୃତି ବର୍ଣ୍ଣନା । ମନ୍ୱନ୍ତର - ଏକ ପ୍ରକାର କାଳମାପନ ପଦ୍ଧତି । ପୁରାଣକାର ନିଜର ଗୋଟିଏ ପୃଥିବୀ ନିର୍ମାଣ କରିଛନ୍ତି । ସେହି ପୃଥିବୀରେ ୧୪ ଜଣ ମନୁ (ମାନବଙ୍କର ପୂର୍ବସୂରୀ ପ୍ରଥମ ସମ୍ରାଟମାନେ) । ଗୋଟିଏ ମନୁଙ୍କଠାରୁ ଅନ୍ୟ ଏକ ମନୁଙ୍କ ସମୟକୁ ମନ୍ୱନ୍ତର (ମନୁ + ଅନ୍ତର) କୁହାଯାଏ । ଏଥିରେ ଚତୁର୍ଯୁଗ, ଗଣନା, ବଂଶ ପ୍ରତିଷ୍ଠାପକ ରାଜାଙ୍କ ସମୟ ନିର୍ଦ୍ଧାରଣ କରାଯାଇ ସେ ବଂଶର ସମୁଦାୟ ଶାସନ ସମୟ ସ୍ଥିର ହୁଏ-। ପୌରାଣିକ କାଳଗଣନା ପଦ୍ଧତି ଏକ ଜଟିଳ ପ୍ରକ୍ରିୟା ଏବଂ ପୁରାଣର ସିଦ୍ଧାନ୍ତ ଭାରତୀୟ କାଳଜ୍ଞାନ ସମ୍ବନ୍ଧିତ ଧାରଣା ଏହାଦ୍ୱାରା ନିୟନ୍ତ୍ରିତ । (ଅଧିକନ୍ତୁ ଜାଣିବା ପାଇଁ ଦ୍ରଷ୍ଟବ୍ୟ - Puranic Chronology - Dr.D.R. Mankad) । ଏହି ଲକ୍ଷଣର ମାପକାଠିରେ ପୁରାଣର ସଜ୍ଞା ଅଷ୍ଟାଦଶ । କେହି ଏହାକୁ ମହାପୁରାଣ ମଧ୍ୟ କୁହନ୍ତି । ସେଗୁଡ଼ିକର ନାମ ସହଜରେ ମନେରଖିବାକୁ ଶ୍ଲୋକଟିଏ ରହିଛି ।

 

ମଦ୍ୱୟଂ ଉଦ୍ୱୟଂ ଚୈବ ବ୍ରତୟବ ଚତୃଷ୍ଟୟମ୍‌

ଅନାପକୂସ୍କଲିଙ୍ଗାନି ପୁରାଣାନି ବିଦୁର୍ବୁଧାଃ ।

 

ଯଥା : ମତ୍ସ୍ୟ, ମାର୍କଣ୍ଡେୟ, ଭବିଷ୍ୟ, ଭାଗବତ, ବ୍ରହ୍ମ, ବ୍ରହ୍ମ ବୈବର୍ତ୍ତ, ବ୍ରହ୍ମାଣ୍ଡ, ବରାହ, ବାମନ, ବାୟୁ, ବିଷ୍ଣୁ, ଅଗ୍ନି, ନାରଦ, ପଦ୍ମକୂର୍ମ, ସ୍କନ୍ଦ, ଲିଙ୍ଗ ଓ ଗରୁଡ଼ । ଏଗୁଡ଼ିକୁ କେହି ତ୍ରିଦେବଙ୍କ ଗୁଣଗତ ବୈଶିଷ୍ଟ୍ୟ ଅନୁସରଣରେ ନିମ୍ନ ତିନିଭାଗରେ ବିଭକ୍ତ କରିଥାନ୍ତି । ଯଥା -

 

ସାତ୍ତ୍ୱିକ -

ବରାହ, ବିଷ୍ଣୁ, ପଦ୍ମ, ଗରୁଡ଼, ଭାଗବତ, ନାରଦ ।

ରାଜସିକ -

ବାମନ, ବ୍ରହ୍ମ, ବ୍ରହ୍ମାଣ୍ଡ, ବ୍ରହ୍ମବୈବର୍ତ୍ତ, ଭବିଷ୍ୟ, ମାର୍କଣ୍ଡେୟ ।

ତାମସିକ -

ଅଗ୍ନି, କୂର୍ମ, ବାୟୁ, ମତ୍ସ୍ୟ, ଲିଙ୍ଗ, ସ୍କନ୍ଦ । ପଣ୍ଡିତ ଉଇଲସନ ଗ୍ରନ୍ଥର ଇଷ୍ଟଦେବ ମାହାତ୍ମାକୁ ଭିତ୍ତିକରି ସେଗୁଡ଼ିକୁ ଯଥାକ୍ରମେ ବୈଷ୍ଣବ, ଶାକ୍ତ ଓ ଶୈବ ଧର୍ମର ମୁଖପତ୍ର ବୋଲି ମନେ କରନ୍ତି ।

 

ପୁରାଣ - ପ୍ରାଚୀନ ଭାରତୀୟ ଇତିହାସର ସଂପଦ ଥିଲା । କିନ୍ତୁ ପରେ ଧର୍ମୀୟ ମୁଖପତ୍ରରୁପେ ନାନାତୀର୍ଥ, ବ୍ରତ, ଦେବଦେବୀଙ୍କର ମାହାତ୍ମ୍ୟ ଗ୍ରନ୍ଥରେ ପରିଣତ ହୋଇଛି । ବ୍ୟାପକ ପ୍ରକ୍ଷେପ ଓ ପ୍ରଦୂଷଣ ଫଳରେ ଐତିହାସିକତା ଲୋପ ପାଇଛି । ପାଶ୍ଚାତ୍ୟ ଐତିହାସିକ ରାପସନ ଆଶା ପ୍ରକାଶ କରି ପୁରାଣର ବିଶୋଧନ ବିଷୟରେ କୁହନ୍ତି - When this important branch of literature has been examined by the methods which have applied to Veda & Brahma as, there can be little doubt that valuable historical results would be obtained. (The Cambridge History of India - Vol - I - P - 267 - Rapson). ଅତିରଞ୍ଜନର ଗର୍ଭରୁ ବାସ୍ତବତା ଓ ମିଥ୍ୟାର କୁହେଳିକାରୁ ସତ୍ୟ ଉଦ୍ଧାର କରିବା ଐତିହାସିକଙ୍କର କର୍ତ୍ତବ୍ୟ । ମହାମନା ମାକ୍ସମୁଲାର ବା ପଣ୍ଡିତ ଉଇଲ୍‌ସନଙ୍କ ପରି ବିଜ୍ଞମାନେ ପ୍ରକ୍ଷେପର ବ୍ୟୂହ ଭେଦ କରି ଭାରତୀୟ ଶାସ୍ତ୍ରର ଶାଶ୍ଵତ କୀର୍ତ୍ତି ପ୍ରତିଷ୍ଠା କରିଛନ୍ତି । କ୍ଷୋଭର ବିଷୟ ପୁରାଣ ପାଇଁ ସେପରି ଉଦ୍ୟମ ପୂର୍ଣ୍ଣତ ବିନିଯୁକ୍ତ ହୋଇନାହିଁ । ପୁରାଣ ହିନ୍ଦୁ ଜାତିର ଆଧ୍ୟାତ୍ମିକ ପୁଣ୍ୟ ଚେତନାର ପ୍ରତୀକ । ଇତିହାସର ଦାୟିତ୍ୱ ତା’ର ସୁରକ୍ଷା କରିବା ଥୁସିଦାଇଦସ ସୁନ୍ଦର କଥାଟିଏ କହିଛନ୍ତି - ‘‘ଗୋଟିଏ ଦେଶର ଆଧ୍ୟାତ୍ମିକ ଓ ମଞ୍ଜୁଳସ୍ନିଗ୍ଧ ଚେତନାର ଅନ୍ତରାଳରେ ଥିବା ଘଟଣାସମୂହକୁ ଜାତିର ମାନସିକ ସମୃଦ୍ଧି ଓ ଶିକ୍ଷା ଉଦ୍ଦେଶ୍ୟରେ ସୁସଜ୍ଜିତ କରି ଇତିହାସ ପ୍ରକାଶ କରେ ।’’ ଏଣୁ ଇତିହାସ ହୁଏ ସାଂସ୍କୃତିକ ଚେତନା ଓ ପରିବେଶର ପ୍ରତିରୂପ । କହିବା ବାହୁଲ୍ୟ ଇତିହାସ ଅଭାବ ବେଳେ ପୁରାଣ ଗ୍ରନ୍ଥ ଥିଲା ତା’ର ବିକଳ୍ପ । ତେଣୁ ଇତିହାସ ପୁରାଣ ଏକାର୍ଥବାଚୀ ରୂପେ ବ୍ୟବହୃତ ହେବା ଅଯୌକ୍ତିକ ନଥିଲା ।

 

ପୁରାଣ କଥୋପକଥନ ଶୈଳୀରେ ରଚିତ । ଏହାର ଅନ୍ୟ ନାମ ସମ୍ବାଦ (ବା ଉବାଚ, ଉକ୍ତି ପ୍ରତ୍ୟୁକ୍ତି, ପ୍ରଶ୍ନୋତ୍ତର) ଶୈଳୀ । ଜଣେ ପ୍ରଶ୍ନକର୍ତ୍ତା ଅନ୍ୟଜଣେ ଉତ୍ତରଦାତା । ପ୍ରଶ୍ନୋତ୍ତର ଭଙ୍ଗୀରେ ଆଖ୍ୟାନର ଅବତାରଣ ଓ ବିକାଶ ଘଟେ । ସ୍ଥଳ ବିଶେଷରେ ଦାର୍ଶନିକତତ୍ତ୍ୱ ବିଶ୍ଳେଷଣ ପ୍ରସଙ୍ଗରେ ପ୍ରଶ୍ନୋତ୍ତର ତର୍କପର୍ଯ୍ୟାୟକୁ ଉନ୍ନୀତ ହୋଇଥାଏ । ସେ କାଳରେ ପାଠକ ସଂଖ୍ୟା ଥିଲା ନ୍ୟୂନ; ଅଧିକାଂଶ ଥିଲେ ଶ୍ରୋତା । ସେମାନଙ୍କ ସମ୍ମୁଖରେ ବକ୍ତା ପଢ଼ି ଶୁଣାନ୍ତି । ରଚୟିତା ନିଜେ ବକ୍ତା ଆସନରେ ବସି ଶ୍ରୋତାଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି । ଶ୍ରୋତା ସମାଜର ଗଠନ ଏବଂ ଶୁଣିବାର, ମନେରଖିବାର ଓ ଆସରକୁ ଆସିବା ସମୟ ଉପରେ କାହାଣୀର ଗତି, ପୁନରାବୃତ୍ତି ନିର୍ଭର କରେ । ଶ୍ରୋତା ଆସନ୍ତି, ଯାଆନ୍ତି । ଅନେକ ପିଛିଲା କଥା ଭୁଲିଯାନ୍ତି । ଏପରିସ୍ଥଳେ ବକ୍ତା ଶ୍ରୋତାଙ୍କୁ ପୁଣି ଥରେ ପୂର୍ବ ଘଟଣା ମନେ ପକାଇ ପୁନରାବୃତ୍ତି କରିବାକୁ ବାଧ୍ୟ ହୁଅନ୍ତି । ଶ୍ରୋତାର ପ୍ରଶ୍ନରେ ଭିନ୍ନ ଏକ ପ୍ରସଙ୍ଗ କଥା ମଝିରେ ମଧ୍ୟ ଆସିଯାଏ । ତାଙ୍କର ସ୍ୱାଧୀନତା ଅନତିକ୍ରମ୍ୟ । ତା’ର ଜିଜ୍ଞାସାକୁ ବାଦ୍‌ ଦେଇ ବକ୍ତା ବିଷୟାନ୍ତରକୁ ଲମ୍ଫ ଦେବା ଅସମ୍ଭବ । ପୁଣି ମୁଖ୍ୟ ପ୍ରସଙ୍ଗକୁ ଫେରି ଆସିବା ଭିତରେ କଥା ଛନ୍ଦାଛନ୍ଦି ହୋଇଯାଏ । ତେବେ ଏ ଢଙ୍ଗଟି ବକ୍ତା-ଶୋତାଙ୍କ ମଧ୍ୟରେ ବାସ୍ତବ ସଂପର୍କ ସ୍ମରଣ କରାଏ । ସାହିତ୍ୟ ଏଥିପାଇଁ ସେ ଯୁଗରେ ଥିଲା ଗଣର ଇଚ୍ଛା ଦ୍ୱାରା ପରିଚାଳିତ । ଶ୍ରୋତାଠାରୁ ବିଚ୍ଛିନ୍ନ ହୋଇ ପୁରାଣ କବି ଗ୍ରନ୍ଥ ରଚନା କଳ୍ପନା କରିପାରେ ନାହିଁ । ତାଙ୍କ ପାଇଁ ନିଜର କର୍ତ୍ତବ୍ୟ ସଚେତନ ପୁରାଣ କବି ବସ୍ତୁତଃ ଗଣ ମନସ୍ତତ୍ତ୍ୱର ଅବଗାହୀ ସ୍ରଷ୍ଟା ।

 

ସଂସ୍କୁତ ପୁରାଣ ଅନୁସରଣ କରି ଭାରତବର୍ଷର ପ୍ରାଦେଶିକ ଭାଷାମାନେ ନିଜର ଗ୍ରନ୍ଥ ରଚନା କରିଛନ୍ତି । ଦଶମ ଶତାବ୍ଦୀରୁ ଅଷ୍ଟାଦ୍ଦଶ ଶତାବ୍ଦୀ ମଧ୍ୟରେ ପ୍ରାଦେଶିକ ଭାଷାରେ ବିଚିତ୍ର ପୁରାଣ ଗ୍ରନ୍ଥ ରଚିତ ହୋଇଛି । ପ୍ରାଦେଶିକ ଭାଷା ସଂସ୍କୃତ ଭାଷାର ବିବର୍ତ୍ତନର ଫଳ । ଖ୍ରୀଷ୍ଟପୂର୍ବ ଶତକରେ ବୌଦ୍ଧ ଓ ଜୈନ ଧର୍ମ ନେତୃତ୍ୱରେ ପାଲି ଓ ପ୍ରାକୃତ ଭାଷା ସାହିତ୍ୟିକ ମର୍ଯ୍ୟାଦା ଲଭିଥିଲା ଏବଂ ଏ ଭାଷାରେ ସଂସ୍କୃତ ପୁରାଣର ଅନୁସରଣରେ ଅନେକ ପୁରାଣ ଗ୍ରନ୍ଥ ରଚିତ ହୋଇଥିଲା । ହରିଭଦ୍ର, ବିମଳସୂରୀ, ଗୁଣଭଦ୍ର, ଜିନସେନ ପ୍ରମୁଖ ସ୍ରଷ୍ଟାଗଣ ଲୋକଭାଷାର ମାଧୁର୍ଯ୍ୟ ନିଜ ରଚନାରେ ଦେଖାଇଛନ୍ତି । ଏକାଳରେ ଧର୍ମୀୟ ବାଣୀ ପ୍ରଚାର ପାଇଁ ଲୋକଭାଷାକୁ ଧର୍ମଗୁରୁମାନେ ଗ୍ରହଣ କରିବା ତାତ୍ପର୍ଯ୍ୟପୂର୍ଣ୍ଣ । ଏ ସମ୍ବନ୍ଧରେ କିମ୍ବଦନ୍ତୀଟିଏ ରହିଛି । ବୌଦ୍ଧଭିକ୍ଷୁମାନେ ବୁଦ୍ଧବାଣୀ ପ୍ରଚାର ବେଳେ ସମ୍ମୁଖୀନ ହେଲେ ଭାଷା ସମସ୍ୟାର । ସାଧାରଣ ଲୋକେ ପ୍ରଚାରକଙ୍କର ଭାଷା ବୁଝିବା ସମ୍ଭବ ନଥିଲା । ବୁଦ୍ଧଦେବ ଏ ସମସ୍ୟା ଅବଗତ ହେବା ପରେ ନିର୍ଦ୍ଦେଶ ଦେଲେ । ଅନୁଜାନାମି ଭକ୍‌ଖ୍ୟବେ ସକାୟ ନିରୁତ୍ତିୟା ବୃଦ୍ଧବଚନଂ ପରିୟା ପୁଣିତୁଂ ହେ ଶିଷ୍ୟବୃନ୍ଦ, ଲୋକ ଭାଷାରେ ମୋର ବାଣୀ ପ୍ରଚାର କର । (ଡଃ ନବୀନ କୁମାର ସାହୁ - ଓଡ଼ିଆ ଜାତିର ଇତିହାସ - ୧ମ ଭାଗ - ପୃ - ୪୮୩) । ଏହାଫଳରେ ଲୋକ ଭାଷା ଅଗ୍ରାଧିକାର ପାଇଥିଲା ବୋଲି ଐତିହାସିକ ମନେକରନ୍ତି । ସେ ଅବଧି ଧାରଣା ଥିଲା ଏ ଭାଷାରେ ଉନ୍ନତ ଅଭିରୂଚି ସମ୍ପନ୍ନ - ସାହିତ୍ୟିକ କଳ୍ପନା ପ୍ରକାଶ ଅସମ୍ଭବ । ପ୍ରାକୃତ ବିରୋଧୀ ମନୋଭାବର ଅନେକ ଦୃଷ୍ଟାନ୍ତ ଭାରତବର୍ଷର ପ୍ରାଦେଶିକ ଭାଷାମାନଙ୍କରେ ଦେଖିବାକୁ ମିଳେ । ଇତିହାସର ବିବର୍ତ୍ତନର ପ୍ରବାହରେ ଲୋକମୁଖର ସ୍ଵଭାବିକ ଓ ସ୍ଵତସ୍ଫୂର୍ତ୍ତ ରୀତି ଅନୁସ୍ରୁତ ଏକ ମାନବୀୟ ସଂପଦ ହେଉଛି ଭାଷା । ଭାବଗଠନ ଓ ପ୍ରକାଶନ ପାଇଁ ଆବଶ୍ୟକ ବିଭବ ନେଇ ତା’ର ଅଗ୍ରଗତି ଘଟେ । ସଂସ୍କୃତାଭିମାନୀ ପଣ୍ଡିତମାନେ ଭାବପ୍ରକାଶନ କ୍ଷେତ୍ରରେ ସଂସ୍କୃତର ବିକଳ୍ପରୂପେ ଏ ଭାଷା ଗୁଡ଼ିକର ସାମର୍ଥ୍ୟ ସ୍ଵୀକାର କରି ନଥିଲେ । ଖ୍ରୀଷ୍ଟୀୟ ଷଷ୍ଠ ଶତକରେ ରାଜଶେଖର ପ୍ରତିବାଦ ଶୁଣାଇଲେ -‘‘ଉଭିବିସେସୋ କବୁଦଂ ଭାସା ଯା ହୋଇ ସା ହୋଭ’’ । ଚମତ୍କାରିତା ପୂର୍ଣ୍ଣ ଉକ୍ତି ହିଁ କାବ୍ୟ; ଭାଷା ଯାହା ହେଉ । ପଣ୍ଡିତିଆ ଧାରଣାର ମୂଳରେ କୁଠାରଘାତ କରିଥିବା ଏ ଅଭିବ୍ୟକ୍ତି ପ୍ରାକୃତ ବା ଦେଶ ଭାଷାକୁ ସେ ଦିନ ବହୁ ଉତ୍ସାହିତ କରିଥିଲା ।

 

ଓଡ଼ିଆ ଭାଷା ଏକ ପ୍ରାକୃତ ବା ଦେଶ ଭାଷା । ଏ ଭାଷାର ଆବିର୍ଭାବ ଓ ବିକାଶ ଘଡ଼ିରେ ବିରୋଧ ରଣ ଦୁନ୍ଦୁଭି ଥିଲା ବଡ଼ ଅଶ୍ଵସ୍ତିକର । ସାରଳା ଦାସଙ୍କଠାରୁ ଜଗନ୍ନାଥଙ୍କ ଯାଏ ବହୁ କବି ଏପରି ଅବିମୃଶ୍ୟକାରିତାର ସମ୍ମୁଖୀନ ହୋଇଛନ୍ତି । ଓଡ଼ିଆ ଭାଷାର ଅନ୍ୟତମ ସ୍ମରଣୀୟ ଗ୍ରନ୍ଥ ‘ରୁଦ୍ରସୁଧା ନିଧି’ରେ ସୁକୁମାର କଥ୍ୟରୀତି ସହ କାବ୍ୟିକ ଅଳଂକରଣ, ଶୈଳୀ, ଉପମା, ରୂପକ, ପ୍ରତୀକ ଚିତ୍ରକଳ୍ପର ବ୍ୟବହାରରେ ସମୃଦ୍ଧ ଶିଳ୍ପକରଣର ସୁନ୍ଦର ଭାବ ବୈଚିତ୍ର୍ୟ ସତ୍ତ୍ୱେ ପଣ୍ଡିତଙ୍କ ଶରବ୍ୟ ହୋଇଥିଲା । ଠାଏ ଅବଧୂତ ନାରାୟଣ ସ୍ଵାମୀ ଖେଦ କରିଛନ୍ତି । ‘ହିଂସୁ ଥାଇ ପରାକୃତ ଭାଷା’ । ସେହିପରି ‘ଜଗନ୍ନାଥ ଭାଗବତ’ ତେଲି ଭାଗବତ ବୋଲି ନିନ୍ଦିତ ହୋଇଥିଲା । କିନ୍ତୁ ଏହା କ୍ଷଣସ୍ଥାୟୀ ଥିଲା । ପ୍ରାକୃତ କବିମାନେ ନିଜର ପ୍ରଜ୍ଞାଲୋକରେ ଭାଷାର ସୃଜନ ଶକ୍ତିର ପରିଚୟ ଦେଇଛନ୍ତି, ହେଲେ ଖେଦସୁଲଭ ଉକ୍ତି ଭିତରେ ନିଜ ଭାଷାର ମହିମା ପ୍ରକଟ କରିଛନ୍ତି - ଉଦାହରଣ ସ୍ଵରୂପ -

 

(୧)

ପ୍ରାକୃତ ଭାଷା ରସପଦ

ସବୁରି ଶ୍ରବଣ କୁମୁଦ

 

ହୋଇବ ସର୍ବ ପ୍ରାଣୀପ୍ରୀତି

ବିଚିତ୍ର ଟିତ୍ର ସୁଭାରତୀ

।।

 

ସର୍ବଜ୍ଞ ଅଙ୍କଜ୍ଞାନୀ ପୁଣି

ଆନନ୍ଦ ହେବେ କର୍ଣ୍ଣେଶୁଣି

(ରାମ ରସାମୃତ ରାମାୟଣ - ବନମାଳୀ)

 

(୨)

ଭାଷଶ ସୁପକ୍ୱ ରମ୍ଭା ପ୍ରାୟ

କୋମଳ ମୃଦୁ ରସମୟ

 

ଅକ୍ଲେଶେ କରି ତାକୁ ଭୋଗ

ସବୁ ଜୀବନେ ଉପଯୋଗ

 

କିପରାବୃତ କି ସଂସକୃତ

ସେ ଭାବଗ୍ରାହୀ ନନ୍ଦସୂତ

।।

 

ଗାଳି ଶୁଣଇ ଗୋପି ମୁଖେ

ବେଦ ନପଢ଼େ ତେଡ଼େ ସୁଖେ

।।

 

ଏଭାବ ମନରେ ବିଚାରି

ଭାଷାକୁ ଅବଜ୍ଞା ନକରି

(ପ୍ରେମ ପଞ୍ଚାମୃତ)

 

ଚମତ୍କାର ରୂପକ ମଧ୍ୟରେ ପ୍ରାକୃତ ଭାଷା ସମଧିକ ରସରୂପ ଭଙ୍ଗୀରେ କାନ୍ତ ଓ ସ୍ଫୁର୍ତ୍ତ ହୋଇପାରେ ତାର ବିନୟ ଦମ୍ଭୋକ୍ତି ପ୍ରକାଶ ପାଇଛି ।

 

ପ୍ରାଦେଶିକ କବି; ଏ ପ୍ରସଙ୍ଗରେ ଓଡ଼ିଆ କବିମାନେ ସଂସ୍କୃତ ଗ୍ରନ୍ଥର ଅନୁବାଦ କରି ନାହାଁନ୍ତି । ସେମାନେ ଗ୍ରହଣ କରିଥିବା ପଦ୍ଧତିକୁ ସାହିତ୍ୟିକ ବିଚାରରେ ଅନୁସୃଜନ କୁହାଯିବ । ମୂଳ କାହାଣୀର ପରିବର୍ତ୍ତନ, ପରିବର୍ଦ୍ଧନ, ପରିହାର ଓ ତା’ବିକଳ୍ପରେ ମୌଳିକ ଆଖ୍ୟାନ ସଂଯୋଗ ଏପରି ଚାରୋଟି ପର୍ଯ୍ୟାୟରେ ଅନୁସୃଜନ ପଦ୍ଧତିର ବିଚାର କରାଯାଇ ପାରେ । ତେବେ ପୁରାଣ କଥନବେଳେ ସେମାନେ ସ୍ଥାନୀୟ ଜୀବନର ଚିତ୍ର, ତା’ର କିମ୍ବଦନ୍ତୀ, ସାଂସ୍କୃତିକ ପ୍ରେକ୍ଷାପଟର ବ୍ୟାପକ ବିନିଯୋଗ କରିଛନ୍ତି । ସେମାନେ ବାରମ୍ବାର କହିଛନ୍ତି ଯେ ତାଙ୍କର ଗ୍ରନ୍ଥ ରଚନା ‘ସଂସାର ହିତେ’ ,‘ସଂସାର ଜନହିତେ’ ବା ‘ଗଣହିତେ’ । ଏହାର ସାମାଜିକ ତାତ୍ପର୍ଯ୍ୟ ବିଚାର ଆବଶ୍ୟକ । କବିଙ୍କର ବର୍ଣ୍ଣନା ଶ୍ରୋତାର ଆନନ୍ଦ ଓ ହିତ ପାଇଁ ଅଭିପ୍ରେତ । ସେ ଯୁଗର ସାମାଜିକ ଆକାଙ୍‍କ୍ଷା ଏବଂ ଉନ୍ନତ ଜୀବନର ଆଦର୍ଶ ଗୁଣାବଳୀର ମାନ ପ୍ରସ୍ତୁତ କରିବା । କାହାଣୀ ମାଧ୍ୟମରେ ସେ ସବୁ ସଂଯୋଜିତ କରି ଆଦର୍ଶ ଜୀବନର ଭିତ୍ତି ପ୍ରସ୍ତୁତ କରିବା ଥିଲା ସେମାନଙ୍କ ଦାୟିତ୍ଵ । ବ୍ୟକ୍ତିର ଶିକ୍ଷା, ଜ୍ଞାନ, ପଦପଦବୀ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ପୁରାଣ ଥିଲା ଶିକ୍ଷଣୀୟ ବିଷୟ । କବି ସାମାଜିକ ଉଦ୍ଦେଶ୍ୟ ପୂରଣ ସହିତ ଶ୍ରୋତା ମନରେ ଆଧ୍ୟାତ୍ମିକ ଚେତନାର ସ୍ଫୁରଣ କରିଥିବାରୁ ପୁରାଣ ଥିଲା ସାମାଜିକ ଗ୍ରନ୍ଥ, ଅର୍ଥାତ୍‌ ଲୋକ ଗ୍ରନ୍ଥର ମର୍ଯ୍ୟାଦା ଲଭିଥିଲା । ସମାଜର ରକ୍ଷାକର୍ତ୍ତା ହେତୁ ଧର୍ମ ଗ୍ରନ୍ଥ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମୁଖପତ୍ର ରୂପେ ଯେତେ ଆଦର ନ ପାଏ ତତୋଽଧିକ ସମ୍ମାନ ପାଏ ଜୀବନର ସର୍ବମୂଳ ଆକାଙ୍‌କ୍ଷାର ନିର୍ଦ୍ଦେଶ ଦାନ କରି । କୁହାଯାଏ ସାମାଜିକ ସ୍ତରରେ କୌଣସି ତର୍କ ବା ସନ୍ଦେହ ଉପୁଜିଲେ ପୁରାଣ ନିର୍ଦ୍ଦେଶକୁ ସମାଧାନର ସୂତ୍ର ବୋଲି ଗ୍ରହଣ କରାଯାଏ ।

 

ସଂସ୍କୃତ ବା ପ୍ରାଦେଶିକ ଭାଷା ହେଉ ପୁରାଣ ସଂସ୍କୃତାୟନ (Saskritisation) ଆଦର୍ଶର ନିଦର୍ଶନ । ଏପରି ଆଦର୍ଶର ଲକ୍ଷ୍ୟ ଏକ ଉଚ୍ଚତର ସୋପାନକୁ ଆରୋହଣ । ସବୁ କାଳରେ ବ୍ୟକ୍ତି ବା ସମାଜର ଏହି ବାସନା ବଳବତ୍ତର । ଏଣୁ ସେ ନିଜ ସ୍ଥାନ ବା ଶ୍ରେଣୀର ଗୁଣାବଳୀ ପରିହାର କରି ଉଚ୍ଚତର କ୍ଷେତ୍ରକୁ ଯିବାକୁ ଚେଷ୍ଟା କରେ । ଫଳରେ ଘଟେ ରୂପାନ୍ତର । ସଂସ୍କୃତ ପୁରାଣ ଦିନେ ବେଦର ବିକଳ୍ପ ହୋଇଥିଲା ଏହି କାରଣରୁ । ସମାଜର ତଳ ଶ୍ରେଣୀର ଓ ନାରୀମାନଙ୍କର ପାଠ୍ୟଗ୍ରନ୍ଥ ବୋଲି ଧରିନେଇ ବ୍ରାହ୍ମଣ ପଣ୍ଡିତମାନେ ନାକ ଟେକୁଥିଲେ । କିନ୍ତୁ ଏହାର ଲୋକପ୍ରିୟତାରେ ବସ୍ମିତ ହୋଇ ବ୍ରାହ୍ମଣ୍ୟଧର୍ମର ଅଭ୍ୟୁଦୟ କାଳରେ ଗ୍ରହଣ କରିନେବା ବିଚିତ୍ର ନଥିଲା । ସେମାନେ ଧର୍ମ ଏବଂ ଆଧ୍ୟାତ୍ମିକତାର ଆଳରେ ବହୁ ବିଷୟ ଖଞ୍ଜି ଦେଇଥିଲେ । ତନ୍ତ୍ରମନ୍ତ୍ରଠୁ, କର୍ମଫଳ, ପୁନର୍ଜନ୍ମ, ଜନ୍ମାନ୍ତର, ପାପପୁଣ୍ୟ ଭେଦ, ତୀର୍ଥ ବ୍ରତାଦି ମାହାତ୍ମ୍ୟ ପର୍ଯ୍ୟନ୍ତ ଗ୍ରନ୍ଥକୁ ବିଷୟାନ୍ତରରେ ପଲ୍ଲବିତ କରିଥିଲେ । ଯାହାଫଳରେ ଗ୍ରନ୍ଥର ପୂର୍ବ ଐତିହାସିକତା ଲୋପ ପାଇ ପ୍ରକ୍ଷେପିତ ମାହାତ୍ମ୍ୟ ଗ୍ରନ୍ଥରେ ପରିଣତ ହୋଇଥଲା । ଏହା ସତ୍ତ୍ଵେ ମଧ୍ୟ ପୁରାଣ ନିମ୍ନବର୍ଗର ସମାଜରେ ମୂଲ୍ୟବୋଧ ଓ ଆଦର୍ଶର ପ୍ରଥମ ବାର୍ତ୍ତାବହ, ଏହା ନିଃସନ୍ଦେହ ।

 

ବୌଦ୍ଧ ଓ ଜୈନ ଧର୍ମ ଭାରତୀୟ ସମାଜରେ ପରିବର୍ତ୍ତନ ଆଣିଥିଲା । ଏ ଦୁଇ ଧର୍ମ ଲୋକଭାଷାକୁ ପୃଷ୍ଠପୋଷକତା ଦେଇ ସଂସ୍କୃତ ଭାଷା ଓ ସଂସ୍କୃତସେବୀ ଅଭିଜାତବର୍ଗକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହାସତ୍ତ୍ୱେ ମଧ୍ୟ ଉଭୟ ଧର୍ମର ସ୍ରଷ୍ଟାମାନେ ସଂସ୍କୃତ ପୁରାଣର ବିଷୟ ବୈଚିତ୍ର୍ୟ ଓ ଶିଳ୍ପ କୌଶଳକୁ ଏଡ଼ାଇ ପାରିନଥିଲେ । ହିନ୍ଦୁ ସମାଜରେ ପୁରାଣର ପ୍ରଭାବ ଲକ୍ଷ୍ୟ କରି ତାର ଐଶ୍ଵର୍ଯ୍ୟ ଓ ସମୃଦ୍ଧିର ଅନୁକରଣ କରିଥିଲେ ନୂତନ କବି ଗୋଷ୍ଠୀ । ନୂତନ ଭାଷାର ଦାରିଦ୍ର୍ୟମୋଚନ ତଥା ଅଭିବ୍ୟକ୍ତି ସାମର୍ଥ୍ୟ ଓ ସାହିତ୍ୟିକ ମାନର ବିକାଶ ପାଇଁ ସର୍ବଦା ଆଦର୍ଶ ଦରକାର । ସଂସ୍କୃତ ଭାଷାର ଭାବସଂପଦ ଓ ଶିଳ୍ପ ସଂପଦ ଏଥିପାଇଁ ଥିଲା ସେମାନଙ୍କ ପକ୍ଷରେ ଅନତିକ୍ରମ୍ୟ ଆଦର୍ଶ । ହିନ୍ଦୁ ଧର୍ମର ଭଗବାନଙ୍କୁ ଅସ୍ଵୀକାର କରୁଥିବା ବୌଦ୍ଧ ଓ ଜୈନମାନେ ବୁଦ୍ଧ ଓ ଜୈନଙ୍କୁ ଦେବତା କରି ଦେଇଥିଲେ । ଧର୍ମୀୟ ଉପଦେଶ ପ୍ରଚାର ପାଇଁ ସେମାନେ ଶାସ୍ତ୍ର ଗ୍ରନ୍ଥରେ ଜନ୍ମ ପରେ ଜନ୍ମ ଅବତାର ନେଇ ଚାଲିଲେ । ବାସ୍ତବତାର ପକ୍ଷ ଛିଣ୍ଡାଇ ଧର୍ମୀୟ କଳ୍ପନା ରହସ୍ୟର ଆଶ୍ରୟ ନ ନେଲେ ଧର୍ମର ଗୁଣାତ୍ମକ ଶକ୍ତି ବିଶ୍ଵାସପ୍ରଦ ହୁଏ ନାହିଁ । ଅଲୌକିକତା ଓ ଅତ୍ୟୁକ୍ତି ଧର୍ମର ଦୁଇଟି ଗୁଣ । ଏହା ଲକ୍ଷ୍ୟ ନୁହେଁ, ମାତ୍ର ପନ୍ଥା । ଉଦ୍ଦେଶ୍ୟ ହେଉଛି ଜୀବନର ସମ୍ମୁଜ୍ଜ୍ୱଳ ଦିବ୍ୟ ଭବିଷ୍ୟତ; ସଂହତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଦ୍ୱନ୍ଦ ଓ ଭେଦର ଅବସ୍ଥାନ । ଏଥିପାଇଁ ଲୋକମନରେ ବିଶ୍ଵାସ ଓ ଦୃଢ଼ ପ୍ରତ୍ୟୟ ସୃଷ୍ଟି ସର୍ବାଦୌ ଆବଶ୍ୟକ । ବିସ୍ମୟ, କୌତୂହଳ ବ୍ୟତିରେକେ ମଣିଷ ଜିଜ୍ଞାସୁ ହେବା ଅସମ୍ଭବ । ଜିଜ୍ଞାସା ଆସିଲେ ସେ ରହସ୍ୟ ଭେଦେ । ଧର୍ମ ଚିରଦିନ ଏହି ରହସ୍ୟ ଭିତରେ ବାନ୍ଧିରଖେ । ପୁରାଣର କଥାବସ୍ତୁରେ ଧର୍ମର କେତକ ବିଷୟ ଅନ୍ତର୍ଭୁକ୍ତ ହୋଇ ରହସ୍ୟ ଉଦ୍ଦୀପକ ହୋଇଛି । ସର୍ଗ, ପ୍ରତିସର୍ଗ, ମନ୍ୱନ୍ତର ପ୍ରସଙ୍ଗରେ ତା’ର ସ୍ୱରୂପ ଉଦ୍‌ଘାଟିତ ହୋଇପାରେ । ଏହା ଧାର୍ମିକ ସଂପ୍ରଦାୟର ତତ୍ତ୍ଵ ବା ଇଷ୍ଟବୃତ୍ତିଭିତ୍ତିକ ନୁହେଁ । କିନ୍ତୁ ବୌଦ୍ଧ ଓ ଜୈନ ଧର୍ମର ଗ୍ରନ୍ଥକାରମାନେ ପୁରାଣ ଶୈଳୀ ଅନୁକରଣରେ ନିଜ ଧର୍ମର ତାତ୍ତ୍ଵିକ ବ୍ୟାଖ୍ୟା କରି ନୂତନ ମାର୍ଗ ଉନ୍ମୋଚନ କରିବାରେ ଥିଲେ ପ୍ରଥମ । ଗୁପ୍ତ ଶାସନ ବେଳକୁ ହିନ୍ଦୁଧର୍ମର ପୁନରୁଥାନ ହେବାବେଳେ ବ୍ରାହ୍ମଣ ପଣ୍ଡିତମାନେ ପୁରାଣର ପୁନର୍ଲିଖନ କଲେ । ବୌଦ୍ଧ ଓ ଜୈନମାନଙ୍କ ମାର୍ଗ ଅନୁସରଣ କରି ସେମାନେ ନିଜର ଧର୍ମ ସଂପ୍ରଦାୟର ସେବାରେ ପୁରାଣକୁ ଲଗାଇଲେ । ଏହି କାଳରେ, ଏଥିପାଇଁ ବ୍ୟାପକ ପ୍ରକ୍ଷେପ ଜନ୍ମନେଲା । ପୁରାଣର ପୂର୍ବ ଗୌରବ ଭାଙ୍ଗି ତା ସ୍ଥାନରେ ଅଗ୍ରାଧିକାର ପାଇଲା ଇଷ୍ଟ -ମାହାତ୍ମ୍ୟ, ତୀର୍ଥ ମାହାତ୍ମ୍ୟ । ବହୁ କାରଣରୁ ଏ ଯୁଗ ଥିଲା ଭକ୍ତିର ଉତ୍ତରରଣର କାଳ । ଧର୍ମୀୟ ଆହ୍ୱାନ ଭକ୍ତିର ପ୍ଲାବନ କାମନା କରେ । ପୁରାଣ ହୋଇ ଗଲା ରେହି ଅଭିପ୍ରାୟ ପୂରଣର ଗ୍ରନ୍ଥ । ନବ ବ୍ରାହ୍ମଣ୍ୟଧର୍ମ ଦର୍ଶନ ଓ ଇତିହାସକୁ ସ୍ଥାନଚ୍ୟୁତ କରି ଭକ୍ତି, ବିଶେଷ କରି ସାଂପ୍ରଦାୟିକ ଦେବାଦେବୀଙ୍କର ମାହାତ୍ମ୍ୟ ଗାନକୁ ପ୍ରାଧାନ୍ୟ ଦେବା ଦ୍ୱାରା ପୁରାଣ ହେଲା ଭକ୍ତି ରସାତ୍ମକ ଗ୍ରନ୍ଥ । ଅଧୁନା ଉପଲବ୍‍ଧ ସଂସ୍କୃତ ପୁରାଣ ବ୍ରାହ୍ମଣ୍ୟ ଧର୍ମର ଫଳଶ୍ରୁତି ଓ ଆଜିର ଭାରତୀୟ ସଂସ୍କୃତି ପୁରାଣର ସଂସ୍କୃତି । ଏହି ପୁରାଣ ସଂସ୍କୃତି ଭିତରେ ଯଥାର୍ଥରେ ଭାରତୀୟ (ବୈଦିକ) ଦର୍ଶନ, ବିଚାର କ୍ୱଚିତ୍‌ ପ୍ରକଟିତ ହୋଇଛି । ଏକ ଅବକ୍ଷୟ ଧାରାର, ବିଶେଷ କରି ପ୍ରତିକ୍ରିୟାଶୀଳ ବିଚାରର ପ୍ରତିଫଳନ ଦ୍ୱାରା ପୌରାଣିକ ସଂସ୍କୃତି ଭାରତବର୍ଷର ପ୍ରାଚୀନ ଐତିହ୍ୟଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛି ।

 

ଲକ୍ଷ୍ୟ କରାଯିବ ଯେ ପ୍ରାଦେଶିକ ଭାଷାର ପୁରାଣଗ୍ରନ୍ଥ ଗୁପ୍ତ ଯୁଗର ନବୋତ୍‌ଥିତ ବ୍ରାହ୍ମଣ୍ୟଧର୍ମର ଭକ୍ତିବାଦ ଦ୍ୱାରା ପ୍ରଭାବିତ । ଏ ଗ୍ରନ୍ଥଗୁଡ଼ିକ ପ୍ରାଚୀନ ପୁରାଣ ପରି ଇତିହାସ ତୁଲ୍ୟ ସମ୍ମାନର ଅଧିକାରୀ ନୁହଁନ୍ତି, କିମ୍ବା ଶାସ୍ତ୍ରୀୟ ଲକ୍ଷଣ ଅନୁସାରେ ପଞ୍ଚଲକ୍ଷଣ ପଦବାଚ୍ୟ ନୁହଁନ୍ତି । ପ୍ରାଚୀନ ପୁରାଣ ପୁରାଣବେତ୍ତୃ ବା ବଂଶବିଦ୍‌ମାନଙ୍କ ନିଷ୍ଠାପର ଐତିହ୍ୟବୋଧ ଏବଂ ଦର୍ଶନପ୍ରୀତିରୁ ଜନ୍ମ ନେଇଥିଲା କିନ୍ତୁ ପ୍ରାନ୍ତୀୟ ପୁରାଣ ମଧ୍ୟଯୁଗୀୟ ପୁରାଣର କଥାବସ୍ତୁ ଓ ଭକ୍ତି ଦର୍ଶନ ଗ୍ରହଣ କରିଛି । ଯେଉଁ କାଳରେ ପ୍ରାଦେଶିକ ପୁରାଣମାନ ରଚିତ ହୋଇଛି ସାଧାରଣ ଭାବରେ ତାହା ଭାରତବର୍ଷରେ ମୁସଲମାନ ରାଜତ୍ୱକାଳ । ଅନେକ ପ୍ରଦେଶରେ ହିନ୍ଦୁ ରାଜତ୍ୱ ଥିଲେ ମଧ୍ୟ ସେଠାରେ ମୁସଲମାନ ପରାଭବ ନଥିଲା ନୁହେଁ । ହିନ୍ଦୁ ଧର୍ମାଚାରର ସୁରକ୍ଷାର ପ୍ରଶ୍ନ ସେତେବେଳେ ଥିଲା ମୁଖ୍ୟ ପ୍ରସଙ୍ଗ । ବୋଧହୁଏ ଏହା ପୁରାଣର ଭକ୍ତି ଧର୍ମ ପ୍ରତି ଆକର୍ଷଣର ଅନ୍ୟତମ କାରଣ । କାରଣ ଯାହା ହେଉ, ପ୍ରାଦେଶିକ ସ୍ରଷ୍ଠାମାନଙ୍କ ପାଖରେ ଆଦର୍ଶ ଥିଲା ଗୁପ୍ତଯୁଗୀୟ ପୁରାଣ ଗ୍ରନ୍ଥ, ଯାହା ସ୍ପଷ୍ଟ ଅଦ୍ୟାବଧି ଭାରତୀୟ ଜନମାନସକୁ ଆଚ୍ଛନ୍ନ କରି ରଖିଛି ।

 

ଯେଉଁ ପ୍ରକ୍ରିୟାରେ ପ୍ରାଦେଶିକ କବିମାନେ ନିଜ ଭାଷାର ପୁରାଣ ରଚନା କରି ସ୍ଵଜାତୀୟ ଭାଷା ସାହିତ୍ୟର ଗୌରବ ବୃଦ୍ଧି କରିଛନ୍ତି, ତାକୁ ସଂସ୍କୃତାୟନ ପଦ୍ଧତି କୁହାଯାଇଛି । ସ୍ମରଣଯୋଗ୍ୟ ଯେ ସେମାନେ ଏକ ପରିବର୍ତ୍ତିତ ସମାଜ ଓ କାଳର ସ୍ରଷ୍ଟା । ପରିବର୍ତ୍ତିତ କୌଣସି ସମାଜର ପ୍ରତିନିଧି କବି ପକ୍ଷରେ ଦାୟିତ୍ୱ ଓ ଅଙ୍ଗୀକାର ସୂକ୍ଷ୍ମ ବିଚାରରେ ଅଧିକ ସମୟ ଚାହେଁ ସ୍ଵକାଳର ପ୍ରତିଷ୍ଠା, ସମାଜ ଚାହେଁ ଉନ୍ମେଷ ଓ ଅଗ୍ରଗତି । ଏ ଦୁଇଟି ଆକାଙ୍‌କ୍ଷାର କୌଣସି ପରିପନ୍ଥୀ ଶକ୍ତିର ସମ୍ମୁଖୀନ ହୋଇ କବି କାଳବକ୍ଷରେ ନିଜର ବୈଶିଷ୍ଟ୍ୟର ପରିଚୟ ଦେବେ । ଯେଉଁ ଜନଗଣ ହିତେ ସେ କାବ୍ୟ ରଚନା କରୁଛନ୍ତି ସେ ଜନଗଣର ସ୍ଵପ୍ନ ସାର୍ଥକ କରିବେ । ନିମ୍ନ ଜନ ବୋଲି ପରିଚିତ ସେ ଜନ ସାଧାରଣ ସାମାଜିକ ବ୍ୟବସ୍ଥାର ଉର୍ଦ୍ଧ୍ୱ ଦେଶକୁ ଗତି କରିବେ । ଏ ପ୍ରୟାସରୁ ପ୍ରାଦେଶିକ ଜୀବନ ଓ ସଂସ୍କୃତିର ଉର୍ଦ୍ଧ୍ୱାୟନ ପ୍ରକ୍ରିୟା ଜନ୍ମ ନେଇଛି । ନୃତତ୍ତ୍ୱବିଦ୍‌ କ୍ରୋବର ପ୍ରାଦେଶିକ ସଂସ୍କୃତିକୁ Marginal Culture ଏବଂ କେନ୍ଦ୍ରୀୟ ବା ସଂସ୍କୃତର ସଂସ୍କୃତିକୁ Focal Culture ବୋଲି ଅଭିହିତ କରି ପ୍ରଥମଟି ଦ୍ୱିତୀୟର ଅନୁକରଣ କରେ ବୋଲି କହିଛନ୍ତି । ତାଙ୍କ ମତରେ ପ୍ରାଦେଶିକ ବା ପ୍ରାନ୍ତୀୟ ସଂସ୍କୃତି ଇତର (ମନ୍ଦ ଅର୍ଥବାଚକ ନୁହେଁ) ନୃତତ୍ତ୍ୱବିଦ୍‌ ରେଡ଼ଫିଲଡ଼୍ ସମ୍ଭ୍ରାନ୍ତ (କେନ୍ଦ୍ରିୟ) ସଂସ୍କୃତିକୁ ଶାସ୍ତ୍ରୀୟ (Classical) ଅନ୍ତର୍ଗତ କରି ତାହାକୁ reat Traditionalର ବାର୍ତ୍ତାବହ ମନେ କରନ୍ତି । ଅନ୍ୟଟି Little Tradition ପଦବାଚ୍ୟ । ଏ ଦୁଇଟିର ସମାର୍ଥବାଚକ ଯଥାକ୍ରମେ High & Low. Aristocratic And Peasantry, Classical and folk ବୋଲି କୁହାଯାଏ । ପ୍ରଥମଟିର ବିରୋଧ ଏବଂ ବିକଳ୍ପରେ ଦ୍ୱିତୀୟଟିର ଆବିର୍ଭାବ ଘଟେ ସତ କିନ୍ତୁ ପୂର୍ବଟିକୁ ଆଦର୍ଶ ରୂପେ ଗ୍ରହଣ କରି ଅନ୍ୟଟିର ବିକାଶ ଘଟେ । ଏଥିରେ ଅନୁକରଣର ପ୍ରକ୍ରିୟା ଅତ୍ୟଧିକ । ଭାରତବର୍ଷ କେବଳ ନୁହେଁ, ସମଗ୍ର ବିଶ୍ଵରେ ଏ ଦୁଇ ପ୍ରକାର ସଂସ୍କୃତି ଦୁଇଟି ଧାରା ପ୍ରତିଷ୍ଠା କରିଛି । ଶାଶ୍ୱତ ଓ ନବୀନ ମଧ୍ୟରେ ଦ୍ୱନ୍ଦ୍ୱ ଭିତରୁ ଅଲକ୍ଷ୍ୟରେ ଶାଶ୍ୱତର ଆଦର୍ଶ ନେଇ ନବୀନ ଆତ୍ମ ପ୍ରତିଷ୍ଠା କରେ । ପ୍ରଥମଟି ଭିତ୍ତିସ୍ଥାପକ, ଆଦର୍ଶର ଅଗ୍ରଦୂତ, ଅନ୍ୟଟି ସାଦୃଶ୍ୟ ସୃଷ୍ଟି କରି ବିକଳ୍ପରୂପେ ଠିଆ ହୁଏ । ଏ ପରିପ୍ରେକ୍ଷୀରେ ମହାଭାରତୀୟ ଆଦର୍ଶ ବା ଚେତନା ଉଦ୍‌ଭାସିତ ବିଚାରବୋଧର ଭାବଗତ ପ୍ରତ୍ୟାଖ୍ୟାନ କରି ଆଞ୍ଚଳିକ ବିଚାରବୋଧ ପ୍ରାଦେଶିକ ପୁରାଣ ମାଧ୍ୟମରେ ମୁଣ୍ଡଟେକି ଥିବା ଲକ୍ଷ୍ୟ କରାଯାଏ । ଉଦାହରଣସ୍ଵରୂପ - ସଂସ୍କୃତ ପୁରାଣର ବିକଳ୍ପ ଓଡ଼ିଆ ପୁରାଣରେ ଶାସ୍ତ୍ରୀୟ କର୍ମକାଣ୍ଡର ସ୍ଥାନରେ ଆଞ୍ଚଳିକ ପୂଜାଦି ପଦ୍ଧତି ଏବଂ ବୈଦିକ ଦେବତାଙ୍କ ବଦଳରେ ଆଞ୍ଚଳିକ ଦେବଦେବୀ ସ୍ଥାନ ପାଇଛନ୍ତି ।

 

ପୂର୍ବେ ସୂଚିତ ହୋଇଛି, ବ୍ରାହ୍ମଣ୍ୟ ଧର୍ମର ପୁନଃଅଭ୍ୟୁଦୟ ଭିନ୍ନଭାବରେ ଭାରତୀୟ ଜନଜୀବନକୁ ଗ୍ରାସ କରିଛି । ବ୍ରାହ୍ମଣଶ୍ରେଣୀ ନିମ୍ନବର୍ଗର ଉପଲକ୍ଷ୍ୟିତ ହେବାକୁ ଯାଇ ବହୁ ସାମାଜିକ ଅଭିଚାର ଘୋଷଣା କରିଥିଲା । ପୁରାଣ ପାଠ ଓ ପଠନ ଦ୍ୱାରା ଚତୁବର୍ଗ ଫଳ ପ୍ରାପ୍ତି ସମ୍ଭବ କରି କର୍ମଫଳରୁ ବ୍ୟକ୍ତିର ତ୍ରାହି ଅସମ୍ଭବ, ପୁନର୍ଜନ୍ମ ଫଳରେ ବାରମ୍ବାର ଦୁଃଖ ଭୋଗିବାକୁ ହୁଏ; ଜୀବନରେ ନରକ, ପାପ, ପୁଣ୍ୟାଦିର ଫଳ ଅଲଘଂନୀୟ - ଏପରି ବିଶ୍ଵାସ ସୃଷ୍ଟି କରି ଥିଲା ‘ଭାଗ୍ୟଂ ଫଳତି ସର୍ବତ୍ର ନ ଚ ବିଦ୍ୟା ନ ଚ ପୌରୁଷ’- ପରି ଅସାର ଯୁକ୍ତି ସାଙ୍ଗକୁ ଜୀବନରେ ଆତ୍ମସଂଯମ, ସହିଷ୍ଣୁତା, ଧୈର୍ଯ୍ୟ, ସତ୍ୟ ପିପାସା ପରି ଅନେକ ଆଧ୍ୟାତ୍ମିକ ଗୁଣ ପ୍ରତି ମଧ୍ୟ ଉତ୍ସାହ ଉନ୍ମାଦନା ଆଣିଥିଲା । ଉଚ୍ଚ ପରମ୍ପରାର ଏହିପରି ପ୍ରବଚନ, କର୍ମବାଦ, ଜନ୍ମାନ୍ତରବାଦ, ଇହଲୋକ ପରଲୋକ ତତ୍ତ୍ୱମସି ବାଣୀ ନିମ୍ନ ବର୍ଗର ଆତଙ୍କିତ ମନକୁ ଏକ ପ୍ରକାର ଆଶ୍ଵାସନାର ଶୀତଳ ବାରିରେ ସିକ୍ତ କରାଇ ଥିଲା । ପ୍ରାନ୍ତୀୟ କବିମାନେ ଅନୁକରଣ ବେଳେ ଉଚ୍ଚ ପରମ୍ପରାର ଏ ଉପଦେଶମାନ ଭୁଲି ନଥିଲେ । ଶାସ୍ତ୍ରୀୟତାର ଆଦର୍ଶଗତ ବିରୋଧ ସତ୍ତ୍ୱେ ବ୍ରାହ୍ମଣ୍ୟ ଧର୍ମର ଏ ରୂପ ସାମାଜିକ -ଉଦ୍‌ଘୋଷଣ ପ୍ରତି ଆଞ୍ଚଳିକ କବିମାନେ ଆକୃଷ୍ଟ ହେବା ବିସ୍ମୟଜନକ ନୁହେଁ । କାରଣ ପୁରାଣ ସେତେବେଳକୁ ଧର୍ମ ସଂପ୍ରଦାୟର ମୁଖପତ୍ର ରୂପେ ପ୍ରତିଷ୍ଠିତ । ହିନ୍ଦୁଧର୍ମର ପୃଷ୍ଠପୋଷକତା କରିବା ବ୍ୟତୀତ କବିମାନଙ୍କର ଅନ୍ୟ ଗତି ନଥିଲା । ସେମାନେ ଜାଣନ୍ତି ଯେ ହଜାର ହଜାର ବର୍ଷର କାହାଣୀ, ଧର୍ମ ଦର୍ଶନ କିମ୍ବା ସାମାଜିକ ବ୍ୟବସ୍ଥାର ବିରୋଧ ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ସେମାନେ କେବଳ ସଂସ୍କୃତ ଭାଷାଭାଷୀ ପଣ୍ଡିତମାନଙ୍କର ପ୍ରାକୃତ ବିରୋଧୀ ଆତ୍ମଶ୍ଲାଘାର ଥିଲେ ବିରୋଧୀ । ତତ୍ତ୍ୱ ଦୃଷ୍ଟିରୁ ଆଞ୍ଚଳିକତାର ଉନ୍ମେଷକୁ ଶାସ୍ତ୍ରୀୟତାର ବିରୋଧ ବୋଲି ଯାହା ମନେ କରାଯାଇଛି ତାହା ପୂର୍ଣ୍ଣ ସତ୍ୟ ହୋଇ ନପାରେ । ସ୍ଥଳ ବିଶେଷରେ ଏହାର ସତ୍ୟତା ଲକ୍ଷଣୀୟ । ଯେପରିକି ସଂସ୍କୃତ ମହାଭାରତର ଶ୍ରୀକୃଷ୍ଣ, ଶିବ, ନାରଦ, ଏପରିକି ବ୍ରହ୍ମା, ଇନ୍ଦ୍ର ପ୍ରମୁଖ ଦେବଗଣ ସାରଳାଙ୍କ କୃତିରେ ସାଧାରଣ ମଣିଷର ଦୋଷଦୁର୍ବଳତାରୁ ମୁକ୍ତ ନୁହଁନ୍ତି । ସାରଳାଙ୍କ କୁଷ୍ଣ କପଟୀ କିନ୍ତୁ ଚରିତ୍ରହୀନ, ଲମ୍ପଟ । ଶିବ କୈଳାସପତି କିନ୍ତୁ ଜଣେ ନିଶାଗ୍ରସ୍ତ, ମଶାଣିବାସୀ, ରାଗୀ, ଅସହିଷ୍ଣୁ । ନାରଦ କଳିହା ମୁନି । ତାଙ୍କ କାନ୍ଧରେ ପଡ଼ିଥାଏ କଳି ଧୋକଡ଼ି ମୁଣି । ଇନ୍ଦ୍ର ଦେବରାଜ ହୋଇ ମଧ୍ୟ ଛଦ୍ମ ବେଶରେ ଗୋପନ ପ୍ରେମ କରନ୍ତି । ବସ୍ତୁତଃ ଆଦର୍ଶଗତ ବିରୋଧର ଅର୍ଥ ଥିଲା ଶାସ୍ତ୍ରୀୟତାର ଉଲ୍ଲଘଂନ କରାଯାଇ ତା ସ୍ଥାନରେ ଲୌକିକ ଜୀବନ ଶୈଳୀର ଏକ ବାସ୍ତବବାଦୀ ଚିତ୍ର ଉପସ୍ଥାପନଜନିତ ପ୍ରାଦେଶିକ ସଂସ୍କୃତିକୁ ଉତ୍ସାହିତ କରିବା । ଏକ ପରିମିତ ଅର୍ଥରେ ଏ ବିରୋଧର ଲକ୍ଷଣକୁ ଚିହ୍ନିବାକୁ ହେବ ।

 

ଉପରି-ଭକ୍ତ ପୃଷ୍ଠଭୂମିରେ ଓଡ଼ିଆ ପୁରାଣର ଆଲୋଚନା କରିବାକୁ ହେବ । ଏ ପରିପ୍ରେକ୍ଷୀରେ ପ୍ରଥମେ ସ୍ମରଣଯୋଗ୍ୟ ଯେ ସଂସ୍କୃତରେ ପ୍ରଚଳିତ ଅଷ୍ଟାଦଶ ପୁରାଣ ଶାସ୍ତ୍ରୀୟ ଲକ୍ଷଣରେ ଉତ୍ତୀର୍ଣ୍ଣ ଗ୍ରନ୍ଥ । ସେହି ଭିତ୍ତିରେ ବିଚାର କଲେ ଓଡ଼ିଆରେ ଭାଗବତ ଏକ ମାତ୍ର ଗ୍ରନ୍ଥ । ଅର୍ଥାତ୍‌ ଅଷ୍ଟାଦଶ ପୁରାଣ ନାମରେ ପୁରାଣ ଖୋଜିଲେ ନିରାଶ ହେବାକୁ ହୁଏ । ଅବଶ୍ୟ ସେଥି ମଧ୍ୟରୁ ସେହି ନାମରେ ଅନେକ ଗ୍ରନ୍ଥ ରଚିତ ବା ଅନୂଦିତ ହୋଇଛି, ମାତ୍ର ସେଗୁଡ଼ିକ ଲୋକପ୍ରିୟତାର ମାପକାଠିରେ ବହୁ ନିମ୍ନତର । ପକ୍ଷାନ୍ତରରେ ଓଡ଼ିଆରେ ସାରଳା ମହାଭାରତ, ଦାଣ୍ଡି ରାମାୟଣ, ହରିବଂଶ, ନୃସିଂହପୁରାଣ, ବିଷ୍ଣୁ କେଶରୀ ପୁରାଣ, ଚଣ୍ଡୀ ପୁରାଣ, ପଦ୍ମପୁରାଣ (ନୀଳାମ୍ବର) ଖାଡ଼ଙ୍ଗା ଭାଗବତ, ଜୈମିନୀ ଭାରତ (ମହାଦେବ), ଆଧ୍ୟାତ୍ମ ରାମାୟଣ (ହଳଧର ଓ ଦାମୋଦର) ପ୍ରଭୃତି ଲୋକପ୍ରିୟ । ଦୀର୍ଘ ତିନିଶହରୁ ଉର୍ଦ୍ଧ୍ୱକାଳ ଧରି ପୁରାଣ ଶୈଳୀର ପ୍ରଭାବ ଏ ଭାଷାରେ ଅପ୍ରତିହତ ରହିଛି । ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ଏହା ଏକ ବିଶେଷ ବୈଶିଷ୍ଟ୍ୟ । ପୁରାଣର ଏ ପ୍ରକାର ଲୋକପ୍ରିୟତା ଓ ସାହିତ୍ୟିକ ପ୍ରଭାବ ଲକ୍ଷ୍ୟ କରି ଅଷ୍ଟାଦଶ ଶତାବ୍ଦୀରେ ପୀତାମ୍ବର ଦାସ ପଞ୍ଚପୁରାଣ ସଂଘର ବିଷୟ ଉତ୍‌ଥାପନ କରିଛନ୍ତି । ସାରଳା ମହାଭାରତ, ଦାଣ୍ଡି ରାମାୟଣ, ଭାଗବତ, ହରିବଂଶ ଓ ନୃସିଂହ ପୁରାଣ ପ୍ରଭୃତିକୁ ‘ପଞ୍ଚ ପୁରାଣ-ସଂଘ’ ନାମରେ ସେ ନାମିତ କରିବା ପଛରେ ଏକ ସାମାଜିକ ତାତ୍ପର୍ଯ୍ୟ ରହିଛି । ଏଗ୍ରନ୍ଥଗୁଡ଼ିକ ଓଡ଼ିଆ ସମାଜରେ ବହୁପାଠ୍ୟ । ମହାଭାରତ ବ୍ୟତୀତ ଅନ୍ୟଗୁଡ଼ିକ ପାରାୟଣରେ ପଠିତ ହୁଏ । ମହାଭାରତ ଆଦିଗ୍ରନ୍ଥ, ତାହାର ପୁରାଣ ଶୈଳୀ ଅନ୍ୟଗୁଡ଼ିକର ପଥ ପ୍ରଦର୍ଶକ ହେତୁ ସ୍ଵତନ୍ତ୍ର ସମ୍ମାନ ଓ ସ୍ଥାନ ଦାବୀ କରେ । ପାରାୟଣରେ ପଠିତ ହେବା ଦୃଷ୍ଟିରୁ କୌଣସି ପୁରାଣ ଗ୍ରନ୍ଥର ତିନୋଟି ମର୍ଯ୍ୟାଦା ବୃଦ୍ଧି ପାଏ । ପ୍ରଥମ-ଚତୁବର୍ଗ ଫଳ ପ୍ରାପ୍ତିର ମାଧ୍ୟମ, ଦ୍ୱିତୀୟରେ ସାମାଜିକ ଆଚରଣ ଓ ବ୍ୟବହାର ଶିକ୍ଷାର ବାର୍ତ୍ତା ଏବଂ ତୃତୀୟତଃ, ସାହିତ୍ୟିକ ଅଭିରୁଚି ଓ ରସଉପଭୋଗର ପ୍ରତିଶ୍ରୁତି । ଲୋକସମାଜରେ ବିଶ୍ଵାସ ରହିଛି ଯେ ମହାଭାରତ କୌଣସି ବିଧିବିଧାନ ସହ ପାଠକଲେ ବିବାଦ ହେବାର ସମ୍ଭାବନା ଥାଏ । ପାରାୟଣରେ କେଉଁଠି ପଠିତ ହେଉ ନଥିଲେ ମଧ୍ୟ ତାର ମର୍ଯ୍ୟାଦା ଭିନ୍ନ ଶ୍ରେଣୀର । ତେବେ ପୀତାମ୍ବରଙ୍କ ଉପର୍ଯ୍ୟୁକ୍ତ ଇଙ୍ଗିତର ଆଉ ଏକ ଦିଗ ଥାଇ ପାରେ । ସମଗ୍ର ଭାରତବର୍ଷରେ ପୁରାଣକୁ କେନ୍ଦ୍ରକରି ସାମାଜିକ ଆଲୋଡ଼ନ ବିରଳ । ବ୍ୟକ୍ତି ଅବସରର ବିନୋଦନ ରୂପେ ଏ ଗ୍ରନ୍ଥସମୂହ ପଢ଼ୁ ପଢ଼ୁ ବୃହତ୍ତର କ୍ଷେତ୍ରରେ ଜୀବନକୁ ପରିଶୀଳନ କରିବା ପରି ଶିକ୍ଷାଦାନରେ କ୍ୱଚିତ ଅନ୍ୟତ୍ର ପୁରାଣର ମାହାତ୍ମ୍ୟ ପ୍ରକାଶ ପାଇଛି । ସମ୍ଭବତଃ ଜନଜୀବନ ସହ ଓତପ୍ରୋତ ସଂପର୍କରୁ କବିମାନେ ପୁରାଣ ଓ ମହାତ୍ମ୍ୟ ଗ୍ରନ୍ଥ ରଚନାରେ ଅଧିକ ମନୋନିବେଶ କରିଛନ୍ତି । ମନ ସରାଗ ପାଇଁ କେହି ପଢ଼ୁ ନ ପଢ଼ୁ, ଧର୍ମାର୍ଜନ ପାଇଁ ଅର୍ଥ ଖର୍ଚ୍ଚ କରି ଥୋଡ଼େ ଲୋକ ପଢ଼ନ୍ତି । ବିଜ୍ଞମାନେ ଜ୍ଞାନାର୍ଜନ ପାଇଁ ତାହା ଭିତରେ ଅବାହନ କରନ୍ତି । ଏଣୁ ଉଭୟ ଅଶିକ୍ଷିତ ଅଥଚ ସଂସ୍କୃତିସଂପନ୍ନ ଶ୍ରେଣୀ ଏବଂ ଜ୍ଞାନୀ ବୁଦ୍ଧିଜୀବୀ ଶ୍ରେଣୀଙ୍କ ପାଇଁ ସମାଦର କ୍ଷେତ୍ର ସୃଷ୍ଟି କରିଛି ପୁରାଣ ସାହିତ୍ୟ ।

 

ପୁରାଣ-କାହାଣୀ ପ୍ରତି ଗଭୀର ମମତା, ଆସକ୍ତି ଓ ସମ୍ମାନ ଦେଖି ସ୍ରଷ୍ଟ ମାନେ ବିସ୍ମିତ ହୋଇଥିବେ । ସମଗ୍ର ଭାରତ ବର୍ଷରେ ସଂସ୍କୃତ ଭାଷା ସମେତ ଅନ୍ୟାନ୍ୟ ଆର୍ଯ୍ୟ ବା ଅର୍ଯ୍ୟୋତର (ଦ୍ରାବିଡ଼) ଭାଷାରେ କ୍ୱଚିତ ପୁରାଣ ଗ୍ରନ୍ଥ ଜଣେ କବିଙ୍କ ଦ୍ୱାରା ରଚିତ । ଅନେକ ସଂସ୍କୃତ ପୁରାଣ ବ୍ୟାସଙ୍କ ନାମରେ ରଚିତ ହେଲେ ହେଁ ପ୍ରକ୍ଷେପନରେ ବିସ୍ପାରିତ କିମ୍ବା ବହୁ ସ୍ରଷ୍ଟାଙ୍କ ରଚନାରେ ଗ୍ରନ୍ଥିତ । କିନ୍ତୁ ଓଡ଼ିଆର ଆଦର୍ଶସ୍ଥାନୀୟ ଗ୍ରନ୍ଥମାନ ଏକକ ଉଦ୍ୟମ ପ୍ରସୂତ । ପ୍ରସଙ୍ଗତଃ ଏଠାରେ କେତୋଟି ମାତ୍ର ଉଦାହରଣ ଦିଆଯାଇଛି ।

 

ପ୍ରାଦେଶିକ ଭାଷାରେ ପ୍ରଥମ ତଥା ତେଲଗୁ ସାହିତ୍ୟର ଆଦିକାବ୍ୟ ମହାଭାରତର ରଚୟିତା ନାନ୍ନୟ (୧୧ଶ ଶତାବ୍ଦୀ) ମାତ୍ର ଅଢ଼େଇଟି ପର୍ବ ରଚନା କରିଥିଲେ । ପରେ ତିବ୍‌କଣ (୧୩ଶ) ୧୫ଟି ପର୍ବ ଏବଂ ଏର୍ରାପ୍ରର୍ଗଡ (୧୪ଶ) ନାନ୍ନୟଙ୍କ ଅସମାପ୍ତ ପର୍ବ ସଂପୂର୍ଣ୍ଣ କରିଥିଲେ । ତିନିଜଣ ତିନିଶହ ବର୍ଷ ପ୍ରାୟ ଲାଗି ଏ ଗ୍ରନ୍ଥ ସମାପ୍ତ କରିଛନ୍ତି । ତେଲଗୁ ରାମାୟଣ ଭାସ୍କର ମଲିକାର୍ଜୁନ, କୁମାର ରୂଦ୍ରଦେବ, ହୁଲକ୍‌କି ଭାସ୍କର ଏବଂ ଆଚାଲର୍ଘ ଏପରି ଚାରିଜଣ କବିଙ୍କ ଦ୍ୱାରା ରଚିତ । ଅବଶ୍ୟ ଏର୍ରାପର୍ଗଡ଼ ରାମାୟଣ, ହରିବଂଶ ଓ ଲକ୍ଷ୍ମୀ ନୃସିଂହ ପୁରାଣ ଏବଂ ମଡ଼କି ସିଙ୍ଗନ୍ନଙ୍କର ବଶିଷ୍ଟ ରାମାୟଣ ବିଶିଷ୍ଟ ପୁରାଣ ଗ୍ରନ୍ଥ, କିନ୍ତୁ ତାହାର ବିଷୟ ଆୟତନ ଓ ସଂଯୋଜନା, ଚରିତ୍ରାୟନ ଏବଂ ପୁରାଣ ସୁଲଭ ଶୈଳୀ ସୌର୍ଯ୍ୟ ଆଶାନୁରୂପ ଲୋକପ୍ରିୟ ନୁହେଁ । ଏକମାତ୍ର ବାମେରାପୋତନାଙ୍କର ଭାଗବତ ଓ ମାଲୟ ପୁରାଣ ବହୁ ପଠିତ ଗ୍ରନ୍ଥ । ତାମିଲ ଭାଷାରେ କମ୍ବନ ରାମାୟଣ (୧୦ମ ଶତକ) ୧୦୫୦୦ ବୃତ୍ତ କବିତା ସମ୍ବଳିତ । ଶୈବ କବି ଶେକିଲାର (୧୨ଶ)ଙ୍କର ପେରିୟ ପୁରାଣମ୍‌, ପରଂଜ୍ୟୋତି ମୁନିବରଙ୍କ ତିରୁବିଲୟା ଦଳ ପୁରାଣମ୍‌, ବିଲି ପୁତ୍ତୁଗାର (୧୪ଶ)ଙ୍କର ମହାଭାରତ, ଭାଗବତ ସ୍କନ୍ଦ, କୂର୍ମ ଓ ବିଷ୍ଣୁ ପୁରାଣ ଅନୂଦିତ ଗ୍ରନ୍ଥ ପ୍ରଭୃତି ପୁରାଣ ପାଠର ପରମ୍ପରା ସୃଷ୍ଟି କରିଥିଲା । ହେଲେ ହେଁ ପୁରାଣ-ଶୈଳୀର ସରଳତା ଅପେକ୍ଷା କାବ୍ୟିକ କୃତ୍ରିମତା ତାମିଲର ଏହି ସାହିତ୍ୟରେ ଅଧିକ । କନ୍ନଡ଼ ସାହିତ୍ୟରେ ‘ଚଂପୂ’ ରୀତିରେ ଆଦି ପୁରାଣ ଓ ରାମାୟଣ କବି ଅଭିନବ ପମ୍ପା (୧୦ମ)ଙ୍କ ଦ୍ଵାରା ରଚିତ । ସମଗ୍ର ଦ୍ରାବିଡ଼ ଭାଷା ଭାଷୀ ଅଞ୍ଚଳରେ ପୁରାଣ କାହାଣୀ ଚଂପୂ ବା କାବ୍ୟ ରୀତିରେ ଅଧିକ ରଚିତ-। ପ୍ରାଦେଶିକ ଆର୍ଯ୍ୟଭାଷାମାନଙ୍କ ମଧ୍ୟରେ ଅସମୀୟା ଭାଷାରେ ପୁରାଣ ପରମ୍ପରାର ବ୍ୟାପ୍ତି (ଓଡ଼ିଶା ପରେ)ଦ୍ୱିତୀୟ ସ୍ଥାନ ଅଧିକାର କରିପାରେ । ସେ ଭାଷାର ଆଦିକବି ମାଧବ କନ୍ଦଳୀଙ୍କର ଆଦିକାବ୍ୟ ରାମାୟଣ ଅସମାପ୍ତ ଥିବାରୁ ଶଙ୍କର ଦେବ ଦୁଇଟି କାଣ୍ଡ ରଚନା କରିଥିଲେ । ଅସମୀୟା ମହାଭାରତର ପ୍ରଥମ ରଚୟିତା ରାମ ସରସ୍ୱତୀଙ୍କ ପରେ ଗୋପୀନାଥ ପାଠକ ପ୍ରଭୃତି ୧୫ ଜଣ କବି ବିଭିନ୍ନ ସମୟରେ ଗ୍ରନ୍ଥ ରଚନା ସମାପ୍ତ କରିଥିଲେ । ସେହିପରି ଭାଗବତ ଶଙ୍କର ଦେବ, କେଶବ କାୟସ୍ଥଙ୍କ ସମେତ ଆଠଜଣ କବିଙ୍କ ଦ୍ୱାରା ସମାପ୍ତ ହୋଇଥିଲେ । ଏ ଭାଷାରେ ଅଷ୍ଟାଦ୍ଦଶ ପୁରାଣ ମଧ୍ୟରୁ ମାର୍କଣ୍ଡେୟ, ବାମନ, ସ୍କନ୍ଦ, ନାରଦ ପ୍ରଭୃତିର ଅନୁବାଦ କରାଯାଇଛି । ବଙ୍ଗଳାରେ କୃତ୍ତିବାସ ରାମାୟଣ (୧୫ଶ) ଓ କାଶୀରାମ ମହାଭାରତ ଅନୂଦିତ ଗ୍ରନ୍ଥ । ମାଳାଧର ବସୁ (୧୫ଶ)ଙ୍କର ‘ଶ୍ରୀକୃଷ୍ଣ ବିଜୟ’ ପୁରାଣ ନୁହେଁ, ମାତ୍ର ଭାଗବତ, ହରିବଂଶ, ବିଷ୍ଣୁ, ଲିଙ୍ଗ, ପ୍ରଭୃତି ପୁରାଣ ଅନୁସରଣରେ ରଚିତ । ରମାଇ ପଣ୍ଡିତଙ୍କ ଶୂନ୍ୟ ପୁରାଣ ଏକମାତ୍ର ମୌଳିକ ଓ ଲୋକପ୍ରିୟ ପୁରାଣ । ମରାଠୀରେ ରାମାୟଣ ଓ ମହାଭାରତ ଯଥାକ୍ରମେ ସନ୍ଥ ଏକନାଥ ଓ ମୁକୁଟେଶ୍ଵର ରଚନା କରିଥିଲେ । ମହାରାଷ୍ଟ୍ରରେ ପୁରାଣ ଶୈଳୀ ଲୋକପ୍ରିୟ ଥିଲେ ମଧ୍ୟ ପୁରାଣ ଗ୍ରନ୍ଥର ଅଭାବ ପରିଲକ୍ଷିତ । ହିନ୍ଦୀ ଭାଷାରେ ରାମଚରିତ ମାନସ ସର୍ବାଧିକ ଲୋକପ୍ରିୟ, କିନ୍ତୁ ତାହା ପୁରାଣ ଅପେକ୍ଷା ଭକ୍ତିକାବ୍ୟର ଅଧିକ ନିକଟବର୍ତ୍ତୀ । ଏହି ସମୀକ୍ଷାରୁ ଉପଲବ୍ଧୀ ହେବ ଯେ ସମଗ୍ର ଭାରତବର୍ଷରେ ଓଡ଼ିଆ ସାହିତ୍ୟ ପୁରାଣ-ସୃଷ୍ଟିରେ ପ୍ରଥମ ଓ ମୌଳିକ ଗ୍ରନ୍ଥରଚନା କ୍ଷେତ୍ରରେ ଅନନ୍ୟ କୃତିତ୍ୱର ଅଧିକାରୀ । ବାସ୍ତବତଃ ଓଡ଼ିଆ ପୁରାଣର ବୈଚିତ୍ର୍ୟ ଉଭୟ ଆତ୍ମିକ ଓ ଆଙ୍ଗିକ ଦୃଷ୍ଟିରୁ ବହୁ ସମୃଦ୍ଧ ଏବଂ ଓଡ଼ିଆ ସାହିତ୍ୟର ଯଥାର୍ଥରେ ଭିତ୍ତିସ୍ଥାପନ ଓ ବିକାଶର ପୃଷ୍ଠପୋଷକତା କରିଛି । ଗୀତା, ସଂହିତା, ମାହାତ୍ମ୍ୟ, କବଚ, ନିର୍ଣ୍ଣୟ ଓ ମାଳିକା ପ୍ରଭୃତି ଛ’ଟି ବିଶିଷ୍ଟ ଆଙ୍ଗିକ ପୁରାଣ ଶୈଳୀ ଅନୁସୃତ । କହିବା ବାହୁଲ୍ୟ ଏହି ଛ’ଟି ଆଙ୍ଗିକରେ ରଚିତ ଗ୍ରନ୍ଥ ସଂଖ୍ୟାରେ ଅଗଣିତ ଓ କବିଙ୍କ କୃତିତ୍ୱ ଅବିସ୍ମରଣୀୟ ।

 

ଉପରେ କଥିତ ପୀତାମ୍ବର ଦାସଙ୍କ ‘ପଞ୍ଚପୁରାଣ ସଂଘ’ ଅନ୍ତର୍ଗତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଏକମାତ୍ର । ‘ଭାଗବତ’ ଶାସ୍ତ୍ରୀୟ ଦୃଷ୍ଟିରେ ପୁରାଣ । ମହାଭାରତକୁ ଇତିହାସ ଏବଂ ରାମାୟଣକୁ କାବ୍ୟ କୁହାଯାଏ । ହରିବଂଶ ଏବଂ ନୃସିଂହପୁରାଣ ସଂସ୍କୃତରେ ମାହାତ୍ମ୍ୟ ଗ୍ରନ୍ଥ ମାତ୍ର । କିନ୍ତୁ ଓଡ଼ିଆରେ ଏଗୁଡ଼ିକ ଲେକପ୍ରିୟ ପୁରାଣ । ଇତିହାସ, କାବ୍ୟ ଓ ମାହାତ୍ମ୍ୟ ଏପରି ତିନୋଟି ସ୍ଵତନ୍ତ୍ର ଆଙ୍ଗିକ ପ୍ରଚଳିତ ଥିଲେ ସୁଦ୍ଧା ରଚନାର ବିସ୍ତୃତି ଓ ସୁକୁମାରତା ଦୃଷ୍ଟିରୁ ବ୍ୟାପକ ପ୍ରେକ୍ଷାପଟରେ ପୁରାଣ ଭାବେ ଗ୍ରହଣ କରାଯାଇଛି । ଏହା ସ୍ମରଣ କରାଇଦିଏ, ଓଡ଼ିଆ କବି ପୁରାଣ ଶୈଳୀର ଅନୁକରଣ କରିଛନ୍ତି, ପୁରାଣର ନୂହେଁ । ତାହା ହୋଇଥିଲେ ସାରଳା ଦାସ ମହାଭାରତକୁ ପୁରାଣ, କାବ୍ୟ ଓ ଇତିହାସର ସମ୍ମାନ ଦେଇନଥାନ୍ତେ । ଯଥାର୍ଥରେ ମହାଭାରତ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଇତିହାସ କିନ୍ତୁ ପୁରାଣ ଶୈଳୀରେ ରଚିତ । ଏହାର କାବ୍ୟତ୍ୱ ରହିଛି ବର୍ଣ୍ଣନା ପରିପାଟୀ ଓ ରସ ଧର୍ମିତାରେ । ବର୍ଣ୍ଣନା କାବ୍ୟିକ ସ୍ଵାଭାବିକତା ରକ୍ଷା କରିନାହିଁ, ପୌରାଣିକ ଚାତୁର୍ଯ୍ୟ ଓ ଅତିଶୟୋକ୍ତିରେ ପ୍ରଗଳ୍ଭ ହୋଇଉଠିଛି ।

 

ଓଡ଼ିଆ ପୁରାଣକାରମାନେ ନିଜକୁ ମୁନି ବୋଲି ପରିଚୟ ଦେଇଛନ୍ତି । ମୁନି ଏକ ବିଶେଷ କୋଟୀରେ ସାଧକ, ଦ୍ରଷ୍ଟା ଓ ସ୍ରଷ୍ଟା । ଭାରତୀୟ ପରମ୍ପରାରେ ଶାସ୍ତ୍ରକାରମାନେ ଥିଲେ ଋଷି । ସେମାନେ ଜନ୍ମରୁ ବ୍ରାହ୍ମଣ ଥିଲେ କିମ୍ବା ସାଧନା ବଳରେ ବ୍ରହ୍ମତ୍ୱ ଲାଭ କରିଥିଲେ । ଶୂଦ୍ରମାନେ ଶାସ୍ତ୍ରକଥନରେ ସ୍ଵୀକୃତ ହୋଇନଥିଲେ । ଏ ପରମ୍ପରା ଅବଗତ ସାରଳା ଦାସ ନିଜକୁ ‘ଶୂଦ୍ରମୁନି’ ଆଖ୍ୟା ଦେଇ ସାମାଜିକ ନିଷେଧ ବ୍ୟବସ୍ଥାକୁ ବିରୋଧ କରିଛନ୍ତି, ତା ସହିତ ମଧ୍ୟ ନିଜର ଅଧିକାରର ଆଉ ଏକ ନୂତନ ମାର୍ଗ ପ୍ରସ୍ତୁତ କରିଛନ୍ତି । ‘‘ମୁନି ଅଂଶେ ଜାତ ହେଲେ କାବ୍ୟ ପାରଇ କହି । ନ ପଢ଼ିଣ ବିଦ୍ୟା ସାଧନ କଲି ମୁହିଁ ।’’ ଶୂଦ୍ର ଋଷିର ଆଭିଜାତ୍ୟ ଲଭି ପାରନ୍ତି ନାହିଁ, କିନ୍ତୁ ମୁନିର ଗୌରବରୁ କାହିଁକି ବଂଚିତ ହେବ ? ବରଂ ସାଧନ, ବୋଧନ କର୍ମ ଫଳରେ ଶୂଦ୍ର ମୂନି’ତ୍ୱ ଲାଭ କରିପାରେ । ସାଧନ ଶବ୍ଦର ବହୁ ଅର୍ଥ ମଧ୍ୟରେ ପ୍ରତିଭା ବିକାଶ ଅର୍ଥେ ଶାସ୍ତ୍ରଜ୍ଞାନ ଅଧିଗତି କରିବାକୁ ବୁଝାଏ । ବୋଧନ ଶବ୍ଦ (ବୁଧ-ଅ-ଅନ) ଜ୍ଞାନ, ବୁଦ୍ଧି, ଉପଲବ୍‌ଧି ଓ ଜାଗରଣକୁ ବୁଝାଏ-। ବ୍ରାହ୍ମଣ ବା ଶୂଦ୍ର ହେଉ କବିଙ୍କୁ ପ୍ରତିଭାର ସ୍ଫୁରଣ ନିମିତ୍ତ ଜ୍ଞାନ, ଉପଲବ୍‌ଧି, ବୁଦ୍ଧି ଓ ଜାଗରଣର ସୋପାନ ଆରୂଢ଼ ହେବାକୁ ପଡ଼େ । ଏ ଦୃଷ୍ଟିରୁ ସାରଳାଙ୍କ ସାମର୍ଥ୍ୟ ଓ ବିଦ୍‌ବତ୍ତା ନିଃସନ୍ଦେହଭାବେ ଉନ୍ନତ । କିନ୍ତୁ ପାରମ୍ପରିକ ନିଷେଧ । ହେତୁରେ ଗ୍ରାନ୍ଥିକ ହୋଇ ନପାରନ୍ତି, ଶୂଦ୍ରମୁନି ହେବାରେ ପ୍ରତିବନ୍ଧକ ନାହିଁ । ନିଜ ଯୁକ୍ତିର ସପକ୍ଷରେ ସେ ଏହି ପ୍ରସଙ୍ଗରେ ଆଉ କେତେକ ପକ୍ଷର ଦୃଷ୍ଟାନ୍ତ ଦେଇଛନ୍ତି । ଯେପରିକି ବିଷ୍ଣୁ ଅଂଶରେ ଜନ୍ମ ହେଲେ ଜଣେ ରାଜା ହୁଅନ୍ତି, କୁବେର ଅଂଶରେ ହୁଅନ୍ତି ଧନପତି, ଗନ୍ଧର୍ବ ଅଂଶରେ ଉତ୍ପନ୍ନ ବ୍ୟକ୍ତି ହୁଏ ନୃତ୍ୟଗୀତ ବିଶାରଦ । ସାରଳାଙ୍କ ପ୍ରଦର୍ଶିତ ଏ ଯୁକ୍ତି ଏବଂ କାବ୍ୟକାରର ଐଶୀ ପ୍ରତିଭାର ସ୍ଵୀକୃତି ବଳରାମ, ଜଗନ୍ନାଥ ବା ପରବର୍ତ୍ତୀ ସ୍ରଷ୍ଟାମାନେ ଗ୍ରହଣ କରିଛନ୍ତି । ବଳରାମ ସ୍ପଷ୍ଟ କରିଛନ୍ତି ଯେ ମୁନିମାନେ ବେଦକୁ ନେଇ ଘାଣ୍ଟି ହୁଅନ୍ତି ନାହିଁ ସେମାନେ ବ୍ୟାଖ୍ୟାକାର + ବ୍ୟାଖ୍ୟାର ଏକ ଅଭିନବ ଅର୍ଥ, ଯଥା ଠକ୍‌ ଠକ୍‌ କହିଯିବା, ସ୍ଥୂଳାର୍ଥରେ ପୂର୍ବ କଥନର ଅନୁସରଣ କରିବା । ‘‘ବଖାଣ କରନ୍ତି ଯାହା ସୁଜ୍ଞ ମୁନିଜନ । ତାହାକୁ ପୁରାଣ ମଧ୍ୟେ କରନ୍ତି ଲିଖନ ।’’ (ଦାଣ୍ଡିରାମାୟଣ) ଓଡ଼ିଆ ପୁରାଣ କବି ‘ମୁନି’ ପଦବାଚ୍ୟ ଯେଣୁ ସେମାନେ ସ୍ଥୂଳଭାବେ ପୁରାଣ ଆଖ୍ୟାନର ଅନୁକାରୀ । ବିସ୍ମୟର କଥା ଯେ ଜଗନ୍ନାଥ ଦାସ ଓ ପୀତାମ୍ବର ଦାସ ବ୍ରାହ୍ମଣ ହୋଇ ସୁଦ୍ଧା ନିଜକୁ ମୁନି କହିଛନ୍ତି । ଏହାର ଦୁଇଟି ସମ୍ଭାବିତ କାରଣ ଥାଇପାରେ ପ୍ରଥମତଃ ସେମାନେ ଦେଶୀୟ ଭାଷାରେ ଗ୍ରନ୍ଥ ରଚନା କରୁଛନ୍ତି । ଦ୍ୱିତୀୟରେ ମୁନିମାନେ ଦେଶୀୟ ପରମ୍ପରାରେ ପୁରାଣ ଲେଖନ୍ତି । ହୁଏତ ଦେଶୀୟ ଭାଷାର ପରମ୍ପରାକୁ ସ୍ୱୀକୃତି ଦେଇ ସେମାନେ ତା’ର ପ୍ରତିଷ୍ଠା କାମନା କରିଛନ୍ତି । ଋଷି, ମୁନି, କବି, ଗ୍ରାନ୍ଥିକ, ଶାସ୍ତ୍ରକାର - ଏ ପାଞ୍ଚୋଟି ଏକ ପ୍ରକାର ଅଧିଗତ ବିଦ୍ୟା ବା ପ୍ରତିଭାର ସଂପନ୍ନ ବ୍ୟକ୍ତିତ୍ୱକୁ ଇଙ୍ଗିତ କରେ । ମୂଳତଃ ପ୍ରକାଶ କରେ ସ୍ରଷ୍ଟାର ସୃଜନ ସାମର୍ଥ୍ୟ । କେବଳ ଜାତିଗତ ପ୍ରତିବନ୍ଧକ ଦୃଷ୍ଟିରୁ କେହି ବ୍ରାହ୍ମଣ ବା ଅବ୍ରାହ୍ମଣ ହୋଇଥିଲେ ପରିଚୟ ଭିନ୍ନ ହୁଏ । ବ୍ରାହ୍ମଣ କବି ଗ୍ରାନ୍ଥିକ ବା ଶାସ୍ତ୍ରକାର ହେଲେ ଋଷି ବୋଲାଇବେ, ଏବଂ ଶୂଦ୍ର କବି ହେଲେ ପରିଚିତ ହେବେ ମୁନି ରୂପେ ସାରଳା ଦାସଙ୍କ ଏ ଯୁକ୍ତି ଅଭିନବ ହେଲେ ହେଁ ବଳିଷ୍ଠ । ଯା

 

ଓଡ଼ିଆ ପୁରାଣ କବି ସର୍ବତ୍ର ସମସ୍ତେ ନିଜକୁ ମୂର୍ଖ, ଅପଣ୍ଡିତ, କୁସ୍ଥାନବାସୀ ମନେ କରିଛନ୍ତି । ସେମାନେ କୁହନ୍ତି ଯେ ତାଙ୍କର କାବ୍ୟ ସ୍ଫୁରଣ ଘଟିଛି ଜଣେ ଇଷ୍ଟଦେବୀଙ୍କ କୃପାରୁ । ସେ ଦେବୀ ସ୍ୱପ୍ନରେ ଯାହା କୁହନ୍ତି ତାକୁଇ ସେମାନେ ଲେଖନ୍ତି । ଏ ପ୍ରକାର ଆତ୍ମଦୈନ୍ୟ ପ୍ରକାଶ ଏକ ପ୍ରକାର କବିସୁଲଭ ବିନମ୍ରତା ବୋଲି ଅଦ୍ୟାବଧି ପାଠକ, ସମାଲୋଚକ ଭାବି ଆସିଛନ୍ତି । ସାରଳା ଦାସଙ୍କ ଏତାଦୃଶ ବିନୟୋକ୍ତି ଓ ଇଷ୍ଟନିର୍ଭର କାବ୍ୟ ପ୍ରତିଭାର ସ୍ଫୁରଣ ଏକ ପରମ୍ପରାରେ ପରିଣତ ହୋଇଛି । ବାସ୍ତବ ପକ୍ଷେ କେହି ମୂର୍ଖ ନଥିଲେ । ପଣ୍ଡିତ, ବହୁଶାସ୍ତ୍ରାଭିଜ୍ଞ ଓ ବିଦୁଜନ ଥିଲେ ସେମାନେ । କିନ୍ତୁ କୌଳିକ ବୃତ୍ତିରେ କେହି ଚାଷୀ ଅବା କେହି ପୂଜକ ବା ସାମାନ୍ୟ ବୃତ୍ତିଧାରୀ ହୋଇ ଜୀବନ ନିର୍ବାହ କରୁଥିଲେ । ପ୍ରତିଷ୍ଠାର ଦ୍ୱାର ଥିଲା ଅଣ ଉନ୍ମୋଚିତ । ସାରଳା ଏପରି ସୂଚନା ଦେଇଛନ୍ତି । ସେ ଥରେ ଭଣ୍ଡ ବିଭଣ୍ଡ ଗୀତ ବୋଲୁଥିଲେ ଆଖୁ କିଆରିରେ ପାଣି ତେଣ୍ଡିବା ବେଳେ ସେଇଠି ନାରୀଟିଏ ପହଞ୍ଚିବା ଦେଖି ସେ ଚୁପ୍ ପଡ଼ିଲେ କିନ୍ତୁ ଗୀତ ବନ୍ଦ ନକରି ବୋଲିବା ପାଇଁ ନିର୍ଦ୍ଦେଶ ଦେଲେ ନାରୀ ଜଣକ । ପଦ ଯୋଡ଼ିବା ଅସମର୍ଥ ଜଣେ ମୂର୍ଖ କିପରି ଗୀତ ବୋଲିବ ଏପରି କହନ୍ତେଣ ନାରୀ ଅନ୍ତର୍ଦ୍ଧାନ ହୋଇଗଲେ । ତାପରେ ସ୍ଵପ୍ନାଦେଶ ହେଲା, ସେ ସ୍ୱପ୍ନରେ କହିବାକୁ ଲାଗିଲେ । ସକାଳୁ ଉଠି କାନ୍ଥରେ ଲେଖି ପକାଇଲେ ଏମିତି ଚାଲିଲା । ଚାହୁଁ ଚାହୁଁ ସେ ହୋଇଗଲେ କବି (ଆ.ପ.-ପରିଶିଷ୍ଟ) ସ୍ମରଣ ଯୋଗ୍ୟ କଥା ଯେ ଭଣ୍ଡବିଭଣ୍ଡ ଗୀତ ଗାଉଥିବା ଚଷା ସଂସ୍କୃତିସଂପନ୍ନ-ଶାଳୀନତା ବୋଧରେ ଥଲେ ମାର୍ଜିତ । ନାରୀକୁ ଦେଖି ଶଙ୍କି ଯିବାର ସେ ସମ୍ଭ୍ରମ ପଛରେ ଥିଲା ମାତୃଜାତି ପ୍ରତି ପରମ ସମ୍ମାନ । କୃଷି ପରମ୍ପରାରୁ ଏହା ବିକଶିତ । କବି ଗୁରୁ କାଳିଦାସଙ୍କ ସଂପର୍କରେ ଏପରି କିମ୍ବଦନ୍ତୀ ରହିଛି । ବାକ୍‌ଦେବୀ ବନ୍ଦନା କରି ମହାମୂର୍ଖ ଅପ୍ରମାଦୀ ମହାକବି ହୋଇପାରେ । ପ୍ରାକୃତ ବିରୋଧୀ ସଂସ୍କୃତଜ୍ଞମାନେ କାଳୀଦାସଙ୍କୁ ସଂପର୍କରେ ଏପରି ଚକ୍ରାନ୍ତମୂଳକ କିମ୍ବଦନ୍ତି ପ୍ରଚାର କରିଛନ୍ତି । ଉଦ୍ଦେଶ୍ୟ ହେଉଛି ପ୍ରାକୃତର ସ୍ପର୍ଶ ଦୋଷ ନିବାରଣ କରି ସଂସ୍କୃତର ଆଧିପତ୍ୟ ପ୍ରତିଷ୍ଠା କରିବା । ସାରଳା ଏପରି ଅଭିକ୍ରମର ଏକ ବିପରୀତ ଶକ୍ତି, ଯିଏକି ଇଷ୍ଟଦେବୀଙ୍କ ଆଜ୍ଞାମାଳ ଧରି ନିଜର ବିଦ୍‌ବତ୍ତାର ସ୍ଵୀକୃତି ଚାହିଁଛନ୍ତି । ତତ୍‌କାଳୀନ ଧର୍ମଭୀରୁମାନଙ୍କ ଧର୍ମସ୍ପର୍ଶାତୁରତା ପ୍ରତି ଏହା ଚରମ ଉପହାସ । କାଳିଦାସ ଯଦି ବାକ୍‌ଦେବୀ କୃପାବାରି ଲଭି କବିକୁଳ ମଣ୍ଡନ କରିପାରନ୍ତି, ସେ କୃପାବାରି ପାଇ ସାରଳା କାହିଁକି ଶୂଦ୍ରମୁନି ନ ହେବେ ? ତାଙ୍କ କାବ୍ୟ ଜୀବନର ଏତାଦୃଶ ଆଧ୍ୟାତ୍ମିକ ପ୍ରେରଣା ହୁଏତ ପ୍ରଚଳିତ ସମାଜର ଅନୁନାସିକତାର ସମ୍ମୁଖୀନ ହେବା ପାଇଁ ଏକ ସଚେତନ କ୍ରିୟା ହୋଇପାରେ ମାତ୍ର ଜଗନ୍ନାଥ ଦାସ, ବଳରାମ ଦାସ ଏପରିକି ଅଷ୍ଟାଦ୍ଦଶ ଶତକର ପୀତାମ୍ବରଙ୍କ ପର୍ଯ୍ୟନ୍ତ ତାହା ପ୍ରଚଳିବା ବିସ୍ମୟକର ନୁହେଁ କି ? ସେବେଳକୁ ପ୍ରାକୃତ ବିରୋଧୀ ମନୋଭାବ ନିଶ୍ଚୟ ଊଣା ପଡ଼ିଛି-। ଏଣୁ ମନେହୁଏ କବି ନିଜର ଦୀନତା ଓ ଇଷ୍ଟବୃତ୍ତିର ପରିଚୟ ଦେବାକୁ ଯାଇ ବକ୍ତବ୍ୟକୁ ଏକ ଶୈଳୀରେ ପରିଣତ କରିଦେଇଛନ୍ତି ।

 

ଓଡ଼ିଆ ପୁରାଣ ଶୈଳୀ : ପୂର୍ବରୁ ସୂଚନା ଦିଆଯାଇଛି ଯେ ଓଡ଼ିଆରେ ପୁରାଣ ଏକ ବିଶେଷ ଶୈଳୀ, ଏହା ବିଦ୍ୟା ବା ବିଷୟ ନୁହେଁ । ଏ ଶୈଳୀ ଅନୁସୃଜନର ଧର୍ମ ଗ୍ରହଣ କରିଛି । ଅନୁସୃଜନ ପଦ୍ଧତି ଅନୁକରଣ ଓ ଅନୁକରଣ କ୍ରିୟା ନିର୍ଭର । ମୂଳ ବିଷୟର ପରିହାର, ପରିବର୍ତ୍ତନ ଓ ପରିବର୍ଦ୍ଧନ ଦ୍ୱାରା ଆଖ୍ୟାନଗତ ବୈଷମ୍ୟ ସୃଷ୍ଟି ହେବା ବେଳେ ଚରିତ୍ରମାନଙ୍କୁ ସଂପୂର୍ଣ୍ଣ ସ୍ଵଦେଶୀୟ ଜୀବନାନୁଭୂତିରେ ଗଢ଼ାଯାଇଛି । ଆଖ୍ୟାନ ଓ ଚରିତ୍ର ଏଥିପାଇଁ ସ୍ଵତନ୍ତ୍ର ଜଣାଯାନ୍ତି । ବର୍ତ୍ତମାନ କେତୋଟି ମାତ୍ର ଉଦାହରଣ ମାଧ୍ୟମରେ ଅନୁସୃଜନର ଦୃଷ୍ଟାନ୍ତ ଦିଆଯାଇଛି । ମୁଖ୍ୟତଃ ସାରଳା ମହାଭାରତରୁ ଉଦାହରଣଗୁଡ଼ିକ ନିଆଯାଉଛି ।

 

ପରିହାର - ସାରଳା ମହାଭାରତ ମୂଳ ଗ୍ରନ୍ଥର ବହୁ କାହାଣୀ ପରିହାର କରିଛି । ପଣ୍ଡିତ ସ୍ଵର୍ଗତଃ ନନ୍ଦ ଦର୍ଶାଇଛନ୍ତି ଯେ ମୂଳ ଗ୍ରନ୍ଥର ଅନୁକ୍ରମଣିକା, ପୌଷ୍ୟ, ପୌଲମ୍ୟ, ଆସ୍ତିକ, ଅଂଶାବତରଣ ପ୍ରଭୃତି ଉପପର୍ବର ପ୍ରାୟ ଅଶୀଟି ଅଧ୍ୟାୟ ସମେତ ଜରତ୍କାରୁ ଚରିତ ସାରଳା ଦାସ ଗ୍ରହଣ କରି ନାହାଁନ୍ତି । ସେ କୁରୁବଂଶର ଉତ୍ପତ୍ତିଠାରୁ ଗ୍ରନ୍ଥାରମ୍ଭ କରିଛନ୍ତି । ବନପର୍ବର ଅନ୍ତର୍ଗତ ମୂଳ ଆଖ୍ୟାନ ଯଥା - ଯାଜପୁର ବର୍ଣ୍ଣନା, ଯୁଦ୍ଧ ବିକ୍ରିୟା, କଳିଙ୍ଗ ରାଜଙ୍କ ପ୍ରଶସ୍ତିଗାନ, କଳିଙ୍ଗ ରାଜକନ୍ୟା ସହ ଦୁର୍ଯ୍ୟୋଧନର ବିବାହ, ସୌତ୍ରାମଣି ସନ୍ଦେଶ, ଯୁଧିଷ୍ଠିରଙ୍କୁ ଦ୍ରୌପଦୀଙ୍କର ଭର୍ତ୍ସନା, ଯୁଧିଷ୍ଠିରଙ୍କ ନୀତିଶାସ୍ତ୍ର ବୟାନ, ଯୁଧିଷ୍ଠିରଙ୍କୁ ବ୍ୟାସଙ୍କର ରହସ୍ୟ ବିଦ୍ୟା ପ୍ରଦାନ, ସୁକନ୍ୟା ଓ ଭରଦ୍ୱାଜ ପୁତ୍ର ଯବକ୍ରୀତ ଆଖ୍ୟାନ ଏପରି ପ୍ରାୟ ଚବିଶଟି ବିଷୟ ପରିହୃତ ହୋଇଛି । (ଶ୍ରୀ ଭାରତ ଦର୍ପଣ - ଗୋପୀନାଥ ନନ୍ଦଶର୍ମା, ପୃ - ୧୧ ଏବଂ ୧୯) । ସବୁଠାରୁ ବିସ୍ମୟକର ଯେ ମୂଳ ମହାଭାରତର ଶ୍ରୀମଦ୍ଦଭାଗବତ ଗୀତା ସାରଳା ମହାଭାରତରେ ଅନୁପସ୍ଥିତ । ମୂଳ ଶାନ୍ତି ପର୍ବ ଓ ଅନୁଶାସନ ପର୍ବର ପ୍ରାୟ ଅଠଚାଳିଶଟି ଆଖ୍ୟାନ ବାଦ ପଡ଼ିଛି । ଏହି ପର୍ବର ୧୬୮ଟି ଅଧ୍ୟାୟର ବିଷୟ ମାତ୍ର ୨/୩ଟି ଅଧ୍ୟାୟ ମଧ୍ୟରେ ସୀମିତ ।

 

ମୌଳିକ - ପରିହୃତ ଆଖ୍ୟାନର ବିକଳ୍ପରେ ସାରଳା ଅନେକ ମୌଳିକ ଆଖ୍ୟାନ ସୃଷ୍ଟି କରିଛନ୍ତି । ସେ ଗୁଡ଼ିକର ସଂଖ୍ୟା ନିରୂପଣ କଠିନ କାର୍ଯ୍ୟ । ମୂଳ ଗ୍ରନ୍ଥରେ ଅନୁପସ୍ଥିତ କୌଣସି ଏକ ଆଖ୍ୟାନ ହୁଏତ ପୁରାଣାନ୍ତରରେ ମିଳିପାରେ । ଏପ୍ରକାର କାହାଣୀ ସାରଳାଙ୍କ କଳ୍ପନାରେ ଶତକଡ଼ା ପ୍ରାୟ ଚାଳିଶ ଭାଗରୁ ଉର୍ଦ୍ଧ୍ୱ । ମୌଳିକ ଆଖ୍ୟାନ ଭାବେ ପରିଗଣିତ ବିଷୟଗୁଡ଼ିକ ମୁଖ୍ୟତଃ ଏହି ପ୍ରକାରର । ୧ମରେ - ହରଣ, ୨ୟରେ - ବଧ ପ୍ରସଙ୍ଗ, ୩ - ମାହାତ୍ମ୍ୟ କଥନ, ୪ - ସାମାଜିକ ଆଚରଣ ବା ସାମାଜିକ ନୀତିଶାସ୍ତ୍ରବିଷୟକ କାହାଣୀ, ୫ମ - ସ୍ଥାନୀୟ କିମ୍ବଦନ୍ତୀ ଆଧାରିତ କାହାଣୀ । ଅର୍ଜ୍ଜୁନଙ୍କ ସୁଭଦ୍ରା ହରଣ ଅନୁକରଣ କରି ସୁରେଖା ହରଣ, ନୀଳେନ୍ଦ୍ରି ହରଣ, ସଚଳା ହରଣ, ଶୋଭାବତୀ ହରଣ ଏବଂ ଅନୁସରଣରେ ପାରିଜାତ ହରଣ, ବାଣ (ନୀଳବାଣ ଭୂଜବାଣ) ହରଣ ପ୍ରଭୃତି କାଳ୍ପନିକ କାହାଣୀ ସଂଯୋଜନା କରିଛନ୍ତି । ସେହିପରି ‘ବଧ’ କାହାଣୀଗୁଡ଼ିକ ମଧ୍ୟରେ କୁଠାରାସୁର, କୋଦଳା ସୁର, କୁମ୍ଭୀରାସୁର, ବକାସୁର, ବିରୁପାକ୍ଷ ଅସୁର ବଧ ପରି ଅନେକ କାହାଣୀ ରହିଛି । ତୃତୀୟ ଶ୍ରେଣୀରେ ମାହାତ୍ମ୍ୟ - ବିଶେଷ କରି ଶିବ ଲିଙ୍ଗ, ଦେବଦେବୀ ସମ୍ବନ୍ଧୀୟ, ତୀର୍ଥ, ବ୍ରତ, ପର୍ବପର୍ବାଣିର ଗୁରୂତ୍ୱ, ୪ର୍ଥ - ବ୍ୟକ୍ତିର ନିତ୍ୟନୈମିତ୍ତିକ ଜୀବନ ଯାପନ ଶୈଳୀ ଏବଂ ଆଚରଣ ପଞ୍ଜିକା ସଂପର୍କରେ କଥିତ ଉଦାହରଣ ସ୍ଥାନୀୟ ଆଖ୍ୟାନ । ୫ମ - ସ୍ଥାନୀୟ କିମ୍ବଦନ୍ତୀରେ ଜଗନ୍ନାଥ ସଂପର୍କିତ ବହୁ ଆଖ୍ୟାନ, ଅଷ୍ଟମାତୃକା, ଯାଜପୁର, ଝଙ୍କଡ଼ ଓ ଅନ୍ୟାନ୍ୟ ସ୍ଥାନର ବିଶେଷତ୍ୱ ବର୍ଣ୍ଣନା । ସର୍ବୋପରି ଲୋକ ଜୀବନ ଚିତ୍ର, ସଂସ୍କାର, ଦେବାଦେବୀଙ୍କ ଆବିର୍ଭାବ ରହସ୍ୟ, ଅସୁରଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ସମ୍ବନ୍ଧୀୟ କାହାଣୀଗୁଡ଼ିକ ମୌଳିକ ।

 

ପରବର୍ଦ୍ଧନ ଓ ପରିବର୍ତ୍ତନ : ସ୍ଵର୍ଗତଃ ନନ୍ଦ ଲେଖିଛନ୍ତି ‘‘ପ୍ରଗାଢ଼ ଶୁଶ୍ରୂଷାରେ ଅନୁରକ୍ତ ଥାଇ ସମଗ୍ର ଭାରତର ସ୍ଥୂଳ ସ୍ଥୂଳ ବିଷୟ ଓ ଆମୂଳାନ୍ତ ଘଟନାଂଶମାନ ମାତ୍ର ସ୍ଵୀୟ ଅବ୍ୟାହତ ସ୍ମୃତି କୋଷରେ ପ୍ରଦୀପ୍ତ ରଖି ଅସାମାନ୍ୟ କଳ୍ପନା ଶକ୍ତି ଓ ବିଷୟ ସଂବିଧାନ ପ୍ରବୀଣତା ବଳରେ ବଳୀୟାନ ହୋଇ ଅଳ୍ପୀକରଣ, ବିସ୍ତୃତିକରଣ, ଅନୁକ୍ତ ପ୍ରକ୍ଷେପ ଭକ୍ତି ନିକ୍ଷେପାଦି କ୍ରମରେ ଏହି ପ୍ରକାଣ୍ଡ ଗ୍ରନ୍ଥକୁ ଲେଖି ଯାଇଛନ୍ତି । (ଶ୍ରୀ ଭାରତ ଦର୍ପଣ - ପୃ-୧୦) । କବିଙ୍କୁ ସ୍ୱର୍ଗତଃ ନନ୍ଦ ‘‘ଗଳ୍ପ ଜଳ୍ପ କଳ୍ପତରୁ’’ ଆଖ୍ୟାଦେଇ ମୂଳ ଚରିତ ସଙ୍ଗେ ତୁଳନାକୁ ନାପସନ୍ଦ କରିଛନ୍ତି । କିନ୍ତୁ କବି ପ୍ରତିଭା ଓ ମହତୀ ବୁଦ୍ଧିସିଦ୍ଧିର ପରିଚୟ ପାଇବା ପାଇଁ ମୂଳଗ୍ରନ୍ଥର ଅନୁଧ୍ୟାନକୁ ଗୁରୂତ୍ୱ ଦେଇଛନ୍ତି । ସ୍ଵର୍ଗତଃ ନନ୍ଦଙ୍କର ଏହି ମନ୍ତବ୍ୟ ପ୍ରାଦେଶିକ ପୁରାଣମାନଙ୍କ ପ୍ରତି ସମଧିକେ ପ୍ରଯୁଜ୍ୟ । ମୂଳଗ୍ରନ୍ଥରେ ବ୍ୟାସଦେବ ଲେଖୁଛନ୍ତି - ଧନୂର୍ବିଦ୍ୟା ଶିକ୍ଷା ସମୟରେ ଦୁର୍ଯ୍ୟୋଧନ ଭୀମଙ୍କ ପରାକ୍ରମ ଦେଖି ଇର୍ଷାଭାବ ଆଣିଛନ୍ତି । ଏହି ଅସୂୟା ତାଙ୍କୁ ଅବିରତ ଦହନ କରୁଥିଲା । ପ୍ରତିଶୋଧ ଉଦ୍ଦେଶ୍ୟରେ ସେ ଗଂଗା କୂଳର ପ୍ରମାଣ କୋଟି ନାମକ ସ୍ଥାନରେ କ୍ରୀଡ଼ାଗାର ନିର୍ମାଣ କଲେ । ଦିନେ ଖେଳ ଉଦ୍ଦେଶ୍ୟରେ ପାଣ୍ତବ ଗହଣରେ ଭୀମ ସେଠାରେ ଉପସ୍ଥିତ ହେବାରୁ କୌଶଳରେ ତାଙ୍କୁ ବିଷଲଡ଼ୁ ଖୁଆଇ ଦେଲେ ବିଷଜ୍ଜ୍ୱାଳାରେ ଅଚେତନ ହେବାପରେ ଭୀମକୁ ଗଂଗାରେ ନିକ୍ଷେପ କରାଗଲା । ପରେ ନାଗଲୋକରୁ ଭୀମ ସୁସ୍ଥ ହୋଇ ଫେରିଲେ । ମାତ୍ର ସାରଳା ଲେଖିଛନ୍ତି - ମନୋମାଳିନ୍ୟ ହେତୁ ପାଣ୍ଡବ ବାରୁଣାବନ୍ତରେ ବାସ କରୁଥିଲେ । ଦିନେ ଭୀମଙ୍କ ହାତରେ ଧର୍ମରାଜ ଗଣ୍ଡାଟିଏ ପଠାଇଲେ ଶ୍ରଦ୍ଧାରେ ଧ୍ରୁତରାଷ୍ଟ୍ରଙ୍କ ପାଖକୁ । ସେହି ଅବସରରେ ଏକୁଟିଆ ପାଇ କୌରବ ଭାଇମାନେ ତାଙ୍କୁ ଖାଦ୍ୟରେ ବିଷ ଦେଇ ଗଂଗାରେ ମେଲେଇ ଦେଲେ । ଗଂଗାରେ କେଳିରତ ନାଗକନ୍ୟା ବେଲାବଳୀ ତାଙ୍କୁ ପାଇ ପ୍ରେମ ଆବଦ୍ଧ ହେଲେ ଓ ନାଗଲୋକ ନେଇ ବାସୁକୀ କର୍ତ୍ତୃକ ଅମୃତ ପିଆଇଲେ । ଭୀମ ହେଲେ ଆହୁରି ଶକ୍ତିଶାଳୀ । ନାଗକନ୍ୟାଙ୍କୁ ବିବାହ କରି କିଛିଦିନ ବାସ କଲେ ନାଗଲୋକରେ । ଏ କାହାଣୀରେ ଆମର ଲୋକ ବିଶ୍ଵାସ ପୂରି ରହିଛି । ‘ଯାହା ପାଇଁ ଖାଲ ଖୋଳ, ସେ ଖାଇ ତା’ର ଭଲରେ ଲାଗେ’ । ପୁନଶ୍ଚ ଏହା ସହିତ ସଂପର୍କ ରହିଛି ବେଲାଳସେନ ଆଖ୍ୟାନର । ଯୁଦ୍ଧରେ ବେଲାଳସେନର ବୀରତ୍ୱ ଓ ତ୍ୟାଗର କାହାଣୀ ପରିକଳ୍ପନାର ସୂତ୍ର ଏଠାରେ-। ବେଲାବଳୀ ସହ ଭୀମର ବିବାହ ଦର୍ଶାଇବାକୁ ଯାଇ ସାରଳା ଏହା ପରିକଳ୍ପନା କରିଛନ୍ତି । ମୂଳ ଗଳ୍ପଠାରୁ ସାରଳାଙ୍କ ଗଳ୍ପର ବ୍ୟାପ୍ତି ଓ ଦ୍ୟୋତନା ଅଧିକ ପରି ମନେହୁଏ । ଅନେକ ସ୍ଥଳରେ କାହାଣୀଗୁଡ଼ିକ ଏପରି ଛନ୍ଦାୟିତ ସଂପର୍କ ରକ୍ଷା କରନ୍ତି ।

 

ଜରାସନ୍ଧ ବଧ ବିଷୟରେ ବ୍ୟାସଙ୍କର ବର୍ଣ୍ଣନାର ଚମତ୍କାରିତା ଅନବଦ୍ୟା ଶ୍ରୀ କୃଷ୍ଣଭୀମାର୍ଜ୍ଜୁନ ଗୋରଥ ଗିରିର ଚୈତକ ଶୃଙ୍କ ଭାଙ୍ଗି ଜରାସନ୍ଧ ନଗରୀରେ ପ୍ରବେଶ କରିବା ପୂର୍ବରୁ ଘଡ଼ଘଡ଼ି ପରି ଶବ୍ଦ କରୁଥିବା ଭେରୀ ତିନୋଟିକୁ ଧ୍ୱସ୍ତ କରିଥିଲେ । ଏଥିରେ ଶିମୂଳୀଗଛର ମଣିଷ ପରି ଆଚରଣ ଓ ଗଧର ଅଦ୍‌ଭୂତ କର୍ମର ବର୍ଣ୍ଣନା କରାଯାଇଛି । ମାତ୍ର ସାରଳା ଶିମୂଳୀ, ଭେରୀ ଓ ଗଧ ପ୍ରସଙ୍ଗକୁ ଭିନ୍ନ ରୂପ ଦେଇଛନ୍ତି । ଗଧର ପାଦ ଧରି ଶ୍ରୀକୃଷ୍ଣ ନିଜର ଅଭିଳାଷ ପୂର୍ଣ୍ଣ କଲେ । ଏ ନେଇ ମହାଭାରତ ସ୍ଥୂଳ ଆଖ୍ୟାନର ପରିବେଶ ଓ କାଳ ବ୍ୟତିକ୍ରମ କରି ଏକ ସାର୍ବକାଳୀକ ପ୍ରବାଦଟିଏ ଓଡ଼ିଆ ସମାଜରେ ସ୍ଥାୟୀ କରିଦେଲେ । ଜରାସନ୍ଧ ସହ ଲଢ଼ୁଥିବା ଭୀମର ବିସ୍ମରଣ ଗୁଣ ମନେ ପକାଇ ଆଶଙ୍କିତ ହୋଇଛନ୍ତି ଶ୍ରୀକୃଷ୍ଣ । ଭୀମଙ୍କୁ ସାରଳା ରଣରଙ୍କା କ୍ରୋଧୀ ପୁରୁଷ ଭାବେ ଯେପରି ଚିତ୍ରଣ କରିଛନ୍ତି ତା’ପକ୍ଷରେ ଭୁଲିଯିବା ସ୍ଵାଭାବିକ ଗୁଣ । ତେଣୁ ଶ୍ରୀକୃଷ୍ଣ ଲୁଗାଟିଏ ଦୁଇ ଖଣ୍ଡ କରି ଦୁଇ ବିପରୀତ ଦିଗକୁ ଫିଙ୍ଗିଦେଇଛନ୍ତି । ଏଥିରୁ ସୂଚନା ପାଇ ଭୀମ ଦୁଇଫାଳ କରି ଜରାସନ୍ଧ ଶରୀରକୁ ଚିରିଦେଲେ ଓ ବିପରୀତ ଦିଗକୁ ଫିଙ୍ଗି ଦେଲେ । ଆଖ୍ୟାନ ହିଁ ଚରିତ୍ରାୟନର ମୂଳ, ଏଥିରୁ ଚରିତ୍ରର ମାନସିକ ରୂପର ଆଭାସ ମିଳେ । ଆଖ୍ୟାନ କେବଳ ଘଟଣାର ବାହକ ନୁହେଁ ଚରିତ୍ରର ଅନ୍ତର୍ଚିତ୍ରର ସ୍ଵରୂପ ନିୟନ୍ତ୍ରଣ କରେ ମଧ୍ୟ ।

 

ସାରଳାଙ୍କ କୃତିରେ ଭିନ୍ନ ରୂପ ପାଇଥିବା ଆଖ୍ୟାନଗୁଡ଼ିକ ମଧ୍ୟରୁ କେତେକ ନହୁଷଙ୍କ ମୁକ୍ତି ଚରିତ, ଧର୍ମବକ ବୃତ୍ତାନ୍ତ, ଜୟଦ୍ରଥର ଦ୍ରୌପଦୀ ହରଣ ପ୍ରଚେଷ୍ଟା, ସଗରପୁତ୍ର ଚରିତ, ଋଷ୍ୟଶୃଙ୍ଗ ଜନ୍ମ ଓ ରାମଚରିତ, ନଳ ଉପାଖ୍ୟାନ, ଦ୍ରୌପଦୀ ସତ୍ୟଭାମା ସମ୍ବାଦ, ଶ୍ଵେନ ଓ କପୋତ ବୃତ୍ତାନ୍ତ ପ୍ରଭୃତି ।

 

ମୂଳ ସଭାପର୍ବ ରାଜସୂୟ ଯଜ୍ଞ ଓ ଦିଗ୍‌ବିଜୟ କାହାଣୀର ଅବତାରଣା କରିଛି । ଏଥିରେ ପଚିଶରୁ ବତିଶ ଅଧ୍ୟାୟରେ ମାତ୍ର ଦୁଇଶ ଅଠର ଶ୍ଲୋକରେ ଦିଗ୍‌ବିଜୟ ବୃତ୍ତାନ୍ତ ଶେଷ ହୋଇଛି । ପାଣ୍ଡବମାନେ ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ଶରଣ ପଶୁ ନଥିବା ମନ୍ଦବୁଦ୍ଧି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଛନ୍ତି । ସାରଳା ଏଇ ସାମାନ୍ୟ ଇଙ୍ଗିତ ପାଇ ମୂଳର ଅନୁସରଣରେ ବ୍ୟାପକ ଆଖ୍ୟାନ ଗଢ଼ିଛନ୍ତି । ମୂଳତଃ ତା’ର ଉଦ୍ଦେଶ୍ୟ ହେଉଛି ପାଣ୍ଡବଙ୍କ ବଳବୀର୍ଯ୍ୟ ଓ ଏକାଙ୍ଗ ଚକ୍ରବର୍ତ୍ତୀର ପ୍ରମାର ଦେବା । ପ୍ରଭୃତ ଯୁଦ୍ଧାଡ଼ମ୍ବର, ରଣସଜ୍ଜା, ଶତ୍ରୁଦଳନ, ଲୁଣ୍ଠନ, ଅର୍ଥଲାଭ ବର୍ଣ୍ଣନାରେ ସ୍ଥାନ ପାଇଛି । ଏହିଭାବେ ସଭାପର୍ବର ଦୁଇ ତୃତୀୟାଂଶ କାହାଣୀ ପରିବର୍ଦ୍ଧନର ନିଦର୍ଶନ କେବଳ ନୁହେଁ, ମୌଳିକ କଳ୍ପନା ମଧ୍ୟ ।

 

ସାରଳା ଦାସ ଦ୍ଵୈପାୟନୀ ମନ୍ତ୍ର ଦୀକ୍ଷିତ ଉତ୍କଳ ବ୍ୟାସ । ସେ ଏକାଧାରରେ ଆଦିକବି ଏବଂ ଓଡ଼ିଶାର ଐତିହାସିକ । ଓଡ଼ିଶାଗତ ସ୍ଵାଧୀନ ବୈପ୍ଲବିକ ଚେତନାର ଅଧିକାରୀ । ତାଙ୍କ ଗ୍ରନ୍ଥସମୂହ ଏକ ବିଶେଷ ଐତିହାସିକ ପଟ୍ଟଭୂମିରେ ରଚିତ । ବ୍ୟାସ ମହାଭାରତ ରୂପାନ୍ତର ପଶ୍ଚାତରେ ଓଡ଼ିଶାର ଐତିହାସିକ ବିଶେଷତ୍ଵ ସ୍ପଷ୍ଟତଃ ଉପଲବ୍‌ଧ ହୁଏ । ଡଃ ଜନ ବୋଲଟନ ଅତୀତର ଗଣ ମନସ୍ତତ୍ତ୍ୱ ବିଶ୍ଳେଷଣ କରି ଯଥାର୍ଥରେ କୁହନ୍ତି - ‘‘ସାରଳା ଦାସଙ୍କ ଦିନରେ ହିନ୍ଦୁ ଆର୍ଯ୍ୟ ଓ ସଂସ୍କୃତ ସଭ୍ୟତା ଯେ ଜନ ପାଖରେ ଅଧିକାଂଶରେ ବିଦେଶୀ ଓ ଅଦରକାରୀ ବୋଲି ବିବେଚିତ ହେଉଥିଲା ...... ସାରଳା ଦାସଙ୍କ ଦିନରେ ବିଦେଶୀ ସଂସ୍କୃତି ଓ ଦେଶୀ ଓଡ଼ିଆ ସଂସ୍କୃତି ବୋଲି ଦୁଇଟି ସଂସ୍କୃତି ଥିଲା ।’’ (ମୋ ଦୃଷ୍ଟିରେ ସାରଳା ଦାସ ଓ ତାଙ୍କ ସାହିତ୍ୟ - ଝଙ୍କାର, ମେ’ ୧୯୭୫) । ଡଃ ବୋଲଟନ ଦର୍ଶାଇଥିବା ଏହି ଦୁଇଟି ସଂସ୍କୃତିର ସଂଘର୍ଷର ପରିଣାମ ହେଉଛି ସାରଳା ମହାଭାରତ । ଦେଶୀ ସଂସ୍କୃତିର ପରିଚୟ ଲାଭ ବ୍ୟତୀତ ଏହା ସମ୍ଭବ ନୁହେଁ । ତାଙ୍କ କଳ୍ପିତ ମୌଳିକ ଆଖ୍ୟାନ ସମୂହ ବିଶେଷକରି ମୂଷଳୀ ପର୍ବର ବିଷୟଗୁଡ଼ିକ ସ୍ଵଦେଶୀ ସଂସ୍କୃତି ପ୍ରତି ଅନୁରାଗର ଲକ୍ଷଣ । ଜଗନ୍ନାଥ ସମ୍ବଦ୍ଧୀୟ ଏହି କାହାଣୀଗୁଡ଼ିକରେ ଆର୍ଯ୍ୟ ଓ ଅନାର୍ଯ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ଦର୍ଶାଇ କବି ଆର୍ଯ୍ୟ ବା ବିଦେଶୀ ସଂସ୍କୃତିର ଦ୍ଵେଷଭାବ ପ୍ରକଟ କରିଛନ୍ତି । କବିଙ୍କର ଧାରଣା ଥିଲା ତଥାକଥିତ ଆର୍ଯ୍ୟ/ଉଚ୍ଚତର ବା ଶାସ୍ତ୍ରୀୟ ସଂସ୍କୃତି ଏକ ଗଳିତ ଜୀବନାଦର୍ଶର ବାହକ । ତାହା ଅବକ୍ଷୟଶୀଳ ପଥରେ କ୍ରମାଭିଯାନ କରୁଛି । ଏହି ଧାରଣାର ବଶବର୍ତ୍ତୀ ହୋଇ କବି ତା’ର ବ୍ୟାପକ ବ୍ୟଭିଚାରର ଚିତ୍ର ଆଙ୍କିଛନ୍ତି କାହାଣୀ ଭିତରେ ।

 

ପ୍ରାଦେଶିକ ଭାଷାମାନଙ୍କର ଆବିର୍ଭାବ କାଳରେ ଆତ୍ମ ପ୍ରତିଷ୍ଠା ପାଇଁ ଏପରି ଶିଷ୍ଟ ସଂସ୍କୃତି ବିରୋଧୀ ମନୋବୃତ୍ତି ସର୍ବତ୍ର ପରିଦୃଷ୍ଟ ହୁଏ ନାହିଁ । ତା’ର କାରଣ ନିର୍ଣ୍ଣୟ ସ୍ଵତନ୍ତ୍ର ଭାବେ କରାଯିବ-। ତେବେ ସାରଳା ମହାଭାରତ ଓ ତେଲଗୁ ମହାଭାରତ ଏ କ୍ଷେତ୍ରରେ ପ୍ରତିନିଧି ସ୍ଥାନୀୟ-। ଇତିହାସର ପ୍ରବାହରେ ସଂସ୍କୃତିର ବିବର୍ତ୍ତନର ଲକ୍ଷଣ ଦୃଷ୍ଟିରୁ ସଂସ୍କୃତଜ୍ଞ ପ୍ରାକୃତ ବିରୋଧୀ ଶିଷ୍ଟ ସମାଜ ପ୍ରତି ଆହ୍ୱାନ ଦେବାର ସାମର୍ଥ୍ୟ ସେ କାଳରେ ସାରଳାଦାସଙ୍କର ହିଁ ଥିଲା । ପ୍ରାକୃତ ଭାଷୀଙ୍କର ଚିତ୍ତ ବିନୋଦନ ଭିତରେ ତାଙ୍କର ସଂସ୍କୃତିର ସ୍ଵାତନ୍ତ୍ର୍ୟକୁ କଳାକୃତିରେ ଅନ୍ତଗର୍ଭିତ କରି ମାନସିକ ଉର୍ଦ୍ଧ୍ୱଚେତନାର ବିକାଶ ପଥ ଉନ୍ମୋଚନ କରିବା ହିଁ ଥିଲା ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ । ସାରଳା ଦାସ ତାଙ୍କର ସମସାମୟିକ ଓଡ଼ିଶା ଓ ତା’ର ବିଦ୍ରୋହବିଦୀର୍ଣ୍ଣ ଚିତ୍ର ପରିପ୍ରେକ୍ଷୀରେ ନିଜ ଗ୍ରନ୍ଥର ଘଟଣା ଓ କାହାଣୀ ବିବେଚନ କରିଛନ୍ତି । ସଂସ୍କୃତର ଅନୁସରଣ କରିନାହାଁନ୍ତି । ଏ ହେତୁ ବହୁ ଅନୁକୃତ କାହାଣୀରେ ମଧ୍ୟ ପରିବର୍ତ୍ତନ ସେ କରିଛନ୍ତି । ତାଙ୍କର ଚରିତ୍ରମାନେ ଦୁଇଟି ଐତିହାସିକ ପ୍ରେକ୍ଷାପଟରୁ ଉଠି ଆସିଥି‌ବା ପରି ଲାଗେ । ପ୍ରଥମଟି ତାଙ୍କ ପରିଚିତ ଦେଶୀ ସଂସ୍କୃତିର ପ୍ରତିନିଧି ସାଧାରଣ ମଣିଷ, ଦ୍ୱିତୀୟଟି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଜୟପରାଜୟ ସହ ଜଡ଼ିତ ଅଭିଜାତ ଶ୍ରେଣୀର ପୁରୁଷ । ଏ ପୁରୁଷମାନେ ଛଦ୍ମବେଶଧାରୀ ରୂପେ ମହାଭାରତର ବିଭିନ୍ନ ଚରିତ୍ର ରୂପରେ ଆତ୍ମବାସ କରିଛନ୍ତି । ସାରଳା କୃତିଗୁଡ଼ିକର ଐତିହାସିକ ଚିତ୍ର ଆଲୋଚନା ବ୍ୟତୀତ ସେମାନଙ୍କୁ ଚିହ୍ନିବା ଅସମ୍ଭବ । ଐତିହାସିକ ସ୍ଵର୍ଗତ ଡଃ ପାଣିଗ୍ରାହୀ ଏହାର ଅନେକ ଦିଗନ୍ତ ଉନ୍ମୋଚନ କରିଛନ୍ତି-। ଏ ପ୍ରସଙ୍ଗରେ ପାଶ୍ଚାତ୍ୟ ପଣ୍ଡିତ ପାର୍ଜିଟାର ସ୍ମରଣୀୟ । ସେ କୁହନ୍ତି ବହୁ ଐତିହାସିକ ଘଟଣା ଓ ପୁରୁଷ ପୁରାଣ କାହାଣୀ ଭିତରେ ଆତ୍ମପ୍ରକାଶ କରିଛନ୍ତି । History Mytholised ଶିରୋନାମାରେ ପାର୍ଜିଟାର ମାହେବ ଭାରତୀୟ ପୁରାଣର ଇତିହାସ ଖୋଜିଛନ୍ତି । ତାଙ୍କର ଏହି ସିଦ୍ଧାନ୍ତକୁ ସାରଳା କିମ୍ବା ବଳରାମଙ୍କର କୃତିଗୁଡ଼ିକ ପ୍ରତି ପ୍ରକାର କଳାତ୍ମକ ବ୍ୟାପାର । ବ୍ୟାପାର ସହ ନିବିଷ୍ଟ ଭାବେ ସାରଳା ଦାସ ଓ ଊଣାଧିକେ ବଳରାମ ଦାସ ପରିଚିତ ଥିଲେ । ଏ ଉଦ୍ୟମ ଜ୍ଞାତ ସାରରେ କରିଥିଲେ ମହାମାନ୍ୟ ଶୂଦ୍ର ମୂନି, କିନ୍ତୁ ତାଙ୍କର ପରବର୍ତ୍ତୀ କବିମାନେ ଏହାକୁ ଏକ ଶୈଳୀ ଭାବେ ଗ୍ରହଣ କରିନେଇଛନ୍ତି ।

 

ଓଡ଼ିଆ ସାହିତ୍ୟ ଆଦିକାଳରୁ ଦ୍ୱିବିଧ ଧାରା ଅନୂସୃତ । ପ୍ରଥମଟି ହେଉଛି ମହାକାବିୟ୍ୟକ ପରମ୍ପରା (Epical Metraphysical tradition), ଦ୍ୱିତୀୟଟି ଲୋକ ପରମ୍ପରା (Folk tradition) । ପ୍ରଥମ ଧାରାରେ ସଂସ୍କୃତ ସାହିତ୍ୟ ଓ ସଂସ୍କୃତିର ଉତ୍ତରାଧିକାର ସୂତ୍ର ପ୍ରଚୋଦିତ ଥିବା ବେଳେ ଦ୍ୱିତୀୟ ଧାରାରେ ପଲ୍ଲବିତ ହୋଇଛି ପ୍ରାନ୍ତୀୟ ସଂସ୍କୃତିର ସମସ୍ତ ବିଭବ । ସ୍ଥାନୀୟ ଜୀବନର ଚିତ୍ର, ଇତିହାସ, କିମ୍ବଦନ୍ତୀ - ଏକ କଥାରେ ଲୋକାୟତ ମାର୍ଗ ବା ଦର୍ଶନର ଦୃଷ୍ଟିରେ ଜୀବନ ବିମ୍ବ ଫୁଟି ଉଠିଛି । ଦେଶୀୟ ସଂସ୍କୃତିର ପ୍ରୋତ୍ସାହନ ସହ ଦେଶ ଜୀବନ ମଧ୍ୟରେ ପରିଦୃଷ୍ଟ ନୂଆ ସମସ୍ୟାର ଆକଳନ ଓ ଆଲେଖନ ଜନସାଧାରଣଙ୍କ ପାଇଁ ଥିଲା ରୋମାଞ୍ଚକର । ମହାକବି ସାରଳା ସେଇମାନଙ୍କ ଉଦ୍ଦେଶ୍ୟରେ ବାରମ୍ବାର କହିଛନ୍ତି, ‘‘ସଂସାର ଜନହିତେ ଏ ପୁରାଣ ଲିଖନ-।’’ ଲୋକ ଜୀବନକୁ ଶୁଦ୍ଧ ଆଦର୍ଶପୂର୍ଣ୍ଣ କରିବାକୁ ହେବ । ଉଚ୍ଚମାନର ସଂସ୍କୃତିରେ ଯେଉଁ ସ୍ଖଳନରେ ଦର୍ଶାଇଛନ୍ତି ତାହା ଏକ ପ୍ରକାର ସତର୍କବାଣୀ । ତାକୁ ଆଦର୍ଶରୂପେ ଗ୍ରହଣ କରାଯାଇ ନପାରେ । ତେଣୁ ସେ ଏକ ଭିନ୍ନ ପଞ୍ଜିକା ତିଆରି କରିଛନ୍ତି । ସେ ଆଚରଣ ପଞ୍ଜିକା ସଂହିତା ଶାସ୍ତ୍ର (ମନୁ, ପରାଶର, ଗୌତମ) ପରି ମହତ୍ୱପୂର୍ଣ୍ଣ ଓ ଓଡ଼ିଆ ସମାଜର ଚଳଣିରେ ସ୍ଵୀକୃତ । ସଂସ୍କୃତ ମହାଭାରତ ସହିତ ସାରଳା ମହାଭାରତ ଏ ପରିପ୍ରେକ୍ଷୀରେ ସାମ୍ୟ ବୈଷମ୍ୟରେ କେତେ ରୁଦ୍ଧିମନ୍ଥ ତାର ବିଚାର ଆଦୌ ଗୁରୂତ୍ୱପୂର୍ଣ୍ଣ ନୁହେଁ । ମୁଖ୍ୟ ବିଚାର ହେଉଛି ସାରଳା ପ୍ରକଟିତ କରିଥିବା ସାଂସ୍କୃତିକ ଦ୍ୱନ୍ଦ୍ୱ ଭିତ୍ତିରେ ପ୍ରାନ୍ତୀୟ ସଂସ୍କୃତିର ପୃଷ୍ଠପୋଷକତା ଓ ତା ’ର ବିକାଶ । ମହାଭାରତର ଯୁଦ୍ଧକାହାଣୀ କଙ୍କାଳ ମାତ୍ର । କାହାଣୀ ବିଚାର ଦୃଷ୍ଟିରୁ ମୌଳିକତା ଅନବଦ୍ୟ, ଜୀବନବୋଧ ଦୃଷ୍ଟିରୁ ପରସ୍ପର ମଧ୍ୟରେ ଏକ ଆଦର୍ଶଗତ ସମନ୍ୱୟ ଓ ପରିପୂରଣ କବି କାମନା କରିଛନ୍ତି । ଆଞ୍ଚଳିକ ସଂସ୍କୃତି, ଜୀବନର ଗାଥା ହେୟ ଓ ଘୃଣ୍ୟ ନୂହେଁ, ବରଂ ତାହା ଉଚ୍ଚତର ସଂସ୍କୃତି ସହ ସମାନ ।

 

ସାରଳାଙ୍କ ପରେ ବଳରାମ ଦାସ (୧୬ଶ ଶତକ) ସମ୍ରାଟ ପ୍ରତାପରୁଦ୍ର ଦେବଙ୍କ କାଳର ଯଥାର୍ଥ ଉପଯୋଗ କରି ରାଶି ରାଶି ଗ୍ରନ୍ଥ ରଚନା କରିଛନ୍ତି । ସେଥି ମଧ୍ୟରୁ ‘ଦାଣ୍ଡି ରାମାୟଣ’ ପ୍ରଥମ ଓ ଶ୍ରେଷ୍ଠ କୃତି । ବାଲ୍ମୀକି ରାମାୟଣଠାରୁ ଏହା ଏକ ବ୍ୟତିକ୍ରମ ସୃଷ୍ଟି । ମହାଭାରତ ତୂଲ୍ୟ ଅନୁସୃଜନର ଲକ୍ଷଣରେ ରଚିତ ଏ ଗ୍ରନ୍ଥ ବିଶାଳ ଭାରତବର୍ଷକୁ ଏକ ସଂକ୍ଷିପ୍ତ ଉତ୍କଳ-ଭାରତ ଭୂମିରେ ପରିଣତ କରି ଦେଇଛି । କବି ବଳରାମ ଥିଲେ ବାଲ୍ମୀକି ରାମାୟଣର ବଖାଣକାର । କବି ନିଜେ ମୂଳଗ୍ରନ୍ଥଠାରୁ ନିଜର ପାର୍ଥକ୍ୟ ସୂଚାଇ କହନ୍ତି -

 

ବଖାଣ କରନ୍ତି ଯାହା ସୁଜ୍ଞମୁନି ଜନ,

ତାହାକୁ ପୁରାଣ ମଧ୍ୟେ କରନ୍ତି ଲିଖନ ।

ଚଉବିଂଶ ସହସ୍ର ଶ୍ଲୋକ ଏ ଗୀତରସ,

ବାଲମିକ ମୁନି ଯାହା କଲେକ ପ୍ରକାଶ ॥

ବିଦୁଜନ ମୁଖରୁ ଯେ ଶୁଣିଲଇଁ ତାହା,

ଦୟାକଲେ ମୋତେ କମଳାଦେବୀ ନାହା ।

ତେଣୁ ଏହି କାବ୍ୟକୁ ବାକ୍ୟ କଲି,

ଲକ୍ଷେ ପଦ ଠିକ, କରି ଗୀତେ ବସାଇଲି ।।

 

ବାଲ୍ମୀକି ରାମାୟଣ କବିଙ୍କର ମୁଖ୍ୟ ଆଦର୍ଶ ହେଲେ ମଧ୍ୟ ସାରଳା ମହାଭାରତ, ଆଧ୍ୟାତ୍ମ ରାମାୟଣ, ଭାଗବତ, ପଦ୍ମପୁରାଣ, ମହାନାଟକ ପ୍ରଭୃତିର ରାମକଥା ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି । ଡଃ ବଂଶୀଧର ମହାନ୍ତିଙ୍କ ପ୍ରଦତ୍ତ ଏକ ଉଦ୍ଧୃତାଂଶରୁ ସୂଚନା ମିଳେ ଯେ ମହାନାଟକ ପାଠପରେ ବଳରାମ ରାମାୟଣ ରଚନାରେ ମନ ଦେଇଛନ୍ତି । (କୋଣାର୍କ - ପଞ୍ଚସଖା ବିଶେଷାଙ୍କ - ପୃ ୩୩୮) । ବାଲ୍ମୀକି ରାମାୟଣର ପ୍ରଚଳିତ ତିନୋଟି ପାଠ ମଧ୍ୟରୁ ଉତ୍ତର-ଭାରତୀୟ ପାଠ ବଳରାମଙ୍କ କୃତିର ନିକଟବର୍ତ୍ତୀ । ଏସବୁର ପ୍ରଭାବ ସତ୍ତ୍ୱେ ସାରୋଳୀୟ ରୀତି କବି ଗ୍ରହଣ କରିଛନ୍ତି-

 

ପୂର୍ବ ଭାରତର ପ୍ରମୁଖ ଚାରୋଟି ଭାଷା - ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଅସମୀୟା ଭାଷାର ରାମାୟଣ ମଧ୍ୟରେ ଦାଣ୍ଡିରାମାୟଣ ପ୍ରାଚୀନ କେବଳ ନୁହେଁ, ଉତ୍କୃଷ୍ଟ ମଧ୍ୟ । ବଙ୍ଗଳାର କୃତ୍ତିବାସ ରାମାୟଣ ଓ ଅସମୀୟାର ମାଧବ କନ୍ଦଳୀ ରାମାୟଣ ଆକ୍ଷରିକ ଅନୁବାଦ । ଏକମାତ୍ର ତୁଳସୀ ରାମାୟଣ ସହ ଓଡ଼ିଆ ରାମାୟଣ ତୂଳନୀୟ ହୋଇପାରେ ! କିନ୍ତୁ ବଳରାମ ତୁଳସୀ ଦାସଙ୍କ ପରି ଭଣ୍ଡରସକୁ ପ୍ରାଧାନ୍ୟ ଦେଇ ନାହାନ୍ତି । ତୂଳନାତ୍ମକଭାବେ ବୁଝିଲେ ଦାଣ୍ଡିରାମାୟଣର ପ୍ରତୁଳ ଲୋକକଥା ସମେତ ଯୋଦ୍ଧୃନୀତି- ପ୍ରସଙ୍ଗ, ପ୍ରାକୃତିକ ଶୋଭା ସଂପଦର ବର୍ଣ୍ଣନା, ଶୃଙ୍ଗାର ଚିତ୍ର, ରୂପବର୍ଣ୍ଣନା, ଚରିତ୍ରମାନଙ୍କର ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଓ ଚିତ୍ରଣରେ ବଳରାମ ଅଗ୍ରଗଣ୍ୟ । କଥାବସ୍ତୁର ସାଂଗଠନିକ ସଜ୍ଜିକରଣରେ ମାନସର ଚମତ୍କାରିତା ଦାଣ୍ଡିରେ ଅନୁପସ୍ଥିତ, ମାତ୍ର ପୁରାଣ ଶୈଳୀ ଦୃଷ୍ଟିରୁ ଏହାର ପଟାନ୍ତର ନାହିଁ । କାବ୍ୟିକ ଗଠନରୀତିରେ ‘ମାନସ’ର ଆଙ୍ଗିକ ଓ ଆତ୍ମିକ ନିଟୋଳତା ବଳରାମଙ୍କର କଥନ ଭଙ୍ଗୀ ଓ ସଂଳାପରେ ବଚନ ବକ୍ରତା କାବ୍ୟିକ ରସବୋଧ ପ୍ରତିଷ୍ଠା କରିଛି । ବଳରାମଙ୍କ ଦୃଷ୍ଟିରେ ଭକ୍ତବତ୍ସଳ ଶ୍ୟାମ ଶରୀର ରାମଚନ୍ଦ୍ର ତୁଳସୀ ଓ କୃତିବାସଙ୍କ ପାଖରେ ଭିନ୍ନ ନୁହଁନ୍ତି । ନର ସ୍ତରରୁ ନାରାୟଣ ସ୍ତରକୁ ଉନ୍ନୀତ କରାଇ ବାଲ୍ମୀକି ରାମଚନ୍ଦ୍ରଙ୍କୁ ଦେଖିଛନ୍ତି, ପୁରୁଷୋତ୍ତମ ରୂପେ, ମାତ୍ର ପୂର୍ବାଞ୍ଚଳର କଥାକାରମାନେ ତାଙ୍କୁ ପ୍ରଥମରୁ ହିଁ ପରଂବ୍ରହ୍ମ ଜ୍ଞାନ କରିଛନ୍ତି । ପରଂବ୍ରହ୍ମ ସାଧାରଣ ମାନବ ଶରୀରରେ ରାମଚନ୍ଦ୍ରରୂପେ ଆବିର୍ଭୂତ ହେବା ଏକ ପ୍ରକାର ଭାକ୍ତିକ କଳ୍ପନା । ତୁଳସୀଙ୍କ ପାଖରେ ସେ ବ୍ରହ୍ମମୟ, କୃତ୍ତିବାସ ଦେଖିଛନ୍ତି ସାଧାରଣ ଗୃହସ୍ଥ ରୂପେ, ବଳରାମଙ୍କ ଲେଖନୀରେ ସେ ଜଗନ୍ନାଥ । ଏ ଗ୍ରନ୍ଥମାନଙ୍କର ତୁଳନାତ୍ମକ ଅଧ୍ୟୟନ କରି ଡଃ ରମାନାଥ ତ୍ରିପାଠୀ ଓ ସ୍ୱର୍ଗତଃ ମଜୁମଦାର ଦୁଇ ଅଣ ଓଡ଼ିଆ ସମୀକ୍ଷକ ଦାଣ୍ଡି ରାମାୟଣର ଉତ୍କର୍ଷ ପ୍ରତିଷ୍ଠା କରିଛନ୍ତି ।) (ଦ୍ରଷ୍ଟବ୍ୟ-ରାମଚରିତ ମାନସ ଔର ପୂର୍ବାଞ୍ଚଳୀୟ ରାମକାବ୍ୟ) ।

 

ଓଡ଼ିଆ ରାମାୟଣର ଓଡ଼ିଶା ଏକ କ୍ଷୁଦ୍ର ପୃଥିବୀ । ଛବିଳ ଓଡ଼ିଶାର ପୁରପଲ୍ଲୀ, ନଦୀପର୍ବତ, କୁସୁମିତ କାନନର ବର୍ଣ୍ଣୋଜ୍ଜଳ ସତ୍ତା ପ୍ରଥମ କରି ବିସ୍ତୃତ କାବ୍ୟରୂପ ପାଏ ଦାଣ୍ଡି ରାମାୟଣରେ । ‘ବାରବଧୂମାନଙ୍କର’ ବିଭାଣ୍ଡକ ଆଶ୍ରମ ଯାତ୍ରା, ମାଲ୍ୟବନ୍ତରେ ବର୍ଷାକାଳ’ର ବର୍ଣ୍ଣନାର ଚମତ୍କାରିତା ଅନବଦ୍ୟ ଓ ଅନନ୍ୟ । ବର୍ଣ୍ଣନା ସ୍ଵାଭାବିକ, ଜୀବନ୍ତ ଓ ଚିତ୍ରମୟୀ । ଉପମା, ରୂପକର ଚିତ୍ରାବଳୀରେ ପୌରାଣିକ କବିତ୍ଵର ସ୍ଵତସ୍ଫୂର୍ତ୍ତତା ଜୀବନ୍ତ ହୋଇ ଉଠିଛି । ଛବିଳ ପ୍ରକୃତିର ଏହି ଉତ୍ତରଣରେ ଅପରିଚିତ ଭୌଗୋଳିକ ସ୍ଥାନ ସୁପରିଚିତ କ୍ରୀଡ଼ା ଭୂମିରେ ପରିଣତ ହୋଇଛି । ଦୃଶ୍ୟ ନିକଷା ବଳରାମୀୟ କାବ୍ୟ ପ୍ରତିଭା ସଙ୍ଗୀତ କଳେବରା କରିଛି ଉତ୍କଳ ଭୂମିକୁ ଯେଉଁ ଭୂମି ପକ୍ଷାନ୍ତରରେ ହୋଇଛି ବିଶ୍ଵମୟୀ । ସ୍ୱଦେଶର ଭୌଗୋଳିକ ପରିବେଶର ମାହାତ୍ମ୍ୟ ଗାନ କରିବାକୁ ଯେମିତି କବି ଉତ୍କଣ୍ଠିତ । ରାମଚନ୍ଦ୍ରଙ୍କ ବାନର ସେନାଙ୍କୁ ବାଟବଣା କରାଇ ଆଣିଥିବା ସ୍ଥାନର ନାମ ବଣାଇ, ବାମଦିଗକୁ ସେଇଠାରୁ ମୋଡ଼ି ଯେଉଁଠି ପହଞ୍ଚିଲେ ତା’ର ନାମ ବାମଣ୍ଡା ଏପରି ସ୍ଥାନାଗତ ଐତିହ୍ୟ ସୃଷ୍ଟି କରିଛନ୍ତି କବି । ଏକାମ୍ର, କପିଳାସ, ରଣପୁର, ବିରଜାମଣ୍ଡଳ ଦେଇ ରାମଙ୍କ ସୈନ୍ୟକୁ ପଠାଇଛନ୍ତି ଲଙ୍କା । ରାବଣ ବିରୋଧରେ ସମଗ୍ର ଉତ୍କଳ ଭୂମି ରଣ-ମୁଖର ହୋଇ ଉଠିଛି । ସୀତା ଅନ୍ୱେଷଣରେ ଏ ଭୂମିର ଅନୁଗତ ସାହାଯ୍ୟ ବନପାହାଡ଼ରେ ଉତ୍କୀର୍ଣ୍ଣ ରହିଛି-। କବିଙ୍କର ସହଜ ଜ୍ଞାନରେ ଶିବ ନିବାସ ଭୂମି କୈଳାସ ହେଉଛି କପିଳାସ । ରାମପାଦ ଚିହ୍ନ ବହନ କରି ଓଡ଼ିଶାର ପାହାଡ଼ ପନ୍ତାର ତୀର୍ଥଭୂମିରେ ପରିଣତ । ସ୍ଥାନୀୟ ଅଧିକାରୀଙ୍କୁ ରାମ ସେନାନୀରେ ଅନ୍ତର୍ଭୁକ୍ତ କରି କବି ମନେ କରିଛନ୍ତି ରାମ ଓ ତାଙ୍କର ଅନୁଚରମାନେ ସମସ୍ତେ କବିଙ୍କ ପଡ଼ୋଶୀ । ଜଣେ ପଡ଼ୋଶୀର ଦୁର୍ଦ୍ଦଶାରେ ସମ୍ବେଦନଶୀଳ ହେବା ପ୍ରତ୍ୟେକ ପଡ଼ାବାସୀର କାର୍ତ୍ତବ୍ୟ ।

 

ଦାଣ୍ଡି ରାମାୟଣ ପୁରାଣ ଶୈଳୀରେ ଲିଖିତ ହେଲେ ହେଁ ତା’ର କାବ୍ୟିକ ଆବେଦନ ତୀକ୍ଷ୍ଣ । ଏହାର ମୁଖ୍ୟ ସ୍ଵର କରୁଣ ରସ । ବିରହ, ମୃତ୍ୟ, ଅନୁଶୋଚନାର ବିଚିତ୍ର ବଳୟ ଭିତରେ ପ୍ରତ୍ୟେକ ମୁଖ୍ୟ ଚରିତ୍ର ଯେପରି ଜୀବନର ବାସ୍ତବ ସତ୍ୟ ପ୍ରକାଶ କରନ୍ତି । ମଣିଷର ଅସହାୟତାର ଚିତ୍ର ସୂକ୍ଷ୍ମତର ରୂପରେ ଝଳି ଉଠି ଭାଗ୍ୟର ବିଡ଼ମ୍ବନା ପ୍ରକଟ କରେ । ରାମ, ପରଂବ୍ରହ୍ମ, କିନ୍ତୁ ତାଙ୍କର ମାନବ ଶରୀର ଦୈବୀଘଟନରୁ ମୁକ୍ତ ନୁହେଁ । ପ୍ରେମ ତାଙ୍କ ଜୀବନରେ ବିରହର ନାମାନ୍ତର-। ତ୍ୟାଗ ଓ ଆଦର୍ଶ କରୁଣ ଭାବବ୍ୟଞ୍ଜକ । ତ୍ୟାଗରେ ଜୀବନର ଉତ୍କର୍ଷ ଥାଇ ପାରେ ମାତ୍ର ବଞ୍ଚିବାର ସାଧନା ଭିତରେ କୁଶ୍ରୀ ଓ ସୁଶ୍ରୀର ସଂଘାତ ମଣିଷକୁ ଅଧିକ ମନୋଜ୍ଞ ଓ ଦିବ୍ୟ କରେ । ଏଥିରେ ଅନୁତୀର୍ଣ୍ଣ ବ୍ୟକ୍ତିର ବିଶ୍ଵ ସହ ପରିଚୟ ସମ୍ଭବ ନୁହେଁ । ପୌରାଣିକ ଚରିତ୍ରକୁ ଉଠାଇ ସେ ସ୍ଥାନରେ ଯେ କୌଣସି ସାଧାରଣ ଭାରତୀୟକୁ ବସାଇ ବିଚାର କଲେ ନିର୍ଯାସର ପରିବର୍ତ୍ତନ ହେବ ନାହିଁ । ମଣିଷ ଚିରକାଳ ଏକ ରହସ୍ୟମୟ ଗ୍ରନ୍ଥ, ଅସହାୟତାର କୁମ୍ଭକଣ୍ଣଗ୍ରାସ ସମସ୍ତ ସମ୍ପଦ ସତ୍ତ୍ଵେ ତାହାକୁ କରେ କରୁଣତର । ରାମ ଲକ୍ଷ୍ମଣ, ଭରତ,ରାବଣ, ବିଭୀଷଣ, ଦଶରଥ, ଊର୍ମିଳା, କୌଶୋଲ୍ୟା, କୈକେୟୀ ପ୍ରଭୃତି ଚରିତ୍ର ଭିତରେ ଏଇ ସତ୍ୟଟିର ଅନୁସନ୍ଧାନ କରିଛନ୍ତି ବଳରାମ । ପୁରାଣ କବି ଯେ କୌଣସି କଥାକାର ନ୍ୟାୟରେ ଜୀବନକୁ ନିବିଡ଼ କରି ଚିହ୍ନିଥିଲେ ତା’ର ଚିତ୍ର ସମୂହ ଜୀବନବୃତ୍ତ ସହ ଆତ୍ମୀୟ ମିଳନରେ ଉତ୍ତୀର୍ଣ୍ଣ ହୁଏ । ପ୍ରତିଭା ଦେଶ ଓ କାଳ ସମ୍ବନ୍ଧରେ ଜ୍ଞାନମୟ ନହେଲେ ଜାତିର ମାନସିକ ବୃତ୍ତି, ସଂସ୍କୃତି, ଅଭୀପ୍‌ସା ଓ ଅଭିରୁଚିକୁ ଚିହ୍ନେ ନାହିଁ । କାଳଭିତରେ ରହି କାଳୋତୀର୍ଣ୍ଣ ହେବା କବିର ବାସନା । ଏପରି ହେଲେ କବି ଓ କାବ୍ୟ ପ୍ରତି ପାଠକର ଶ୍ରଦ୍ଧା ଶାଶ୍ୱତ ହୁଏ । କାବ୍ୟରୁ ସ୍ଵଦେଶ ପ୍ରୀତିର ମୃଦୁଝରଣା ପ୍ରବଳା ହୋଇ ସଂହତିର କଥା ଚେତେଇ ଦିଏ । ସ୍ଵର୍ଗତ ମଜୁମଦାରଙ୍କ ଯଥାର୍ଥ ମନ୍ତବ୍ୟ ଦେଖନ୍ତୁ Balaram Das as a national poet has sung for the people, and by making Orissa a miniature world by itself has taught his countrymen to love their land of their birth. (Typical selections from Oriya Literature - Vol - । - Introduction)

 

ଜନଶ୍ରୁତିର ଆଶ୍ରୟରେ ଗ୍ରନ୍ଥ ରଚନା ଏବଂ ଆଖ୍ୟାନ ନିର୍ମାଣ କାଳରେ ତାକୁ କିମ୍ବଦନ୍ତୀ କରଣ ପ୍ରତିଭାର କଥା । ଗ୍ରନ୍ଥର କାହାଣୀ କିମ୍ବଦନ୍ତୀ ରୁପେ ଜନଶ୍ରୁତିରେ ମିଶିଗଲେ ଗ୍ରନ୍ଥର ମୂଲ୍ୟ ଚିରକାଳୀନ ହୋଇଯାଏ । ସେ କାଳର ଲୋକ କଥାରୁ ସାରଳା ମହାଭାରତ ପରି ଦାଣ୍ଡି ରାମାୟଣ ମଧ୍ୟ ଜନ୍ମ ନେଇଛି । ଆଜିର ଲୋକକଥାର ମହାଭାରତ ସାରଳା ମହାଭାରତରୁ ଜନ୍ମ । ସେହିପରି ମଧ୍ୟ ବଳରାମଙ୍କ ଦାଣ୍ଡି ରାମାୟଣ ।

 

ବଳରାମଙ୍କ ସମସାମୟିକ କବି ଜଗନ୍ନାଥ ଭାଗବତର ରଚୟିତା । ମୂଳ ଭାଗବତରେ ଶ୍ରୀଧର ଟୀକା ଅନୁସରଣ କରି କବି ଅନୁବାଦ କରିଛନ୍ତି । ଶୁଦ୍ଧ ଅଦ୍ୱୈତବାଦୀ ଭାଗବତ ଭାଷ୍ୟ ପ୍ରଣେତା ବିଷ୍ଣୁସ୍ଵାମୀଙ୍କର ଅନୁପନ୍ଥୀ ଉତ୍କଳୀୟ ଶ୍ରୀଧର ସ୍ଵାମୀ ଭାବାର୍ଥ ଦୀପିକା ଶୀର୍ଷକ ଭାଗବତର ଟୀକା ପ୍ରସ୍ତୁତ କରିଥିଲେ । ଉତ୍କଳରେ ତାଙ୍କ ଆଦର୍ଶର ପୃଷ୍ଠପୋଷକତାରେ ଶ୍ରୀକୃଷ୍ଣଙ୍କର ଆଦର ବଢ଼ିଥିଲା । ଜଗନ୍ନାଥ ଏହି ଟୀକା ଏବଂ ବୈଷ୍ଣବ ଉପାସନା ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇଥିଲେ-। ତେବେ ଜଗନ୍ନାଥ ଭାଗବତ ଏକ ବିଶୁଦ୍ଧ ଅନୂଦିତ ଗ୍ରନ୍ଥ । ଅନୂଦିତ ହେଲେ ମଧ୍ୟ ଏଥିରେ ପ୍ରତିଭାର ବଳିଷ୍ଠ ସ୍ଵାକ୍ଷର ରହିଛି । ମୂଳର କେତେକ ଅଧ୍ୟାୟକୁ ସଂକ୍ଷେପ କରି ଗୋଟିଏ ଗୋଟିଏ ଅଧ୍ୟାୟ କରିଛନ୍ତି ଏବଂ ବିଷୟବସ୍ତୁର ସଜ୍ଜିକରଣରେ ବ୍ୟତିକ୍ରମ ଦେଖାଇଛନ୍ତି । ବିଷୟଗତ ମୌଳିକତା କ୍ଷୀଣ, କିନ୍ତୁ ଅନୁବାଦର ରୀତିରେ ସୃଜନଧର୍ମିତାର ପରାକାଷ୍ଠା ପ୍ରଦର୍ଶନ ଯୋଗୁ କୃତିଟି ମୌଳିକ ଜଣାଯାଏ । ‘ଅନୁବାଦ ତ୍ରିକୋଟୀରେ ସଂସାଧିତ ହୋଇଛି - ଭାଷାନୁବାଦ, ଭାବାନୁବାଦ ଓ ଅର୍ଥାନୁବାଦ । ଏଥିରେ ପ୍ରଥମ ଦୁଇଟି ମୁଖ୍ୟ, ତୃତୀୟଟି ଗୌଣ ସ୍ଥାନ ଲଭିଛି । ପ୍ରଥମ ଦୁଇଟିର ଅବଲମ୍ବନରେ ଓଡ଼ିଆ ଭାଗବତର ସ୍ୱାତନ୍ତ୍ର୍ୟ ଅନନ୍ୟ ସାଧାରଣ । ମୂଳ ଶ୍ଲୋକର ଉଭୟ ଭାବ ଓ ଭାଷା ଗ୍ରହଣ କରେ ଭାଷାନୁବାଦ । କେବଳ ଭାବ ଭିତରେ ପଦ ଗଠନ ହୁଏ, ଭାବାନୁବାଦର ଲକ୍ଷଣ । ଭାବ ମୂଳ ସହ ଏକ୍ୟ ରକ୍ଷା କରି ନିଜସ୍ଵ ରୀତିରେ ଆତ୍ମ ପ୍ରକାଶ କରେ । ଉଭୟ ରୀତି ଅନୁବାଦକଙ୍କର ଉଭୟ ଭାଷାରେ ପାଣ୍ଡିତ୍ୟ ଏବଂ ଅର୍ଥାଭିବ୍ୟକ୍ତିକ୍ଷମ ଶବ୍ଦ ସଂଯୋଜନ କାମନା କରେ । ଜଗନ୍ନାଥ ଦାସ ଥିଲେ ପ୍ରକୃତରେ ଏ ଦୃଷ୍ଟିରୁ ଅସାଧାରଣ ପାଣ୍ଡିତ୍ୟ ଓ ପ୍ରତିଭାର ଅଧିକାରୀ-। ଓଡ଼ିଆ ଭାଗବତର ଭାଷା ଆଦର୍ଶ ସ୍ଥାନୀୟ । ସେ ଭାଷା ବାସ୍ତବରେ ଓଡ଼ିଆ ଜାତିର ଜିଭ, ଜାତିର ପ୍ରାଣ ପ୍ରତିଷ୍ଠା କାରୀ । କବି ଜଗନ୍ନାଥ ଏହେତୁ ଭାଷାର ନବସ୍ଥପତି ମୂଳ ଭାଗବତରେ ସର୍ବଶାସ୍ତ୍ର ବିଶାରଦ ବ୍ୟାସଙ୍କର ବିଦ୍‌ବତା ଗହନ ଅରଣ୍ୟ ତୁଲ୍ୟ ଅନେକତ୍ର ଅନଧିଗମ୍ୟ । ତେଣୁ କୁହାଯାଏ ବିଦ୍ୟବତାଂ ଭାଗବତେ ପରୀକ୍ଷା । ବହୁଜନଙ୍କର ପରୀକ୍ଷା ଭାଗବତ ଦ୍ୱାରା କରାଯାଏ । ସେପରି କୀର୍ତ୍ତି କମଳ ରୂପୀ କାବ୍ୟଶାସ୍ତ୍ରକୁ ସୁନ୍ଦର ସର୍ବଜନବୋଧ୍ୟ ଲଳିତ ଭାଷାରେ ପ୍ରକାଶ କରିବା ସହଜ ବ୍ୟାପାର ନୁହେଁ । ଜଗନ୍ନାଥ ଦାସଙ୍କ କଣ୍ଠରୁ ମୂଳର ତାତ୍ତିକ ବିଷୟ ଆକାଶ ବାରି ପରି ସହଜେ ନିର୍ଗତ ହୋଇ ଆସିଛି । ଏହା କମ୍‌ ବିସ୍ମୟକର କଥା ନୁହେଁ ।

 

ଭାଗବତରେ ଅବୋଧ୍ୟ ତତ୍ତ୍ଵକୁ ଅପରିପକ୍ୱ ଜନତା ସାମ୍ନାରେ ରସୋତ୍ତୀର୍ଣ୍ଣ କରି ପ୍ରକାଶ କରିବାରେ କବି ନବାକ୍ଷରୀ ଛନ୍ଦ ଉଦ୍ଭାବନ କରିଛନ୍ତି । ଏ ଛନ୍ଦର ବୈଶିଷ୍ଟ୍ୟ ଦୁଇଟି । ଏହା ସହଜେ ଆବୃତ୍ତି ଯୋଗ୍ୟ ଓ ସଂଗୀତ ଧର୍ମରେ ବିଭିନ୍ନ ତାଳମାନ ଦେଇ ଗାନଯୋଗ୍ୟ । ତନ୍ମୟତାର ଯେଉଁ ସ୍କେଲରେ ଭାବ ଅବସ୍ଥାନ କରୁନା କାହିଁକି ଶ୍ରୁତି ମଧୁର ହୋଇଥାଏ । ନିରକ୍ଷର ବା ବିଜ୍ଞ ଉଭୟଙ୍କ ପାଇଁ ସ୍ଵରୀତିରେ ଆବୃତ୍ତି ବା ଗାନଯୋଗ୍ୟ ଏ ଛନ୍ଦ ଗ୍ରହଣରେ କବି ଗୋଟିଏ ଗୋଟିଏ ପଦକୁ ପୂର୍ଣ୍ଣ କବିତାଟିଏ କରିଦେଇଛନ୍ତି । ଏହାର ରୀତି ବାଇବେଲୀୟ ବାକ୍‌ରୀତି ପରି ଏକ ପ୍ରତ୍ନ ଓ ଶିଷ୍ଟ ରୀତିର ସମନ୍ନୟ କରି ଦେଇଛି । ଓଡ଼ିଆ ଭାଗବତ ଓଡ଼ିଆ ପୁରାଣକୁ ଏପରି ଏକ ଉଚ୍ଚତା ପ୍ରଦାନ କରିଛି, ଯାହା ଗ୍ରାମେ ଗ୍ରାମେ ଘରେ ଘରେ ଭାଗବତ ଗାଦି ରୂପେ ନିତ୍ୟ ପଠିତ ହୁଏ ଅଦ୍ୟାବଧି ।

 

ଜଗନ୍ନାଥ, ବଳରାମଙ୍କ ସମସାମୟିକ ସ୍ରଷ୍ଟା ଅଚ୍ୟୁତାନନ୍ଦ ‘ହରିବଂଶ’ ରଚୟିତା । ସେ ଏକମାତ୍ର ଓଡ଼ିଆ କବି ଯିଏ ସନ୍ଥ ଆସନରେ ଅଦ୍ୟାବଧି ରହସ୍ୟମୟ ହୋଇ ରହିଛନ୍ତି । ତାଙ୍କର ପ୍ରତ୍ୟେକ ଗ୍ରନ୍ଥ ପୁରାଣ ଅନୁକରଣରେ ରଚିତ । ସେ ସବୁ ଗ୍ରନ୍ଥର ସଂଖ୍ୟା ଏବେବି ବିବଦମାନ । ପୁରାଣ, ସଂହିତା, ଗୀତା, ମାହାତ୍ମ୍ୟ- ସବୁ ଆଙ୍ଗିକରେ ଧୂରୀଣ ସ୍ରଷ୍ଟା ଭାବେ ବିଦିତ କବି ଅଚ୍ୟୁତାନନ୍ଦ ଥିଲେ ଷୋଡ଼ଶ ଶତକ ଓଡ଼ିଶାର ସାମାଜିକ କବି ଐତିହାସିକ । ସଂସ୍କୃତରେ ହରିବଂଶ ଏକ ଉପପୁରାଣ, ମାହାତ୍ମ୍ୟ ତୂଲ୍ୟ ଗ୍ରନ୍ଥ, ଆକାରରେ କ୍ଷୁଦ୍ର । ମାତ୍ର ଅଚ୍ୟୁତାନନ୍ଦଙ୍କ କୃତି ସାତଖଣ୍ଡରେ ବିଭକ୍ତ ବିରାଟ ଗ୍ରନ୍ଥ । ଏଣୁ ମୂଳର ଅନୁକୃତି ନୁହେଁ । ଏକ ମୌଳିକ ଗ୍ରନ୍ଥ । କୁଷ୍ଣ ଚରିତର ବ୍ୟାପକ ପରିବର୍ତ୍ତନ ଓ ପରିବର୍ଦ୍ଧନ କରି ନୂତନ କୃଷ୍ଣ ଆଖ୍ୟାନ ସେ ସୃଜିଛନ୍ତି । କୃଷ୍ଣ ସେଥିରେ ମହାଭାରତ, ଭାଗବତ କ୍ଷେତ୍ରରୁ ଓହ୍ଲାଇ ଆସିଥିଲେ ମଧ୍ୟ ଓଡ଼ିଶାର ମୌଳିକ ଦର୍ଶନରେ ବଢ଼ିଛନ୍ତି । ମହାଭାରତର ଶ୍ରୀକୃଷ୍ଣ ଇତିହାସର ସନ୍ତାନ, ଭାଗବତର ଶ୍ରୀକୃଷ୍ଣ ଆଧ୍ୟାତ୍ମିକତାର ଜନକ-। ଏ ଦୁଇଟି ଶ୍ରୀକୃଷ୍ଣୀୟ ସତ୍ତା ମିଶି ହରିବଂଶରେ ନୂତନ ରୂପରେ ଆବିର୍ଭୂତ ହୋଇଛନ୍ତି । ଓଡ଼ିଆ ସମାଜର ଗୋପାଳମାନଙ୍କର ସେ ଅଗ୍ରପୂଜ୍ୟ ଗଣନାଥ- ତାଙ୍କ ନେତୃତ୍ୱରେ ଓଡ଼ିଆ ସମାଜର ଇତିହାସ ମୁଖରିତ ହୋଇଛି । ଜନସାଧାରଣଙ୍କ ପାଖରେ ସେ ଆଧ୍ୟାତ୍ମିକ ରସବୋଧରେ ପ୍ରତିଷ୍ଠିତ ପରଂବ୍ରହ୍ମ । ମାତ୍ର ନର ଶରୀରରେ ଆତ୍ମପ୍ରକାଶ କରି ସବୁ ମାନବିକ ଦୋଷ ଦୁର୍ବଳତା ଭୋଗ କରିଛନ୍ତି । ପରଂବ୍ରହ୍ମଙ୍କୁ ମଣିଷ କରି ମର୍ତ୍ତ୍ୟର ଅମର୍ତ୍ତ୍ୟ ସଂପଦ କରିଦେବା କବିର ବୈଶିଷ୍ଟ୍ୟ-। ଅବହେଳିତ ଏକ ସଂପ୍ରତାୟର ସାମାଜିକ ମାନ ବୃଦ୍ଧି କରିବା ଭିତରେ ମଣିଷକୁ ତା’ର ସାଧନା ଦ୍ୱାରା ଅମର୍ତ୍ତ୍ୟ ହେବାର ସମ୍ଭାବନା ଓ ଆଶ୍ଵାସନା ଶୁଣାଇବା କବିଙ୍କର ଲକ୍ଷ୍ୟ । ସ୍ଵର୍ଗଠାରୁ ଗରୀୟସୀ ଇହଲୋକର ଆକର୍ଷଣ ଦେବତାକୁ ଧରାବତରଣ କରାଏ । ଲୀଳାବିଧୃତ ଶ୍ରୀକୃଷ୍ଣଙ୍କର ମର୍ତ୍ତ୍ୟଲୀଳା ବର୍ଣ୍ଣନା ମାଧ୍ୟମରେ ମଣିଷର ସାଧନାକୁ ଉର୍ଦ୍ଧ୍ୱମୁଖୀ ଓ ଦୈବୀମାର୍ଗ ଅଭିଯାତ୍ରୀ ହେବାକୁ ଏହାଦ୍ୱାରା ଉତ୍ସାହିତ କରିଛନ୍ତି । ପୁରାଣର ସାମାଜିକ ତାତ୍ପର୍ଯ୍ୟ ଏ ଦୃଷ୍ଟିରୁ ହରିବଂଶ ଦ୍ୱାରା ସମ୍ଭବ ହୋଇଛି । ଅଚ୍ୟୁତାନନ୍ଦ ହରିବଂଶ ଓ ଅଗଣିତ ଗୀତା ସଂହିତାଦି ଭଜନ ଜଣାଣ ରଚନା ମାଧ୍ୟମରେ ଓଡ଼ିଶାରେ ଅଦ୍ୱିତୀୟ ମହାପୁରୁଷ ଭାବେ ପୂଜା ପାଉଛନ୍ତି । ତାଙ୍କର ଭଜନ ଏବେ ବି ନିଶବ୍ଦ ଘରେ ଚହଳ ପକାଇ ବ୍ୟକ୍ତିକୁ ନିଦ୍ରୋତ୍‌ଥିତ କରେ, ଶ୍ରୀକୃଷ୍ଣଙ୍କ ବଂଶୀସ୍ଵନ ପରି ସମବେତ କରାଏ । ତାଙ୍କର ବଚନ ଓଡ଼ିଆକୁ ଯୁଗଯୁଗ ଧରି କରିଛି ଦାର୍ଶନିକ ଓ ତତ୍ତ୍ୱମୁଖୀ । ସେଥିରେ ଶିକ୍ଷିତ ଅଶିକ୍ଷିତର ବିଚାର ନାହିଁ, ଅଛି ବିଜ୍ଞତାର ପରିଚୟ ଦେବାର ସ୍ଵାଭିମାନ, ଏକାତ୍ମହେବାର ଅନୁରାଗ-। ଦୈବୀଚେତନା ସହ ସମ୍ମିଳିତ ହେବାର ଦୂରନ୍ତ କାମନା । କବି ଅଚ୍ୟୁତାନନ୍ଦ ଏ ହେତୁ ସାମାଜିକ ସ୍ତରରେ ଅଲିଭା ଏକ ଆଧ୍ୟାତ୍ମିକ ପ୍ରଦୀପ ।

 

ଷୋଡ଼ଶ ଓ ସପ୍ତଦଶ ଶତକର ଦୁଇଜଣ ବଳିଷ୍ଠ ପ୍ରତିଭାଧାରୀ କବି ମହାଦେବ ଦାସ ଓ ପୀତାମ୍ବର ଦାସ ଯଥାକ୍ରମେ ବିଷ୍ଣୁ କେଶରୀ ଓ ନୃସିଂହ ପୁରାଣର ଥିଲେ ରଚୟିତା । କବି ମହାଦେବ ଜଗନ୍ନାଥଙ୍କ ଭାଗବତର ଶେଷସ୍କନ୍ଦ ରଚନାକରିଥିବାର ଅନୁମାନ କରାଯାଏ । ତେଣୁ ତାଙ୍କ କବିତ୍ୱରେ ନିର୍ମଳ ଭାଷାନୁପ୍ରୀତି ଓ ସୃଜନଶକ୍ତିର ସମନ୍ନୟ ଲକ୍ଷ୍ୟ କରାଯାଏ । ପାଞ୍ଚଖଣ୍ଡରେ ବିଭକ୍ତ ବିଷ୍ଣୁ କେଶରୀ ପୁରାଣ ଭାଗବତ, ମହାଚରିତ, ହରିବଂଶ ପୁରାଣର କଥାବସ୍ତୁ ଦ୍ୱାରା ପ୍ରଭାବିତ । ଏଥିରେ ପୁରାଣାନ୍ତର ବିଷୟ ସଂଯୋଜିତ ହୋଇଥିଲେ ମଧ୍ୟ ଏହା ଏକ ମୌଳିକ ପୁରାଣ ଗ୍ରନ୍ଥ । ନୃସିଂହ ପୁରାଣ ଅନୁରୂପ ଏକ ମୌଳିକ ପୁରାଣ । ସାତଖଣ୍ଡରେ ବିଭକ୍ତ ଏ ଗ୍ରନ୍ଥ ଓଡ଼ିଶାରେ ବୈଷ୍ଣବ ତତ୍ତ୍ୱଗ୍ରନ୍ଥ ଭାବେ ସମ୍ମାନିତ ହୋଇଛି । ସଂସ୍କୃତରେ ନୃସିଂହ ପୁରାଣ ଏକ ମାହାତ୍ମ୍ୟ ବା ଉପପୁରାଣ । ପୀତାମ୍ବର ଓଡ଼ିଶାରେ ପ୍ରଚଳିତ ନରସିଂହ ଉପାସନା ଓ ନରସିଂହ ତନ୍ତ୍ରର ଅନୁସରଣରେ ଗ୍ରନ୍ଥ ଲେଖିଛନ୍ତି । ତେଣୁ ଆଧ୍ୟାତ୍ମିକ ଓଡ଼ିଶାର ଚିତ୍ର ଏ ଗ୍ରନ୍ଥରେ ପ୍ରତିଫଳିତ ବୋଲି କୁହାଯାଇପାରେ । ବିଷ୍ଣୁକେଶରୀ ଓ ନୃସିଂହ ପୁରାଣ ବିଷ୍ଣୁ ପୁରାଣର କଥାବସ୍ତୁ ଉପରେ ଆଧାରିତ ନୁହେଁ; ତଥାପି ଏ ଦୁଇଟିକୁ ଏକ ଶ୍ରେଣୀର ବିଷ୍ଣୁପୁରାଣ କୁହାଯାଇପାରେ । ବିଷ୍ଣୁଲୀଳାର ପ୍ରଖ୍ୟାପନ ଉଦ୍ଦେଶ୍ୟ ଥିବାରୁ କବିଦ୍ୱୟ ସେ ଲୀଳା ସଂକ୍ରାନ୍ତୀୟ ଅନେକ ଆଖ୍ୟାନ ସଂଯୋଜନ କରିଛନ୍ତି । ଓଡ଼ିଆ ପୁରାଣ କବିମାନଙ୍କ ମଧ୍ୟରେ ମହାଦେବ ଦାସ ପ୍ରାକ୍‌ରୀତି ଯୁଗୀୟ କାବ୍ୟଶୈଳୀ ଦ୍ୱାରା ପ୍ରଭାବିତ । ତାଙ୍କର ଉପମା, ଚିତ୍ରକଳ୍ପରେ ବୈଚିତ୍ର୍ୟ ଓ ବ୍ୟତିକ୍ରମ ଦେଖାଯାଏ । ଆମର ପୁରାଣଶୈଳୀରେ ପ୍ରାୟତ ଅଲୌକିକ ଜଗତର ଉପମା ଉପମେୟ ସ୍ଥାନ ପାଇଥାନ୍ତି । ସେଗୁଡ଼ିକ ଅତିରଞ୍ଜିତ, ପରୀଗଳ୍ପ ପରି ଶ୍ରୋତାମାନଙ୍କୁ ବିସ୍ମୟଜାଲରେ ବାନ୍ଧିଦିଅନ୍ତି । କବି ମହାଦେବ ଉପମା ବ୍ୟବହାରରେ ବାସ୍ତବ ଜଗତର ଆଶ୍ରୟ ନେଇଛନ୍ତି । ପରିଚିତ ଦୁନିଆରୁ ଉପମାମାନ ସଂଗୃହୀତ । କବି ଏ ଦୁଇ ଶ୍ରେଣୀର ଉପମା ବ୍ୟବହାର କରିଥିଲେ ମଧ୍ୟ ଶେଷୋକ୍ତ ଶ୍ରେଣୀର ଉପମା ସଂଖ୍ୟାଧିକ । ଏହା ତାଙ୍କୁ ପୌରାଣିକ ଅତିରଞ୍ଜନରୁ ମୁକ୍ତ କରିଛି । ଅପର ପକ୍ଷରେ ପୁରାଣର ବାକ୍‌ ବୈଚିତ୍ର ଅକ୍ଷୁର୍ଣ୍ଣ ରଖି ଏକ ସଂଯତ ଓ ପରିମିତ ଅଭିବ୍ୟକ୍ତି ଭିତରେ ବର୍ଣ୍ଣନାକୁ କାବ୍ୟିକ ରସଧର୍ମ ଭୂଷିତ କରିଛନ୍ତି । ଏଠାରେ ଉପମାର କେତୋଟି ଉଦାହରଣ ନିଆଯାଉ-ଶଯ୍ୟାଛାଡ଼ି ପୁଣି ଲେଉଟି ଚାହିବା ରୀତି, ଅଣ୍ଡକୋଷରୁ ଖଗ ଅନ୍ତର ହେବାପ୍ରାୟ (ବହ୍ମାଙ୍କ ତନୁ ତ୍ୟାଗ ପରେ ତାଙ୍କ ଦେହରୁ ପିତୃଗଣଙ୍କର ଆବିର୍ଭାବ ବର୍ଣ୍ଣନା ପ୍ରସଙ୍ଗରେ) । ନାଡ଼ିମାଳରେ ଭୂଷିତ ନୃସିଂହଙ୍କ ଉପମା - କଳ୍ପବୃକ୍ଷରେ କିବା ଓହଳ ପ୍ରାୟେ’, । କିଅବା ଇନ୍ଦ୍ରଧନୁ ଗଗନେ ଉଦୟେ । କୁଟୁମ୍ବ ଜଞ୍ଜାଳର ଚିତ୍ର-ଇନ୍ଦୁର ଗଳାରେ ଗଣ୍ଠି, ଶୁଆର ଗୋଡ଼ରେ ଲୁହାର ଫାଶ । ଟାଙ୍ଗରା ମୁଣ୍ଡରେ ନରହେ ଫୁଲ-ସେହିମତି ସୁଖସିନା ସଂସାରରୁ ଯାଇ । ପୁଣି ଦେଖୁଦେଖୁ ଏ ସଂପଦ ଆୟୁକ୍ଷୟ ହୁଏ । ମର୍କଟ ଗଳେ ମାଳତୀ ମାଳ ଦେଲା ପ୍ରାୟେ ॥ ଏହି କବିଙ୍କର ‘ମାର୍କଣ୍ଡେୟ ପୁରାଣ’ ଅନ୍ୟତମ ମୌଳିକ ଗ୍ରନ୍ଥ ।

ପୁରାଣ ଗ୍ରନ୍ଥର ପରିଶିଷ୍ଟ ଭାବେ ମାହାତ୍ମ୍ୟ ଗ୍ରନ୍ଥ ଖ୍ୟାତି ଲାଭ କରିଛି । ପୁରାଣର ସଂଖ୍ୟା ପରି ଏହା ପ୍ରତୁଳ । ପୁରାଣ ରଚନା ସହ ତାଳଦେଇ ମାହାତ୍ମ୍ୟ ରଚିତ ହୋଇଛି । ଏହା ମୁଖ୍ୟତଃ ତୀର୍ଥ, ଦେବ ଓ ବ୍ରତର ଗୁଣ କୀର୍ତ୍ତନ । ତୀର୍ଥ ସ୍ଥାନ ସଂପର୍କିତ, ଦେବ ଭକ୍ତିର ଓ ବ୍ରତ ଶୁଦ୍ଧାଚାରର ବିଷୟ ହୋଇଥିବା ହେତୁ ମାହାତ୍ମ୍ୟରେ ଏ ତିନୋଟିର ପ୍ରାଧାନ୍ୟ ବର୍ଣ୍ଣିତ ହୁଏ । ପୁରାଣ ପରି ମାହାତ୍ମ୍ୟ ବର୍ଣ୍ଣନାତ୍ମକ ଓ ଉପଦେଶାତ୍ମକ ଗ୍ରନ୍ଥ ହେତୁ ମାହାତ୍ମ୍ୟ ପାଠ ପାଇଁ ତାହା ନିର୍ଦ୍ଧାରିତ ।

 

ଉପଯ୍ୟୁକ୍ତ ଆଲୋଚନା ଭିତ୍ତିରେ ଓଡ଼ିଆ ପୁରାଣର ଲକ୍ଷଣ ନିରୂପଣ କରାଯାଇ ପାରେ । ପୁନରାବୃତ୍ତି ହେଲେ ହେଁ ପ୍ରସଙ୍ଗତଃ କୁହାଯାଉ - ଭାରତୀୟ ସାହିତ୍ୟ ପରିପ୍ରେକ୍ଷୀରେ ଓଡ଼ିଆ ପୁରାଣ ଏକ ଆଞ୍ଚଳିକ ରୂପ । ଏହା ଶାସ୍ତ୍ରୀୟ ଧାରାରେ ଅନୁବଦ୍ଧ ନୁହେଁ । ଶାସ୍ତ୍ରୀୟତା ଦୃଷ୍ଟିରେ ବିଚାରିଲେ ଏହାର ସତ୍ତା ଲୁପ୍ତ ହୋଇପାରେ । ସୂଚାଇ ଦିଆଯାଇଛି ଯେ ବିଶେଷ ଏକ ସାମାଜିକ ଆବଶ୍ୟକତା ଓ ଲକ୍ଷଣରେ ଓଡ଼ିଆ ପୁରାଣର ଜନକ ସାରଳା ଦାସ ପୁରାଣ ପରମ୍ପରାର ପ୍ରତିଷ୍ଠା କରିଥିଲେ ଓ ପରେ ଅନ୍ୟ କବିମାନଙ୍କ ଦ୍ୱାରା ତା’ର ବିକାଶ ଘଟିଥିଲା । ଶାସ୍ତ୍ରୀୟତାର ସ୍ଥୂଳ ଅର୍ଥରେ ନୁହେଁ, ସୂକ୍ଷ୍ମ‌ ଦ୍ୟୋତନାରେ ବୁଝିଲେ ଆକ୍ଷରିକ ଅନୁଗମନ କବିମାନଙ୍କର ଉଦ୍ଦେଶ୍ୟ ନ ଥିଲା । ସେମାନେ ମୂଳଗ୍ରନ୍ଥକୁ ଆଦର୍ଶ ଭାବେ ନେଇଥିଲେ । ସୁତରାଂ ଓଡ଼ିଆ ପୂରାଣ ଶାସ୍ତ୍ରୀୟ ମୁଦ୍ରଣ ନୁହେଁ - ସାଦୃଶ୍ୟ ମୁଦ୍ରଣ, ସଂସ୍କୃତର ସମବଂଶୀୟ (Genetic) ନୁହେଁ ପ୍ରତିରୂପକ (typological) । ମୂଳଗ୍ରନ୍ଥର ସାମନ୍ତରାଳ ସୃଷ୍ଟି । ତତ୍ତ୍ଵ ଓ ତଥ୍ୟ ଆଖ୍ୟାନ ଉପାଖ୍ୟାନ, ସଂଜ୍ଞା ଓ ଲକ୍ଷଣର ନିୟାମାନୁସରଣର ଅନୁକୃତି ଏଥିରେ ଅନୁପସ୍ଥିତ । ମୂଳର ରୂପାନ୍ତରୀକରଣ ବା ଅନୁହରଣ କୌଶଳ ଏଥିରେ ପରିଦୃଷ୍ଟ ହୁଏ । ପୁରାଣ ପରି ଓଡ଼ିଆ ସାହିତ୍ୟରେ ଗୀତା, ସଂହିତା, ମାହାତ୍ମ୍ୟ ଇତ୍ୟାଦି ଭିତ୍ତି ସାଦୃଶ୍ୟ (homology) ଅର୍ଥାତ୍‌ ଗାଠନିକ ସାଦୃଶ୍ୟ ବହନ କରନ୍ତି । ଓଡ଼ିଆ କବିମାନେ ପୁରାଣର ଆଙ୍ଗିକ ରୂପ ରକ୍ଷା କରି ତାର ସ୍ଵର, କଥା ସଂପଦ ଓ ବାଣୀ ଭଙ୍ଗୀର ବ୍ୟାପକ ପରିବର୍ତ୍ତନ କରିଛନ୍ତି । ଶାସ୍ତ୍ରୀୟ କଥାର ସାରଭୂତ ସଂରଚନା ସହ ଗର୍ଭିତ ହୋଇଛି ମୌଳିକ ଆଖ୍ୟାନ । ସଂସ୍କୃତ ଲକ୍ଷଣ ଓ କାବ୍ୟିକ ସଂପଦ ଏକ ପ୍ରକାର ପରିବହନ ରୀତିରେ ଆତ୍ମ ପ୍ରକାଶ କରିଛନ୍ତି । ଓଡ଼ିଆ କବିବର୍ଗ ନିଜ ଭାଷା ଓ ପରିବେଷ୍ଟନୀର ଅଭିରୁଚିରେ ପ୍ରାଚୀନ ବା ସମସାମୟିକ ସାମାଜିକ, ସାଂସ୍କୃତିକ, ଐତିହାସିକ ବସ୍ତୁସମୂହର ପ୍ରତିବେଦନର ଚିନ୍ତା କରିଛନ୍ତି । ଫଳରେ ଏକ ନୂତନ ପଦ୍ଧତି ଉଦ୍ଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ସଂକ୍ଷିପ୍ତ ସାରାଂଶ ବାହାର କରାଯାଇପାରେ ।

 

(୧)

(କ) ଓଡ଼ିଆ ପୁରାଣ ଏକ ଶୈଳୀ ବିଶେଷ (ଖ) ସଂସ୍କୃତର ପ୍ରତିରୂପକ (ଗ) ଆଞ୍ଚଳିକ ରୂପ ।

 

(୨)

ଗାଠନିକ ବା ଆକାରଗତ ବୈଷମ୍ୟ ବା ଉପସର୍ଗ ସ୍ଵୀକାର କରାଯାଇ ନାହିଁ, ଅର୍ଥାତ୍‌ କ୍ଷୁଦ୍ର ଓ ବୃହତ ନିର୍ବିଶେଷରେ ପ୍ରତ୍ୟେକ ରଚନା ପୁରାଣ ପଦବାଚ୍ୟ । ପୁରାଣ, ଉପପୁରାଣ ଶ୍ରେଣୀ ବିଭାଜନ ହୁଏ ନାହିଁ । ମହାଭାରତ, ରାମାୟଣ ପୁରାଣ ରୂପେ ପଠିତ ଶ୍ରଦ୍ଧାର ଗ୍ରନ୍ଥ । ସେହପରି ଲକ୍ଷ୍ମୀପୁରାଣ, କଳ୍‌କୀ ପୁରାଣ ସମଶ୍ରେଣୀ ଭୁକ୍ତ ।

 

(୩)

ଦେବଦେବୀ ଚରିତ ସମେତ ଦେବୋତ୍ତର ଚରିତକୁ ନେଇ ପୁରାଣ ଓଡ଼ିଆରେ ପରିଦୃଷ୍ଟ - ଯଥା ଗାନ୍ଧୀପୁରାଣ, ସଂସ୍କୃତର ଦେବ ଚରିତ ଓଡ଼ିଆର ମାନବ ଚରିତରେ ରୂପାନ୍ତରିତ ହୋଇଛି । କିନ୍ତୁ ସେମାନଙ୍କ ସାଧନା ମାନବୋତ୍ତର ।

 

(୪)

ସଂସ୍କୃତ ପୁରାଣ ଥିଲା ବ୍ରାହ୍ମଣ ବର୍ଗର ମୁଖ୍ୟପତ୍ର, କିନ୍ତୁ ଓଡ଼ିଆ ପୁରାଣ ଶୂଦ୍ର ପୃଷ୍ଠପୋଷିତ ଏବଂ ଏହାର ଆଦି ସ୍ରଷ୍ଟାମାନେ ମୁନି ପଦ ଅଧିକାରୀ । ସଂସାର ଜନହିତ ଉଦ୍ଦେଶ୍ୟରେ ସେମାନେ ଗ୍ରନ୍ଥ ରଚନା କରିଛନ୍ତି ।

 

(୫)

ଓଡ଼ିଆ ପୁରାଣରେ ଧର୍ମ ସାଂପ୍ରଦାୟିକତାର ସ୍ଵାକ୍ଷର ପରିଦୃଷ୍ଟ ହୁଏ ନାହିଁ ।

 

(୬)

ସଂସ୍କୃତ ଉପଲଭ୍ୟ ମାହାତ୍ମ୍ୟ ପ୍ରଧାନ, ଓଡ଼ିଆ ଗ୍ରନ୍ଥ କଥା ପ୍ରଧାନ । ଏହିହେତୁ ଏଥିରେ ବିଭିନ୍ନ ରସର ଅମୀୟ ଝଙ୍କାର ଶୁଭେ । ଏହା ବୀର ଓ କରୁଣ ରସ ପ୍ରଧାନ । ଶ୍ରାନ୍ତି ବା ଭକ୍ତିରସର ସ୍ଥାନ ତୃତୀୟରେ ।

 

(୭)

ଦୀର୍ଘ ସ୍ତବପାଠ, ବନ୍ଦନ, ଭଣିତା ଓ ଆତ୍ମ ପରିଚୟ ଓଡ଼ିଆ ଗ୍ରନ୍ଥରେ ଦେଖାଯାଏ ।

 

(୮)

ପୂର୍ବଜନ୍ମ ବୃତ୍ତାନ୍ତ (ଚରିତ୍ରମାନଙ୍କର) ବହୁଳ ।

 

(୯)

ଏହା ଧର୍ମଗ୍ରନ୍ଥ ନୁହେଁ, ସାହିତ୍ୟ ଗ୍ରନ୍ଥ । କଳାକୃତିର ପ୍ରତିନିଧି । ଗୋଟିଏ ମୁଖ୍ୟ ବିଷୟବସ୍ତୁକୁ ଆଶ୍ରାକରି ଉପବିଷୟ ଥିଲେ ମଧ୍ୟ ମୁଖ୍ୟ ବସ୍ତୁକୁ ଧରି ଗ୍ରନ୍ଥର ଚରିତ୍ରାୟନ କରାଯାଏ । ବର୍ଣ୍ଣନାରେ ପୌରାଣିକ ଅତିରଞ୍ଜନ ସହ କାବ୍ୟିକ ସଂକ୍ଷିପ୍ତତା ଓ ସୁକ୍ଷ୍ମତା ମଧ୍ୟ ପରିଦୃଷ୍ଟ ହୁଏ ।

 

(୧୦)

ଓଡ଼ିଆ ପୁରାଣ ଏକ ପ୍ରକୃଷ୍ଟ ଗଣ ସାହିତ୍ୟ ।

 

ସାରଳାଙ୍କଠାରୁ ପୀତାମ୍ବରଙ୍କ ପର୍ଯ୍ୟନ୍ତ, ଅର୍ଥାତ୍‌ ପ୍ରାୟ ତିନିଶହ ବର୍ଷ ଧରି ଓଡ଼ିଆରେ ପୁରାଣ ରଚନା ଅଭ୍ୟାହତ ରହିଥିଲା । କବି ଓ ଗ୍ରନ୍ଥ ସଂଖ୍ୟାର କଳନା ଅବ୍ୟାବଧି କରାଯାଇ ପାରିନାହିଁ । ପରିମାଣ ଉପରେ ଗୁଣାତ୍ମକ ବିକାଶ ନିର୍ଭର କରେ ନାହିଁ ସତ କିନ୍ତୁ ଗୋଟିଏ ଜାତିର ମାନସିକତା ସହ ତାହା ସଂପୃକ୍ତ । ଜାତିର ଭାବ ସଂଗଠନ ଓ ପାରସ୍ପରିକ ବନ୍ଧନ ଦିଗରେ ସଂଖ୍ୟାର ମୂଲ୍ୟ ଅନେକ । ଗୁଣାତ୍ମକ ଦୃଷ୍ଟିରୁ ଓଡ଼ିଆ ପୁରାଣ ପୀତାମ୍ବରଙ୍କ ପରେ ବା ଉପର୍ଯ୍ୟୁକ୍ତ ଅଂଶରେ ଆଲୋଚିତ ପ୍ରତିନିଧି ସ୍ଥାନୀୟ ପାଞ୍ଚଜଣ କବିଙ୍କ ବ୍ୟତୀତ ଅନ୍ୟମାନେ ସେପରି ପ୍ରତିନିଧିତ୍ୱ ଦେଇ ନାହାଁନ୍ତି । ତଥାପି ଦ୍ଵାରକା ଦାସ, ନୀଳାମ୍ବର ଦାସ, ଈଶ୍ୱର ଦାସ, ଚୈତନ୍ୟ ଦାସ, ଗୌରାଙ୍ଗ ଦାସ, ଦୀନବନ୍ଧୁ ଖାତଙ୍ଗା ପ୍ରଭୃତିଙ୍କ ଦ୍ୱାରା ଅନେକ ପରିମାଣରେ ସମୃଦ୍ଧ । ମୁଖ୍ୟ ଓ ଗୌଣ ଭେଦରେ ଯଥାକ୍ରମେ ନିର୍ବାଚନ କରି ୩୫ ଓ ୩୧ ଟି ପୁରାଣ ନାମ ତାଲିକା ପ୍ରସ୍ତୁତ କରାଯାଇଛି (ଦ୍ରଷ୍ଟବ୍ୟ-ପୁରାଣ ପରିଶୀଳନ-ନଟବର ଶତପଥୀ) । ଏ ତାଲିକାଟି ବ୍ୟକ୍ତିଗତ ରୁଚିକୁ ଧରି ପ୍ରସ୍ତୁତ: କିନ୍ତୁ ତାଲିକା ଆହୁରି ବିସ୍ତୃତାକାରେ କରାଯାଇପାରେ ।

 

 

ରିଡ଼ର ଓଡ଼ିଆ ବିଭାଗ

ରେଭେନସା କଲେଜ, କଟକ

 

 

***

 

ଗଛ ତଳେ ଓ ଗୁଂଫା ଭିତରେ:

Unknown

ଶ୍ରୀ ଜଗନ୍ନାଥ ଓ ସୋନପୁର

ଡକ୍ଟର ପବିତ୍ର ମୋହନ ନାୟକ

 

ହଜାର ହଜାର ଭକ୍ତଙ୍କ ପ୍ରାର୍ଥନାର ପ୍ରତିଧ୍ଵନି ଭିତରେ, ପୁରୀ ମନ୍ଦିର ଗର୍ଭଗୃହର ନୀରବତାରେ ରତ୍ନସିଂହାସନରେ ଉପବିଷ୍ଟ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖିଲେ କିଏ ଭାବିବ ଯେ ମୋଗଲ ଆକ୍ରମଣ ସମୟରେ ଏ ତ୍ରିମୂର୍ତ୍ତିଙ୍କୁ ନୀଳାମ୍ବୁ ଚିଲିକାର ଦୁଷ୍ପ୍ରବେଶ୍ୟ ଦ୍ୱୀପ ଭିତରେ ଅଥବା ଗଂଜାମ ଓ ସୋନପୁରର ଅଗନାଅଗନି ବନସ୍ତ ମଧ୍ୟରେ ମାସ ମାସ ଧରି ଲୁକ୍କାୟିତ ଅବସ୍ଥାରେ ରଖାଯାଇ ଥିଲା ? କିନ୍ତୁ ତାହାହିଁ ହୋଇଛି । ଡକ୍ଟର ନବୀନ କୁମାର ସାହୁ ଜଗନ୍ନାଥଙ୍କ ପୁନରୁଦ୍ଧାର ଓ ପୁନଃସଂସ୍ଥାପନ ନେଇ ‘A History of Orissa’ ରେ ଲେଖିଛନ୍ତି:

 

ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ପୁନରୁଦ୍ଧାର ଓ ଜଗନ୍ନାଥ ପୂଜାର ପୁନଃପ୍ରଚଳନହିଁ ଯଯାତି ଦ୍ୱିତୀୟଙ୍କ ଶାସନ କାଳର ସବୁଠୁ ଗୁରୂତ୍ୱପୂର୍ଣ୍ଣ ଘଟନା । କେତେକ ଶୁଭ ଶକୁନ ଓ ଦୈବୀ ନିର୍ଦ୍ଦେଶରେ ପରିଚାଳିତ ହୋଇ ସେ ମନ୍ଦିର ଓ ମୂର୍ତ୍ତି ବିଷୟରେ ଅନୁସଂଧାନ ପାଇଁ ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା କଲେ । ରକ୍ତବାହୁର ଆକ୍ରମଣ ବେଳେ ପ୍ରାୟ ଦେଢ଼ ଶ’ ବର୍ଷ ପୂର୍ବେ ଶ୍ରୀଜୀଓ (ଜଗନ୍ନାଥ)ଙ୍କୁ ସୋନପୁରର ଗୋପାଳୀ ନାମକ ଗ୍ରାମକୁ ନିଆଯାଇଥିବା କାହାଣୀ ସେଇଠି ବ୍ରାହ୍ମଣମାନଙ୍କ ମୁହଁରୁ ଶୁଣିଲେ । ସେମାନେ କହିଲେ ସେଇ ଦିନଠୁ ଜଗନ୍ନାଥଙ୍କୁ ଆଉ କେହି ଦେଖିନାହିଁ । ରାଜା ଏ ସମ୍ବାଦ ପାଇଁ ସୋନପୁରର ଜଂଗଲ ଅଭିମୁଖରେ ଯାତ୍ରା କଲେ । ଆଉ ସେଇଠି ଦୈବୀ ବଶରୁ ଖୋଜାଖୋଜି କରି ଦେଖିଲେ ଶ୍ରୀଜୀଓଙ୍କୁ ପାତାଳୀ କରାଯାଇଛି । ଏକ ବିରାଟ ବଟବୃକ୍ଷ ସେ ପୁଣ୍ୟ ସ୍ଥାନଟିକୁ ଆଚ୍ଛାଦିତ କରିଛି । ଗଛ ହାଣି, ମାଟି ଖୋଳି ଦେଖିଲେ ଏକ ପଥର ବାକ୍ସ ଭିତରେ ଜୀଓ ବା ଜୀଓମାନେ ଅଛନ୍ତି ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ (ପୃ:୨୩୨) ।

 

ଏହି ରକ୍ତବାହୁ କିଏ ? ଇତିହାସରେ ସେ କଳାପାହାଡ଼ ଯେକି ଜଗନ୍ନାଥଙ୍କୁ ଖୋଜି ଖୋଜି ସମ୍ବଲପୁର ପର୍ଯ୍ୟନ୍ତ ଚାଲି ଆସିଥିଲା ଆଉ ଏଇଠି ଏକ ଭଂଗା ସମାଧି ଭିତରେ ଶେଷଥର ପାଇଁ ଶୋଇଯାଇଥିଲା ବୋଲି ‘ସମ୍ବଲପୁର ଇତିହାସ’ରେ ଶିବ ପ୍ରସାଦ ଦାଶ ଲେଖିଛନ୍ତି ? ମାଦଳା ପାଂଜି ଅବଶ୍ୟ କୁହେ ଯଯାତି ସୁନୁପୁର କଟକ (ସୋନପୁର)ର କୂଟ ସମଲାଇ (କୋଟି ସମଲାଇ) ଗ୍ରାମ ସନ୍ନିକଟ ତ୍ରିକୂଟ ପର୍ବତ ଗୁଂଫା ଭିତରୁ ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ । ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ‘କୋଶଳ ଇତିହାସ’ କଥାରେ ଏ ଘଟନା ଉଲ୍ଲେଖ କରିଛନ୍ତି:

 

ତ୍ରିକୂଟ ପର୍ବତର ଏକ ଗୁଂଫାରେ ଜୀଓଙ୍କୁ ଲୁଚାଯାଇଥିଲା । ଗୁଂଫା ମୁହଁରେ ଏକ ମହାଲିଙ୍ଗ ବୃକ୍ଷ ପୋତା ଯାଇଥିଲା । ଦଇତାମାନେ ପାଟଣୀଗଡ଼ ନିକଟସ୍ଥ ବିରିବନ୍ଧରେ ଓ ପତିମାନେ ଖଡ଼ିଆଲ୍‌ରେ ରହିଲେ । ଦୁଇଶ ବର୍ଷ ପରେ ଯଯାତି ସେ ମୂର୍ତ୍ତିମାନଙ୍କୁ ପୁନରୁଦ୍ଧାର କଲେ ଓ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ । ତେଣୁ ଲୋକେ ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କହିଲେ (ପୃ.୩୧୬) ।

 

ଏହି ସବୁ ବକ୍ତବ୍ୟ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ । ଡକ୍ଟର ସାହୁ ସୋନପୁରର ପଶ୍ଚିମରେ ଥିବା ଗୋପାଳୀ (ଗୋପପାଲି?) ରେ ଏକ ବରଗଛ ତଳେ ଜଗନାଥଙ୍କୁ ପୋତି ଦିଆଯାଇ ଥିବା କୁହନ୍ତି । ପୂର୍ଣଚନ୍ଦ୍ର ରଥ ଓ ମାଦଳା ପାଂଜି କିନ୍ତୁ କୁହନ୍ତି ଜଗନ୍ନାଥଙ୍କୁ ତ୍ରିକୂଟ ପର୍ବତ କନ୍ଦରରେ ରଖାଯାଇଥିଲା । ବହୁ ସମୟର ବ୍ୟବଧାନରେ ହୁଏତ ଏ ଦୁଇଟି ଘଟନା ଘଟିଥାଇପାରେ । ପୁଣି ମାଦଳା ପାଂଜି ୧୨୪ ବର୍ଷ ଧରି ଜଗନ୍ନାଥଙ୍କୁ ଲୁଚାଯାଇଥିବା କହିଲାବେଳେ, ଡକ୍ଟର ସାହୁ ଏହାକୁ ୧୫୦ ବର୍ଷ ଓ ପୂର୍ଣ୍ଣଚନ୍ଦ୍ର ରଥ ଦୁଇଶ’ ବର୍ଷ ବୋଲି ଉଲ୍ଲେଖ କରିଛନ୍ତି । ପୁଣି ଯଯାତି ଗୋଟିଏ ନା ତିନୋଟି ମୂର୍ତ୍ତି ଉଦ୍ଧାର କରିଥିଲେ ? ଯଦି ପ୍ରଥମରେ କେବଳ ଜଗନ୍ନାଥ ମୂର୍ତ୍ତିହିଁ ପୂଜା ପାଉଥିଲେ ଓ ପରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଯୋଡ଼ି ଦିଆଗଲା ଆଉ ଯଯାତି ଦ୍ୱିତୀୟ କେବଳ ଜଗନ୍ନାଥଙ୍କୁ ହିଁ ଆବିଷ୍କାର (ପୁନରୁଦ୍ଧାର ନୁହଁ) କଲେ, ତେବେ ସୋନପୁର ଅଂଚଳ କ’ଣ ଶ୍ରୀଜୀଓଙ୍କ ଆଦିପୀଠ ଥିଲା ?

 

କୋଟସମଲାଇ ନିକଟରେ ପିପଲ୍‌କଟା ଗ୍ରାମ । ଏଇଠି ଜଗନ୍ନାଥଙ୍କ ବିଷୟରେ ଏକ ଅଦ୍ଭୁତ କିମ୍ବଦନ୍ତୀ ଅଛି । ଏଇଠି ଏକ ମୁଣ୍ଡିଆ ଉପରେ ବିଶ୍ୱକର୍ମା କୁଆଡ଼େ ଜଗନ୍ନାଥଙ୍କ ପାଇଁ ଏକ ମନ୍ଦିର ତୋଳୁଥିଲେ । ରାତି ଭିତରେ ଦେଉଳ ତୋଳା ସରିବା କଥା । କିନ୍ତୁ ବିଶ୍ଵକର୍ମାଙ୍କ ଆଦେଶ ଢିଙ୍କି ଆବାଜ୍‌ ଶୁଣାଯିବ ନାହିଁ । ତାହା ହୋଇ ପାରିଲା ନାହିଁ । ବୁଢ଼ୀଟିଏ ପାହାନ୍ତା ପହରରେ ଢିଙ୍କି କୁଟିବା ଆରମ୍ଭ କରିଦେଲା । ଢିକିଡ଼ି ଦୁମ୍‌, ଢିକିଡ଼ି ଦୁମ୍‌ । ମନ୍ଦିର ଅସଂପୂର୍ଣ୍ଣ ରହିଲା । ଆଉ ମୂର୍ତ୍ତି ପୁରୀକୁ ଚାଲିଗଲେ । ଏ କାହାଣୀ ପଛରେ ଜଗନ୍ନାଥଙ୍କ ପ୍ରଥମ ପୀଠର ଅବତାରଣା କରାଯାଇ ନି ତ ?

 

ମହାନଦୀ କୂଳରେ କଣ୍ଟିଲୋ । ଏଇଠି କୁଆଡ଼େ ବିଶ୍ଵାବସୁ ଶବର ଏକ ପାହାଡ଼ ଖୋଳରେ ନୀଳମାଧବଙ୍କୁ ଗୋପନୀୟ ଭାବରେ ପୂଜା କରୁଥିଲା । ସ୍ଵପ୍ନରେ ମାଳବରାଜ ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ତ୍ରୀ ବିଦ୍ୟାପତିଙ୍କୁ ପଠାଇଲେ । ବିଦ୍ୟାପତି ସେ ସ୍ଥାନଟିକୁ ଠଉରାଇବା ପାଇଁ ବିଶ୍ଵାବସୁର ଦୁହିତା ଲଳିତାକୁ ବାହାହୋଇ ନୀଳମାଧବଙ୍କୁ ଠାବ କଲେ । ଆଉ ଇନ୍ଦ୍ରଦ୍ୟୁମ୍ନ ସେଇ ପ୍ରତିମାଙ୍କୁ ନେଇ ପୁରୀରେ ସ୍ଥାପନ କଲେ ।

 

କେତେକ ଦକ୍ଷିଣ ଓଡ଼ିଶାର ଶବରବହୁଳ ଅଂଚଳରେ ଜଗନ୍ନାଥଙ୍କ ଆଦିପୀଠକୁ ନେଇ ଥୋଇଲାବେଳେ, ଆଉ କେତେକ ତାକୁ ମଧ୍ୟପ୍ରଦେଶର ମହାନଦୀ କୂଳ ଶବରୀ ନାରାୟଣରେ ଖୋଜନ୍ତି । ଏହି ଶବରୀ ନାରାୟଣ ଅଂଚଳକୁ ଯଯାତି ଦ୍ୱିତୀୟଙ୍କ ପୂର୍ବ ପୁରୁଷ ଆସି ସୁବର୍ଣ୍ଣପୁର (ସୋନପୁର)ରେ ରାଜଧାନୀ ସ୍ଥାପନ କରିଥିଲେ । ପରେ ସେମାନେ ପୂର୍ବ ଓଡ଼ିଶା ଅଧିକାର କଲେ-। କଥା ହେଲା ଏହି ଶବରୀ ନାରାୟଣ ଅଂଚଳରେ ମଧ୍ୟ ବିଶ୍ଵାବସୁର କାହାଣୀ ଶୁଣାଯାଏ । ଶବରୀ ନାରାୟଣଙ୍କୁ କେତେକ ସୌରୀନାରାୟଣ ବା ସୂର୍ଯ୍ୟଦେବ କହିଲାବେଳେ ଆଉ କେତେକ କହନ୍ତି ସେ ଶବର ଦେବତା । ବିଶ୍ୱାବସୁ କାହାଣୀ ମହାନଦୀ ଦେଇ ଶବରୀ ନାରାୟଣରୁ କଣ୍ଟିଲୋ ପର୍ଯ୍ୟନ୍ତ ଭାସି ଭାସି ଆସି ନାହିଁ ତ ? ଏଥିରୁ କ’ଣ ସୂଚିତ ହୁଏନି ଯେ ଜଗନ୍ନାଥ ତତ୍ତ୍ଵର ଅନ୍ତୁଡ଼ିଶାଳ ଏହି ବିଳାସପୁର-ସମ୍ବଲପୁର-ସୋନପୁର ଅଂଚଳରେ କେଉଁଠି ଥିଲା ?

 

କୋଟସମଲାଇ ଗ୍ରାମବାସୀ କୁହନ୍ତି ଜଗନ୍ନାଥଙ୍କୁ ସର୍ବ ପ୍ରଥମେ ତ୍ରିକୂଟ ପର୍ବତ ଗୁଂଫାରେ ପୂଜା କରାଯାଉଥିଲା । କୁହନ୍ତି ଏ ଦାରୁଦେବତାଙ୍କୁ କୁଆଡ଼େ କାହିଁ ଉପରେ ଗୁଂଫା ଭିତରେ ରଖାଯାଇଥିଲା । କାହିଁ ପାହାଡ଼ ଶିଖରେ, ଯାଇ ହେବନାହିଁ, ଗୋଡ଼ ଖସିଯିବ, ତେବେ ଏତେ ଉପରକୁ ଜଗନ୍ନାଥଙ୍କ ଭାରୀ ବିଗ୍ରହକୁ ଟେକି ନେଇ ହେଲା କିମିତି ? କ’ଣ ପାହାଡ଼ ଶିଖର ସେତେବେଳେ ସୁଗମ ଥିଲା ? ପରବର୍ତ୍ତୀ ସମୟରେ ଭୂମି ସ୍ଖଳନ ବା ମୂତ୍ତିକା କ୍ଷୟ ହୋଇ ଏତେ ଅସ୍ୱାଭାବିକ ଭାବରେ ଅପ୍ରବେଶ୍ୟ ହୋଇଗଲା ? ଶିମ୍ବଲଟା ଧରି ଚନ୍ଦ୍ରକୁ ଚଢ଼ିଲା ଭଳି । ଅଥବା ଆଉ କେଉଁ ଗୁମ୍ଫାରେ ଜଗନ୍ନାଥଙ୍କୁ ରଖାଯାଇଥିଲା ?

 

ଓଡ଼ିଶାରେ ସୋମବଂଶୀମାନଙ୍କ ଆଗମନର ବହୁ ପୂର୍ବରୁ ଜଗନ୍ନାଥ ପୂଜା ପ୍ରଚଳିତ ଥିଲା-। ପ୍ରାୟ ଅଷ୍ଟମ ଶତାବ୍ଦୀ ଆଡ଼କୁ । ‘Buddhism in Orissa’ ର ସ୍ଵନାମଧନ୍ୟ ଲେଖକ ନବୀନ କୁମାର ସାହୁଙ୍କ ମତରେ ସମ୍ବଳ (ସମ୍ବଲପୁର)ର ରାଜା, ବଜ୍ରଯାନ ବୌଦ୍ଧଧର୍ମର ପ୍ରବର୍ତ୍ତକ ଇନ୍ଦ୍ରଭୂତି ସର୍ବପ୍ରଥମେ ତାଙ୍କ ଗ୍ରନ୍ଥ ଜ୍ଞାନସିଦ୍ଧିରେ ଜଗନ୍ନାଥଙ୍କୁ ସମ୍ବୋଧନ କରିଛନ୍ତି: ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀନବରାର୍ଚ୍ଚିତମ୍‌ (Orissa Historical Research, Vol.III. No.1.P.6)

 

ସମ୍ବଲପୁର-ସୋନପୁର ଅଂଚଳରେ ପ୍ରଚଳିତ ସ୍ତମ୍ଭପୂଜାରୂ ହୁଏତ ଜଗନ୍ନାଥ ପୂଜାର ଉଦ୍ଭବ ହୋଇଥାଇପାରେ । ଯେଉଁମାନେ ଯୋଡ଼ାଖମ୍ବ ଦେଖିଥିବେ ସେମାନେ ହୁଏତ ବୁଝିପାରୁଥିବେ । ପରେ ଯଯାତି ଦ୍ୱିତୀୟ ଜଗନ୍ନାଥ ପୂଜାକୁ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିବେ-। ତା ଆଗରୁ ପୁରୀ ତ ପୁରୁଷୋତ୍ତମ କ୍ଷେତ୍ର ଥିଲା । ସେ ଅଂଚଳର ଲୋକେ ପୁରୀ ଆସୁଥିଲେ, କହୁଥିଲେ, ପୁରସ୍ତମ ଯାଉଛୁ । ପୁରୁଷୋତ୍ତମ ଏକ ବୈଷ୍ଣବ ଦେବତା । ଜଗନ୍ନାଥ ଵୌଦ୍ଧ ଦେବତା ।

 

କାଳିକା ପୁରାଣ କୁହେ ଉଡ୍ଡୀୟାନ (ସୋନପୁର - ବଉଦ ଅଂଚଳ)ର ଇଷ୍ଟ ଦେବତା ଥିଲେ ଜଗନ୍ନାଥ ଓ ବିମଳା । ଜଗନ୍ନାଥ: ଏକ ତାନ୍ତ୍ରିକ ଦେବତା । ଆଉ ସୋନପୁର ଏକ ଐତିହାସିକ ତନ୍ତ୍ରପୀଠ । ଏଇଠି ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀକରା ସହଜଯାନ ବୌଦ୍ଧଧର୍ମ ପ୍ରବର୍ତ୍ତନ କରିଥିଲେ ଯାହାକି ପରେ ତନ୍ତ୍ରଯାନରେ ପରିଣତ ହୋଇଥିଲା । ସୋନପୁର ବଳିଯାତ୍ରାର ଭୁବନେଶ୍ଵରୀ ଯନ୍ତ୍ର ପୁରୀ ମନ୍ଦିର ପୂଜାପଦ୍ଧତିର ଏକ ଅବିଚ୍ଛେଦ୍ୟ ଅଂଗ ।

 

ତରଭା ଇତିବୃତ୍ତିରୁ ଜଣାଯାଏ ଯେ ତରଭାର ଦଧିବାମନ ମୂର୍ତ୍ତି ରୂପରେ ଜଗନ୍ନାଥ ପ୍ରଥମେ ପୂଜା ପାଉଥିଲେ । ସୋନପୁର ନିକଟବର୍ତ୍ତୀ ତରଭା । ତୀର୍ଥଯାତ୍ରୀମାନେ ଜଗନ୍ନାଥ ସଡ଼କରେ ଚାଲି ଚାଲି ଥକି ଗଲେ କୁଆଡ଼େ ପ୍ରଭୁ ସ୍ୱପ୍ନରେ କୁହନ୍ତି । ପୁରୀ ଅନେକ ଦୂର । ତରଭା ଯାଅ । ଦଧିବାମନଙ୍କୁ ଦର୍ଶନ କର । ମୋ ଦର୍ଶନର ଫଳପାଇବ (ଦାମୋଦର ମିଶ୍ର: ୧୬) ।

 

ଖଲିଆପାଲି ପାଖ ଏକ ଡୁଙ୍ଗୁରୀରେ ଜଣେ ବାବା ରହୁଥିଲେ । ନାମ ଲେଖନକାର ବାବା-। ଜଗନ୍ନାଥଙ୍କ ପରମ ଭକ୍ତ । ଥରେ ରଥଯାତ୍ରା ଦିନ ବାବା ଶୋଇଛନ୍ତି । ଧୂନି ଜଳୁଛି, ବାହାରେ ଝୋ ଝୋ ବର୍ଷା । ହଠାତ୍‌ ବାବାଙ୍କ ଦେହ ଝାଳ ସରସର ହୋଇଗଲା । ଝାଳର ନଈ ବହିଗଲା । ଥଣ୍ଡା ପବନ ପୁଣି ଝାଳ । ଶିଷ୍ୟ ବାଳମୁକୁନ୍ଦ ପାଖରେ ବସିଥିଲେ । ବାବୁଙ୍କୁ ହଲାଇ ଦେଲେ । ବାବା ବିଳିବିଳେଇ ଉଠିଲେ ରଥ ! ରଥ’’ ! ବାଳମୁକୁନ୍ଦ ପଚାରିଲେ, ରଥଯାତ୍ରାର ସ୍ୱପ୍ନ ଦେଖୁଥିଲେ କି, ବାବା ? ନା,ରେ, ସ୍ଵପ୍ନ ନୁହ, ସତ୍ୟ । ରଥ ବଡ଼ଦାଣ୍ଡରେ ଅଟକି ଗଲା । କାନ୍ଧରେ ଟେକି ଦେଲି-। ଚାଲିଲା । ଦେଖୁନୁ ଝାଳରେ ଜୁଡ଼ୁବୁଡୁ ହେଇଗଲିଣି । ବଡ଼ ବିଚିତ୍ର କଥା । ବାବା ଶୋଇଛି । ଅଥଚ ରଥ ଟାଣୁଛି । ଗାଁ ଲୋକେ କେତେକ ପୁରୀ ଯାଇଥିଲେ । ଫେରି କହିଲେ, ହଁ,ହଁ ଦେଖିଛୁ । ବାବା ରଥ ଟାଣୁଥିଲା ।

 

କୋଟସମଲାର ନିକଟରେ ବାଘପାଲି ଆଶ୍ରମ । ସିଦ୍ଧଯୋଗୀ, ଚନ୍ଦ୍ରମଣି ଦାସଙ୍କ ଆଶ୍ରମ-। ଥରେ ସେ ‘ସୁଧାସାର ଗୀତା’ ଲେଖିସାରି ତାକୁ ପ୍ରଥମେ ଜଗନ୍ନାଥଙ୍କୁ ସମର୍ପଣ କରିବା ପାଇଁ ପୁରୀ ଚାଲିଲେ । ପୁରୀରେ ପଣ୍ଡାମାନେ ତାଚ୍ଛଲ୍ୟ କଲେ । ସୁଧାର ପୁଣି କି ସାର ହୋ ? ଥଟ୍ଟାପରିହାସ କଲେ ସିନା, ହେଲେ । ରାଜି ହୋଇଗଲେ । ଥାଳିରେ ତାଳପତ୍ର ଖେଦା ଥୁଆହେଲା-। କବାଟ ପଡ଼ିଲା । କବାଟ ଫିଟିଲା ପରେ ଦେଖାଗଲା ଥାଳିରେ ପଞ୍ଚାମୃତରେ ତାଳପତ୍ର ଭାସୁଛି ।

 

ଏସବୁ ବ୍ୟକ୍ତିଗତ ସ୍ତରରେ ଅଦ୍ଭୁତ, ଆଧ୍ୟାତ୍ମିକ ଅନୁଭବ ସେତେବେଳର, ଯେତେବେଳେ GK Chesterton ଙ୍କ ଭାଷାରେ ମାଛମାନେ ଉଡ଼ୁଥିଲେ, ଜଂଗଲ ଚାଲୁଥିଲା ଆଉ କଣ୍ଟାରେ ଉଦୁମ୍ବର ଫଳୁଥିଲା । କିନ୍ତୁ ସୋନପୁର ଓ ଶ୍ରୀକ୍ଷେତ୍ରର, ମହାଲିଙ୍ଗ ଓ କଳ୍ପବଟର ସଂପର୍କ ଐତିହାସିକ, ରାଜନୈତିକ ଓ ଧାର୍ମିକ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଥିଲା ।

 

ଲାଇ ରାୟ ଦେବଙ୍କ ରାଜତ୍ସ କାଳରେ (୧୬୬୦-୮୦) ଜଗନ୍ନାଥଙ୍କୁ ସୋନପୁର ନିଆଯାଇଥିବା ଲୋକମୁଖରୁ ଶୁଣାଯାଏ (ବୀରସର୍ବସ୍ଵମ୍‌, ଭୂମିକା) । କିଭଳି ଓ କାହିଁକି ଏ ଭାରୀ ଦାରୁଦେବତାଙ୍କୁ ଏଭଳି ଏକ ଅଭ୍ୟନ୍ତରୀଣ ଅଂଚଳକୁ ନିଆଯାଇଥିଲା ? ଏ ସମୟ ମୋଗଲ ଗୋଳର ସମୟ । ବୋଧହୁଏ ଆକ୍ରମଣକାରୀ ପାଇଁ ଭୌଗୋଳିକ ଦୃଷ୍ଟିରୁ ଏ ଅଂଚଳ ଦୁର୍ଗମ ଥିଲା-। ଅଥବା ସାମରିକ ନିରାପତ୍ତା ଦୃଷ୍ଟିରୁ ସୋନପୁର ଅପେକ୍ଷାକୃତ ନିର୍ଭରଯୋଗ୍ୟ ଥିଲା । ତ୍ରିମୂର୍ତ୍ତିଙ୍କୁ ଖୋର୍ଦ୍ଧା- ନୟାଗଡ଼ - ଦଶପଲ୍ଲା -ବଉଦ- ସୋନପୁର ରାସ୍ତାରେ ୨୯୦ କି:ମି: ଦୂରତ୍ୱ ଅତିକ୍ରମ କରି ନିଆଯାଇଥିଲା କିମ୍ବା ଭାର୍ଗବୀରୁ ମହାନଦୀ ଦେଇ ଜଳପଥରେ ଡଙ୍ଗାରେ ନିଆଯାଇଥିଲା ? ଗଜପତି ଥିଲେ କହିଥାନ୍ତେ !

 

ଗଜପତିଙ୍କୁ ଠାକୁର ରାଜା କୁହାଯାଏ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ଗଜପତିଙ୍କ ପ୍ରତି ଓଡ଼ିଶାରେ ଅଚଳା ଭକ୍ତି । ଆଉ ଗଜପତିଙ୍କ ଇତିହାସ ଜଗନ୍ନାଥଙ୍କ ଇତିହାସ । ଥରେ କୁଆଡ଼େ ଅନଙ୍ଗଭୀମ ଦେବ ତୃତୀୟଙ୍କୁ ଏକ ଦୂରାରୋଗ୍ୟ ବ୍ୟାଧି ହେଲା । ରାଜଯକ୍ଷ୍ମା ଅଥବା କୁଷ୍ଠ ରୋଗ । କିମ୍ବା ଗଜପତି ବ୍ରହ୍ମହତ୍ୟା ଦୋଷରେ ଲିପ୍ତ ହେଲେ । ଏଥିରୁ ରକ୍ଷା ପାଇଁ ଜଗନ୍ନାଥଙ୍କୁ ଡାକିଲେ । ଜଗନ୍ନାଥ ସ୍ୱପ୍ନରେ ଆଦେଶ ଦେଲେ, ରାଜନ୍‌ ! ମହାନଦୀର ଦକ୍ଷିଣ ତୀରରେ ଯୋଜନିକା ଶିବ ମନ୍ଦିର ତୋଳି ତୋଳି ଯାଅ । ରାଜା ସେୟା କଲେ । ସୋନପୁର ନିକଟ ବିନିକାରେ ଏ ତୀର୍ଥଯାତ୍ରା ସମାପ୍ତ ହେଲା । ଏକ ସୂର୍ଯ୍ୟୋପରାଗ ଦିବସରେ ଗଜପତି ମହାନଦୀରେ ବୁଡ଼ ପକାଇଲେ । ପାପମୁକ୍ତ ହେଲେ । ଗାଁ ଟିଏ ବସାଇଲେ ସେଦିନଠୁ ଘାଟଟି ‘ପାପକ୍ଷୟ ଘାଟ’ ନାମରେ ପ୍ରଚାରିତ ହେଲା । ଗ୍ରହଣ ଦିନ ଏଠି ହଜାର ହଜାର ଲୋକ ବୁଡ଼ ପକାନ୍ତି । ଏ ଘଟନାର ସ୍ମୃତି ଚାରଣ କରି ଦାମୋଦର ମିଶ୍ର ସ୍ଵର୍ଣ୍ଣପୁର ଗୁଣାଦର୍ଶଃରେ ଲେଖିଛନ୍ତି:

 

ପ୍ରାସୀତ୍‌ ଶ୍ରୀମଦନଙ୍ଗଦେବ ନୃପତିଃ ଶ୍ରୀଗଂଗବଂଶୋଦ୍ଭବଃ

ଗୌଡ଼େଶଃ ପୁରୁଷୋତ୍ତମେ ଜନୁରଭୃତ୍‌ ଶ୍ରୀରୁତ୍କଳାଖଣ୍ଡଳଃ ।

ସୋଃଽୟଂ ଦୃଷ୍ଟଗଦ ପ୍ରପୀଡ଼ିତତୟା ଗନ୍ତୁଂ ନ ଶକ୍ରସ୍ତତଃ

ରୋଗାନ୍ମୁକ୍ତ ବଭୁବ ବାଣୀମପରାଂ ଶ୍ରୁତ୍ୱା ଶରୀରଂ ପୁନଃ ।

‘ଚିତ୍ରୋତ୍ପଳା ପୟସି ପୁଶ୍ୟମୟେଽବଗାହ୍ୟ

ଶ୍ରୀଗଂଗବଂଶ ପ୍ରଭବୋ ନରପାଳ ମୌଳିଃ

ପାପକ୍ଷଯାତ୍ସପଦି ସୌଖ୍ୟମବାପ ତସ୍ମାତ୍‌

ପାପକ୍ଷୟଞ୍ଚ ବିବୁଧାଃ ପରିକୀର୍ତ୍ତୟନ୍ତି (ପୃ.୨୮)

 

ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ସନ୍ଥେଶ୍ୱର ଶିବ ମନ୍ଦିର ଏକ ଯୋଜନିକା ମନ୍ଦିର । ବାହାର କାନ୍ଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଶୀର୍ଣ୍ଣ ପ୍ରତିମୂର୍ତ୍ତି । ପାପକ୍ଷୟ ଘାଟ ନିକଟରେ ଚରଦାର କପିଳେଶ୍ଵର ଶିବ ମନ୍ଦିର ଅନଙ୍ଗଭୀମ ଦେବଙ୍କ କୃତି ଓ କୀର୍ତ୍ତି । ଏ ମନ୍ଦିରର କାରୁକାର୍ଯ୍ୟ କୋଣାର୍କ ସହ ତୁଳନୀୟ ।

 

ସୁବର୍ଣ୍ଣପୁର ଅଂଚଳ ପାଇଁ ଗଂଗରାଜା ଓ କଳଚୂରୀମାନଙ୍କ ମଧ୍ୟରେ ଶହେ ବର୍ଷ ଯୁଦ୍ଧ ଚାଲିଥିଲା । (୧୧୧୪-୧୨୨୦) । ଅନଙ୍ଗଭୀମ ଦେବ ତୃତୀୟ ଶେଷରେ କଳଚୂରୀମାନଙ୍କୁ ପରାସ୍ତ କଲେ । ସ୍ୱର୍ଣ୍ଣମୂଦ୍ରା ତିଆରି କରି ବାଣ୍ଟିଲେ । ଏହି ମୁଦ୍ରାରେ ଅଙ୍କୁଶ ଓ କୁଠାରର ଚିହ୍ନ । ବୃଷଭ ଓ ଅର୍ଦ୍ଧଚନ୍ଦ୍ରର ଚିହ୍ନ (Journal of the Asiatic Society of Bengal, XVII (1895), 322-26) । ଲୋକବିଶ୍ଵାସ ଯେ ସୁବର୍ଣ୍ଣମେରୁଙ୍କ ଆବିର୍ଭାବ ବେଳେ ଅଢ଼େଇ ଦଣ୍ତ ଧରି ସୋନପୁରରେ ସ୍ଵର୍ଣ୍ଣ ବୃଷ୍ଟି ହୋଇଥିଲା ଆକାଶ ମାର୍ଗରୁ ।

 

ପାଟଣାର ଚୌହାଣ ରାଜା ବତ୍ସରାଜ ଦେବ (୧୩୮୫-୧୪୧୦) ସୋନପୁର ଗଡ଼ରେ ଗଜପତିଙ୍କ ସହିତ ଲଢ଼େଇ କରିଥିଲେହେଁ (ସଂକ୍ଷିପ୍ତ କୋଶଳ ଇତିହାସ: ୧୦୪), ପୁରୁଷୋତ୍ତମ ଦେବ (୧୪୬୭-୯୭) ସୋନପୁର ଆକ୍ରମଣ କରିଥିଲେ ହେଁ ସୋନପୁର ସହିତ ଶ୍ରୀକ୍ଷେତ୍ରର ସଂପର୍କ ଅତୁଟ ଥିଲା ।

 

ଶଙ୍କର ଦେବ ସୁନୁପୁର କଟକର ଗଂଗ ଗଭର୍ଣ୍ଣର ବା ‘ପଚ୍ଛିମ ଦେଶାଧିକାରୀ-ସାମନ୍ତ -ପଡ଼ିରାୟ-ବିଷୟପତି’’ ଥିଲେ (Epigraphia Indica, XXXII, 325 P; Orissa Historical Research Journal, X, No, 4.1.p) ଗଂଗବଂଶର ଜଣେ ବାସୁଦେବ ଦେବ ସୁନାପୁର (ସୋନପୁର)ରେ ରାଜତ୍ତ୍ୱ କରିଥିଲେ (ଓଡ଼ିଶା ଗଡ଼ଜାତ ଇତିହାସ, ପ୍ରଥମ ଖଣ୍ଡ, ପୃ.୨୩) । ପାଟଣାର ଚୌହାଣ ରାଜା ହୀରାଧର ଦେବ ପୁତ୍ର ବଳରାମ ଦେବଙ୍କୁ ଅଧିନାୟକତ୍ୱରେ ୩୨,୦୦୦ ପଦାତିକ, ୭୦୦ ଅଶ୍ଵାରୋହୀ ଓ ୩୦ ଜଣ ଗଜାରୋହୀଙ୍କୁ ପଠାଇଥିଲେ ୧୫୬୮ ମସିହାର ମୋଗଲ ଆକ୍ରମଣ ବେଳେ ଗଜପତ ମୁକୁନ୍ଦ ଦେବଙ୍କୁ ସାହାଯ୍ୟ କରିବା ପାଇଁ (କୌଶଳାନନ୍ଦକାବ୍ୟମ : ୧୦୯) । ପ୍ରାୟ ଚାରିଶ’ବର୍ଷ ପରେ ଗତ ଶତାବ୍ଦୀର ଶେଷ ଭାଗରେ ସୋନପୁର ରାଜପରିବାରର ସୂର୍ଯ୍ୟମଣି ଦେବୀ ଜଗନ୍ନାଥଙ୍କ ନିରାପତ୍ତା ଭାର ନିଭାଇଥିଲେ । ଗଜପତି ଦିବ୍ୟସିଂହ ଦେବ ତୃତୀୟ ଯେତେବେଳେ କଳାପାଣିରେ କାଳ କାଟୁଥିଲେ, ସେତେବେଳେ ଇଂରେଜ ରାଜତ୍ୱର ଦୁର୍ଦ୍ଦିନରେ ଏ ରାଣୀ ଓଡ଼ିଶା ଶାସନ କରିଥିଲେ (ରାଜଗୁରୁ:୧)-

 

ଶ୍ରାବଣର ଚକ୍ରବୁଲା ଏକାଦଶୀ ଦିନ ଯେଉଁ ରାମଜୀ ମଠ ଜଗନ୍ନାଥଙ୍କ ପୂଜାପାର୍ବଣ ଭାର ବହନ କରେ, ସେଇ ମଠ ସୋନପୁରର ପ୍ରଥମ ଚୌହାଣ ରାଜା ମଦନ ଗୋପାଳ(C.1640-60)ଙ୍କ ସାନଭାଇ ବଂଶୀଗୋପାଳ ତିଆରି କରିଥିଲେ (Sri Jaganatha : 55) । କେତେ ଜମି ଦରକାର ? ପଚାରିଲେ ଗଜପତି । ଆଉ ବଂଶୀଗୋପାଳ ଉତ୍ତର ଦେଲେ, ଲେଙ୍ଗୁଟିପ୍ରମାଣ । କି କଥା ? ଗଜପତି ହସିଲେ । କିନ୍ତୁ ବୁଦ୍ଧିମାନ ବଂଶୀଗୋପାଳ ଯେତେବେଳେ ଲେଙ୍ଗୁଟିର ସୂତାସବୁ ଖୋଲି ଲମ୍ବାଇ ଦେଲେ, ଗଜପତି ବୁଝିଲେ ସେ ଠକିଗଲେ । ମାର୍କଣ୍ଡ ସାହିରୁ ଚୋଡ଼ଙ୍ଗ ସାହି ପର୍ଯ୍ୟନ୍ତ ସୂତା ବୁଲିଗଲା ।

 

ସୋନପୁର ରାଜା ପୃଥ୍ୱୀ ସିଂହ (୧୭୮୬-୧୮୪୧) ଜଗନ୍ନାଥ ମନ୍ଦିର ପରିସରରେ ଏକ ରାମସୀତା ମନ୍ଦିର ଓ ରାମଜୀ ମଠ ଭିତରେ ଏକ ରାଧାକୃଷ୍ଣ ମନ୍ଦିର ତୋଳାଇଥିଲେ । ସୋନପୁର ରାଜା ବାଘପାଲି, ଅମୁର୍ଡା ଓ ବିଦୂରପାଲି ଯଥାକ୍ରମେ ଜଗନ୍ନାଥ ବଲ୍ଲଭ ମଠ, ରାମଜୀ ମଠ ଓ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ (ପାଣିଗ୍ରାହୀ୧୫) । ଜଗମୋହନର ଚିତ୍ରିତ ଛାତ ତଳେ ବହୁଦିନ ଧରି ଏକ ବିରାଟ ଚାନ୍ଦେଲିଅର୍‌ ଝୁଲୁଥିବା ଏ ଲେଖକ ଦେଖୁଛି । ଏହା ସୋନପୁର ମହାରାଣୀ ଲେଡ଼ି ପାର୍ବତୀ ଦେବୀଙ୍କ ଏକ ମହାର୍ଘ ଅବଦାନ । ଏକମାତ୍ର ପୁତ୍ର ରଘୁନାଥର ବିୟୋଗ ପରେ ମର୍ମାହତ ପୃଥ୍ଵୀ ସିଂହ ଜଗନ୍ନାଥଙ୍କ ପାଦତଳେ । ତାଙ୍କ ଶିରସ୍ତ୍ରାଣ ଏବଂ ପାଟଖଣ୍ଡା ସମର୍ପଣ କରିଦେଲେ । ପୁଅଟିଏ ପାଇଁ ନେହୁରା ହେଲେ । ଆଉ ସୋନପୁରରୁ ପୁରୀ କିମ୍ବା ପୁରୀରୁ ସୋନପୁର ଜଗନ୍ନାଥଙ୍କ ଯାତରା ଆୟାସାସାଧ୍ୟ ହୋଇଥିବ ସିନା ଆକସ୍ମିକ ହୋଇନଥିବ । କାରଣ ସୋନପୁର ଓ ଶ୍ରୀକ୍ଷେତ୍ର-ଏଇ ଦୂର ଦୂର ପଡ଼ୋଶୀଙ୍କ ମଧ୍ୟରେ ଏକ ‘ଆଧ୍ୟାତ୍ମିକ ବନ୍ଧନ ଥିଲା । ସେଇ ଅରଣ୍ୟବେଷ୍ଟିତ ପଶ୍ଚିମ ଓଡ଼ିଶାରେ ଯେଉଁ ରାଜାମାନେ ରାଜତ୍ୱ କରୁଥିଲେ ସେମାନେ ପୁଣି ଏ ଉପକୂଳବର୍ତ୍ତୀ ଓଡ଼ିଶାରେ ଗଢ଼ିଥିଲେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଜଗନ୍ନାଥ ମନ୍ଦିର । ଜଗନ୍ନାଥଙ୍କୁ ଆଧାର କରି, ତାଙ୍କ ଡୋରି ଧରି ସେମାନେ ଓଡ଼ିଶାର ଏ ଉଭୟ ଅଂଶକୁ ଏକାଠି ଧରି ରଖିଥିଲେ । ପୁରୀ ଶାସନରୁ ଯେଉଁ ବ୍ରାହ୍ମଣମାନେ ସେଇ ଅଂଚଳକୁ ଯାଇ ବସବାସ କଲେ, ସେମାନେ ଯେ କେବଳ ଆର୍ଯ୍ୟତର ଜାତିକୁ ସଭ୍ୟତାର ସ୍ପର୍ଶ ଦେଇଥିଲେ ତା ନୁହେଁ, ସେମାନେ କାଳଜୟୀ ସାହିତ୍ୟ ବି ସୃଷ୍ଟି କରିଥିଲେ।

 

ଜଗନ୍ନାଥ ମନ୍ଦିର କିଏ ଗଢ଼ିଥିଲା ଆମେ ଜାଣୁନା; ଇନ୍ଦ୍ରରଥ ନା ଯଯାତି ଦ୍ୱିତୀୟ ନା ଚୋଡ଼ଗଂଗ ଦେବ ନା ଅନଙ୍ଗଭୀମଦେବ । ହୁଏତ ଏ ସମସ୍ତେ ବିଭିନ୍ନ ସମୟରେ ଏ ମନ୍ଦିରରେ ହାତ ଦେଇଥିବେ । କାରଣ ଏଡ଼େ ବିରାଟ ମନ୍ଦିର ଜଣେ ରାଜାର ଜୀବଦ୍ଦଶାରେ ନିର୍ମିତ ହୋଇ ଥିବା ଅସମ୍ଭବ । ଆଉ ତିରୁମଲାଇ ଅଭିଲେଖର ଇନ୍ଦ୍ରରଦମ୍ନ ହୁଏତ କିମ୍ବଦନ୍ତୀର ସେଇ ଇନ୍ଦ୍ରଦ୍ୟୁମ୍ନ ହୋଇଥିବେ ଯେ କିଏ ମନ୍ଦିର ଗଢ଼ିବାରେ ପ୍ରମୁଖ ଓ ପ୍ରଥମ ଭୂମିକା ନିଭାଇଥିଲେ । ସୋନପୁର ଜିଲ୍ଲାରେ ଅନେକ ଜଗନ୍ନାଥ ମନ୍ଦିର । କିନ୍ତୁ ପ୍ରଧାନ ଜଗନ୍ନାଥ ଗୁଡ଼ୀଟି ସୋନପୁର ସହରରେ ! ରାଜବାଟୀକୁ ଲାଗି । ଦୁଇଟି ଗରୁଡ଼ ସ୍ତମ୍ଭ ଓ ଚାରୋଟି ଦ୍ୱାର ବିଶିଷ୍ଟ ଏ ଗୁଡ଼ୀ ପୁରୀ ମନ୍ଦିରର ଅନୁକରଣରେ ରାଜସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା । କିନ୍ତୁ ଏ ଜିଲ୍ଲାର ଯେ କୌଣସି ବଡ଼ ଗାଁରେ ନିଶ୍ଚୟ ଜଗନ୍ନାଥ ଗୁଡ଼ୀଟିଏ ଥିବ । କୋଟସମଲାଇ, ସୁବକୟା, ଜାଲୋଏ, ବାଘବର, ଲଖନି, ମୃଷୁଣ୍ଢି, ବିଦୂରପାଲି, ପିତାମହୁଲ ପାଲିଗାଁ, ବିନିକା, ମେଣ୍ଢା, ରାମପୁର, କର୍ତ୍ତଙ୍ଗ୍‌ ସବୁଠି । ଆୟତନ ଅନୁସାରେ ସୋନପୁରରେ ଏତେ ଗୁଡ଼ିଏ ଜଗନ୍ନାଥ ଗୁଡ଼ୀ ବାସ୍ତବିକ ବିସ୍ମୟକର । ଏସବୁ ପାଇଁ କ’ଣ ସୋନପୁର ଜଗନ୍ନାଥଙ୍କ ଆଶ୍ରୟସ୍ଥଳ ରୂପରେ ବିବେଚିତ ହୋଇଥିଲା ? କିମ୍ବା ଧାର୍ମିକ ସହିଷ୍ଣୁତା ବା ବିଭିନ୍ନ ଧର୍ମର ସହାବସ୍ଥାନ ପାଇଁ ? ଅବଶ୍ୟ ଥରେ ଏହାର ବ୍ୟତିକ୍ରମ ଘଟିଥିଲା ୧୮୮୧ ମାର୍ଚ୍ଚ ୧ ତାରିଖରେ ।

 

୧୮୮୧ ମାର୍ଚ୍ଚ ୯ ତାରିଖରେ ଓଡ଼ିଶା କମିସନରଙ୍କ ପାଖକୁ ଖବର ଗଲା ଯେ ଦଳେ ଧର୍ମାନ୍ଧ ଗତ ୧ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରରେ ଧସାଇ ପଶିଥିଲେ ... ଓ ସେହି ଗଣ୍ଡଗୋଳ ଭିତରେ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇ ଥିଲା । ସେଣ୍ଟ୍ରାଲ୍‌ ପ୍ରୋଭିନ୍ସେସ୍‌ ଅନ୍ତର୍ଗତ ସମ୍ବଲପୁରର ବାସିନ୍ଦା ସେମାନେ । ଅଣାକାର ତାଙ୍କ ଗୁରୁ ଆଉ ସେ ତାଙ୍କୁ ପୁରୀ ପଠାଇଥିଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ମନ୍ଦିରରୁ ଟାଣି ଆଣି ବଡ଼ଦାଣ୍ଡରେ ଜାଳିଦେବାକୁ । ଏ ଆଦେଶ ପାଳନ ପାଇଁ ଛୁଆପିଲା ଧରି ଏକ ବଡ଼ ଦଳ ସମ୍ବଲପୁରରୁ ବାହାରି ପଡ଼ିଲେ । ଆଉ ପୁରୀରୁ ଅଳ୍ପ ଦୂରରେ ତାଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ଓ ୩ ଜଣ ସ୍ତ୍ରୀ ଏକ ଦଳ ଗଠନ କରି ମନ୍ଦିର ସାମ୍ନାକୁ ଚାଲିଆସିଲେ, ‘‘ଅଲେଖ ! ଅଲେଖ !’’ ପାଟିକରି କରି । ତାଙ୍କ ହାତରୁ ଜଣାପଡ଼ୁଥିଲା ହାଣ୍ଡିରୁ ସେମାନେ ଏବେ ଏବେ ପଖାଳ ଖାଇଥିଲେ । ତାଙ୍କୁ ଦେଖି ଦ୍ୱାରୀ କବାଟ କିଳି ଦେଉଁ ଦେଉଁ ସେମାନେ ଧସାଇ ପଶିଲେ । ସାଙ୍ଗରେ ପ୍ରାୟ ୨୦୦ ତୀର୍ଥଯାତ୍ରୀ । ତାଙ୍କ ଭିତରୁ ଜଣେ ଭାତହାଣ୍ଡିଟି ଧରି ଥିଲା । ଦ୍ୱାରୀ ବାଧା ଦେବାରୁ ହାଣ୍ଡିଟି ରଖିଦେଲା । ତା’ପରେ ସେମାନେ ଭୋଗମଣ୍ଡପର କବାଟ ଭାଙ୍ଗିଦେବା ପାଇଁ ବାହାରିଲେ । ଜଗମୋହନକୁ ପଶିଲେ । ଦେଖୁ ଦେଖୁ ଯାତ୍ରୀ ସଂଖ୍ୟା ଦୁଇଗୁଣ ହୋଇଗଲା । ଜୟବିଜୟ ଦ୍ୱାର ବନ୍ଦ ଥିବା ଦେଖି ସେମାନେ ଏଣେ ତେଣେ ଦଉଡ଼ିଲେ । ପାଗଳଙ୍କ ଭଳି । ମନ୍ଦିର ଭିତରକୁ ବାଟ ଖୋଜିଲେ । ହଜାରେ ଉପରେ ଯାତ୍ରୀ । ଠେଲାପେଲା ଭିତରେ ଧର୍ମାନ୍ଧମାନଙ୍କ ଭିତରୁ ଜଣେ ତଳେ ପଡ଼ିଗଲା । କେହି ହୁଏତ ତାକୁ ଠେଲି ଦେଇଥିବ । ସାଙ୍ଗେ ସାଙ୍ଗେ ତା’ ପ୍ରାଣବାୟୁ ଉଡ଼ିଗଲା । ଗଣ୍ଡଗୋଳକାରୀଙ୍କୁ ଆରେଷ୍ଟ କରି ପୁରୀ ଡେପୁଟୀ ମାଜିଷ୍ଟ୍ରେଟଙ୍କ କୋର୍ଟକୁ-ଚାଲାଣ କରାଗଲା ଆଉ ଦଣ୍ଡବିଧିର ୧୪୭ ଓ ୨୯୭ ଧାରା ଅନୁସାରେ ପ୍ରତ୍ୟେକଙ୍କୁ ତନିମାସ କାରାଦଣ୍ଡରେ ଦଣ୍ଡିତ କରାଗଲା । (Buckland : 733-5) ।

 

ବଂଗଳାର ଦୈନିକ ସୁଲଭ ସମାଚାର ମାର୍ଚ୍ଚ ୨୧ ତାରିଖରେ ଏ ଖବର ପ୍ରକାଶ କରି ଲେଖିଲା, ଧର୍ମାନ୍ଧମାନଙ୍କ ଆଖି ଥିଲା ଜଗନ୍ନାଥଙ୍କ ଉପରେ । କାରଣ ସେମାନେ ଭାବିଥିଲେ ଜଗନ୍ନାଥ ଗଲେ, ସବୁ/ଦେବଦେବୀ ଚାଲିଯିବେ । ମୂର୍ତ୍ତିପୂଜା ବନ୍ଦ ହେବ । ଅଣାକାରଙ୍କୁ ସମସ୍ତେ ଭଜିବେ ।

 

ତେଣୁ ଏହି କାମ କେତେକ ହତାଶ, ଉଦ୍‌ଭ୍ରାନ୍ତ ଦିଗ୍‍ଭ୍ରଷ୍ଟା ଧର୍ମଧ୍ଵଜୀଙ୍କର, ଯେଉଁମାନେ ଚାହୁଁଥିଲେ ଜଗନ୍ନାଥ ତତ୍ତ୍ଵର କବର ଉପରେ ମହିମାଧର୍ମର ଧ୍ଵଜା ଉଡ଼ାଇବେ, ଅଥବା ସେଇ ଅନାମ, ଅଣାକାରର ଧର୍ମ ପ୍ରତିଷ୍ଠା ପାଇଁ ଯେଉଁ ଗୁରୁ ଚାହୁଁଥିଲେ, ତାଙ୍କରି ଇଚ୍ଛା ନିଷ୍ଠା ସହକାରେ, ଅନ୍ଧ ଭାବରେ, ଅସହିଷ୍ଣୁ ହୋଇ ଅକ୍ଷରେ ଅକ୍ଷରେ ପାଳନ କରିବାର ଏଇ ଫଳ ? କିଏ ଜାଣେ ? ଆମେ କେବଳ ଜାଣୁ ଯେଉଁ ଲୋକମାନେ ତିମୂର୍ତ୍ତିଙ୍କୁ ଭାଂଗିଦେବା ପାଇଁ ଅବା ଜାଳି ପୋଡ଼ି ପାଉଁଶ କରିଦେବା ପାଇଁ ଆସିଥିଲେ । ସେମାନେ ଥିଲେ ଅଜ୍ଞ, ନିରକ୍ଷର, ଦରିଦ୍ର ଆଦିବାସୀ । ମନ୍ଦିର ଉପରେ ତାଙ୍କ ଉଗ୍ର, ହିଂସ୍ର, ଦୁଃସାହସିକ ଆକ୍ରମଣରୁ ଆମେ ଏତିକି ଜାଣୁ ସେମାନେ କିପରି ମୂର୍ତ୍ତି ଭାଂଗି ମହିମାଙ୍କ ବାନା ଉଡ଼ାଇବା ପାଇଁ ଏତେ ବଦ୍ଧପରିକର ଥିଲେ । ଯଦି ସେମାନେ ମୂର୍ତ୍ତି ପୂଜାର କୁସଂସ୍କାର ବିରୋଧରେ ଲଢ଼ିଥିଲେ, ଶୂନ୍ୟବ୍ରହ୍ମର ପ୍ରଚାର ପାଇଁ ଅଣ୍ଟା ଭିଡ଼ିଥିଲେ, ଆମର କିଛି କହିବାର ନାହିଁ । ଯେଉଁ ଧର୍ମ କ୍ରସ୍‌ କିମ୍ବା ଅର୍ଦ୍ଧ୍ଵଚନ୍ଦ୍ର ଉପରେ ନିର୍ଭର କରେ ଅଥବା ମଣିଷଠାରୁ ପଶୁ ପର୍ଯ୍ୟନ୍ତ ଅବତାର ଧାରଣ କରି ମୂଷାଠାରୁ ହାତୀ ପର୍ଯ୍ୟନ୍ତ ବାହନ ଚଢ଼ି, ହଂସଠାରୂ ମୟୂର ପର୍ଯ୍ୟନ୍ତ ପକ୍ଷୀ ପିଠିରେ ଉଡ଼ି ଉଡ଼ି ଧର୍ମର ପତାକା ଉଡ଼ାଏ, ତା’ ଅପେକ୍ଷା ନିରାକାର, ନିରଂଜନର ଉପାସନା କେତେ ଉପରେ, ନାହିଁ ହସ୍ତପଦ ଯା’ର । ତଥାପି ତାଙ୍କ ସାଥୀରେ ଏକମତ ହୋଇ ନପାରିଲେ ଯେ ଯୁଦ୍ଧର ସାମ୍‌ନା କରିବାକୁ ପଡ଼ିବ, ଏହା ବି ତ ଠିକ୍‌ ନୁହ । ଧର୍ମରେ ଯୁଦ୍ଧର ସ୍ଥାନ କାହିଁ ।

 

ମହିମା ଧର୍ମ କୌଣସି ଇଜ୍‌ମ୍‌ ବା ବାଦ ଉପରେ ପ୍ରତିଷ୍ଠିତ ନ ଥିଲା । ବୌଦ୍ଧଧର୍ମ, ସୁଫି- ଧର୍ମ, ବ୍ରାହ୍ମଣ ଧର୍ମ ପରି ଏହା ଏକ ସଂସ୍କାରବାଦୀ ଆନ୍ଦୋଳନ ଥିଲା । ତେଣୁ ସବୁ ଧର୍ମର ସାରତତ୍ତ୍ଵକୁ ଆବୋରି ନେଇଥିଲା । ଏଇଠି ଜୈନ ମୁନିର ଗୈରିକ ବସ୍ତ୍ର, ଅହିଂସା, ଆସ୍ତେୟ ଓ ରାତ୍ରିର ଉପବାସ ଅଛି (BC Mazumdar, Appendix; LN Sahu: 234) । ଏଇଠି ବୌଦ୍ଧ ଭିକ୍ଷୁର ଅନାସକ୍ତି, ଶୂନ୍ୟତା ଓ ଜାତିପ୍ରଥା, ପ୍ରତିମାପୂଜା, ବେଦ ଉପାସନା ବିରୋଧରେ ପ୍ରଚଣ୍ଡ ସଂଗ୍ରାମୀ ଆଭିମୁଖ୍ୟ ଅଛି (ଝଙ୍କାର, ଡିସେମ୍ବର, ୧୯୭୭:୯୬୩) । ଏଇଠି ଖ୍ରୀଷ୍ଟିଆନ୍‌ ସଂପଦ୍ରାୟର ବିବାହ ଓ ସମାଧି ଛାଇ ପଡ଼ିଛି । ତାଙ୍କରି ଗୋଟିଏ ଈଶ୍ୱର, ଗୋଟିଏ ଜାତି, ଗୋଟିଏ ସମାଜର ବିଶ୍ଵାସ ରହିଛି । ଏଇଠି ବୈଷ୍ଣବ ଧର୍ମର ଗଭୀର ଭକ୍ତି ଅଛି । ଏହିସବୁ ଧର୍ମର ଛାତି ଉପରେ ଛିଡ଼ା ହୋଇ ମହିମା ଧର୍ମ ସେହି ଅସୀମ ଆଡ଼କୁ ହାତ ବଢ଼ାଇଛି । ଅନେକ ଭିତରେ ସେଇ ଏକ ଆଡ଼କୁ, ଆକାର ଭିତରେ ନିରାକାର ଆଡ଼କୁ । କିନ୍ତୁ ଜଗନ୍ନାଥଙ୍କ ତ ଆକାର ଅଛି, ନାମ ଅଛି, ପାଦ ନଥିଲେ ବି ହାତ ଅଛି । ତେଣୁ ଏ ସଂଗ୍ରାମ । ତଥାପି ସେ ଧର୍ମାନ୍ଧମାନେ ଦେଖିପାରିଲେନି ସୁଭଦ୍ରାଙ୍କୁ ଯାହାଙ୍କ ହାତ ନାହିଁ । ଦେଖିପାରିଲେ ନି ଜଗନ୍ନାଥ, ବଳଭଦ୍ରଙ୍କୁ ଯାହାଙ୍କ ଗୋଡ଼ ନାହିଁ କି ହାତରେ ଅଙ୍ଗୁଳି ନାହିଁ । ଆଉ ସେମାନଙ୍କ ଆଖିରେ ମହିମା ସ୍ୱାମୀ ଯଦି ବୁଦ୍ଧ ଅବତାର, ତେବେ ଜଗନ୍ନାଥ ବି ତ ବୁଦ୍ଧ । ଶ୍ରୀମନ୍ଦିର ଆଗରେ ଗରୁଡ଼ ସ୍ତମ୍ଭ ପାଖରେ ଠିଆହୋଇ ଗୁମୁଟ ଉପରକୁ ଦେଖିଲେ ଯେଉଁ ଦଶାବତାର ଦର୍ଶକର ଦୃଷ୍ଟିପଥାରୁଢ଼ ହୁଏ, ସେଇଠି ବୁଦ୍ଧଙ୍କ ସ୍ଥାନରେ ଜଗନ୍ନାଥ ଅଛନ୍ତି ନବମାବତାର ଭାବରେ ।

 

ସବୁ ପଥ ଜଗନ୍ନାଥଙ୍କଠି ପଡ଼ିଛି । ଜୈନଙ୍କ ଦୃଷ୍ଟିରେ ସେ ମହାଜୀନ, ବୌଦ୍ଧଙ୍କ ଆଖିରେ ସେ ବୁଦ୍ଧ, ତାଙ୍କ ନାଭିରେ ବୁଦ୍ଧଦନ୍ତ, ବୈଷ୍ଣବଙ୍କ ଦୃଷ୍ଟିରେ ଜଗନ୍ନାଥ କୃଷ୍ଣ । ବଳଭଦ୍ର ବଳରାମ ଆଉ ସୁଭଦ୍ରା ତାଙ୍କ ଭଉଣୀ । ଏଇଠି ଶଙ୍କର, ରାମାନୁଜ, ଚୈତନ୍ୟ, ତୁଳସୀ ଦାସ, ତୁକାରାମ, ନାନକ ଆଦି ବିଭିନ୍ନ ସମ୍ପ୍ରଦାୟର ସନ୍ନ୍ୟାସୀମାନେ ନୈବେଦ୍ୟ ବାଢ଼ିଛନ୍ତି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ବିଷ୍ଣୁ, ଶିବ ଓ ବ୍ରହ୍ମା, ସତ୍ତ୍ୱ,ରଜ ଓ ତମ । ଜ୍ଞାନ, କର୍ମ ଓ ଭକ୍ତି ।

 

ଶ୍ରୀକ୍ଷେତ୍ର ଭଳି ସୋନପୁର ମଧ୍ୟ ସର୍ବଧର୍ମ ସମନ୍ଵୟର କ୍ଷେତ୍ର । ଏଇଠି ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ ଅଛନ୍ତି । ଏଇଠି ସୁବର୍ଣ୍ଣ ମେରୁ ଓ ରାମେଶ୍ଵର ଶିବ ମନ୍ଦିରର ପ୍ରବେଶ ପଥରେ ଅନନ୍ତଶାୟୀ ବିଷ୍ଣୁ । ଏଠାକାର ରାଜା ଯଯାତି ଦ୍ୱିତୀୟ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ତୋଳି ଦେଉଳ ଶୀର୍ଷରେ ତ୍ରିଶୂଳ ସାଥୀରେ ଚକ୍ରଟିଏ ଥୋଇଗଲେ । ହାତଯୋଡ଼ି କହିଲେ: ହରିହରାୟ ନମଃ । ଏଇଠି ଯେଉଁ ଚୌହାଣ ରାଜାମାନେ ବୈଷ୍ଣବ ମନ୍ତ୍ରରେ ଦୀକ୍ଷିତ ହୁଅନ୍ତି ଚକ୍ର ତାଙ୍କ ରାଜକୀୟ ଚିହ୍ନ ସାଜେ । ଶିବ ଓ ଦୁର୍ଗା ତାଙ୍କ ଇଷ୍ଟ ଦେବତା ସାଜନ୍ତି (Chohan Rulers of Sonpur : 19) । ଏଇଠି ଯଯାତି ପରମମାହେଶ୍ଵର ଆଉ ତାଙ୍କ ଭଉଣୀ ପୃଥ୍ଵୀ ମହାଦେବୀ ପରମବୈଷ୍ଣବୀ ସାଜନ୍ତି ।

 

ଜଗନ୍ନାଥ ତତ୍ତ୍ଵର ଉଦ୍‌ଭବ ଏବେ ବି ରହସ୍ୟାବୃତ । ଜଗନ୍ନାଥଙ୍କୁ ସୋନପୁରରୁ ନିଆଯାଇ ହୁଏତ ପୁରୀରେ ପ୍ରତିଷ୍ଠା କରାଯାଇ ଥାଇପାରେ । କିନ୍ତୁ ଏ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇ ପାରିବ ନାହିଁ । ଗବେଷଣା ସରିନି । କିନ୍ତୁ ଜଗନ୍ନାଥଙ୍କ ଭଳି ସୋନପୁର ଯେ ସର୍ବଧର୍ମର ମହାମିଳନ ପୀଠ ଥିଲା, ଏହା ଅବସମ୍ବାଦିତ । ଏଠିକାର ଚରଦା ଓ ବୈଦ୍ୟନାଥ ମନ୍ଦିରର ମହେଶ୍ଵର, ନିଶାପାର୍ବତୀ, ହରିହର, ଗଣେଶ, ଅନନ୍ତବିଷ୍ଣୁ, କାର୍ତ୍ତିକେୟ ଓ ଅର୍ଦ୍ଧନାରୀଶ୍ଵର ମୂର୍ତ୍ତିରେ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମିଳନ ଶଙ୍ଖ ବାଜିଛି । ଏଇଠି ଚୈତ୍ରକୃଷ୍ଣ ପ୍ରତିପଦା ଦିନ ଦୋଳଟିକରାରେ ଅଷ୍ଟ କୃଷ୍ଣ ଓ ଅଷ୍ଟ ଶମ୍ଭୁଙ୍କ ଭେଟ୍‌ଘାଟ୍‌ ହୁଏ । ହରି ହରଙ୍କ ମିଳନ ହୁଏ । ଏହି ହରିହର ମିଳନ ବଲାଙ୍ଗିର ହରିଶଙ୍କର ଓ ବଉଦ ଗନ୍ଧରାଢ଼ିରେ ହୋଇଛି । ମହାନଦୀ ଦେଇ କଣ୍ଟିଲୋ ଓ ପଦ୍ମାବତୀରେ ପୁଣି ଏ ସଂଯୋଗ ସଂଭବ ହୋଇଛି । ଯେଉଁ ଜଗନ୍ନାଥ ତତ୍ତ୍ୱରେ ଜୈନ ଧର୍ମ, ବୌଦ୍ଧ ଧର୍ମ, ଶାକ୍ତ ଧର୍ମ । ଶୈବ ଧର୍ମ ଓ ବୈଷ୍ଣବ ଧର୍ମ ସବୁ ଏକାକାର ହୋଇଯାଇଛନ୍ତି, ସେଇ ଧର୍ମ ହୁଏତ ସୋନପୁରରୁ ଉଦ୍‌ଭବ ହୋଇ ପୁରୀର ପୁରୁଷୋତ୍ତମ ତତ୍ତ୍ୱ ଓ ଇଣ୍ଡୋନେସିଆର ଶିବ ତତ୍ତ୍ୱ ସାଥୀରେ ସାମିଲ୍‌ ହୋଇଯାଇଛି ।

 

ଆଜି ଯେତେବେଳେ ସାଂପ୍ରଦାୟିକତାର ଉଦ୍‌ବେଳନ ଭିତରେ ଧର୍ମ ସଂକୁଚିତ ହୋଇପଡ଼ୁଛି, ଭକ୍ତି ଯେତେବେଳେ ହଜିହଜି ଯାଉଛି ଧର୍ମାନ୍ଧତାର ଦିଗହରା ଅଂଧକାର ଭିତରେ, ଧର୍ମ ନାମରେ ଆଜିର ଏ ଧରଣୀ ସେତେବେଳେ ଫଳ ଫାଳ ହୋଇ ଭାଂଗି ପଡ଼ୁଛି, ସେତେବେଳେ ଜଗନ୍ନାଥ ତତ୍ତ୍ୱର ଅନିର୍ବାଣ ଦୀପଶିଖା ତ୍ରିକୂଟ ପର୍ବତ କନ୍ଦରରେ ଦିକ୍‌ ଦିକ୍‌ ଜଳିଉଠି ଧର୍ମଗତ ଅସହିଷ୍ଣୁତା ଓ ସାଂପ୍ରଦାୟିକ ହିଂସା ଭିତରେ ବାଟ କଢ଼ାଉଛି ।

 

ସହାୟକ ଗ୍ରନ୍ଥ ସୂଚୀ

 

 

ଅବସରପ୍ରାପ୍ତ କୁଳସଚିବ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

୩, ପ୍ରଫେସର କଲୋନି, ପୁରୀ-୨

 

***

 

ଓଡ଼ିଆ ଭାଗବତ-ପ୍ରଣେତା

ଶ୍ରୀ ଜଗନ୍ନାଥ ଦାସଙ୍କ ଜୀବନୀ ଓ ସାହିତ୍ୟକୃତି

ଶ୍ରୀ ପରଶୁରାମ ଖଡ଼ୁଆଳ

 

ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧୀଶ୍ଵର, ସର୍ବଦ୍ରଷ୍ଟା, ସର୍ବଶକ୍ତିମାନ୍‌ ସର୍ବବ୍ୟାପକ, ସର୍ବାନ୍ତର୍ଯ୍ୟାମୀ, ଓ ସର୍ବଭୂତାତ୍ମା, ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ସମର୍ପିତ ୧୬ଶ ଶତାବ୍ଦୀର ଭକ୍ତ - ଶିରୋମଣି, ସାଧକ, ସନ୍ଥ, କବି ଉତ୍କଳୀୟ ବୈଷ୍ଣବ ପଞ୍ଚସଖାଙ୍କ (ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ) ମଧ୍ୟରେ ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସ ଅନ୍ୟତମ । ଓଡ଼ିଆ ଭାଗବତର ସ୍ରଷ୍ଟା ଭାବରେ ସେ ସମଗ୍ର ଓଡ଼ିଆ ଜାତିର ଚିରନମସ୍ୟ ଓ ଚିରସ୍କରଣୀୟ ।

 

ଭାରତବର୍ଷର ଆଧ୍ୟାତ୍ମିକ ପରମ୍ପରା

ଦେବଭୂମି, ଆର୍ଯ୍ୟଭୂମି, ତପୋଭୂମି ଏଇ ଭାରତବର୍ଷ ସୃଷ୍ଟିର ଆଦିକାଳରୁ ମୁନି, ୠଷି, ସାଧୁ, ସନ୍ଥ, ସଦ୍‌ଗୁରୁ ଓ ଅବତାରଗଣଙ୍କୁ ତା’ର ବକ୍ଷରେ ଧାରଣ କରି ସତ୍ୟ, ପୁଣ୍ୟ, କରୁଣା, ମୈତ୍ରୀର ଅବାରିତ ବାରିଧାରାରେ ନିଜେ ଅବଗାହନ କରିବା ସଂଗେ ସଂଗେ, ସମଗ୍ର ବିଶ୍ଵକୁ ତା’ର ପବିତ୍ର ପ୍ରବାହରେ ପ୍ଲାବିତ କରିଛି । ସମଗ୍ର ବିଶ୍ୱକୁ ତା’ର ଜ୍ଞାନାଲୋକ ବିତରଣ କରି ନିଜକୁ ଧନ୍ୟ ମନେ କରିଛି । ସେ ନିଜକୁ ନିଜଠାରେ କେବେ ସଙ୍କୁଚିତ କରି ରଖିନାହିଁ, ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଭଲ ପାଇଛି, ଆପଣାର କରିଛି, ସମସ୍ତଙ୍କୁ ତା’ର କୋଳକୁ କୋଳେଇ ନେଇଛି, ଏହାହିଁ ହେଉଛି ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଧ୍ୟାତ୍ମିକ ପରଂପରା ।

 

ବେଦ, ବ୍ରାହ୍ମଣ, ଉପନିଷଦଠାରୁ ଆରମ୍ଭ କରି ପୁରାଣ, ମହାଭାରତ, ଗୀତା ଓ ଭାଗବତ ପର୍ଯ୍ୟନ୍ତ ସକଳ ଶାସ୍ତ୍ର-ଗ୍ରନ୍ଥ ଭାରତୀୟ ସନାତନ ଧର୍ମର ଆଧ୍ୟାତ୍ମ ପରଂପରା ଉପରେ ପୁଷ୍ଟ ଓ ପ୍ରତିଷ୍ଠିତ । ଧର୍ମ, ଅର୍ଥ, କାମ, ମୋକ୍ଷ ଚତୁଃବର୍ଗ ଫଳଦାୟକ ଏହି ସକଳଶାସ୍ତ୍ର ସମୂହ ସ୍ଵ ସ୍ଵ ସ୍ଵଚ୍ଛନ୍ଦତାଃ ସୌଷ୍ଠବତା ଓ ମହିମାରେ ମହିମାନ୍ୱିତ । ଶ୍ରୀଜଗନ୍ନାଥ ଦାସଙ୍କକୃତ ଓଡ଼ିଆ ଭାଗବତ ଏଥିରେ ଯେ ଏକ ବ୍ୟତିକ୍ରମ ନୁହେଁ ଏକଥା କହିବା ବାହୁଲ୍ୟ ମାତ୍ର ।

 

ଈଶ୍ଵରାବତାର

ପରିବର୍ତ୍ତନଶୀଳ ଏଇ ଜଗତରେ ପ୍ରତ୍ୟେକ ଜାତିର ଆଧ୍ୟାତ୍ମିକ ଜୀବନ ଧାରାରେ ବହୁ ଉତ୍‌ଥାନ ପତନ ପରିଲକ୍ଷିତ । ସେହିପରି ଭାରତବର୍ଷର ଆଧ୍ୟାତ୍ମିକ ଜୀବନ ପ୍ରବାହ ବହୁ ଉତ୍‌ଥାନ ପତନର ଅନ୍ତର୍ଗତ । ବ୍ରାହ୍ମଣ, ବୌଦ୍ଧ/ଶୈବ, ଶାକ୍ତ, ଗାଣପତ୍ୟ ଓ ବୈଷ୍ଣବଧର୍ମର ଧର୍ମୀୟ ଭାବ ସଂପଦ ଭାରତ ବର୍ଷର ଜୀବନ ଧାରାକୁ ବିଭିନ୍ନ ସମୟରେ ନିତ୍ୟନୂତନ ଭାବେ ନିୟନ୍ତ୍ରିତ କରିଛି । ଯେତେବେଳେ ଗୋଟିଏ ଜାତିର ଜାତୀୟ ଜୀବନରେ (ଧର୍ମ-ଧାରାର ସାଂସ୍କୃତିକ ଚେତନାରେ) ଅଧଃପତନ ପରିଲକ୍ଷିତ ହୁଏ, ସେତେବେଳେ ମନେହୁଏ ଜାତି ସମୂଳେ ଧ୍ଵଂସ ପ୍ରାପ୍ତ ହେବ । ମାତ୍ର ଇତିହାସ ପୃଷ୍ଠାରୁ ଅନୁଧ୍ୟାନ କଲେ ଜଣାଯାଏ ଏଇ ଅଧଃପତିତ ଅବସ୍ଥା ମଧ୍ୟ ଦେଇ ଜାତି ଧୀରେ ଧୀରେ ଶକ୍ତି ସଂଚୟ କରି ଚାଲିଥାଏ ଏବଂ ସମୟ ଆସେ ଯେତେବେଳେ ନବଜାଗରଣର ଉନ୍‌ମାଦନାରେ ବଳୀୟାନ୍‌ ହୋଇ ଜାତି ଜାଗରୁକ ହୁଏ । ସେତେବେଳେ ଜାତୀୟ ଜୀବନରେ ଦେଖାଦିଏ ଏକ ନବଜାଗରଣର ମହାତରଙ୍ଗ, ମହାନ୍‌ ବିପ୍ଳବ ଏବଂ ଏଇ ବିପ୍ଲବ-ବନ୍ୟାର ଶୀର୍ଷଦେଶରେ ଅଧୀରୂଢ଼ ହୋଇଥାନ୍ତି ଏକ ଏକ ମହାନ୍‌ ମହାପୁରୁଷ; ଯେଉଁମାନଙ୍କର ଜୀବନାଦର୍ଶ, ଜୀବନ ଜ୍ୟୋତି ସମଗ୍ର ଜଗତକୁ ଆଲୋକିତ କରେ, ଉଦ୍‌ଭାସିତ କରେ । ଏଇମାନେହିଁ ଜଗତର କଲ୍ୟାଣ ପାଇଁ ଦଧୀଚିଙ୍କ ଭଳି ନିଜ ଜୀବନକୁ ଉତ୍ସର୍ଗ କରିଥାଆନ୍ତି । ଏଇମାନଙ୍କର ଉଦାତ୍ତ କଣ୍ଠରୁ ସେଇ ଅମୀୟ ମଧୁରବାଣୀ ଉଚ୍ଚାରିତ ହୋଇଥାଏ । ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ପାଉ’’ ଏଇମାନେହିଁ ଜଗତର ମହା-ମନୀଷୀ, ଆଚାର୍ଯ୍ୟ, ମୁନିୠଷି, ସାଧୁ, ସନ୍ଥ - ଈଶ୍ଵରାବତାର । ଯଥା : ଯଦା ଯଦାହି ଧର୍ମସ୍ୟ ....... ।

 

ଷୋଡ଼ଶ ଶତାବ୍ଦୀର ସମୟ

ଷୋଡ଼ଶ ଶତାବ୍ଦୀର ଭାରତବର୍ଷ ଏକ ଯୁଗ-ସଂନ୍ଧିକ୍ଷଣର ଭାରତବର୍ଷ । ମୋଗଲ-ପଠାଣ ଶାସକଗୋଷ୍ଠୀଙ୍କର ଜଘନ୍ୟ ଅତ୍ୟାଚାରରେ ଭାରତଭୂମି ଖଣ୍ଡ ବିଖଣ୍ଡିତ । ବର୍ଣ୍ଣାଶ୍ରମ ଧର୍ମର ଗୁରୁ ପରଂପରା, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଚେତନାର ପ୍ରବାହ ଏତେବେଳେ ସଂପୂର୍ଣ୍ଣ ଭାବେ ବ୍ୟାହତ ଓ ବିକଳଗ୍ରସ୍ତ । ଓଡ଼ିଶା ବା ଏଥିରୁ ବାଦ ପଡ଼ନ୍ତା କିପରି ?

 

ଉତ୍କଳୀୟ ବୈଷ୍ଣବ ପଞ୍ଚମହାପୁରୁଷ ଓ ଶ୍ରୀ ଜଗନ୍ନାଥ ଦାସ:

ଏପରି ଏକ ମହତୀ ବିନଷ୍ଟିର ସନ୍ଧିକ୍ଷଣରେ ଉତ୍କଳରେ ଜନ୍ମ ନେଇଛନ୍ତି ପଞ୍ଚ ମହାପୁରୁଷ; (ଅଚ୍ୟୁତ, ଅନନ୍ତ, ଯଶୋବନ୍ତ ବଳରାମ ଓ ଜଗନ୍ନାଥ), ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁମାନେ ପରିଚିତ ହେଲେ ‘‘ଉତ୍କଳୀୟ ବୈଷ୍ଣବ - ପଞ୍ଚସଖା’’ ଭାବରେ । ଏମାନେ ଏମାନଙ୍କର ଯୁଗାନ୍ତକାରୀ ସାଧନା, ତପଶ୍ଚର୍ଯ୍ୟା ତଥା ସିଦ୍ଧିଲବ୍ଧ ଅଲୌକିକ ଐଶୀଶକ୍ତି ବଳରେ ସମଗ୍ର ଉତ୍କଳ ଖଣ୍ଡରେ ପ୍ରବାହିତ କଲେ ଜ୍ଞାନ ଓ ଭକ୍ତ୍ୟାଲୋକର ବନ୍ୟା ସ୍ଵରଚିତ କାବ୍ୟଗ୍ରନ୍ଥ, ଗୀତା, ମାଳିକା, ଭଜନ, ଜଣାଣ ରଚନା କରି । ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସ ମହର୍ଷି ବ୍ୟାସଦେବଙ୍କ କୃତ ସଂସ୍କୃତ ଶ୍ରୀମଦ୍‌ ଭାଗବତମ୍‌ର ଅନ୍ତର୍ନିହିତ ନିଗୂଢ଼ ଭାବରାଜିକୁ, ନବାକ୍ଷରୀ ଛନ୍ଦରେ ସରଳ ତରଳ କାନ୍ତକୋମଳ ପଦାବଳୀରେ ପ୍ରକାଶ କରି ରଚନା କଲେ ଓଡ଼ିଆ ଭାଗବତ । ସେତେବେଳର ଦେଢ଼ କୋଟି ଓଡ଼ିଆ ପ୍ରାଣରେ ସଂଚାରିତ କଲେ ଦିବ୍ୟ ଜୀବନର ଦିବ୍ୟ ଭାବସଂପଦ ପ୍ରସ୍ଫୁଟିତ କଲେ ଅପ୍ରାକୃତ ପ୍ରେମ ଭକ୍ତିର ଅମୀୟ ଭାବସୁମନ । ସେତେବେଳରେ ପୁରପଲ୍ଲୀର ପ୍ରତିଟି ଓଡ଼ିଆ, ତା’ର ଘରେ ଘରେ ସ୍ଥାପନ କଲା ଭାଗବତ ଟୁଙ୍ଗୀ ଯହିଁରେ ବିରାଜିତ ହେଲେ । ଶ୍ରୀମଦ୍‌ ଭାଗବତ ଗ୍ରନ୍ଥ ସାକ୍ଷାତ ପୂର୍ଣ୍ଣବ୍ରହ୍ମ ଅବତାରୀ ପୁରୁଷ ପୁରୁଷୋତ୍ତମଙ୍କ ଶ୍ରୀ ଜଗନ୍ନାଥ ରୂପରେ । ଭାଗବତ ଟୁଙ୍ଗୀର ପ୍ରତ୍ୟେକ ସଂଧ୍ୟା ଶ୍ରୀମଦ୍‌ ଭାଗବତଙ୍କର ପୂଜା ଅର୍ଚ୍ଚନାରେ ହୋଇଉଠିଲା ମଧୁମୟ, ଅମୃତମୟ । ସଂଧ୍ୟା ଆରତିରେ ଭଜନ କୀର୍ତ୍ତନରେ ଖୋଳ, କରତାଳ, ଶଙ୍ଖ, ଘଣ୍ଟା, ଘଣ୍ଟ କାହାଳୀ ହରିବୋଲ, ହୁଳହୁଳୀ ଧ୍ଵନିରେ ଭାଗବତ ଟୁଙ୍ଗୀ ହେଲା ମୁଖରିତ । ଗ୍ରାମୀଣ ଆବାଳବୃଦ୍ଧବନିତା ଭାଗବତ ଗ୍ରନ୍ଥ ପଠନ ଓ ଶ୍ରବଣରେ ହେଲେ ଉଲ୍ଲସିତ, ଉଦ୍‌ବେଳିତ । ନିୟନ୍ତ୍ରିତ ହେଲା ଓଡ଼ିଆର ଜୀବନ ଧାରା । ତା’ର ସାଂସ୍କୃତିକ ଜୀବନ, ତା’ର ଜାତୀୟ ଜୀବନରେ ଦେଖାଦେଲା ଏକ ଅଦ୍ଭୁତ ପରିବର୍ତ୍ତନ । ଓଡ଼ିଆର ଦୈନହୈନ ଜୀବନଚର୍ଯ୍ୟା, ଚିତ୍ର ଓ ଚରିତ୍ର, ବିବେକ ଓ ବିଚାରଧାରାର ନିୟାମକ ହେଲା ଶ୍ରୀମଦ୍‌ ଭାଗବତ୍‌ର ବାଣୀସମୂହ । ଶ୍ରୀ ଜଗନ୍ନାଥ ଦାସଙ୍କ ପ୍ରଚେଷ୍ଟା ଓ ପ୍ରସାଦରୁ ଏବେ ମଧ୍ୟ ଓଡ଼ିଆ ଜାତିର କି ଚାଷୀ କି ମୂଲିଆ, କି ଧନୀ କି ଦରିଦ୍ର, ସ୍ତ୍ରୀ ଶୂଦ୍ର ଭାଗବତ ପଠନ ଶ୍ରବଣରେ ବିମୁଗ୍ଧ । ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍‌ ଭାଗବତ ଓଡ଼ିଆ ଜାତୀୟ ଜୀବନର ଜୀବନ-ସର୍ବସ୍ଵ, ଓଡ଼ିଆ ପ୍ରାଣର ପ୍ରାଣାଧିକ ପ୍ରିୟତମ, ତା’ର ମୃତ୍ୟୁ ପଥେ ମୁକ୍ତିର କୈବଲ୍ୟ ।

 

“ନମଇଁ ନୃସିଂହ ଚରଣ, ଅନାଦୀ ପରମ କାରଣ

ଲୀଳା ବିଧୃତ କଳେବର, ଦେବମାନବେ ଅଗୋଚର ।’’

 

ଶ୍ରୀମଦ୍‌ ଭାଗବତର ଏଇ ଦୁଇପାଦ ଅମୀୟ ମଧୁରବାଣୀ ଓଡ଼ିଆର ମୃତ୍ୟୁଶଯ୍ୟା ନିକଟରେ ତା’ର ମୁକ୍ତିର ମହାମନ୍ତ୍ର । ଅନ୍ତିମ ଶଯ୍ୟାରେ ଭାଗବତ (୧୧ଶ ସ୍କନ୍ଧ) ଶୁଣୁ ଶୁଣୁ ସେ ସ୍ଵର୍ଗପଥର ଯାତ୍ରୀ ହୋଇଥାଏ । ଦୁର୍ଭିକ୍ଷ ମହାମାରୀରେ, ଅକାଳରେ ଅଶୁଭ ବେଳରେ ‘‘ଭାଗବତ ସପ୍ତା’’ ବସାଇ ଓଡ଼ିଆ ଜାତି ‘‘ହରିହାଟ’’ ଉତ୍ସବ ପାଳନ କରେ । ଶ୍ରୀମଦ୍‌ ଭାଗବତ ଗ୍ରନ୍ଥ ଓଡ଼ିଆ ଜାତିର ରକ୍ଷାକବଚ, ଇଷ୍ଟ, ଅଭୀଷ୍ଟ, ଗତି ଓ ମୁକ୍ତିର ଧାରକ; ଭାଗବତ ଟୁଙ୍ଗୀ ତା’ର ମର୍ତ୍ତ୍ୟବୈକୁଣ୍ଠ ।

 

ଗୌଡ଼ୀୟ ପଞ୍ଚ ମହାପୁରୁଷ ଓ ଶ୍ରୀଚୈତନ୍ୟ :

୧୬ଶ ଶତାବ୍ଦୀର ଏହି ସନ୍ଧିକ୍ଷଣ ମୁହୂର୍ତ୍ତରେ ଉତ୍କଳରେ ପଞ୍ଚ ବୈଷ୍ଣବ ଜନ୍ମ ଗ୍ରହଣ କରିବା ପରି ଗୌଡ଼ଦେଶ (ନଦୀୟା ନବଦ୍ୱୀପ)ରେ ଜନ୍ମ ଗ୍ରହଣ କରିଥିଲେ ଗୌଡ଼ୀୟ ପଞ୍ଚସଖା (ଶ୍ରୀବାସ, ଅଦୈତ, ଗଦାଧର, ନିତ୍ୟାନଂଦ ଓ ଗୌରାଙ୍ଗ) । ପରମ ପ୍ରେମମୟ, ପ୍ରେମ କଳ୍ପତରୁ, ଅପ୍ରାକୃତ ପ୍ରେମମୂର୍ତ୍ତି ରାଧା ଏବଂ ହରିଙ୍କ ମିଳିତ ତନୁ ଧାରଣ କରି ଜନ୍ମ ନେଲେ ଶ୍ରୀମନ୍‌ ଗୌରାଙ୍ଗ ମହାପ୍ରଭୁ-। ପ୍ରଚଣ୍ଡ ବୈରାଗ୍ୟ ପ୍ରପୀଡ଼ିତ ବିଗଳିତ ହୃଦୟ ନେଇ, ହସ୍ତରେ ଦଣ୍ଡକମଣ୍ଡଳୁ ଧାରଣ ପୂର୍ବକ, ନୃତ୍ୟାୟିତ ଛନ୍ଦରେ ନାଚି ନାଚି ଗାଇ ଗାଇ ଅଯାଚିତ ଭାବରେ କଳିହତ ମାନବ ପାଇଁ ବିତରଣ କରିଗଲେ ହରିନାମ ମହାମନ୍ତ୍ର । ଅପ୍ରାକୃତ ପ୍ରେମମୂର୍ତ୍ତି ରାଧାହରିଙ୍କର ଜୟଗାନରେ ସମଗ୍ର ଭାରତବର୍ଷର ଗଗନ ପବନ ମୁଖରିତ ହୋଇ ଉଠିଲା । ଛୁଟିଲା କୃଷ୍ଣ-ପ୍ରେମ ତରଙ୍ଗିଣୀର ବନ୍ୟା ।

 

‘‘ନାମ ସଂକୀର୍ତ୍ତନ’’, ସଙ୍ଗୋପାଙ୍ଗ ପାର୍ଷଦମାନଙ୍କ ଗହଣରେ ସମଗ୍ର ଭାରତବର୍ଷ ପରିକ୍ରମା କରି ଶ୍ରୀମନ୍‌ ଗୌରାଙ୍ଗ ମହାପ୍ରଭୁ ୧୫୦୯ ଖ୍ରୀଷ୍ଟାବ୍ଦରେ ପୁରୀ ଧାମରେ ପ୍ରବେଶ କଲେ-। ଇତ୍ୟବସରରେ ବ୍ରହ୍ମଦାରୁ କଳ୍ପବଟ ମୂଳସ୍ଥିତ ବଟଗଣେଶଙ୍କ ସମ୍ମୁଖରେ ଆବାଳ-ବୃଦ୍ଧ-ବନୀତା ଅସଂଖ୍ୟ ଶ୍ରୋତାଙ୍କ ଗହଣରେ ଶ୍ରୀ ଜଗନ୍ନାଥ ସ୍ଵରଚିତ ଭାଗବତ ଆବୃତ୍ତି କରୁଥିବାର ଦେଖିଲେ । କାନ୍ତ କୋମଳ ଲଳିତ ପଦାବଳୀ ସହ ନବାକ୍ଷରୀ ଛନ୍ଦରେ ଅପୂର୍ବ ସ୍ଵର ମୂର୍ଚ୍ଛନା । ଭାବାର୍ଥ-କଥନ ଭଙ୍ଗୀରେ ଅପୂର୍ବ ମାଦକତା । ବ୍ରହ୍ମ, ଆତ୍ମା ଏବଂ ଭଗବାନଙ୍କ ସହ ଅଭିନ୍ନ ଅଭିନିବେଶ । ଅଷ୍ଟ ସାତ୍ତ୍ୱିକ ଲକ୍ଷଣ (ସ୍ତମ୍ଭ, ସ୍ଵେଦ, ରୋମାଞ୍ଚ, ବେପଥୁ, ବୈବର୍ଣ୍ଣ୍ୟ, ସ୍ଵରଭଙ୍ଗ, ଅଶ୍ରୁ ଓ ପ୍ରଳୟ) ବିଜଡ଼ିତ ଶରୀରରେ ଭାବର ଉଦ୍‌ବେଳନ । ବିମୁଗ୍ଧ ହେଲେ ପ୍ରଭୁ ଶ୍ରୀଚୈତନ୍ୟ (ଗୌରାଙ୍ଗ ମହାପ୍ରଭୁ) । ଶ୍ରୀ ଜଗନ୍ନାଥ ଦାସଙ୍କୁ ପ୍ରେମାଲିଙ୍ଗନରେ ଆବଦ୍ଧ କରି ‘‘ଅତିବଡ଼ୀ’’ ଉପାଧିରେ ଭୂଷିତ କଲେ । ସେହିଦିନଠାରୁ ଶ୍ରୀ ଜଗନ୍ନାଥ ଅତିବଡ଼ୀ ‘‘ଜଗନ୍ନାଥ ଦାସ’’ ନାମରେ ନାମିତ ହେଲେ । ତାଙ୍କ ପ୍ରତିଷ୍ଠିତ ସଂପ୍ରଦାୟ ‘‘ଅତିବଡ଼ୀ’’ ସଂପ୍ରଦାୟ ନାମରେ ପରିଚିତି ଲାଭ କଲା-

 

ମହର୍ଷି ବ୍ୟାସଦେବଙ୍କ କୃତ ମହାଭାରତ

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଆଲୋଚନା କରିବା ପୂର୍ବରୁ ମହର୍ଷି ବ୍ୟାସଦେବକୃତ ସଂସ୍କୃତ ଭାଗବତର ଉନ୍ମେଷ ଓ ବିକାଶ ବିବରଣୀ ଜାଣିବା ଏକାନ୍ତ ପ୍ରୟୋଜନ । ଦ୍ୱାପର ଓ କଳିର ସଂନ୍ଧିକ୍ଷଣରେ ବ୍ୟାସଦେବଙ୍କର ଜନ୍ମ । ମହର୍ଷି ବ୍ୟାସଦେବଙ୍କ ମୁଖ୍ୟ ସମ୍ପାଦନାରେ ଶିଷ୍ୟ ଜୈମିନି, ବୈଶମ୍ପାୟନ, ପିପ୍ପଳ ଓ ସୁମନ୍ୟୁ (ଅଥର୍ବଣ) ବେଦ ବିଭାଜନ ଓ ଅଷ୍ଟାଦଶ ପୁରାଣ ରଚନା କଲେ । ବ୍ୟାସଦେବ ନିଜେ ରଚନା କଲେ ସର୍ବଶ୍ରେଷ୍ଠ ଗ୍ରନ୍ଥ ମହାଭାରତ ଓ ସର୍ବୋପନିଷଦ ସାର ଶ୍ରୀମଦ୍‌ ଭାଗବତ୍‌ ଗୀତା ! ଜୀବଜଗତର କଲ୍ୟାଣ ସାଧନ ନିମିତ୍ତ ଏତେ ଗ୍ରନ୍ଥ ରଚନା କରି ମଧ୍ୟ ସେ ଆତ୍ମତୃପ୍ତି ଲାଭ କରି ପାରିଲେ ନାହିଁ । ସେ ଅନୁଭବ କଲେ କେଉଁଠି କିପରି ରହି ଯାଇଛି ଅପୂର୍ଣ୍ଣତା-। ଏଣୁ ସେ ବିଷାଦ ଚିତ୍ତରେ ସରସ୍ଵତୀ ତୀରସ୍ଥ ବଦରିକା ଆଶ୍ରମର ଛାୟାସ୍ନିଗ୍ଧ ଅଶ୍ଵତ୍ଥ ତରୁ ତଳେ ଧ୍ୟାନସ୍ଥ ହେଲେ ।

 

ସର୍ବାନ୍ତର୍ଯାମୀ ନାରାୟଣ ଏକଥା ଜାଣି ପାରିଲେ । ଭକ୍ତ ହୃଦୟରେ ଶାନ୍ତି ସ୍ଥାପନ ନିମିତ୍ତ । ଶ୍ରୀ ଭଗବାନ୍‌ ଭାଗବତଙ୍କ ଶ୍ରୀମଖରୁ ଅକ୍ଷର ବ୍ରହ୍ମ (ତ୍ରିଅକ୍ଷର ମହାବୀଜ) ସ୍ଖଳିତ ହେଲେ । ଭଗବତ୍‌ ତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନରାଜି ପ୍ରଥମେ ବ୍ରହ୍ମା ଜ୍ଞାତ ହେଲେ । ବ୍ରହ୍ମା ଏହି ଜ୍ଞାନ ତତ୍ତ୍ୱକୁ ୪ଟି ଶ୍ଳୋକରେ ଭକ୍ତ ଶ୍ରେଷ୍ଠ ନାରଦଙ୍କୁ ପ୍ରଦାନ କଲେ । ପରମ କରୁଣାର ମୂର୍ତ୍ତି ନାରଦ ବ୍ୟାସଦେବଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କର ସଂଶୟ ଛିନ୍ନ ନିମିତ୍ତ ଏହି ଭଗବତ୍‌ ଜ୍ଞାନକୁ ୧୦ଟି ଶ୍ଳୋକରେ ବ୍ୟାସଦେବଙ୍କୁ ଉପଦେଶ ଦେଲେ । କହିଲେ ‘‘ଭବରୋଗର ଏକମାତ୍ର ଔଷଧ ଭଗବତ୍‌ ଶରଣାଗତି । ତାହା ତୁମେ ଜଗତର କଲ୍ୟାଣ ପାଇଁ ବିତରଣ କର ଲୀଳା ପୁରୁଷୋତ୍ତମଙ୍କର ବିବିଧ ଲୀଳା ବର୍ଣ୍ଣନା କରି । ତାହାହେଲେ ତୁମ ଚିତ୍ତ ପ୍ରଶାନ୍ତି ଲାଭ କରିବ । ନାରଦଙ୍କଠାରୁ ବାସୁଦେବ ମନ୍ତ୍ର ଓ ଶ୍ଳୋକ ଲାଭ କରି ମହର୍ଷି ବ୍ୟାସଦେବ ପୁନଶ୍ଚ ଧ୍ୟାନମଗ୍ନ ହେଲେ ଏବଂ ଅପରୋକ୍ଷ ଅନୁଭୂତିରେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ସମସ୍ତ ଲୀଳା ପ୍ରତ୍ୟକ୍ଷ କଲେ । ମନ୍ତ୍ରଦ୍ରଷ୍ଟା ମହର୍ଷି ବ୍ୟାସଦେବଙ୍କ ଲେଖନୀର ସ୍ଵତଃ ସ୍ଥାରିତ ହେଲା ୧୮ ହଜାର ଶ୍ଳୋକବିଶିଷ୍ଟ ଶ୍ରୀମଦ୍‌ ଭାଗବତର ଭକ୍ତି ମୁକ୍ତି ପ୍ରଦାୟକ ଅମୀୟ ମନ୍ଦାକିନୀ । ପରମ ଶାସ୍ତ୍ର ଭାଗବତର ଅମୃତମୟୀ ରସଧାରାରେ ଭାରତୀୟ ଜନଜୀବନ ହେଲା ରସଶିକ୍ତ ।

 

ଇତିମଧ୍ୟରେ ଅନେକ ସମୟ ଅତିକ୍ରାନ୍ତ ହେଲା । ସମୟ ଆସିଲା ଯେତେବେଳେ ସଂସ୍କୃତ ସାହିତ୍ୟର ଅଧ୍ୟୟନ, ଅଧ୍ୟାପନା କେବଳ ଯାଜ୍ଞିକ ବ୍ରାହ୍ମଣମାନଙ୍କ ମଧ୍ୟରେ ଆବଦ୍ଧ ରହିଲା । ପଣ୍ଡିତ ବ୍ରାହ୍ମଣ ଭିନ୍ନ ସ୍ତ୍ରୀ, ଶୂଦ୍ର ଏପରିକି ପତିତ ବ୍ରାହ୍ମଣମାନଙ୍କର ସଂସ୍କୃତ ସାହିତ୍ୟ ଅଧ୍ୟୟନ, ପଠନ କରିବାର ଅଧିକାର ରହିଲା ନାହିଁ । ଅନ୍ୟପକ୍ଷେ ବିଜାତୀୟ, ବିଧର୍ମୀୟ ଶାସକ ଗୋଷ୍ଠୀଙ୍କର ରାଜତ୍ୱରେ ହିନ୍ଦୁଧର୍ମ ଓ ସଂସ୍କୃତି ହେଲା ବିପନ୍ନ । ଦେବାଳୟ ଲୁଣ୍ଠିତ ହେଲା । ସଂସ୍କୃତ ଶିକ୍ଷା କେନ୍ଦ୍ର ହେଲା ଅବଲୁପ୍ତ । ସନାତନ ହିନ୍ଦୁ ଧର୍ମ କ୍ରମେ ସଂକୁଚିତ ହେବାକୁ ବାଧ୍ୟ ହେଲା । ଏଣୁ ସେ କାଳର ମନୀଷୀ ଓ ବିଦ୍ୱାନମାନେ ଚିନ୍ତିତ ଓ ଆତଙ୍କିତ ହେଲେ । ଏସବୁ ସମସ୍ୟାର ସମାଧାନ ନିମିତ୍ତ ସେମାନେ ଉପାୟ ଉଦ୍ଭାବନ କଲେ । ସଂସ୍କୃତ ଶାସ୍ତ୍ରସମୂହର ନିଗୂଢ଼ ତତ୍ତ୍ୱ ଓ ଭାବସମ୍ପଦକୁ ପ୍ରାକୃତ ଭାଷାରେ (ପ୍ରାଦେଶିକ ଭାଷାରେ) ଅନୁବାଦ କରିବାକୁ ନିଷ୍ପତ୍ତି ଗ୍ରହଣ କଲେ । ଏହି ନିଷ୍ପତ୍ତି ଓ ପ୍ରେରଣାର ବଶବର୍ତ୍ତୀ ହୋଇ ଆଦିକବି ସାରଳା ଦାସ ରଚନା କଲେ ଓଡ଼ିଆ ମହାଭାରତ ଓ ପରବର୍ତ୍ତୀ କାଳରେ ବଳରାମ ଦାସ ଦାଣ୍ଡି ରାମାୟଣ, ଅଚ୍ୟୁତାନନ୍ଦ ହରିବଂଶ ।

 

ଓଡ଼ିଆ ଭାଗବତର ସୃଷ୍ଟି ପ୍ରେରଣା

ଏହି ଚିନ୍ତା ଓ ଚେତନାର ବଶବର୍ତ୍ତୀ ହୋଇ ଶ୍ରୀ ଜଗନ୍ନାଥ ଦାସ, ମହର୍ଷି ବ୍ୟାସଦେବକୃତ ପରମଶାସ୍ତ୍ର ଶ୍ରୀମଦ୍‌ ଭାଗବତ ଗ୍ରନ୍ଥର ଓଡ଼ିଆ ରୂପାନ୍ତର କରିବାକୁ ପ୍ରୟାସୀ ହେଲେ । ଏହି ଭାବରେ ଅନୁଭାବିତ ହୋଇ । ସେ ଥରେ ସ୍ଵୟଂ ଜଗନ୍ନାଥଙ୍କ ଚତୁର୍ଭୁଜ ମୂର୍ତ୍ତି ସ୍ୱପ୍ନରେ ଦର୍ଶନ କଲେ-। ଆଦେଶ ହେଲା, ‘‘ତୁମ୍ଭେ ପ୍ରାକୃତ । ବନ୍ଧରେ ଭାଗବତ ରଚନା କରି ଜଗତରେ ଅଶେଷ କଲ୍ୟାଣ ସାଧନ କର, ଭୟ କରନାହିଁ, ମୁଁ ତୁମ ହୃଦୟରେ ରହି ତୁମର ଅଭୀଷ୍ଟ ପୂରଣ କରିବି’’ ।

 

‘‘ଏ ମହାପୁରାଣ ଚରିତ, ପ୍ରାକୃତ ବନ୍ଧେ କଲେ ଗୀତ ।

ତୁ ନିଜେ ପବିତ୍ର ହୋଇବୁ, ଅଶେଷ ପ୍ରାଣୀଙ୍କୁ ତାରିବୁ ।

+      +      +      +      +      +

ଭୟ ନକର ତୁମ୍ଭେ କିଛି, ଗୀତ ତୁ କର ମୁହିଁ ଅଛି ।

ତୋ ହୃଦ ପଦ୍ମେ ବସିଥାଇ, ମୁଁ ଯାହା ଦେଉଥିବି କହି ।

ତାହାତୁ ପତ୍ର ଘେନି ଲେଖ, କହି ଚଳିଲେ ପଦ୍ମମୁଖ ।’’

(ଦାର୍ଢ଼୍ୟତାଭକ୍ତି - ଲେଖକ - ରାମଦାସ)

 

ତାହାହିଁ ହେଲା । ସଂସ୍କୃତ ଭାଗବତରେ ନିଗୂଢ଼ ଭାବତତ୍ତ୍ଵ ରୂପାୟିତ ହେଲା ଓଡ଼ିଆ ଭାଗବତରେ । ସ୍ଵୟଂ ଭଗବାନ-ଭାଗବତ ହେଲେ ଦାସଙ୍କ ଅନ୍ତରର ପ୍ରେରଣାଦାତା ।

 

ପୁନଶ୍ଚ କଥିତ ଅଛି - ଜଗନ୍ନାଥ ଦାସଙ୍କ ନିଜ ମାଆ ପଦ୍ମାବତୀ ପୁରାଣ ପଣ୍ଡାଙ୍କଠାରୁ ଭାଗବତ ଶୁଣିବାକୁ ଅସମର୍ଥ ହୋଇଥିଲେ । କାରଣ ଅର୍ଥାଭାବରୁ ସେ ତାଙ୍କୁ ଦକ୍ଷିଣା ଦେବାକୁ ସମର୍ଥ ହୋଇ ପାରି ନଥିଲେ । ତେଣୁ ସେ ପୁଅକୁ କହିଲେ - “ପୁଅରେ, ସଂସ୍କୃତ ଭାଗବତ ପାଠରୁ 'ମୁଁ ବିଶେଷ କିଛି ବୁଝି ପାରୁନାହିଁ । ତୁ ତ ସଂସ୍କୃତ ପାଠ ପଢ଼ିଛୁ, ମୋତେ ଟିକେ ଓଡ଼ିଆରେ ବୁଝାଇ ଦିଅନ୍ତୁ ନାହିଁ”! । ମା’ଙ୍କର କଥାରେ ପ୍ରେରିତ ହୋଇ ସେ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କଲେ । ପ୍ରତିଦିନ କଳ୍ପବଟ ମୂଳସ୍ଥିତ ବଟ ଗଣେଶଙ୍କ ସମ୍ମୁଖରେ ବସି ସେ ସଂସ୍କୃତ ଭାଗବତର ଅନୁବାଦ କରିବା ସଂଗେ ସଂଗେ ଅଗଣିତ ଶ୍ରୋତାଙ୍କୁ ତାଙ୍କର ସ୍ୱଭାବ ସୁଲଭ ଲଳିତ ମଧୁର କଣ୍ଠରେ ଗାନ କରି ଶୁଣାଇଲେ । ନିଜ ମାଙ୍କ ସମେତ ଅଗଣିତ ନିରକ୍ଷରା ମା’ମାନେ ଓ ପୁରୁଷ ନାରୀ ଓଡ଼ିଆ ଭାଗବତ ଶୁଣି ମୁଗ୍ଧ ଚକିତ ହେଲେ ଓ ନିଜକୁ ଶ୍ରୀକୃଷ୍ଣଙ୍କର ଚରଣାର ବିନ୍ଦରେ ଅର୍ପଣ କରି ନିଜକୁ କୃତ୍ୟ କୃତ୍ୟ ମନେକଲେ ।

 

ଓଡ଼ିଆ ଭାଗବତ ରଚନାରେ ମୌଳିକତା

ଏହି ଦିବ୍ୟଦ୍ରଷ୍ଟା ମହାନ୍‌ ସାଧକଙ୍କ ରଚିତ ଓଡ଼ିଆ ଭାଗବତ ମହର୍ଷି ବ୍ୟାସଦେବଙ୍କ କୃତ ସଂସ୍କୃତ ଭାଗବତର ଅବିକଳ ଓଡ଼ିଆ ଅନୁବାଦ ନୁହେଁ; ବରଂ ମୌଳିକତା ଦୃଷ୍ଟିରୁ, ଭାବାନୁବାଦ ଦୃଷ୍ଟିରୁ ଏହା ଶ୍ରୀ ଦାସଙ୍କର ଅଲୌକିକ ପାଣ୍ଡିତ୍ୟ ଓ ପ୍ରତିଭାର ନିଦର୍ଶନ । ବିଷୟବସ୍ତୁ ସଂସ୍ଥାପନାରେ, ଭାବପ୍ରକାଶର ବୈଶିଷ୍ଟ୍ୟରେ, କବିତ୍ୱ-ଚାତୁରୀରେ କଳ୍ପନା ବିଳାସରେ କବିଙ୍କର ମୌଳିକତା ପରିଲକ୍ଷିତ । ସଂସ୍କୃତ ସାହିତ୍ୟର ବିଷ୍ଣୁପୁରାଣ, ବ୍ରହ୍ମ-କୈବର୍ତ୍ତ ପୁରାଣ, ପଦ୍ମପୁରାଣ ଓ ବୈଷ୍ଣବ ଗ୍ରନ୍ଥସମୂହର ଉପାଦେୟ ବିବରଣୀମାନ ସଂଗ୍ରହ କରି ସେ ତାଙ୍କର .ଭାଗବତରେ ସଂସ୍ଥାପନ କରିଛନ୍ତି ।

 

ଓଡ଼ିଆ ଭାଗବତର କେତେକ ବୈଶିଷ୍ଟ୍ୟ

୧.

ସଂସ୍କୃତ ଭାଗବତ ବାରସ୍କନ୍ଧ ବିଶିଷ୍ଟ ଓ ତିନିଶହ ପଞ୍ଚତିରିଶ ଅଧ୍ୟାୟରେ ବିଭକ୍ତ, ମାତ୍ର ଓଡ଼ିଆ ଭାଗବତ ତେର ସ୍କନ୍ଧ ବିଶିଷ୍ଟ ଓ ତିନିଶହ ବୟାଳିଶ ଅଧ୍ୟାୟରେ ବିଭକ୍ତ ।

 

୨.

ସଂସ୍କୃତ ଭାଗବତର ଶ୍ଳୋକ ସଂଖ୍ୟା ୧୮ ହଜାର ଥିବାବେଳେ ଓଡ଼ିଆ ଭାଗବତର ପଦସଂଖ୍ୟା (ଦ୍ୱାଦଶସ୍କନ୍ଧ ପର୍ଯ୍ୟନ୍ତ) ତିନି ହଜାର ଦଇଶହ ଛ’ଅ ।

 

୩.

‘‘କୃଷ୍ଣ-ଚରିତ ପ୍ରଖ୍ୟାପନ’’ ହିଁ ଉଭୟ ଭାଗବତର ମୌଳିକ ଉଦ୍ଦେଶ୍ୟ ଏବଂ ପ୍ରତିପାଦ୍ୟ ବିଷୟ ହେଉଛି ଭଗବତ୍‌ ଦର୍ଶନ ।

 

୪.

ମୂଳ ସଂସ୍କୃତ ଭାଗବତ ଭିନ୍ନ ଶ୍ରୀଦାସ ଶ୍ରୀଧର ସ୍ଵାମୀକୃତ ଟୀକା ଉପରେ ବିଶେଷ ନିର୍ଭର କରିଥିବା ଜଣାଯାଏ ।

 

୫.

‘‘ବ୍ରହ୍ମ ସତ୍ୟ ଜଗତ ମିଥ୍ୟା’’ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିପାଦିତ ମାୟାବାଦକୁ ସମଥର୍ନ କରିଛନ୍ତି ।

 

୬.

ମୂଳ ଗ୍ରନ୍ଥରେ ନଥିବା କେତେକ ବିଷୟବସ୍ତୁକୁ ଜଗନ୍ନାଥ ଦାସ ନିଜ ଗ୍ରନ୍ଥରେ ସ୍ଥାନ ଦେଇ ଅଛନ୍ତି ନ ଯଥା - ଅକ୍ରୁରଙ୍କ ଚକ୍ଷୁରେ ମାୟାପଟଳ, ସୁଦାମାଙ୍କ ମୁଖରେ ଶ୍ରୀକୃଷ୍ଣଙ୍କ ପ୍ରତ୍ୟାଗମନ ବାର୍ତ୍ତା-ଇତ୍ୟାଦି ।

 

୭.

ଶ୍ରୀଜଗନ୍ନାଥ ଦାସଙ୍କ କୃତିରେ ଜ୍ଞାନ ମିଶା ଭକ୍ତିର ପ୍ରାଧାନ୍ୟ ପରିଲକ୍ଷିତ । ରାଗାନୁଗାଭକ୍ତିର ପୂର୍ଣ୍ଣ ପରିଚୟର ଅଭାବ ପରିଲକ୍ଷିତ ।

 

୮.

ମୂଳଗ୍ରନ୍ଥରେ ‘‘ବଧୂ’’ ଶବ୍ଦ ରାଧାଙ୍କ ଉଦେଶ୍ୟରେ ଉଦ୍ଦିଷ୍ଟ ଥିବାବେଳେ ଓଡ଼ିଆ ଭାଗବତର ‘‘ବଧୂ’’ ଶବ୍ଦ ସଖୀ ବୃନ୍ଦାଙ୍କ ପ୍ରତି ଉଦ୍ଦିଷ୍ଟ ।

 

ଏ ଦୃଷ୍ଟିରୁ ଓଡ଼ିଆ ଭାଗବତ ସଂସ୍କୃତ ଭାଗବତର ଏକ ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ । ଅନୁବାଦ କରିବା ସମୟରେ ଦାସ ମହାଶୟ ତାଙ୍କର ପ୍ରିୟତମ ପ୍ରାଣବଂଧୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଭାବନାରେ ଭାବିତ ହୋଇ ତନ୍ମୟ ଭାବପ୍ରାପ୍ତ ହେଉଥିଲେ ଏବଂ ‘‘ତୃଣାଦପିସୁନିଚେନ’’ ବିନୟ ଭାବ ପୋଷଣ କରି ସମର୍ପିତ ପ୍ରାଣରେ ପରମ ଶାସ୍ତ୍ର ଭାଗବତର ଅଧ୍ୟାୟ ସମାପ୍ତି କରୁଥିଲେ ।

 

ସାହିତ୍ୟ କୃତି

କି ସଂସ୍କୃତ କି ପ୍ରାକୃତ ଉଭୟ ଭାଷାରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା । ସେ ସଂସ୍କୃତରେ - (୧) କୃଷ୍ଣ ଭକ୍ତି କଳ୍ପଲତା (୨) ନୀଳାଦ୍ରି ଶତକମ୍‌ (୩) ଉପାସନାଶତକମ୍‌ (୪) କୃଷ୍ଣ ଭକ୍ତି କଳ୍ପଲତା ଫଳ (୫) ନିତ୍ୟଗୁପ୍ତମାଳା (୬) ନିତ୍ୟାଚାର (୭) ଦୀକ୍ଷା ସଂହିତା ସୋପାନବିଧ୍‌ (୮) ଜଗନ୍ନାଥ ଚରିତାମ୍ବୋଧିସରଣୀ ପ୍ରଭୃତି ଗ୍ରନ୍ଥ ରଚନା କରିଯାଇଅଛନ୍ତି ।

 

ଓଡ଼ିଆ ଭାଷାରେ ତାଙ୍କର ଅନ୍ୟୁନ ୪୦ ଖଣ୍ଡ ସାହିତ୍ୟକୃତି ମଧ୍ୟରେ ଓଡ଼ିଆ ଭାଗବତ ଅନ୍ୟତମ ଓ ଅନୁପମ । ଏତଦ୍‌ବ୍ୟତୀତ ସେ (୨) ଶୈବାଗମ ଭାଗବତ (୩) ଗୁପ୍ତ ଭାଗବତ (୪) ଶୂନ୍ୟ ଭାଗବତ (୫) ତୂଳାଭିଣା (୬) ଅର୍ଥ କୋଇଲି (୭) ମୃଗୁଣୀ ସ୍ତୁତି (୮) ରାସକ୍ରୀଡ଼ା (୯) ଦାରୁବ୍ରହ୍ମ ଗୀତା (୧୦) ମନ ଶିକ୍ଷା (୧୧) ଗଜସ୍ତୁତି (୧୨) ପାଷାଣ୍ଡ ଦଳ (୧୩) ଶ୍ରୀସତସଙ୍ଗ (୧୪) ଦ୍ୱାଦଶ ସ୍କନ୍ଧ ଟିକା (୧୫) ଭକ୍ତି ଚନ୍ଦ୍ରିକା (୧୬) କାଳୀୟ ଦଳନ (୧୭) ମନଃ ଶିକ୍ଷା (୧୮) ବ୍ରହ୍ମଗୀତା (୧୯) ଗୁପ୍ତ ଗୀତା (୨୦) ଇତିହାସ ପୁରାଣ ତଥା ଦହିଖେଳ, ଷୋଳ ଚଉପଦୀ ପ୍ରଭୃତି ଗ୍ରନ୍ଥମାନ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଅଛନ୍ତି ।

 

ତାଙ୍କର ସକଳ ଗ୍ରନ୍ଥର ସାର ମର୍ମ ହେଉଛି - ବ୍ରହ୍ମୋପାସନା, ବ୍ରହ୍ମୋପଲବ୍ଧି, ଆତ୍ମସାକ୍ଷାତକାର । ଜ୍ଞାନ ମିଶ୍ରା ଭକ୍ତିର ପୃଷ୍ଠପୋଷକ ଭାବରେ ଏହି ଗ୍ରନ୍ଥମାନଙ୍କରେ ସେ ନିଜର ପାଣ୍ଡିତ୍ୟ ଓ ପ୍ରତିଭାର ସ୍ଵାକ୍ଷର ଅଙ୍କନ କରିଯାଇ ଅଛନ୍ତି । ତନ୍ମଧ୍ୟରୁ କେତେକ ଗ୍ରନ୍ଥ ସଂପର୍କରେ ସଂକ୍ଷିପ୍ତ ସୂଚନା ଦିଆଯାଇପାରେ ।

 

୧. ରାସକ୍ରୀଡ଼ା

‘‘ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ ।

ଗୋବିନ୍ଦ ବିଚାରନ୍ତି ମନେ, ଆଜ ରମିବା ବୃନ୍ଦାବନେ ।

 

ଏହି ପୁସ୍ତକ ଖଣ୍ଡିକ ଓଡ଼ିଶାର ଜନଜୀବନକୁ ବହୁଭାବେ ପ୍ରଭାବିତ କରିଛି । ସାଧାରଣତଃ ମାଟିବଂଶ ତ ଅବଧାନଙ୍କର ‘‘ଚାଟଶାଳୀ’’ ଯୁଗରେ ପ୍ରଥମେ ଏହି ରାସକ୍ରୀଡ଼ା ପୁସ୍ତକ ବା ଦଶମସ୍କନ୍ଧ-ଗୋପଲୀଳା - ପାଠ କରାଯାଉଥିଲା । ଏହି ରାସକ୍ରୀଡ଼ା ଦଶମସ୍କନ୍ଧ ଅନ୍ତର୍ଗତ ପ୍ରତିପାଦ୍ୟ ବିଷୟ । ଏଥିରେ ରସରାଜ ଶ୍ରୀକୃଷ୍ଣ ତଥା ରାଧା ଗୋପାଙ୍ଗନାମାନଙ୍କର ରାସଲୀଳା ବର୍ଣ୍ଣିତ । ଅଧିକନ୍ତୁ କେତେକ ଆଧ୍ୟାତ୍ମ ତତ୍ତ୍ୱ ଏଥି ମଧ୍ୟରେ ସନ୍ନିବେଶିତ ।

 

୨. ଅର୍ଥ କୋଇଲି

କବି ମାର୍କଣ୍ଡ ଦାସଙ୍କ ‘‘କେଶବ କୋଇଲି’’ ଯାହା ସେ ସମୟରେ ଓଡ଼ିଆର ଜନଜୀବନକୁ ଗଭୀର ଭାବେ ସ୍ପର୍ଶ କରି ପାରିଥିଲା, ତାହାରି ଏକ ଆଧ୍ୟାମିକ ବ୍ୟାଖ୍ୟା, ଏକ ମର୍ମାନୁବାଦ । ଜୀବାତ୍ମା ପରମାତ୍ମାଙ୍କ ମଧ୍ୟରେ ସଂପର୍କ ଓ ସମ୍ବନ୍ଧ ଏଥିରେ ପ୍ରକଟିତ ।

 

୩. ତୂଳାଭିଣା :

ନିଗୂଢ଼ ବ୍ରହ୍ମତତ୍ତ୍ୱ ଉପରେ ଏହା ଆଧାରିତ । ଶିବପାର୍ବତୀଙ୍କ କଥୋପକଥନ ଛଳରେ ଏଥିରେ ସୃଷ୍ଟିର ସୃଷ୍ଟି ରହସ୍ୟ ଉଦ୍‌ଘାଟିତ । ତୂଳାକୁ ଯେପରି ଭିଣାଯାଇ ତାକୁ ସରସ ସୁନ୍ଦର କରି ତା’ର ସଦ୍‌ବ୍ୟବହାର କରାଯାଏ; ସେହିପରି ବ୍ରହ୍ମଜ୍ଞାନ ତତ୍ତ୍ୱରୂପୀ ତୂଳାକୁ ଏଥିରେ ଭିଣାଯାର ଶରୀର ଭେଦ, ପିଣ୍ଡ ବ୍ରହ୍ମାଣ୍ଡ ଭେଦ, ନାମ, ମହାମନ୍ତ୍ର ତତ୍ତ୍ୱ ପ୍ରଭୃତି ବହୁତତ୍ତ୍ୱ ଏଥିରେ ସନ୍ନିବେଶିତ । ଏଥିରେ ଜଗନ୍ନାଥ ଦାସଙ୍କର ଗଦ୍ୟ ରଚନାର ସ୍ଵାକ୍ଷର ନିହିତ ।

 

୪. ମୃଗୁଣୀ ସ୍ତୁତି

କରୁଣ ରସାଶ୍ରିତ ଶ୍ରୀ ଦାସଙ୍କର ଏହା ଏକ ଭକ୍ତି ଗୀତିକା । କବି ବଳରାମ ଦାସଙ୍କ ମୃଗୁଣୀ ସ୍ତୃତି ଅବଲମ୍ବନରେ କବି ଜଗନ୍ନାଥ ଦାସ ମୃଗୁଣୀ ସ୍ତୁତି ରଚନା କରି ଅଛନ୍ତି । ସ୍ଵୀୟ ଭକ୍ତି ବଳରେ ଜୀବ କିପରି ଭଗବାନ୍‌ଙ୍କୁ ସ୍ଵଛନ୍ଦରେ ପ୍ରାପ୍ତ ହୋଇପାରେ ତାହା ଏଥିରେ ପ୍ରକାଶିତ ହୋଇଛି ।

 

୫. ପଦ୍ମପାଦ ସୁଧାନିଧି

ଏହା ଏକ ଗଦ୍ୟ ରଚନା । ଏଥିରେ ତତ୍ତ୍ଵ ବର୍ଣ୍ଣନା ଅପେକ୍ଷୀ ଶ୍ରୀ ଜଗନ୍ନାଥଙ୍କୁ ଦୈନନ୍ଦିନ ଜୀବନ ଚର୍ଯ୍ୟାର ଚିତ୍ର ଦେଖିବାକୁ ମିଳେ । ମହାପ୍ରଭୁ ଶ୍ରୀ ଚୈତନ୍ୟ ପ୍ରତାପରୁଦ୍ର ଦେବଙ୍କୁ ଏବଂ ନିଜେ ଦାସ ମହାଶୟ ରାଣୀହଂସପୁର ଯାଇ ସ୍ତ୍ରୀ ଅଙ୍ଗ ପାଇଟି ରାଣୀଙ୍କୁ ଦୀକ୍ଷାଦେବା କଥା ବର୍ଣ୍ଣିତ-

 

୬. ଷୋଳ ଚଉପଦୀ

ଏହି ରଚନାରେ କବିଙ୍କର କାବ୍ୟ ପ୍ରତିଭା, ବର୍ଣ୍ଣନା ବିଳାସ ନିହିତ । ବୃନ୍ଦାବନ-ମଧୁରାଠାରୁ ଆରମ୍ଭ କରି ଦ୍ୱାରକା ଓ ଶ୍ରୀକ୍ଷେତ୍ରର ମାହାତ୍ମ୍ୟ କବି ଏଥିରେ ପ୍ରକାଶ କରିଅଛନ୍ତି । ଜଗନ୍ନାଥହିଁ ଇଷ୍ଟ । ଜଗନ୍ନାଥ ହିଁ ଅବତାରୀ । ଶ୍ରୀଜଗନ୍ନାଥ ଏବଂ ଶ୍ରୀକୃଷ୍ଣ ଏକ, ଅଭିନ୍ନ ଓ ଅବିଛିନ୍ନ ଏହା ପ୍ରତିପାଦନ କରି ଅଛନ୍ତି । ଏହିପରି ଭାବରେ ତାଙ୍କ ରଚିତ ସମସ୍ତ ଗ୍ରନ୍ଥ ପ୍ରାୟ ଭଗବତ ଚେତନାରେ ସମୃଦ୍ଧ । କବି ଜଗନ୍ନାଥଙ୍କର ସର୍ବଶ୍ରେଷ୍ଠ ସାହିତ୍ୟକୃତି ହେଉଛି ତାଙ୍କ ରଚିତ ଭାଗବତ-। ଏଣୁ ଭାଗବତ ଗ୍ରନ୍ଥର ବହୁମୁଖୀ ଭାବଧାରାର ଆଭିମୁଖ୍ୟ ଉପରେ ଯତ୍‍କିଞ୍ଚିତ୍‌ ଆଲୋକପାତ କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

 

୭. ଶ୍ରୀମଦ୍‌ ଭାଗବତ

ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଜନଜୀବନର କାମନାର କଳ୍ପତରୁ, ତାର ପ୍ରାଣର - ପରଶମଣି । ତା’ର ଧର୍ମ, ଦର୍ଶନ ବିଜ୍ଞାନ, ଶିକ୍ଷା, ସଂସ୍କୃତି ସବୁ କିଛିର ଆଧାର । ଗୁରୁପରମ୍ପରା ମଧ୍ୟ ଦେଇ ବର୍ଣ୍ଣାଶ୍ରମ ଧର୍ମ, ରାଜଧର୍ମ, ଯୁଗଧର୍ମ, ଗୃହସ୍ଥ ଧର୍ମ, ସ୍ତ୍ରୀ ଧର୍ମ, ଗୁରୁ ଧର୍ମ, ଶିଷ୍ୟ ଧର୍ମ, ବୈଷ୍ଣବ ଲକ୍ଷଣ, ଆତ୍ମା-ପରାମାତ୍ମା, ସଚ୍ଚିଦାନନ୍ଦ-ବ୍ରହ୍ମାନୁଭୂତି ପ୍ରଭୃତି ନାନାବିଧ ତତ୍ତ୍ୱମାନ ଏଥିରେ ବର୍ଣ୍ଣିତ ।

 

ଭାଗବତର ଚତୁର୍ଥ ସ୍କନ୍ଧରେ ଯୁଗଧର୍ମ ଓ ରାଜଧର୍ମ ପ୍ରସଙ୍ଗ ସଂପର୍କରେ ନିମ୍ନ ପଂକ୍ତିମାନ ଉଦ୍ଧାର କରା ଯାଇପାରେ ।

 

ଯୁଗଧର୍ମ

ସତ୍ୟ ଶଉଚ ଦୟା ସତ୍ୟ

ଯେ ଯୁଗ ଅନୁରୂପେ କୃତ

॥ .

ସତ୍ୟର ସଙ୍ଗେ ତପ ଗଲା

ଶଉଚ ତ୍ରେତାରେ ରହିଲା

ଦ୍ୱାପର ଗଲା ଦୟା ସଙ୍ଗେ

ମିଥ୍ୟା ରହିଲା କଳିଯୁଗେ

 

ରାଜଧର୍ମ

ଦୁଷ୍ଟ ମାରଣ ରାଜଧର୍ମ

ଏତେ ସ୍ଵଭାବେ ରାଜକର୍ମ

ରାଜାଙ୍କ କୁଳ ଧର୍ମ ଏହି

ନିଶ୍ଚିନ୍ତେ ପ୍ରଜାଙ୍କୁ ପାଳଇ

 

ଗୃହସ୍ଥ ଧର୍ମ

ଯେ ଗୃହେ ନାହିଁ ତାତମାତ

ସୁପୁତ୍ର ସୁତା ପତିବ୍ରତ

ସେ ଗୃହପତି ଧର୍ମହୀନ

ସୁଖେ ତା ନାହିଁ ପ୍ରୟୋଜନ

 

ସ୍ତ୍ରୀ ଧର୍ମ :

ସ୍ଵାମୀଙ୍କ ସଙ୍ଗେ ପ୍ରୀତି କର

ଉଚିତ ଧର୍ମ ଗୋ ତୁମ୍ଭର

ସ୍ୱାମୀର ଯେତେ ଇଷ୍ଟମାନ

ବାଳ ତନୟ ବନ୍ଧୁ ଜନ

ଏ ନିତ୍ୟ କର୍ମ ଗୋ ତୁମ୍ଭର

ପୁଣି ବୋଲନ୍ତି ବେଣୁଧର

 

ଶିଷ୍ୟ ଧର୍ମ

ସାକ୍ଷାତେ ଗୁରୁ ଯେ ଈଶ୍ଵର

ଗୁରୁଙ୍କୁ ନମଣିବ ନର

ଗୁରୁଟି ସର୍ବ ଧର୍ମମୟେ

ମୁହିଁ ବସଇ ଗୁରୁ ଦେହେ

ଏ ଘେନି ଗୁରୁ ଭଗବାନ

ସେ ନୋହେ ମନୁଷ୍ୟ ସମାନ

 

ଏତଦ୍‌ଭିନ୍ନ ବର୍ଣ୍ଣାଶ୍ରମ ଧର୍ମ, ଆଶ୍ରମ ଧର୍ମ, ଜୀବ ଧର୍ମ, ସାଧୁ ଧର୍ମ, ପ୍ରେମ ଧର୍ମ, ନବଧାଭକ୍ତି ଓ ସାତ୍ତ୍ଵିକ, ରାଜସିକ, ତାମସିକ ଆଦି ତ୍ରିଗୁଣଭେଦରେ ସାଧାରଣ ମାନବ ଧର୍ମର ବିବରଣୀ ଭାଗବତ ଗ୍ରନ୍ଥରେ ସନ୍ନିହିତ । ଭାଗବତର ପ୍ରତି ସ୍କନ୍ଧ ଓ ଅଧ୍ୟାୟରେ କୃଷ୍ଣ ନାମାମୃତର ଅମୀୟ ବାଣୀ ଉତ୍‌କୀର୍ଣ୍ଣ । କର୍ମ, ଜ୍ଞାନ, ଭକ୍ତି ଓ ପ୍ରେମର ତତ୍ତ୍ୱର ଅଲୌକିକ ଭାବରାଜିର ଗୁମ୍ଫନରେ ଭାଗବତ ଅନନ୍ତ ଜ୍ଞାନ ଭଣ୍ଡାରର ରତ୍ନାକର । କୃଷ୍ଣନାମର ମହତ୍ୱ ସଂପର୍କରେ କହିବାକୁ ଯାଇ ଜଗନ୍ନାଥ ଦାସ କହିଛନ୍ତି -

 

“କୃଷ୍ଣର ନାମ ଉଚ୍ଚାରଣ

ନଶୁଣେ ଯାହାର ଶ୍ରବଣ

ତାହାର କର୍ଣ୍ଣଯୁଗ କାନ୍ଥେ

ବିବର ଦିଶନ୍ତି ଯେମନ୍ତେ

କୃଷ୍ଣ ଚରିତ ତୀର୍ଥପଦ

ହରଇ ବିଷୟ ବିଷାଦ

କୃଷ୍ଣ ଚରଣେ ଯାର ମନ

ସଂସାରେ ‌ଶ୍ରେଷ୍ଠ ସେହି ଜନ

କୃଷ୍ଣର ଶ୍ରବଣ କୀର୍ତ୍ତନ

ଅଶେଷ ଦୂରିତ ଦହନ

 

ବୈଷ୍ଣବ ଲକ୍ଷଣ

ବିଷ୍ଣୁ ଭକତ ଯେତେ ନରେ

ଦୟା କରନ୍ତି ସର୍ବଠାରେ

ବୈରାଗ୍ୟ ହିଂସା ଦୂରେ ତେଜି

ସେ ପାଦପଦ୍ମଯୁଗେ ଭଜି

 

ଆତ୍ମା ପରମାତ୍ମା ସଂପର୍କରେ କହିବାକୁ ଯାଇ କହିଛନ୍ତି -

 

‘‘ସୁମତି ଆତ୍ମା ଗୁରୁପଣେ

ଆତ୍ମାକୁ ବୁଝାର ଆପଣେ

ଆତ୍ମାରେ କରେ ଆତ୍ମାଜ୍ଞାନ

କେବଳ ଚିତ୍ତେ ଅନୁମାନ

ଆତ୍ମା କୃଶଳେ ସର୍ବସିଦ୍ଧି

ତରର ସଂସାର ଜଳଧି

।।

 

ପ୍ରେମ ଭକ୍ତି

ଆତ୍ମାକୁ ନାରୀ ବେଶକରି ।

ଶ୍ରୀରାଧା ଅଙ୍ଗରେ ବିହରି ॥

କୃଷ୍ଣେ ଆସ୍ୱାଦ ପ୍ରୀତି ଦେଇ ।

ଏହାକୁ ପ୍ରେମଭକ୍ତି କହି ॥

 

ଶ୍ରୀମଦ୍‌ ଭାଗବତ କୃଷ୍ଣପ୍ରେମ ଭକ୍ତି ରସର ଅନନ୍ତ ପାରାବାର । ଏହା ଏକାଧାରରେ ବିଜ୍ଞାନ ଓ କଳା, କାବ୍ୟ ଓ ଦର୍ଶନ ଶାସ୍ତ୍ର । ସମସ୍ତ ବେଦ କଳ୍ପତରୁର ରସାତ୍ମକ ସୁପକ୍ୱ ଫଳ ଯାହା ଶୁକ ମୁଖ ଦ୍ୱାରା ଆସ୍ଵାଦିତ ହୋଇ ଅମୃତ ମୟ ହୋଇ ଉଠିଛି । ଭାଗବତ ରସର ଏଇ ଉପାଦେୟତା ତା’ର ଗୋଟିଏ ଶ୍ଳୋକରେ ବିବୃତ ହୋଇଅଛି -

 

ଯଥା :-

ନିମ କଳ୍ପତରୋର୍ଗଳିତଂ ଫଳଂ

ଶୁକମୁଖାଦ୍‌ମୃତ ଦ୍ରବ ସଂଯୁତମ୍‌ ।

ପିବତ ଭାଗବତଂ ରସମାଳାଂ ୟଂ

ମୁହୁରହୋ ରସିକା ଭୁବିଭାବୁକାଃ ॥

 

ପରମଶାସ୍ତ୍ର ଭାଗବତ

ପ୍ରତ୍ୟେକ ମହାପୁରୁଷଙ୍କ ହୃଦୟରେ ଭଗବତ୍‌ ଭକ୍ତିର ଉଦ୍ରେକ ହୋଇଥାଏ ପରମତତ୍ତ୍ୱର ଉପଲବ୍ଧିରେ । ଏହି ପରମତତ୍ତ୍ୱ ଉପଲବ୍ଧୀ ସଂପୂର୍ଣ୍ଣ ନିର୍ଭର କରେ ଭଗବତ୍‌ କୃପା ଉପରେ । ଭାଗବତଙ୍କର ଅହେତୁକୀ କୃପା ବିନା ଭକ୍ତର ଜୀବନ ସାର୍ଥକ ହୋଇ ନଥାଏ । ଏହି ଭଗବତ୍‌ କୃପା ଲାଭ କରି ଶୁକଦେବ ହେଲେ ପରମ ଭାଗବତ । ସେହିପରି ଜଗନ୍ନାଥ ଦାସ ଭଗବତ୍‌ କୃପା ଉପଲବ୍ଧିରେ ନିଜ ଜୀବନକୁ ସାର୍ଥକ କରିବା ସଂଗେ ସଂଗେ, ସମଗ୍ର ମାନବ ସମାଜ ନିମିତ୍ତ ରଚନା କରିଯାଇ ଅଛନ୍ତି ଶ୍ରୀମଦ୍‌ ଭାଗବତ - ଭଗବତ କୃପା- କଣିକାର ଅସରନ୍ତି ଭଣ୍ଡାର-ତେଣୁ ସେ ଯଥାର୍ଥରେ ଲେଖିଛନ୍ତି -

 

‘‘ପରମ ଶାସ୍ତ୍ର ଭାଗବତ । ଅଭ୍ୟାସ କରୁଥିବ ନିତ୍ୟ ।।’’

 

ଜଗତ ଅନିତ୍ୟ । ମିଛମାୟା ସଂସାର, କେହି ନୁହେଁ କାହାର । ମିଛ ମାୟା ସଂସାରର ବନ୍ଧନ ମଧ୍ୟରେ ‘ମାୟାବଦ୍ଧ ଜୀବ’ ପଡ଼ି ଅହରହ ଛଟ ପଟ ହେବାରେ ଲାଗିଛି । ଯଥା -

 

ବ୍ରହ୍ମାହୁଁ କୀଟ ଜନ୍ମଯାଏ

ସକଳେ ପଡ଼ି ମାୟା ମୋହେ

ଏ ଘୋର ସଂସାର ସାଗର

ଏଣେ ହୋ ବିଶ୍ଵାସ ନକର

ପଥିକ ଯେହ୍ନେ ପଥଶ୍ରମେ

ମିଳନ୍ତି ବୃକ୍ଷର ଆଶ୍ରମେ

ଶ୍ରମ ସାରିଲେ ଯେଝାମତେ

ଚଳନ୍ତି ବୃକ୍ଷ ଥାଇ ପଥେ

ଏସନ ସଂସାର କୁଟୁମ୍ବ

ସୁଖ ଦୁଃଖର ପରାଭବ

ବିନା ଗୋବିନ୍ଦ ଆଶ୍ରେତୋର

ନାହିଁ କେବଣ ପ୍ରତିକାର

 

ନଶ୍ଵର ସଂସାରର ଅନିତ୍ୟତା ଓ ଅସାରତା ଉପଲବ୍ଧି କରି ନିତ୍ୟ ଶାଶ୍ଵତର ଅନୁସଂଧାନରେ ବ୍ରତୀ ହେବା ନିମିତ୍ତ ସେ ମାନବସମାଜକୁ ଉପଦେଶ ଯାଇଅଛନ୍ତି ।

 

ସମର୍ପଣ ଭାବ

ବିଶ୍ଵ ସୃଷ୍ଟିର ସକଳ ଆଧ୍ୟାତ୍ମ ଗ୍ରନ୍ଥର ଅନ୍ତିମ ନିର୍ଯାସ ବା ସବଶ୍ରେଷ୍ଠ-ସର୍ବଶେଷ ବାଣୀ ହେଉଛି ଶରଣାଗତ ବା ସମର୍ପଣ । ପୂର୍ଣ୍ଣ ସମର୍ପଣ ବ୍ୟତିରେକେ ଭଗବତ୍‌ କୃପା ଲାଭ ଅସମ୍ଭବ ଏ ଦୃଷ୍ଟିରୁ ଜଗନ୍ନାଥ ଦାସ ତାଙ୍କର ଭାଗବତ ରଚନାର ପ୍ରାରମ୍ଭରେ ହିଁ (ଆଦ୍ୟ ପଦରେ) ଲେଖିଛନ୍ତି - ‘‘ନମଇଁ ନୃସିଂହ ଚରଣ । ଅନାଦୀ ପରମ କାରଣ ।।’ ଏବଂ ପ୍ରାୟ ପ୍ରତ୍ୟେକ ଅଧ୍ୟୟର ପରିସମାପ୍ତିରେ ତାଙ୍କର ବିନୟ ଓ ଶରଣାଗତ ।

ଭାବ ପ୍ରଷ୍ଫୁଟିତ । ଯଥା -

 

ଅଳ୍ପ ହୀନ ବୁଦ୍ଧି ମୋର

ଏଣୁ ମୁଁ ଅଜ୍ଞାନ ପାମର

ନଜାଣି ସମୁଦ୍ରର ଗତି

ହସ୍ତେ ମନ୍ଥଇ ମୂଢ଼ମତି

ସେବଇ ସୁଜନ ପୟର

ଏ ଦୋଷ କ୍ଷମାକର ମୋର

ସୂଜନେ ମୋର ପ୍ରାଣବଂଧୁ

ଏଣୁ ତରିବି ଭବସିନ୍ଧୁ

(୧୧ଶ ସ୍କନ୍ଧ - ୯ମ ଅଧ୍ୟାୟ)

 

ସେ ହରି ଅଭୟ ଚରଣେ

ପାମର ଜଗନ୍ନାଥ ଭଣେ

।।

କେବଳ ଦାସ ଭାବେ ମତି

ଚରଣେ ଶରଣ ମୁଁ ନିତି

।।

(୧୧ଶ ସ୍କନ୍ଧ - ୧୯ ଅଧ୍ୟାୟ)

 

ଉଦ୍ଧବ ଗଲେ ଯେଉଁ ଦାଣ୍ଡେ

ସେ ରେଣୁ ପଡ଼ୁ ମୋର ମୁଣ୍ଡେ

।।

ଭକତ ଜନ ପାଦେ ପଡ଼ି

ଏ ବରମାଗେ କରଯୋଡ଼ି

ପାମର ହୀନ ଜ୍ଞାନ ମୋର

ପଣ୍ଡିତେ ଦୋଷ ମୋ ନଧର

କୃଷ୍ଣ ଚରଣେ ନାନାମତେ

ଭକତି ହେଉ ଦୃଢ଼ ଚିତ୍ତେ

(୧୧ଶ ସ୍କନ୍ଧ - ୩୦ଅଧ୍ୟାୟ)

ଗୁରୁବାଦ

ମାନବସମାଜ ପାଇଁ ଭାଗବତ ଗ୍ରନ୍ଥର ଅନ୍ୟତମ ନିର୍ଦ୍ଦେଶ ହେଉଛି ‘‘ଗୁରୁଗ୍ରହଣ’’ ଓ ଦୁର୍ଲଭ ମାନବ ଜନ୍ମରେ ‘‘ଆତ୍ମୋପଲବ୍ଧି’’ ଓ ‘‘ଇଷ୍ଟପ୍ରାପ୍ତି’’। ସେଥିପାଇଁ ଗୁରୁଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ସେ ଲେଖିଛନ୍ତି -

 

ସାକ୍ଷାତେ ଗୁରୁ ଯେ ଈଶ୍ୱର

ଗୁରୁଙ୍କୁ ନମଣିବ ନର

ଗୁରୁଟି ସର୍ବଧର୍ମ ମୟେ

ମୁହିଁ ବସଇ ଗୁରୁ ଦେହେ

ଏ ଘେନି ଗୁରୁଭଗବାନ

ସେ ନୋହେ ମନୁଷ୍ୟ ସମାନ

(୧୧ଶ ସ୍କନ୍ଧ-୧୮ ଅଧ୍ୟାୟ)

 

ସର୍ବ ଶରୀର ମଧ୍ୟେ ସାର

ଦୁର୍ଲିଭ ନର କଳେବର

ସୁଲଭ ନାବ ରୂପି ଘଟେ

ବନ୍ଧନ ଭବସିନ୍ଧୁ ତଟେ

ଗୁରୁ ତହିଁରେ କର୍ଣ୍ଣଧାର

ମୁହିଁ ଅନୁକୂଳ ସମୀର

ଏମନ୍ତ ନାବ ଥାଉ କୁଳେ

ଯେବା ନତରେ ଭବ ଜଳେ

ସେ ନର ହୀନ ମୂଢ଼ମତି

ତାହାକୁ ବୋଲି ଆତ୍ମଘାତି

 

ଛପନ କୋଟି ଜୀବଙ୍କ ମଧ୍ୟରେ (ଚଉଖାନୀ ଜୀବଜନ୍ତୁ ‘‘ସ୍ଵେଦଜ ଅଣ୍ଡଜ, ଭତ୍ତିଦଜ ଓ ଜରାୟୁଜ) ମାନବ ଜନ୍ମ ଦୁର୍ଲଭ ଜନ୍ମ । ସଂସାର ରୂପକ ସାଗରର ଗୋଟିଏ ତଟରେ ମାୟାବଦ୍ଧ ଜୀବ ତ୍ରିପଦ ବନ୍ଧନ ଜ୍ୱାଳାକୁ ଭୋଗୁଛି । ତା’ର ନିଜର ଶରୀର ରୂପକ ସୁଲଭ ନାବଟିଏ ପାଇଛି । ଗୁରୁ ତହିଁରେ ନାବିକ ଓ ସାକ୍ଷାତ୍‌ ଭଗବାନ୍‌ ଅନୁକୂଳ ସମୀର ସଦୃଶ । ଏପରି ଏକ ସୁଲଭ ନାବ ହାତ ପାଆନ୍ତାରେ ଥାଉ ଥାଉ ଯେଉଁ ଜୀବ ସଂସାର ସମୁଦ୍ରକୁ ପାରି ନହୁଏ ସେ ନର ଅତ୍ୟନ୍ତ ମୂଢ଼ ଏବଂ ହୀନ । ସେ ପ୍ରତ୍ୟେକ ମୁହୂର୍ତ୍ତରେ ଆତ୍ମହତ୍ୟା କରେ ।

 

ଓଡ଼ିଆ ଭାଗବତର ଅମୃତ ପଦାବଳୀ

ଭାଗବତ ଗ୍ରନ୍ଥ ଓଡ଼ିଆ ପ୍ରାଣର ପରଶମଣି, ଓଡ଼ିଆ ଜୀବନର ଜୀବନ-ବେଦ । ଏହି ଗ୍ରନ୍ଥର ଅନେକ ଆକର୍ଷଣୀୟ ଅମୃତ ପଦାବଳୀ ଓଡ଼ିଆ ପ୍ରାଣରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିଛି ଏବଂ ରହିଥିବ ।

ଯଥା :-

‘‘ମର୍ତ୍ତ୍ୟ ମଣ୍ତଳେ ଦେହ ବହି

ଦେବତା ହୋଇଲେ ମରଇ

ଜୀବର ଭଳମନ୍ଦ ବାଣୀ

ମରଣ କାଳେ ତାହା ଜାଣି

ଏ ଜୀବ ସାଧୁସଙ୍ଗ ବିନୁ

ଲଭି ନପାରେ ମୋର ତନୁ

ମରଣେ ଯାର ସାଧୁ ସଙ୍ଗ

ସେ ତରେ ଏ ଭବ ତରଙ୍ଗ

ଧନ୍ୟ ଜୀବନ ଏ ଜଗତେ

ଯେ ପ୍ରାଣ ଧରେ ପରହିତେ

ଅନଳ ଦେଖିଣ ପତଙ୍ଗ

ଯେହ୍ନେ ଧାମନ୍ତି ଉଦ୍‌ବେଗ

ଯାହାକୁ ରଖିବେ ଅନନ୍ତ

କି କରିପାରେ ବଳବନ୍ତ

ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ

ଦୁଃଖେ ସଞ୍ଚିତ ଯେତେ ଧନ

ସେ ନୁହେଁ ସୁଖେ ପ୍ରୟୋଜନ

ଧନ ଅର୍ଜନେ ଧର୍ମ କରି

ଧର୍ମେ ପ୍ରାପତ ନର ହରି

ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ

ଦେଖି ସନ୍ତୋଷ ଭଗବାନ

ଅମୃତ ବିନୟ ବଚନ

କହି ତୋଷିବ ଜନମନ

ସେବା କାର୍ପଣ୍ୟ ଭକ୍ତି ବଳେ

କିବା ଅସାଧ୍ୟ ମହୀତଳେ

ଇତ୍ୟାଦି

 

ଜଗନ୍ନାଥ ଦାସଙ୍କ କୃତ ଭଜନ

ଭାଗବତ ଗ୍ରନ୍ଥ ତୁଲ୍ୟ ଜଗନ୍ନାଥ ଦାସଙ୍କ କେତେକ ଭଜନ ଓଡ଼ିଶାର ପୁରପଲ୍ଲୀରେ ବିଶେଷ ଆଦୃତ ।

 

ଯଥା :      ଭୁଲାମନ ଭୁଲୁ କାହିଁକି

ଉଡ଼ୁଛି କାଳ ସଞ୍ଚାଣ ଜଣା ନାହିଁକି ।ପଦା

ଅଇରି ତୋ କଳପଣା ଛେଦି ପକା ବେନିଡେଣା

ଶୂନ୍ୟରେ ବାଜୁଛି ବୀଣା, ଶୁଭୁ ନାହିଁକି ।୧।

ଓଁ କାର ମଧ୍ୟରେ ଦେଖ । ଓଲଟି ରହିଛି ହଂସ

କହେ ଜଗନ୍ନାଥ ଦାସ ଅନୁସରିକି

 

୨.      ଭାଗବତ ଭଜନ ମାଳା

ଦୃଢ଼ କରି ମନ ବାନ୍ଧତୁ ଭେଳା-

 

୩.      ଓ ମତି ଯେ ଏକାକ୍ଷର, ପ୍ରକଟ ନୀଳ କନ୍ଦର

ପ୍ରଣବ ସହିତେ କ୍ଷେତ୍ରବର ହୋଇଛି

ଅର୍ଦ୍ଧମାତ୍ରା ଊର୍ଦ୍ଧ୍ୱେ ବିଜେ, ବିନ୍ଦୁ ଦାରୁବ୍ରହ୍ମ ସେ ଯେ

ବରଂ ବ୍ରହ୍ମ ବ୍ୟାପିଣ ଜଗତ ମୋହୁଛି ।

ଅକାର ଉକାର ମକାର

ଋକ, ସାମ, ଯଜୁ ଅଥର୍ବ ପ୍ରଣବାକ୍ଷର ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଯେତେ ଘଟ

ତହିଁ ଜୀବ ବଳଦେବ ଶ୍ରେଷ୍ଠ କନିଷ୍ଠ

ଜଗନ୍ନାଥ ପରମ ରୂପୀ

ପ୍ରକୃତି ଅଂଶେ ସୁଭଦ୍ରା ଅଶେଷ ବ୍ୟାପୀ

 

ଓଡ଼ିଶାର ଜନସମାଜରେ ଉଜନଗୁଡ଼ିକ ଅତ୍ୟନ୍ତ ପ୍ରିୟ । ଅର୍ଥ ହୃଦୟଙ୍ଗମ କରନ୍ତୁ ବା ନକରନ୍ତୁ ଏହି ସଂଗୀତ ଗାନରେ ଯେ ଧର୍ମ ସଞ୍ଚୟ କରାଯାଇ ପାରେ ଏ ସତ୍ୟକୁ ଓଡ଼ିଶାର ଭଜନ ଜଣାଣ ଗାୟକମାନେ ଉପଲବ୍ଧି କରିଥାଆନ୍ତି । ଏ ଦୃଷ୍ଟିରୁ ଓଡ଼ିଶାର ଜନଜୀବନରେ ଶ୍ରୀ ଜଗନ୍ନାଥ ଦାସ ଜଣେ ଜନପ୍ରିୟ କବି ।

 

କବିଙ୍କର ଜୀବନୀ

ଶାସ୍ତ୍ର ପ୍ରମାଣ କରନ୍ତି - ନିତ୍ୟ ରାସସ୍ଥଳୀୟ-ଅନନ୍ତ ଗୋଲକ ବୈକୁଣ୍ଠର ଅଧିଷ୍ଠାତ୍ରୀଦେବୀ ମହା ପ୍ରେମମୟୀ, ମହାଭାବମୟୀ ମହାରସମୟୀ ଶ୍ରୀ ରାଧିକା ସୁନ୍ଦରୀଙ୍କର ଅଂଶନେଇ ତାଙ୍କର ହାସ ଜ୍ୟୋତ୍ସ୍ନାରୁ ଶ୍ରୀଜଗନ୍ନାଥ ଦାସ ସମ୍ଭୂତ । ଏଣୁ ରାସସ୍ଥଳୀ-ଚନ୍ଦ୍ରମା, ଅପ୍ରାକୃତ ପ୍ରେମମୂର୍ତ୍ତି - ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ପଦାରବିନ୍ଦରେ ସମର୍ପିତା ହୋଇ ଦାସାନୁ-ଦାସୀ ଭାବରେ (ସ୍ତ୍ରୀ ଆଗରେ) ପ୍ରିୟତମଙ୍କ ସେବା କାର୍ଯ୍ୟରେ ସଦା ନିଯୁକ୍ତ ରହିବାକୁ ସେ ଲାଳସା ପୋଷଣ କରି ଅଛନ୍ତି ।

 

ଲୌକିକ ମତରେ

ଜନ୍ମ ଜନ୍ମାନ୍ତରର ସଂସ୍କାର ନେଇ ଶ୍ରୀଜଗନ୍ନାଥ ଦାସ ପିତା ଭଗବାନ ଦାସ ଓ ମାତା - ପଦ୍ମାବତୀଙ୍କ ଗର୍ଭରେ ପବିତ୍ର ତୀର୍ଥ ଭୂମି - ଶ୍ରୀକ୍ଷେତ୍ର ଅନ୍ତର୍ଗତ କପିଳେଶ୍ଵର ଶାସନରେ ଖ୍ରୀ ୧୪୯୦ଷ୍ଟାବ୍ଦରେ ଜନ୍ମ ଗ୍ରହଣ କରନ୍ତି । ‘‘ତୁଳସୀ ଦୁଇ ପତ୍ରରୁ ବାସିଲା’’ ପରି ଶୈଶବ କାଳରୁ ହିଁ ତାଙ୍କଠାରେ ଦିବ୍ୟ ଭାବର ସ୍ଫୁରଣ ଘଟିଥିଲା । ସେ ବାଲ୍ୟ କାଳରୁ ବିଦ୍ୟାନୁରାଗୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ବେଦ, ବେଦାନ୍ତ, ପୁରାଣ ଶାସ୍ତ୍ର ଓ ସଂସ୍କୃତ ଗ୍ରନ୍ଥମାନ ଅନାୟାସରେ ଆୟତ୍ତ କରିଥିଲେ । ଦୈନନ୍ଦିନ ଜୀବନରେ ବର୍ଣ୍ଣାଶ୍ରମ ଧର୍ମ ଅନୁସରଣପୂର୍ବକ ସେ ସାଧୁସଙ୍ଗ (ସତ୍‌ ସଙ୍ଗ), ସଦ୍‌ଗ୍ରନ୍ଥ ଅଧ୍ୟୟନ ଅଧ୍ୟାପନାରେ ମନୋନିବେଶ କରି ସଂସ୍କୃତରେ ନାନାବିଧ ଗ୍ରନ୍ଥମାନ ରଚନା କରିବା ସଂଗେ ସଂଗେ ଓଡ଼ିଆରେ ଗ୍ରନ୍ଥମାନ ରଚନା କଲେ । ପରିଶେଷରେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ସାହିତ୍ୟକୃତି ଓଡ଼ିଆ ଭାଗବତ ରଚନା କରି ବଟ ଗଣେଶଙ୍କ ନିକଟରେ ଆବୃତ୍ତି କଲେ । ଚୈତନ୍ୟ ଦେବଙ୍କ ଉତ୍କଳ ଆଗମନ ସମୟକୁ (୧୫୦୯ ଖ୍ରୀଷ୍ଟାବ୍ଦ) ଊନବିଂଶତି ବୟସ୍କ ଶ୍ରୀ ଜଗନ୍ନାଥ ଦାସଙ୍କ ଖ୍ୟାତି ଉତ୍କଳର ଚତୁର୍ଦିଗରେ ବିସ୍ତାରିତ ହୋଇ ସାରିଥିଲା । ବଟ ଗଣେଷଙ୍କ ସମ୍ମୁଖରେ ଶ୍ରୀମଦ୍‌ ଭାଗବତ ଆବୃତ୍ତି କରୁଥିବା ସମୟରେ ଶ୍ରୀଚୈତନ୍ୟ ଦେବ ଜଗନ୍ନାଥଙ୍କୁ ଭେଟିଥିଲେ । ପରସ୍ପର ଆଲିଙ୍ଗନ ପାଶରେ ଆବଦ୍ଧ ରହି ମହାସମାଧିଭାବ ପ୍ରାପ୍ତହୋଇ ଥିଲେ ବୋଲି କଥିତ ଅଛି । ଦାସଙ୍କର ଅସାମାନ୍ୟ ପାଣ୍ଡିତ୍ୟ ଓ ପ୍ରତିଭାରେ ମୁଗ୍ଧ ହୋର ଶ୍ରୀଚୈତନ୍ୟ ଜଗନ୍ନାଥଙ୍କୁ ‘ଅତିବଡ଼ୀ’ ଉପାଧିରେ ଭୂଷିତ କରିଥିଲେ । ଶ୍ରୀଚୈତନ୍ୟଙ୍କ ସହିତ ଜଗନ୍ନାଥ ଦାସଙ୍କର ଆଧ୍ୟାତ୍ମିକ ସଂପର୍କ ଓ ଅଲୌକିକ କାର୍ଯ୍ୟାବଳୀ ସଂପର୍କରେ ସପ୍ତଦଶ ଶତାବ୍ଦୀର ବୈଷ୍ଣବ କବି ଶ୍ରୀ ଦିବାକର ଦାସ ତାଙ୍କ ପ୍ରଣୀତ ‘ଜଗନ୍ନାଥ ଚରିତାମୃତ’ ଗ୍ରନ୍ଥରେ ବିଶଦ ଆଲୋଚନା କରିଛନ୍ତି । ତାଙ୍କ ରଚନା ଅନୁଯାୟୀ ଜଗନ୍ନାଥ ଦାସ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ (ରାଧାଷ୍ଟମୀ) ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଅଠର ବର୍ଷ ହୋଇଥବା ବେଳେ ସେ ଚୈତନ୍ୟ ଦେବଙ୍କୁ ତାଙ୍କର ନିତ୍ୟସଖା (ଶ୍ରୀକୃଷ୍ଣଚନ୍ଦ୍ରଙ୍କ ହାସ ଜ୍ୟୋସ୍ନାରୁ ସମ୍ଭୂତଃ) ଭାବରେ ଲାଭ କରି ଥିଲେ ।

 

ଶ୍ରୀ ଜଗନ୍ନାଥ ଦାସଙ୍କର ଅଲୌକିକତା

୧। ଅଷ୍ଟଭୁଜ ଶ୍ରୀ ଜଗନ୍ନାଥ ଦାସ :

ଜଗନ୍ନାଥ ଦାସଙ୍କ ମହିମା ଉତ୍କଳରେ ସର୍ବତ୍ର ପରିବ୍ୟାପ୍ତ ହେବାକୁ ଲାଗିଲା । ତତ୍‌କାଳୀନ ରାଜା ଶ୍ରୀ ପ୍ରତାପରୁଦ୍ର ଦେବ ଶ୍ରୀ ଦାସଙ୍କ ଦର୍ଶନ କରିବାକୁ ଯାଇ ଦେଖନ୍ତିତ ସେ ଅଷ୍ଟଭୁଜ ବିଶିଷ୍ଟ । ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁ ଏବଂ ତୀର ବିଶିଷ୍ଟ ଛ’ ହାତ ସଂଯୁକ୍ତ । ଅପର ଦୁଇହସ୍ତ ବଂଶୀ ବାଦନରେ ରତ । ଏହା ଦେଖି ରାଜା ବିସ୍ମୟାଭିଭୂତ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ ।

 

୨। ଦାସଙ୍କ ନାରୀଭାବ :

ଏହି ମହାପୁରୁଷ ନିଜର ଅସୀମ ଐଶୀଶକ୍ତି ବଳରେ ଭଗବାନଙ୍କ ପ୍ରୀତି ପାଇଁ ନିଜର ସ୍ଵରୂପ ପରିବର୍ତ୍ତନ କରି ସ୍ତ୍ରୀ ରୂପ ଧାରଣ କରୁଥିଲେ । କଥିତ ଅଛି ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶରେ ମେଧା ଓ ସୁମେଧା ନାମକ ଦୁଇଜଣ ଦେବଦାସୀ ଶ୍ରୀ ଦାସଙ୍କ ସେବା ନିମିତ୍ତ ପ୍ରତି ରାତ୍ରିରେ ପ୍ରେରିତ ହେଉଥିଲେ । ଏକଥା ଗଜପତିଙ୍କ ନିକଟରେ ଅଭିଯୋଗ ହୁଅନ୍ତେ ଗଜପତି ଦାସଙ୍କୁ ଡକାଇ ଏକଥା ପଚାରିଲେ । ପ୍ରତ୍ୟୁତ୍ତରରେ ଦାସେ କହିଲେ - ‘‘ମୁଁ ନାରୀ ଅଙ୍ଗ ନେଇ ସଖୀଭାବରେ ଶ୍ରୀଜଗନ୍ନାଥଙ୍କୁ ଉପାସନା କରେ । ତେଣୁ ନାରୀ ବିନା ମୋର ଅନ୍ୟ କେହି ସେବା କରି ପାରିବେ ନାହିଁ ।’’ ରାଜା ଏକଥା ଶୁଣି କନ୍ୟା ଦୁଇଜଣଙ୍କୁ ଧରି ଆଣିବା ପାଇଁ ଆଦେଶ ଦିଅନ୍ତେ ସେ କନ୍ୟା ଦୁଇଜଣ ତତ୍‌କ୍ଷଣାତ୍‌ ଦାସଙ୍କ ଗୃହରୁ ଅନ୍ତର୍ଦ୍ଧାନ ହୋଇଗଲେ । ଦାସଙ୍କର ଅଲୌକିକ ଶକ୍ତିର ପରିଚୟ ପାଇ ରାଜା କ୍ଷମା ମାଗିଲେ । ମାସକରେ ସତେଇଶ ଦିନ ଦାସେ ପୁରୁଷ ଅଙ୍ଗ ଏବଂ ତିନି ଦିନ ସ୍ତ୍ରୀ ଅଙ୍ଗ ଧାରଣ କରନ୍ତି । ଏହି ସ୍ତ୍ରୀ ଅଙ୍ଗ ଧାରଣ କରିଥିବା ସମୟରେ ସେ ରାଣୀ ଗୌରୀ ଦେବୀଙ୍କୁ ‘ଦୀକ୍ଷା’ ପ୍ରଦାନ କରିଥିଲେ ।

 

୩। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଙ୍ଗରେ ଚନ୍ଦନ ଲାଗି :

କଥିତ ଅଛି - କାଶିରାମ ନାମକ ଜଣେ ସାଧକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗସେବା ଉଦ୍ଦେଶ୍ୟରେ ରାଜାଙ୍କୁ ଏକ ସୁଗନ୍ଧିତ ଚନ୍ଦନ ଖଣ୍ଡ ଦେଇଥିଲେ । ଏହି କାର୍ଯ୍ୟର ଦାୟିତ୍ଵ ରାଜା ଶ୍ରୀ ଦାସଙ୍କଠାରେ ଅର୍ପଣ କଲେ । କିନ୍ତୁ ଶ୍ରୀ ଦାସ ଏହି ଚନ୍ଦନକୁ ଘୋରି ତାଙ୍କ କୁଟୀରର ମାଟି କାନ୍ଥରେ ବୋଳିଦେଲେ । ଏକଥା ଶୁଣି ରାଜା କ୍ଷୁବ୍ଧ ହେଲେ । ଦାସଙ୍କୁ ପଚାରିବାରୁ ଦାସେ କହିଲେ ‘‘ମୁଁ ମହାପ୍ରଭୁଙ୍କ ଅଙ୍ଗରେ ଚନ୍ଦନଲାଗି କରିଛି ।’’ ପରୀକ୍ଷା କରିବାରୁ ଜଣା ପଡ଼ିଲା ଯେ ସତକୁ ସତ ଶ୍ରୀଅଙ୍ଗରେ ଚନ୍ଦନଲାଗି ହୋଇଛି ।

 

୪। ସାତ ଲହଡ଼ୀ ପହକୁ ଘୁଞ୍ଚିଲା :

ପରିଣତ ବୟସରେ ଦାସେ ଏକାନ୍ତ ସ୍ଥଳରେ ବସି ପ୍ରଭୁଙ୍କର ଭଜନ କୀର୍ତ୍ତନ କରିବାକୁ ସୁଖ ମଣିଲେ । ତେଣୁ ସେ ସମୁଦ୍ର କୂଳକୁ ଯାଇ ବାଲିକୁଦ ଉପରେ କୁଡ଼ିଆଟିଏ ନିର୍ମାଣ କରି ସେଠାରେ ରହି ଭଜନ, କୀର୍ତ୍ତନ କଲେ । ମାତ୍ର ସମୁଦ୍ରର ଗର୍ଜନ ଢେଉ ଆସି ଆଶ୍ରମକୁ ବୁଡ଼ାଇ ଦେଲା । ଦାସଙ୍କର ଭଜନ କୀର୍ତ୍ତନରେ ବାଧା ଜନ୍ମିଲା । ଦାସେ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ । ଶ୍ରୀଜଗନ୍ନାଥଙ୍କ ଆଦେଶ ପାଇ ସମୁଦ୍ର ସେଇ ମୁହୂର୍ତ୍ତରେ ସାତ ଲହଡ଼ୀ ପଛକୁ ହଟିଗଲା । ଉକ୍ତ ମଠ ସେହି ଦିନଠାରୁ ‘‘ସାତ ଲହଡ଼ୀ ମଠ’’ ନାମରେ ନାମିତ ହେଲା ।

 

ଏହିପରି ଅନେକ ଅଲୌକିକତା ନେଇ ଜଗନ୍ନାଥ ଦାସଙ୍କ ଜୀବନୀ ପରିପୂର୍ଣ୍ଣ । ତାଙ୍କର ଐକାନ୍ତିକ ବିଭୂପ୍ରେମ, ନିଷ୍ଠା, ସାଧନା ଓ ସେବା ଅନନ୍ୟ । ଅଷ୍ଟାଦଶ ବର୍ଷ ବୟସରେ ସନ୍ୟାସାଶ୍ରମରେ ପ୍ରବେଶ କରି, ସଦାମାଳା ତିଳକ ବିଭୂଷିତ, ସଦା ଭାବ-ବିଦଗ୍ଧ ହୃଦୟ, ସଦା ଶ୍ରୀକୃଷ୍ଣଞ୍ଜନରେ ଚିତ୍ତଦର୍ପଣ ମାର୍ଜ୍ଜନ ପୂର୍ବକ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟଦେବଙ୍କ ନିତ୍ୟସଖୀ ଭାବରେ ନିଜକୁ ଚତୁର୍ବିଂଶ ବୟସ ପର୍ଯ୍ୟନ୍ତ ନିୟୋଜିତ କରି ରଖିଥିଲେ । ୧୫୫୦ ଖ୍ରୀଷ୍ଟାବ୍ଦ ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥିରେ ତାଙ୍କର ତିରୋଧାନ ଘଟିଲା ।

 

ଉପସଂହାର :

ଭାଗବତ - ଭକ୍ତିର ପରମ ତତ୍ତ୍ଵ ଉପଲବ୍ଧିରେ ଭକ୍ତମାନଙ୍କର ଜୀବନ ଧନ୍ୟ ହୋଇଯାଏ । ସେହିପରି ଜ୍ଞାନ ମିଶା ଭକ୍ତିର ଉପାସକ ଭାବରେ, ପରମତତ୍ତ୍ୱ ଉପଲବ୍ଧିରେ ଶ୍ରୀଦାସଙ୍କର ଜୀବନ ଓତଃପ୍ରୋତଃ ଭାବରେ ଜଡ଼ିତ ରହୁଥିଲା । ଜୀବନରେ ଉପଲବ୍ଧ ଚରମ ସତ୍ୟ ଓ ପରମ ତଥ୍ୟକୁ ଅକ୍ଷୟ ଭାବ-ସମ୍ପଦ ପରିପୂର୍ଣ୍ଣ - ଅମୃତଭାଣ୍ଡୋପମ ଶ୍ରୀମଦ୍‌ ଭାଗବତ ଦର୍ଶନକୁ ଯୁଗ ଯୁଗ ପାଇଁ ମାନବ-ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ସଞ୍ଚିତ କରି ରଖି ଯାଇଅଛନ୍ତି ।

 

ଓଁ ଶାନ୍ତିଃ ଓଁ ଶାନ୍ତିଃ ଓଁ ଶାନ୍ତିଃ ।

 

 

ପ୍ରାଧ୍ୟାପକ,

ଓଡ଼ିଆ ଭାଷାସାହିତ୍ୟ ବିଭାଗ

ସ୍ଵାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ, ଜଗତସିଂହପୁର

 

***

 

ଏକାଡେମୀ ସମାଚାର

ଶଶିଭୂଷଣ ରଥ ଜୟନ୍ତୀ

ତା ୧୧।୯୮ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ବ୍ରହ୍ମପୁର ପୌର ପରିଷଦ ସଭାକକ୍ଷରେ ବରେଣ୍ୟ ସାରସ୍ଵତ ସାଧକ ତଥା ପ୍ରବୀଣ ସାମ୍ବାଦିକ ଶଶିଭୂଷଣ ରଥଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳନ କରାଯାଇଥିଲା । ଏହି ଅବସରରେ ‘‘ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସମ୍ବାଦପତ୍ରମାନଙ୍କର ଭୂମିକା’’ ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ‘ସମୟ’ ସାପ୍ତାହିକୀର ସଂପାଦକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱ‌ଳନ କରି ଏହି ସାରସ୍ଵତ ଉତ୍ସବଟିକୁ ଉଦ୍‌ଘାଟନ କରିଥିଲେ ।

 

ପ୍ରାରମ୍ଭରେ ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ସଂପର୍କରେ ସମ୍ୟକ ସୂଚନା ଦେଇ କହିଲେ ଯେ, ଓଡ଼ିଆ ସ୍ୱାଭିମାନର ଅନ୍ୟତମ ପ୍ରବକ୍ତା ଶଶିଭୂଷଣ ରଥଙ୍କ ଜୟନ୍ତୀ ଉତ୍ସବ ପାଳନ ଓଡ଼ିଆ ସଂସ୍କୃତିର ପୂଜ୍ୟପୂଜା ପରଂପରାର ଏକ ମହାନ ଆଦର୍ଶ ।

 

ଗତବର୍ଷର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସାହିତ୍ୟ ଭାରତୀ- ପୁରସ୍କାର ବିଜେତା

ଡକଟର ବେଣୀ ମାଧବ ପାଢ଼ୀଙ୍କୁ ଏହି ଅବସରରେ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସମ୍ବାଦପତ୍ରମାନଙ୍କର ଭୂମିକା ଶୀର୍ଷକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ

ସାମ୍ବାଦିକ ଶ୍ରୀ ବରେନ୍ଦ୍ର କୃଷ୍ଣ ଧଳ, ଶ୍ରୀ ସୁବାସ ପଟ୍ଟନାୟକ ଓ ଶ୍ରୀ ପ୍ରଦୀପ ମହାପାତ୍ର । ଉପସ୍ଥାପିତ ପ୍ରବନ୍ଧଗୁଡ଼ିକର ଆଲୋଚନା କରି ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି କହିଲେ ଯେ ସଂବାଦପତ୍ରର ଭୂମିକା ଆଜିର ଓଡ଼ିଶାକୁ ବିଶ୍ଵମାନଚିତ୍ରରେ ସ୍ଥାନ ଦେଇଛି । ଯେତେବେଳେ ଓଡ଼ିଶାର ସଂହତି ପାଇଁ କୌଣସି ବଳିଷ୍ଠ ପୁସ୍ତକ, ସ୍ଵତନ୍ତ୍ର ମାନଚିତ୍ର ଭାଷାନଥିଲା, ସେତେବେଳେ ଶଶିଭୂଷଣ ପ୍ରଥମେ ‘ସାପ୍ତାହିକ ଆଶା’ ଓ ପରେ ‘ଦୈନିକ ଆଶା’ ସଂବାଦପତ୍ର ମାଧ୍ୟମରେ ଏସବୁର ଐକ୍ୟକରଣ କରିଥିଲେ । ଚିନ୍ତାଶୀଳ ବ୍ୟକ୍ତିମାନେ ସେତେବେଳେ ସଂବାଦପତ୍ରକୁ ଆୟୁଧ କରି ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ସରକାରଙ୍କୁ ବାଧ୍ୟ କରିଥିଲେ । ଆତ୍ମବିଶ୍ଵାସର ଦାବି, ଭାଷାଗତ ଐକ୍ୟ, ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠା କେବଳ ସମ୍ବାଦପତ୍ରମାନଙ୍କ ଦ୍ୱାରାହଁ ସମ୍ଭବ ହୋଇଛି ଏବଂ ଆଗାମୀ ଦିନମାନଙ୍କରେ ଏହା ଶୀର୍ଷସ୍ଥାନ ପାଇବ ବୋଲି ସେ ଆଶା ପୋଷଣ କରିଥିଲେ ।

 

ଉତ୍ସବରେ ପୌରୋହିତ୍ୟ କରି ବୟୋଜ୍ୟେଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ବେଣୀମାଧବ ପାଢ଼ୀ କହିଥିଲେ, ସାମ୍ବାଦିକତା ଓ ସମ୍ବାଦ ପରିବେଷଣ କରିବା ଉତ୍ତମ ସାମ୍ୱାଦିକତାର ଲକ୍ଷଣ ଯାହା ଶଶିଭୂଷଣଙ୍କ ନିକଟରେ ଥିଲା । ପୂର୍ବକାଳରେ ସମ୍ବାଦପତ୍ରଗୁଡ଼ିକ ଜନକଲ୍ୟାଣ ନିମନ୍ତେ ସଂପୂର୍ଣ୍ଣ ଭାବରେ ନିୟୋଜିତ ଥିଲା ଯାହାର ଉଜ୍ଜଳ ଦୃଷ୍ଟାନ୍ତ ହେଉଛି ତତ୍‌କାଳୀନ ଦୈନିକ ସମ୍ବାଦପତ୍ର ‘ଆଶା’ ଓ ‘ଉତ୍କଳ ଦୀପିକା’ ।

 

ପରିଶେଷରେ ଧନ୍ୟବାଦ ଅର୍ପଣ ଅବସରରେ ଶ୍ରୀ ପଦ୍ମଚରଣ ସାହୁ କହିଲେ ଯେ ଓଡ଼ିଆ ଭାଷା ଆନ୍ଦୋଳନ ପାଇଁ ‘ଉତ୍କଳ ଦୀପିକା’ ଏବଂ ଓଡ଼ିଶା ଗଠନ ନିମନ୍ତେ ତତ୍‌କାଳୀନ ଦୈନିକ ସମ୍ବାଦପତ୍ର ‘ଆଶା’ର ଭୂମିକା ଅତୀବ ଗୁରୁତ୍ଵପୂର୍ଣ । ବ୍ରହ୍ମପୁରର ବହୁ ସାମ୍ବାଦିକ, ସାହିତ୍ୟିକ ତଥା ସଂସ୍କୃତପ୍ରେମୀ ବ୍ୟକ୍ତିମାନେ ଏହି ଉତ୍ସବରେ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିବାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

 

ରାଜ୍ୟ ସ୍ତରୀୟ ଗୀତିକବିତା ସଂପାନ

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା, ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ପାନ୍ଥନିବାସ ସଭାକକ୍ଷରେ ରାଜ୍ୟସ୍ତରୀୟ ଗୀତିକବି ସଂପାନ ତା ୫।୧।୯୮ ଏବଂ ୬।୧।୯୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବର ପ୍ରଥମ ଦିବସର ପୂର୍ବାହ୍ନରେ ଉତ୍ତରାଞ୍ଚଳର ରାଜସ୍ଵ କମିଶନର ଡକ୍ଟର ହୃଷୀକେଶ ପଣ୍ଡା ସଂପାନକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ଲୋକପ୍ରିୟ ସଂଗୀତ ନିର୍ଦେଶକ ଶ୍ରୀ ପ୍ରଫୁଲ୍ଲ କର ସମ୍ମାନିତ ଅତିଥି, ସମ୍ବଲପୁର ଜିଲ୍ଲାପାଳ ଶ୍ରୀମତୀ ଅନୁ ଗର୍ଗ ବିଶିଷ୍ଟ ଅତିଥି ଏବଂ ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସଭାପତି ଭାବରେ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ଓଡ଼ିଆ ଗୀତିକବିତାର ଭାଷା, ସଂଜ୍ଞା ସ୍ଵରୂପ, ଆଙ୍ଗିକ ଏବଂ ଆତ୍ମିକ ବିକାଶର ସଂପର୍କରେ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଶ୍ରୀ ନାରାୟଣ ପ୍ରସାଦ ସିଂହ ଏବଂ ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥଲେ । ଏହି ସଂପାନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ଶ୍ରୀ ଗୌର ପଟ୍ଟନାୟକ ।

 

ଅପରାହ୍ନରେ ଗୀତିକବିତା ପାଠୋତ୍ସବରେ ସର୍ବଶ୍ରୀ ଗୁରୁକୃଷ୍ଣ ଗୋସ୍ଵାମୀ, ଗୌର ପଟ୍ଟନାୟକ, ଗୌରହରି ଦଳାଇ, ଶିବ କୁମାର ରଥ, ବୃନ୍ଦାବନ ଜେନା, ସୁବାସ କର, ରବୀନ୍ଦ୍ର ନାଥ ଦାସ, ସୁଦର୍ଶନ ଦାସ, ବୀର କିଶୋର ନାୟକ, ବିଷ୍ଣୁ ପଟ୍ଟନାୟକ, ବାବାଜୀ ଜେନା, ମଙ୍ଗଳୁ ଚରଣ ବିଶ୍ଵାଳ, ମିତ୍ରଭାନୁ ଗୌନ୍ତିଆ, ଲାଲ ରତ୍ନାକର ସିଂହ, କାର୍ତ୍ତିକେଶ୍ୱର ନାୟକ, କୁମଦଲତା ମହାନ୍ତି , ସୁଭଦ୍ରା କମିଲା, ମୀନାକ୍ଷୀ ଦେବୀ, ଗୀତା ଖୁଣ୍ଟିଆ, ସ୍ନେହ ଲତା ମହାନ୍ତି, ବିନୋଦିନୀ ଦେବୀ, ଅଳକା ଚାନ୍ଦ ପ୍ରମୁଖ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ଗୀତିକବି ସ୍ଵରଚିତ ଗୀତିକବିତା ପାଠ କରିଥିଲେ । ପାଠୋତ୍ସବରେ ଅଧ୍ୟକ୍ଷତା କରିଥିଲେ ଶ୍ରୀ ନିରଞ୍ଜନ ପାଢ଼ୀ ।

 

ଦ୍ୱିତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ସମ୍ବଲପୁର ଅଞ୍ଚଳର ଗୀତିକବିତା ଏବଂ ଗୀତିକବିମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ଶ୍ରୀ ରାମପ୍ରସାଦ ପୁରୋହିତ ଏବଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀ ମଙ୍ଗଳୁ ଚରଣ ବିଶ୍ଵାଳ । ଉଦ୍‌ଯାପନୀ ଉତ୍ସବରେ ଶ୍ରୀ ଗୁରୁକୃଷ୍ଣ ଗୋସ୍ଵାମୀ ମୁଖ୍ୟ ଅତିଥି ଏବଂ ଡକ୍ଟର ମଧୁସୂଦନ ପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାମ୍ପ୍ରତିକ ଗୀତିକବିତାର ଗତି, ପ୍ରକୃତି ଏବଂ ବୈଶିଷ୍ଟ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥଲେ ଏବଂ ଶ୍ରୀ ପ୍ରଫୁଲ୍ଲ କର ସଂଗୀତ ପରିବେଷଣ କରିଥିଲେ ।

 

କବି ଯଦୁମଣି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଳବର ମିଳିତ ଆନୁକୂଲ୍ୟରେ ତା ୮/୧/୯୮ ରିଖ ଅପରାହ୍ନ ପାଞ୍ଚଘଣ୍ଟା ସମୟରେ ଉତ୍କଳଘଣ୍ଟକବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଇଟାମାଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ନୟାଗଡ଼ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ଶରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ପିତ ଏହି ଉତ୍ସବରେ ଦୈନିକ ‘ସମ୍ବାଦ’ ଓ ‘ସନ୍‌ଟାଇମ୍‌ସ'ର ସଂପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନକରି ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା କବି ଯଦୁମଣିଙ୍କ ଜୀବନ ଓ ସାରସ୍ଵତ କୃତି ସଂପର୍କରେ ସମ୍ୟକ୍‌ ଆଲୋଚନା କରିଥିଲେ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଯଦୁମଣି ହାସ୍ୟରସିକ ଭାବରେ ଓଡ଼ିଶାର ଘରେ ଘରେ ସୁପରିଚିତ ଥିଲେ । ତାଙ୍କ ଜୀବନର ବହୁ ହୃଦୟସ୍ପର୍ଶୀ ତଥା ବିଶିଷ୍ଟ ଘଟଣାବଳୀ କାଳକ୍ରମେ ଗଳ୍ପକାରରେ ଲୋକ ମୁଖରେ ପ୍ରଚଳିତ । ନିଜର ପ୍ରତ୍ୟତ୍ପନ୍ନମତି ବଳରେ ସେ ହାସ୍ୟରସ ସୁନ୍ଦର ଭାବରେ ପରିବେଷଣ କରିପାରୁଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଶ୍ରୀ ରଜତ କୁମାର କର ତାଙ୍କ ଅଭିଭାଷଣ ପ୍ରସଙ୍ଗରେ କହିଲେ ଯେ ଯଦୁମଣିଙ୍କ ପାଣ୍ଡିତ୍ୟପୂର୍ଣ୍ଣ ତଥା ଚାତୁର୍ଯ୍ୟପୂର୍ଣ୍ଣ ଢଙ୍ଗରେ ହାସ୍ୟରସ ପରିବେଷଣ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର । ହାସ୍ୟରସର ପୁଟଦେଇ ବ୍ୟଙ୍ଗ ବିଦ୍ରୂପ ପ୍ରକାଶ କରିବାରେ ତାଙ୍କର ଯେଉଁ ଅଦ୍ଭୁତଶୈଳୀ, ତାହା ତାଙ୍କୁ ଦୋଷ ଦୁଷ୍ଟ ନ କରାଇ କରିଥିଲା ଶ୍ରଦ୍ଧାଭାଜନ । ଏହି ସଭାର ଅନ୍ୟତମ ମୁଖ୍ୟବକ୍ତା ଶ୍ରୀ ପାର୍ଥ ସାରଥି ଅଜୟ ବାରିକ । କବି ଯଦୁମଣି ଜଣେ ଆଶୁକବି, ହାସ୍ୟରସିକ, ବ୍ୟଙ୍ଗକାର ତଥା କଥାସାଗର ଭାବରେ ସାରା ଓଡ଼ିଶାରେ ସୁପରିଚିତ ବୋଲି ମତବ୍ୟକ୍ତ କରିଥିଲେ ।

 

ଏହି ସଭାରେ ଅଧ୍ୟକ୍ଷତା କରି ନୟାଗଡ଼ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ଶରଣ କବି ଯଦୁମଣି ହାସ୍ୟୋଦ୍ଦୀପକ ରସପୂର୍ଣ୍ଣ କବିତା ପାଇଁ ଓଡ଼ିଶାର ଜନମାନସରେ ଚିରବିଦ୍ୟମାନ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

 

ସଭାପ୍ରାରମ୍ଭରେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପ୍ରସଙ୍ଗରେ କହିଲେ ଯେ କବିଙ୍କୁ ପୃଷ୍ଠପୋଷକତା କରୁଥିବା ରାଜାମାନେ ତାଙ୍କୁ ତାଙ୍କର ଅନର୍ଗଳ ଆଶୁ ରଚନା ପାଇଁ ସ୍ଵାଧୀନତା ଦେଇଥିଲେ ଏବଂ ତାଙ୍କର ପ୍ରଚଣ୍ଡ ବିଦ୍ରୁପ, ତାତ୍ପର୍ଯ୍ୟପୂର୍ଣ୍ଣ ଉକ୍ତି ଓ ଚଟୁଳ କବିତ୍ୱରେ କ୍ଷୁର୍ଣ୍ଣ ବା ଆହତ ହେଉ ନଥିଲେ । ନିଜର ପ୍ରତ୍ୟୁତ୍ପନ୍ନମତିରେ ସେ ବହୁ ସ୍ଵନାମଧନ୍ୟ ବିଚକ୍ଷଣ ପଣ୍ଡିତଙ୍କୁ ପରାସ୍ତକରି ପାରୁଥିଲେ ।

 

ବ୍ୟାସକବି ଫକୀର ମୋହନ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଫକୀର ମୋହନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ୧୪-୧-୯୮ ତାରିଖ ପବିତ୍ର ମକର ସଂକ୍ରାନ୍ତି ତିଥିରେ ସଂଧ୍ୟା ଛ' ଘଣ୍ଟା ସମୟରେ ଓଡ଼ିଆ ସାହିତ୍ୟର ମହାନ ସାଧକ ଯୁଗସ୍ରଷ୍ଟା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ବାଲେଶ୍ଵର ଟାଉନ୍‌-ହଲ୍‌-ଠାରେ ପାଳିତ ହୋଇଯାଇଛି।

 

ଆଯୋଜିତ ସ୍ମୃତିସଭାକୁ ଏକାଡେମୀର ଉପ-ସଭାପତି କବି ଶ୍ରୀ ରବି ସିଂ ପ୍ରଦୀପ ପ୍ରଜ୍ଵଳନ-ପୂର୍ବକ ଉଦ୍‌ଘାଟନ କରି ତାଙ୍କର ସଭାପତି ଅଭିଭାଷଣରେ କହିଲେ ଯେ ଫକୀର ମୋହନ ଏକ ବ୍ୟକ୍ତି ନଥିଲେ ସେ ଥିଲେ ଏକ ସାରସ୍ଵତ ଚେତନା । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ଅଛି, ଓଡ଼ିଆ ଭାଷା ଅଛି ସେତେଦିନ ପର୍ଯ୍ୟନ୍ତ ଫକୀର ମୋହନ ଜୀବିତ ରହିଥିବେ ।

 

ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସମାଲୋଚକ ଡକ୍ଟର ହେମନ୍ତ କୁମାର ଦାସ ଯୋଗଦାନ କରି ଫକୀର ମୋହନଙ୍କ ମାନବବାଦୀ ଦୃଷ୍ଟି କୋଣ ସଂପର୍କରେ ଆଲୋଚନା କରି ମଣିଷ ପ୍ରତି ସମ୍ବେଦନଶୀଳ ନହେଲେ ଜଣେ ଉଚ୍ଚକୋଟୀର ଲେଖକ ହେବା ସମ୍ଭବ ନୁହେଁ ବୋଲି ମତପ୍ରକାଶ କରିଥିଲେ । ଏଥିରେ ପ୍ରଖ୍ୟାତ ପ୍ରାବନ୍ଧିକ ଓ ସମାଲୋଚକ ପ୍ରାଧ୍ୟାପକ ଡକ୍ଟର ଭାଗୀରଥି ନାୟକ ସମ୍ମାନିତ ବକ୍ତାଭାବରେ ଅଂଶଗ୍ରହଣ କରି ବ୍ୟାସକବିଙ୍କ କାବ୍ୟ-କବିତାରେ ନିହିତ ରହସ୍ୟବାଦୀ ଚେତନା ସଂପର୍କରେ ଏକ ତାତ୍ତ୍ୱିକ ଭାଷଣ ପ୍ରଦାନ କରିଥିଲେ ।

 

ସ୍ମୃତିସଭାର ଅନ୍ୟତମ ସମ୍ମାନିତ ବକ୍ତା ଡକ୍ଟର ହାଡ଼ିବଂଧୁ ମିର୍ଦ୍ଧା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଫକୀର ମୋହନଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସକଳ ହୀନମନ୍ୟତା ଦୂରକରି ସ୍ଵାଭିମାନୀ ଓଡ଼ିଆ ଭାବରେ ବଞ୍ଚିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଏକାଡେମୀର ସହ ସଚିବ ଶ୍ରୀ ଭବାନୀପ୍ରସାଦ ସିଂହ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ଫକୀର ମୋହନଙ୍କ ଜୀବନ ଓ ପ୍ରତିଭା ସମ୍ପର୍କରେ ସମ୍ୟକ୍‌ ଆଲୋକପାତ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଂପାଦକ କବି ଶ୍ରୀ ପଞ୍ଚାନନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବ୍ରଜରାଜ ସିଂହଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ ବ୍ରଜରାଜ ସିଂହଦେବଙ୍କ ଜୟନ୍ତୀ ପାଳନ ଅବସରରେ ଖଡ଼ିଆଳସ୍ଥ ବୀର ବିକ୍ରମ ମଣ୍ଡପଠାରେ ତା ୧ -୨-୯୮ରିଖ ଅପରାହ୍ନ ତନିଘଣ୍ଟା ସମୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏକାଡେମୀର ଉପ-ସଭାପତି ଶ୍ରୀ ରବି ସିଂ ଏଥିରେ ପୌରୋହିତ୍ୟ କରିଥିଲେ ।

 

ଏହି ସାରସ୍ଵତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଡକ୍ଟର ବାବାଜି ଚରଣ ସେଠୀ ଯୋଗଦାନ କରି ତାଙ୍କ ଅଭିଭାଷଣରେ କହିଲେ ଯେ ଖଡ଼ିଆଳ ରାଜବଂଶର ବରେଣ୍ୟ କବି ବ୍ରଜରାଜ ସିଂହଦେବ ଜଣେ ଉଦାର ଗୁଣଜ୍ଞ, ବିଚାରବନ୍ତ ସମର୍ଥ ଶାସକ ଭାବରେ ଖ୍ୟାତି ଅର୍ଜନ କରିବା ସହିତ ଓଡ଼ିଆ ସାହିତ୍ୟର ଜଣେ ଏକନିଷ୍ଠ ସାଧକ ଭାବରେ ବହୁ ଯଶର ଅଧିକାରୀ ଥିଲେ । ଡକ୍ଟର ନଟବର ଶତପଥୀ ଉକ୍ତ ସାରସ୍ଵତ ସଭାରେ ସମ୍ମାନିତ ବକ୍ତା ଭାବେ ଯୋଗଦାନକରି ଭଞ୍ଜୀୟ କାବ୍ୟ ପରଂପରା ଓ ଶୈଳୀରେ ପରିପୁଷ୍ଟ ବ୍ରଜରାଜଙ୍କ କୃତିଗୁଡ଼ିକର ଆଲୋଚନା କରିଥିଲେ । ରୀତିଯୁଗୀୟ କାବ୍ୟସର୍ଜନା କୌଶଳରେ ଜଣେ ସିଦ୍ଧହସ୍ତ ଶିଳ୍ପୀ ଭାବରେ ସେ ସ୍ଵୀକୃତ ଓ ସମ୍ମାନିତ ବୋଲି ଡକ୍ଟର ଶତପଥୀ ମତପୋଷଣ କରିଥିଲେ ।

 

ଏକାଡେମୀର ଉପସଭାପତି ଶ୍ରୀ ରବି ସିଂ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ କବି ବ୍ରଜରାଜ ଖଡ଼ିଆଳ ରାଜବଂଶରେ ବାଣୀ ଆରାଧନାର ଯେଉଁ ସୁଦୃଢ଼ ପରମ୍ପରା ଓ ଭିତ୍ତିଭୂମି ସୃଷ୍ଟି କରିଯାଇଥିଲେ ତାହା ପରବର୍ତ୍ତୀ ଦାୟାଦଗଣଙ୍କୁ ଗଭୀର ଭାବେ ପ୍ରଭାବିତ ଓ ଅନୁପ୍ରାଣିତ କରିଥିଲା-

 

ଏହି ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାହିତ୍ୟିକ, ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ଏ ଅବକାଶରେ ବରେଣ୍ୟ କବିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

ଆଦିକବି ସାରଳାଦାସ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଶାରଳା ସ୍ମାରକର ମିଳିତ ଆନୁକୂଲ୍ୟରେ ୩-୨-୯୮ତାରିଖ ଦିନ ଆଦିକବିଙ୍କ ସମାଧିପୀଠ ତେନ୍ତୁଳିପଦାଠାରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂଜ୍ୟପୂଜା ଅନୁଷ୍ଠାନର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଦୈନିକ ‘ସମୟ’ର ସଂପାଦକ ତଥା ଲବ୍ଧପ୍ରତିଷ୍ଠ କଥାକାର ଶ୍ରୀ ସାତକଡ଼ି ହୋତା ।

 

ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସଭାର ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାରଳା ସ୍ମାରକର ସଂପାଦକ ଶ୍ରୀ ଗଣେଶ ପରିଜା ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ସାରଳା ସାହିତ୍ୟର କେତୋଟି ଦିଗ ଉପରେ ଆଲୋଚନା କରି ତାଙ୍କ ସାହିତ୍ୟର ଉତ୍କର୍ଷତା ଦର୍ଶାଇ କିଭଳି ତାଙ୍କ ପରବର୍ତ୍ତୀ ବଳରାମ, ଜଗନ୍ନାଥଙ୍କ ସହିତ ଉପେନ୍ଦ୍ର ଭଞ୍ଜ କବିବର ରାଧାନାଥାଦି ପ୍ରଭାବିତ ହୋଇଛନ୍ତି ତାହା ଉଦାହରଣ ସହିତ ଦର୍ଶାଇଥିଲେ । ମୁଖ୍ୟବକ୍ତା ଶ୍ରୀ ରଜତ କୁମାର କର ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଆଦିକବି ସଂସ୍କୃତ ପ୍ରଭାବିତ ବ୍ରାହ୍ମଣ୍ୟ ସଂସ୍କୃତିର ପରଂପରାଗତ ଧାରା ପରିବର୍ତ୍ତେ ଏକ ଅଭିନବ ଧାରାର ପ୍ରବର୍ତ୍ତକ ଥିଲେ । ପ୍ରତ୍ୟେକ ସାରସ୍ଵତ ସୃଷ୍ଟି ତାଙ୍କର ଅସାଧାରଣ ପାଣ୍ଡିତ୍ୟ, ନିଷ୍ଠାପର ସାଧନା ଓ ଗଭୀର କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ନିଦର୍ଶନ ବୋଲି ଶ୍ରୀ କର ମତପୋଷଣ କରିଥିଲେ ।

 

ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ

ତା ୩-୨-୯୮ ରିଖ ପବିତ୍ର ମାଘ ସପ୍ତମୀ ତିଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ କବିଙ୍କ ଜନ୍ମପୀଠ ତଥା ସ୍ମୃତିପୀଠ ଅଭିମନ୍ୟୁ ବାଲିଆଠାରେ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ପାଳନ ଅବସରରେ ସଂଧ୍ୟା ଛ’ ଘଣ୍ଟା ସମୟରେ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା ।

 

ସଭା ପୂର୍ବରୂ ଅପରାହ୍ଣ ଚାରି ଘଣ୍ଟା ସମୟରେ ସଭାସ୍ଥଳରୁ ଅତିଥିମାନଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ବାହାରି କବିଙ୍କ ସ୍ମୃତିପୀଠରେ ପହଞ୍ଚିଥିଲା ଏବଂ ଅତିଥିମାନେ ସେଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

ସ୍ମୃତି ସଭାର ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ସମାଲୋଚକ ତଥା ଗବେଷକ ଡକ୍ଟର ଭଗବାନ ପଣ୍ଡା ଯୋଗଦାନ କରି ବିଦଗ୍ଧ କବିଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ସମ୍ୟକ୍‌ ଆଲୋଚନା କରି କବିଙ୍କ ଉପରେ ପଡ଼ିଥିବା ସଂସ୍କୃତ ବୈଷ୍ଣବ କବିଙ୍କ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଶ୍ରୀ ପାର୍ଥସାରଥି ଅଜୟ ବାରିକ ରୀତିଯୁଗୀୟ କାବ୍ୟ ଓ କାବ୍ୟକାରମାନଙ୍କର ଏକ ତୁଳନାତ୍ମକ ବିଶ୍ଳେଷଣ କରି ବିଦଗ୍ଧ କବିଙ୍କ କାବ୍ୟିକ ଅବଦାନ ସଂପର୍କରେ ବିଶେଷ ଆଲୋଚନାପୂର୍ବକ କବିଙ୍କ ମୌଳିକତା ଓ ସ୍ଵତନ୍ତ୍ରତା ପ୍ରତିପାଦନ କରିଥିଲେ ।

 

ଏହି ସ୍ମୃତି ସଭାରେ ଏକାଡେମୀ ଉପ-ସଭାପତି ବରେଣ୍ୟ କବି ଶ୍ରୀ ରବି ସିଂ ପୌରୋହିତ୍ୟ କରି ଅଭିମନ୍ୟୁଙ୍କ ସ୍ମୃତିଚାରଣ ଅବସରରେ ସାଂପ୍ରତିକ ସାହିତ୍ୟ ବାସ୍ତବବାଦୀ ହେବା ସହିତ ସାହିତ୍ୟିକର ଅଙ୍ଗୀକାରବଦ୍ଧତା ତଥା ସାମାଜିକ ପ୍ରତିବଦ୍ଧତା ଯଶସ୍ଵୀ କରେ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସ୍ଥାନୀୟ ଅଭିମନ୍ୟୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦେବ କୁମାର ସାମଲ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ, ଏକାଡେମୀର ସହ-ସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଭିମନ୍ୟୁ ସାହିତ୍ୟ ପରିଷଦର ସଂପାଦକ ଡକ୍ଟର ରବୀନ୍ଦ୍ର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ କଳାକାରମାନେ ବିଦ୍‌ଗ୍ଧ କବିଙ୍କ ରଚନାରୁ ସଂଗୀତ ପରିବେଷଣ କରିଥିଲେ ।

 

ଶ୍ରୀଧର ସ୍ୱାମୀ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଧର ସ୍ଵାମୀ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ୩.୨.୯୮ ତାରିଖ ଅପରାହ୍ଣ ୫.୩୦ ଘଣ୍ଟା ସମୟରେ ଟୀକାକାର ପଣ୍ଡିତ ଶ୍ରୀଧର ସ୍ଵାମୀଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତି ସଭା ରେମୁଣା ନିକଟବର୍ତ୍ତୀ କବିଙ୍କ ଜନ୍ମପୀଠ ମରେଈ ଗାଁଠାରେ ଆୟୋଜନ କରାଯାଇଥିଲା । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଶ୍ରୀ ଘନଶ୍ୟାମ ମିଶ୍ର ଏବଂ ଶ୍ରୀ ଇନ୍ଦୁଭୂଷଣ କର ଯଥାକ୍ରମେ ମୁଖ୍ୟବକ୍ତା ଏବଂ ସମ୍ମାନିତବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ମୁଖ୍ୟବକ୍ତା ଶ୍ରୀ ଘନଶ୍ୟାମ ମିଶ୍ର ତାଙ୍କ ଅଭିଭାଷଣରେ କହିଲେ ଯେ ଏହି ମହାନ୍‌ ଟୀକାକାରଙ୍କର ସଂସ୍କୃତ ଭାଷାରେ ଅସାଧାରଣ ପାଣ୍ଡିତ୍ୟ ଥିଲା । ଜ୍ଞାନର ଶ୍ରେଷ୍ଠତା ସ୍ଵୀକାର କରିବା ସଙ୍ଗେ ସଙ୍ଗେ ସେ ଭକ୍ତି ଉପାଦେୟତାକୁ ଗ୍ରହଣ କରି ଅଦ୍ୱୈତ ପରଂପରାରେ ଜ୍ଞାନ ତଥା ଭକ୍ତି ଅପୂର୍ବ ସମନ୍ୱୟ ଆଣି ପାରିଥିଲେ ।

 

ବିଶିଷ୍ଠ କବି ଶ୍ରୀ ବ୍ରଜନାଥ ରଥ କହିଲେ ଯେ ଶ୍ରୀମଦ୍‌ ଭାଗବତ ମହାପୁରାଣ ଉପରେ ଲିଖିତ ଭାବାର୍ଥଦୀପିକା ଏବଂ ଶ୍ରୀମଦ୍‌ ଭଗବତ୍‌ ଗୀତା ଉପରେ ରଚିତ ସୁବୋଧିନୀ ଟୀକାଦ୍ଵୟ ତାଙ୍କୁ ସର୍ବଭାରତୀୟ ସ୍ତରରେ ଜଣେ ଅସାଧାରଣ ସଂସ୍କୃତ ବିଦ୍ୱାନ ଭାବେ ସୁପରିଚିତ କରିପାରିଛି ।

 

ଅଚ୍ୟୁତାନନ୍ଦ ଦାସ ଜୟନ୍ତୀ

ତା ୭.୨.୯୮ ରିଖ ମାଘ ଶୁକ୍ଳ ଏକାଦଶୀ ତିଥିରେ ସିଦ୍ଧ ସାଧକ କବି ଅଚ୍ୟୁତାନନ୍ଦ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ କବିଙ୍କ ଜନ୍ମପୀଠ ତିଳକଣାଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଅଚ୍ୟୁତ ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଥି‌ଲା । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ସଭାରେ ସ୍ଵାମୀ ଅରୂପାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ମୃତିପୀଠରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

 

ସ୍ଵାମୀ ଅରୂପାନନ୍ଦ, ପଞ୍ଚସଖା ଯୁଗର ଅନ୍ୟତମ ପ୍ରବକ୍ତା ଅଚ୍ୟୁତାନନ୍ଦଙ୍କ ସାହିତ୍ୟରୁ ବହୁ ଉଦାହରଣ ଦେଇ ସମାଜକୁ ତାଙ୍କର ଦିଗ୍‌ଦର୍ଶନ ସଂପର୍କରେ ବିଶେଷ ଆଲୋକପାତ କରିଥିଲେ । ମହାମେଧାନନ୍ଦ ନାଥ ମୁଖ୍ୟବକ୍ତା ଭାବରେ ଅଂଶ ଗ୍ରହଣ କରି ଏହି ଅଲୌକିକ ପ୍ରତିଭା ଓଡ଼ିଆ ସାହିତ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଅନ୍ୟତମ ସାଧକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

 

ଏକାଡେମୀର ସଚିବ କବି ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ଗ୍ରାମାଭିମୁଖୀ କରିବାରେ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ପୂର୍ଣ୍ଣପ୍ରାଣରେ ଚେଷ୍ଟିତ ବୋଲି କହିଥିଲେ । କବି ତ୍ରିକାଳଦର୍ଶୀ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଭୂତ ଭବିଷ୍ୟ ଓ ବର୍ତ୍ତମାନର ଚିତ୍ର ଦେଖିବାକୁ ମିଳେ ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଚିନ୍ତାର ମିଶ୍ରଣରେ ତାଙ୍କର ସାର୍ବଜନୀନ ସାହିତ୍ୟ ସୃଷ୍ଟି ବୋଲି ସେ ମତ ପ୍ରକାଶ କରିଥିଲେ ।

 

ଏକାଡେମୀର ଉପ-ସଭାପତି କବି ଶ୍ରୀ ରବି ସିଂ ବିଶିଷ୍ଠ ଅତିଥି ଭାବରେ ଯୋଗଦେଇ ଅଚ୍ୟୁତାନନ୍ଦଙ୍କ ସାମାଜିକ ତଥା ସାହିତ୍ୟିକ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସ୍ରଷ୍ଟାର ସାମାଜିକ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

 

ସ୍ମୃତି ସଭାରେ ସଭାପତିତ୍ୱ କରି ପଣ୍ତିତ କୁଳମଣି ପାଠୀଶର୍ମା କବିଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଅଚ୍ୟୁତ ଯୁବପରିଷଦର ସଭାପତି ଶ୍ରୀ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ କଳାକାରମାନେ ଅଚ୍ୟୁତାନନ୍ଦଙ୍କ ରଚନାରୁ ସଂଗୀତ ପରିବେଷଣ କରିଥିଲେ ।

 

ଉତ୍କଳ ଭାରତୀ କୁନ୍ତଳା କୁମାରୀ ଜୟନ୍ତୀ

୮.୨.୯୮ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ପ୍ରାଚୀ ହୋଟେଲ ସଭାକକ୍ଷରେ ଉଜ୍ଜ୍ୱଳ ଭାରତୀ କୁନ୍ତଳା କୁମାରୀଙ୍କ ଅଠାନବେତମ ଜୟନ୍ତୀ ବିଶିଷ୍ଟ ଲେଖିକା ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ପ୍ରାରମ୍ଭରେ ମୁଖ୍ୟ ଅତିଥି ଏକାଡେମୀର ପୂର୍ବତନ ସଭାପତି ତଥା ସମାଜର ସହଯୋଗୀ ସଂପାଦିକା ଶ୍ରୀମତୀ ମନୋରମା ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜୟନ୍ତୀ ସଭା ଉଦ୍‌ଘାଟନ କରିଥିଲେ । ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଯେ ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ଜୟନ୍ତୀ ପାଳନ ଏକାଡେମୀର ଅନ୍ୟତମ ପରମ କର୍ତ୍ତବ୍ୟ । ଏହି ବରେଣ୍ୟ ସାରସ୍ଵତ, ସାଧିକା ଆମର ଚିର ନମସ୍ୟା । ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବାକୁ ଯାଇ ସେ କହିଲେ ଯେ ଏଠାରେ ଯୋଗଦେଇଥିବା ଅତିଥିମାନେ ନିଜ ନିଜ ଦୀପ୍ତିରେ ଭାସ୍ଵର ଓ ସେମାନଙ୍କ ସୃଷ୍ଟି ଓଡ଼ିଆ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ଛାପ ପକାଇଛି ।

 

ସମ୍ମାନିତ ଅତିଥି ବିଶିଷ୍ଟ ପ୍ରାବନ୍ଧିକ ତଥା ପ୍ରଶାସକ ଶ୍ରୀ ରବୀନ୍ଦ୍ର ମୋହନ ସେନାପତି କହିଲେ ଯେ ଆଧୁନିକ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟରେ କୁନ୍ତଳା କୁମାରୀଙ୍କ ସ୍ଥାନ ସ୍ଵତନ୍ତ୍ର । ଯେତେବେଳେ ଓଡ଼ିଶାର ନାରୀମାନେ କୁସଂସ୍କାର ମଧ୍ୟରେ ସମାଜର ବିଭିନ୍ନ ତାଡ଼ନା ସହି କାଳାତିପାତ କରୁଥିଲେ ସେତେବେଳେ ଓଡ଼ିଆରେ ଲେଖନୀ ଚାଳନା କରି ସେ ତାଙ୍କ ଲେଖା ମାଧ୍ୟମରେ ଏହି କୁସଂସ୍କାରର ବିଲୋପ ସାଧନ ପାଇଁ ସ୍ୱର ଉତ୍ତୋଳନ କରି ଆମ ପାଇଁ ଅନେକ ମହତ୍‌ କାମ କରିଥଲେ । ତାଙ୍କର ଏହି ସଂସ୍କାରଧର୍ମୀ କାର୍ଯ୍ୟ ପାଇଁ ରକ୍ଷଣଶୀଳ ହିନ୍ଦୁ ସମାଜ ତାଙ୍କୁ ଘୋର ବିରୋଧ କରିଥିଲା, ମାତ୍ର ସେ ପ୍ରବନ୍ଧ, ଉପନ୍ୟାସ ଓ କବିତା ମାଧ୍ୟମରେ କୁସଂସ୍କାରକୁ ଦୂର କରିବା ଉଦ୍ଦେଶ୍ୟରେ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଏହି ମହିୟସୀ ନାରୀକବି ଓଡ଼ିଆ ସାହିତ୍ୟର ଇତିହାସରେ

ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରିଣୀ ବୋଲି ସେ କହିଥିଲେ ।

 

ମୁଖ୍ୟବକ୍ତା ଡକ୍ଟର ରଞ୍ଜିତା ନାୟକ ତାଙ୍କର ସଂକ୍ଷିପ୍ତ ଭାଷଣରେ କହିଲେ ଯେ ବିନ୍ଦୁରେ ସିନ୍ଧୁ ଦର୍ଶନ କଲାପରି ଭୂମିରୁ ଭୂମାକୁ ଦୃଷ୍ଟି ପରି ତାଙ୍କର କବିତା ଜୀବନଦର୍ଶନ ଓ ଗଭୀର ଆତ୍ମବିଶ୍ୱାସରେ ଭରପୂର । ସେହି ମହାନ୍‌ ବ୍ୟକ୍ତିତ୍ୱ ସୀମିତ ସମୟ ମଧ୍ୟରେ ତାଙ୍କର ଅନୁଭୂତିକୁ ପାଥେୟ କରି କାଳଜୟୀ କୃତି ସୃଷ୍ଟି କରିଯାଇଛନ୍ତି । ଏତେ ସ୍ଵଳ୍ପ ସମୟ ମଧ୍ୟରେ ସେ ଓଡ଼ିଆ ସାହିତ୍ୟକୁ ଯେଉଁଭଳି ଭାବରେ ଅନୁଶୀଳନ କରି ତାଙ୍କ ରଚନାକୁ ଋଦ୍ଧିମନ୍ତ କରିଛନ୍ତି ତାହା କୌଣସି ସାରସ୍ଵତ ସାଧକ ଏପର୍ଯ୍ୟନ୍ତ କରିପାରି ନାହାନ୍ତି । ନାରୀ ଜୀବନର ନିଛକ ଚିତ୍ର ତାଙ୍କ ସାହିତ୍ୟର ପ୍ରଧାନ ଅଙ୍ଗ ବୋଲି ସେ ଉଲ୍ଲେଖ କରିଥିଲେ ।

 

ମୁଖ୍ୟ ଅତିଥି ଶ୍ରୀମତୀ ମନୋରମା ମହାପାତ୍ର ଯଶସ୍ଵିନୀ ନାରୀକବି, ଅଜସ୍ର ସମ୍ମାନର ଅଧିକାରିଣୀ କୁନ୍ତଳା କୁମାରୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ଉତ୍କଳ ସାହିତ୍ୟ ଜଗତର ତାରକା ଭାବରେ ଅବିହିତ କରିଥିଲେ । କୁନ୍ତଳା କୁମାରୀଙ୍କ ବ୍ୟକ୍ତିତ୍ୱ ଅଗ୍ନିଶିଖା ପରି ଅନ୍ୟକୁ ଜ୍ଞାନାଲୋକରେ ଉଦ୍‌ଭାସିତ କରିଛି ।

 

ବିଶିଷ୍ଟ କଥାକାର ଶ୍ରୀମତୀ ବୀଣାପାଣି ମହାନ୍ତି ତାଙ୍କ ସଭାପତି ଅଭିଭାଷଣରେ କହିଲେ ଯେ କୁନ୍ତଳା କୁମାରୀ ଏକ ଅବିସ୍ମରଣୀୟ ପ୍ରତିଭା । ସେ ଆମ ସମାଜ ଓ ସଂସ୍କୃତିକୁ ଗଭୀର ଭାବେ ଭଲ ପାଉଥିଲେ । ବିଭୁପ୍ରୀତି ଓ ସ୍ଵଦେଶପ୍ରେମ ଭାବଧାରା ତାଙ୍କ ରଚନାରେ ପରିସ୍ଫୁଟ । ସେ କେବଳ କବି ବା ସେବିକା ନଥିଲେ ସେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ଇଂରେଜ କବଳରୁ ଆମ ସଂସ୍କୃତିକୁ ବଞ୍ଚାଇବା ପାଇଁ, କାର୍ଯ୍ୟ କରିଥିଲେ ।

 

ଶେଷରେ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ଓଡ଼ିଆ ଚେତନାର ଯଶସ୍ୱିନୀ ନାରୀକବିଙ୍କ ଜୟନ୍ତୀ ସଭାରେ ଯୋଗ ଦେଇଥିବା ସମସ୍ତ ଅତିଥି ଓ ବିଶିଷ୍ଟ ସାହିତ୍ୟିକମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏକାଡେମୀର ଆଗାମୀ କାର୍ଯ୍ୟଗୁଡ଼ିକରେ ସେମାନଙ୍କର ସହଯୋଗ କାମନା କରିଥିଲେ ।

 

ସନ୍ଥକବି ଭୀମଭୋଇ ଶ୍ରାଦ୍ଧୋତ୍ସବ

ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ୧୦.୨.୯୮ ତାରିଖ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଜଟେସିଂଘାଠାରେ ଏବଂ ଭୀମ ଭୋଇ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ ଖଲିଆପାଲିଠାରେ ଯଥାକ୍ରମେ ପୂର୍ବାହ୍ନ ୯ ଘଣ୍ଟା ଓ ଅପରାହ୍ନ ତିନିଘଣ୍ଟା ସମୟରେ ସ୍ମୃତି ସଭାମାନ ଆୟୋଜନ କରାଯାଇଥିଲା ।

 

ଜଟେସିଂଘାଠାରେ ଆୟୋଜିତ ସ୍ମୃତି ସଭାରେ ଡକ୍ଟର ଉଦ୍ଧବ ଚରଣ ନାୟକ ମୁଖ୍ୟବକ୍ତା ଓ ଶ୍ରୀ ଗୋରେଖନାଥ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଡକ୍ଟର ନାୟକ ଭୀମଭୋଇଙ୍କ ସାରସ୍ଵତବାଣୀ ତଥା ଧର୍ମବୋଧ ସମ୍ବନ୍ଧରେ ସାରଗର୍ଭକ ଆଲୋଚନା କରିଥିଲେ । ଶ୍ରୀ ଗୋରେଖନାଥ ସାହୁ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ସମାଜ ଓ ସମାଜ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ଭୀମଭୋଇଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା ।

 

ଖଲିଆପାଲିଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିଜୟ ଚନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସନ୍ଥକବିଙ୍କ ସର୍ବଶ୍ରେଷ୍ଠ କୃତି ‘ସ୍ମୃତି ଚିନ୍ତାମଣି’ରେ ସନ୍ନିବେଶିତ ତାଙ୍କ ସତ୍ୟନିଷ୍ଠ ଆତ୍ମଜୀବନୀ, ଶାଶ୍ୱତ ସାହିତ୍ୟ, ଆଦର୍ଶ ଜୀବନ-ଦର୍ଶନ, ମାନବବାଦର ସ୍ଵର ଓ ଧର୍ମଧାରଣାର ନିଗୃଢ଼ ତତ୍ତ୍ୱାବଳୀ ସଂପର୍କରେ ବର୍ଣ୍ଣନା କରିଥିଲେ । ଶ୍ରୀ ସଦାନନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଉଭୟ ସଭାରେ ଏକାଡେମୀର ଉପ-ସଭାପତି ଶ୍ରୀ ରବି ସିଂ ପୌରୋହିତ୍ୟ କରିଥିଲେ । ସଭାଶେଷରେ ଶ୍ରୀ ଗୋରେଖନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ-

 

ଆଚାର୍ଯ୍ୟ ହରିହର ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ୧୨.୨.୯୮ ତାରିଖ ଦିନ ତାଙ୍କର ଜନ୍ମପୀଠ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀ ରାମଚନ୍ଦ୍ରପୁରଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ସାହିତ୍ୟ ସଭାରେ ଡକ୍ଟର ଗଣେଣ୍ଵର ମିଶ୍ର ସଭାପତିତ୍ୱ କରିଥିଲେ । ଶ୍ରୀ ବଟକୃଷ୍ଣ ତ୍ରିପାଠୀ ଏବଂ ଡକ୍ଟର ଶୁଭେନ୍ଦୁ ମୁଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଋଷିପ୍ରତିମ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି କହିଲେ ଯେ ଜନସେବା ଓ ଚରିତ୍ରବତ୍ତାରେ ନିଜର ଛାତ୍ର ତଥା ସହକର୍ମୀମାନଙ୍କ ନିମନ୍ତେ ସେ ଥିଲେ ମହାନ୍‌ ଆଦର୍ଶ । ଭଗ୍‌ବଦ୍‌ଗୀତାର ଅନୁବାଦ ତାଙ୍କର ଏକ ଅମ୍ଳାନ କୃତି ଭାବରେ ପରିଗଣିତ ।

 

ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟନାୟକ ସ୍ୱାଗତ ଭାଷଣ ପ୍ରସଙ୍ଗରେ ଆଚାର୍ଯ୍ୟଙ୍କ କର୍ତ୍ତବ୍ୟନିଷ୍ଠା ଜନସେବା, ଦେଶପ୍ରୀତି ଆଦି ତାଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥଲେ ।

 

ସାରସ୍ୱତ ସାଧକ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଶ୍ଵେତପଦ୍ମାଙ୍କ ମିଳିତ ସହଯୋଗରେ ପାରଳାଖେମୁଣ୍ଡିସ୍ଥ ଟାଉନହଲ୍‌ରେ ଗତ ୧୨.୨.୯୮ ତାରିଖରେ ସାରସ୍ଵତ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଡକ୍ଟର ପ୍ରସନ୍ନ କୁମାର ସ୍ଵାଇଁ । ଡକ୍ଟର ରଥଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ସୁଧୀବୃନ୍ଦ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ପରେ ପରେ ସାହିତ୍ୟ ଶ୍ଵେତପଦ୍ମା ପକ୍ଷରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ବାଉରୀବଂଧୁ କର ଏକାଡେମୀ ପକ୍ଷରୁ ପ୍ରାରମ୍ଭିକ ସୂଚନା ପ୍ରଦାନପୂର୍ବକ ଏକାଡେମୀର ଆଭିମୁଖ୍ୟ ଓ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଡକ୍ଟର ପି.ଶଙ୍କର ନାରାୟଣ ପାତ୍ର ପାରଳାକୁ ଓଡ଼ିଶାର ଅମରାବତୀ ବୋଲି ଅଭିହିତ କରିଥିଲେ ଏବଂ ସେହି ମାଟିରେ ଜାତ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଭଳି ଯୋଗଜନ୍ମାଙ୍କ ଆବିର୍ଭାବ ଫଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଭୂତ ଶ୍ରୀବୃଦ୍ଧି ସାଧନ ହୋଇପାରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଶ୍ୟାମସୁନ୍ଦର ରାଜଗୁରୁଙ୍କ ବହୁବିଧ ପ୍ରତିଭାର ସ୍ମୃତିଚାରଣ କରି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ବଞ୍ଚି ରହିବା ପଛରେ ଏହି ଯୁଗପୁରୁଷଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ପ୍ରେରଣା ଅନସ୍ୱୀକାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଡକ୍ଟର ବାଉରୀ ବଂଧୁ କର ଉତ୍ସବରେ ପୌରୋହିତ୍ୟ କରି ରାଜଗୁରୁଙ୍କୁ ଏକାଧାରରେ ଜଣେ ଜନନାୟକ, ଗବେଷକ, ସମାଲୋଚକ ତଥା ବିଶିଷ୍ଟ ସଂସ୍କାରକ ଭାବେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ଦାୟାଦ ପ୍ରାଧ୍ୟାପକ ଡକ୍ଟର ସରୋଜ ରାଜଗୁରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିତ୍ୟ ଶ୍ଵେତପଦ୍ମାର ସଂପାଦକ ଶ୍ରୀ ରାଜ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଚତୁର୍ଦ୍ଦଶ ପୁସ୍ତକମେଳା ଅବସରରେ କବିତା ପାଠୋତ୍ସବ

ଚତୁର୍ଦ୍ଦଶ ଭୁବନେଶ୍ୱର ପୁସ୍ତକମେଳା ଅବସରରେ ସ୍ୱାଧୀନତାର ପଚାଶବର୍ଷ ପୁର୍ତ୍ତି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ଵରସ୍ଥ ପ୍ରଦର୍ଶନୀ ପଡ଼ିଆରେ ତା ୩.୩.୯୮ ରିଖ ଦିନ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହି କବିତା ପାଠୋତ୍ସବରେ ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ ସଭାପତିତ୍ୱ କରିଥିଲେ ଏବଂ ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କବିତା ପାଠୋତ୍ସବରେ କବି ଶ୍ରୀ ଅଜୟ ସ୍ଵାଇଁ ସଂଯୋଜକ ଓ ସୁଷମା ମିଶ୍ର ସଂଯୋଜିକା ଭାବେ ଯୋଗଦାନ କରିଥିଲେ । କବିତା ପାଠୋତ୍ସବରେ କବି ଶ୍ରୀ ସୌରୀନ୍ଦ୍ର ବାରିକ, ଶ୍ରୀମତୀ ପ୍ରତିଭା ଶତପଥୀ, ଡକ୍ଟର ଫନୀ ମହାନ୍ତି, ଶ୍ରୀ ପ୍ରମୋଦ କୁମାର ମହାନ୍ତି, ଶ୍ରୀ ରୋହିଣୀ କାନ୍ତ ମୁଖାର୍ଜୀ, ଡକ୍ଟର ପ୍ରସନ୍ନ କୁମାର ମହାନ୍ତି, ଶ୍ରୀ ସୂର୍ଯ୍ୟ ମିଶ୍ର ପ୍ରଭୃତି ବହୁ ପ୍ରବୀଣ ଓ ନବୀନ କବି ଯୋଗଦାନ କରି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ । ଏକାଡେମୀର ସଚିବ କବି ଡକ୍ଟର ହରପ୍ରସାଦ ପରିଚ୍ଛା ପଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ଏହି ପାଠୋତ୍ସବ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସହ-ସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳା

ତା ୧୯.୩.୯୮ ରିଖରେ ଭୁବନେଶ୍ଵରସ୍ଥ ସୂଚନା ଭବନଠାରେ ସାହିତ୍ୟ ଏକାଡେମୀ ପକ୍ଷରୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ବକ୍ତୃତାମାଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ଖଗେଶ୍ୱର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାରସ୍ଵତ ସାଧକ ଆର୍ତ୍ତବଲ୍ଲରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ବକ୍ତୃତାମାଳା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଭାରତର ବିଶିଷ୍ଟ ସାମ୍ୱାଦିକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଖୁସବନ୍ତ ସିଂହ ମୁଖ୍ୟ ଅତିଥି ତଥା ବସ୍ତାଭାବରେ ଯୋଗଦେଇ ‘Good Journalism is Literature’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ । ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟନାୟକ ଅତିଥି ପରିଚୟ ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବହୁଭାଷୀ ଯୁବକବି ସମ୍ମେଳନ

ଓଡ଼ିଶା ସାହିତ୍ୟ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ଓ ସଂସ୍କୃତି ବିଭାଗ ଓଡ଼ିଶା ଭୁବନେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ତା ୨୦.୩.୯୮ ଠାରୁ ତା ୨୨.୩.୯୮ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ବରକୂଳ ପାନ୍ଥନିବାସ, ଚିଲିକାଠାରେ ବହୁଭାଷୀ ଜାତୀୟ ଯୁବକବି ସମ୍ମେଳନର ଆୟୋଜନ କରାଯାଇଥିଲା । ଏହି ସମ୍ମେଳନକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟନାୟକ ତା୨୦.୩.୯୮ ରିଖ ପୂର୍ବାହ୍ନରେ ଉଦ୍‌ଘାଟନ କରିଥିଲେ । ପ୍ରବୀଣ ସାମ୍ବାଦିକ ଓ ଲେଖକ ଶ୍ରୀଯୁକ୍ତ ଖୁସବନ୍ତ ସିଂହ ଏହି କବି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଶ୍ରୀଯୁକ୍ତ ରମାକାନ୍ତ ରଥ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଚିଲିକାର ମାନ୍ୟବର ବିଧାୟକ ଡକ୍ଟର ଦେବେନ୍ଦ୍ର ମାନସିଂହ ବରେଣ୍ୟ ଅତିଥିମାନଙ୍କୁ ସାଦର ସ୍ଵାଗତ ଜଣାଇଥିଲେ । ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟନାୟକ ଏହି ଅଭିନବ ପରିକଳ୍ପନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବହୁଭାଷୀ ଯୁବକବି ସମ୍ମେଳନରେ ଓଡ଼ିଶା ଓ ଓଡ଼ିଶା ବାହାରୁ ମୋଟ ଶହେଜଣ କବି ଓ ସମାଲୋଚକ ଯୋଗଦାନ କରିଥିଲେ ।

 

ତା ୨୦.୩.୯୮ ରେ ଅନୁଷ୍ଠିତ ପ୍ରଥମ ସଂପାନର ବିଷୟବସ୍ତୁ ଥିଲା - Where do । stand ? The changing frontiers of Indian poetry today । ଏଥିରେ ବିଶିଷ୍ଟ ଇଂରାଜୀ ପ୍ରଫେସର ତଥା ‘ସମୟ’ ସାପ୍ତାହିକୀର ସଂପାଦକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ପୌରୋହିତ୍ୟ କରିଥିଲେ ଏବଂ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ଶ୍ରୀମତୀ ପ୍ରମିକୀ ଦେବୀ ଜେ, ଶ୍ରୀ ଭି.ଏସ୍‌, ପଟାକର, ଏକ କ୍ରିଷ୍ଣମୂର୍ତ୍ତୀ, ଜେ.ଡାଭେ, ବଦ୍ରିନାରାୟଣ, ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଗୋପାଳକୃଷ୍ଣ ରଥ, ଅମରେଶ ପଟନାୟକ ଆଦି କବିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

ସଂଧ୍ୟାରେ ଅନୁଷ୍ଠିତ କବିତା ପାଠୋତ୍ସବର ପ୍ରଥମ ଅଧିବେଶନରେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ଶ୍ରୀ ଗୋପାଳକୃଷ୍ଣ ରଥ, ଡକ୍ଟର ଶୁଭେନ୍ଦୁ ମୁଣ୍ଡ, ମରାଠୀ କବି ଶ୍ରୀ ହେମନ୍ତ ଗୋବିନ୍ଦ ଯୋଗେଲକର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ବିଭିନ୍ନ ଭାଷାର ସତର ଜଣ କବି ସ୍ୱରଚିତ କବିତା ପାଠ କରିଥଲେ ।

 

ତା ୨୧.୩.୯୮ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ସଂପାନର ବିଷୟବସ୍ତୁ ଥିଲା - Absence of correspondence: Crisis in Indian poetry in the context of Man-Nature Divide । ଏଥିରେ ଅଧ୍ୟକ୍ଷତା କରିଥିଲେ ସମାରୋହର ମୁଖ୍ୟ ଅତିଥି ପ୍ରବୀଣ ସାଂବାଦିକ ଶ୍ରୀ ଖୁସ୍‌ବନ୍ତ ସିଂ । ବିଶାରଦ ତଥା ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଥିଲେ ଡକ୍ଟର ଶଙ୍କର ଲାଲ ପୁରୋହିତ, ଡକ୍ଟର ସୌରୀନ୍ଦ୍ର ବାରିକ, ଡକ୍ଟର ଫନୀ ମହାନ୍ତି, ଶ୍ରୀ ବଦ୍ରି ନାରାୟଣ, ଅମରେଶ ପଟନାୟକ, ଭଗବାନ ଜୟସିଂ, ଶୁଭେନ୍ଦୁ ମୁଣ୍ଡ ଓ ସଦାଶିବ ଦାସ ।

 

ମରାଠୀ ଭାଷାର ବିଶିଷ୍ଟ କବି ଶ୍ରୀ ହେମନ୍ତ ଗୋବିନ୍ଦ ଯୋଗେଲକରଙ୍କ ଅଧ୍ୟକ୍ଷତାରେ ସଂପାନର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ତାମିଲ କବି ସୂତ୍ରଧାରୀ ଏମ୍‌ ଗୋପାଳକ୍ରିଷ୍ଣନ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ବିଭିନ୍ନ ଭାଷାରେ କବି ଶ୍ରୀମତୀ ପ୍ରମିଳା ଦେବୀ ଓ ତେଲୁଗୁ କବି କୁମାରୀ ପି.ରଜନୀ, ସମୀରତନ୍ତା, ଅରୁଣ କମଲ, ରାହୁଲ ପୁରକାୟସ୍ତ, କ୍ରିଷ୍ଣମୂର୍ତ୍ତି, ମମତା ସାଗର, ଚଇତାଳୀ ଚଟୋପାଧ୍ୟାୟ, ଯୋଗେଶ ଡାଭେଙ୍କ ସହିତ ଓଡ଼ିଶାର ଏଗାର ଜଣ କବି ସ୍ଵରଚିତ କବିତା ପାଠ କରିଥିଲେ ।

 

ଅପରାହ୍ଣରେ ସବୁଠାରୁ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଥିଲା ନୀଳାମ୍ବୁ ଚିଲିକାର ବକ୍ଷରେ ସୁସଜ୍ଜ୍ୱିତ ନୌଭେଳାରେ କବିତା ପାଠୋତ୍ସବ । ଏହି ଅଭିନବ ବର୍ଣ୍ଣାଢ଼୍ୟ ପରିବେଶ ତଥା ଅନନ୍ୟ ଅନୁଭବ ଯୁବକବିମାନଙ୍କୁ କରିଥିଲା ଆମୋଦିତ । ଛ’ ଗୋଟି ଡଙ୍ଗାକୁ ଯୋଡ଼ାଯାଇ ଏକ ବିରାଟ ନୌଭେଳା ପ୍ରସ୍ତୁତ କରାଯାଇଥିଲା ।

 

ସୃଜନ ସମାବେଶର ଅନ୍ତିମ ଦିବସ ମାର୍ଚ୍ଚ ୨୨ ତାରିଖ ପୂର୍ବାହ୍ନରେ କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା । ଏଥିରେ କବି ମନୋଜ କୁମାର ମେହେର ଏବଂ ଶ୍ରୀମତୀ ମମତା ସାଗର ଅଧ୍ୟକ୍ଷତା କରିଥିଲେ । ସମସ୍ତ କବିତା ପାଠୋତ୍ସବର ସଂଯୋଜକ ତଥା ଉପସ୍ଥାପକ କବି ରୋହିଣୀକାନ୍ତ ମୁଖାର୍ଜୀ ସ୍ଵରଚିତ କବିତା ପାଠ କରିଥିଲେ ।

 

କେରଳ ନାରୀକବିମାନଙ୍କୁ ନେଇ "Poetry as discovery; Confessions of an Artist" ଶୀର୍ଷକ ସଂପାନଟି ବଙ୍ଗଳାର ପ୍ରତିଷ୍ଠିତ କବି ମଲ୍ଲିକା ସେନଗୁପ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ମମତା ସାଗର, ଶ୍ରୀମତୀ ପ୍ରମିଳା ଦେବୀ, କୁମାର ପି.ରଜନୀ, ଶ୍ରୀମତୀ ଇନ୍ଦିରା ଦାଶ, ଶ୍ରୀମତୀ ଚୈତାଲୀ ଚଟୋପାଧ୍ୟୟ ଓ କୁମାରୀ ଜ୍ୟୋତ୍ସ୍ନା ଦାସ ଅଂଶଗ୍ରହଣ କରିଥିଲେ । ଏହି ସଂପାନର ସଂଯୋଜକ ଥିଲେ ଏକାଡେମୀର ସହ ସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ । ଏହାପରେ ଅନୁଷ୍ଠିତ ହୋଇଥିଲା ଉଦ୍‌ଯାପନୀ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଓଡ଼ିଶା ବିଧାନ ସଭାର ମୁଖ୍ୟ ସଚେତକ ତଥା ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର ମାନସିଂ ଏବଂ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ ବରେଣ୍ୟ କବି ଡକ୍ଟର ସୌଭାଗ୍ୟ କୁମାର ମିଶ୍ର । ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଦାୟକାଳୀନ ଶେଷ ଅନ୍ତରଙ୍ଗ କଥା ଶୁଣାଇଥିଲେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟନାୟକ । ଅଂଶଗ୍ରହଣକାରୀମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଥିଲେ । ପ୍ରତି କବି, ଆଲୋଚକ, ପର୍ଯ୍ୟବେକ୍ଷକଙ୍କୁ ମାନପତ୍ର ଓ ପିତ୍ତଳର ଏକ କୋଣାର୍କ ଚକ ଉପହାର ଦିଆଯାଇଥିଲା । ଏହି ସୃଜନ ସମାରୋହର ସଫଳ ଆୟୋଜନ ପାଇଁ ଏକାଡେମୀ ସଚିବ ତଥା କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇଥିଲେ ।

 

ସ୍ୱାଧୀନତାର ପଚାଶବର୍ଷ ପୂର୍ତ୍ତି ଉପଲକ୍ଷେ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବକ୍‌ସି ଜଗବଂଧୁ ମହାବିଦ୍ୟାଳୟର + ୨ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ବି.ଜେ.ବି ମହାବିଦ୍ୟାଳୟ ପରିସରରେ ତା ୧୧.୧.୯୮ ରିଖ ଦିନ ସ୍ଵାଧୀନତାର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । କବିତା ପାଠୋତ୍ସବରେ ଏକାଡେମୀ ଉପ-ସଭାପତି କବି ଶ୍ରୀ ରବି ସିଂ ସଭାପତିତ୍ୱ କରିଥିଲେ ଓ ଲବ୍‌ଧ ପ୍ରତିଷ୍ଠ କଥାକାର ଶ୍ରୀ ଚନ୍ଦ୍ରଶେଖର ରଥ ଏକବିଂଶ ଶତାବ୍ଦୀରେ ଲେଖନୀୟ ଦାୟିତ୍ୱ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଏକାଡେମୀର ସଚିବ କବି ଡକ୍ଟର ହରପ୍ରସାଦ ପରିଛା ପଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

 

କବିତା ପାଠୋତ୍ସବରେ ଡକ୍ଟର ପ୍ରତିଭା ଶତପଥୀ, ଡକ୍ଟର ପ୍ରସନ୍ନ କୁମାର ମହାନ୍ତି ଡକ୍ଟର ମନୋରମା ମହାପାତ୍ର ବିଶ୍ଵାଳ, ଶ୍ରୀ ଅମରେଶ ପଟନାୟକ, ଡକ୍ଟର ଫନୀ ମହାନି, ଶ୍ରୀ ଦୁର୍ଗାଚରଣ ପରିଡ଼ା, ଶ୍ରୀ ହରିହର ମିଶ୍ର, ଡକ୍ଟର ହିମାଂଶୁ ପଟନାୟକ, ଶ୍ରୀ ରୋହିଣୀକାନ୍ତ ମୁଖାର୍ଜୀ, ଶ୍ରୀ ସୂର୍ଯ୍ୟ ମିଶ୍ର, ଜ୍ୟୋତ୍ସ୍ନା ଦାସ, ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଶ୍ରୀ ସରୋଜ ରଂଜନ ମହାନ୍ତି, ଶ୍ରୀ ସୌରୀନ୍ଦ୍ର ବାରିକ ଓ ଶ୍ରୀମତୀ ରଂଜିତା ନାୟକ ଆଦି ବରେଣ୍ୟ କବିମାନେ ଯୋଗଦାନ କରି ସ୍ଵରଚିତ କବିତା ପାଠ କରିଥିଲେ । ନିଜ ନିଜର ସୃଜନୀ ପ୍ରତିଭାର ପରିଚୟ ଦେବା ସଂଗେ ସଂଗେ ଏହି ପାଠୋତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । କବି ଶ୍ରୀ ରୋହଣୀକାନ୍ତ ମୁଖାର୍ଜୀ ସଂଯୋଜନା କରିଥିଲେ ।

 

ଆଦିବାସୀ କବିତା ପାଠୋତ୍ସବ

କଳାହାଣ୍ଡି ଉତ୍ସବ-୯୮ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡ଼ିୟମସ୍ଥ ରିଂଜୋ ମାଝୀ ରଙ୍ଗମଞ୍ଚରେ ତା ୩୦.୩.୯୮ ରିଖ ଓ ତା ୩୧.୩.୯୮ ଦୁଇଦିନ ଧରି ଆଦିବାସୀ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହି କବିତା ପାଠୋତ୍ସବରେ ପ୍ରଫେସର ବାଉରୀବଂଧୁ କର, ଡକ୍ଟର ଦୋଳଗୋବିନ୍ଦ ବିଶି ଓ ଶ୍ରୀ ବିପିନ ନାୟକ ଆଲୋଚକଭାବେ ଯୋଗଦାନ କରିଥିଲେ ଏବଂ କଳାହାଣ୍ଡିର ବହୁ ଆଦିବାସୀ କବି ଯୋଗଦାନ କରି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ ।

 

ଆଭିମୁଖ୍ୟର ରୂପାୟନ.

 

ଓଡ଼ିଆ ଭାଷା-ସାହିତ୍ୟର ବିକାଶ ସାଧନ, ସାହିତ୍ୟରେ ଭଚ୍ଚମାନର ପ୍ରବର୍ତ୍ତନ, ରାଜ୍ୟର ସାରସ୍ୱତ କାର୍ଯ୍ୟକ୍ରମ ଓ ସଂଗଠନ କ୍ଷେତ୍ରରେ ସହଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ବିଭିନ୍ନ ସାରସ୍ଵତ କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠା ଆଦି ସଂବିଧାନରେ ଲିପିବଦ୍ଧ ଆଭିମୁଖ୍ୟର ସଫଳ ରୂପାୟନ ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ତାର ସୀମିତ ସମ୍ବଳ ମଧ୍ୟରେ ବିଭିନ୍ନ ସାରସ୍ଵତ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛି । ସାଂବିଧାନିକ ଆଭିମୁଖ୍ୟ ଅପରିବର୍ତ୍ତିତ ରଖି, ଯୁଗରୁଚି ଅନୁଯାୟୀ ଏହାର କାର୍ଯ୍ୟପରିସର ଆହୁରି ବ୍ୟାପକ ଓ ବିସ୍ତାରିତ ହେବାରେ ଲାଗିଛି ।

 

ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଓ ବିକାଶ କଳ୍ପେ ଉଚ୍ଚକୋଟୀର ତଥା ଦୁଷ୍ପ୍ରାପ୍ୟ ପାଣ୍ଡୁଲିପିର ପ୍ରକାଶନ ସଂଗେ ଏକାଡେମୀର ଗବେଷଣାଧର୍ମୀ ମର୍ଯ୍ୟାଦାବନ୍ତ ସାହିତ୍ୟ-ମୁଖପତ୍ର ‘କୋଣାର୍କ’ ଗତ ଚାଳିଶବର୍ଷ ଧରି ପ୍ରକାଶିତ ହୋଇ ଆସୁଅଛି । ଓଡ଼ିଆ ସାହିତ୍ୟକୁ ଓଡ଼ିଶା ବାହାରେ ଅଣଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ କେତେକ ନିର୍ବାଚିତ ଉଚ୍ଚକୋଟୀର ଓଡ଼ିଆ ଗ୍ରନ୍ଥର ହିନ୍ଦୀ ଓ ଇଂରାଜୀ ଅନୁବାଦ ଏକାଡେମୀର ଏକ ଗୁରୁତ୍ୱପୂର୍ଣ୍ଣ ସମୟୋପଯୋଗୀ ପଦକ୍ଷେପ । ବ୍ୟାସକବି ଫକୀରମୋହନ ସେନାପତିଙ୍କ Mamu- (The uncle)ର ପ୍ରକାଶନ ପରେ ସ୍ଵଭାବକବି ଗଙ୍ଗାଧରଙ୍କ ‘ତପସ୍ୱିନୀ’ର ଇଂରାଜୀ ପଦ୍ୟାନୁବାଦ ଆଶୁ ପ୍ରକାଶନ ଅପେକ୍ଷାରେ-। ‘ନରକିନ୍ନର’ର ହିନ୍ଦୀ ଅନୁବାଦ ଏବଂ ‘ଜୀଅନ୍ତା ମଣିଷ’ ଓ ‘ଅମଡ଼ାବାଟ’ର ଇଂରାଜୀ ଅନୁବାଦ କାର୍ଯ୍ୟ ଆଗେଇ ଚାଲିଛି । ଇଂରାଜୀ ଭାଷାରେ କୋଣାର୍କ ପ୍ରକାଶନର ବାସ୍ତବ ରୂପାୟନ ଆଉ ବେଶୀ ଡେରି ନୁହେଁ ।

 

ଓଡ଼ିଆ ସାହିତ୍ୟର ବିକାଶ ଓ ପ୍ରସାର ଦିଗରେ ବିଭିନ୍ନ ଆଲୋଚନାଚକ୍ର, ଲେଖକ-କର୍ମଶାଳା ଓ କବି ସମ୍ମେଳନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆୟୋଜନ କରାଯାଉଛି । ଏକାଡେମୀର ସଫଳୀକୃତ ପ୍ରଚେଷ୍ଟା ସ୍ଵରୂପ ଏବର୍ଷ ପ୍ରାଦେଶିକ ତଥା ସର୍ବଭାରତୀୟ ସ୍ତରରେ କେତେକ କାର୍ଯ୍ୟକ୍ରମର ସଫଳ ଆୟୋଜନ ଯୋଗେ ଏକାଡେମୀର ମର୍ଯ୍ୟାଦା ନିଶ୍ଚିତରୂପେ ବୃଦ୍ଧି ହୋଇଛି । ଓଡ଼ିଆ ଭାଷାର ସରଳୀକରଣ ସଂପାନ, ହାସ୍ୟକବି ସମ୍ମେଳନ, ଗୀତିକବି ସମ୍ମେଳନ, ସର୍ବଭାରତୀୟ ଶିଶୁ-ସାହିତ୍ୟ ସମ୍ମେଳନ ଓ ଶିଶୁମେଳା, ଚିଲିକାଠାରେ ଆୟୋଜିତ ଜାତୀୟ ବହୁଭାଷୀ ଯୁବକବି ସମ୍ମେଳନ ଆଦି ଏ ଦିଗରେ ଏକାଡେମୀର କେତେକ ଉଲ୍ଲେଖଯୋଗ୍ୟ ସାଫଲ୍ୟ । ରାଜ୍ୟର ସାରସ୍ଵତ କାର୍ଯ୍ୟକ୍ରମ ଓ ସାହିତ୍ୟ ସଂଗଠନ କ୍ଷେତ୍ରରେ ସହଯୋଗ ଓ ସମନ୍ଵୟ ସ୍ଥାପନ ଦିଗରେ ଏଇବର୍ଷ ଛତ୍ରପୁରଠାରେ ବେଳାଧ୍ୱନି ସାରସ୍ଵତ ସମାରୋହ, ଜୟପୁରଠାରେ ପରବ୍‌ - ୯୭, ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ, ଭବାନୀପାଟଣାଠାରେ କଳାହାଣ୍ଡି ମହୋତ୍ସବ, ବାଲେଶ୍ଵରଠାରେ ଚନ୍ଦ୍ରଭାଗା ଉତ୍ସବ ସ୍ଥାନୀୟ, ସାହିତ୍ୟାନୁଷ୍ଠାନମାନଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇପାରିଛି । ଏତଦ୍‌ବ୍ୟତୀତ ଓଡ଼ିଶାର ବିଶିଷ୍ଟ ସାରସ୍ଵତ ସାଧକମାନଙ୍କର ଜୟନ୍ତୀ ପାଳନ ଅବସରରେ ପୂଜ୍ୟପୂଜା ପ୍ରତି ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ ଏକାଡେମୀର ଏକ ନୈତିକ କର୍ତ୍ତବ୍ୟ ଭାବରେ ଗୃହୀତ ହୋଇ ଆସିଅଛି । ବିଶେଷତଃ ଓଡ଼ିଶାର ପୁରପଲ୍ଲୀରେ ସେମାନଙ୍କର ଜନ୍ମସ୍ଥାନମାନଙ୍କରେ ସ୍ଥାନୀୟ ସାହିତ୍ୟ ସଂଗଠନମାନଙ୍କ ସହଯୋଗରେ ସ୍ମୃତିସଭାମାନ ଅନୁଷ୍ଠିତ ହୋଇ ଗ୍ରାମାଞ୍ଚଳରେ ଏକ ସାରସ୍ୱତ ଜାଗରଣ ତଥା ପରିବେଶ ସୃଷ୍ଟି ହୋଇ ପାରିଛି । ଏକାଡେମୀର କୀର୍ଯ୍ୟାବଳୀକୁ ଗ୍ରାମଭିମୁଖୀ କରିବାପାଇଁ ଆମର ପ୍ରଚେଷ୍ଟା ସତତ ଜାରିରହିଛି । ସାରସ୍ଵତ ଭାବବିନିମୟ ଓ ଭାବ ସଂହତି ପ୍ରତିଷ୍ଠା ପାଇଁ ଆନ୍ତଃ ପ୍ରାଦେଶିକ ସ୍ତରରେ ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରୁ ଏକ ପାଞ୍ଚଜଣିଆ ସାରସ୍ୱତ ପ୍ରତିନିଧିଦଳ ଗତବର୍ଷ ଆସାମ ଗସ୍ତରେ ଯାଇଥିଲେ । ସେଠାରେ ସେମାନଙ୍କ ରାଜ୍ୟ ସରକାର ତଥା ସେଠାକାର ସାରସ୍ୱତ ଅନୁଷ୍ଠାନମାନଙ୍କ ପକ୍ଷରୁ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏକାଡେମୀର ଅନୁରୋଧକ୍ରମେ ସେମାନଙ୍କୁ ରାଜ୍ୟ .ଅତିଥି ଭାବରେ ଚର୍ଚ୍ଚା କରାଯାଇ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏବର୍ଷ ଜୁନ୍‌ ୧୬ ତାରିଖରେ ଏକ ଚାରିଜଣିଆ ସାରସ୍ଵତ ପ୍ରତିନିଧି ଦଳ ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମରେ ଗୁଜରାଟ ଯିବାପାଇଁ ସ୍ଥିର ହୋଇଛି । ଆନ୍ତଃରାଜ୍ୟ ସ୍ତରରେ ସାରସ୍ୱତ ଭାବ ବିନିମୟ ଓ ଭାବ ସଂହତି ପ୍ରତିଷ୍ଠା ପାଇଁ ଏକାଡେମୀର ଏହା ଏକ ଉଲ୍ଲେଖଯୋଗ୍ୟ ସାଧୁ ଉଦ୍ୟମ । ରାଜ୍ୟର ବିବିଧ କାଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠା ସହିତ ଏକ ସୁନ୍ଦର, ଶାଶ୍ୱତ ସାରସ୍ୱତ ବାତାବରଣ ସୃଷ୍ଟିକଳ୍ପେ ଏକାଡେମୀ ଆଜି ସଂକଳ୍ପବଦ୍ଧ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ନବନିଯୁକ୍ତ ବରେଣ୍ୟ ସଭାପତି, ଉପସଭାପତି ତଥା ସାଧାରଣ ପରିଷଦର ଅନ୍ୟାନ୍ୟ ସମ୍ମାନାସ୍ପଦ ସଦସ୍ୟବୃନ୍ଦଙ୍କୁ ମୋର ଆନ୍ତିରିକ ଅଭିନନ୍ଦନ । ସମୟର ଆବଶ୍ୟକତାକୁ ଉପଲବଧିକରି ସେମାନଙ୍କର ସୁଚିନ୍ତିତ ପରାମର୍ଶ ଓ ମାର୍ଗଦର୍ଶନ ଫଳରେ ନୂତନ ନୂତନ ପରିଯୋଜନାର ବାସ୍ତବ ରୂପାୟନ ଯୋଗେ ଓଡ଼ିଆ ସାହିତ୍ୟ ଋଦ୍ଧିମନ୍ତ ହେବା ସଙ୍ଗେ ସଙ୍ଗେ ସର୍ବଭାରତୀୟ ସ୍ତରରେ ଏକାଡେମୀର ମର୍ଯ୍ୟାଦା ବୃଦ୍ଧି ହେବ ବୋଲି ଆଶା କରୁଛି ।

 

ଏହି ସଂଖ୍ୟାର କଳେବର ମଣ୍ଡନ କରିଥିବା ସୃଜନଧର୍ମୀ ନିବନ୍ଧଗୁଡ଼ିକର ସ୍ରଷ୍ଟାଗଣଙ୍କୁ ବଧେଇ ଜଣାଉଛି । ସେମାନଙ୍କର ଲେଖନୀ ସୃଷ୍ଟିଶୀଳ ହେଉ । ‘କୋଣାର୍କ’ ର ପ୍ରତିଟି ପୃଷ୍ଠା ବିକଶିତ ହେଉ ସୃଜନ- ଶତଦଳରେ ।

 

 

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

“କୋଣାର୍କ” ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ରହିବ ।

 

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ ।

 

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

 

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ୍‍ ଅଧାକାଗଜରେ ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

 

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

 

୬.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

***